4/30/2021

ଜୀବେ ଦୟା

ଛବିରାଣୀ ପତି

 "ଜୀବହତ୍ୟା ମହାପାପ" କୁହେ ଏ'ଜଗତ
                                          ନାହିଁ ତ ଜୀବରେ ଦୟା
       କାମନା- ବାସନା ଚରିତାର୍ଥ ଲାଗି
                                          ମାୟାରେ ପଡି ସେ ବାୟା ।

       ଥରେ ହେଲେ ଭାବନ୍ତୁ ତ'....!!! ସତରେ କ'ଣ ଆମ ଭିତରେ ଆଉ ସେ ମାନବିକତା ଟିକକ ନ ହଜି , ଅଛି ....????  ପ୍ରକୃତରେ , ଯାହାର ଜୀବନ ଅଛି ; ସେ' ସୁଖରେ ଆଲ୍ଲାଦିତ ହୁଏ ଓ ଦୁଃଖକଷ୍ଟରେ ବିଦାରିତ ମଧ୍ୟ ହୋଇଥାଏ । ପ୍ରେମ - ବିରହ , ମିଳନ - ବିଚ୍ଛେଦରେ........ ସେ ବି ଦେଖାଏ ତା'ର ପ୍ରତିକ୍ରିୟା ।  କାହାର ପ୍ରତିକ୍ରିୟା ବୁଝିହୁଏ ,, ଆଉ କାହାର ବୁଝି ହୁଏନା ।  ଏତିକି , ମଣିଷ ଯେପରି ତା'ର ଭାବନାକୁ ପରିପ୍ରକାଶ କରିପାରେ ......ସୃଷ୍ଟିରେ ସେମିତି ଆଉ କେହି କରିପାରେନା । ସେ ଜୀବଜନ୍ତୁ , ପଶୁପକ୍ଷୀ ଅବା ହୁଅନ୍ତୁ ଉଦ୍ଭିଦ ଜଗତ ; ସେଥିପାଇଁ କୁହାଯାଏ .....  "ମଣିଷ ଜୀବନ ଦୁର୍ଲଭ ଜୀବନ" । ଜଗତରେ ସେ ସର୍ବୋତ୍କୃଷ୍ଟ ଓ ସର୍ବଶ୍ରେଷ୍ଠ , ନିଜର ବୁଦ୍ଧି ଓ ବିବେକ ପାଇଁ ....... ସୃଷ୍ଟି କରିପାରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ । ଖାଲି ଯେ , ଦୁଇ ଦୁଇଟା ହାତ , ଗୋଡ଼ , କାନ ,ଆଖି ଇତ୍ୟାଦି .....ମଣିଷକୁ ମଣିଷଟିଏ କରି ଗଢି ତୋଳେ ..... ତା' ବି ତ ନୁହେଁ । ମଣିଷର ମଣିଷତ୍ୱ ଓ ବ୍ୟକ୍ତିତ୍ୱ ନିର୍ଧାର୍ଯ୍ୟ କରେ ତା'ର ବ୍ୟବହାର ଓ ପ୍ରକୃତିକୁ ନେଇ । ସେତିକି ନଥିଲେ ସେ କେବଳ ଗୋଟେ (ଦୁଇ ଗୋଡ଼ିଆ )  ପଶୁ ସାଙ୍ଗରେ ସମାନ ପ୍ରାୟ । ଆଖିରୁ କୁମ୍ଭୀରଙ୍କ ପରି ଲୁହ ଗଡାଇ ବିଳାପ କରୁଥିବା ଲୋକଟିକୁ ଆଘାତ ଲାଗିଲେ ଯେମିତି କଷ୍ଟ ହେଉଥାଏ ...... ସେହିପରି ନିଜ ଭାବନାକୁ ବ୍ୟକ୍ତ ନକରିପାରୁଥିବା  ଜୀବ ,ପ୍ରାଣୀ ବା ଉଦ୍ଭିଦଟିକୁ ଠିକ୍‌ ସେମିତି କଷ୍ଟ ହୋଇଥାଏ । ଅନ୍ତର ଏତିକି ..... ଆମେ ଏତେ ଚତୁର , ଜ୍ଞାନୀ ଓ ବୁଦ୍ଧିମାନ ହୋଇ ମଧ୍ୟ ବୁଝିପାରୁନା ଏହି ଅବ୍ୟକ୍ତ ମନର ଅକୁହା କଥାକୁ , ...... କାହାଣୀକୁ । ଦେଖି ଅଣଦେଖା କରିଦେଉ ....ସେମାନଙ୍କ ଜୀବନ ଯନ୍ତ୍ରଣାରୁ ଉତ୍ତୁରି ଆସୁଥିବା ଲୁହକୁ ।
        ବଡ଼  ଉତ୍କଣ୍ଠାର ସହ ଦୌଡ଼ିଆସିଲା ଦିପୁ । ବାପା , ବୋଉ ..... ଦେଖିଲ ଦେଖିଲ ଚମ୍ପିକୁ , କେମିତି ହଉଛି । ବାପା ଦେଖିଲେ ....ଲୋମଶ ଦେହରୁ ସତେ ଯେପରି  ଚିକ୍କଣ କଳା ରଙ୍ଗର ତେଲ ଖସି ପଡୁଥିଲା ତା' ଦେହରୁ । ଆଉ ଆଖିରେ ଜକେଇ ଆସୁଥିଲା ଲୁହ । ବାପା କହିଲେ , ତୋ' ଚମ୍ପିକୁ ଥଣ୍ଡା ସର୍ଦ୍ଦି ହୋଇଯାଇଛି ବୋଧେ । କାନ୍ଦିବ କାହିଁକି ଯେ ....!! ଦେଖୁନୁ ଦେଖୁନୁ , ତା' ନାକରୁ ବି ତ ପାଣି ବାହାରୁଛି ...!!  ।  ଜେଜେମା' କୁହନ୍ତି , .....କାହିଁକି ମ ,,, ତାକୁ କ'ଣ କିଏ ହାଣ ମୁହଁକୁ ନେଇଯାଉଛି ଯେ ସିଏ କାନ୍ଦିବ.....??? ଏତିକି କଥାରେ .....ଦିପୁ ବି ରାଗି ଉଠିଲା । କହିଲା ....... ନାଇଁ ଜେଜେମା'  , ମୋ' ଚମ୍ପିକୁ ମୁଁ କେବେବି ମୋ' ଠାରୁ ଅଲଗା ହେବାକୁ ଦେବିନି । ସେ ପା' ମୋର ସବୁଠୁ ଭଲ ସାଙ୍ଗଟିଏ । ମୋ' ସାଙ୍ଗରେ ଖେଳିବାକୁ ତ ଆମ ଘରେ ତା' ଛଡା ଆଉ କେହି ବି ନାହାନ୍ତି । ମୁଁ ମୋ' ବାପା ବୋଉଙ୍କର ତ ଗୋଟିଏ ବୋଲି ଛୁଆ ।  ମୋ' ସାଙ୍ଗରେ ସମୟ କାଟିବାକୁ ଆଉ କିଏ ବା ଅଛି ଯେ  .... !!  କିନ୍ତୁ , ଛେଳିଟିଏ ହୋଇ ମଧ୍ୟ ସେ ମୋ' ମନ କଥା ଢେର ବୁଝିପାରେ । କେତେ କେତେ ଢଙ୍ଗରେ ମୋ' ସହିତ ଖେଳେ । ମୁଁ ସ୍କୁଲରୁ ଫେରିଲେ ..... ସେ ଯୋଉଠି ବନ୍ଧା ହେଇଥାଉନା କାହିଁକି , ମେଁ ମେଁ ହୋଇ ଡାକ ମାରି ଜଣେଇ ଦିଏ .... ମୁଁ ଏଇଠି ବୋଲି । ସେ ଜନ୍ମ ହେଲା ଦିନଠୁ ..... ମୁଁ ତାକୁ ସବୁଦିନ କାଖେଇ କୁଣ୍ଢେଇ ବୁଲେ ଓ ଖେଳେ । ସେ ମୋ' ମୁହଁକୁ ବଲବଲ ହୋଇ ଯେତେବେଳେ ଚାହିଁକି ବୋବାଳି ଛାଡେ ...... ମୁଁ ଜାଣି ପାରେ ଯେ, ତାକୁ ଭୋକ ହେଉଛି । ମୁଣ୍ଡିଆ ମାରି ମାରି ଯେତେବେଳେ ପେଲି ପକାଏ , ମୁଁ ବୁଝେ ..... ଚାଲ ଆମେ ବୁଲିଯିବା ବୋଲି କହୁଛି । ମୋ' ଆଗରେ ପେଟ ଦେଖେଇ ଶୋଇ ପଡିଲେ ମୁଁ ଜାଣେ ଯେ , ମୁଁ ତାକୁ ଆଉଁସି ଦେବାକୁ ସେ ଚ଼ାହୁଁଛି ।  ଏହିପରି ଅନେକ କଥା ନକହି ପାରିଲେ ବି ସେ ସୁଚେଇ ଦିଏ । ଆଉ ମୋର ସବୁ କଥା ବୁଝିଲା ପରି ଉତ୍ତର ମଧ୍ୟ ଦେଇଦିଏ । ଶୁଣି ଶୁଣି ଶେଷରେ ଜେଜେମା' କହିଲେ ..... ତମେ ଦୁଇଜଣ ଯଦି କଥାଭାଷା ହଉଛ !! ତୋ' କଥା ସେ ବୁଝପାରେ ଆଉ ତା' କଥା ତୁ ବି ବୁଝିପାରୁ !! ତା'ହେଲେ , ତାକୁ ପଚାରୁନୁ ..... ସେ ତୋତେ କହିଦେବ ନାହିଁ , କାହିଁ କାନ୍ଦୁଛି ବୋଲି ....!! ଏତିକିରେ ଦିପୁ ବୁଢ଼ୀ ଉପରେ ଖପର ଖପର ହୋଇ ଚମ୍ପିକୁ ଗୁହାଳେ ପୁରେଇ ଦେଇ.......  ଦମ ଦମ ହୋଇ ଚାଲିଗଲା ଘର ଭିତରକୁ ।
              ୟା' ଭିତରେ ଡଉଲଡାଉଲ ଚମ୍ପିଟି ବେଶ୍‌ ବଡ଼ ହୋଇଗଲାଣି । ଆଉ ଚାହିଁଲେ ବି ଦିପୁ ତାକୁ ଉଠେଇ ନେଇ ପାରେନି କୋଳକୁ । ବରଂ ତା' କୋଳକୁ ଆଉଜି ଯାଏ ନିଜେ ଯାଇଁ । ଖାଲି ସେତିକି ନୁହେଁ , ସେ ଦୁଇ  ପୁଞ୍ଜା ଛୁଆଙ୍କର ମାଆ ବି ହୋଇଗଲାଣି । ଢେର ବଢ଼ି ଗଲାଣି ଚମ୍ପିର ପରିବାର । ସେ ଜାଣେ , ଖାଉଁଦର ପେଟ ଅପୋଷା ନରହିଲେ ବି , ତା' ଆଖି ଆଗରେ ଚାଲି ଗଲେଣି ମାଆ , ମାଉସୀ , ପିଉସୀ ,ଭାଇ ,ଭଉଣୀ ମାନେ। କୁଆଡେ ଯିବେ ଆଜ୍ଞା..... !! ଯାଇ ଯାଇ କଂସେଇଁ ଖାନାକୁ । ଆମରି ପରି ଲୋଭାର୍ଥୀ ମାଂସାସୀଙ୍କର ଜିହ୍ଵାର ଲାଳସାର ଉପଶମ ଲାଗି । ସତେ ଯେମିତି ମାଉଁସ ଝୋଳ ଟିକେ ପାଟିରେ ନବାଜିଲେ .....ପୂରେ ନାହିଁ ପେଟ କି ରୁଚେ ନାହିଁ ଭାତ । ଆଉ ସେଥିରେ ମିଳିଯାଏ ଢେର ଆତ୍ମ ସନ୍ତୁଷ୍ଟି ...!!!! ଏତେ ଦୁର୍ବଳ ମାନସିକତାରେ ଆସକ୍ତ.....  ଆମେ ଯେ, ଟପ୍‌ଟପ୍‌ ହୋଇ ବୋହିଯାଏ ଲାଳ ସ୍ମରଣ ମାତ୍ରକେ । ତେଣୁ ,,,, ସମୟେ ସମୟେ ଚମ୍ପି ମଧ୍ୟ ଆଶା ଛାଡିଦିଏ ....... କାଲିର ସୂର୍ଯ୍ୟୋଦୟକୁ । କିଏ ଜାଣେ ....?? କେତେବେଳେ ପଡିଯିବ ନିଜ ପାଳି .....!!!  ସତେ ଯେପରି .....
        "ତଳ ବରଡ଼ା ଖସୁଛି
         ଉପର ବରଡ଼ା ହସୁଛି
         ମଝି ବରଡ଼ା ଥାଈ କହୁଛି
         ମୋ' ବେଳ କାଳ ଆସୁଛି"। 

          ଦିନେ ଦିପୁ ଅମାପ ଖୁସିନେଇ ଫେରେ ଘରକୁ । ଦେଖେ ତ ଚମ୍ପି ଶୋଇଛି । ଦିପୁକୁ ଦେଖିକି ବି ଉଠୁନି ଭୂଇଁରୁ କି ମାରୁନାହିଁ ଡାକ । ଦିପୁକୁ ତା' ବୋଉ ଡାକ ଉପରେ ଡାକ ମାରୁଛନ୍ତି ..... ଗୋଡ଼ ହାତ ଧୋଇ ଖାଇ ବସିବାକୁ । ହେଲେ , ଦିପୁ ମନ ଯାଇ ଚମ୍ପି ପାଖରେ।  ଡାକିଲା ଦିପୁ ..... ଚମ୍ପି ଲୋ , କ'ଣ ହେଇଛି କି ତୋର ..... !!, ମୋ' ଉପରେ ମାନ ମାରିଛୁ .....?? ଦେହ ଭଲ ନାହିଁ କି....?? ଭୋକ ଲାଗୁଚି ....?? ପଚାରି ଚାଲୁଛି ଅନେକ ପ୍ରଶ୍ନ । ହେଲେ , ଚମ୍ପି ..... ଦିପୁଠାରୁ ମୁହଁ ଫେରେଇ ନେଇ ଗୁଞ୍ଜିଦିଏ ନିଜ ଗୋଡ଼ ଖଞ୍ଜାରେ । କିଛି ବୁଝି ପାରେନି ଦିପୁ । ହେଲେ , ଅନୁମାନ କରେ ଅନେକ କିଛି । କାହାରିକୁ କିଛି ନକହି ଡାକିଆଣେ ଯାଇଁ ପଶୁ ଡାକ୍ତରଙ୍କୁ । ଦିପୁର ଏପରି ପିଲାଳିଆମୀକୁ ସମସ୍ତେ ବିରକ୍ତ ହୁଅନ୍ତି । ଆଉ ଦିପୁକୁ ଓଲଟା ଗାଳି ଶୁଣିବାକୁ ପଡେ । ବୁଢୀ ମାଆ ବିଗିଡି ଯାଇ କୁହନ୍ତି ...... ଗୋଟେ ପଶୁଠାରେ ଏତେ ବି କ'ଣ ଗୋଟେ ଲୋଭ ମ.... ତତେ ଏସବୁ ଛାଡି ପାଠରେ ମନ ଦେବାକୁ ହେବ । ବାପାର ନାଁ ରଖିବୁ ,ପାଠ ପଢିଲେ ସିନା .... !!। ଏ ଆଲତୁ ଫାଲତୁ  ଜୀବଜନ୍ତୁ ପଶୁପକ୍ଷୀ ମାନଙ୍କଠୁଁ ତୁ ପାଇବୁ କ'ଣ ଯେ' ....?? । ବାପା ଏସବୁ କଥାରେ ମୁଣ୍ଡ ପୁରାନ୍ତିନି । ତାଙ୍କ ବୋଉ ଯାହା କୁହନ୍ତି ..... ସେଇଥିରେ ଚାଲେ ଘର । ଦିପୁର ବୋଉ ସବୁ ଜାଣିକି ବି, ତାକୁ କରନ୍ତି ଗା' ଳି । ପୁଣି ବୁଝାନ୍ତି , ବାପାରେ....... ଏତେ ଭାବପ୍ରବଣତା ବି ମୋଟୁରୁ ଭଲ ନୁହେଁ । ତୁ ବା କେତେକର ପିଲା , କେମିତି ବୁଝେଇବିରେ ବାପା ତୋତେ ....!! ବରଂ , ତୁ ଯା' ଖାଇପିଇ ଦେଇ ଗାଁର ମଝି ଦାଣ୍ଡକୁ । ସେଠି ସାଙ୍ଗରେ ଖେଳିବାକୁ କେତେ ସାଙ୍ଗସାଥି ମିଳିଯିବେ ତୋତେ । ଖୁସିରେ ଖେଳକୁଦ କରି ସଞ୍ଜରେ ଘରକୁ ଫେରିବୁ ।  ଦିପୁର ବୋଉ ଜାଣନ୍ତି , ଦିପୁଟା କେତେ ସ୍ନେହୀ । କିଛିଦିନ ପୂର୍ବୁରୁ .......ଦିପୁ , ଦିପୁ ରାମନାମ ପରି ଭଜି ହେଉଥିବା ମିଟୁଟି ବି କୁଆଡେ ଚାଲି ଯାଇଛି । ଦିପୁ ଅନେକ କାନ୍ଦିଛି ସତ , ମାତ୍ର ....... ବିଚରା ଶୁଆଟିର ମୁକ୍ତ ଆକାଶ ତଳେ ଉଡିବାର ସ୍ୱାଧୀନତା ଅଛି ଓ ମିଟୁଟି ବନ୍ଦୀ ଜୀବନରୁ ମୁକ୍ତି ପାଇଛି ବୋଲି ଭାବି ନିଜକୁ ବୁଝାଇ ଦେଇଛି ପୁଣି ପରେ ।  ସ୍ନେହ କାଙ୍ଗାଳଟା ସହଜେ । ଟିକେ ଆଦର ପାଇଲେ   ......  ସ୍ନେହ ବନ୍ଧନରେ ବାନ୍ଧି ହୋଇଯାଏ ସମସ୍ତଙ୍କ ସାଙ୍ଗରେ । 

         ତା'ପରଦିନ ସକାଳୁ ସକାଳୁ ଉଠି ଗୁହାଳେ ପଶି ଚମ୍ପି ସହିତ ଢେର କଥା ହେଉଥାଏ ଦିପୁ । ଆଉଁସି ପକାଉଥିଲା ତା'ର ଦେହ ମୁଣ୍ଡକୁ । ସବୁଦିନ ପରି ନିଜ ହାତରେ କଅଁଳିଆ ଦୁବ ଆଣି ଦେଲା ଚମ୍ପିକୁ ଖାଇବାକୁ ।  ସେ ଆଜି ଚମ୍ପି ମୁହଁରେ ଦେଖୁଥିଲା ଅନେକ ଅବୁଝା ପ୍ରଶ୍ନ । ଖାଲି ଦିପୁର କୋଳକୁ ଆଉଜି ହୋଇଯାଇ ଘସି ହେଉଥାଏ ଚମ୍ପି । କିନ୍ତୁ କହୁନଥାଏ କିଛି । ସତେକି ଅଭିମାନର ପାହାଡ଼ ଉପରେ ଛିଡା ହୋଇ ଅନେକ ଆଶା ନେଇ ଚାହିଁ ରହେ ଦିପୁର ମୁହଁକୁ । ଆଉ ସ୍ତବ୍ଧ ହୋଇଯାଇଥାଏ ଯେମିତି । ସମୟ ହୋଇଯାଏ , ଦିପୁ ଚାଲିଯାଏ ସ୍କୁଲକୁ । ଉପରଓଳି ଆସେ ତ ଦେଖେ ........  ରୀତିମତ ବନ୍ଧା ହେଉଥିବା ଚମ୍ପିର ଖୁଣ୍ଟଟି ଫାଙ୍କା ପଡିଛି । ଚମ୍ପିର ସପରିବାର ମେଂ ମେଂ ବୋବାଳି ଛାଡି ......ଦିପୁକୁ ଯେପରି ଜାହିର କରୁଥିଲେ ଚମ୍ପିର ଅନୁପସ୍ଥିତିକୁ । ଆଉ ତାକୁ ଫେରେଇ ଆଣିବାକୁ କରୁଥିଲେ ଅନେକ  ଅନୁରୋଧ । ଦିପୁ , ପାଗଳ ହୋଇଯାଏ ଯେପରି । ଧାଏଁ ସବୁଆଡେ ..... ଚମ୍ପି ଚମ୍ପି ଡ଼ାକମାରି ।  କୂଳୁମୁଛୁଳୁ ହୋଇ କାନ୍ଦି ପକାଉଥାଏ ତା' ଭିତରେ । ତା'ବ୍ୟାକୁଳତାରେ ଅଧିର ହୋଇ...... ଦିପୁ ର ବୋଉ ଆଶ୍ଚର୍ଯ୍ୟ ଚକିତ ଭାବେ ଚାହିଁ ରହିଥା'ନ୍ତି ।  ଖାଲି ଚିନ୍ତା କରୁଥା'ନ୍ତି ......କେମିତି ସମ୍ଭାଳିବେ  ଛୁଆଟାକୁ ।  ଅସ୍ତବ୍ୟସ୍ତ ହୋଇପଡୁଥାନ୍ତି ମଧ୍ୟ ନିଜେ ।  ମାଆ ମନ , ମମତାର ମୂଲ୍ୟ ସେ' ବି ବୁଝନ୍ତି ଭଲଭାବେ । ଦିପୁର କଅଁଳ ମନକୁ ବୁଝି ତ' ହେଉଛି ...... ହେଲେ , ଅବୁଝା ଟାକୁ ବୁଝେଇ ହେଉନି ସତେ । ବୁଢ଼ୀ ମାଆ କିନ୍ତୁ କହିଲେ , ......
ତୋ' ଚମ୍ପି ଆଉ ନାହିଁ । ସେ ଆଉ କେବେବି ଫେରିବନି । ହଟାତ , ଦିପୁ ଭାବିନିଏ କି ...... ତା' ଚମ୍ପି କ'ଣ ତାହାଲେ ସତରେ  ମରିଗଲା ....!! ମା' କୁ ପଚାରେ....... ମୋ' ଚମ୍ପିକୁ କୋଉଠି ପୋତିଛ  ?? ବୁଢ଼ୀ ମାଆ କୁହନ୍ତି , ବାତୁଳା ହେଲୁ କି , ପୋତିବି କିଆଁ....?? ମୁଁ ତାକୁ ବିକି ଦେଇଛି । ପୁଣି, କଂସେଇ ହାତକୁ । ଏବେ ତକ ତ' କେତେ ପେଟର ଆହାର ବି' ହୋଇ ସାରିବଣି ସେ' । ତୁ , ମିଛରେ କାହିଁ ଚମ୍ପି ଚମ୍ପି ହେଉଛୁ କହିଲୁ ...?? ଯାଇ ଖାଇବୁ ଯା , ତୋ' ଚାମ୍ପିର ମୁଣ୍ଡଟି ଆମ ଘରକୁ ଆସି  ତିଅଣ  ହେଇଛି । ଏତିକି ପଦରେ ଦିପୁ ରାଗି ନିଆଁ ବାଣ ହୋଇଯାଏ ।  ପଚାରେ ବୋଉକୁ , ........ ତୁ ଜାଣିଥିଲୁ , ମୋ' ଚମ୍ପି ବିକ୍ରି ହବାର ଥିଲା ବୋଲି !! ସେଇଥିପାଇଁ ସେ କାଲିଠୁଁ ଏମିତି ନିରବ ହୋଇଯାଇଥିଲା ....!! ଆଉ ଢାଳୁଥିଲା ଅସରାର ଲୁହ ....!! କାହିଁକି ତାକୁ କଂସେଇଁ ହାତକୁ ଟେକିଦେଲ.....?? ସେ ପରା ମୋର ଜୀବନ ଥିଲା , କେହି କ'ଣ ଜାଣିପାରିଲନି ....??? ଆଜି ମୋ' ଜୀବନ ମୋ'ଠୁ ଛଡେଇ ନେଲ କେମିତି ...???  କାଲି କଣ ମୋତେ ବି' ଏମିତି .....???? ମୁଁ ଆଉ ଏ'ଘରେ ରହିବିନି । ମତେ ପୁଣି ମୋ' ଚମ୍ପିର ମାଉଁସ ଖାଇବାକୁ କହୁଚ....?? ତୁମେ କି'ଭଳିଆ ମଣିଷ ଜେଜେମା' .....??  ମାତ୍ର , କେଇଟା ଟଙ୍କା ପାଇଁ .....??? କେତେ ବିକଳ ହୋଇଥିବ ମୋ ଚମ୍ପି ଏ' ଘର ଛାଡିଲା ବେଳେ , , , କେତେ ଯନ୍ତ୍ରଣା ପାଇଥିବ ସେ'.... ଯେତେବେଳେ ହଣା ଖାଇଥିବ ....!!!! କେଇ କ୍ଷଣରେ ଆଖି,ଜିଭ ବାହାରକୁ ବାହାରି ଆସିଥିବ ତାର ...!! ହେ,ପ୍ରଭୁ .... ମୋ' ଚମ୍ପି ତା'ହାଲେ ନିଜର ମୂଲଚାଲ ଶୁଣି ଏହିପରି ନିସ୍ତେଜ ହୋଇ........  କାଲିଠାରୁ  ନିଜ ମୃତ୍ୟୁକୁ ନିଜେ ଅପେକ୍ଷା କରି ରହିଥିଲା....!! ପଶୁମାନେ ପରା କିଛି ବୁଝିପାରନ୍ତି ବୋଲି କୁହ , ଏଥର ନିଜ ଆଖିରେ ଦେଖିଲ ଟି ତୁମେମାନେ ..... !!

           ନାଚାର ପରିକା ଠିଆହୋଇ ରହିଥାନ୍ତି ଦିପୁର ବୋଉ । ଶୁଣୁଥାନ୍ତି ଦିପୁର ସବୁ ତର୍କ । ଛୁଇଁ ଯାଉଥାଏ ତାଙ୍କ ହୃଦୟକୁ । ଏତେ ଛୋଟ ପିଲା ହୋଇ, ଯେତିକି ଜ୍ଞାନ ଆଉ ଜୀବରେ ଦୟା ..... ଆଶ୍ଚର୍ଯ୍ୟ ହୋଇ ନିର୍ବିକାର ଭାବେ  ଦେଖୁଥାନ୍ତି ସବୁ ଆଉ ନୀରବରେ ସମର୍ଥନ କରୁଥାନ୍ତି ଅକ୍ଷେରେ ଅକ୍ଷେରେ ଦିପୁର କଥାକୁ । ଦିପୁ ଆଉ ଅବୋଧ ନୁହେଁ କି, ନିର୍ବୋଧ ବି' ନାହିଁ । ତଥାପି , ଜେଜେମା ଯୁକ୍ତି ବାଢୁଥାନ୍ତି ଅବାନ୍ତର ଓ ବିଚିତ୍ର ଭାବେ ..... ବୁଝାଉଥାନ୍ତି ପରିବେଶ ସନ୍ତୁଳନ ବିଷୟରେ ,ଦିପୁ ଆଗରେ । ନିଜ ଚିନ୍ତାଧାରା କୁ ଅନ୍ୟ ମାନଙ୍କ ଉପରେ ଜୋର ଜବରଦସ୍ତି ଲଦି ଦେବାକୁ କରୁଥାନ୍ତି ଅଦମ୍ୟ ପ୍ରୟାସ । ତାଙ୍କ ଯୁକ୍ତି ..... ଦିପୁକୁ ନା ଦେଇ ପାରୁଥାଏ ସାନ୍ତ୍ୱନା , ନା ଆଶ୍ୱାସନା । ଖାଲି , ଆକୁଣ୍ଠ ଚିତ୍ତରେ ଚାହିଁରହିଥାଏ ଚମ୍ପିର ଶୂନ୍ୟ ଖୁଣ୍ଟ, ଗୁହାଳ ଆଉ ଚମ୍ପିର ପରିବାର କୁ । ତାଙ୍କ ଶୋକାକୁଳ ବିରହି ଆଖିରେ  ଖୋଜୁଥାଏ ..... ଏ' ସ୍ୱାର୍ଥ ସମାଜର ନୀତି,ନିୟମ,ଆଦର୍ଶ,ସ୍ନେହଁ,ପ୍ରେମ,ବନ୍ଧନ ......।  ସାମାଜର ଏ' ଛଳନା ପ୍ରତାରଣା ର ସ୍ନେହଁ ପ୍ରେମ ଦେଖି ହତବାକ ସେ । ନିଜର ଛୋଟିଆ ମୁଣ୍ଡର ବୁଦ୍ଧି - ବିବେକର ମାପକାଠିରେ ତଉଲୁ ଥାଏ ନିଜକୁ ଓ ନିଜ ସମ୍ପର୍କକୁ ।
     ।। ଜଗତସିଂହପୁର।।
ଫୋନ - 9337960060
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।