4/30/2021

ହୃଦୟଟେ ଲୋଡ଼ା


ସୁକୃତି ହାପାତ୍ର 

ଚାଷୀ ପୁଅ ବୋଲି     ଚାଷ ମୁଁ କରିଲି
           ଋଣ ଭାରେ ବୁଡିଗଲି
ସାହୁକାର ଋଣ     ଶୁଝିବାର ପାଇଁ
        ଦାଦନ ଶ୍ରମିକ ହେଲି ।
ଘର ଠାରୁ ଦୂରେ     ପ୍ରବାସରେ ରହି
           ପରିଶ୍ରମ ବହୁ କଲି
ମୋ' ପରିବାରର     ଭୋକିଲା ପେଟକୁ
         ଆହାର ମୁଠାଏ ଦେଲି ।
କଷ୍ଟମଷ୍ଟ କରି    ସଂସାରକୁ ମୋର
         ଆଗକୁ ବଢ଼ାଉ ଥିଲି
କୋରୋନା ରୋଗଟା     ମାଡି ଆସିକରି
           କରୁଅଛି କିଲିବିଲି ।
ଭିଟାମାଟିକୁ ମୋ'     ଫେରିବାର ପାଇଁ
           ଚାଲି ମାଇଲି ମାଇଲି
କେତେ ଯେ ଯନ୍ତ୍ରଣା    ସହିବାର ପରେ
         ଆସି ଗାଁରେ ପହଞ୍ଚିଲି ।
ସ୍କୁଲ୍‌ଘରେ କିଛି-     ଦିନ ରହି ଯେବେ
          ଗାଆଁ ଭିତରକୁ ଗଲି
କୁକୁର ଠାରୁ ବି     ହୀନ ବ୍ୟବହାର
      ଗାଆଁ ଲୋକଠୁ ପାଇଲି ।
ମୁହଁ ନାକ ମୋଡି     ଯାଆନ୍ତି ଦୂରେଇ
       କଟୁ କଥା ମାନ ବୋଲି
ସେଇଠି କାହିଁକି     ମଲାନି କେଜାଣି
       ଗାଆଁକୁ ଅଇଲା ଚାଲି ।
ଦୁଇ ଧାର ପାଣି    ଗଡ଼ିଲା ଆଖିରୁ
    କେବେ ଜାଣି ନ ପାରିଲି
ଦାଦନର ଦୁଃଖ     ବୁଝିବାର ପାଇଁ
    ହୃଦୟଟେ ଲୋଡ଼ା ଖାଲି  ।


ପାଟପୁର , ବାଙ୍କୀ , କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।