ସୁକୃତି ମହାପାତ୍ର
ଋଣ ଭାରେ ବୁଡିଗଲି
ସାହୁକାର ଋଣ ଶୁଝିବାର ପାଇଁ
ଦାଦନ ଶ୍ରମିକ ହେଲି ।
ଘର ଠାରୁ ଦୂରେ ପ୍ରବାସରେ ରହି
ପରିଶ୍ରମ ବହୁ କଲି
ମୋ' ପରିବାରର ଭୋକିଲା ପେଟକୁ
ଆହାର ମୁଠାଏ ଦେଲି ।
କଷ୍ଟମଷ୍ଟ କରି ସଂସାରକୁ ମୋର
ଆଗକୁ ବଢ଼ାଉ ଥିଲି
କୋରୋନା ରୋଗଟା ମାଡି ଆସିକରି
କରୁଅଛି କିଲିବିଲି ।
ଭିଟାମାଟିକୁ ମୋ' ଫେରିବାର ପାଇଁ
ଚାଲି ମାଇଲି ମାଇଲି
କେତେ ଯେ ଯନ୍ତ୍ରଣା ସହିବାର ପରେ
ଆସି ଗାଁରେ ପହଞ୍ଚିଲି ।
ସ୍କୁଲ୍ଘରେ କିଛି- ଦିନ ରହି ଯେବେ
ଗାଆଁ ଭିତରକୁ ଗଲି
କୁକୁର ଠାରୁ ବି ହୀନ ବ୍ୟବହାର
ଗାଆଁ ଲୋକଠୁ ପାଇଲି ।
ମୁହଁ ନାକ ମୋଡି ଯାଆନ୍ତି ଦୂରେଇ
କଟୁ କଥା ମାନ ବୋଲି
ସେଇଠି କାହିଁକି ମଲାନି କେଜାଣି
ଗାଆଁକୁ ଅଇଲା ଚାଲି ।
ଦୁଇ ଧାର ପାଣି ଗଡ଼ିଲା ଆଖିରୁ
କେବେ ଜାଣି ନ ପାରିଲି
ଦାଦନର ଦୁଃଖ ବୁଝିବାର ପାଇଁ
ହୃଦୟଟେ ଲୋଡ଼ା ଖାଲି ।
ପାଟପୁର , ବାଙ୍କୀ , କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।