4/30/2021

ବନ୍ଦଇ ତବ ଚ଼ରଣ


ପଦ୍ମାଳୟା ମିଶ୍ର 
ସମ୍ପାଦିକା - ହରିବୋଲ ହୁଳହୁଳି 



ବନ୍ଦଇ ତବ ଚରଣ ମାତା
ବନ୍ଦଇ ତବ ଚରଣ ....

ଜନମି ଅଛି ମୁଁ ଉତ୍କଳ ମାଟିରେ
ଉତ୍କଳୀୟ ମୋର ନାମ
ଜନମ ଦିନରେ ମାତାର ମୋହର
ଜଣାଏ ଭୂମି ପ୍ରଣାମ ।
ବନ୍ଦଇ ମାତା ଚରଣ ।।

ଓଡ଼ିଆ ଭାଷା ମୋ ହୃଦୟ ସ୍ପନ୍ଦନ
ଓଡିଶୀରେ ଅଛି ପ୍ରାଣ
ଜଗନ୍ନାଥ ମୋର ସର୍ବସ୍ବ ସମ୍ପଦ
ମାହାରୀ ମଧୁର ଧନ ।
ବନ୍ଦଇ ମାତା ଚରଣ ।।

ପଟ୍ଟଚିତ୍ର ଆଉ ଚାନ୍ଦୁଆ ଚାହିଦା
ଦେଶ-ବିଦେଶରେ ଜାଣ
ସମ୍ବଲପୁରୀ ଓ ବରମ୍ପୁରୀ ପାଟ
ଜିଣିଅଛି ସର୍ବ ମନ ।
ବନ୍ଦଇ ମାତା ଚରଣ ।।

ଉତ୍କଳ ପ୍ରଦେଶେ ମହାନଦୀ ବହେ
ବହେ ତ ବୁଢାବଳଙ୍ଗ
ବ୍ରାହ୍ମଣୀ ବୈତରଣୀ ଲୋଟି ଶରୀରେ
କୋଲାବ ରଖେ ଜୀବନ ।
ବନ୍ଦଇ ମାତା ଚରଣ ।।

ମହ ମହ ବାସେ ଆରିସା କାକରା
ଘରେ ଘରେ ଛେନା ପଣା
ଶୀତଳଷଷ୍ଠୀ ଓ ଧନୁଯାତ୍ରା ଅଛି
ଅଛି ଦୋଳ ଓ ଝୁଲଣ ।
ବନ୍ଦଇ ମାତା ଚରଣ ।।

ବାରମାସେ ତେର ଯାତରା ରଚନ୍ତି
ରଥରେ ଚକାନୟନ
ମହୋଦଧି ଜଳ ମଥାରେ ଛିଞ୍ଚିଣ
ଆନନ୍ଦିତ ଭକ୍ତ ଗଣ ।
ବନ୍ଦଇ ମାତା ଚରଣ ।।

ଡାଲମା ସନ୍ତୁଳା ଓଡିଆଣି ରନ୍ଧା
ପଖାଳ ଘାଣ୍ଟ ତିଅଣ
ଅବଢା ବାସନା ନାକରେ ବାଜିଲେ
ଲୋଭରେ ମନ ଉଛନ ।
ବନ୍ଦଇ ମାତା ଚରଣ ।।

କାରୁକାର୍ଯ୍ୟ ଭରା କୋଣାର୍କ ଧଉଳି
ଦେଖ ଏକାମ୍ର କାନନ
ଶ୍ରୀମନ୍ଦିର ଶୋଭା ବିଶ୍ଵରେ ଚର୍ଚ୍ଚିତ
ଉତ୍କଳର ଅଟଇ ପ୍ରାଣ ।
ବନ୍ଦଇ ମାତା ଚରଣ ।।

ଗୋପବନ୍ଧୁ ରାଧାନାଥ ମଧୁବାବୁ
ପୁଣି ଫକୀରମୋହନ
ବକ୍ସି ଜଗବନ୍ଧୁ ଜୟୀ ରାଜଗୁରୁ
ଚାଖି ଖୁଣ୍ଟିଆ ମହାନ ।
ବନ୍ଦଇ ତବ ଚରଣ ।।

ବୀର ପ୍ରସବିନୀ ଉତ୍କଳ ଜନନୀ
ଜ୍ଞାନୀ ଗୁଣୀ ପରିପୂର୍ଣ୍ଣ
ଜନ୍ମିଛନ୍ତି ପୁଣି ଅଝଟ ଅବୋଧ
ତଥାପି ତାର ସନ୍ତାନ ।
ବନ୍ଦଇ ମାତା ଚରଣ ।।

କେତେ କେତେ ଗାଥା କେତେ କେତେ ବ୍ୟଥା
ସାଇତିଛି ଏ ପବନ
ଦିନ ଯାଏ ବିତି ହେଉଛି ପ୍ରଗତି
ସତ ହେଉଛି ସପନ ।
ବନ୍ଦଇ ମାତା ଚରଣ ।।
                 ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।