4/30/2021

ଆଜି ମୁଁ କରିଛି ସାବିତ୍ରୀ-ବ୍ରତ

ଗୀତା ଦାସ 
ଓଲେଇ, ଫୁଲେଇ,ମଲେଇ,ଗେହ୍ଲେଇ
ଯେତେ ବାଗେ ଡାକୁଥାଅ ,
ଆଜି ମୁଁ ସାବିତ୍ରୀ-ବ୍ରତ ପାଳିଅଛି
ସେ କଥା ଭୁଲି ନ  ଯାଅ ।
ଜଲ୍‌ଦି ବାହାର ବଜାରକୁ ଯାଇ
ଜିନିଷ ଦିଅ ଆଣିକି ,
କେତେ କ'ଣ କଥା ଚିଠାରେ ଲେଖିଛି
କିଣିବ ସବୁ ପଢିକି ।
ନାଲି-ଜାଲି-ଶାଢ଼ୀ ତା'ସାଥେ ଦାମିକା
ଶାୟା, ବ୍ଲାଉଜ ଥିବ,
କଜ୍ଜ୍ୱଳ, ଲିପିଷ୍ଟିକ, ଟିକିଲି, ଆଇ-ବ୍ରୋ
ଅତର ଟିକେ ଆଣିବ ।
ନାଲି ତାର-ଚୁଡି ନାଲି ବେକହାର
ନଖପାଲିସି କିଣିବ,
ଚପଲ ଦିଇଟା ଛିଣ୍ଡି ଯାଇଅଛି
ହାଇ-ହିଲ ହଳେ ଆଣିବ ।
ଥଣ୍ଡା ଫଳରସ ବୋତଳେ ଆଣିବ
ଉପାସେ ହେବିନି ଝୁଣି,
କଷ୍ଟାଡ଼ କରିବି କ୍ଷୀର,ସେଓ,କାଜୁ,
କିସମିସ ଦେବ ଆଣି ।
ଯଦି ସେଇଆଡ଼େ ଆଖି ପକାଇବ
ଚିକେନ୍ ଦୋକାନ ଖୋଲା,
ଆଜି ନିରାମିଷ କାଲିକି ଖାଇବା
ଦିଇ କିଲୋ ହେଲେ ହେଲା ।
ଟଙ୍କା ପାଞ୍ଚ ଦଶ ହାତରେ ଦେବ ମୋ
ଦେବି ସେ ନନା-ପୁଅକୁ ।
ଦିନସାରା ବ୍ୟସ୍ତ ଲାଗିବନି ବୋଲି
'ପାନପସନ୍ଦ' ପାଟିକୁ  ।
ସବୁ ପରକାରେ ଫଳମୂଳ କିଣି
ଧୂପ,ଦୀପ ଆଣିଥିବ ,
ଦୁବ,ବରକୋଳି-ପତ୍ର ପାଇବିନି
ପୁଳେ ନେଇ ଆସିଥିବ ।
ପାଞ୍ଚମାସ ହେଲା ଯେମିତି ପେଖନା
କରୁଛ କରୋନା ପାଇଁ ,
ଆଜି କିନ୍ତୁ କିଛି କଥା ଶୁଣିବିନି
"କାଣି କଉଡିଟେ ନାହିଁ ।
ଘଣ୍ଟାଏ ହେଲାଣି ବକି ଚାଲିଛି ମୁଁ
ଦେଉନୁ କିଛି ଉତ୍ତର ,
ଚିହ୍ନିନୁ କିଏ ମୁଁ ଛଡାଇ ଦେଉଛି
କୃପଣିଆ-ରଙ୍ଗ ତୋର ।
ଆରେ ବାଡ଼ିପଡା, ଯୋଗଣିଖିଆଟା
ଯଦି ବଳ ନାହିଁ ଏତେ ,
ଥୋବରା ହୋଇକି ରହି ଗଲୁନାହିଁ
ବାହା ହେଲୁ କାହିଁ ମୋତେ ?
ତୋ ସମସ୍ୟା ଜଣା ଦରକାର ନାହିଁ
ଚୁପଚାଆପ ଶୁଉଣୁ ,
ଚୋରି,ନାରୀ,କୁଳିଗିରି କର ପଛେ
ଇଛା ମୋ କର ପୂରଣ। ।
ପୂଜାଟା ନ କଲେ ମାନ ସନମାନ
ସାଇରେ ଯିବ ଫୁସୁରି ,
ଗାଁ ପାଇପଙ୍କ ପାଖେ ଖାତିରିରେ
'ପଞ୍ଚେଇ' ହେବି କିପରି  ?
ଭଲ ଦଶା ଯଦି ଅଛି ତୋର ଆଜି
କା'ଆଗେ କହିବୁ ନାହିଁ ,
ମା'ବାପା ଦି'ଟା କାନେଇ ଶୁଣିଲେ
ଦେବି ତୋ ରଙ୍ଗ ଛଡେଇ ।
ୟା'ଠାରୁ ଅଧିକ ରଖିଛି ମୋ ମନେ
ଏତିକି ବଖାଣୁ ଥାଇ ,
କାରାରେ ପୁରାଇ ଘଣା ପେଶାଇବି
ଏ-ଯୁଗ ସାବିତ୍ରୀ ମୁହିଁ  ।
 ବଳରାମପୁର,କୁଜଙ୍ଗ 
 ଯୋଗାଯୋଗ - ୯୯୩୭୦୩୭୬୫୨     
   
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।