ସହଦେବ ବେହେରା (ଶିକ୍ଷକ)
ଅପୂର୍ବ ଏ ସୃଷ୍ଟି ରଚିଲ ହେ ସ୍ରଷ୍ଟାନାହିଁ ତା'ର ପଟାନ୍ତର
ଜଳ ସ୍ଥଳ ବାୟୁ ଖଞ୍ଜିଲ ତା' ପାଇଁ
ମାନବକୁ କରି ସାର ll
ପୁରୁଷକୁ ନାରୀ ରମ୍ଭା ଅପସରୀ
ସତ୍ୟଭାମା ସତୀ ସୀତା
ଏକକୁ ଆରେକ ଏ ନାରୀ ଚରିତ
ଭଗିନୀ ରମଣୀ ସୂତା ll
କେ' କହେ ଧରଣୀ ଜନନୀ ସମାନ
ପାଳୁଛି ଆମକୁ କୋଳେ
ନାନା ଜାତି ଫୁଲ ଫଳ ଆମ ପାଇଁ
ଭରିଛି ସେ ଗଛଡାଳେ ll
କିଏ କହେ ନାରୀ ଅବଳା ଦୁର୍ବଳା
କିଏ କହେ ସିଏ ବୀରା
ନାରୀର ଅସ୍ତିତ୍ବ ନ ଥିଲେ ସଂସାରେ
ପୁରୁଷ ଯେ ଦିଗହରା ll
ସତ୍ଯ ଯୁଗେ ହରି ତୁମ ନାମ ସ୍ମରି
ନ୍ୟାୟ ଧର୍ମେ ଉଡେ ଧ୍ବଜା
ମହିଷମର୍ଦ୍ଦିନୀ ମୋହିନୀ ସୁନ୍ଦରୀ
ମହାମାୟା ଦଶ ଭୁଜା ll
ତ୍ରେତୟା ଯୁଗରେ ରାମ ଅବତାରେ
ସତୀନାରୀ ସୀତା ପାଇଁ
ରାବଣ ବିନାଶୀ ଯଶ ଉଡାଇଲ
ନାରୀ ମାନ ରକ୍ଷା ପାଇଁ ll
ଦ୍ୱାପର ଯୁଗରେ କୃଷ୍ଣ ଅବତାରେ
ଉଡାଇଲ ଧର୍ମ ଧ୍ବଜା
ଦ୍ରୌପଦୀ କଷଣ ନ ସହି ପାରିଣ
ନିବାରିଲ ତାର ଲଜ୍ଜା ll
କଳିଯୁଗେ ନାରୀ ନାନା ରୂପ ଧରି
ବଢାଏ ଦେଶର ଯଶ
ସତୀ ଦାହ ପ୍ରଥା ବାଳୁତ ବିବାହ
ହୋଇଯାଇଅଛି ଧ୍ବଂସ ll
ଆଜି ଏ ସମାଜେ ନାରୀ ଯେ ଶିକ୍ଷିତା
ସମ ଅଧିକାର ପାଏ
ଡାକ୍ତର , ଓକିଲ, କବି କେ' ଶିକ୍ଷିକା
କିଏ ନାଚେ ଗୀତ ଗାଏ ll
ସମାଜ ସେବିକା ଦେଶର ଶାସିକା
କିଏ ପୁଣି ବୈଜ୍ଞାନିକ
କିଏ ଚିତ୍ରଶିଳ୍ପୀ କିଏ କଳାକାର
ଇଞ୍ଜିନିୟର ସୈନିକ ll
ମହାକାଶେ ଯାଇ କେ' ରଚଇ ଖ୍ୟାତି
ହିମାଳୟ ଶୃଙ୍ଗ ଚଢେ
ଅଥଳ ସାଗର ପହଁରଇ କିଏ
ସୀମାନ୍ତରେ ଶତ୍ରୁ ଲଢେ ll
କରୁଣାର ବାରୀ ଅମୃତର ଧାର
ସେବା ବ୍ରତୀ ପରହିତେ
ନାରୀ ପାଇଁ ନାରୀ ସୁରକ୍ଷା କବଚ
ଚିନ୍ତଇ ସଂସାର ହିତେ ll
ନାରୀ ବିନା ଏଇ ସୃଷ୍ଟି ଅସମ୍ଭବ
ସେ ପରା ଜନନୀ ଜାୟା
ମାତୃରୂପ ଧରି ପାଳଇ ସବୁରି
ସେତ ଚିର ବନ୍ଦନୀୟା ll
....... . . . . . . . . . . . . . . .
ମଙ୍ଗରାଜପୁର , ହାଟଡ଼ିହି , ଆନନ୍ଦପୁର , କେନ୍ଦୁଝର
ଫୋ- ୭୬୦୮୯୯୯୬୮୯ / ୯୪୩୮୨୦୦୮୭୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।