4/30/2021

ଉଠରେ ଉଠରେ ଉତ୍କଳ ସନ୍ତାନ

ପ୍ରେମାନନ୍ଦ ବେହେରା
ବୀର ପ୍ରସବିନୀ   ଉତ୍କଳ ଜନନୀ
       ଝୁରୁଛି ଅତୀତ କୀର୍ତ୍ତି
ଆଜି ଅଭିଶପ୍ତା     ଚିର ବନ୍ଦନୀୟା
    ଲୁହରେ ଭିଜୁଛି ଆଖି ।।୧।।

ପାଇକ ବୀରର    ରଣସିଙ୍ଗା ବାଦ୍ୟ
        ଶୁଭୁନାହିଁ ଆଉ ଏବେ
ବାରବାଟୀ ଦୁର୍ଗ   ବୀର ଶୌର୍ଯ୍ୟ ଗାଥା
      ଧାରଣ କରିଛି ଗର୍ବେ ।।୨।।

କଳିଙ୍ଗ ଯୁଦ୍ଧର        କ୍ରୁର ବିଭୀଷିକା
        ଧଉଳି ପାହାଡ଼ ସାକ୍ଷୀ
ଚଣ୍ଡାଶୋକଙ୍କୁ ଯେ   ଧର୍ମାଶୋକ କଲା
    ସେହି ମୋ' ଉତ୍କଳ ମାଟି ।।୩।।

ଓଡ଼ିଆ ଭାଷାର     ସୁରକ୍ଷା କରିଲେ
          ଉତ୍କଳ ସନ୍ତାନଗଣ
ଜନନୀ ମୁହଁରେ    ହସ ଫୁଟାଇଲେ
    ରଖିଲେ ମାତା ସମ୍ମାନ ।।୪।।

ନବ ଚେତନାର     ବାରତା ବୁଣିଲେ
       ବିଦ୍ଵାନ ମନୀଷୀଗଣ
ସବୁଜ ଶ୍ୟାମଳା   ଫସଲ ଅମଳ
    କରିଲେ କୃଷକମାନ ।।୫।।

ହତ୍ୟା ବିଭୀଷିକା   ହୁଏ ପ୍ରତିଦିନ
     ଲୋଟେ ନିରୀହର ଶବ
ଦୁଷଣ ଶୋଷଣ   ପେଷଣ ଲାଞ୍ଚନା
   କରୁଛି ସଭ୍ୟମାନବ ।।୬।।

କଳକାରଖାନା      ଖଣିଜ ଖନନ
     ଅସୀମିତ ଯାନବାହନ
ପ୍ରଦୂଷିତ କରେ     ଏ ମାଟି ମାଆକୁ
   ଅସହ୍ୟ ହେଉଛି ଜୀବନ ।।୭।।

ବାତ୍ୟାର ପ୍ରକୋପ   ବନ୍ୟାର ତାଣ୍ଡବ
      ଓଡ଼ିଆର ଚିର ସହଚର
ଜଙ୍ଗଲ ଭୂମିର     ଅବକ୍ଷୟ ଯୋଗୁଁ
    ମରୁଡି ତ ଦୁଃଖକର ।।୮।।

ଦେଶ ନାରୀ ଜାତି   ନୁହେଁ ସୁରକ୍ଷିତ
         ଲମ୍ପଟର ବ୍ୟଭିଚାର
ସନ୍ତ୍ରାସବାଦର       କାୟା ବିସ୍ତାରିତ
    ଆତଙ୍କିତ ଏ ସଂସାର ।।୯।।

ମାତୃଭାଷା ଆମ   ହୋଇଛି ଦୁର୍ବଳା
        ଏକତା ନାହିଁ ଆମର
ମୋହ ମାୟା ତ୍ୟାଗ  ହେ ଭାଇଭଉଣୀ
    ମାଁ, ଭାଷା ସୁରକ୍ଷା କର ।।୧୦।।

ଉତ୍କଳର କୀର୍ତ୍ତି   ଉତ୍କଳ ଗୌରବ
     ନାହିଁ କିରେ ତୋର ମନେ
ଉଠ ଭାଇ ଉଠ    ନବୀନ ଆଲୋକ
    ଚାହିଁଛିରେ ପ୍ରତିକ୍ଷଣେ ।।୧୧।।


ଆଜି ତୁ କାହିଁକି     ସ୍ବାର୍ଥପର ହେଉ
       ଉତ୍କଳ ମାତା ସନ୍ତାନ
ଜାଗିଯାଆ ବାରେ   ଡାକୁଛି ଆତୁରେ
   ତୋ ଜନନୀ ଡାକ ଶୁଣ ।।୧୨।।

ମଣିଷ ଜୀବନ   ପାଇଅଛୁ ବୋଲି
      ଗର୍ବ ଅହମିକା ତେଜି
ସମାଜ କଲ୍ୟାଣେ  ପ୍ରାଣର ଉତ୍ସର୍ଗ
  କରିବାକୁ ହୁଅ ରାଜି ।।୧୩।।

ଉଠରେ ଉଠରେ   ଉତ୍କଳ ସନ୍ତାନ
     କର୍ମେ ହୁଅ ଆଗଭର
ଜାତି ନନ୍ଦିଘୋଷ   ଆଗକୁ ବଢ଼ାଇ
  ଟେକ ରଖ ମାତୃତ୍ବର ।।୧୪।।

ଜଗନ୍ନାଥ ଧାମ   ଏ ପୁଣ୍ୟ ଉତ୍କଳ
     ଜନନୀ ଜନମ ଭୂଇଁ
ଧର୍ମର ପଥରେ   ଅଗ୍ରସର ହେବା
  ସାହା ତ ଜଗତସାଇଁ ।।୧୫ ।।

★★★★★★★★★★★★
ସହକାରୀ ଶିକ୍ଷକ 
ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ
ପଦ୍ମପୁର , ବରଗଡ଼
ମୋ- ୯୪୩୮୨୯୨୩୧୩

★★★★★★★★★★★★

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।