
ଅଜୟ କୁମାର ମହାନ୍ତି
ଶ୍ରୀ ଶ୍ରୀ ରାଧା ବୃନ୍ଦାବନ ଚନ୍ଦ୍ରଙ୍କ ମଧୁର ଲୀଳା, ଅବ୍ୟକ୍ତ ପ୍ରେମର ଲୀଳା ମାଧୁର୍ଯ୍ୟ ମଣ୍ଡିତ, ପ୍ରେମରସ ପୂର୍ଣ୍ଣ, ଭାବୋଲ୍ଲାସ ଉଦ୍ବ୍ବେଳିତ ରସତତ୍ତ୍ୱ ସମ୍ବଳିତ ଲୀଳା।,ଯାହାକି ଗୋଲକ ଧାମରେ ମଧ୍ୟ ପ୍ରକଟିତ ହୋଇ ନ ଥିଲା।,ଦ୍ୱାପର ଯୁଗରେ ଲୀଳାମୟ ଶ୍ରୀ କୃଷ୍ଣଚନ୍ଦ୍ର ଧରାଧାମରେ ପ୍ରକଟିତ କରିଥିଲେ ।
"ଯଦା ଯଦା ହି ଧର୍ମସ୍ଯ ଗ୍ଲାନିର୍ଭବତି ଭାରତଃ
ଅଭ୍ଯୁଥାନ ମଧର୍ମସ୍ଯ ତଦାତ୍ମାନଂ ସୃଜାମ୍ଯହମ୍
ପରିତ୍ରାଣାୟ ସାଧୁନାଂ ବିନାଶାୟ ଶ୍ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।"
ଶ୍ରୀକୃଷ୍ଣ ସ୍ୱୟଂ ପୂର୍ଣ୍ଣ ବ୍ରହ୍ମ ଅଟନ୍ତି। ସେ ଧର୍ମ ସ୍ଥାପନ ପାଇଁ ଦୁଷ୍ଟ ଦମନାର୍ଥେ ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ। ସେ ନିଜର ସର୍ବ ଶକ୍ତିମାନତ୍ୱ ଏହି ଧରା ଧାମରେ ପ୍ରତିପାଦନ କରିଥିଲେ। ସେ ସକଳ କଳା ଅର୍ଥାତ୍ ଷୋଳ କଳାରେ ପୂର୍ଣ୍ଣ ଥିଲେ। ଏକାଧାରରେ ସେ ରସିକଶେଖର, ତାତ୍ତ୍ଵିକ, ସଂଗୀତକାର, ମିଷ୍ଟଭାଷୀ, ତ୍ରିବିକ୍ରମ, ନ୍ୟାୟ ଶୀଳ, ବିଚାରଶୀଳ, କୌତୁକ ମନା, କୁଶଳି, ସର୍ବଜ୍ଞାତା, ପଣ୍ଡିତ ଶେଖର, ଚକ୍ରଧାରୀ, ଧନୁର୍ଦ୍ଧାରୀ,ଅମାପ,ଶକ୍ତିମାନ,ଅଲୌକିକ ସୌନ୍ଦର୍ଯ୍ୟ ଶାଳୀ ଇତ୍ୟାଦି ବହୁ ଗୁଣର ଅଧିକାରୀ ଥିଲେ। ମୋହନ ବଂଶୀ ବାଦନ କରି ଯେକି ତ୍ରୀଭୁବନକୁ ମୋହିତ କରି ପାରୁଥିଲେ, ଯାହାଙ୍କ ଚରିତ୍ର ଓ ମହିମାକୁ ବ୍ରହ୍ମା, ଶଙ୍କର, ସୂର୍ଯ୍ୟ, ଇନ୍ଦ୍ର, ଚନ୍ଦ୍ର ଆଦି କେହି ବର୍ଣ୍ଣନା କରିବାକୁ ସକ୍ଷମ ନୁହନ୍ତି, ସେହି ଭଗବାନ ଶ୍ରୀକୃଷ୍ଣ ଭୂଲୋକରେ ବ୍ରଜଧାମରେ ପ୍ରେମମୟୀ ଶକ୍ତି ସ୍ଵରୂପିଣୀ ଶ୍ରୀରାଧାଙ୍କ ସହିତ ନିଜ ରସମୟ ପ୍ରେମର ପରାକାଷ୍ଠା ପ୍ରତିପାଦନ କରିଥିଲେ । ଶ୍ୟାମସୁନ୍ଦର ରାଧାରାଣୀଙ୍କ ସାନିଧ୍ୟ ନିମନ୍ତେ ସର୍ବଦା ଉତ୍କଣ୍ଠିତ। ରାଧା ରାଣୀଙ୍କ ସାଙ୍ଗରେ ମିଳନ ନିମନ୍ତେ ତାଙ୍କ ଅନ୍ତରରେ ଆଗ୍ରହ, ମନରେ ଲିପ୍ସା, ହୃଦୟରେ ଉତ୍କଣ୍ଠା, ପ୍ରାଣରେ ଆବେଗ ଥାଏ। ଅନ୍ୟ ପାର୍ଶ୍ଵରେ ପ୍ରେମମୟୀ ଶ୍ରୀରାଧା,ରମଣୀ ଶିରୋମଣି ରାଧା, ବୃଷଭାନୁ ରାଜନନ୍ଦିନୀ ରାଧା, କାହ୍ନୁ ମନ ମୋହିନୀ ରାଧା ମଧ୍ୟ ସର୍ବଦା ଶ୍ରୀକୃଷ୍ଣଙ୍କ ସାନିଧ୍ୟ କାମନା କରନ୍ତି। ଶ୍ରୀକୃଷ୍ଣଙ୍କ ଅନୁରାଗରେ ପ୍ରାଣ ଅସ୍ଥିର, ହୃଦୟ ଆକୁଳ, ଅଙ୍ଗେ ଅଙ୍ଗେ ପ୍ରକମ୍ପନ, ଲୋମେ ଲୋମେ ଶୀହରଣ ଏବଂ ନୟନ ଯୁଗଳରେ ଲୋତକ ପ୍ଳାବନ ବହିଯାଏ। ସେହି ଅବ୍ୟକ୍ତ ଲୀଳାକୁ ବର୍ଣ୍ଣନା କରିବାକୁ ମୁଁ ପ୍ରୟାସ ମାତ୍ର କରୁଛି । ଶ୍ରୀ ଶ୍ରୀ ରାଧା ବୃନ୍ଦାବନ ଚନ୍ଦ୍ର ମୋତେ ସହାୟ ହୁଅନ୍ତୁ ।
ଦିନେ ରାଧାରାଣୀ ରମଣୀ ଶିରୋମଣି ବୃଷଭାନୁ ରାଜନନ୍ଦିନୀ ଅଷ୍ଟସଖୀର ଶିରୋମଣି ଶ୍ରୀରାଧା କାଖରେ କୁମ୍ଭ ଧରି ଯମୁନା କୂଳକୁ ଜଳ ଆଣିବା ନିମନ୍ତେ ଯାଇଥିଲେ। ସେଠାରେ କେଳି କଦମ୍ବ ବୃକ୍ଷ ମୂଳରେ ସେ ନବୀନ ନୀରଦ ନବଘନ ଶ୍ୟାମସୁନ୍ଦରଙ୍କ ଅପରୂପ ଲାବଣ୍ୟ ଅବଲୋକନ କରି ବିମୁଗ୍ଧ ହୋଇ ପଡ଼ିଲେ। ସେହି ମୋହନ ନଟବର ଘନଶ୍ୟାମଙ୍କ ସାନ୍ନିଧ୍ୟ ଲାଭ ନିମନ୍ତେ ବ୍ୟାକୁଳ ହୋଇ ପଡ଼ିଲେ। କିନ୍ତୁ ଲୋକ ଲଜ୍ଜାର ଭୟ ହେତୁ ବ୍ୟଥିତ ହୃଦୟରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହେଲେ। ଘରେ ବସି ସେ ଶ୍ୟାମ ନାଗରଙ୍କ ରୂପକୁ ନିଜ ମନ ମଧ୍ୟରେ ଧ୍ୟାନ କରିବାକୁ ଲାଗିଲେ ବିମୁଗ୍ଧ ଅନ୍ତର ତାଙ୍କର ଶ୍ୟାମସୁନ୍ଦରଙ୍କ ବିରହରେ ବ୍ୟଥିତ ହେବାକୁ ଲାଗିଲା। ଭାବାବେଗରେ ଉଦ୍ବେଳିତ ହୋଇ ଦୁଇ ନୟନରୁ ଶ୍ରାବଣର ବାରିଧାରା ପରି ଅଶ୍ରୁ ଜଳ ବହିବାକୁ ଲାଗିଲା । ବିଦଗ୍ଧ ପ୍ରାଣା ମାନମୟୀ ଶ୍ରୀମତୀ ରାଧିକା ଅସ୍ଥିର ମନରେ ବ୍ୟାକୁଳ ହୃଦୟରେ ନିଜ ପ୍ରିୟ ସଖୀ ଲଳିତାଙ୍କୁ ଶ୍ୟାମ ସୁନ୍ଦରଙ୍କ ରୂପ ସୁଧା ବର୍ଣ୍ଣନା କରିବାକୁ ଲାଗିଲେ।
ଲଳିତେ, କେମିତି ଢଙ୍ଗରେ କେଉଁ ମୁଁ ଶ୍ୟାମବନ୍ଧୁଙ୍କ ରୂପର ମାଧୁର୍ଯ୍ୟ ବର୍ଣ୍ଣନା କରିବି ମୁଁ ନିଜେ ବି ଜାଣି ପାରୁନି। ସେହି ଭୁବନ ମୋହନ ରୂପ ଶୋଭା ବର୍ଣ୍ଣନା କରିବା ପାଇଁ ମୋତେ ହୁଏ ତ ଏ ଜନ୍ମ ଅଣ୍ଟିବ ନାହିଁ। ତେବେ ମୋର ସାଧ୍ୟ ଅନୁସାରେ ଯାହା ବର୍ଣ୍ଣନା କରୁଛି ଶୁଣ ।
(ଶ୍ୟାମ ରୂପ)
ନିପମୂଳେ ନୀଳ ରୂପ ଶୋଭିତ।
ଶ୍ୟାମ ଶୀରେ ଶିଖି ଚନ୍ଦ୍ରିକା
ମାଳତୀ ମଲ୍ଲୀ ମଣ୍ଡିତ।
ବେଢ଼ି ଭ୍ରମର ଗଣ ରାବନ୍ତି
ଭ୍ରମର ଗୁଣୁ ଗୁଣୁ କରେ
ଚୂଡ଼ାର ଚାରି ପାଶେ ଘେରେ।
ନୟନ ଦୁଇ ଚକୋର ସମ ଝୁରେ
ଆକୁଳ ମୁଁ କୂଳ ପାଏ ନାହିଁ।
କୁଳ ଶୀଳ ମାନ ସବୁତ ଗଲା
ଖାଲି ପ୍ରାଣ ଅଛି ବାକି।
ଶ୍ୟାମ ରୂପ ନିରେଖି ସଖୀ
ମଜ୍ଜିଲା ତହିଁରେ ମନ ମାନସ
ଚିତ୍ତ ମୋର ଧୈଇର୍ଯ୍ୟ ଧରେ ନାହିଁ।
ଆରାଧ୍ୟା ଶ୍ରୀମତୀ ଶ୍ରୀରାଧାଙ୍କ ଶ୍ରୀମୁଖରୁ ଶ୍ୟାମ ନବଘନ ରସିକ ଶେଖରଙ୍କ ରୂପ ବର୍ଣ୍ଣନା ଶ୍ରବଣ କରି ଆହୁରି ଅଧିକ ତାଙ୍କର ରୂପ ମାଧୁର୍ଯ୍ୟ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରି ଶ୍ରୀମତୀ ଲଳିତା ରାଧାରାଣୀଙ୍କୁ ତାଙ୍କ ରୂପ ପୁନଶ୍ଚ ସବିସ୍ତାରେ ବର୍ଣ୍ଣନା କରିବାକୁ ଅନୁରୋଧ କଲେ l ଭାବାବେଗରେ ଉଦ୍ବେଳିତ ହୋଇ ରାଧାରାଣୀ ସେହି ଶ୍ୟାମ ସୁନ୍ଦରଙ୍କ ରୂପ ମାଧୁରୀ ପୁନଶ୍ଚ ବଖାଣ କରିବାକୁ ଲାଗିଲେ ।
ଶ୍ୟାମରାୟ ଗୋ ସଖୀ ସେ ଶ୍ୟାମ ରାୟ
ତ୍ରୀଭଙ୍ଗ ଭଙ୍ଗୀରେ ଶୋଭା କଦମ୍ବ ତଳାୟ।
ଚୁର୍ଣ୍ଣ କୁନ୍ତଳରେ ଚୂଡ଼ା ମଲ୍ଲୀ ମାଳତୀରେ ବେଢ଼ା
ମୟୂର ଚନ୍ଦ୍ରିକା ତାର ବାମେ ଶୋଭା ପାଏ।
କପୋଳେ ଚନ୍ଦନ ବିନ୍ଦୁ ନିନ୍ଦେ ଶତ ଶତ ଇନ୍ଦୁ
ଆକାଶରୁ ଚନ୍ଦ୍ରମା କି ଭୁମେ ଲୋଟି ଯାଏ।
କର୍ଣ୍ଣରେ କୁଣ୍ଡଳ ସାଜେ କୋଟି ରବି ତେଜ ଗଞ୍ଜେ
ଅଧରେ ବାଜେ ମୂରଲୀ ରାଧା ରାଧା ଗାଏ।
ବର୍ଣ୍ଣରେ ଚିକ୍କଣ କଳା ଗଳେ ଝୁଲେ ବନମାଳା
କଳାମେଘେ ଦିଶେ ବକପଂକ୍ତିର ପରାଏ।
କଟିରେ ସାଜେ କିଙ୍କିଣି ନାରୀଙ୍କ ମନ ନିଏ କିଣି
ନବୀନ ମେଘେ ଇନ୍ଦ୍ରଧନୁ ପରି ଶୋଭା ପାଏ।
ଚରଣେ ସାଜେ ନୂପୁର ବାଜେ ମଧୁର ମଧୁର
ବାଙ୍କ ଚାହାଁଣିରେ ସର୍ବ ମନକୁ ଭୁଲାଏ।
ରାଧାରାଣୀଙ୍କ ଶ୍ରୀମୁଖରୁ ଶ୍ୟାମ ନବଘନ ରସିକଶେଖରଙ୍କ ରୂପ ବର୍ଣ୍ଣନା ଶ୍ରବଣ କରି ବିମୁଗ୍ଧ ହୋଇ ତାଙ୍କର ପ୍ରିୟ ସଖୀ ଲଳିତା ଶ୍ରୀରାଧିକାଙ୍କୁ ପଚାରିଲେ - "ମାନମୟୀ ରାଧେ, ତୁମେ ଏକାକିନୀ କାହିଁକି ଯେ ଯମୁନାକୁ ଜଳ ଆଣିବାକୁ ଯାଇଥିଲ ସେକଥା ମୁଁ ଆଦୌ ବୁଝି ପାରୁନି। ତୁମେ କଣ ଆମକୁ ଭୁଲି ଗଲ ! ଆମେ ଷୋହଳ ସହସ୍ର ଗୋପ ନାରୀ ତୁମରି ସେବାରେ ପରା ନିଜକୁ ଉତ୍ସର୍ଗ କରି ଦେଇଛୁ। ତା'ଛଡ଼ା ଆମେ ତୁମର ପ୍ରିୟ ଅଷ୍ଟ ସଖୀ ମୁଁ, ବିଶାଖା ଚିତ୍ରା ଚମ୍ପକ ଲତା ତୁଙ୍ଗବିଦ୍ୟା ଇନ୍ଦୁରେଖା ସୁବେଦୀ ରଙ୍ଗବେଦୀ କ'ଣ ମରି ଯାଇଥିଲୁ ! ଆମେ ପରା ଜନ୍ମ ଜନ୍ମାନ୍ତରେ ତୁମରି ଦାସୀ ହୋଇ ଶ୍ରୀଚରଣେ ଖଟିବାକୁ ଜନ୍ମ ନେଇଛୁ।" ଶ୍ରୀରାଧା ଲଳିତାଙ୍କର ଏପରି କଥା ଶୁଣି ନିଜ କାନରେ ହାତ ଦେଇ ଦେଲେ। ଲଳିତାଙ୍କୁ ପ୍ରବୋଧନା ଦେବାକୁ ଯାଇ କହିଲେ - "ପ୍ରିୟ ସଖୀ ଲଳିତା , ତୁମେ ଏମିତି କଥା ଭାବିପାରିଲ କେମିତି ? ତୁମେ ଯେ ପ୍ରାଣର ପ୍ରାଣ । ତୁମେ ତ ଜାଣ ଶାଶୂ ନଣନ୍ଦଙ୍କ ଗଞ୍ଜଣା ମୋତେ କେତେ ସହିବାକୁ ହୁଏ । ତେଣୁ ବାଧ୍ୟ ହୋଇ ମୋତେ ଶାଶୂଙ୍କ ନିର୍ଦ୍ଦେଶରେ ଏକାକୀ ଜଳ ଆଣିବାକୁ ଯିବାକୁ ହେଲା । କ'ଣ କରିଥା'ନ୍ତି କହିଲ, ସେତେବେଳେ ମୁଁ ତୁମ ମାନଙ୍କର ଅନ୍ୱେଷଣ କରିଥିଲି ମାତ୍ର କାହାକୁ ପାଇ ନଥିଲି ।
(ରୂପ ଅନୁରାଗ)
କାହିଁକି ସଖୀ ମୁଁ ଗଲି ଯମୁନାର କୂଳେ
ସେ ନନ୍ଦ ନନ୍ଦନ ଫାନ୍ଦି ଥିଲା ରୂପେ ଫାନ୍ଦ
ବ୍ୟାଧ ପରି କଦମ୍ବ ଗଛର ତଳେ ।।
ସୁଧା ଯୁକ୍ତ ହାସ୍ୟ ଛଟା ଚାର ରୂପେ ଥୋଇ
ଅପୂର୍ବ ଲାବଣ୍ୟ ଶୋଭା ମନ ନିଏ ମୋହି
ଆଖି ପକ୍ଷୀ ପଡ଼ି ଜାଲେ।।
ସେ ନୀଳ ପଦ୍ମରୁ ସୁଧା ପାନ ଆଶେ
ମନର ମୃଗୁଣୀ ଜାଲେ ପଡ଼ିଲା କ ଶେଷେ
ଶୂନ୍ୟ ଦେହ ପଞ୍ଜୁରୀ ସେକାଳେ।।
ଗର୍ବର କାରାକକ୍ଷେ ବନ୍ଦୀ ରହେ ଦିବାରାତ୍ରି
କ୍ଷିପ୍ତ ହେଲା କଟାକ୍ଷ ଅଙ୍କୁଶେ ମତ୍ତ ହାତୀ
ଦମ୍ଭର ଶିକୁଳି କାଟି ଚାରି ଦିଗେ ଯାଏ ଛୁଟି
କେଉଁ ଦେଶେ ପଳାଏ ସେକାଳେ।।
ସୁନାର ଭଣ୍ଡାର ଲଜ୍ଜା ଗୌରବ ତା ସିଂ ହଦ୍ୱାର
ଧରମ କବାଟ ବଂଶୀ ଭାଙ୍ଗି ଦେଲା ସେହି ଦ୍ୱାର
ବଂଶୀ ରବ ବଜ୍ରାଘାତେ ପଡ଼ିଲି ମୁଁ ଅକସ୍ମାତେ
ଭୂଇଁ ସମ ହୋଇଲି ସେକାଳେ।।
କାଳିଆ କୁଟିଳ ବାଣେ ଗଲା କୁଳ କେଉଁ ସ୍ଥାନେ
ତା' ବିନୁ ଲାଗେନା ଭଲ ନାଚେ ସେ ମୋ ନୟନେ
କିପରି ଦେଖିବି ତାକୁ ଡୋଳେ।।
ପ୍ରିୟ ସଖୀ ଲଳିତାଙ୍କ ନିକଟରେ ଶ୍ରୀମତୀ ରାଧାରାଣୀ ନିଜର ଭାବାବେଗ ପ୍ରକାଶ କରୁଥିବା ବେଳେ ବୃନ୍ଦାବନର ନିକୁଞ୍ଜ କାନନରୁ ଶ୍ୟାମ ନାଗର ରସ ଶେଖର ଶ୍ରୀ କୃଷ୍ଣଚନ୍ଦ୍ରଙ୍କ ମୋହନ ବଂଶୀର ମଧୁର ସ୍ୱର ରାଧା ରାଧା ବୋଲି ଶୃତି ପଟରେ ମଧୁର ଗୁଞ୍ଜନ ସୃଷ୍ଟି କଲା। ସେହି ମଧୁର ବଂଶୀ ସ୍ୱର ଶୁଣି ରାଧାରାଣୀ ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ।
(ବଂଶୀ ଧ୍ୱନି)
ସଖୀ ସଙ୍ଗେ ରୂପ ଶୋଭା ବର୍ଣ୍ଣିବା ସମୟେ
ରାଧା ନାମ ଧରି ବଂଶୀ ଡାକେ ଶ୍ୟାମ ରାୟ।
( ବଂଶୀକୁ ସମ୍ବୋଧନ କରି ରାଧା କହୁଛନ୍ତି )
ଆଉ ବାଜନା ବାଜନା ବଂଶୀ ନୀରବରେ ରହ
ଅଚିରେ ଯିବି ମୁଁ କୁଞ୍ଜେ
କ୍ଷଣେ ତୁହି ରହ।
( ବଂଶୀ ପ୍ରତି ରାଧାଙ୍କ ଆକ୍ଷେପ )
ବାଜନା ବାଜନା ଆରେ ମୋହନ ବଂଶୀ ବାଜନା ବାଜନା।।
ବଂଶୀ ତୁହି ଆଉ ବାଜନା ବାଜନା ବାଜନା ଆଉ ବାଜନା
ବଂଶୀ ତୁହି ଆଉ ବାଜନା
ତୋର ଏହି ମଧୁର ସ୍ୱରେ
ଧୈର୍ଯ୍ୟ ଧରି ରହି ପାରେନା।।
ଯେତେବେଳେ ଗୁରୁଜନ ପାଶେ ଥାଏ ବସି
ସେତେବେଳେ ମୋ ନାମ ଧରି ବାଜି ଉଠୁରେ ବଂଶୀ
ସବୁବେଳେ ଖାଲି ରାଧା ରାଧା
ରାଧା ଛଡ଼ା କି ତୁ କିଛି ଜାଣୁନା।।
ବଂଶୀ ତୋର ପାଦ ଧରୁଛି
ଆଉ ପାରୁନାହିଁ ମୁରୁଛି
ମୁହିଁ ଅବଳା ମୋତେ ନ ବଳା
ଅବଳା ପ୍ରାଣ ମୋ' ଆଉ ସହେନା।।
ଶ୍ୟାମ ନାଗରଙ୍କ ବେଣୁସ୍ୱନରେ ଆକର୍ଷିତ ହୋଇ ରାଧାରାଣୀ ସେ ରସିକ ଶେଖରଙ୍କୁ ନିଭୃତରେ ସାକ୍ଷାତ କରିବା ନିମନ୍ତେ ଅଧୀର ହୋଇ ପଡ଼ିଲେ।
(ଯଶା)
ଶ୍ୟାମ ବେଣୁ ସ୍ୱନ ଶୁଣି ପାଗଳିନୀ ରାଧା ରାଣୀ
ଶ୍ୟାମ ଦରଶନେ ରସବତୀ
କିଏ ଯିବ ସାଥେ ମୋର ଫୁଲଧନୁ ହାତେ ଧର
ଭେଟିବାକୁ ଗୋକୁଳର ପତି।।
ଲଳିତା କୁହନ୍ତି ରାଧେ ସଜାଇବୁ ନାନା ରଙ୍ଗେ
ଯିବା କଥା ଅଛି ମୁହିଁ ଜାଣି
ଆମ୍ଭେମାନେ ସର୍ବେ ଯିବୁ ସେବାରେ ପ୍ରସ୍ତୁତ ହେବୁ
ଏକଲା କାହିଁକି ଯିବ ଧନୀ ।।
ଅଭିସାର ବେଶ
ଆଭରଣ ପେଡ଼ି ଆଣି ବେଶ କଲେ ବିନୋଦିନୀ
ସହଚରୀ ଯୋଗାଡ଼ କରଇ
ସୁନାର ଚିରୁଣି ଆଣି ବାନ୍ଧି ଦିଏ ରାଧା ବେଣୀ
ମଲ୍ଲୀ ମାଳତୀର ଜୁଡ଼ା ଦେଇ।।
ଆଭରଣ ଯାହା ଥିଲା ପିନ୍ଧାଇଲେ ସଖୀଗଣ
ହରଷ ମନରେ କଲେ ବିଜେ
ଶ୍ୟାମ ଦର୍ଶନ ଆଶେ ଚାଲେ ଧିରେ ବ୍ରଜ ପଥେ
ଚନ୍ଦମା କି ଭୂଇଁ ପରେ ସାଜେ।।
ରାଧାରାଣୀ ରମଣୀ ଶିରୋମଣି ସମସ୍ତ ସଖୀମାନଙ୍କୁ ନେଇ, ସମସ୍ତ ଗୋପାଙ୍ଗନା ମାନଙ୍କୁ ସାଙ୍ଗରେ ଧରି ମତ୍ତହସ୍ତି ପ୍ରାୟ ବାହୁ ଯୁଗଳକୁ ଶୁଣ୍ଢ ପ୍ରାୟ ହଲାଇ ହଲାଇ ଶ୍ୟାମ ନାଗରଙ୍କ ଅନ୍ୱେଷଣରେ ବୃନ୍ଦାବନର ନିକୁଞ୍ଜ କାନନ ଅଭିମୁଖେ ବ୍ରଜ ଦାଣ୍ଡରେ ହଲି ଦୋହଲି ଢଳି ଢଳି ଚାଲିଥାନ୍ତି। ଆହା, ସେ ଅପୂର୍ବ ଶୋଭାକୁ ବର୍ଣ୍ଣନା କରିବାକୁ ମୁଁ କଣ ସକ୍ଷମ ହେବି l ଷୋହଳ ସହସ୍ର ଗୋପାଙ୍ଗନାଙ୍କ ମଧ୍ୟରେ ଭୁବନ ମୋହିନୀ ଅପୂର୍ବ ସୌନ୍ଦର୍ଯ୍ୟମୟୀ ରମଣୀ ଶିରୋମଣି ବୃଷଭାନୁ ରାଜନନ୍ଦିନୀ ଅଷ୍ଟସଖୀର ଶିରୋମଣି ଶ୍ରୀମତୀ ରାଧିକା ବ୍ରଜଦାଣ୍ଡରେ ବୃନ୍ଦାବନ ଅଭିମୁଖେ ଗମନ କରୁଥାନ୍ତି। ପ୍ରତୀୟମାନ ହେଉଥାଏ ଆକାଶର ଚନ୍ଦ୍ରମା ନଭ ପରିତ୍ୟାଗ କରି ତାରକାମାନଙ୍କ ଗହଣରେ ଭୂମି ଉପରେ ଚାଲି ଯାଉଛନ୍ତି। ସର୍ବ ସଖୀମାନେ ବିବିଧ ବାଦ୍ୟ ଯନ୍ତ୍ର ହାତରେ ଧରି ପଞ୍ଚମ ସ୍ୱରରେ ସୁଲଳିତ ସଙ୍ଗୀତ ଗାନ କରୁଥାନ୍ତି ଏବଂ ତାର ମଧ୍ୟ ଭାଗରେ ରାଧାରାଣୀ ଅପୂର୍ବ ଭଙ୍ଗୀରେ ନୃତ୍ୟ କରି ଚାଲିଥାନ୍ତି। ଯୁଗଳ ସେବା କରିବା ନିମନ୍ତେ ଅଷ୍ଟସଖୀମାନେ ଚାମର ବ୍ୟଜନ ସହିତ ସୁଗନ୍ଧ ପୁଷ୍ପ ଚନ୍ଦନ ସୁବାସିତ ଜଳ କର୍ପୂର ତାମ୍ବୁଳ ଇତ୍ୟାଦି ସଯତନରେ ନେଇ ସାଙ୍ଗରେ ଚାଲିଥା'ନ୍ତି ।
ଅଭିସାର
ନାନା ଯନ୍ତ୍ର ହାତେ ସଖିର ସହିତେ
ସୁସ୍ୱରେ ପଞ୍ଚମ ଗାଏ
ତା' ମଝିରେ ଧନୀ ହେମ ବରଣୀ
ନାଚି ନାଚି ଚାଲିଯାଏ।।
ଚାମର ବ୍ୟଜନ ନେଲେ ସଖିଗଣ
ସୁଗନ୍ଧ ପୁଷ୍ପର ମାଳା
କର୍ପୁର ତାମ୍ବୁଳ ସୁବାସିତ ଜଳ
ନେଲେ ସର୍ବ ବ୍ରଜ ବାଳା।।
କୁଞ୍ଜ ଗମନର ଅପରୂପ ଶୋଭା ବର୍ଣ୍ଣନା କରିବା ମୋ ପରି ଅକିଞ୍ଚନ ମୁଢ଼ମତି ପକ୍ଷରେ କିପରି ସମ୍ଭବ ହେବ। ବ୍ରଜ ବଜାରରେ ଆଜି ମଧୁମୟ ବସନ୍ତ ବିରାଜମାନ କରିଛି ଶ୍ରୀମତୀ ରାଧାରାଣୀଙ୍କ ଦର୍ଶନର ଆକାଂକ୍ଷା ନେଇ। ମୃଦୁ ମଳୟ ହିଲ୍ଲୋଳ ଖେଳି ଯାଇଛି ସମଗ୍ର ଗୋପ ନଗରରେ ।
ନୂଆ ନୂଆ ଲାଗେ ହୃଦୟର ସ୍ୱର ଶ୍ୟାମ ଦରଶନ ପାଇଁ
ନିନ୍ଦା ଅପବାଦ ସବୁ ମୁଁ ସହିବି
ତୁମ ପ୍ରେମେ ଝାସ ଦେଇ
ଶ୍ୟାମ ବନ୍ଧୁ, ତୁମ ପ୍ରେମେ ଝାସ ଦେଇ।।
ବସନ୍ତ ରାଗିଣୀ ତା ବଂଶୀର ସ୍ୱରେ
ଆହା କି ସୁନ୍ଦର ତନୁ ମନ ହରେ
ଜୋଛନାରୁ ଝରେ ଫୁଲର ବାସନା ପରାଣ ନେଉଛି ମୋହି।।
କର୍ପୂର ଚନ୍ଦନ ସୁବାସିତ ବାରି
ଅପରୂପ ଗନ୍ଧ ଚନ୍ଦନରେ ଗୋଳି
ଯତନେ ସଜାଇ ରଖିଛୁ ତାହାକୁ
ଆସ ଶ୍ୟାମବନ୍ଧୁ କୁଞ୍ଜକୁ ମୋହର
ଡେରି ଆଉ ନୁହେଁ ସହି
ଶ୍ୟାମ ବନ୍ଧୁ ଡେରି ଆଉ ନୁହେଁ ସହି।।
ସମସ୍ତ ପଶୁପକ୍ଷୀ କୀଟ ପତଙ୍ଗ ସ୍ଥାବର ଜଙ୍ଗମ ସମସ୍ତେ ନିର୍ନିମେଷ ନୟନରେ ଚାରୁ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଦୃଶ୍ୟକୁ ନିରୀକ୍ଷଣ କରୁଥାନ୍ତି। ଶ୍ରୀରାଧାଙ୍କ ଜୟ ଧ୍ୱନିରେ ସମଗ୍ର ବ୍ରଜ ଭୂମି ଉଛୁଳି ପଡୁଥାଏ ।
କୁଞ୍ଜ ବିଜୟ
ରାଧାରାଣୀ ରମଣୀ ରଙ୍ଗିଣୀ ଧରି ସାଥେ
ଶ୍ୟାମ ନାମେ ଜୟ ଦେଇ ଚଳନ୍ତି ରାଜପଥେ।
ଲଳିତା ବିଶାଖା ଦୁହେଁ ଆଗେ ଚାଲିଥାନ୍ତି
ଚିତ୍ରା ଚମ୍ପକ ଲତା ଚାମର ଢୁଳାନ୍ତି।।
ତୁଙ୍ଗବିଦ୍ୟା ଇନ୍ଦୁରେଖା ଚନ୍ଦନ ଧରିଣ
ସମୟ ଦେଖି ରାଇ ଅଙ୍ଗେ କରନ୍ତି ଲେପନ।
ରାଇ ପଚାରନ୍ତି କେତେ ଦୂରେ ବୃନ୍ଦାବନ
ସଖୀଏ କହନ୍ତି ହେଇ ବଂଶୀ ବାଜେ ଶୁଣ।
ବୃନ୍ଦବନେ ପ୍ରବେଶିଲେ ରସର ମଞ୍ଜରୀ
ଉନ୍ମତ୍ତ ହୋଇଲେ ତାହା ଦେଖି ଶୁକ ଶାରୀ।।
ଶ୍ୟାମ ଅନ୍ୱେଷଣ
ବୃନ୍ଦବନେ ପ୍ରବେଶିଣ ଚାରି ଦିଗେ ଚାହେଁ
(ହଠାତ୍ ଶ୍ୟାମ ବନ୍ଧୁଙ୍କ ଦର୍ଶନ ନ ପାଇ ସେ ବିଳାପ କରିବାକୁ ଲାଗିଲେ। )
ରାଧା ବିଳାପ
କାହିଁ ଗୋ ବନ୍ଧୁ କାହିଁ ଗୋ
କେଉଁ ଦିଗେ ଭେଟିବି ଶ୍ୟାମେ ଦିଅ ମୋତେ କହି।
ଏହି ସେ ନିକୁଞ୍ଜ ସ୍ଥାନ ପ୍ରାଣବନ୍ଧୁ କାହିଁ।
କହି ଦିଅ ସଖି କହିଦିଅ
କେଉଁଠି ଅଛନ୍ତି ବନ୍ଧୁ
କହିଦିଅ ମୋତେ କହିଦିଅ ।
ଏ ନୟନେ କିବା ଲୋଡ଼ା
ନ ଦେଖିଲେ ସେହି ବାଙ୍କଚୂଡ଼ା
ସେ ଆଖିରେ କିବା ପ୍ରୟୋଜନ ଗୋ।।
ଅନ୍ଧ ହୋଇବା ହୁଅନ୍ତା ଭଲ
ଯଦି ଶ୍ୟାମ ରୂପ ନ ଦେଖିଲ।।
କାହାନ୍ତି ମୋ ପ୍ରାଣେଶ୍ୱର ନବଘନ ଶ୍ୟାମ ଗୋ
କାହାନ୍ତି ମୋ ପ୍ରାଣାଧିକ ବରଜ ମଣ୍ଡନ ଗୋ।
କାହାନ୍ତି ମୋ ପ୍ରାଣ ବଲ୍ଲଭ ନନ୍ଦର ନନ୍ଦନ ଗୋ
କାହାନ୍ତି ମୋ ଜୀବନ ଧନ ମଦନ ମୋହନ ଗୋ।।
କହି ଦିଅ ସଖି କହିଦିଅ ଗୋ
ମାଧବୀ ବୃକ୍ଷର ମୂଳେ ଦେଖେ ଶ୍ୟାମ ରାୟ ଗୋ।
ବୃନ୍ଦବନେ ପ୍ରବେଶିଣ ଚାରି ଦିଗେ ଚାହେଁ
ମାଧବୀ ବୃକ୍ଷର ମୂଳେ ଦେଖେ ଶ୍ୟାମରାୟ।।
ନୂପୁର ନିକ୍ୱଣ ଶବ୍ଦ ରୁଣୁ ଝୁଣୁ ଶୁଣି
ନାଗର ଜାଣିଲେ ଆସିଲେଣି ରାଧାରାଣୀ।
ଆସ ଆସ ବିନୋଦିନୀ ମୋ ଜୀବନ ରାଧା
ଦରଶନେ ଦୂରେ ଯାଉ ମନେ ଯେତେ ବାଧା।।
ହସି ହସି ରାଇଧନୀ ବସିଗଲେ ବାମେ
ମଧୁର ବଚନ କହି ସମ୍ଭାଷିଣ ପ୍ରେମେ।।
କେମିତି ଆସିଲ ପ୍ରିୟେ ଗହନ କାନନେ
ଫୁଲର କଣ୍ଟା କି ଫୁଟିଛି ଚରଣେ।।
ପିତ ବସନରେ ଶ୍ୟାମ ଶ୍ରୀଚରଣ ଝାଡ଼େ
ଲଳିତା ମୁରୁକି ହସେ କୁଞ୍ଜ ଲତା କଡ଼େ।
ଯମୁନାରୁ ଜଳ ଆଣି ଚରଣ ଧୋଇଲେ
ପିତ ବସନରେ ଶ୍ରୀଚରଣ ପୋଛି ପାଛି ଦେଲେ।।
ଚୂଡ଼ାର ଫୁଲ ଛିଡ଼ାଇ ଦୁଇ ହାତେ ନେଲେ
ନମଃ ପ୍ରେମମୟୀ କହି ଚରଣରେ ଦେଲେ।
(ଦେହି ପଦ ପଲ୍ଲବ ମୁଦାରଂ, ଏକଥା ଜୟ ଦେବଙ୍କ ଗ୍ରନ୍ଥରେ ପ୍ରମାଣ ସ୍ୱରୂପ ରହିଛି।)
ଛିଡ଼ା ହୋଇ ପ୍ରେମେ ହାତ ଧରା ଧରି
ଡାଳେ ଆନନ୍ଦିତ ହେଲେ ଦେଖି ଶୁକ ଶାରୀ।।
(ଶୁକ ସାରୀ ମୟୂର ମୟୂରୀଙ୍କ ଯୁଗଳ ରୂପ ଦର୍ଶନ )
ଏମିତି ଯୁଗଳ ଥାଉ
ଯୁଗଳ ରୂପ ଭାଙ୍ଗନାରେ।
ଭ୍ରମର ଡାକେ ଶୁଣୁ ଶୁଣୁ ଭ୍ରମରୀ
ଗାନ କର ତୁ ଗୁଣୁ ଗୁଣୁ କରି।
ମୟୂର କହେ ଶୁଣୁ ଶୁଣୁ ମୟୂରୀ
ନାଚ ତୁ ଆନନ୍ଦେ ମୁଁ ଦର୍ଶନ କରି।।
ଧରାଧରି ହେଲେ ଦୁହେଁ ଯୁଗଳ ରୂପରେ
ଦେଖି ତାହା ନୟନୁ ମୋ ଲୋତକ ଯେ ଝରେ।।
ଯୁଗଳ ମିଳନ
(ବୃନ୍ଦାବନର ନିକୁଞ୍ଜ କାନନରେ ରାହାସ ବେଦୀରେ ରତ୍ନ ସିଂହାସନରେ ରାଧାକୃଷ୍ଣଙ୍କର ଅପୂର୍ବ ଯୁଗଳ ମିଳନ ଉତ୍ସବ ଅନୁଷ୍ଠିତ ହେଲା। ଦୁଇ ଶରୀର ଓ ଆତ୍ମା ଏକାକାର ହୋଇ ମଧୁର ଲୀଳା ରଚନା କଲେ। ସେହି ରାଧା ବୃନ୍ଦାବନ ଚନ୍ଦ୍ରଙ୍କ ମଧୁମୟ ମାଧୁର୍ଯ୍ୟ ପୂର୍ଣ୍ଣ ମିଳନ ଅବଲୋକନ କରି ସମ୍ପୂର୍ଣ୍ଣ ରାସସ୍ଥଳୀ ଆନନ୍ଦ ମୁଖରିତ ହୋଇ ଉଠିଲା। ସର୍ବ ସଖୀମାନେ ଗୋପାଙ୍ଗନା ମାନେ ଆନନ୍ଦରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବାକୁ ଲାଗିଲେ।ବିଚିତ୍ର ପରିବେଶରେ ଅନୁଭବ କଲେ ସର୍ବ ଗୋପାଙ୍ଗନାଙ୍କ ସହିତ ଜଣେ ଜଣେ କୃଷ୍ଣ। ଏ ଦିବ୍ୟ ସୌନ୍ଦର୍ଯ୍ୟ ଦର୍ଶନ କରି ଆକାଶରୁ ଦେବଗଣ ପୁଷ୍ପ ବର୍ଷଣ କରିବାକୁ ଲାଗିଲେ। ଆନନ୍ଦ ଉଲ୍ଲାସର ସହିତ ସମସ୍ତ ସଖିଗଣ ଗାନ କରି ବାକୁ ଲାଗିଲେ। )
ଯୁଗଳ ମିଳନ କିର୍ତ୍ତନ
କିବା ଶୋଭାରେ ମଧୁର ବୃନ୍ଦବନେ
ରାଧା ଶ୍ୟାମ ବିରାଜିତ ରତନ ସିଂହାସନେ।।
ଶ୍ୟାମ ଶୀରେ ସାଜେ ମୟୂର ଚନ୍ଦ୍ରିକା
ରାଧା ଶୀରେ ବେଣୀ ସାଜେ
ଶ୍ୟାମ ଗଳେ ବନମାଳା ଯେ ଶୋଭିତ
ରାଇ ଗଳେ ମୋତି ସାଜେ।।
ଶ୍ରୀ ବୃନ୍ଦବନେ ନିକୁଞ୍ଜ କାନନେ
କିଶୋର କିଶୋରୀ ବିରାଜେ
ବିନୋଦ ଅଧରେ ମୋହନ ମୂରଲୀ ଆହା ରାଧା ରାଧା ବୋଲି ବାଜେ।।
ଶୁକ ପିକ ଶାରୀ ମୟୂର ମୟୂରୀ
ରାଧେଶ୍ୟାମ ରାଧେଶ୍ୟାମ ଭଜେ ।।
ସୁନ୍ଦର ଚରଣେ ସୁନ୍ଦର ନୂପୁର
ରୁଣୁ ଝୁଣୁ ରୁଣୁ ଝୁଣୁ ବାଜେ
ରତନ ସିଂହାସନେ ଯୁଗଳ ମୂରତି
ଆହା କି ସୁନ୍ଦର ସାଜେ।।
ହରିପୁର, କବିରପୁର ,ଯାଜପୁର।
ପିନ୍ 755009
ମୋ 9437564160
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।