ମନୋରମା ବିଶ୍ବାଳ
ସାହିତ୍ୟ ମନ୍ଥନ
ହୋଇବ ଅପୂର୍ଣ୍ଣ
ଯେତେ ଲେଖି , ପଢି ଥୋଉଥା' ।
ରାମାୟଣ , ମହାଭାରତ ସାଙ୍ଗକୁ
ଭାଗବତ ଚିନ୍ତା କରୁଥା' ।।
ଯେତେ ରଚୁଥିଲେ
ସରେନା ସାହିତ୍ୟ
ଅସରନ୍ତି ତା'ର ଭଣ୍ଡାର ।
ମା' , ସରସ୍ଵତୀ କୃପା ଲଭି ଥିଲେ
ମିଳେ କିଛି କିଛି ମାତର ।।
ଯେତେ ସାହିତ୍ୟିକ , କବି ଓ ଭାବୁକ
ପାଆନ୍ତି ମା'ର କରୁଣା ।
ବିତାନ୍ତି ଜୀବନ ଭାଷା ସଂଯୋଜନ
ରହୁଥାଏ କିଛି ଅଜଣା ।।
ଯେତେ ଯେତେ କଥା ସାହିତ୍ୟ ବାରତା
ବାଣ୍ଟୁ ଥିଲେ ଏହି ସୃଷ୍ଟିକୁ ।
ବାକି ରହୁଥାଏ ପୁରାଣ କଥାଏ
ଜାଣିବାକୁ ଛୁଏଁ ମନକୁ ।।
ଅଳ୍ପାୟୁ ଜୀବନ ପବନ ଚକ୍ରଟି
କେତେବେଳେ ଯିବ ଅଟକି ।
ଆଖି ଥାଉ ଥାଉ ହାତ ଚାଲୁ ଚାଲୁ
ପୁରାଣରେ ଥାଅ ଲଟକି ।।
ଓଡ଼ିଆ ମାଟିର ପୁରାଣ ସାହିତ୍ୟ
ଆତ୍ମା , ପରମାତ୍ମା କାହାଣୀ ।
ଜୀବନ , ମରଣ ରହସ୍ୟ ବଖାଣ
ମାୟା ଭୁଲା ତା'ର ସରଣୀ ।।
ଯେ' ଅବଗାହିଛି ଥରେ ପୁରାଣରେ
ମରମ ତା' ଭେଦି ଯାଇଛି ।
ସଂସାରର ମୋହ ଜୀବନ , ବନ୍ଧନ
ସହଜେ ଛିଣ୍ଡାଇ ପାରିଛି ।।
ନିଷ୍ଠୁର ମୃତ୍ୟୁର ଆଗମନ ଆଗୁଁ
ନିଜକୁ ସେ ମୃତ ମଣିଛି ।।
ପରମ ପିତାଙ୍କ ଚରମ ନିର୍ଦ୍ଦେଶ
ହସି ହସି ଆପଣାଇଛି ।।
ଜୀବନ , ଜଗତ , ଆଜନ୍ମ , ଜନ୍ମ ଓ
ପୂର୍ବ , ପର ଜନ୍ମ ଦେଖିଛି ।
ସଂସାର ଆଗରେ ଧର୍ମର ବାରତା
ବଖାଣି ଆନନ୍ଦ ପାଇଛି ।।
●
କେନ୍ଦ୍ରାପଡ଼ା,ରାଜକନିକା, ବଡାଗର
ପିନ୍ ୭୫୪୨୨୦
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।