ସିପ୍ରା ନାମତା , ନମ୍ରତା
ଭଗବାନ ଧର୍ମରାଜ ଯମ ଦେବଙ୍କୁ ତାଙ୍କ ପାର୍ଷଦ ଶ୍ରୀ ଚିତ୍ରଗୁପ୍ତ କହୁଛନ୍ତି - "ଭୋ ଧର୍ମଦେଵ ମର୍ତ୍ତ୍ୟରେ ସାବିତ୍ରୀ ବ୍ରତ କରିଥିବା ନାରୀଙ୍କୁ କ'ଣ ଆଶୀର୍ବାଦ ଦେଲେ ?" ଯମଦେଵ ଅତି କାକୁସ୍ତ ହୋଇ ଉତ୍ତର ଦେଉଛନ୍ତି - "ହେ ଚିତ୍ରଗୁପ୍ତ ! ଏ ତ ମହାପ୍ରଭୁ ଶ୍ରୀ ଲକ୍ଷ୍ମୀ-ନାରାୟଣଙ୍କର ପୂଜନ । ମୁଁ ବା ସେଥିରେ କ'ଣ ଆଶୀର୍ବାଦ କରିବି ? ସବୁଯୁଗରେ ନାରୀ ତା'ର ସୌଭାଗ୍ୟର ଚିହ୍ନକୁ ଅମଳିନ ଦେଖିବାକୁ ଚାହେଁ । କିନ୍ତୁ ସଫଳତା ତା'ର କର୍ମଫଳ ଉପରେ ନିର୍ଭର କରେ । କିନ୍ତୁ ହେ ଧର୍ମରାଜ ! ଏ ବର୍ଷ ମର୍ତ୍ତ୍ୟରେ ନାରୀମାନେ ଅଧିକାଂଶ ଗୃହେ ଗୃହେ ନିଜେ ସ୍ୱୟଂ ପୂଜାବିଧି ଆଚରଣ କରିଛନ୍ତି । ଯେହେତୁ ମନ୍ଦିର ବନ୍ଦ ରହିବା ଉପରେ ଶାସକଙ୍କର ଅଙ୍କୁଶ ରହିଛି ତେଣୁ କରି ସାବିତ୍ରୀ ମାନେ ନିଜ ନିଜ ମନୋବେଦନାକୁ ଅଧିକ ସହଜ କରି ଅଭିବ୍ୟକ୍ତ କରିଛନ୍ତି । ସୃଷ୍ଟି ପାଳନ ହାରୀଙ୍କ ପୂଜନ ପରେ ଆପଣଙ୍କୁ ଭକ୍ତି ଅର୍ଘ୍ୟ ନିବେଦନ କରିଛନ୍ତି ସେମାନଙ୍କ ଆରାଧନା ନିଶ୍ଚୟ ସଫଳ ହେବା ଉଚିତ ।"
---ସତେ ନା କ'ଣ ଚିତ୍ରଗୁପ୍ତ ! ତମେ ଏତେ ଖବର ରଖିପାର ବୋଲି ତ ମୁଁ ନିଶ୍ଚିନ୍ତ ରହିପାରେ ।
ଚିତ୍ରଗୁପ୍ତ ହାତ ବୁଲାଇ ଦୃଶ୍ୟ କରାଇଲେ ....
ହେ ପ୍ରଭୁ ଧର୍ମରାଜ ଯମ ଦେବ !
୧--- ମୁଁ ଏ ଯୁଗର ସତୀ ସାବିତ୍ରୀ । ପରମ୍ପରା ଅନୁସାରେ ଧାର୍ମିକ କାର୍ଯ୍ୟ ସମ୍ପାଦନାରେ ମୋର ଅରୁଚି ନ ଥାଏ । ବିବାହ ପୂର୍ବରୁ ସଙ୍ଗ ଦୋଷରେ ଯଦିଓ କୌଣସି ପାପ କର୍ମ ହୋଇଥାଏ ତାହା ତ କ୍ଷଣିକ ଓ କ୍ଷମାଶୀଳ । ବିବାହ ଉପରାନ୍ତ କାହାକୁ କେବେ ଦୃଷ୍ଟି ତୋଳି ଦର୍ଶନ ମଧ୍ୟ ହୁଏନାହିଁ ।ତେଣୁ କରି ମୁଁ ନିଶ୍ଚୟ ସତୀ କ୍ରମ ରେ ଅନ୍ତର୍ଭୁକ୍ତ ହେବି । ଯଦା କଦା କେବେ କେବେ ପତି ମହୋଦୟଙ୍କୁ ଆରକ୍ତ ନୟନରେ ବକ୍ର ଦୃଷ୍ଟି ନିକ୍ଷେପ କରିଛି କିନ୍ତୁ ତାହା ତ ତାଙ୍କରି ସଂସାର ପାଇଁ , ପ୍ରଭୁ । ମୁଁ ତ ନିମିତ୍ତ ମାତ୍ର ।
୨----ଯୁଗେ ଯୁଗେ ସ୍ତ୍ରୀ ପୁରୁଷର ଦାସ । ପୁରୁଷର ଅଭିପ୍ରାୟ ପୂରଣ କରିବାର ଏକ କ୍ରୀଡ଼ନକ । ଏ ସତ୍ୟ ଜାଣିଛି ପ୍ରଭୁ , ତଥାପି ମୁଁ ସେଥିରୁ ବିଚ୍ୟୁତ ନୁହେଁ । କିମ୍ବା ଭବିଷ୍ୟତରେ କେବେ ହେବାର ମଧ୍ୟ ନାହିଁ । ପୁରୁଷକୁ ଚତୁର୍ବର୍ଗ ଫଳପ୍ରାପ୍ତିରେ ସହାୟ ହେବା ନିମନ୍ତେ ମୋର ସୃଷ୍ଟି ,ଏ କଥା ମୋର ବିସ୍ମରଣ ଘଟିନାହିଁ କିନ୍ତୁ ମୋର ଅକ୍ଷମତା ଏଇୟା ଯେ ମୁଁ ପତି ପରମେଶ୍ୱରଙ୍କୁ ଉତ୍ତରାଧିକାରୀ ସୂତ୍ରରେ ପୁତ୍ରସନ୍ତାନଟିରୁ ବଞ୍ଚିତ କରିଛି । ମାତ୍ର ମହାସତୀ ସାବିତ୍ରୀ ତ ନିଜେ ସ୍ୱୟଂ କନ୍ୟା ଥିଲେ । ସେ ତାଙ୍କ ପତିଙ୍କର ମହାନ ପିତାଙ୍କୁ ରାଜ୍ୟ , ନିଜ ପିତା ମାତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତିର କାରଣ ହୋଇଥିଲେ । ସେଇଥିରୁ ଆପଣ ନିଜେ କୁହନୁ ପ୍ରଭୁ ,ମୁଁ ଯଦି କନ୍ୟା ସନ୍ତାନର ଜନନୀ ହେଲି ମୋର ଅପରାଧ କ୍ଷମା ଯୋଗ୍ୟ କି ନୁହେଁ ? ତେଣୁ ହେ ଧର୍ମରାଜ ମୁଁ ତ ନିମିତ୍ତ ମାତ୍ର !!
୩---ମୋର ସ୍ୱାମୀ ମଦ୍ୟ ପାନ କଲେ ମଧ୍ୟ ତାଙ୍କୁ ମଦ୍ୟପରେ କେବେ ଗଣେ ନାହିଁ । କାରଣ ଦେବତା ମାନେ ମଧ୍ୟ ସୁରା ପାନ କରିଥା'ନ୍ତି । ସ୍ୱୟଂ ଦେବରାଜ ବଦଳି ଗଲେ ମଧ୍ୟ ଦେବୀ ଶଚିଙ୍କ ସ୍ଥାନ ପରିବର୍ତ୍ତିତ ହୁଏନା । ମୁଁ କିନ୍ତୁ ଶଚି ନୁହେଁ । ମୋତେ ଅନେକ ସମୟରେ ପତି ପରମେଶ୍ୱରଙ୍କ ସୁଖ ସୁବିଧାକୁ ଦୃଷ୍ଟିରେ ରଖିବାକୁ ବେଳେ ବେଳେ କିଛି ଅସତ କାର୍ଯ୍ୟ କରିବାକୁ ପଡିଥାଏ । ସଙ୍ଗ ରୁଚିରେ ପଡି ଅନେକ ସମୟରେ ସ୍ୱାମୀ ବନ୍ଧୁଙ୍କ ସହ ଆମୋଦର ବିଷୟ କରିଦିଅନ୍ତି । ଜୋର କରି ମଧ୍ୟ ସେମାନଙ୍କ ଫାଶରୁ ମୁକ୍ତି ପାଇପାରେ ନାହିଁ । କିଛି ଭୋକିଲା ଶ୍ବାନଙ୍କ ମଧ୍ୟବର୍ତ୍ତୀ ହେଲେ ମୋର କ'ଣ ଅବସ୍ଥା ହେଉଥିବ ଆପଣ ଜାଣିପାରୁଥିବେ ପ୍ରଭୁ । ମହାରାଜା ଯୁଧିଷ୍ଠିର ସିନା କ୍ଷତ୍ରୀୟ ଧର୍ମ ପାଳନ କରିବାକୁ ଯାଇ ମହାମାୟୀ ଦ୍ରୌପଦୀଙ୍କୁ ପଶା ଖେଳରେ ହାରିଥିଲେ । କିନ୍ତୁ ମୋର ସ୍ୱାମୀ ଯୁଧିଷ୍ଠିର ବି ତ ନୁହଁନ୍ତି । ତଥାପି ମୁଁ ସତୀ । କାରଣ ଏସବୁ ତ ତାଙ୍କ ଇଛାରେ। ମୁଁ ତ ନିମିତ୍ତ ମାତ୍ର !!
୪---- ପତ୍ନୀକୁ ପତିପରାୟଣ ହେବା ଉଚିତ ବୋଲି ସକଳ ଶାସ୍ତ୍ର କହିଛନ୍ତି । ଯେତେ ଅପଶବ୍ଦ ପ୍ରୟୋଗ କରିବା ଆବଶ୍ୟକ ସବୁ କିଛି ପାଇଁ ମୋର ସ୍ୱାମୀ ଏକ ଉପଯୁକ୍ତ ପାତ୍ର କିନ୍ତୁ ତା' ବି ମୁଁ କରେ ନାହିଁ । କିନ୍ତୁ ପ୍ରତିରୋଧ କରିବା ପାଇଁ ମାସ ମାସ ଧରି ମୁଁ ପାଟି ବନ୍ଦ କରି ରଖେ ।ସେଥିରେ କ'ଣ ମୋ' ସତୀତ୍ଵର ପରାକାଷ୍ଠା କମିଯାଏ ପ୍ରଭୁ ? ଏବେ ତ ଏଇ ମାସଟିଏ ଧରି ମୁଁ କଥାବାର୍ତ୍ତା ବନ୍ଦ କରିଥିଲି । କିନ୍ତୁ ସାବିତ୍ରୀ ବ୍ରତ ପଡିଲା । କ'ଣ କରିଥାନ୍ତି ମୁଁ ? କରି ନ ଥା'ନ୍ତି ? କେମିତି କରି ନ ଥା'ନ୍ତି ? ନା ,ପ୍ରଭୁ ମୁଁ କରିଛି । ନାରାୟଣ ରୂପରେ ପତିଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରିଛି ଓ ଦୁଇଗୋଡ଼ର ବୃଦ୍ଧାଙ୍ଗୁଳି ଧୌତ ପୂର୍ବକ ଚରଣଦୋକ ମଧ୍ୟ ପାନ କରିଛି । ଯେତେ ପ୍ରକାର ମଙ୍ଗଳ କାମନା କରାଯିବାର କଥା ସବୁ କରିଛି ହୃଦୟର ସହ । କାରଣ ମୁଁ ବି ତ ନିମିତ୍ତ ମାତ୍ରର ସତୀ ।
୫---- କାମୁକତାର ଚରମ ପ୍ରଦର୍ଶନ କରିବାକୁ ଯାଇ ଅସୁସ୍ଥ ଶରୀରରେ ମଧ୍ୟ ମୋତେ ଭୋଗ କରିଥା'ନ୍ତି ସେତେବେଳେ ମୋ' ଆଖିରୁ ରକ୍ତ ଝରେ ।କେବେ କେବେ ମଦ୍ୟନିଶାରେ ଅନ୍ୟ ସ୍ତ୍ରୀ ସଂସର୍ଗ ମଧ୍ୟ କରିଥା'ନ୍ତି ମୋ' ସମ୍ମୁଖରେ । ଏହାଦ୍ୱାରା ମୁଁ ଆଉ ଭୋଗ ଯୋଗ୍ୟା ରହି ପାରିନାହିଁ । କୌଣସି ଅଜଣା ରୋଗର ସଂକ୍ରମଣତା ହୁଏତ ମାଡି ମାଡି ଆସୁଛି । ଏସବୁକୁ ମୋର ଉତ୍ପୀଡ଼ନ ବୋଲି ମୁଁ ଅଭିଯୋଗ ଆଣୁନାହିଁ । କାରଣ ଏସବୁ ପାଇଁ ମୋର ସୃଷ୍ଟି ଆଉ ତାହା ମୋର ନିୟତି ଓ ମୁଁ ନିମିତ୍ତ ମାତ୍ର ।
କିଛି ସମୟ ନୀରବ ରହି ଚିତ୍ରଗୁପ୍ତ କହିଲେ ଭୋ ଦେବ ! ଏମାନଙ୍କର ହୃଦୟ ବିଦାରକ ନିବେଦନ ପରେ ମଧ୍ୟ... ଶୁଣନ୍ତୁ ସେମାନଙ୍କର ପ୍ରାର୍ଥନା ।
ଯେତେ ଯାହା ହେଲେ ବି ତ ସେ ମୋର ପତି । ତାଙ୍କ ପାଇଁ ମୋର ଏ ସୌଭାଗ୍ୟ ଚିହ୍ନ ଧାରଣ କରିଛି । ମାତୃତ୍ବର ମହିମାରେ ମଣ୍ଡିତ ହୋଇଛି ।ଆଉ ଯାହା ହେବ ହେଉ । ଯୁଗେ ଯୁଗେ ତ ମାଆ ମାନେ ସର୍ବଦା ଅନ୍ୟାୟ ସହି ଆସିଛନ୍ତି । ପ୍ରାତଃ ସମୟରେ ପଞ୍ଚସତୀଙ୍କର ସ୍ମରଣ , ତାଙ୍କୁ ଆଦର ଦେବା ପାଇଁ .....,ସମ୍ମାନ ଦେବା ପାଇଁ...... । ସେମାନେ ଧର୍ମ ରକ୍ଷା ପାଇଁ ସାହାଯ୍ୟ କରିଥିଲେ ସମଗ୍ର ଜଗତରେ । ମୁଁ ବି ସେମାନଙ୍କ ନାଁ ଧରେ ପ୍ରତିଦିନ ପ୍ରଭାତରେ । କାଳେ ଯଦି ସାମାନ୍ୟତମ ଧର୍ମର ଛିଟା ପଡିଯିବ ମୋ' ଉପରେ । ଅବଶ୍ୟ ପଡେ କି ନାହିଁ ସେକଥା ମୁଁ ଜାଣେନି । କିନ୍ତୁ ମୋର ଯେତିକି କର୍ତ୍ତବ୍ୟ କରିବା ଉଚିତ ବୋଲି ମୁଁ ଜାଣେ ସେତିକି କରିବାକୁ କେବେ ପଶ୍ଚାତ୍ପଦ ହୁଏନାହିଁ । ତା'ହେଲେ ମୁଁ କ'ଣ ସତୀ ପଦବାଚ୍ୟ ହେଲିନାହିଁ !! ମାଆ ସୀତା !! ଆହୋ କି ଭାଗ୍ୟ ତାଙ୍କର ? ସେ ତ ଗୋଟେ ଯୁଗର ଯନ୍ତ୍ରଣା ର ମୂର୍ତ୍ତି ?? କେତେ କେତେ ପରୀକ୍ଷାର ଯନ୍ତ୍ରଣା ନ ସହିଲେ ? ଶେଷରେ ଧରିତ୍ରୀ କୋଳରେ ଆଶ୍ରୟ ନେଲେ ।
ଆମଦେଶ ସୀତା ,ସାବିତ୍ରୀର ଦେଶ ବୋଲି କହନ୍ତି । ସେଠି ତ ଅନ୍ୟାୟ ଅନାଚାର ହେବା ସମ୍ଭବ ହିଁ ନୁହେଁ । ଯୋଉଠି ମାଆ ଦୁର୍ଗା ଉଲଗ୍ନ ହୋଇ ମହିଷାସୁରକୁ ନିଧନ କରିଥିଲେ , ଯୋଉଠି ମାଆ ପାର୍ବତୀ ମହାକାଳୀ ରୂପ ଧାରଣ କରିଥିଲେ , ସେଇ ଦେଶର ନାରୀ କେବେ ଦୁର୍ବଳ ହୋଇପାରେନା । ଯୋଉ ଦେଶରେ ଧର୍ମ ରକ୍ଷା ପାଇଁ ଯୁଗେ ଯୁଗେ ନାରୀ ଶକ୍ତିକୁ ଆବାହନ କରାଯାଏ , ଶକ୍ତି ପୂଜା କରାଯାଏ , ସେଇ ଦେଶରେ ଶକ୍ତିକୁ ଅପମାନ ମଧ୍ୟ କରାଯାଇପାରେ ମୁଁ ସେ ଲାଞ୍ଛନା ଦେଉନାହିଁ ପ୍ରଭୁ ।କେବଳ ଏତିକି ଗୁହାରୀ କରୁଛି ଯେ ,ମୋର ଏ ବ୍ରତ ବଦଳରେ ମୋତେ କିଛି ଭଲ ଆଶୀର୍ବାଦ ମିଳୁ । ସେଇ ତଥାକଥିତ ଆଶୀର୍ବାଦ ଏବେ ସମାଜ ପାଇଁ ଅନାବଶ୍ୟକ ହୋଇପଡିଛି ଦେବ ! ଆୟୁଷ୍ମlନ ,ଚିରଞ୍ଜିବୀ ,ଦୀର୍ଘାୟୁ ଭଳି ଆଶୀର୍ବାଦ ଆଉ ଲୋଡାନାହିଁ ପ୍ରଭୁ । ବୁଢୀଟି ହୋଇଥା' ,ପାଚିଲା ବାଳରେ ସିନ୍ଦୁର ନାଇଥା' ଏସବୁ ମଧ୍ୟ ଦରକାର ନାହିଁ । ମୁଁ କର୍ମଜୀବୀ ମହିଳା ହୋଇ ସ୍ୱାମୀଙ୍କୁ ଆର୍ଥିକ ଦୁର୍ଗତିରୁ ରକ୍ଷା କରିବାରେ ମୋର ଭୂମିକା ଅତୁଳନୀୟ । ମୁଁ ସବୁପ୍ରକାର ସାହାଯ୍ୟ, ସାହାଚର୍ଯ୍ୟ କରିବା ପରେ ମଧ୍ୟ ଟିକିଏ ସହାନୁଭୂତି ସମବେଦନା ପାଇବାର ହକ ନାହିଁ ? ମୋର କେତେ ଯନ୍ତ୍ରଣା ,କଷ୍ଟ ,ରୋଗ ସବୁ ମିଶି ମୋତେ କେମିତି ଅସହାୟ କରିଦିଅନ୍ତି ତଥାପି ମୁଁ ମୋ' ସ୍ୱାମୀଙ୍କ ଠାରୁ ଏତେ ଟିକିଏ ବି ଆଶ୍ୱାସନା ପାଇପାରେ ନାହିଁ ଯେ ,"ଚିନ୍ତା କରନା ,ତୋ ପଛରେ ମୁଁ ଅଛି "। ତଥାପି ,ତଥାପି ...ହେ ଧର୍ମରାଜ ମୁଁ ତା'ର ଆକ୍ଷେପ ଆପଣଙ୍କ ପ୍ରତି କିମ୍ବା ଏ ସୃଷ୍ଟିକର୍ତ୍ତାଙ୍କ ପ୍ରତି କରୁନାହିଁ । ହୁଏତ ମୋର କର୍ମଫଳରେ ତାହା ହିଁ ପ୍ରାପ୍ତ ଅଛି । କାରଣ ନିୟତି ଠାରୁ ତ କେବେ କେହି ବଡ ହୋଇ ନ ଥା'ନ୍ତି ।
ନାରୀ ସର୍ବଂସହା ରୂପରେ ପୃଥିବୀ ସହିତ ତୁଳନୀୟ । କିନ୍ତୁ ଅନ୍ୟାୟ ,ଅତ୍ୟାଚାର ବୃଦ୍ଧି ହେଲେ ପୃଥିବୀ ରେ ମଧ୍ୟ ବିତ୍ପାତ ଆସେ । ଏଇ ଦେଖୁ ନାହାନ୍ତି ମାନବ ସମାଜ କେମିତି ନିଜେ ନିଜର ଧ୍ୱଂସକୁ ଆମନ୍ତ୍ରଣ କରି ଆଣିଛି। କୋରନା ପାଇଁ ପୃଥିବୀ ତ କିଛି ଅଭିଶାପ ଦେଇ ନ ଥିଲା , ତେବେ ମାନବ ସମାଜ କାହିଁକି ଏ ଦୁର୍ଦ୍ଦଶା ଭୋଗୁଛି ? ଏବେ ଯୁଗ ବଦଳି ଯାଇଛି । ଅସୁର ,ଦୈତ୍ୟ ,ରାକ୍ଷସଙ୍କ ସ୍ଥାନରେ ମହାମାରୀ ରୋଗ ଜୀବାଣୁ , ଭୁତାଣୁ ଏଇମାନେ ଆସିଛନ୍ତି । ଏମାନଙ୍କୁ ଦୂର କରିବାକୁ ପୁଣି ଶକ୍ତିର ଆବଶ୍ୟକତା ପଡିବ । ଏ ଜଗତରେ ସତୀ ଶିରୋମଣି ଅନେକ ଅଛନ୍ତି ।ଯେଉଁମାନେ କାୟ ମନୋ ବାକ୍ୟରେ ପତି ଭିନ୍ନ ଅନ୍ୟ କିଛି ଜ୍ଞାନ କରି ନ ଥା'ନ୍ତି । ହେ ପ୍ରଭୁ , ସେଇ ସତୀ ମାନଙ୍କର ପୂଣ୍ୟକୁ ନେଇ ଜଗତରୁ କୋରାନା ମହାମାରୀର ଅସ୍ତିତ୍ୱ ବିଲୋପ ହେବାର ଆଶୀର୍ବାଦ କରନ୍ତୁ ।ଯେଉଁଥିରେ ନବଜାତ ଶିଶୁ , ବୃଦ୍ଧ ତଥା ନରନାରୀ ରକ୍ଷା ପାଆନ୍ତୁ । ଏ ଦେଶର ଯୁବଶକ୍ତି ରକ୍ଷା ପାଆନ୍ତୁ । ଯେଉଁମାନେ ଦେଶର ହିତ ସାଧନ କରିବାର ଶକ୍ତି ରଖିଛନ୍ତି ସେଇ ନାରୀ ମାନେ ରକ୍ଷା ପାଆନ୍ତୁ l ଯେଉଁମାନେ ଦେଶର ସେବା କରିବାକୁ ଶାରୀରିକ ମାନସିକ ରୂପେ ନିଜକୁ ନିର୍ମିତ କରିଛନ୍ତି ଆଉ ଶେଷରେ , ହେ ଧର୍ମରାଜ , ମୋର ଯଦି କାଣିଚାଏ ମଧ୍ୟ ପୁଣ୍ୟ ବଳ ଥାଏ ସେଇ ପୁଣ୍ୟକୁ ସେଥିରେ ଯୋଗ କରି ଦିଅନ୍ତୁ ଯେଉଁଥିରେ ମୋ' ବ୍ରତ ପାଳନ ସାର୍ଥକତା ପରିପୂର୍ଣ୍ଣତା ଲାଭ କରିବ ।
ଯମଦେଵଙ୍କୁ ଚିନ୍ତିତ ଦେଖି ଚିତ୍ରଗୁପ୍ତ ପଚାରିଲେ
--ଦେବ ଆପଣ ଚିନ୍ତିତ ?
---ହଁ ଚିତ୍ରଗୁପ୍ତ ,ଚିନ୍ତିତ ହେବା ତ ସ୍ୱାଭାବିକ ନିଶ୍ଚୟ । କାରଣ ପ୍ରାର୍ଥନା ମୋ' ଯମଦଣ୍ଡ ର ନିୟମ ବିରୁଦ୍ଧରେ ।
----ତେବେ କ'ଣ ନାରୀର ପୂଜନ ବ୍ୟର୍ଥ ଯିବ ?
---ନା ,ପୂଜା କେବେ ବ୍ୟର୍ଥ ହୋଇ ନ ପାରେ । ଚାଲ ଆମକୁ କୈଳାସ ଅଭିମୁଖେ ଯାତ୍ରା କରିବାକୁ ପଡିବ ।
କିଛି କ୍ଷଣ ଭିତରେ କୈଳାସ ରେ ଉପସ୍ଥିତ ହୋଇ ମହାଦେବଙ୍କ ଶରଣ ଖୋଜିବାରେ ମାତା ପାର୍ବତୀ ଦର୍ଶନ ଦେଇ ଜଣାଇଲେ ମହାଦେବ ଏବେ ମହାଯୋଗ ସାନ୍ନିଧ୍ୟରେ ରହିଛନ୍ତି । ତେବେ ଏବେ ଉପାୟ ?ଯମଦେଵ ,ଚିତ୍ରଗୁପ୍ତ ,ମାତା ପାର୍ବତୀ କ୍ଷୀରସାଗର ଅଭିମୁଖେ ଯାତ୍ରା କଲେ । ମାତା ମହାଲକ୍ଷ୍ମୀ ନାରାୟଣଙ୍କର ପଦସେବା କରୁଥିବା ଅବସ୍ଥାରେ ଚିନ୍ତିତ ଦେଖl ଯାଉଥିଲେ । ନାରାୟଣ ମହାଯୋଗନିଦ୍ରାରେ ଆଛନ୍ନ , କାରଣ ମର୍ତ୍ତ୍ୟରେ ମନ୍ଦିରରେ ଭକ୍ତଜନଙ୍କର ସମାଗମ ହେଉ ନ ଥିବାରୁ ଏଇୟା ହିଁ ଉତ୍ତମ ସମୟ ।
----ତେଣୁ ମୁଁ ଖୁବ୍ ଚିନ୍ତିତ ଦେବୀ ପାର୍ବତୀ । ମାନବ ମାନେ ଖୁବ୍ ଅହଙ୍କାର ପ୍ରଦର୍ଶନ କରି ସୃଷ୍ଟି ନୀତିକୁ ଭାଙ୍ଗିଛନ୍ତି । କିନ୍ତୁ ଆପଣମାନେ ଆଗମନର କାରଣ ସ୍ପଷ୍ଟ କରନ୍ତୁ ।
---ହେ ମାତା , ଆପଣ ସର୍ଵଜ୍ଞାନୀ । ତଥାପି ଆମ ଆସିବାର କାରଣ ମୁଁ କହୁଛି ।
ଆଶୀର୍ବାଦ ଦେବାର କୌଣସି ସୂତ୍ର ମୁଁ ଖୋଜି ପାଉନାହିଁ ମାତେ । ସେଥିପାଇଁ ସହାୟତା ନିମନ୍ତେ ପ୍ରଭୁ କୈଳାସ ପତି ଓ ପରେ ଶ୍ରୀ ନାରାୟଣଙ୍କ ନିକଟକୁ ଆସିଥିଲୁ । କିନ୍ତୁ ଏଠାରେ ବି ତ ସେଇ ସମସ୍ୟା ।ଯୋଉଠି ହରି ହର ନିଦ୍ରା ଆଚ୍ଛନ୍ନ ସେଠାରେ ସମସ୍ୟା ସମାଧାନର ଉପାୟ କିପରି ମିଳିବ ମାତେ ।
ଯମ ଦେବ ଅସହାୟ ଭାବରେ ଚାହିଁଲେ ଦୁଇ ଦେବୀଙ୍କ ଆଡକୁ ।
---ନା, ନା ,ତା' ହୋଇ ପାରେନା । ଯାହା ବି ହେଉ ଆମକୁ କିଛି ଉପାୟ ଖୋଜି ବାହାର କରିବାକୁ ହେବ ।
(ମାତା ପାର୍ବତୀ ଚିନ୍ତିତ ଅବସ୍ଥାରେ କହିଲେ ।)
---ହେ ଦେବୀ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କର ସ୍ମରଣ ନାହିଁ ? ଆପଣ କେତେ କେତେ ବିପଦରୁ ଜଗତକୁ ଉଦ୍ଧାର କରିଛନ୍ତି । ଆପଣ ସମସ୍ତ ନାରୀ ଶକ୍ତିକୁ ଜାଗରିତ କରାନ୍ତୁ । ଏ ସଂସାରରେ ସତୀ ଅନସୂୟାଙ୍କ ପରି ପବିତ୍ର ,ଶକ୍ତିଶାଳୀ ଆତ୍ମାର ଆବାହନ କରାନ୍ତୁ । ସେ ସମସ୍ତ ଶକ୍ତିର ଏକତ୍ରିକରଣରେ ଏପରି ଏକ ଶକ୍ତିର ଆବିର୍ଭାବ ଘଟିବ ଯାହା ଯମ ଦେବ ଓ ସାରା ଜଗତର ସହାୟକ ହେବ । କାରଣ ଯମଦେଵଙ୍କ ଯମଦଣ୍ଡର ଉଚିତ ବିଚାର ରହିବା ଆବଶ୍ୟକ । ତାଙ୍କ ନିୟମ ନ ରହିଲେ ଜଗତରେ ତାଙ୍କ ସମ୍ମାନ ରହିବନି । ଅପର ପକ୍ଷରେ ଭକ୍ତର ନିବେଦନକୁ ଅସ୍ବୀକାର କରାଯାଇ ପାରେନା । ତେଣୁ ହେ ଦେବୀ ସେଇ ଶକ୍ତିର ପ୍ରଭାବରେ ସଂସାରରେ ବିସ୍ତାରିତ ମହାମାରୀର ଉପାୟ ବାହାରିବା ସଙ୍ଗେ ସଙ୍ଗେ ଦୁଷ୍ଟ , ପାପୀ , ବିଶୃଙ୍ଖଳିତ ମାନବ ମହାମାରୀର ଶୀକାର ହେବା ସହିତ ଯମ ଦେବଙ୍କ ଯମଦଣ୍ଡର ଉଚିତ ମର୍ଯ୍ୟାଦା ମଧ୍ୟ ରହିବ ।
---ହେ ଦେବ , ଆପଣ ଏବେ ନିଶ୍ଚିନ୍ତରେ ଆପଣଙ୍କ ଆଳୟକୁ ଗମନ କରନ୍ତୁ ଏବଂ ନିର୍ଭୟରେ ଆଶୀର୍ବାଦ କରନ୍ତୁ । ଆପଣଙ୍କ ଯମଦଣ୍ଡର କୌଣସି ଅମର୍ଯ୍ୟଦା ହେବ ନାହିଁ ।
ମାତା ପାର୍ବତୀ ଓ ମାତା ଲକ୍ଷ୍ମୀ ହାତ ଟେକି ଯମ ଦେବ ଓ ଚିତ୍ରଗୁପ୍ତଙ୍କୁ ଆଶୀର୍ବାଦ ଦେଉଥିଲେ ।
------//--/---------//--/-------
🙏ତୁଳସୀଚୌରା🙏
🙏ବାରିପଦା🙏
8249850168
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।