4/30/2021

ଖାନଦାନୀ କଇଁଚି

ସସ୍ମିତା ସାହୁ 
        ଯେତେ ଦେବା ଦେବୀଙ୍କୁ ଦେଖ ସମସ୍ତେ ହାତରେ ଗୋଟେ ଗୋଟେ ଅସ୍ତ୍ର ଧରିଥିବେ,କାହିଁ କେହି ତ କଇଁଚିକୁ ଅସ୍ତ୍ର କରି  ହାତରେ ଧରି ନାହାନ୍ତି । କିନ୍ତୁ କଇଁଚି ଆମର କେତେ ଦରକାରୀ ବିଶେଷ କରି ଆମ ଦରଜି ମାନଙ୍କର | ଆମ ଦରଜି ମାନଙ୍କର ଅସ୍ତ୍ର ହେଉଛି 'କଇଁଚି ' । ଜଣେ ଯଦି ଦରଜି ଦେବତା ଥାଆନ୍ତେ ତେଵେ ତାଙ୍କର ଆୟୁଧ କଣ ହୋଇଥାନ୍ତା ? ଗୋଟେ ହାତରେ କଇଁଚି, ଆଉ ଗୋଟେ ହାତରେ ମାପ ଫିତା , ଆଉ ଗୋଟେ ହାତରେ ଛୁଞ୍ଚି ସୁତା, ଆଉଗୋଟେ ହାତରେ........ହଁ ଆଉ ଗୋଟେ ହାତରେ ଆଶୀର୍ବାଦ ଦେଇଥାନ୍ତେ । କାରଣ ସେତେବେଳେ ସିଲେଇ ମେସିନ ବାହାରି ନଥିବ ନା ।

      'ହାସିମ ଟେଲରିଂ' ଦୋକାନରେ ଗୋଟେ କାଠ ଟୂଲ ଉପରେ ବସି ସାମ୍ନାରେ କପଡା ଉପରେ ବଙ୍କା ସିଧା ହୋଇ ଚାଲୁଥିବା ଧଳା କଇଁଚି , ଯୋଉଟା ବାପାଙ୍କ ହାତରେ ଥିଲା ସେଇଟିକୁ ଦେଖି ବୁନୁ ଭାବୁଥିଲା । ଏଇ ଯୋଉ ଧଳା କଇଁଚିଟା ଅଛି ସେଇଟା ବୁନୁର ଖାନଦାନୀ ଜିନିଷ , ମାନେ ବୁନୁର ଜେଜେ ସେଇଟାକୁ ବ୍ୟବହାର କରୁଥିଲେ , ଏବେ ତା'ର ବାପା ଆଉ ତା'ପରେ ବୁନୁ ବି ବ୍ୟବହାର କରିବ । କେହି ନହେଲେ ବି ବୁନୁ ତ ଏମିତି ଭାବୁଥିଲା । ବୁନୁର ବାପା କିନ୍ତୁ ଅଲଗା ଭାବୁଥିଲେ , ତାଙ୍କର ଇଚ୍ଛା ଥିଲା ବୁନୁ ଗୋଟେ ଡାକ୍ତର ହେବ।ବୁନୁ ଭାବେ ବାପା କ'ଣ ପାଇଁ ବୁଝୁ ନାହାନ୍ତି ଯେ ଡାକ୍ତର ବି ଜଣେ ଦରଜି ଓ ଦରଜି ବି ଜଣେ ଡାକ୍ତର । ଫରକ ଏତିକି ଯେ ଡାକ୍ତର ମଣିଷ ଶରୀର ଉପରେ କଇଁଚି ଓ ଛୁଞ୍ଚି ସୂତାରେ କାମ କରନ୍ତି ଆଉ ଦରଜି କପଡା ଉପରେ ।

       ଦଶମ ଶ୍ରେଣୀ ପରେ ବୁନୁ ବାପାଙ୍କୁ କହିଥିଲା ସେ ଦୋକାନରେ କାମ କରିବ। କିନ୍ତୁ ବାପା ବୁନୁକୁ ଗାଳି କରିଥିଲେ ଏବଂ ତାକୁ ପାଠ ପଢିବାକୁ କହିଥିଲେ । ବୁନୁ ବାପାଙ୍କ କଥା ମାନିଗଲା ହେଲେ ଯୁକ୍ତ-ଦୁଇରେ ବିଜ୍ଞାନ ପଢିବା ପାଇଁ ଯେତିକି ମାର୍କ ଦରକାର ସେତିକି ମାର୍କ ତା'ର ନାହିଁ । ଆଉ ବାପାଙ୍କ ପାଖରେ ଏତେ ପଇସା ନାହିଁ ଯେ ତାକୁ ପ୍ରାଇଭେଟରେ ପଢେଇବେ । ସରକାରୀ କଲେଜରେ କଳା ବିଷୟ ନେଇ ପଢିଲା ।କଲେଜ ଯାଇ ବୁନୁର ନଲେଜ କେତେ ବଢ଼ିଲା ସେଇଟା ମାଆ ଗଂଗେଇ ଜାଣନ୍ତି । କିନ୍ତୁ ସାର୍ଟ କଟିଂ ଠାରୁ ନେଇ ସେରବାନି କଟିଂ ଯାଏଁ ସବୁ ବିଷୟରେ ତା'ର ନଲେଜ ବଢିଗଲା ।

        ଗତକାଲି ବୁନୁର ରେଜଲ୍ଟ ବାହାରିଛି , ଆଉ ପ୍ରଭୁ ଗଣେଶଙ୍କୁ ବହୁତ ଧନ୍ୟବାଦ ଯେ ସେ ପାସ ହୋଇଯାଇଛି ପୂରାପୂରି ୫୪.୫ ପ୍ରତିଶତ ମାର୍କ ରଖି । ଆଜି ସେ ନିଷ୍ପତ୍ତି କରିକି ଆସିଛି ଆଜିଠାରୁ  ସେ ଦୋକାନରେ କାମ କରିବ । ପଇସା ରୋଜଗାର କରିବ । ସକାଳୁ ଚାରିଥର ବାପାଙ୍କୁ ଏକଥା କହି ସାରିଲାଣି , କିନ୍ତୁ ବାପା କିଛି କହୁ ନାହାନ୍ତି । ନନଷ୍ଟପ କାମ କରି ଚାଲିଛନ୍ତି , କଇଁଚି ଧରି କପଡା କଚ୍‌ କଚ୍‌ କାଟୁଛନ୍ତି ଫେର୍‌ ମେସିନ୍‌ରେ ଧଡ଼ଧଡ଼ କରି ସିଲେଇ କରୁଛନ୍ତି । ମୁହଁକୁ ଏମିତି କରିଛନ୍ତି ଯେମିତି ସବୁ ପ୍ରକାର ଭାବନା ଗୁଡିକ ମନର ଜେଲ ଭିତରେ ବନ୍ଦୀ କରି ରଖିଛନ୍ତି ଓ ବାହାରକୁ କିଛି ବି ଦିଶୁନି , ପୂରା ଖାଲି । ଏଥିରୁ ବୁନୁ କ'ଣ ବୁଝିବ କହିଲ ।

      ଦିନ ଆସି ବାରଟା ହେଲାଣି ସକାଳୁ ଚୁଡା ଗଣ୍ଡେ ଖାଇଥିଲା । ପେଟରେ ମୂଷା ମାନେ କଇଁଚି ଧରି କଚ କଚ କରି କାଟିଲେଣି । ଏତିକି ବେଳେ ହସିନା ଦୋକାନକୁ ଆସିଲା , ହସିନାକୁ ଦେଖି ବୁନୁ ପେଟର ମୂଷା ମାନେ ବି ଥମ୍‌ ପଡିଗଲେ । ହସିନାକୁ ଦେଖିଲେ ବୁନୁର ମନଟା କେମିତି ଗୋଟେ ହେଇଯାଏ । ସବୁ ଚିନ୍ତା କୁଆଡେ ଫୁର୍‌ ହୋଇଯାଇ ପୁଣି ଫେରି ଆସି ହସିନା ମୁହଁରେ ଲାଗି ଯା'ନ୍ତି ରେଶମୀ କପଡା ଗୁଡେଇ ହେଇ । ଏମିତି ବଡ ବଡ ଆଖିରେ ଲମ୍ବା ଲମ୍ବା ଝାଲର ପରି ଆଖିପତା ତା' ସାଙ୍ଗକୁ ସିଧା ଓ ସୁନ୍ଦର ନାକ । ଓଠ ଦୁଇଟି ତ ଏତେ ସୁନ୍ଦର କିନ୍ତୁ କଥା ଗୁଡାକ କଇଁଚି ପରି । ପୂରା ହୃଦୟକୁ କାଟିକୁଟି ରଖିଦେବ ନିଶ୍ଚିନ୍ତ । ହସିନାକୁ ଭଗବାନ ଫୁରସତ ବେଳେ ତିଆରି କରିଥିବେ । ଯେମିତି ବୁନୁର ବାପା ସୁନ୍ଦର କପଡା ଗୁଡିକୁ ଫୁରସତ ବେଳେ ସିଲେଇ କରନ୍ତି ।

        ବୁନୁ ସବୁବେଳେ କଳ୍ପନା କରେ ଗୋଟେ ବଡ ଦୋକାନ ଥିବ ,ଏ. ସି ଲଗାଯାଇଥିବ ଏବଂ ସେଠି ହସିନା କ୍ୟାସ କାଉଣ୍ଟରରେ ବସିଥିବ , ଆଉ ସେ ଲୋକ ମାନଙ୍କଠୁ ଅଡର ନେଉଥିବ । ହସିନା ହେଉଛି ତାଙ୍କ ଦୋକାନ ଠାରୁ ଗୋଟେ ଦୋକାନ ଛାଡି ତେଜ ରାତି ଦୋକାନ କରିଥିବା ରହୀମ ଚାଚାଙ୍କର ଝିଅ । ହସିନା ଗୋଟେ ସାଲୱାର ସିଲେଇ କରିବାକୁ ଦେବା ପାଇଁ ଆସିଥିଲା , ସେ ବୁନୁ ସହ ଏକା ଶ୍ରେଣୀରେ ପଢେ । ବାପା ପଚାରିଲେ " ମା ହସିନା ତୋର କେତେ  ମାର୍କ ରହିଲା ?" ହସିନା କହିଲା " ମଉସା ମୋର ୫୫ ପ୍ରତିଶତ ମାର୍କ ଅଛି।" ଆଗକୁ କ'ଣ କରିବୁ ବୋଲି  ପଚାରିବାରୁ ସେ କହିଲା " ମଉସା ଆଗକୁ ପଢିବି ଆଉ ଚାକିରୀ କରିବି।"

           ବାପା ହସିନା ସାମ୍ନାରେ ବୁନୁକୁ କହିଲେ ଦେଖ ଆମର କୁଳାଙ୍ଗାର କହୁଛି କ'ଣ ନା ଦୋକାନରେ ବସିବ । ମୂର୍ଖ ! ଏଇଥି ପାଇଁ ମୁଁ ତତେ ପଢ଼ଉଛି ! ଟେଲରିଂରେ ଆଉ କ'ଣ ଅଛି ? ସମସ୍ତେ ତ ଏବେ  ରେଡିମେଡ଼ ପୋଷାକ ପିନ୍ଧୁଛନ୍ତି । ଏକଥା ଶୁଣି ବୁନୁର ରାଗ ମୁଣ୍ଡକୁ ଚଢ଼ିଗଲା । ବାପା ଗାଳି କଲେ ସେଥିପାଇଁ ନୁହେଁ , ହସିନା ସାମ୍ନାରେ ଗାଳି କଲେ ସେଥିପାଇଁ । ହସିନା ନିଜ କାମ ସାରି ଫେରିଗଲା ଓ ବୁନୁ ମଧ୍ୟ ରାଗରେ ଦୁମ୍‌ଦୁମ୍‌ ହୋଇ ଦୋକାନରୁ ବାହାରି ଘରକୁ ଗଲା । ବୁନୁ ମନରେ ଭାବି ସାରିଥିଲା ଏବେ ସେ ଟେଲରିଂ ତ କରିବ କିନ୍ତୁ ଅଲଗା ପ୍ରକାରରେ । ଲୋକ ଦେଖିକି ରହିଯିବେ ଆଉ ସେ ଧଳା କଇଁଚି ସେଇଟାକୁ ତ ସେ ଯେମିତି ହେଲେ ନିଜର କରିବ କିନ୍ତୁ ଦୟାରେ ନୁହେଁ ପୂରା ହକ୍‌ରେ ମାନେ ନିଜକୁ ଯୋଗ୍ୟ କରି ।

        ଚାରି ବର୍ଷ ପରେ ଦେଖା ଗଲା ସେଇ ବଜାରରେ ନୂଆ ଟେଲରିଂ ଦୋକାନ 'ହାସିମ ଫ୍ୟାସନ ସେଣ୍ଟର' ନାମରେ ଖୋଲିଛି । ଦୋକାନ ସାମ୍ନାରେ ଗୋଟେ ବଡ କାଚର କବାଟ ଲାଗିଛି ଓ ଭିତରେ ଏ. ସି. ବି ଅଛି । ଭିତରେ କେତୋଟି ଡିଜାଇନର ଡ୍ରେସ ଓହୋଳା ହୋଇଛି ଏବଂ ବୁନୁ ବେକରେ ମାପ yy ଗଳେଇ କପଡା କାଟୁଛି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଚାରି ବର୍ଷର କାହାଣୀ କହି ଦଉଛି । ସେ ଦିନ ଘରକୁ ଗଲା ବେଳେ ବୁନୁ ସ୍ଥିର କଲା ଯେ ସେ ଫ୍ୟାସନ ଡିଜାଇନିଂ କୋର୍ସ କରିବ । ତା' ପରେ ଆଉ କ'ଣ ! ମଣିଷ ଯେତେବେଳେ ନିଜ ଜିଦିରେ ଆସିଯାଏ ସେତେବେଳେ ସେ କିଛି ବି କରିପାରେ । ଆଉ ଯେତେବେଳେ କଥାଟି ଅହଂ ଉପରେ ଆସିଯାଏ ସେତେବେଳେ ସେ କିଛି ବି କରିପାରେ । ତିନି ବର୍ଷ କୋର୍ସ ପରେ ଗୋଟେ ବର୍ଷ ସୁରଟର ଗୋଟେ ନାମୀ କମ୍ପାନୀରେ ଡ଼ିଜାଇନିଂ ହେଡ ଭାବରେ କାମ କଲା । ପରେ ଏବେ ସେ ନିଜ ସହରକୁ ଆସି ଦୋକାନ ଖୋଲିଛି । ଏଇ ଛଅ ମାସ ଭିତରେ ତା'ର ଦୋକାନ ବେଶ୍‌ ଭଲ ଚାଲିଛି । ଯୁବ ପିଢ଼ି ମନେ ତା'ର ଡିଜାଇନର ଡ୍ରେସକୁ ବହୁତ ପସନ୍ଦ କରୁଛନ୍ତି । ଦୋକାନରେ ତା'ର ଆଉ ଦଶ ଜଣ ମଧ୍ୟ କାମ କରୁଛନ୍ତି ।

         ସମ୍ବଲପୁରୀ କପଡାରେ ସେ ବେଶ ସୁନ୍ଦର ଡିଜାଇନ କରି ଡ୍ରେସ ତିଆରି କରୁଛି । ଏଥିପାଇଁ ରାଜ୍ୟ ବାହାରୁ  ମଧ୍ୟ ଅଡ଼ର ଆସିଲାଣି । ଆଉ ଗୋଟେ ସିକ୍ରେଟ କଥା ହେଲା ହସିନା ସହ ତା'ର ବାହାଘର ମଧ୍ୟ ସ୍ଥିର ହୋଇ ସାରିଲେଣି । ସେଇଟା କେମିତି ହେଲା ଆଉ କେବେ କହିବି । ଆଉ ହଁ ସେଇ ଧଳା କଇଁଚିକୁ ଗୋଟେ କାଚ ସୋ କେଶ୍‌ରେ ପୁରାଇ ଦୋକାନରେ ଥିବା ଠାକୁରଙ୍କ ଫଟୋ ପାଖରେ ରଖା ହୋଇଛି । ସବୁ ଦିନ ଠାକୁରଙ୍କୁ ଫୁଲ ଏବଂ ଧୂପ ଦିଆ ହେବା ସହ ସେହି କଇଁଚିକୁ ମଧ୍ୟ ଦିଆ ଯାଉଛି । କାରଣ ସେଇ କଇଁଚି ତ ବୁନୁର ଭାଗ୍ୟ ବଦଳେଇ ଦେଇଛି ।ତାଙ୍କର ଖାନଦାନୀ କଇଁଚିକୁ ସେ କେମିତି ବା  ଛାଡି ପାରିବେ ।
ଥେଣ୍ଟପୁର - ବୀରନରସିଂହପୁର - ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।