4/30/2021

🌙ନୈରାଶ୍ୟ ଚନ୍ଦ୍ରମା🌙




ଶ୍ରୀମତୀ ଲୋରୀ ସ୍ବାଇଁ 

            
ନୂଆ ନୂଆ ରଙ୍ଗ। ମଧୁମାସର କୁହାଟିଆ ଗନ୍ଧ। ବେଶ୍‌ ଆକର୍ଷଣୀୟ ଥିଲା ସେ ବିରଳ ପ୍ରେମ । ନଥିଲା ଜିତିବାର ନିଶା କି ହାରିବାର ଦୁଃଖ । ଏ ବଣରୁ ସେ ବଣ ବୁଲି ବୁଲି ଖାଦ୍ୟପେୟ ସଂଗ୍ରହ କଲା ପରେ ସଞ୍ଜ ଲେଉଟାଣି ଫେରି ଆସେ ତା'ର ନୀଡ଼କୁ..। ଏହିପରି କାଳାତିପାତ କରେ ସଞ୍ଜ ଆଉ ସକାଳ ; ବାଲ୍ୟ ଆଉ ଶୈଶବ । ମାଡ଼ି ଆସେ ଯୌବନ...ଯୌବନର କ୍ଷେପଣାସ୍ତ୍ରେ କ୍ଷତାକ୍ତ ହୋଇପଡେ କୃଷ୍ଣଧାରା ନାମକ କୋମଳ ହୃଦୟ ।ପରେ ପରେ ନିରାଶ ବହ୍ନିରେ ଦଗ୍ଧ ହୋଇ ପାଲଟି ଯାଏ ମୁଠାଏ ପାଉଁଶ ।
    ନିଆରା ଓ ସ୍ୱତନ୍ତ୍ର ଏ ପ୍ରେମ ।ଏକଦା କୃଷ୍ଣଧାରା ନାମକ ଏକ ବିହଙ୍ଗୀ ବତାସର ଦକ୍ଷିଣୀ ମାଡରେ ମାତୃପିତୃ ହରା ହୋଇ ପହଁଞ୍ଚିଲା ତ୍ରିଶଙ୍ଖ ବଣରେ।  ନବତ୍ୱର ପର ଲାଗୁଥାଏ କୃଷ୍ଣଧାରା ଦେହରେ । ଖଣ୍ଡି ଉଡ଼ାରୁ ଅପଣାଇ ନେଲା ତ୍ରିଶଙ୍ଖ ବଣକୁ । ସେ ବଣକୁ ଲାଗି ରହିଥାଏ ଏକ ବିଶାଳ ଓ ପୁରାତନ ପାହାଡ଼। ଆଉ ପାହାଡ ପାଦଦେଶେ ଥାଏ ରଙ୍ଗୀନ ଫୁଲରେ ସଜିତ ହୋଇଥିବା କୃଷ୍ଣଚୂଡ଼ା ଗଛ । ଯେଉଁ ବୃକ୍ଷରେ ବସା ବାନ୍ଧି ରହିଥାଏ ନିରିମାଖୀ ଅଳସୀ କୃଷ୍ଣଧାରା ..ସେ ଫୁଲେଇର ସୌକ୍‌ ଥାଏ  ଖରା ଛାଇ ଭିତରେ ନିଜର ପ୍ରତିବିମ୍ବକୁ  ଖୋଜିବା । ଏହିପରି ବିତିଯାଏ ତା'ର ଚୁଲ୍‌ବୁଲି ବୟସ । ବୟସର କରାଘାତେ ଦୁର୍ବଳ ହୋଇଉଠେ କୃଷ୍ଣଧାରା ର ଯୌବନ ପରିସୀମା । ବାରମ୍ବାର କୂଳ ଲଙ୍ଘନ କରି...ବ୍ୟାପିଯାଏ ଅସାରସାର  ହୃଦୟର ପରିଧି ଗୁଡିକୁ ଆଉ ବନ୍ଦୀ କରି ପକାଏ  ଅଝଟିତ ବାଲ୍ୟ ଚପଳତା ଗୁଡିକୁ । ଆମ୍ବ ବଉଳର ଭଣ ଭଣ ମଦ ଗନ୍ଧରେ ମହକି ଉଠେ କମ୍ପିତ ଯୌବନ। ଆଉ ଯୌବନର ପ୍ରତୀଚୀ  ତଟରେ ସୃଷ୍ଟି ହୁଏ ଅଧର୍ଯ୍ୟର ସ୍ପନ୍ଦନ ...କେହି ଜଣେ ନିଜର ନିଜର  ଲାଗେ । ଆଉ ତା' ପ୍ରେମର ଦଲକାଏ ପବନ ଅସ୍ତବ୍ୟସ୍ତ କରିଦିଏ ତା'ର ନାରୀତ୍ୱକୁ। କିନ୍ତୁ ସେ ଜାଣି ନଥାଏ ଯେ ଅଶାନ୍ତ ଘୁର୍ଣ୍ଣିବଳୟ ଭିତରେ ପାଦ ଦେଲେ  ଦିନେ ତା' ପ୍ରାଣକୁ ବିସର୍ଜି ଦେବାକୁ ହେବ। ହେଲେ ସେ ତ ଯୌବନର କଟାକ୍ଷରେ.. 'ନିଶାସକ୍ତ' । ମନ କୁଞ୍ଜବନରେ ପାଦରେ ନୂପୁର ବାନ୍ଧି ସେ ଥରେଇ ଦେଇଛି ସାରା ତ୍ରିଶଙ୍ଖ ବଣକୁ । ନର୍ତ୍ତକୀ ପରି ତା' ଝଙ୍କାର ମୂର୍ଚ୍ଛନାରେ ସେ ଦେଖିବାକୁ ଲାଗୁଛି ତା' ପରଦେଶୀ ସ୍ୱରୂପକୁ । ହେଲେ ଏତିକି ବିଡମ୍ବନା ମାତ୍ର  ସେ ଦୂର-ଆକାଶର "ଜହ୍ନ"। ତଥାପି ଅଜ୍ଞାତ ମୃଗତୃଷ୍ଣା ଜଳ ସନ୍ଧାନେ ଥକି ପଡିବ ...।
      ଯେବେ ଷୋଳଟା ଫଗୁଣର ଯୌବନ ଅଳସ ଭାଙ୍ଗିଲା କୃଷ୍ଣଧାରା ଦେହେ ... ବେଶ୍‌ ଆକର୍ଷିତ ହୋଇପଡେ ତା' ସୌନ୍ଦର୍ଯ୍ୟର ଗାରିମା ଗୁଡିକ । ପ୍ରାୟ ଯେପରି ସେ ଖୋଜି ବୁଲୁଛି ତା'ର ଈପ୍ସିତ ନୀଡ଼କୁ ।
       ଦିନକର କଥା..; କୃଷ୍ଣଚୂଡ଼ା ପାଖ ପାହାଡ ଉପରୁ କେହି ଜଣେ ପିଟି ହୋଇ ବିଞ୍ଛି ଦେଲା ତା'ର ଶୀତଳ ମାଦକତା ।  ଭରିଦେଲା ଅପୂରନ୍ତ ଆନନ୍ଦ... କିରଣ ଯାଇ ସ୍ପର୍ଶ କଲା ସାତ ତଳ ପଙ୍କ ଆଡେଇଲା ପରି  ତା'ର ବସାର କିଛିଟା ଫାଙ୍କରେ । ନିଜ ନୀଡ଼ର ଔଜଲ୍ୟତା ଦେଖି ଚିହିଁକି ଉଠେ କୃଷ୍ଣଧାରା।ଧାଇଁ ଆସି ଦେଖେ ତ.. କାର୍ତିକାଶ୍ୟ ପୂର୍ଣ୍ଣମାସି ଜୋଛନା କିପରି ଉତ୍ଫୁଲିତ ହୁଏ ବୁନ୍ଦା ବୁନ୍ଦା କାକର ଟୋପାରେ ।ସ୍ପଷ୍ଟ ବାରି ପାରୁନଥାଏ  ; ତଥାପି ଦୃଷ୍ଟ ହୁଏ ଏକ ପ୍ରତିଛବି ଯାହା ଅଦୃଶ୍ୟରେ ପରିପୂର୍ଣ୍ଣ । ମନରେ ବିଭିନ୍ନ ପ୍ରଶ୍ନବାଚୀ ; ସେ କିଏ? କଣ ତା' ସ୍ୱରୂପ ? ଏମିତିକି ଅବାନ୍ତର ପ୍ରଶ୍ନରେ ଛନ୍ଦି ହେଇପଡୁଥାଏ କୃଷ୍ଣଧାରା।।
କିନ୍ତୁ ଲକ୍ଷ୍ୟ ତା'ର ବହୁଦୂର... ପବିତ୍ର ପ୍ରଣୟର ଦ୍ୱାହି ଦେଇ ଚାହିଁ ରହିଥାଏ  ସେ ଅଦୃଶ୍ୟ ଉଦେଶ୍ୟର ମୂଳଦୁଆକୁ...ଶେଷରେ ହାର ମାନିବାକୁ ପଡିଥିଲା ଚାନ୍ଦ୍ରମାନକୁ । ପରିଶେଷରେ ସମର୍ପି ଦେଇଥିଲା କୃଷ୍ଣଧାରା କୁ ନିଜର ଶୀତଳତା । ଆଉ ସେଇ ଶୀତଳତା ଭରି ଦେଲା ତା'ର ଦରଦୀ ମନରେ ଅନେକ ମାଦକତା... । କେତେବେଳେ ସେ ରଙ୍ଗେଇ ହେଇଗଲାଣି ପ୍ରେମର ରଙ୍ଗରେ ସେ ଅଜ୍ଞାତ ! ସେବେଠୁ ଖୋଜି ବୁଲିଲା ସେଇ ପାହାଡ଼ ପ୍ରାନ୍ତରେ ଥିବା ସେଇ ଅଦୃଶ୍ୟ ପୁରୁଷର ପରଶ । ନିଜକୁ ଭ୍ରମରଟିଏ ସଜାଇ ...ସନ୍ଧ୍ୟାର ଆଗମନେ ଗୋଧୂଳି ଲଗନେ  ପ୍ରଣୟିନୀର ରୂପ ଧରି.. ଗଛ ଆଢୁଆଳେ ଆଉ ଲତା ଗହଳିରେ ଏବଂ ନିର୍ଜନ ସ୍ଥାନରେ ଡେଣା ଦୁଇଟିକୁ ଫଡ଼ଫଡ କରି ଘୁରିବୁଲେ ସାରା ତ୍ରିଶଙ୍ଖ ବଣରେ । ଆଉ ପାଇଗଲା ପରେ ସେ ମିଠା ପରଶର ଆଲ୍ଲାଦ ଶାନ୍ତ ପଡ଼ିଯାଏ ସାରା ପରିବେଶ । କେବଳ ଗୁଞ୍ଜରିତ ହୁଏ ମିଠା ମିଠା ସଙ୍ଗୀତ...ଏହିପରି ଚାଲିଥାଏ ମିଠା ମିଠା ପ୍ରେମାଳାପ ପ୍ରତିଦିନ କୃଷ୍ଣଧାରା ଆଉ ଚାନ୍ଦ୍ରମାନର ।।
 ଏକଦା ମାଡ଼ିଆସେ କୃଷ୍ଣଧାରାର ଜୀବନକୁ ଏକ କରାଳ ଯନ୍ତ୍ରଣା । ଅମାବାସ୍ୟାର ଅନ୍ଧାର ଢାଙ୍କି ପକାଏ ସାରା ବନକୁ । ଆଉ ଲାଗେଇ ଦିଏ କୃଷ୍ଣଧାରା ମନରେ ନିରାଶାର ବହ୍ନି।  କିଛିଦିନ ତା' ନାୟକର ଅନୁପସ୍ଥିତିକୁ ନେଇ ଅସ୍ତବ୍ୟସ୍ତ ହୋଇଉଠେ କୃଷ୍ଣଧାରା । ମନରେ  ଦ୍ଵନ୍ଦ ଉଙ୍କି ମାରେ ପରଦେଶୀ ମୋତେ ଠକି ଦେଲାକି ? ଅନାବନା ମନରେ ଆଶଙ୍କା ଭର୍ତ୍ତି କରି ତା'ର ଆକୁଳ ଓ ବିକଳ୍ପ କ୍ରନ୍ଦନରେ କମ୍ପିଉଠେ ସାରା ତ୍ରିଶଙ୍ଖ ବନ ।ଧର୍ଯ୍ୟ ନ ହରାଇ ସ୍ଥିର କରିନିଏ ...ଏକ ନିରାଟ ସତ୍ୟତା । ଯେବେ ଚାନ୍ଦ୍ରମାନ କୁ ଭେଟିବ ତା ପାଖକୁ ଯାଇ ପରଖି ନେବ କାହିଁକି ସେ ଅସ୍ଥିର? ପ୍ରକୃତ ସ୍ୱରୂପ କଣ ତାଙ୍କର? କାହିଁକି ଖେଳି ଚାଲନ୍ତି ଲୁଚକାଳି ଖେଳ ।
ଏପରିକି ବିଭିନ୍ନ ଭାବନାର ବିଷାକ୍ତ ଅସ୍ତ୍ରରେ କ୍ଷତାକ୍ତ ହୋଇ ଅପେକ୍ଷା କରିଥାଏ ସେ ଅଦୃଶ୍ୟ  ପୁରୁଷକୁ ।
          ଅମାଘ ଅନ୍ଧାର ଭିତରେ  ନିଜକୁ ହଜାଇ ଦେଇଥାଏ କୃଷ୍ଣଧାରା । ନିଜକୁ ସହ୍ୟ ନକରି କାଳିମା ଛାତିକୁ ଫାଡ଼ି ଉଡି ଚାଲିଲା ଉଚ୍ଚଶିଳ ଶୀଳା ଶିଖର ନିକଟକୁ ।ଏକମାତ୍ର ଇଛା ""ଚାନ୍ଦ୍ରମାନ""ଅଦମ୍ୟ ପରିଶ୍ରମ ନିଷ୍ପାପ ଭଲପାଇବା ନେଇଗଲା ଶିଖର  ସମିପେ ।ଚାନ୍ଦ୍ରମାନକୁ ପାଇବା ଆଶାରେ କ୍ଲାନ୍ତ ହୋଇ ଲଟ୍‌କିନା ଲୋଟିଗଲା ସେହି ରୁକ୍ଷ ଚଟାଣ ଉପରେ। ନେତ୍ର ଖୋଲିବା ଆଗରୁ ରଜନୀ ଶେଷ । ନିଜକୁ ଦେଖିଲା ବେଳକୁ ସେ ଆସି ସାରିଛି ପୃଥ୍ରୁଳ ଦୁର୍ଗ ଉପରକୁ । ବିଡ଼ମ୍ବନା ନିକଟରେ ପାଇବା ଆଶା ସବୁ ବ୍ୟର୍ଥ । ଆଖି ସାମ୍ନାରେ ଅନ୍ୟ ଏକ ନକ୍ଷତ୍ର । ଉଙ୍କି ମାରେ ପ୍ରଶ୍ନ ଏ କେଉଁ ଜ୍ୱଳନ୍ତ ପୁରୁଷ । ମୋ ଚାନ୍ଦ୍ରମାନ ତ ସର୍ବଦା ଶାନ୍ତ । କିଏ ଏ ? ଚାନ୍ଦ୍ରମାନକୁ ଲୁଚାଇ ଦେଇନି ତ ସେ ??  ମନରେ ଅନେକ ପ୍ରଶ୍ନବାଚୀ ହନ୍ତସନ୍ତ କରି ଦିଏ ତାର ଛୋଟିଆ ପ୍ରାଣକୁ । ତଥାପି ହାର୍‌ ନମାନି ନିଜର ହକ୍‌ ଜାହିର୍‌ କରିବାକୁ ଯାଇ ଉଡି ଚାଲିଲା ଦୂର ଦିଗବଳୟକୁ।
        ସାର୍ଥକ ଆଉ ନିଷ୍ପାପ ଭଲପାଇବା ଦେଖି ଇର୍ଷା ପରାୟଣ ହୋଇ ଉଠନ୍ତି ଭାସ୍କର । ନିଜର ଉତ୍ତାପରେ ଜାଳିପୋଡି ଦିଏ କୃଷ୍ଣଧାରାର ଅଙ୍ଗକୁ । ଶେଷରେ ନିଜ ପ୍ରେମକୁ ଜଳାଞ୍ଜଳି ଦେଇ ପାଲଟି ଗଲା ମୁଠାଏ ପାଉଁଶ । ସେ ପାଉଁଶ ତ୍ରିଶଙ୍ଖ ବନର ବକ୍ଷ ଫାଡ଼ି କୃଷ୍ଣଚୂଡ଼ା ଗଛରେ ପିଟିହୋଇ ପଡିଲା ଯାଇ କୁଶଭଦ୍ରା ନଦୀ ତଟରେ । ଶେଷରେ ଭାସି ଭାସି ଯାଇ ମିଶିଗଲା ଅଶାନ୍ତ ବଳୟ ମାର୍ଗରେ । କିନ୍ତୁ ଅଧୁରା ରହି ଗଲା କୃଷ୍ଣଧାରାର ପ୍ରେମ ।
  ପୁଣିଥରେ ଚାନ୍ଦ୍ରମାନ ଉପସ୍ଥିତ। ସେ ବି ନିଜର କରିସାରିଥିଲା କୃଷ୍ଣଧାରାକୁ। ନିଜର ପରିଚୟର ସତ୍ୟାସତ୍ୟ ଜଣାଇବା ପାଇଁ ଖୋଜି ବୁଲିଲା ପ୍ରତ୍ୟେକ କୋଣ ଅନୁକୋଣରେ। ବହୁରୂପୀ ବାଦଲକୁ ଚିରି ବିଞ୍ଛି ଦେଲା ତା'ର କିରଣ ରାଶିକୁ । ବାରମ୍ବାର ପ୍ରଶ୍ନ ତ୍ରିଶଙ୍ଖ ଓ କୃଷ୍ଣଚୂଡ଼ାକୁ । କେଉଁଠି ଲୁଚାଇ ଦେଇଛ ମୋ କୃଷ୍ଣଧାରାକୁ..ହେଲେ ଉତ୍ତରରେ କହିଥିଲେ ଦୁଇଜଣ "ବହୁତ ଡେରି ହୋଇ ସାରିଛି !!" କିନ୍ତୁ ଅବୁଝା ପରାୟ ଚାନ୍ଦ୍ରମାନ !
       ଖୋଜି ଖୋଜି ନୟାନ୍ତ ହେବା ପରେ ପ୍ରକୃତିର ସତ୍ୟତା ମାନିନେଇ ନିରବ ଦର୍ଶକ ସାଜି ଘୁମୁରି ଘୁମୁରି କାନ୍ଦେ ନିଜ ଅନ୍ତର ଭିତରେ ।।ଆଉ ଆଜିବି ସେ ଉଁଏ ସଂଲଗ୍ନ ବିଶାଳ ଆକାଶ ଛାତିରେ ।। ଏତିକି ମାତ୍ର ଇଚ୍ଛା ''ଫେରିବ ମୋ  କୃଷ୍ଣଧାରା''ସେହିଦିନ ଠାରୁ ଅପେକ୍ଷାକୃତ ଚାନ୍ଦ୍ରମାନ କୃଷ୍ଣଧାରା ର ଅଝଟିଆ ଗୁଞ୍ଜନ ଶୁଣିବା ପାଇଁ ।                    ଓସ୍ତପୁର,କାକଟପୁର ,ପୁରୀ
     ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।