4/30/2021

ଶ୍ରଦ୍ଧାଞ୍ଜଳି ହେ ବୀରାଙ୍ଗନା

ଶିବ ଚରଣ ମହାପାତ୍ର 
ଭାରତ ଭୂଖଣ୍ଡେ ତେଜୋଦୀପ୍ତମୟ
ସୁନୀଳ ଆକାଶ ପୁନେଇଁ ଜହ୍ନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ବିଜୟର ପଥେ ଅଦ୍ବିତୀୟ ତୁମେ
ଅପୂର୍ବ ଚିନ୍ତନ ବୁଦ୍ଧିମତ୍ତା
ଦୂରଦୃଷ୍ଟି ଲକ୍ଷ୍ୟ ରାଜନୀତି ଜ୍ଞାନ
ସମ୍ମୋହନ ମନ୍ତ୍ର ତୁମ କଥା...

ପ୍ରଚଣ୍ଡ ପ୍ରତିଭା ଅଧିକାରିଣୀ ଗୋ'
ଭାରତ ମା' ପ୍ରିୟ ସନ୍ତାନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ମଉଳି ଗଲା କି ପରାଣ କୁସୁମ
ନୀୟତି କରାଳ ହାତ ଧରି
ଅବିଶ୍ବାସ ଲାଗେ ବିଶ୍ୱାସ ମୋ' ଆଜି
ଚାଲିଗଲ ଯେବେ ପର କରି...

ହୃଦବେଦି ପରେ ନୀରବେ ଜଳୁଛି
ଅଶ୍ରୁଭିଜା ପ୍ରାଣ ଦୀପ ଶିଖା
ଅନ୍ଧକାର ପଥେ ତୁମ କର୍ମ ବାଣୀ
ଉଜ୍ଜଳିତ କରେ ଶିଳାଲେଖା...

ନାରୀନେତ୍ରୀ ତୁମେ ଜ୍ଞାନୀ ଗୁଣୀ ଦକ୍ଷ
ଛାଡି ଦେଇଗଲ ପଦ ଚିହ୍ନ
ଧନ୍ୟ ହେ' ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ମୃତ୍ୟୁ ବି ସେଦିନ ଢ଼ାଳିଥିବ ଲୁହ
ତୁମ୍ଭ ଯଶ କିର୍ତ୍ତୀ ନଈ କୂଳେ
ପ୍ରୀତି ଆଲିଙ୍ଗନେ କମ୍ପିଥିବ ହାତ
ମରଣ ଚାଦର ଦେଲା ବେଳେ...

ତୁମ୍ଭ ବିୟୋଗରେ ତରୁ-ଲତା ଝୁରେ
ଝୁରେ ଜନ-ବନ-ଜୀବ-ପ୍ରାଣ
ଆକାଶେ ବାଦଲ କାନ୍ଦେ ଛାତି ପିଟି
କାନ୍ଦେ କୋହଭରା ସମୀରଣ...

ହାରିବା ଯା' ଭାଗ୍ୟେ ଲେଖା ନାହିଁ କେବେ
ମୃତ୍ୟୁ ପାଶେ ହାରେ ତୁଚ୍ଛ ତନ
ଧନ୍ୟ ହେ ତୁମ୍ଭେ ସୁଷମା ସ୍ୱରାଜ
ଅମଳିନ ରହୁ ଯଶ କୀର୍ତ୍ତନ...

ଚ଼କ୍ରଧରପୁର - କେନ୍ଦୁଝର 
ଜୟ ସାହିତ୍ୟ, ଜୟ ସମା

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।