3/07/2019

ରତ୍ନହାର

ସୌମ୍ୟ ରଞ୍ଜନ ଦାଶ 
ଶିକ୍ଷକ  
 "ନା ମୋ ପୁଅ ମରି ପାରିବନି".....ତମେମାନେ ମିଛ କହୁଛ l ଦୟାକରି ଏଠୁ ଚାଲିଯାଅ l ମୋ ପରିବାର ପାଇଁ ଏମିତି ଅଶୁଭ କଥା ଚିନ୍ତା କରନି  l ମୋର ଗୋଟିଏ ବୋଲି ପୁଅ l ଗାଁ ରେ କେତେ ଲୋକ କହିଛନ୍ତି "ଏକ ଆଖି ଆଖି ନୁହଁ... ଏକ ସାକ୍ଷୀ ସାକ୍ଷୀ ନୁହେଁ l" ତଥାପି ମୋର ନା ଥିଲା ଅବଶୋଷ ନା ଥିଲା ପ୍ରାପ୍ତି ଆଶା l କେବଳ ମୋ ମନୁଆର ମୁହଁ ଚାହିଁ ସାରା ଜୀବନ କାଟିବା ଲାଗି ଆମେ ବୁଢା ବୁଢ଼ୀ ଦୁଇଟା ବଞ୍ଚି ରହିଛୁ l ଘର ଅଧା ତିଆରି ହୋଇଛି l ଆଜି ଦିନ ଗୋଟାଏରେ ମୋତେ ଫୋନରେ କହିଥିଲା ପରା, ବୋଉଲୋ ଘର ପାଇଁ ଚିନ୍ତା କରିବନି..... ବାପାଙ୍କୁ କହିବୁ ବ୍ୟସ୍ତ ହେବେନି..... ମୁଁ ପଇସା ଠିକ କରି ମାର୍ଚ୍ଚ ମାସ ପୁଣି ଆସିବି..... ଆମ ଅଧା ଘର ପୁରା ହବ ..." ଏମିତି ଅନେକ କଥା କହି ସାମ୍ବାଦିକ ଙ୍କ ପ୍ରଶ୍ନ କୁ ଏଡ଼େଇ ଚାଲିଥିଲେ ସାବିତ୍ରୀ ଦେବୀ l ବନ୍ଧୁ ବର୍ଗ ଜ୍ଞାତି ଆତ୍ମୀୟ ସ୍ୱଜନଙ୍କ ଆକୁଳ କ୍ରନ୍ଦନ ରେ ଫାଟି ପଡୁଛି ଘର ଆଉ ସମଗ୍ର ରତନପୁର l

       କୌଣସିମତେ ସାବିତ୍ରୀଦେବୀ ପୁଅର ମୃତ୍ୟୁ ଖବରକୁ ମାନିବାକୁ ପ୍ରସ୍ତୁତ ନଥିଲେ । ବରଂ ପୁଅ ଉପରେ ଅଭିମାନ କରି କହି ଚାଲିଥିଲେ ସେ କିଛି କାମରେ ବ୍ୟସ୍ତ ରହିଯାଇଥିବ ସେଥିପାଇଁ ଫୋନ କରି ପାରୁନି  l ସତରେ ମା' ମନ କେତେ ବେଳେ ବି ଦୁର୍ବଳ ନୁହଁ l ଯୋଉ ମା' ଅନ୍ତ ଚିରି ଜନ୍ମ ଦିଏ ପୁଅର ମୃତ୍ୟୁକୁ ସ୍ୱୀକାର କରିବ କେମିତି ? ସେଇଟା କ'ଣ ସହଜ !!! ବପା ଜିତେନ୍ଦ୍ର କିନ୍ତୁ ଖବରର ସତ୍ୟାସତ୍ୟ ଜାଣି ସାରିଥିଲେ । ତାଙ୍କ ପୁଅ ମନୁଆ ଆଉ ନାହିଁ ; ଭାଙ୍ଗି ଯାଇଛି ତାଙ୍କ ସ୍ୱପ୍ନର ଘର, ଉଜୁଡ଼ି ଯାଇଛି ସଂସାର । ତାଙ୍କ କୋକେଇ କାନ୍ଧେଇବା ପାଇଁ ଆଉ ନାହିଁ ତାଙ୍କ ଏକ ମାତ୍ର ପୁଅ ମନୋଜ, ଯାହାର କାନ୍ଧରେ ମଶାଣିକୁ ଯିବାର ସ୍ବପ୍ନ ଦେଖି ଥିଲେ । ଯାହା ହାତ ନିଆଁରେ ସ୍ୱର୍ଗ ପ୍ରାପ୍ତିର କଳ୍ପନା କରିଥିଲେ, ସେ ଆଜି ହାତ ପାହାନ୍ତାରୁ ଅନେକ ଦୂରରେ l ଅମାନିଆ ଲୁହ ବାପା ମନକୁ ନିର୍ବାକ ବନେଇ ଦେଇଛି ।  ବଜ୍ରଟା ଯେମିତି ତାଙ୍କ ପରିବାର ଉପରେ ଖସି ପଡ଼ିଛି l ଅସ୍ତବ୍ୟସ୍ତ ବାପାର ମନଟା, ଭାରି ବ୍ୟସ୍ତ ଆଉ ଯନ୍ତ୍ରଣାରେ ଛଟପଟ । ସତରେ କ'ଣ ମୋ ମନୁଆ ଆଉ ନାହିଁ !! ହେ ମା' କଟାକଚଣ୍ଡୀ ! ଏ କଥା ମିଛ ହେଇ ଥାଉ, ହେ ମା' କରୁଣାଦାୟିନୀ ମୋ ସଂସାରକୁ ରକ୍ଷା କର ମା' ।
ଏମିତି ଅନେକ ଗୁହାରି କରି ନିଜ ବାପ ମନକୁ ଶାନ୍ତ୍ୱନା ଦେଇ ଚାଲିଥିଲେ ଜିତେନ୍ଦ୍ର l ଆତଙ୍କୀର ଆକ୍ରମଣ ପୁଲବାମାରେ ନୁହଁ ବରଂ ତାଙ୍କ ହୃଦୟରେ ହୋଇଛି । ଏତେ ସଂଖ୍ୟକ ସାମ୍ବାଦିକଙ୍କ ପ୍ରଶ୍ନ ବାଣ ଆଉ ପ୍ରତିକ୍ରିୟା ତାଙ୍କୁ ଯେମିତି ହତବାକ ସଜେଇ ଦେଇଥିଲl l 

      ଫଗୁଣ ତ ରଙ୍ଗୀନ l ସୁହାଗିନୀ ର ସିନ୍ଦୁରକୁ ଆଉ ଟିକେ ନାଲି କରେ । ସଂସର୍ଗ ଜୀବନରେ ଯୋଡ଼ି ଦିଏ ନୂଆ ଏକ ଫର୍ଦ । ଏ ଫଗୁଣ ଯେ ଅଭିଶପ୍ତ l ଆସିଛି ସତ କିନ୍ତୁ ରଙ୍ଗହୀନ ହୋଇ l କେତେ ପ୍ରତିଶ୍ରୁତି ଦେଇ ଯାଇ ଥିଲେ ବ୍ୟସ୍ତ ହବନି ଲିଲି l ମୁଁ ମାର୍ଚ୍ଚରେ ଆସିବି l ଆଉ ହଁ, ଏଥର ଆସିଲା ବେଳେ ମୋ ଗେହ୍ଲି ଝିଅ ଯେମିତି ମୋତେ ସ୍ପଷ୍ଟ ଭାବରେ ପାପା ଡାକିବ l ଆଉ ସେ ଦାୟିତ୍ୱ ତମେ ଭଲ ଭାବରେ ନିଭେଇବ । ନହେଲେ ଆଉ କେବେ ଆସିବିିନି l ଅଭିମାନ କରି ଚାଲିଯିବି ଯେ ଆଉ ପାଇବନି l ଲିଲିକୁ ମନୋଜ ଭାରି ଭଲ ପାଉ ଥିଲେ ।  ଦେଶ ସେବାରେ ବ୍ରତୀ ମଣିଷ କେବେ ଅକୃତଜ୍ଞ, ଅବିବେକୀ, ସ୍ୱାର୍ଥପର ହେଇପାରେନା । ସ୍ତ୍ରୀ, ଦେଶ,ଜନନୀ,ଜନତା ଓ ମାତୃଭୂମି ସବୁ ତା' ଦୃଷ୍ଟିରେ ମହାନ l ଘରର ଗୋଟିଏ କୋଣରେ କାନ୍ଥକୁ ଆଉଜି ଲୁହର ବନ୍ୟା ବୋହି ଚାଲିଥିଲା ଲିଲି l ହାଏରେ ବିଧାତା ଏ କି ଦାରୁଣ ଦୁଃଖ ଦେଲୁ l ସ୍ୱାମୀ ପାଇଁ ଆୟୁଷ ସଞ୍ଚାରେ ଯୋଉ ସିନ୍ଦୂର ଟୋପାରେ ସେ ଲିଭି ଯିବ । ଦାମ୍ପତ୍ୟ ଜୀବନ ରୂପି କଳିକା ଫୁଟିବା ଆଗରୁ ମଉଳି ଯିବା ଦୁଃଖରେ ମ୍ରିୟମାଣ ଲିଲି l ବାରମ୍ବାର ମନୋଜଙ୍କ ସନ୍ତକ ମନସ୍ବିନୀକୁ ଅନେଇ ମୁଠା ମୁଠା ଲୁହ ଅଜାଡ଼ି ଦେଉ ଥିଲା ଲିଲି l ସୁଖ ଆଉ ଜୀବନରେ ନାହିଁ l ବାରମ୍ବାର ମୁର୍ଚ୍ଛା ଯାଉଥିଲା ବିଚାରି l 

      ସତରେ ବିଧାତାର ଏଇ କ'ଣ ବିଚାର ! ବାପ ଛେଉଣ୍ଡ ହେଇଗଲା ବର୍ଷକର ଅବୋଧ ଶିଶୁ l ନିଆଳିର ନୀଳା-ରତନପୁରର ରତ୍ନହାର ମନୋଜ କୁମାର ବେହେରା ଶହୀଦ ହୋଇ ଯାଇଛି l ଦେଶ ସାରା ହା' ହା' କାର l ପିଲାଠୁ ବୁଢ଼ା ସମସ୍ତେ ସ୍ତବ୍ଧ l ଜମ୍ମୁରୁ ଶ୍ରୀନଗର ଫେରୁଥିଲା ବେଳେ ପୁଲବାମା ଜିଲ୍ଲା ଅବନ୍ତିପୁରା ଆତଙ୍କବାଦୀ ଆକ୍ରମଣରେ ଚାଳିଶି ଜଣ ଯବାନ ଶହୀଦ ହୋଇ ଯାଇଛନ୍ତି l ଦେଶ କାନ୍ଦୁଛି ; ନଦୀ ପାହାଡ଼ ତରୁ ଲତା ସବୁରି ଆଖିରେ ଲୁହ l ଶହୀଦ ମନୋଜ ଅମର ରହେ ଧ୍ୱନିରେ ଫାଟି ପଡୁଛି ସାରା ରତନପୁର l
ମା' ସାବିତ୍ରୀ ଦେବୀ ଏକୋଇ ପୁତ ମନୋଜଙ୍କ ଅବାଞ୍ଛିତ ବିୟୋଗରେ ପାଗଳୀ ପ୍ରାୟ l ଲୁହ ଧାର ଆଖି ସୀମା ଡେଇଁ ପାଦ ଛୁଇଁଲାଣି l ସେ ତ ଆଉ ପୁରାଣର ସାବିତ୍ରୀ ପରି ଯମ କବଳରୁ ପୁଅକୁ ଫେରେଇ ଆଣି ପାରିବେନି, ଶହୀଦ ଜନନୀ ସାବିତ୍ରୀ  କିନ୍ତୁ ପୁଅର ଉତ୍ସର୍ଗିକୃତତାକୁ ଭାଳି ଭାଳି ଗଭୀର ମ୍ରିୟମାଣ l ମୃତ୍ୟୁ ଯନ୍ତ୍ରଣା ଦିଏ ସତ,କିନ୍ତୁ ମନୋଜ ବିନା ସେ ତ ସବୁ ଦିନ ଯନ୍ତ୍ରଣା ଭୋଗିବେ ।  ମୃତ୍ୟୁ ଠାରୁ ଅଧିକ କଷ୍ଟ ମନୋଜର ବିୟୋଗ ତାଙ୍କ ହୃଦୟକୁ ବିଦାରଣ କରୁଛି l ଶହୀଦର ତିଳକ ଲଗେଇ ଜନ୍ମଭୂମିକୁ ଫେରିଲା ବୀରପୁତ୍ର l ଲକ୍ଷ ଲକ୍ଷ ଶୋକାକୁଳ ଜନତାଙ୍କ ମୁହଁରେ ଗୋଟିଏ କଥା ସହିଦ ମନୋଜ ଅମର ରହେ l

           ସାବିତ୍ରୀ ଦୌଡ଼ିଗଲେ ବୋହୁ ଲିଲି ପାଖକୁ l କୁଣ୍ଢେଇ ପକେଇ ସବୁ କୋହ ଅଜାଡ଼ି ଦେଲେ ବୋହୂ କୋଳରେ l ଉପସ୍ଥିତ ଜନତାଙ୍କ ମୁହଁରେ ଗୋଟିଏ କଥା ମନୋଜ ଆମ ନିଆଳିର ନୀଳା ଆଉ ରତନ ପୁରର ରତ୍ନହାର lପ୍ରେମ ଦିବସରେ ସମସ୍ତଙ୍କ ପ୍ରେମକୁ ଗୁନ୍ଥି ମାଳ କରି ପିନ୍ଧେଇ ଦେଲେ ଶହୀଦଙ୍କ କଣ୍ଠରେ l ଆମ ଗାଜାବର ଉ. ପ୍ରା ବିଦ୍ୟାଳୟ ଏବେ ହେବ ଶହୀଦ ମନୋଜ ବେହେରା ଉ. ପ୍ରା ବିଦ୍ୟାଳୟ l ଏଠି ସୃଷ୍ଟି ହେବେ ଶହ ଶହ ମନୋଜ ଯେଉଁମାନେ ଆତଙ୍କବାଦ ବିରୁଦ୍ଧରେ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼େଇ କରି ଦେଶର ନାମ ରଖିବେ l

ଶହୀଦ ସ୍ୱାମୀଙ୍କ କୈଫନକୁ ଶେଷ ଆଲିଙ୍ଗନ କରିଥିଲା ଲିଲି । ଶେଷ ଲୁହରେ ଅଜାଡ଼ି ଦେଇଥିଲା ନିଜ ଜୀବନର ସବୁ ଭଲପାଇବା l କେବଳ ଗୋଟିଏ ପ୍ରତିଜ୍ଞାରେ । ଆଜି ଚାଲିଗଲ ତମେ l କଥା ଦଉଛି ତମ ଝିଅକୁ ତମରି ପରି ବଡ଼ କରିବି l ତମେ ଅମର l ଏଇ ମାଟି ପାଣି ପବନରେ ଛାଡ଼ି ଗଲ ଛାପ ।  I Love u I Love u I Love u........ କାନ୍ଦିକାନ୍ଦି ତଳେ ଲୋଟି ପଡ଼ିଥିଲା ଲିଲି l
ବଲାଙ୍ଗୀର 
ଜୟ ସାହିତ୍ୟ, ଜୟ ସମାଜ

ସଲାମ୍ ଶହୀଦ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ
ତୋତେ ଯେ ମାଇଲା
              ତା'କୁ ତୁ ମାର l
ଏଥିରେ କରନା
              ବାଛ ବିଚାର ll
ସ୍ଵତନ୍ତ୍ର ସୁବିଧା
              ବାଜ୍ୟାପ୍ତ କର l            
ତିନିଶ' ସତୁରି
             ଉଚ୍ଛେଦ କର ll
ବିକାଶ ପଛକେ
             ନ ହେଉ ଜନ୍ମ l              
ମ୍ୟାଆପ୍‌ରୁ ଉଡ଼ା
             ପାକ୍‌ର ନାମ ll    
କାହାକୁ ଘଇତା
             କରିଛି ସିଏ l
ବାହାରି ଆସରେ
              ଶ୍ଵଶୁର ପୁଏ ll
ଆରେ ନେତା ଗଣ
              ପାର୍ଟିକୁ ଛାଡ l
ଚଉକି ମୋହରେ
              ଜମା ନ ପଡ ll
ସିନ୍ଧୁ ନଦୀ ପାଣି
              ସମୁଦ୍ର ଯାଉ l
ପାକିସ୍ତାନ ଗୋଟେ
              ବୁନ୍ଦା ନ ପାଉ ll
ନାତେ ନ ପାରିଲେ
              ଭାତରେ ମାର I
ନୋହିଲେ ଜହର
              ପିଇ କି ମର ll
Guard Of Honour: Sahid Tapan,Sanapatasundarpur,Cuttack
ଲୋକସଭା ଭୋଟ
              ପଛକୁ ଥାଉ l
ପାକିସ୍ତାନେ ଶୋକ
              ସଭାଟା ହେଉ ll                              
ସର୍ଜିକାଲ ଛାଡି 
              ସର୍ଜରୀ କର l
ସାବାଡ ହେଉ ସେ 
              ବାୟା କୁକୁର ll                                       
ଯଦି ତମେ ଗୋଟେ 
               ବୋପାର ପିଲା l
ତେବେ ବାଃ ବାଃ 
                ପାଇବ ଭଲା ll
ନାଇଁ ଯଦି ତେମେ 
                ଅଣ ପୁରୁଷା l
ଲାଙ୍ଗୁଡ଼କୁ ଜାକି 
                ଲୁଚରେ ମୂଷା ll
ଦିଅ ନାଇଁ ୟା'କୁ 
                 ପଲିଟିକ୍ସ ରଙ୍ଗ l
ଲୋକ ବୁଝିଲେଣି 
                 ତମ ସୁଆଙ୍ଗ ll
ବେଶି ଲେଖିବାକୁ 
                  ଧଇଯ୍ଯ ନାଇଁ l
ଇଚ୍ଛା ପାକିସ୍ତାନ 
                  ଯାଆନ୍ତି ଧାଇଁ ll
ସହିଦ୍ ଙ୍କୁ ମୋର 
                  କୋଟି ସଲାମ l
ତୁମ୍ଭ ବଳିଦାନେ 
                  ବାଧେ ମରମ ll
ଅଶ୍ରୁଳ ଶ୍ରଦ୍ଧାଞ୍ଜଳି I ସଲାମ୍ ଶହୀଦ୍ l ଜୟ ହିନ୍ଦ l ବନ୍ଦେ ମାତରମ୍ I 
ବନ୍ଦେ ଉତ୍କଳ ଜନନୀ l ଜୟ ଜଗନ୍ନାଥ ସ୍ଵାମୀ l

(ଡ଼ିଆ,ନିରାକାରପୁର,ଖୋର୍ଦ୍ଧା)
ଜୟ ସାହିତ୍ୟ, ଜୟ ସମାଜ

ମହାଜାଗତିକ ସେତୁ ସନ୍ଥଗୋସ୍ବାମୀ ବାହୁଡା ଦାସ

ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ

                ଅଜ୍ଞାନର ନିବୃତ୍ତି ନହେଲେ ସଂସାରରୁ ନିବୃତ୍ତିହେବା ଅସମ୍ଭବ ଏବଂ ମୋକ୍ଷଲାଭ ଆକାଶ କୁସୁମରେ ପରିଣତ ହୁଏ । ତେଣୁ ଅଜ୍ଞାନରୂପକ ଅନ୍ଧକାର ମଧ୍ଯରୁ ଆଲୋକର ସନ୍ଧାନ ପାଇଁ ମହାପୁରୁଷଙ୍କ ବାଣୀ ମନୁଷ୍ୟକୁ ଯଥାର୍ଥ ମାର୍ଗପ୍ରଦର୍ଶନ କରେ ।ସେଥିପାଇଁ ପୂଣ୍ୟଭୂମି ଭାରତବର୍ଷରେ ଯୁଗେ ଯୁଗେ ମାହାତ୍ମା,ଦେବତା,ଋଷି,ସିଦ୍ଧଯୋଗୀ ଏ ଧରାଧାମକୁଆସିଛନ୍ତି । ଭାରତବର୍ଷରେ ଯେତେବେଳେ ଅଧର୍ମ ବଢିଛି,ଧର୍ମର ହାନି ହୋଇଛି, ସେତେବେଳେ ମହାପୁରୁଷ ମାନଙ୍କର ଆର୍ବିଭାବ ହୋଇ ଭକ୍ତିଜ୍ଞାନର ଧାରା ଏ ଭାରତବର୍ଷରେ ପ୍ଲାବନ କରିଛନ୍ତି ।ସେହି ମହାନ ମହାପୁରୁଷମାନଙ୍କ ମଧ୍ୟରେ ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସ ଥିଲେ ଅନ୍ଯତମ । ସେ ଜଣେ ସନ୍ଥ,ତତ୍ତ୍ବଦର୍ଶୀ,ଭକ୍ତ,କବି,ଯୋଗୀସମାଜ ସଂସ୍କାରକ  । ୧୭୫୦ ଖ୍ରୀଷ୍ଟାଦ୍ଦରେ ପିତା‐ଧର୍ମୁକାଣ୍ତି,ମାତା‐ଗୁରୁବାରୀ ଦେଈଙ୍କ ଔରସରୁ ଶରୀରରେ ଶଙ୍ଖ,ଚକ୍ର,ଗଦା,ପଦ୍ମ ଚିହ୍ନ ସହିତ ଭୂମିଷ୍ଠ ହୋଇଥିଲେ  କଣ୍ଟାପଡା ବ୍ଳକର ଖନ୍ଦୋଳ ଗ୍ରାମରେ । ସେ ସର୍ବଗୁଣ ସମ୍ପନ୍ନ ଅଲୌକିକ  ଶକ୍ତିର ଅଧିକାରୀ ଥିଲେ । ନିଜହୃଦୟ ଭିତରେ ପରମେଶ୍ବରଙ୍କ ଭଜନ ସବୁବେଳେ ଗୁଣୁଗୁଣୁ ହୋଇ ଭଜୁଥିଲେ ।ସେ କହୁଥିଲେ‐ମନରେ ଆକୁଳତା ନଥିଲେ ଭଗବାନ ମିଳନ୍ତିନାହିଁ । ଭାବରେ ବନ୍ଧା ସେ ମନରମୋହନ ।କୁଶ ଜଙ୍ଗଲରେ ଥିବା ଏକ ମଠରେ ବଟବୃକ୍ଷ ମୂଳେ ସବୁବେଳେ ଭଜନରେ ନିଜକୁ ତଲ୍ଲୀନ କରିଦେଉଥିଲେ । ସର୍ବଦା ସେ କହୁଥିଲେ ମଣିଷମନ ଯେ ପର୍ଯ୍ଯନ୍ତ ଅର୍ନ୍ତମୁଖୀ ହୋଇ ବିଶ୍ବାସର ସହ ପ୍ରଭୂଙ୍କ ନିକଟରେ ସମର୍ପିତ ନ ହୋଇଛି,ତା'ର ଜୀବନରେ ମୁକ୍ତି ଅସମ୍ଭବ ।ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ତାଙ୍କ ଆଧ୍ଯାତ୍ମିକ ମାର୍ଗରେ ସମସ୍ତଙ୍କୁ ପରିଚାଳିତ କରିବାକୁ ଅନେକ ଉପଦେଶମାନ ଦେଇ ଭକ୍ତି,ବିଶ୍ବାସ ଜୀବନର ମାର୍ଗ ବୋଲି ସୂଚାଇଥିଲେ ।
SANTHA BAHUDA DAS

ଏକବ୍ରହ୍ମ ଦ୍ବିତୀୟ ନାସ୍ତି ,ବହ୍ମ ସତ୍ୟ ଜଗତ ମିଥ୍ୟା,ବ୍ରହ୍ମଜ୍ଞାନ ହିଁ ମୁକ୍ତିର କାରଣ । ଏହାକୁ ଉପଲବ୍ଧି କରି ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କ ଏହି ଭଜନ ପଂକ୍ତିଟି ମଣିଷର ମନକୁ ବ୍ରହ୍ମଚିନ୍ତନ ମାର୍ଗକୁ ଧାବିତ କରାଏ । "ନୂଆ ଘର ଖଣ୍ତି ଦିନେ ପୁରୁଣା ହେବ.....ମାରିବ ଶୂନ୍ୟ ଲହରୀ ଥୟ ନୋହିବ,ସେ ଘର ପାଞ୍ଚସେଣିଆ,ଦଶଦ୍ବାର ତ୍ରିକୋଣିଆ,ରୂଅ ଯାକ ଘଣିଖିଆ,ଟଳିପଡିବ .....କାକ୍ଷର ଖମ୍ବପୋତି,ଘରକୁ ରଖ ସାଇତି ; ବାହୁଡା ଦାସର ମତି ନିଶ୍ଚଳେ ଥିବ  "। ଏହି ଭଜନଟି ପ୍ରତ୍ୟେକ ମଣିଷର ମନକୁ ନିଶ୍ଚୟ ସଜାଡି ଦେବ ।
                ଯେଉଁ ବ୍ରହ୍ମ ଅଚିନ୍ତନୀୟ,ଅପ୍ରକାଶିତ,ତ୍ରୀଗୁଣୀୟ(ସତ୍ୟ,ଶିବ,ସୁନ୍ଦର)ଯାହାଙ୍କ ସ୍ପର୍ଶ କରିପାରିନାହିଁ,ତ୍ରୀଗୁଣାତ୍ମ  ଓ ଅଖିଳ ବ୍ରହ୍ମାଣ୍ତର ଅଧିଷ୍ଠାତା ସେହି ବ୍ରହ୍ମାଙ୍କ ଠାରେ ଶରଣ ଯାଅ । କାହିଁକିନା‐ତାଙ୍କ ଭଜନର ସାରମର୍ମ ଥିଲା "ନୂଆଘରଖଣ୍ତି ଦିନେ ପୁରୁଣା  ହେବ" । ଏହି ପୃଥିବୀରେ କେହି ବି ସବୁକାଳ ପାଇଁ ରହି ନାହିଁ ।ମାତୃଗର୍ଭରୁ ଭୂମିଷ୍ଠ ହୋଇ ପୃଥିବୀରେ ବଢି, ଖେଳି, ଖାଇ ଦିନେ ନା ଦିନେ ସମୟ ଅତିକ୍ରାନ୍ତ ହୋଇଯିବ । ଏ ଶରୀର ରୂପକ ଘଟରୁ(ଘରୁ) ପ୍ରାଣପକ୍ଷୀଟି ଦିନେ ଯେଉଁ ଶୂନ୍ୟରୁ ଆସିଥିଲା, ସେହି ଶୂନ୍ଯକୁ ଚାଲିଯିବ ।

      ପୃଥିବୀକୁ ଛାଡିଯିବାକୁ ଆମେ ମୃତ୍ୟୁ କହୁ ।ପୃଥିବୀକୁ ଆସିବାକୁ ଜନ୍ମ କହୁ । ମୄତ୍ଯୁ ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା ।କାଳନିମିଷରେ ଆସୁଥିବା ଧନ,ଜନ,ଯୌବନକୁ ନେଇ ଗର୍ବ କରନାହିଁ । ମାୟାମୋହ ସଂସାରରୁ ବ୍ରହ୍ମର ଅନୁସନ୍ଧାନ କର ।ଏ ଜୀବନ ପଦ୍ମପତ୍ର ପରିସ୍ଥିତ ଜଳ ଠାରୁ ମଧ୍ଯ ଅଧିକତର ଚଞ୍ଚଳ । ଏ ଜଗତ ସତ୍ଯ ନୁହେଁ । ଏ ଶରୀର ସତ୍ୟ ନୁହେଁ । ଇନ୍ଦ୍ରିୟ ଗୁଡିକ ସତ୍ଯ ନୁହଁଁ । ଏ ପ୍ରାଣ ବି ସତ୍ୟ ନୁହଁ । ଏହି "ପ୍ରାଣ" ଶଦ୍ଦଟି ଦୁଇଟି ଶଦ୍ଦର ମିଳନରେ ହୋଇଛି ।"ପ୍ରା" ଅର୍ଥ ହେଉଛି "ଆଗେ" ତଥା "ଣ"ର ଅର୍ଥ "ଶ୍ବାସନେବା" । ଏଣୁ ପ୍ରାଣର ଅର୍ଥହେଲା‐ଆଗେଶ୍ବାସ ନେଉଥିବା" । ସୂକ୍ଷ୍ମ ଶରୀର ପ୍ରାଣକୁ ଗ୍ରହଣ କରି ଭୌତିକ ଶରୀର ପ୍ରତ୍ଯେକ ଅଣୁ ମଧ୍ୟରେ ପହଞ୍ଚାଇଥାଏ । ଭୌତିକ ଶରୀର ପଞ୍ଚମହାଭୂତରେ ତିଆରି । ଭଗବାନ ରାମ ଶ୍ରୀରାମ ଚରିତ ମାନସ କିସ୍କିନ୍ଧ୍ୟାକାଣ୍ତ "ଦୋହା"‐୧୦, ଚୌପାଇ—୦୨ରେ କହିଛନ୍ତି "କ୍ଷିତିଜଳପାବକଗଣନ ସମୀରା ପଞ୍ଚରଚିତ ଅତି ଅଧମ ଶରୀରା" ପଞ୍ଚତତ୍ତ୍ବରେ ତିଆରି ଏହି ଶରୀର ହୋଇଛି । ଓଡିଆରେ ଏକ କଥା ଅଛି‐"ପିଣ୍ତବ୍ରହ୍ମାଣ୍ତ ଏକମତ" ଅର୍ଥାତ ସମ୍ଫୂଣ୍ଣ ବିଶ୍ବମଧ୍ଯ ଏହି ପଞ୍ଚତତ୍ତ୍ବରେ ତିଆରି ହୋଇଛି ବୋଲି ବୈଦିକ ସାଂଖ୍ଯ ଦର୍ଶନଙ୍କ ବି ମତ । ଏହି ଦର୍ଶନ ଏହାକୁ ପଞ୍ଚିକରଣ ନାମ ଦେଇଛି । ଆମ ଶରୀରଟି ସମ୍ପୂର୍ଣ୍ଣ ପଞ୍ଜିକରଣର ପରିଣାମ ଅଟେ । ଏହି ପଞ୍ଚତତ୍ବ ଓ ଏହାର ତନାନ୍ତ୍ର ଗୁଡିକ ହେଉଛି ତତ୍ତ୍ବ‐ତନାନ୍ତ୍ର‐ଶରୀର ସହ ସମ୍ବନ୍ଧ(୧) ପୄଥିବୀ‐ଗନ୍ଧ‐ନାକ ଏବଂ ଉପସ୍ଥ(୨) ବାୟୁ‐ସ୍ପର୍ଶ‐ତ୍ବଚା ଏବଂ ହାତ(୩) ଆକାଶ‐ଶଦ୍ଦ‐କାନ ଏବଂ ବାଣୀ(୪)ତେଜ‐ରୂପ‐ନେତ୍ର ଏବଂପାଦ(୫) ଜଳ‐ରସ‐ଜ୍ବିହା ଏବଂ ବାୟୁ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ତନାନ୍ତ୍ର କଣ ? ତନାନ୍ତ୍ରର ଅର୍ଥ ହେଉଛି‐ଶୁଦ୍ଧତତ୍ତ୍ବ । ଯେପରି ରସାୟନ ଶାସ୍ତ୍ରର ମୂଳତତ୍ତ୍ବ ଅଛି,ସେପରି ଏହି ପଞ୍ଚତତ୍ତ୍ବର ମୂଳତତ୍ତ୍ବ ହେଉଛି‐"ତନାନ୍ତ୍ର" । ପଞ୍ଚତତ୍ତ୍ବ ମିଶି ଶରୀର ଗଠନ ହୋଇଛି, ତେଣୁ ଶରୀର ଭିତରେ ଥିବା ପ୍ରାଣ ଆଖିକୁ ଦେଖି ବାର,କାନକୁ ଶୁଣିବାର,ହାତ-ଗୋଡ ସଞ୍ଚାଳନ କରିବାର ଶକ୍ତି ଦେଇଥାଏ । ଏହି ପ୍ରାଣ ହିଁ ପ୍ରତ୍ଯେକ ଅବୟବକୁ ଶକ୍ତି ଯୋଗାଇଥାଏ । ଯେତେବେଳ ପର୍ଯ୍ଯନ୍ତ ଏହିସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ମଧ୍ଯରେ ଅଛି,ସେତେବେଳ ପର୍ଯ୍ଯନ୍ତ ସ୍ଥୂଳଶରୀର ଶ୍ବାସ ନେଇ ପାରୁଥାଏ ଏବଂ ଜୀବିତ ରହିଥାଏ । ଏ ଶରୀର ଯେବେ ବୟସ୍କ ହେବ,ସମସ୍ତ ଇନ୍ଦ୍ରିୟ ଆସ୍ତେ ଆସ୍ତେ ଶିଥିଳ ହୋଇଯିବେ,ଘଣିଖିଆ ହେବେ ଅର୍ଥାତ ବିଭିନ୍ନ ପ୍ରକାର ରୋଗମାନେ ଆକ୍ରମଣ କରିବେ । ତେଣୁ ସନ୍ଥ ଗୋସ୍ବାମୀଙ୍କ ଚେତନାବାଣୀ ହେଉଛି,ହେ ମାନବଗଣ !ଏ ଶରୀର କ୍ଷଣଭଙ୍ଗୁର,ପଞ୍ଚମହାଭୁତରେ ଗଢା ଏବଂ ଅପବିତ୍ର ପୂତିଗନ୍ଧମୟ, ତହିଁରେ କି ସୁଖ ଅଛି ? ଜୀବନ ଅନିଶ୍ଚିତ । ଆକାଶରେ ନୁହେଁ କି ସାଗରରେ ନୁହେଁ,ପର୍ବତଶୄଙ୍ଗରେ ନୁହେଁ କି,ପୃଥିବୀରକୌଣସି ଜାଗାରେ ନୁହଁ,ଯେଉଁଠି କୌଣସି ବ୍ଯକ୍ତି ମୃତ୍ୟୁ ପାଖରୁ ନିଜକୁ ମୁକ୍ତ କରିପାରିବ ?

    ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପୃଥିବୀ, ଜଳ,ବାୟୁ,ଆକାଶ ମନ, ବୁଦ୍ଧି, ଅହଂଙ୍କାର, ଚିନ୍ତା ଚେତନା ଏ ଅଷ୍ଟପ୍ରକୃତି ହେଉଛି ବିଭାଜିତ ମୋ ପ୍ରକୄତି ।ଯେହେତୁ ପ୍ରଭୂଙ୍କଠାରୁ ସୃଷ୍ଟି ଏ ଅଷ୍ଟପ୍ରକୃତି ଓ ପଞ୍ଚମହାତତ୍ବରେ ସମସ୍ତ ପ୍ରାଣୀ ସୃଷ୍ଟି ନିଶ୍ଚୟ ଦିନେ ମାଟିରେ ମିଶିବେ । ପ୍ରାଣପକ୍ଷୀ ଶୂନ୍ଯକୁ ଉଡିଯିବ । ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରକୁ ତ୍ଯାଗ କରିଦେବ । ସେତେବେଳେ ସ୍ଥୂଳ ଶରୀର ନଷ୍ଟ ହୋଇ ନିଷ୍ପ୍ରାଣ ହୋଇ ମୃତ୍ୟୁ ହେବ । ଏଣୁ ପ୍ରତ୍ୟେକ ମଣିଷ ଜୀବନ ଭୂମି ଓ ଭୂମା ମଧ୍ଯରେ ସେତୁ ।ଏହା ଅନନ୍ତ ଓ ଅସୀମ । ଅହରହ ସମ୍ପ୍ରସାରିତ ହେବା ହିଁ ଜୀବନ । ସଙ୍କୋଚନ ହେବା ହିଁ ମୃତ୍ଯୁ । ବଞ୍ଚିବା ଏକ ନାଟକ । ଜୀବନ ଏକ ମହାନାଟକ । ମାତୃ ଗର୍ଭରୁ କଅଁଳ ନିଷ୍ପାପ ଶିଶୁଟି ଭୂମିଷ୍ଠ ହୋଇ ଶିଶୁରୁ କିଶୋର, ଯୌବନ ଅତିକ୍ରାନ୍ତ କରି ବୃଦ୍ଧାବସ୍ଥାରେ ପହଞ୍ଚେ । ଚଳଚଞ୍ଚଳ ଥିବା ଦଶ ଇନ୍ଦ୍ରିୟମାନେ କ୍ରମେ କ୍ରମେ ଶକ୍ତିହୀନ ହୋଇ ଆହାର, ବିହାର, ନିଦ୍ରା ଠାରୁ ଦୂରେଇ ରହନ୍ତି । ଫଳରେ ଇନ୍ଦ୍ରିୟମାନେ ନିସ୍ତେଜ ହୋଇଯାଇ ମୃତ୍ଯୁର ଦ୍ବାର ଦେଶରେ ଅପେକ୍ଷାରତ ଥାଆନ୍ତି । ମୃତ୍ଯୁ ମଧ୍ଯ ନ ଛାଡି  ତା' କାଳଗର୍ଭକୁ ନେଇ ଯାଇଥାଏ ଶେଷମୂହୁର୍ତ୍ତରେ ।ଯେତେବେଳେ ନୂଆଲୁଗା ପୁରୁଣାହୋଇ ଚିରିଯାଏ ତାକୁ ଫୋପାଡି ଦିଆଯାଏ ।ସେହିଭଳି ଆତ୍ମା ,ଯାହାକି ଅବିନାଶୀ । ପୁରୁଣା ଶରୀରକୁ ତ୍ଯାଗକରି ଚାଲିଯାଏ ପୁଣି ଏକ ନୂଆମାତୃ ଗର୍ଭକୁ ନୂଆ ଚେହେରାପାଇଁ । ଏହିପରି ଜନ୍ମ ମୃତ୍ୟୁର ଚକ୍ରରେ ଧରାପଡିବା ହିଁ ବାସ୍ତବଦୁଃଖ । ଏହି ଦୁଃଖରୁ ରକ୍ଷା ପାଇବାପାଇଁ ଏକାକ୍ଷର ଖମ୍ବପୋତି ଅର୍ଥାତ ମନକୁ ବ୍ରହ୍ମ ସହିତ ଏକତ୍ର କରିଦିଅ । ମହାନ ସନ୍ଥଙ୍କ ବାଣୀ‐ଏକାକ୍ଷର ଖମ୍ବପୋତି ଘରକୁ ରଖ ସାଇତି" । ଆମର ସ୍ଥୂଳ ଚେତନାର ଉର୍ଦ୍ଧରେ ଅଛି ଏକ ମହାଜାଗତିକ ଚେତନା"। ଯାହା ଆମପାଖରେ ଅଜ୍ଞାତ,ଆମସହିତ ଚିର ରହସ୍ୟମୟ । ପରମାତ୍ମା ଆତ୍ମା ଦ୍ବାରା ନିଜର ସ୍ଥିତିକୁ ଜାହିର କରିଥାନ୍ତି ।ଲୋଭ,ମୋହ,ମିଥ୍ଯା,ମାୟା,କ୍ରୋଧ,କାମନା ବାସନା ଲୁକକାୟିତ ଥିବା ଏ ଷଡରିପୁ ହିଁ ମେଘ ଦେହରେ ବିଜୁଳୀପରି ଅସ୍ଥିର କରାଇଦିଅନ୍ତି । ତେଣୁ ଏ ଷଡରିପୁଙ୍କୁ ଦମନ କରିବାକୁ ହେଲେ ଦିବ୍ଯପୁରୁଷ ଦିବ୍ୟମାନବ,ସାଧୁସନ୍ଥଙ୍କର ଆବଶ୍ୟକତା ପଡିଥାଏ । ସତ୍ୟର ସ୍ବରୂପ ପାଇବାପାଇଁ ମନକୁସ୍ଥିର ରଖି ମୁକ୍ତି ପାଇବାକୁ ଭକ୍ତି ଓ ବିଶ୍ବାସରେ ନିଷ୍ଠା ,ଏକାଗ୍ରତାରେ ସନ୍ଥଙ୍କ ବଚନ ହୃଦୟଙ୍ଗମକରି ଆଧ୍ୟାତ୍ମିକ ନୈତିକତାର ପଥକୁ ଅନୁସରଣ କଲେ ନିଶ୍ଚୟ ମୁକ୍ତିକାମୀ ହୋଇଥାଏ ************************

ନରସିଂହପୁର,ଶ୍ରୀରାମନଗର,
ପିପିଲି,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

ଶହୀଦ ମନୋଜ ବେହେରା

ଜ୍ୟୋତ୍ସ୍ନା ସିଂହ 

    "ଭୂମେର୍ଗରୀୟସୀ ମାତା ସ୍ବର୍ଗଦୁଚ୍ଚତରଃ ପିତା
     ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।"

     ଜନକ, ଜନନୀ ଓ ମାତୃଭୂମିର ଗୌରବ ଭରି ରହିଛି ଏହି ଶ୍ଳୋକରେ  । ଜନ୍ମଭୂମି ପ୍ରୀତି ବ୍ଯକ୍ତିର ଏକ ନୈସର୍ଗିକ ପ୍ରବୃତ୍ତି । ଦେଶରେ ବାସ କରୁଥିବା ଆବାଳ - ବୃଦ୍ଧ - ବନିତା ପ୍ରତ୍ଯେକ ନିଜ ଦେଶ ପ୍ରତି ଅନୁରାଗୀ ହୋଇଥା'ନ୍ତି । ଦେଶର ସମୃଦ୍ଧି ଓ ଗୌରବରେ ତା'ର ଅଧିବାସୀ ଯେପରି ଉତ୍‌ଫୁଲ୍ଲ ହୋଇଥା'ନ୍ତି  ; ଦୁର୍ଭାଗ୍ୟ, ଅବନତି ଓ ପରାଧୀନତାରେ ସେପରି ବିଷାଦିତ ଓ ମ୍ରିୟମାଣ ହୋଇଥା'ନ୍ତି । ସୁବିମଳ ଓ ଉଚ୍ଚକୋଟୀର ଦେଶପ୍ରୀତି ଦେଶର ସଂସ୍କୃତି ଓ ସମ୍ମାନର ହେତୁ ଅଟେ । 

     ଜନନୀ ପ୍ରତି ସନ୍ତାନର ଯେଉଁ ଭକ୍ତି ଓ ସମ୍ମାନ ଥାଏ, ଜନନୀ ସ୍ବରୂପା ଜନ୍ମଭୂମି ପ୍ରତି ମଧ୍ୟ ସେହି ସମ୍ମାନ ଓ ଭକ୍ତି ରହିବା ଉଚିତ । ଦେଶପ୍ରେମ ଯୋଗୁଁ ଦେଶ ପ୍ରଗତିଶୀଳ ହୁଏ ଓ ଜନସାଧାରଣଙ୍କର ସ୍ବାଭିମାନ ବୃଦ୍ଧି ପାଏ । ମନୁଷ୍ଯ ଭାଗ୍ୟରେ ଉତ୍‌ଥାନ - ପତନ ପରି ଦେଶ ଓ ଜାତିର ଉତ୍‌ଥାନ - ପତନ ମଧ୍ୟ ସ୍ବାଭାବିକ । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶପ୍ରେମୀ ଯୋଗଜନ୍ମା ପୁରୁଷଙ୍କର ଆବିର୍ଭାବ ଘଟେ । ସେହି ଦେଶପ୍ରେମୀ ମହାତ୍ମାବୃନ୍ଦ ଦେଶପ୍ରେମରେ ଜନସାଧାରଣଙ୍କୁ ଉଦ୍‌ବୁଦ୍ଧ କରିଥା'ନ୍ତି । ଭାରତବର୍ଷର ଇତିହାସ ବହୁ ଦେଶପ୍ରେମୀଙ୍କ ତ୍ଯାଗ ଓ ବଳିଦାନରେ ଋଦ୍ଧିମନ୍ତ ହୋଇଛି । ସେମାନଙ୍କର ନାମ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି ।      
    
        ବାସ୍ତବରେ କହିବାକୁ ଗଲେ ଦେଶପ୍ରେମ ଏକ କଳା, ଏହି କଳା ସମସ୍ତଙ୍କ ପାଖରେ ନଥାଏ । ସମସ୍ତଙ୍କ ଭାଗ୍ୟରେ ସାଧୁ ଓ ସଚ୍ଚୋଟ ଦେଶପ୍ରେମୀ ହେବାର ସୁଯୋଗ ଆସି ନଥାଏ । କାପୁରୁଷ, ଭୀରୁ, ସ୍ବାର୍ଥପର ବ୍ୟକ୍ତି କେବେହେଲେ ଦେଶପ୍ରେମୀଟିଏ ହୋଇ ପାରିନଥାଏ । ବାସ୍ତବ ଦେଶପ୍ରେମୀ ସ୍ବାର୍ଥ ତ୍ଯାଗୀ ଅଟନ୍ତି, ଦେଶବାସୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରି ଦେଇଥାଆନ୍ତି । ବଳିଦାନର ବେଦିରେ ସେ ନିଜକୁ ବଳିଦାନ ଦେବାକୁ ପ୍ରକୃତ ଦେଶପ୍ରେମୀଟିଏ କେବେହେଲେ ପଛଘୁଞ୍ଚା ଦେଇ ନଥାଏ । ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ - 
      "ମିଶୁ ମୋର ଦେହ ଏ ଦେଶ ମାଟିରେ
        ଦେଶବାସୀ ଚ଼ାଲି ଯାଆନ୍ତୁ ପିଠିରେ 
        ଦେଶର ସ୍ବରାଜ ପଥେ ଯେତେ ଗାଢ଼
         ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"
ସତରେ ଦେଶପ୍ରେମୀର ଚିନ୍ତା,ଚେତନା ଓ କର୍ମରେ ଦେଶପ୍ରେମର ଭାବ,ଭକ୍ତି ଓ ଆନୁଗତ୍ୟ ପୂରି ରହିଥାଏ । ସହିଷ୍ଣୁତା ଓ ସ୍ବାର୍ଥ ତ୍ଯାଗ, ଦେଶପ୍ରେମକୁ ସଫଳ କରେ । ଭାବପ୍ରବଣତା ଓ ଯଥୋପଚାରିତା ଠାରୁ ସାଧୁ ଦେଶପ୍ରେମୀମାନେ ଦୂରେଇ ରହନ୍ତି । ନିଜ ପରିବାରଠୁ ସେ ଅଧିକ ଭଲପାଏ ତା'ର ଦେଶକୁ ; ନିଜ ଦେଶର ଉନ୍ନତି, ପ୍ରଗତି ଓ ଖୁସିରେ ସେ ନିଜର ଉନ୍ନତି,ପ୍ରଗତି ଓ ଖୁସି ବୋଲି ଧରି ନେଇଥାଏ । ଏଭଳି ଦେଶପ୍ରେମୀର ଦେଶପ୍ରେମକୁ ଦେଖିଲେ ସମସ୍ତଙ୍କ ମଥା ଆପେ ଆପେ ନଇଁ ଯାଏ । ଏଭଳି ସଚ୍ଚୋଟ ଦେଶପ୍ରେମୀଙ୍କ ପାଇଁ ଆଜି ଭାରତବର୍ଷ ଗରୀୟାନ୍ ପାଲଟିଛି ।

       ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ସମସ୍ତଙ୍କ ଅଗୋଚରରେ ଥିବା ଅମୂଲ୍ୟ ରତ୍ନଟିଏ ଦେଶ ସେବାରେ ଉଦ୍‌ବୁଦ୍ଧ ହୋଇ ନିଜକୁ ବଳିଦାନ ଦେଇ ସମସ୍ତଙ୍କୁ ଆଜି ହତଚକିତ କରିଦେଇଛି । ଜାମ୍ମୁ - କାଶ୍ମିର ପୁଲୱାମା ଜିଲ୍ଲାର ଅବନ୍ତିପୁର ଠାରେ ଗୁରୁବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜଙ୍କ ଶେଷ ଶୋଭାଯାତ୍ରା ଜନସମୁଦ୍ର ପାଲଟି ଯାଇଥିଲା । "ମନୋଜ ଅମର ରହେ" ଶବ୍ଦରେ ଆଜି ପ୍ରକମ୍ପିତ ସାରା ଅଞ୍ଚଳ । ଏଭଳି ଏକ ଦେଶପ୍ରେମୀଙ୍କୁ ପାଇ ନିଆଳି ମାଟିର ଛାତି ଗର୍ବରେ ଫୁଲି ଉଠୁଛି । ଅନେକ ଦେଶ ସେବକ ଅଛନ୍ତି ହେଲେ ଏଭଳି ସଚ୍ଚା ଓ ସାଧୁ ଦେଶପ୍ରେମୀ ମିଳିବା କଷ୍ଟକର । ନିଜର ପତ୍ନୀ, କୁନି ଝିଅ ଓ ବାପା-ମାଆଙ୍କ ସ୍ନେହ-ପ୍ରେମରେ ବାନ୍ଧି ନ ହୋଇ ମାଟି ମାଆ ପାଇଁ ଜୀବନୋତ୍ସର୍ଗ କରିପାରେ ! ସେଭଳି ଦେଶପ୍ରେମୀ ବିରଳ, ଆଜି ଦେଶବାସୀ ଗର୍ବ ଓ ଗୌରବର ସହ ବଞ୍ଚିବାର ଅଧିକାର ପାଇଛନ୍ତି  କେବଳ ଏଇଭଳି ସଚ୍ଚା ଦେଶପ୍ରେମୀଙ୍କ ପାଇଁ । ଶହୀଦ ମନୋଜଙ୍କ ପାଇଁ ଆଜି ନିଆଳି ଅଞ୍ଚଳ ଭାରତର ମାନଚିତ୍ରରେ ଜାଜ୍ବଲ୍ଯମାନ ହୋଇ ଫୁଟି ଉଠି କହୁଛି "ମୋ ମାଟିର ପୁଅ ଶହୀଦ ମନୋଜ ଦେଶ ପାଇଁ ଜୀବନ ଦେଇଛି" । ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା ଶହୀଦ ମନୋଜଙ୍କ ନାମ, ଶହୀଦ ମନୋଜଙ୍କ ଗ୍ରାମ, ପରିବାର, ବିଦ୍ଯାଳୟ ଓ ଗ୍ରାମର କଥା । ଆଜି ଶହୀଦ ମନୋଜ, ତା'ର ପରିବାର ଏବଂ ଗ୍ରାମକୁ ଏ ସାରା ଦେଶ ସଲାମ୍‌ କରୁଛି । ସତରେ  ; ପଣ୍ଡିତ ଗୋଦାବରୀଶଙ୍କର ସେହି କାଳଜୟୀ ଲେଖନୀ ମୂନର ଉକ୍ତିଟିଏ ମନେପଡ଼େ -

    "ଜନମ ଭୂଇଁ ସେ    ମାଟି ପଥରର
             ଜନନୀଠୁ ବଳି ବଡ଼
      ସେ ଜନମ ଭୂଇଁ     ସେବା ଯେ କରଇ
              ନର ଜନ୍ମ ଧନ୍ୟ ତା'ର ।"

ନିଆଳି, କଟକ
ଜୟ ସାହିତ୍ୟ, ଜୟ ସମାଜ

ଅଭିନନ୍ଦନଙ୍କୁ ଅଭିନନ୍ଦନ

ନିରଞ୍ଜନ ପରିଡ଼ା 
ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ                                                        ସାରା ଦେଶେ ତୁମକୁ ଅଭିନନ୍ଦନ ।
ଭାରତୀୟ ବାୟୁସେନା ପାଇଲଟ
ଦେଶପ୍ରେମୀ ବୀରର ବଳିଷ୍ଠ ନିଦର୍ଶନ ।
ପାକ୍‌ ସୀମାରେ ଯାନୁଁ ଅବତରି
ଜନ୍ମମାଟିର କଲ ବନ୍ଦନା ଗାନ
ନିର୍ଯ୍ୟାତନାରେ ଲହୁଲୁହାଣ
ଚ଼ାପେ ଡ଼ରିନାହଁ ଦୁଃସାହସୀ ଜୱାନ ।   
ଶତ୍ରୁପକ୍ଷର ମୁକାବିଲାକୁ ଭାବି 
ସାମାନ୍ୟ ଗୁପ୍ତ ତଥ୍ୟକୁ ଖୋଲିନ କଦାପି 
ମୃତ୍ୟୁ ଚ଼ାପରେ ହୋଇ ସମ୍ମୁଖୀନ 
ହେ ଦାମ୍ଭୀକ ବୀର ! ତବ ଗମ୍ଭୀର ସ୍ବଭାବ 
ଶହେତ୍ରିଂଶ କୋଟି ଜନ ପ୍ରାଣର ସ୍ପନ୍ଦନ ।
ତୁମରି ନଃସର୍ତ୍ତ ମୁକତି ସବୁରି ପରାଣେ
ଜଗାଇଛି ସୁଖ-ଶାନ୍ତି ଆନନ୍ଦ ଅନୁପମ 
ବାଇଦ ବାଜଣା ତାଣ୍ଡବ ନର୍ତ୍ତନ
ଆତସବାଜି ସ୍ଫୁଟନ ।
କୋଣେ-ଅନୁକୋଣେ ଗଉରବ ହର୍ଷବର୍ଦ୍ଧନ
ଚିରଞ୍ଜିବୀ ଭବ ବୀର, ବୈଭବ ଅରିନ୍ଦମ !
ଭାରତମାତାର ସୁତ ଯୋଗ୍ୟତମ
ବନ୍ଦନୀ ଗାଉଛୁ ଧନ୍ୟ ହେ ଧନ୍ୟ 
ସହସ୍ର ସଇନ ପ୍ରାଣେ ଜାଗରଣ
ତୁମରି ପ୍ରେରଣୀ ବିଜୟାଶା ସଞ୍ଚରଣ । 
ଭାରତମାତାର ସାର୍ବଭୌମତ୍ୱ ରଖୁ ଅକ୍ଷୁର୍ଣ୍ଣ 
ଜୟ ଜୱାନ୍‌ - ଅଭିନନ୍ଦନ 
ତୁମକୁ ସତତ କୋଟି ସଲାମ୍‌
ଅଭିନନ୍ଦନଙ୍କୁ ଅଭିନନ୍ଦନ  ।

ଭାରତମାତା କି - ଜୟ.....
ଜୟ ଜୱାନ - ଜୟ କିଶାନ.....
ଜୟ ସାହିତ୍ୟ, ଜୟ ସମାଜ

ଓଡିଶାର ସଂସ୍କୃତି ଓ ପରମ୍ପରା ଉପରେ ମାଓବାଦର ପ୍ରଭାବ

                                                                                                                                          ଯଶୋବନ୍ତ ସେଠୀ
  ଏ ସି ପି ( ସିକ୍ୟୁରିଟି )
ଦୀର୍ଘ ଷାଠିଏ ଦଶକରେ ନକ୍ସଲ ବାଡିରୁ ଅଙ୍କୁରୋଦ୍ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି । ପ୍ରସିଦ୍ଧ ଦାର୍ଶନିକ ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ , ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ୍ ମିଳିବ ନାହିଁ । ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦ ଠାରୁ ବହୁଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ସାରିଲାଣି । ଆତଙ୍କବାଦୀମାନେ ଦେଶର କେବଳ ସୀମା ତଥା ସୀମାବର୍ତ୍ତୀ ରାଜ୍ୟ ମାନଙ୍କରେ, କେତେକ ବଡ ବଡ ସହର ଯଥା ଦିଲ୍ଳୀ, ମୁମ୍ବାଇ ଆଦି ସ୍ଥାନରେ ସାଧାରଣ ଜୀବନଯାପନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତି । ମାଓବାଦୀମାନେ କିନ୍ତୁ ଦେଶର କୋଣ ଅନୁକୋଣ , ନିପଟ ମଫସଲ ତଥା ବଣ ଜଙ୍ଗଲର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ସରଳ,ନିଷ୍କପଟ ଜନଜାତିଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏଥି ସହିତ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାରୁ ସେମାନଙ୍କୁ ବଞ୍ଚିତ କରାଇ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଉଛନ୍ତି । 
        ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ସରକାର ବିରୁଦ୍ଧରେ ଜଳ - ଜମି - ଜଙ୍ଗଲର ନାରା ଦେଇ ନିରୀହ ଜଙ୍ଗଲ ଅଧିବାସୀଙ୍କୁ ଭୟଭୀତ କରି ସେମାନଙ୍କ ସରଳ ମନରେ ଗରଳ ଭରିଦେଇ ସେମାନଙ୍କୁ ହିଂସାତ୍ମକ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଉଥିବା ମାଓବାଦୀଙ୍କର ସ୍ୱପ୍ନ କେବେ ସଫଳ ହେବକି ନାହିଁ,  ସେକଥା ସମୟ ହିଁ କହିବ । କିନ୍ତୁ ସାଂପ୍ରତିକ ମାଓବାଦର କୁପ୍ରଭାବରେ ସମଗ୍ର ଦେଶ , ମାନବ ସମାଜ ତଥା ଜନସାଧାରଣ ଯେଉଁ ସବୁ କ୍ଷତିର ସମ୍ମୁଖୀନ ହେଉଛନ୍ତି, ତାହା ପର୍ଯ୍ୟାଲୋଚନାର ବିଷୟ । ବିଶେଷକରି ଗାଁ ଗହଳି ତଥା ଜଙ୍ଗଲ ଅଧିବାସୀଙ୍କର ଆର୍ଥିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ ତଥା ନୈତିକ ଅଧୋପତନ ମଧ୍ୟରୁ ସାଂସ୍କୃତିକ ତଥା ପରମ୍ପରାଗତ ଅଧୋଗତି ହିଁ ଆଜିର ଆଲୋଚ୍ୟ ବିଷୟ ।
          ସଂସ୍କୃତି ଏବଂ ପରମ୍ପରା ହେଉଛି ସମାଜର ଦର୍ପଣ ଭଳି ; ଯେଉଁ ଦର୍ପଣରେ କି ଗୋଟିଏ ଦେଶର ଅତୀତ ତଥା ବର୍ତ୍ତମାନ ସମାଜର ଚିତ୍ର ପ୍ରତିଫଳିତ ହୋଇଥାଏ । ବିଶ୍ଵର ଅନ୍ୟାନ୍ୟ ଦେଶ ଅପେକ୍ଷା ଭାରତର ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଅଟେ । କାରଣ ଏଠାରେ ଅନେକ ସମ୍ପ୍ରଦାୟ , ଧର୍ମ , ଜାତି ଓ ଭାଷାଭାଷୀ ଲୋକେ ବସବାସ କରନ୍ତି । ସମସ୍ତେ ନିଜନିଜର ସଂସ୍କୃତି ଏବଂ ପରମ୍ପରାକୁ ନିଜସ୍ୱ ଶୈଳୀରେ ପାଳନ କରିବାକୁ ଭଲ ପାଆନ୍ତି । ସେଥିପାଇଁ ସମଗ୍ର ଦେଶରେ ବର୍ଷତମାମ କୋଉଠି ନା କୋଉଠି ପର୍ବପର୍ବାଣି, ଯାନିଯାତ୍ରା , ମେଳା ମଉଚ୍ଛବ ଲାଗିରହିଥାଏ । ପ୍ରତ୍ୟେକ ଚାହାଁନ୍ତି ତାଙ୍କ ନିଜର ସଂସ୍କୃତି ଓ ପରମ୍ପରା ଅତୁଟ ରହୁ ।
         କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ମାଓବାଦୀଙ୍କ ତାଣ୍ଡବଲୀଳା ଆଦିବାସୀ ତଥା ଦୁର୍ଗମ ଓ ଅନୁନ୍ନତ ଅଞ୍ଚଳର ଲୋକଙ୍କ  ସଂସ୍କୃତିକୁ ବିରାଟ ଝଟକା ପହଞ୍ଚାଇଛି । ମାଓବାଦୀଙ୍କର ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ସେ ଅଞ୍ଚଳର ଲୋକେ ଆତଙ୍କିତ  ହୋଇ ବିଭିନ୍ନ ପର୍ବପର୍ବାଣି, ମେଳା ମଉଚ୍ଛବ ଆଦି ପାଳନ କରିବାକୁ ଡରିଲେଣି । ଉଭୟ ପୋଲିସ ଓ ମାଓବାଦୀଙ୍କ ଚାପରେ ଜଙ୍ଗଲର ଆଦିବାସୀମାନେ ପେଷି ହୋଇଯାଉଛନ୍ତି , ଯଦ୍ଦ୍ୱାରା କି ଆଞ୍ଚଳିକ ପର୍ବପର୍ବାଣି ପୂର୍ବ ଭଳି ଯାକଜମକରେ ପାଳିତ ହେଉନାହିଁ । କେତେକ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୂର୍ବରୁ ପାଳିତ ହୋଇଆସୁଥିବା ଯାତ୍ରା, ମେଳାଦିକୁ ପ୍ରଶାସନ ପକ୍ଷରୁ ମାଓବାଦୀଙ୍କ ଭୟରେ ନିଷିଦ୍ଧ କରି ଦିଆଯାଇଛି । ଏଭଳି କାର୍ଯ୍ୟକ୍ରମକୁ ସୁରକ୍ଷା ଦୃଷ୍ଟିରୁ ଅନୁମତି ଦେବାକୁ ମଧ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । 2005 ମସିହାରେ ସମ୍ବଲପୁରର ବଡରମା ଘାଟିତଳେ ଦଶହରା ସମୟରେ ରାତିରେ ଅପେରା କାର୍ଯ୍ୟକ୍ରମ ଚାଲିଥିବା ବେଳେ ମାଓବାଦୀଙ୍କ ରକ୍ତମୁଖା ଆକ୍ରମଣ ପରଠାରୁ ସେଠାରେ କିଛିବର୍ଷ ଯାତ୍ରା କାର୍ଯ୍ୟକ୍ରମ ବନ୍ଦଥିଲା । ଏବେ ତାହା ପୁନଃପ୍ରଚଳନ ହେଲେ ମଧ୍ୟ ପୂର୍ବର ଚମକ ହରାଇ ବସିଛି । ସେହିପରି ୨୦୦୮ ମସିହାରେ କନ୍ଧମାଳରେ ଜଲେଶପଟ୍ଟା ଆଶ୍ରମର ପରିଚାଳକ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମାଓବାଦୀଙ୍କ ଦ୍ଵାରା ହତ୍ୟା ପରେ ଏପର୍ଯ୍ୟନ୍ତ ସେଠାରେ ଆତଙ୍କର ବାତାବରଣ ଲାଗିରହିଛି । 
          ସାପ୍ତାହିକ ହାଟ ଗୁଡିକ ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । କେତେକ ମାଓପ୍ରବଣ ଇଲାକାରେ ବସୁଥିବା ହାଟ ବଜାରରେ ମାଓବାଦୀଙ୍କ ଦ୍ଵାରା ବାରମ୍ବାର ଘଟାଯାଉଥିବା  ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ସେଠାରେ ଜନଗହଳି କମିଗଲାଣି । ବିଶେଷତଃ ମାଲକାନଗିରି ଜିଲ୍ଲାର କାଲିମେଳା, ମୋଟୁ, ଏମ୍ ଭି 79 ଆଦି ସାପ୍ତାହିକ ହାଟରେ ପୋଲିସ ତଥା ପୋଲିସ ଇନଫର୍ମର ସନ୍ଦେହରେ ଟାର୍ଗେଟରେ ଥିବା ଲୋକଙ୍କ ଉପରେ ବାରମ୍ବାର ଆକ୍ରମଣ ତାହାର ବଳିଷ୍ଠ ଉଦାହରଣ ଅଟେ ।
          ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ମେଳା ମହୋତ୍ସବ ସେଠାକାର ସ୍ଥାନୀୟ ସରପଞ୍ଚ, ରାଜନେତାଙ୍କ ପରୋକ୍ଷ ଆର୍ଥିକ ସହାୟତା ତଥା ପୃଷ୍ଠପୋଷକତା ଅଧିକ ସାଫଲ୍ୟମଣ୍ଡିତ କରାଇଥାଏ । କିନ୍ତୁ ସ୍ଥାନୀୟ ଜନନେତା ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଦଳଗତ ନିର୍ବିଶେଷରେ ରାଜନେତାମାନେ ମାଓବାଦୀଙ୍କ ଟାର୍ଗେଟକୁ ଆସିବା ପରେ ନେତାମାନେ ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯିବାପାଇଁ ଭୟକରୁଛନ୍ତି । ଏହାଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବର ଚମକ ହରାଇବସିଛି । ବିଭିନ୍ନ ଜାତୀୟ ଦିବସ , ସଭାସମିତି, ଅଞ୍ଚଳ ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ମନ୍ତ୍ରୀ, ସ୍ଥାନୀୟ ନେତା ତଥା ସରକାରୀ ଅଧିକାରୀବୃନ୍ଦ ଅଂଶଗ୍ରହଣ କରିବାକୁ ଯିବାବେଳେ ମାଓବାଦୀଙ୍କ ଭୟରେ ପରୋକ୍ଷ ଭାବରେ ଏଡେଇଯିବାକୁ ଚାହୁଁଛନ୍ତି କିମ୍ବା କଡା ସୁରକ୍ଷା ବଳୟ ମଧ୍ୟରେ ଯିବାକୁ ମଧ୍ୟ ନାପସନ୍ଦ କରୁଛନ୍ତି । କିଛିବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲାର ସାଂସଦ ଥିବାବେଳେ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ଉପରେ ଫୁଟବଲ୍ ଖେଳ ସମୟରେ ମାଓବାଦୀଙ୍କ ମରଣାନ୍ତକ  ଆକ୍ରମଣ ,୨୦୦୭ ମସିହାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାର୍ଣ୍ଡିଙ୍କ ପୁତ୍ର ଅନୁପ ମାର୍ଣ୍ଡିଙ୍କୁ ସ୍ଥାନୀୟ ଏକ ଫୁଟବଲ୍ ମ୍ୟାଚ୍ ଉଦ୍ଯାପନ ସମୟରେ ହତ୍ୟା ଆଦି ଘଟଣା ପରେ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳରେ କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସରକାରୀ ପ୍ରଶାସନ ଅନୁମତି ଦେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି ।
             ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ନକ୍ସଲ ଅଧ୍ୟୁଷିତ ଅପହୁଞ୍ଚ ଗ୍ରାମଗୁଡିକରେ କାର୍ଯ୍ୟକାରୀ ହେଉଥିବା ଜନସମ୍ପର୍କ ଶିବିର, ସ୍ୱାସ୍ଥ୍ୟ ମେଳା, ବିଭିନ୍ନ କ୍ରୀଡା ପ୍ରଦର୍ଶନୀ,ପାରମ୍ପରିକ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଯଥେଷ୍ଟ ଉପାଦେୟ ସାଧିତ ହୋଇଛି । ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଯୁବକ ଯୁବତୀଙ୍କୁ ନକ୍ସଲ ସଂଗଠନରେ ସାମିଲ୍ ହେବାରୁ ମଧ୍ୟ ବଞ୍ଚିତ କରାଯାଇ ପାରୁଛି । ପୋଲିସ ପ୍ରଶାସନ ସହାୟତାରେ ନିଆଯାଉଥିବା ଏହି ନିଆରା ପଦକ୍ଷେପ ବାସ୍ତବିକ ଧନ୍ୟବାଦାର୍ହ । ସରକାର ଏହି ପ୍ରୋତ୍ସାହନକୁ ଅଧିକ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଏହାକୁ ଆହୁରି ଆଗକୁ ନେଇପାରିବ । 
ପୋଲିସ କମିଶନରେଟ୍
                  ଭୁବନେଶ୍ଵର 

ଜୟ ସାହିତ୍ୟ, ଜୟ ସମାଜ

ପୁଲୱାମାରେ ମୃତ୍ୟୁ କହୁଛି

ସୁଖଦା ମାଇତି 
ମୁଁ ମୃତ୍ୟୁ କହୁଛି
ପୁଲୱାମାରୁ....
ମୃତ୍ୟୁ ତୁ ଏମିତି ବି ଆସିପାରୁ
ଶହୀଦ ମାନଙ୍କ ସରଣୀରେ
ଲାଲ୍‌ ରଙ୍ଗର ଗାର ଟାଣି
ଭୟରେ ନୁହେଁ ନିର୍ଭୟରେ କୁହେ
ମୋ ନାଁ ଲେଖିଦେ'
ସେହି ଅମର ସ୍ତୁପ ଦେହରେ......

ହଜାର ହଜାର ରଜନୀଗନ୍ଧା
ଝଡ଼ିପଡ଼ୁ ମୋ ଲାଲ୍ ରକ୍ତ ଲଗା
ଭାରତମାତାର ବୁକୁରେ
ତୋପ ସଲାମୀରେ
ଜଳି ଯାଉ ଏ ଦେହ
ମିଶି ଯାଉ ସେ ଧୂସର ମାଟିରେ....

କିଏ ଜାଣେ......??
ମୃତ୍ୟୁ ମୋ ପାଖକୁ ଧାଇଁ ଆସେ କି          
 ମୁଁ ତା' ପାଖକୁ ଯାଏ......
ଗୋଳା ବାରୁଦର ଜବାବ୍‌ରେ
କେବେ ଅମର ଶହୀଦ ହୁଏତ
କେବେ ଭୂଇଁରେ
ଲୁଟେଇ ଦିଏ ଦୁଷ୍ମନ୍‌ଙ୍କ
ସହସ୍ରାଧିକ ଜୀବନ.....

ସେଦିନ ଜଣା ନଥିଲା
ମୃତ୍ୟୁ ମୋ ସମ୍ମୁଖରେ ଥିଲା କି
ମୁଁ ମୃତ୍ୟୁର ଅତି ନିକଟତର
ହେବାକୁ ଯାଉଥିଲି
ରଣଭୂମିରେ ନିଜକୁ
ସଜାଗ କରିବା ଆଗରୁ
କ୍ଷଣିକରେ ସବୁ କିଛି
ମୋ ଆଖିରେ ଲାଖି ରହିଗଲା            
ଜାଣିନି ଆଉ ଫେରିବିକି ନାହିଁ
ଆଜି କିନ୍ତୁ ହୃଦୟର ସ୍ପନ୍ଦନରେ
ଅନୁଭବ କରୁଛି
ପ୍ରାଣ ପକ୍ଷୀ ପବନରେ
ଉଡ଼ି ଯାଏ କେମିତି........

ବାହୁନି ଉଠୁଥିଲା କପୋତ
ଛାଟିପିଟି ହେଉଥିଲା
ଲହୁ ଲୁହାଣରେ ଜୁଡୁବୁଡ଼ୁ......
ଥରି ଯାଉଥାଏ ଦେହ ଛାତି
ଆଖି ଆଗରେ ଖାଲି ନାଚୁଥାଏ
ସେ କ୍ଷଣିକର
ଝାପ୍ସା ବିଜୁଳି ଆଲୋକ
ଆଉ ପରେ ପରେ
ଘୋଟିଗଲା ଘନ 
ଛାୟା ଅନ୍ଧକାର.....
ଜୟ ସାହିତ୍ୟ, ଜୟ ସମାଜ

ସମୟ ଆଗତ ପ୍ରାୟ - ସୁଧୁରିବାର ଥିଲେ ସୁଧୁରି ଯାଅ

ଆଲୋକ ଚନ୍ଦ୍ର ନାୟକ

                  ବାସ୍ ବହୁତ୍ ହେଇଗଲା , ଆଉ ନୁହେଁ ; ଆଉ ସହି ହେବନି । ସାବଧାନ ହୁଅ, ସୁଧୁରି ଯାଅ ।ଏବେ ସମୟ ଆସିଛି ଯଦି ନ ସୁଧୁର ଇଟାର ଜବାବ୍ ପଥରରେ ଦିଆଯିବ । ତୁମେମାନେ ଖାଇବାକୁ ପାଇବନି, ମରିବ ଯଦି ନ ସୁଧୁର । ନିଶ୍ଚିତ ମରିବ ।ଏକଥା ମନେରଖ ତୁମେମାନେ ଖାଇବାକୁ ପାଇବନି । ତୁମକୁ ମରା ଯିବ, ହାତରେ ମରା ଯିବ ଆଉ ଭାତରେ ବି ମରା ଯିବ । ତୁମେମାନେ ଦେଖିବ ତୁମ ଦେଶ ଭିତରୁ ସେହି ସ୍ବର ଉଠିବ ଯେଉଁ ସ୍ବର ଉଠୁଛି ଆଜି ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ବିନ୍ଦୁରୁ । ଆଉ ଯେଉଁ ସ୍ବର ଉଠୁଛି ଭାରତର ପ୍ରତ୍ୟେକ କୋଣରୁ । ପାକିସ୍ତାନ ମୁର୍ଦାବାଦ.....ପାକିସ୍ତାନ ସୁଧୁରି ଯାଅ । ଏକଥା, ଏ ନାରା ଖାଲି ଭାରତରେ ନୁହେଁ,ପୁଲୱାମା  ଆକ୍ରମଣ ପରେ ଏ ନାରା ସାରା ବିଶ୍ବ ଦଉଛି  । ସାରା ଦେଶରୁ ପଡୁଛି ଚାପ ପାପୀ ଓ ଭୀରୁ ପାକିସ୍ତାନକୁ ପାନେ ଦିଆଯାଉ । ଆଉ ବରଦାସ୍ତ କରା ନ ଯାଉ । ତଥ୍ୟ ପ୍ରମାଣ ଯୁକ୍ତି ତର୍କ ଆଉ କିଛି ବି ମାନେ ନ ରହୁ । ଏଥର ନିଆ ଯାଉ ଏମିତି ପଦକ୍ଷପ ଯାହାକୁ ଚିନ୍ତା କରିବା ପାଇଁ ବି ପାକିସ୍ତାନ ନ ଥିବ । ପ୍ରତିଶୋଧ, ଜବରଦସ୍ତ ପ୍ରତିଶୋଧ । ତଥାବି ଥଣ୍ଡା ହୋଇନି ରାଗ । ଏବେ ବି ଭାରତୀୟଙ୍କ ହୃଦୟ ଅଶାନ୍ତ । କାରଣ ଏତେଦିନ ପରେ ବି ଧରା ପଡିନି ମୁଖ୍ୟ ଷଡଯନ୍ତ୍ର କାରୀ । ଏବେ ବି ସେ ପାକିସ୍ତାନରେ ଅଛି ସୁରକ୍ଷିତ । ଏତେ ସବୁ ପରେ ବି କାମୁନି ପାକିସ୍ତାନର ବହପ । ଏବେ ବି ସେ ବିଳିବିଳି ହଉଛି ପାକିସ୍ତାନ । ପାକିସ୍ତାନକୁ ସୁଧାରିବା ପାଇଁ ନିଆଯାଉ ଏକ ବଡ ପଦକ୍ଷପ । ନିଆ ଯାଉ ଏମିତି ପଦକ୍ଷପ ଯାହା ସବୁଦିନ ପାଇଁ ଭାଙ୍ଗିଦଵ ପାକିସ୍ତାନର ମେରୁଦଣ୍ଡ । ନଷ୍ଟ କରିଦେବ ତା'ର ବର୍ତ୍ତମାନ ଓ ଭବିଷ୍ୟତ । ଏଇ ପଦକ୍ଷପ ହେଇପାରେ କ'ଣ ? ବିଶେଷଜ୍ଞଙ୍କ ମତରେ
ପାକିସ୍ତାନ ଉପରେ ସେନା କି କାର୍ଯ୍ୟ ଗ୍ରହଣ କରିବ ତାହା ତ ଅଲଗା କଥା, ଏହାର ଆନ୍ତର୍ଜାତିକ ସ୍ତରରେ କି ପ୍ରଭାବ ପଡିବ ତାହା ତ ପରେ ଦେଖା ଯିବ ; କିନ୍ତୁ ଅନ୍ୟ କେତେକ ପଦକ୍ଷପ ନିଜେ ବି ଭାରତ କଠୋର ଭାବରେ ନେଇ ପାରିବ । ଯାହା ଭୀରୁ ଓ ପାପୀ କାପୁରୁଷ ପାକିସ୍ତାନଙ୍କୁ ସହଜରେ ତଳକୁ ନେଇଯିବ ।
ଆଉ ଏହି ପଦକ୍ଷପ ଏମିତି ଯେ ନାଁ ଏଥିରେ ଚାଲିବ ଗୁଳି ନାଁ ଚାଲିବ ଗୁଳା । କୌଣସି ମିସାଇଲ୍ ବି ପ୍ରୟୋଗ କରାଯିବନି । କିନ୍ତୁ ନଷ୍ଟ ହୋଇଯିବ ପାକିସ୍ତାନ । ତ୍ରାହି ତ୍ରାହି ଡାକିବ ପାକିସ୍ତାନ । ମୁସ୍କିଲ୍ ହୋଇଯିବ ବଂଚିବା । ଏ ପଦକ୍ଷେପ ହେଉଛି ଅର୍ଥନୈତିକ । ଏ ପଦକ୍ଷେପ ହେଉଛି ସାମାଜିକ ଓ କୁଟନୈତିକ ।

       ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନ ଉପର ଅନେକ ପ୍ରକାର ର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ପ୍ରଯୁକ୍ତି ତୁଳନାରେ ପାକିସ୍ତାନ ଠାରୁ ଭାରତ ବହୁତ୍ ଆଗୁଆ । ତେଣୁ ସାମାଜିକ ଗଣମାଧ୍ୟମକୁ ଉପଯୋଗ କରିବା ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ ହେବା ଆବଶ୍ୟକ । ପାକିସ୍ତାନରେ ସେନାର ପ୍ରଭାବ ଓ ଆର୍ଥିକ ଦୂରାବସ୍ଥା ଦୁର୍ନୀତି ଓ ଅତ୍ୟାଚାର ନେଇ ଦୟନୀୟ ସ୍ଥିତି ରହିଛି । ସେଥି ସମ୍ବନ୍ଧୀୟ ଉପଯୁକ୍ତ ଚିତ୍ର ପ୍ରଦର୍ଶନ କରିବାକୁ ହେବ  । ଇଣ୍ଟରନେଟ୍ ଜରିଆରେ ପାକିସ୍ତାନର ପ୍ରତି ପ୍ରାନ୍ତରେ ସାଧାରଣ ପାକିସ୍ତାନୀ ପାଖରେ ଆଇ ଏସ ଆଇ ଓ ସେନାର ନିଷ୍ଠୁରତାର ଚିତ୍ର ପହଞ୍ଚେଇବାକୁ ହେବ । ଯାହା କୁକୁର ଓ ଆତଙ୍କବାଦୀଙ୍କ ଜନ୍ମଭୂମିକି ଭିତରୁ ଦୁର୍ବଳ କରିଦେବ।

SAHID TAPAN
         ସାଇବର ଦୁନିଆରେ ବି ଭାରତ ପାକିସ୍ତାନ ଠାରୁ ବହୁ ଆଗୁଆ । ସାଇବର ଓଆର୍ ଫେର୍ ର ବି ଭାରତୀୟ ମାନେ ବହୁତ୍ ଦକ୍ଷ । ଏହାକୁ ଉପଯୋଗ କରି ପାକିସ୍ତାନର ଗୁରୁତ୍ତ୍ବପୂର୍ଣ୍ଣ  ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ହାସଲ କରିବା ସହ ଠିକ୍ ସମୟରେ ସେ ସବୁ କୁ ଅଚଳ କରିବାକୁ ହେବ । ଆମ କାଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରଶ୍ରୟ ଦଉଛି ପାକିସ୍ତାନ  । ଏହାକୁ ଭାରତ ବିରୋଧରେ ପ୍ରୟୋଗ କରୁଛି । ତେଣୁ ଆମେ ବି ତାଙ୍କୁ ଇଟାର ଜବାବ୍ ପଥରରେ ଦେବା ଦରକାର । ଅର୍ଥାତ୍ ଭାରତ ବି ଯେସାକୁ ତେଶା ନୀତି ଆପଣେଇବା ଆବଶ୍ୟକ । ଏଭଳି ସକ୍ରିୟ କାର୍ଯ୍ୟ ପାକିସ୍ତାନର ପ୍ରତି ପ୍ରଦେଶ ପାଇଁ କରାଯିବା ଆବଶ୍ୟକ। ଖାସ୍ କରି ବେଲୁଚିସ୍ଥାନ ଓ ପସ୍ତୁନ୍ ଲୋକ ମାନଙ୍କୁ ନେଇ ଏ ସବୁ କରାଯାଇ ପାରିବ ଓ ପି ୟୁ କେ ରେ ବି ଏ ଭଳି କାର୍ଯ୍ୟ କରାଯାଇ ପାରିବ । ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ଜନ୍ମଭୂମି ଏ କଥା ସାରା ବିଶ୍ବ ଜାଣେ । କିନ୍ତୁ  ଏଥିରେ ଭାରତ ଅଧିକ ଲାଗି ପଡ଼ିଛି ; ତେଣୁ ବିଶ୍ବ ସମୁଦାୟଙ୍କ ନିକଟରେ ଦୃଢ ପ୍ରମାଣ ଭାରତ ତରଫରୁ ଉପସ୍ଥାପନ କରିବା ଆବଶ୍ୟକ ।
ଇସ୍ଲାମୀୟ ଦେଶ ଗୁଡ଼ିକୁ ଧର୍ମ ନାଆଁରେ ବନ୍ଧୁ କରିଥାଏ ପାକିସ୍ତାନ । କିନ୍ତୁ ଗତ କିଛି ବର୍ଷ ହେଲା ଭାରତର ସରକାର ଇରାନ୍ ସାଉଡି ଆରବ୍ ୟୁ ଏ ଇ କାତାର୍ ଓ କୋଏକ୍ ଭଳି ଦେଶ ସହ ସମ୍ପର୍କ ବଢ଼ାଇଛନ୍ତି । ଅନ୍ୟ କେତେକ ପ୍ରଭାବଶାଳୀ ଇସ୍ଲାମୀୟ ଦେଶ ଗୁଡିକୁ ନିଜ ସହ ନେବା ଲାଗି ଭାରତ ସମସ୍ତ ପ୍ରୟାସ କରିବା ଆବଶ୍ୟକ । ଆଉ ଏଥିପାଇଁ ନିଜର ଆର୍ଥିକ ଓ ସାମରିକ ଶକ୍ତି ଭାରତ ଉପଯୋଗ କରିବା ଆବଶ୍ୟକ ।

       ବ୍ୟବସାୟ ଓ ବାଣିଜ୍ୟକୁ ବି ଅସ୍ତ୍ର କରାଯାଇ ପାରିବ । ଭାରତର ବି ଏ କ୍ଷମତା ରହିଛି  । ଆନ୍ତର୍ଜାତିକ ଅଦାଲତରେ ବି ପ୍ରମାଣ ସହକାରେ ପାକିସ୍ତାନ ଆତଙ୍କବାଦୀଙ୍କ ଜନ୍ମଭୂମି ବୋଲି ମାମଲା କରିପାରିବ ଭାରତ । ଆଉ ଯଦି ଏଥିରେ ଭାରତର ବିଜୟ ହୁଏ ତେବେ ପାକିସ୍ତାନ ଲାଗି ପାଣ୍ଠି ଯୋଗାଡ କରିବା ହୋଇପଡିବ କଷ୍ଟକର । ଏ ସବୁ ପଦକ୍ଷପ ନେବାକୁ ସମୟ ଲାଗିବ । କିନ୍ତୁ ଏହାର ଫଳାଫଳ କେବଳ ଆଉ କେବଳ ସହାୟକ ହେବ ଭାରତକୁ । ଆଉ ଏହା ନଷ୍ଟ କରିଦେବ ଆତଙ୍କବାଦୀଙ୍କ ଜନ୍ମଭୂମିକୁ ।
        
           ପାକିସ୍ତାନକୁ କିଭଳି ଭାତରେ ମରାଯିବ ଆଉ ୪୩ ଭାରତୀୟ ବୀର ଶହୀଦଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ଭାରତ ନେଇଛି ଶପଥ । ଭାରତ ପକ୍ଷରୁ ଏମିତି ପଦକ୍ଷପ ନିଆ ଯାଇଛି ଯାହା ଭାଙ୍ଗିଦେଇଛି ପାକିସ୍ତାନର ମେରୁଦଣ୍ଡ । ଏ ପଦକ୍ଷପ ଏଭଳି ଯାହା ଉପରୁ ଲାଗୁଛି ବହୁ ସହଜ କିନ୍ତୁ ଭିତରୁ ପାକିସ୍ତାନକୁ ଉପାଡି ଫୋପାଡ଼ି ଦେବ । ଏବେ ସହିବାର ସୀମା ଟପିଛି ଭାରତ । ୪୩ ବୀରଙ୍କ ଶହୀଦ ପରେ ଆତଙ୍କବାଦୀ ଓ ତାଙ୍କ ଜନ୍ମଭୂମିକୁ ନଷ୍ଟ କରିବା ପାଇଁ ନେଇଛି ଶପଥ । କାପୁରୁଷ ପାକିସ୍ତାନ ଉପରେ ନେଇଛି କଡା କାର୍ଯ୍ୟାନୁଷ୍ଠାନ । ଇଟାର ଜବାବ୍ ଦେଇଛି ପଥରରେ । କୂଟନୈତିକ ସ୍ତରରେ ପାକିସ୍ତାନକୁ ଭାରତ କରିଛି ଏକ ଘରକିଆ ।  ଆର୍ଥିକ କ୍ଷେତ୍ରରେ ଭାରତ ଭାଙ୍ଗିଛି ପାପୀର ମେରୁଦଣ୍ଡ । ଯଦି ବେଳ ଥାଉ ଥାଉ ନ ସୁଧୁରିବ ତେବେ ହୋଇଯିବ ତଳିତଳାନ୍ତ । ମଥା ନତ ହେବାକୁ ଏଣିକି ବାଧ୍ୟ ହେବ ପାକିସ୍ତାନ । ଖାଦ୍ୟ ପାଇଁ ତ୍ରାହି ତ୍ରାହି ଡାକିବ । ଆଉ ଏ ବିଶ୍ବ ବଡଦାଣ୍ଡରେ ଭିକାରୀ  ସାଜିବ ପାକିସ୍ତାନ । 
             
     
ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତ୍ୟାହାର କରିଛି ଅତି ବିଶ୍ୱସ୍ତ ରାଷ୍ଟ୍ରର ମାନ୍ୟତା । ଏଥି ସହିତ ସୀମା ଶୁଳ୍କ ଭାରତ ୨୦୦ ପ୍ରତିଶତକୁ ବଢ଼େଇ ଦେଇଛି । ଯାହା ଫଳରେ ଭାରତ-ପାକିସ୍ତାନର ବ୍ୟବସାୟିକ ସମ୍ବନ୍ଧ ସମ୍ପୂର୍ଣ ଠପ୍ । ପାକିସ୍ତାନ ସିମେଣ୍ଟ, ତୈଳ ଜାତୀୟ ଦ୍ରବ୍ଯ ଓ ଚମଡା  ଏହିଭଳି କେତେକ ଜିନିଷ ଭାରତରେ ବ୍ୟବସାୟ କରିଥାଏ । ଯାହା ଫଳରେ ପାକିସ୍ତାନ ବହୁତ ଲାଭବାନ ହୋଇଥାଏ । ହେଲେ ବର୍ତ୍ତମାନର ସୀମା ଶୁଳ୍କ ପାଇଁ ଆଉ ଭାରତରେ ବ୍ୟବସାୟ ସମ୍ଭବ ନୁହେଁ । ସବୁଠାରୁ ଅଧିକ କ୍ଷତି ସିମେଣ୍ଟ  ଓ ଫଳ ବ୍ୟବସାୟ ଉପରେ ପଡିବ । ଆଗରୁ ଫଳ ଉପରେ ୩୦ ରୁ ୩୫ ପ୍ରତିଶତ ଓ ସିମେଣ୍ଟ  ଉପରେ ସାତ ଦଶମିକ ପାଞ୍ଚ ପ୍ରତିଶତ ଲାଗୁଥିଲା ।

   ଆସନ୍ତୁ ଜାଣିବା କି ଭଳି ଭୀରୁ ପାପୀ ପାକିସ୍ତାନକୁ ଭାରତ କରୁଛି ଘେରାବନ୍ଦି । ୪୩ ବୀରଙ୍କ ଶହୀଦ ପରେ ଭାରତର ପ୍ରଧାନ ମନ୍ତ୍ରୀଙ୍କର ପ୍ରଥମ ପ୍ରତିକ୍ରିୟା ଯାହା ଆସିଥିଲା ତାହା ଚମକେଇ ଦେଇଥିଲା ପାକିସ୍ତାନକୁ । ସେ ବାର୍ତ୍ତା ଥିଲା -"ବହୁତ ହେଇଗଲା,ତମମାନଙ୍କୁ ଭାରତ ଛୋଟ ଛୁଆ ଭାବି ସବୁବେଳେ କ୍ଷମା କରି ଆସିଛି । କିନ୍ତୁ ଏବେ ଆଉ ନୁହେଁ ; ଅପେକ୍ଷା କର ଅତି ଶୀଘ୍ର ଆମ ସେନା ନେବେ ତୁମ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ । ଏବେ ସମୟ ଆସିଛି ନିଜକୁ ସୁଧାରି ନିଅ । ବିଶ୍ବ ଯାହା ଦ୍ୱାରା ଆଜି ପୀଡିତ ତାକୁ ନଷ୍ଟ କରିବାକୁ ପଦକ୍ଷେପ ନିଅ,ନହେଲେ ପସ୍ତେଇବ ।" ପ୍ରଧାନ ମନ୍ତ୍ରୀଙ୍କର ଏଇ ଚେତାବନୀ ପ୍ରତିଫଳିତ ହୋଇଥିଲା ତା'ର କିଛି ସମୟ ପରେ । ଭାରତ ମାତା ତା' ଚାରିଜଣ ବୀର ସନ୍ତାନକୁ ହରେଇ ଥିଲା ସତ,କିନ୍ତୁ କୁକୁର ଆଝାରର ସହଯୋଗୀ ଗାଜି ସମେତ ନିପାତ ହୋଇଥିଲେ ତିନି କୁକୁର । ତା'ପରେ ପରେ ପ୍ରତ୍ୟାହାର ହେଲା ସର୍ବାଧିକ ଅନୁଗ୍ରହୀତ ରାଷ୍ଟ୍ରର ମାନ୍ୟତା । ଖାଲି ସେତିକି ନୁହେଁ, ଏ ବିଶ୍ବ ସମୁଦାୟଙ୍କ ନିକଟରେ ଭାରତ ଏମିତି ପ୍ରମାଣ ଦେଲା ଯେ ବିଶ୍ବର ପ୍ରାୟ ଅଧିକାଂଶ ଦେଶ ସମର୍ଥନ ଦେଲେ ଭାରତକୁ । ଏମିତିକି ଫ୍ରାନ୍ସ,ବ୍ରିଟେନ,ଆମେରିକା ଓ ରୁଷିଆ ଭଳି ବଡ ବଡ ଦେଶ ବି ଖୋଲା ଖୋଲି ସମର୍ଥନ ଦେବାକୁ ଘୋଷଣା କରିଦେଲେ । ଆଉ ଆମେରିକା ନେଲା ସବୁଠାରୁ ବଡ ପଦକ୍ଷପ ।

             ଅଟକା ଗଲା ପାକିସ୍ତାନକୁ ଦେବାକୁ ଥିବା ୩୦ ହଜାର କୋଟି ଟଙ୍କା । ବିଶ୍ବ ସମୁଦାୟଙ୍କ ଚାପ ଓ ଆମେରିକାର ଏଭଳି ପଦକ୍ଷପରେ ବିବ୍ରତ ହୋଇ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଯାହା ମତାମତ ରଖିଲେ ତାହା ଆହୁରି ତତାଇ ଦେଲା ଭାରତ ଓ ବିଶ୍ବ ସମୁଦାୟକୁ । ଏହା ପରେ ପରେ ବିଶ୍ବର ସବୁଠାରୁ ବଡ ଅର୍ଥନୈତିକ ସଂଗଠନ କୁକୁରଙ୍କ ଭୂସ୍ବର୍ଗ ଉପାରେ ଲଗାଇଲା ଅଙ୍କୁଶ । କଲା ତାକୁ ନୀଳ ତାଲିକା ଭୁକ୍ତ । ଆଉ କଠୋର ବାଣୀ ବି ଶୁଣାଇଦେଲା - ଅକ୍ଟୋବର ମାସ ସୁଧା ଯଦି ପାକିସ୍ତାନ ନ ସୁଧୁରେ ତେବେ ତାକୁ କରାହେବ କଳା ତାଲିକା ଭୁକ୍ତ ।

               ଏହା ପରେ ରାଗରେ ବିଳିବିଳେଇଲା ପାକିସ୍ତାନ,କଲା ବାର ବାର ଅସ୍ତ୍ର ବିରତି ଉଳଙ୍ଘନ । ଥରେ କି ଦୁଇଥର ନୁହେଁ, ଗୋଟିଏ ରାତିରେ ପ୍ରାୟ ୩୫ ରୁ ୪୦ ଥର କଲା ଯାହାକି ଅସ୍ଥିର କରି ପକାଇଲା ଭାରତକୁ । ଆଉ ଏହାପରେ ଆରମ୍ଭ ହେଲା ସର୍ଜିକାଲ୍ ଷ୍ଟ୍ରାଇକ୍ -୨ । ବୀରଭୂମି ଭାରତର ବାୟୁ ବୀରଙ୍କ ପୂର୍ବ ପ୍ରସ୍ତୁତି ଆସିଲା ବାହାରକୁ । ଏକାଠି କରାଗଲା କେତେକ ଯୁଦ୍ଧ ବିମାନ । ଆଉ ଏଥିରୁ ବଛା ଗଲା ୧୨ ଟି ମିରାଜ୍ ଯୁଦ୍ଧ  ବିମାନ ସର୍ଜିକାଲ୍ ଷ୍ଟ୍ରାଇକ୍-୨ ପାଇଁ । ପରେ ପରେ ଆରମ୍ଭ କଲା ମିରାଜ୍‌ ତା'ର ତାଣ୍ଡବ ଲୀଳା । ସାରିଦେଲା ସବୁକିଛି କ୍ଷଣ-ମୁହୂର୍ତ୍ତେ । ମାତ୍ର ୨୧ ମିନିଟ୍‌ରେ ୧୦୦୦ କିଲୋର ବୋମା ବର୍ଷଣ କରି ଲୋପ କରିଦେଲା ଆତଙ୍କବାଦୀଙ୍କର ଅଧାରୁ ଆଧିକ ଶିବିରର ଅସ୍ତିତ୍ବକୁ । ଶେଷ କରିଦେଲା ପ୍ରାୟ ୩୦୦ ଆତଙ୍କିଙ୍କୁ । ସବୁଠାରୁ ବଡ କଥା ହେଉଛି,ଏଇ ତାଣ୍ଡବ ଲୀଳା ମିରାଜ୍ ରଚିବା ପରେ ଭଲରେ ଭଲରେ ଭାରତମାତା ପାଖକୁ ଫେରି ଆସିଛି । ଏହାକୁ ପ୍ରଥମେ ପ୍ରଥମେ ପାକିସ୍ତାନ ମନା କରୁଥିଲେ ବି ପରେ ମାନିଥିଲା । କଥା ଏତେକିରେ ରହି ନ ଥିଲା ; ପ୍ରମାଣ ନଷ୍ଟ କରିବା ପାଇଁ ପାକିସ୍ତାନ ଶବ ଲୁଚେଇବାକୁ ବି ପଛାଇଲା ନାହିଁ ।

      ଏଇ ଲେଖା ମାଧ୍ୟମରେ ଏଇଠି ମୁଁ ଜଣେ ଭାରତୀୟ ଭାବରେ ଚାଇନାକୁ ପ୍ରଶ୍ନ ରଖିବି ଯେ "ବିଶ୍ବରେ ଅନେକ ଦେଶ ମାନବ ଜାତିର କଲ୍ୟାଣ ପାଇଁ ଆତଙ୍କବାଦୀଙ୍କୁ ସଫା କରିବାକୁ ପାକିସ୍ତାନ ଉପରେ ଚାପ ପକାଉ ଥିବା ବେଳେ ଚାଇନା କାହିଁକି ପଛ ଘୁଞ୍ଚା ଦଉଛି ? ଜାତିସଂଘ ସୁରକ୍ଷା ପରିଷଦରେ ସମସ୍ତେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ବିରୋଧ କଲା ବେଳେ ଚାଇନା କାହିଁକି ଭିଟୋ ଲଗାଇ ଅଟକଉଛି ? ଚାଇନା କେବେ ସଚେତନ ହେବ ? ଆତଙ୍କବାଦୀଙ୍କୁ ମୂଳପୋଚ୍ଛ କରିବା ପାଇଁ ଚାଇନା କେବେ ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବ ?" ଏଇଠି ମୋର ବିଶ୍ୱବାସୀଙ୍କୁ ଏଇ ବାର୍ତ୍ତା   ରହିବ -"ହେ ବିଶ୍ବ ଆଗେଇ ଆସ,ଆତଙ୍କବାଦୀଙ୍କୁ ନଷ୍ଟ କରିବା ପାଇଁ । ଯେଉଁ ଦେଶ ଉପରେ ବି ଆକ୍ରମଣ ହେଉଛି ଆଉ ଯଦି ଜାଣୁଛନ୍ତି ଏ ସଙ୍ଗଠନ ପାକିସ୍ତାନରେ ଆଛି ବୋଲି ତେବେ ପାକିସ୍ତାନ ବିରୋଧରେ ଆରମ୍ଭ କର ଭାରତ ଭଳି ସର୍ଜିକାଲ୍ ଷ୍ଟ୍ରାଇକ୍ ।" ଆଉ ମୁଁ ଏଇ ଲେଖା ମାଧ୍ୟମରେ ଅନୁରୋଧ କରିବି ଭାରତକୁ ଯେ ଯଦି କେହି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ସାହାଯ୍ୟ ମାଗୁଛି ତେବେ ତାକୁ ସାହାଯ୍ୟ କରାଯାଉ ।" 

       ଲେଖା ଶେଷରେ ଅଭିନନ୍ଦନଙ୍କୁ ଅଭିନନ୍ଦନ । ଆତଙ୍କବାଦୀଙ୍କ ପରି କୁକୁର ମାନଙ୍କୁ ସଫା କରିବାକୁ ଭାରତ ଯେଉଁ ପଦକ୍ଷପ ନେଲା ତାହା ବହୁତ କଷ୍ଟ ଦେଇଥିଲା ପାପୀ ଭୀରୁ ଓ କାପୁରୁଷ ପାକିସ୍ତାନକୁ । ସେଥିପାଇଁ ତ ଆମେରିକା ସହ ଥିବା ସବୁ ସର୍ତ୍ତକୁ ଭୁଲି ଭାରତୀୟ ଏୟାର୍ ବେଶ୍ ଉପରେ f 16 ଦ୍ୱାରା ଆକ୍ରମଣ କରିବାକୁ ବାହାରି ଆସିଲା । ପୂର୍ବରୁ ପ୍ରସ୍ତୁତ ଥିବା ବାୟୁସେନାର କିଛି ବିମାନ ବାହାରି ଆସିଲା ଏହାକୁ ପ୍ରତିରୋଧ କରିବା ପାଇଁ । ଆଉ ଏହାରି ଭିତରେ ହିଁ ଥିଲା ମିକ୍ ୨୧ ଭଳି ସର୍ବ ପୁରାତନ ବିମାନ । ଯାହାର ପାଇଲଟ୍ ଥିଲେ ଅଭିନନ୍ଦନ ।
ଯାହାଙ୍କୁ ନେଇ ଖାଲି ଭାରତରେ ଚର୍ଚ୍ଚା କାହିଁକି, ଆଜି ସାରା ବିଶ୍ବ କରୁଛି ତାଙ୍କର ତାରିଫ୍ । ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର୍ ବାୟୁବୀର ଅଭିନନ୍ଦନ ବର୍ତ୍ତମାନ । ସବୁଠାରୁ ବଡ କଥା ହେଲା, ଆମେରିକା ଦ୍ୱାରା ପାକିସ୍ତାନକୁ ଦିଆ ଯାଇଥିବା ଏ ବିମାନ ଥିଲା ଆଧୁନିକ ଜ୍ଞାନ କୌଶଳରେ ପରିପୂର୍ଣ୍ଣ । କିନ୍ତୁ ବାୟୁବୀର ଅଭିନନ୍ଦନଙ୍କ ବିମାନ ଥିଲା ପୁରାତନ । ତା' ସତ୍ତ୍ୱେ ବି ପଛଘୁଞ୍ଚା ଦେଇ ନ ଥିଲେ ଅଭିନନ୍ଦନ ।
କୁକୁରଙ୍କ କବଳରୁ ଭାରତ ମାତାର ସମ୍ମାନ ରକ୍ଷା କରିବା ପାଇଁ f 16 ଉପରେ କରି ଚାଲିଲେ ହମ୍‌ଲା ପରେ ହମ୍‌ଲା । ଆଉ ଏଇ ହମ୍‌ଲା କରୁ କରୁ କେତେବେଳେ ଯେ ସୀମା ପାର ହୋଇଗଲେ ତାହା ଜାଣିପାରି ନ ଥିଲେ । ସୀମା ପାର ହୋଇଥିଲେ ସତ କିନ୍ତୁ ତାଙ୍କ ଅଦମ୍ୟ ସାହାସ କେବେ ବୃଥା ଯାଇ ନଥିଲା । ବାୟୁବୀର ଅଭିନନ୍ଦନଙ୍କ ହମ୍‌ଲାରେ ସମ୍ପୂର୍ଣ୍ଣ  ନଷ୍ଟ ହୋଇଥିଲା f 16 ।

       କିନ୍ତୁ ଏହାପରେ ଘଟିଲା ଭାରତ ପାଇଁ ତଥା ଆମ ପାଇଁ ଏକ ଦୁଃଖଦ ଘଟଣା । ପାକିସ୍ତାନ ସୀମାରେ ପଶି f 16କୁ ନଷ୍ଟ କରିବା ପରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା ଭାରତୀୟ ବାୟୁବୀର ଓ ଭାରତର ଗର୍ବ ଅଭିନନ୍ଦନ ଚଳାଉ ଥିବା ମିକ୍ 21 । ମିକ୍21 ନଷ୍ଟ ହୋଇଗଲା ସତ,
କିନ୍ତୁ ମୃତ୍ୟୁକୁ ପରାସ୍ତ କଲେ ବାୟୁବୀର ଅଭିନନ୍ଦନ । ଯାହା ଭାଗ୍ୟରେ ଭାରତ ମାତାର ସେବା ଆହୁରି ବାକି ଅଛି, ଯାହାର ଚିରଦିନ ପାଇଁ ଅମରତ୍ୱର ଗାଥା ଲେଖା ହେବାର ବାକି ଅଛି, ଯା'ର ବୀରତ୍ୱକୁ ଏ ସାରା ବିଶ୍ବ ଜାଣିବାର ବାକି ଅଛି ସେ ବା କେମିତି ଯାଇ ପାରିଥାଆନ୍ତା !!

   ସଫଳତାର ସହ ସେ ଓହ୍ଲାଇଲେ ଆସି ତଳେ ।
କିନ୍ତୁ ତାଙ୍କ ପାଇଁ ଥିଲା ଜାଗା ନୂଆ ଆଉ ପରିବେଶ ନୂଆ । ସଂଗେ ସଂଗେ ଆସି ପହଞ୍ଚି ଗଲେ କିଛି ସ୍ଥାନୀୟ ଯୁବକ, ଆଉ ତାଙ୍କୁ ଘେରି ଗଲେ ଚାରିଆଡୁ । କିନ୍ତୁ ଏମାନଙ୍କୁ ସାହାସର ସହ ଏକାକୀ ମୁକାବିଲା କରିଥିଲେ ବାୟୁବୀର ଅଭିନନ୍ଦନ । ନିଜର ବନ୍ଧୁକ ଦେଖାଇ ପଚାରି ଥିଲେ - "ଏଇଟା କାଉ ଜାଗା ?" ସେଠାକାର ଲୋକ ଜାଣି ସାରିଥିଲେ ଯେ ଇଏ ଭାରତ ମା'ର ବୀର ସନ୍ତାନ, ସେଥିପାଇଁ କହିଲେ ଏଇଟା ଭାରତ । କିନ୍ତୁ  ଅଭିନନ୍ଦନ ସେମାନଙ୍କୁ ପରୀକ୍ଷା କରିବା ପାଇଁ ନାରା ଦେଲେ - "ଭାରତ ମାତାକି ଜୟ ।" ସେ ସେତେବେଳେ ଯାଇ ନିଶ୍ଚିତ ହେଲେ ଯେ ଏଇଟା ପାକିସ୍ତାନ ବୋଲି ଯେତେବେଳେ  ତାଙ୍କ  ସହିତ କେହି ବି ଜଣେ ନାରା ଦେବାକୁ ଇଛା ପ୍ରକାଶ କଲେନି। 

     ଆଉ ସେ ନିଶ୍ଚିତ ହୋଇଗଲେ ଯେ ମୁଁ ଶତ୍ରୁ ସୀମାରେ ଓହ୍ଲେଇ ସାରିଛି । ଖାଲି ଏତିକିରେ ଯେ ବୀରର ବିରତ୍ୱ ଶେଷ ହୋଇଗଲା ତାହା ନୁହେଁ, ଭାରତ ମାଆକୁ କିଭଳି ସୁରକ୍ଷା ଦେଇହେବ ସେଥିପ୍ରତି ସେ ଥିଲେ ଯତ୍ନବାନ । ସେଇଥିପାଇଁ ତ ସେ ଜାଣିବା ପରେ ଯେ ସେ ପାକିସ୍ତାନ କବଳ ରେ ଅଛନ୍ତି ବୋଲି  ତାଙ୍କ ପାଖରେ ରଖିଥିବା ସବୁ ପ୍ରମାଣକୁ ପାଣିରେ ଭିଜେଇ ଦେଇଥିଲେ ।

ମୋର ପାପୀ-ଭୀରୁ କାପୁରୁଷ ପାକିସ୍ତାନ ପାଇଁ ଏଇ ବାର୍ତା ରହିବ - "ରେ ରେ ଭୀରୁ କାପୁରୁଷ ବେଇମାନ ପାକିସ୍ତାନ !! ଏତେ ସବୁ ଘଟଣା ପରେ ବି କ'ଣ ତୁ କିଛି ଶିଖିଲୁନି !! ତୁ କ'ଣ ଏବେ ବି ଜାଣି ପାରୁନୁ ଭାରତର ତାକତ୍ !! କ'ଣ ତୋତେ ଏବେ ବି ଆହୁରି ବୁଝିବାରେ ବାକି ରହିଛି ଭାରତ ଦ୍ୱାରା ଜନ୍ମିତ ଭାରତ ମାଆର ସେଇ ଗୋଟିଏ ବୀର ସନ୍ତାନ ଅଭିନନ୍ଦନ ତୋର କି କ୍ଷତି କରି ଆସିଲେ ? ଏଥିରୁ କ'ଣ ତୁ କିଛି ବି ଜାଣି ପାରୁନୁ ନିମକହାରାମୀ ! ତୋର ଟିକେ ବି ଚେତା ପଶିଲାନି ! ତୁ ୬୦ଘଣ୍ଟା କାଳ ଅଟକେଇଲୁ ଯେଉଁ ବୀରକୁ ସେ କିଏ ଆଉ ତା'ର ପରିଚୟ କଣ ?
ଆରେ ! ତମେମାନେ ପରା ଦାବି କର ତମ ଗୁଇନ୍ଦା ତମକୁ ସଠିକ୍ ତଥ୍ୟ ଦିଏ ବୋଲି ?

   ତମେମାନେ କେମିତି ଜାଣି ପାରିଲନି ଅଭିନନ୍ଦନ କିଏ ଓ ତା'ର ପରିଚୟ କଣ ? ଆରେ ଭୀରୁ ! ତମେମାନେ କଣ ତା' ବିଶେଷତ୍ୱ ବିଷୟରେ ଟିକେ କିଛି ବି ସୁରାକ୍ ପାଇଲନି !! ଆହୁରି ଦେଇ ଚାଲୁଥିଲ ମାନସିକ ନିର୍ଯାତନା !! ଆରେ କୁକୁର !  ତମେମାନେ ଥରଟେ ଜାଣିବା କଥା ଅଭିନନ୍ଦନ ହେଲା ସେଇ ଭୂମିର ସନ୍ତାନ,  ଭୂମିର ସନ୍ତାନ ନିଜେ ପ୍ରାଣ ପଛେ ଉତ୍ସୋର୍ଗ କରିଦେବେ କିନ୍ତୁ କୁକୁରଙ୍କ ଆଗରେ କେବେ ବି ମଥା ନତ କରିବେ ନାହିଁ । ଆଉ ଇଏ ତ ଅଭିନନ୍ଦନ ଯାହାଙ୍କର ପୁରା ପରିବାର ଦେଶ ପାଇଁ ସମର୍ପିତ ।" ତେଣୁକରି ମୁଁ ଜଣେ ଭାରତୀୟ ଭାବରେ ଏତିକି କହିବି, ସୁଧୁରି ଯାଅ ।ନହେଲେ ପସ୍ତେଇବ । ଏତିକି ମନେରଖ ଏଇ ସମୟରେ ଯଦି  ନ ସୁଧୁର ତ ତେବେ ଭୋଗିବ, ବହୁତ ଭୋଗିବ । କାରଣ ଫେରୁଛି, ପୁଣି ସେଇ ଫେରୁଛି । ତମ କାଳ ଆଉ ଭାରତ ମାତାର ବଳ ଆସୁଚି।

    ଏଇ କମାଣ୍ଡରଙ୍କ ମନରେ ଥିଲା ଅଦମ୍ୟ ସାହସ ଆଉ ଭାରତ ମାଆ ପ୍ରତି ଅହେତୁକ ଭଲପାଇବା । ସେଥିପାଇଁ ଦୀର୍ଘ ୬୦ଘଣ୍ଟା କାଳ ସେ ଏକାକୀ ଶତ୍ରୁକୁ ମୁକାବିଲା କରିଥିଲେ ନିର୍ବିକର ସହିତ । ସର୍ବଶେଷେ ଫେରି ଆସିଥିଲେ ଜନ୍ମମାଟି । ଭାରତ ସହ ଶତ୍ରୁତା କରି, ଜାଣି ସାପ ଲାଞ୍ଜରେ ହାତ ମାରି ନିଜର ମହାବିତ୍ପତ୍ତି ସାଦରେ ବରଣି କି ଲାଭ ପାଉଛ ବେଇମାନୀ ପାକିସ୍ତାନ ? ସମୟ ଆଗତ ପ୍ରାୟ , ସୁଧୁରିବାର ଥିଲେ ସୁଧୁରି ଯାଅ । 

ଦହପାଣିଆ, ତିହିଡି (ଭଦ୍ରକ)
ଜୟ ସାହିତ୍ୟ, ଜୟ ସମାଜ