ଜ୍ୟୋତ୍ସ୍ନା ସିଂହ
"ଭୂମେର୍ଗରୀୟସୀ ମାତା ସ୍ବର୍ଗଦୁଚ୍ଚତରଃ ପିତା
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।"
ଜନକ, ଜନନୀ ଓ ମାତୃଭୂମିର ଗୌରବ ଭରି ରହିଛି ଏହି ଶ୍ଳୋକରେ । ଜନ୍ମଭୂମି ପ୍ରୀତି ବ୍ଯକ୍ତିର ଏକ ନୈସର୍ଗିକ ପ୍ରବୃତ୍ତି । ଦେଶରେ ବାସ କରୁଥିବା ଆବାଳ - ବୃଦ୍ଧ - ବନିତା ପ୍ରତ୍ଯେକ ନିଜ ଦେଶ ପ୍ରତି ଅନୁରାଗୀ ହୋଇଥା'ନ୍ତି । ଦେଶର ସମୃଦ୍ଧି ଓ ଗୌରବରେ ତା'ର ଅଧିବାସୀ ଯେପରି ଉତ୍ଫୁଲ୍ଲ ହୋଇଥା'ନ୍ତି ; ଦୁର୍ଭାଗ୍ୟ, ଅବନତି ଓ ପରାଧୀନତାରେ ସେପରି ବିଷାଦିତ ଓ ମ୍ରିୟମାଣ ହୋଇଥା'ନ୍ତି । ସୁବିମଳ ଓ ଉଚ୍ଚକୋଟୀର ଦେଶପ୍ରୀତି ଦେଶର ସଂସ୍କୃତି ଓ ସମ୍ମାନର ହେତୁ ଅଟେ ।
ଜନନୀ ପ୍ରତି ସନ୍ତାନର ଯେଉଁ ଭକ୍ତି ଓ ସମ୍ମାନ ଥାଏ, ଜନନୀ ସ୍ବରୂପା ଜନ୍ମଭୂମି ପ୍ରତି ମଧ୍ୟ ସେହି ସମ୍ମାନ ଓ ଭକ୍ତି ରହିବା ଉଚିତ । ଦେଶପ୍ରେମ ଯୋଗୁଁ ଦେଶ ପ୍ରଗତିଶୀଳ ହୁଏ ଓ ଜନସାଧାରଣଙ୍କର ସ୍ବାଭିମାନ ବୃଦ୍ଧି ପାଏ । ମନୁଷ୍ଯ ଭାଗ୍ୟରେ ଉତ୍ଥାନ - ପତନ ପରି ଦେଶ ଓ ଜାତିର ଉତ୍ଥାନ - ପତନ ମଧ୍ୟ ସ୍ବାଭାବିକ । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶପ୍ରେମୀ ଯୋଗଜନ୍ମା ପୁରୁଷଙ୍କର ଆବିର୍ଭାବ ଘଟେ । ସେହି ଦେଶପ୍ରେମୀ ମହାତ୍ମାବୃନ୍ଦ ଦେଶପ୍ରେମରେ ଜନସାଧାରଣଙ୍କୁ ଉଦ୍ବୁଦ୍ଧ କରିଥା'ନ୍ତି । ଭାରତବର୍ଷର ଇତିହାସ ବହୁ ଦେଶପ୍ରେମୀଙ୍କ ତ୍ଯାଗ ଓ ବଳିଦାନରେ ଋଦ୍ଧିମନ୍ତ ହୋଇଛି । ସେମାନଙ୍କର ନାମ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି ।
ବାସ୍ତବରେ କହିବାକୁ ଗଲେ ଦେଶପ୍ରେମ ଏକ କଳା, ଏହି କଳା ସମସ୍ତଙ୍କ ପାଖରେ ନଥାଏ । ସମସ୍ତଙ୍କ ଭାଗ୍ୟରେ ସାଧୁ ଓ ସଚ୍ଚୋଟ ଦେଶପ୍ରେମୀ ହେବାର ସୁଯୋଗ ଆସି ନଥାଏ । କାପୁରୁଷ, ଭୀରୁ, ସ୍ବାର୍ଥପର ବ୍ୟକ୍ତି କେବେହେଲେ ଦେଶପ୍ରେମୀଟିଏ ହୋଇ ପାରିନଥାଏ । ବାସ୍ତବ ଦେଶପ୍ରେମୀ ସ୍ବାର୍ଥ ତ୍ଯାଗୀ ଅଟନ୍ତି, ଦେଶବାସୀଙ୍କ ସେବାରେ ସେ ନିଜକୁ ଉତ୍ସର୍ଗ କରି ଦେଇଥାଆନ୍ତି । ବଳିଦାନର ବେଦିରେ ସେ ନିଜକୁ ବଳିଦାନ ଦେବାକୁ ପ୍ରକୃତ ଦେଶପ୍ରେମୀଟିଏ କେବେହେଲେ ପଛଘୁଞ୍ଚା ଦେଇ ନଥାଏ । ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ -
"ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚ଼ାଲି ଯାଆନ୍ତୁ ପିଠିରେ
ଦେଶର ସ୍ବରାଜ ପଥେ ଯେତେ ଗାଢ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।"
ସତରେ ଦେଶପ୍ରେମୀର ଚିନ୍ତା,ଚେତନା ଓ କର୍ମରେ ଦେଶପ୍ରେମର ଭାବ,ଭକ୍ତି ଓ ଆନୁଗତ୍ୟ ପୂରି ରହିଥାଏ । ସହିଷ୍ଣୁତା ଓ ସ୍ବାର୍ଥ ତ୍ଯାଗ, ଦେଶପ୍ରେମକୁ ସଫଳ କରେ । ଭାବପ୍ରବଣତା ଓ ଯଥୋପଚାରିତା ଠାରୁ ସାଧୁ ଦେଶପ୍ରେମୀମାନେ ଦୂରେଇ ରହନ୍ତି । ନିଜ ପରିବାରଠୁ ସେ ଅଧିକ ଭଲପାଏ ତା'ର ଦେଶକୁ ; ନିଜ ଦେଶର ଉନ୍ନତି, ପ୍ରଗତି ଓ ଖୁସିରେ ସେ ନିଜର ଉନ୍ନତି,ପ୍ରଗତି ଓ ଖୁସି ବୋଲି ଧରି ନେଇଥାଏ । ଏଭଳି ଦେଶପ୍ରେମୀର ଦେଶପ୍ରେମକୁ ଦେଖିଲେ ସମସ୍ତଙ୍କ ମଥା ଆପେ ଆପେ ନଇଁ ଯାଏ । ଏଭଳି ସଚ୍ଚୋଟ ଦେଶପ୍ରେମୀଙ୍କ ପାଇଁ ଆଜି ଭାରତବର୍ଷ ଗରୀୟାନ୍ ପାଲଟିଛି ।
ନିଆଳି ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ସମସ୍ତଙ୍କ ଅଗୋଚରରେ ଥିବା ଅମୂଲ୍ୟ ରତ୍ନଟିଏ ଦେଶ ସେବାରେ ଉଦ୍ବୁଦ୍ଧ ହୋଇ ନିଜକୁ ବଳିଦାନ ଦେଇ ସମସ୍ତଙ୍କୁ ଆଜି ହତଚକିତ କରିଦେଇଛି । ଜାମ୍ମୁ - କାଶ୍ମିର ପୁଲୱାମା ଜିଲ୍ଲାର ଅବନ୍ତିପୁର ଠାରେ ଗୁରୁବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜଙ୍କ ଶେଷ ଶୋଭାଯାତ୍ରା ଜନସମୁଦ୍ର ପାଲଟି ଯାଇଥିଲା । "ମନୋଜ ଅମର ରହେ" ଶବ୍ଦରେ ଆଜି ପ୍ରକମ୍ପିତ ସାରା ଅଞ୍ଚଳ । ଏଭଳି ଏକ ଦେଶପ୍ରେମୀଙ୍କୁ ପାଇ ନିଆଳି ମାଟିର ଛାତି ଗର୍ବରେ ଫୁଲି ଉଠୁଛି । ଅନେକ ଦେଶ ସେବକ ଅଛନ୍ତି ହେଲେ ଏଭଳି ସଚ୍ଚା ଓ ସାଧୁ ଦେଶପ୍ରେମୀ ମିଳିବା କଷ୍ଟକର । ନିଜର ପତ୍ନୀ, କୁନି ଝିଅ ଓ ବାପା-ମାଆଙ୍କ ସ୍ନେହ-ପ୍ରେମରେ ବାନ୍ଧି ନ ହୋଇ ମାଟି ମାଆ ପାଇଁ ଜୀବନୋତ୍ସର୍ଗ କରିପାରେ ! ସେଭଳି ଦେଶପ୍ରେମୀ ବିରଳ, ଆଜି ଦେଶବାସୀ ଗର୍ବ ଓ ଗୌରବର ସହ ବଞ୍ଚିବାର ଅଧିକାର ପାଇଛନ୍ତି କେବଳ ଏଇଭଳି ସଚ୍ଚା ଦେଶପ୍ରେମୀଙ୍କ ପାଇଁ । ଶହୀଦ ମନୋଜଙ୍କ ପାଇଁ ଆଜି ନିଆଳି ଅଞ୍ଚଳ ଭାରତର ମାନଚିତ୍ରରେ ଜାଜ୍ବଲ୍ଯମାନ ହୋଇ ଫୁଟି ଉଠି କହୁଛି "ମୋ ମାଟିର ପୁଅ ଶହୀଦ ମନୋଜ ଦେଶ ପାଇଁ ଜୀବନ ଦେଇଛି" । ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଗଲା ଶହୀଦ ମନୋଜଙ୍କ ନାମ, ଶହୀଦ ମନୋଜଙ୍କ ଗ୍ରାମ, ପରିବାର, ବିଦ୍ଯାଳୟ ଓ ଗ୍ରାମର କଥା । ଆଜି ଶହୀଦ ମନୋଜ, ତା'ର ପରିବାର ଏବଂ ଗ୍ରାମକୁ ଏ ସାରା ଦେଶ ସଲାମ୍ କରୁଛି । ସତରେ ; ପଣ୍ଡିତ ଗୋଦାବରୀଶଙ୍କର ସେହି କାଳଜୟୀ ଲେଖନୀ ମୂନର ଉକ୍ତିଟିଏ ମନେପଡ଼େ -
"ଜନମ ଭୂଇଁ ସେ ମାଟି ପଥରର
ଜନନୀଠୁ ବଳି ବଡ଼
ସେ ଜନମ ଭୂଇଁ ସେବା ଯେ କରଇ
ନର ଜନ୍ମ ଧନ୍ୟ ତା'ର ।"
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।