3/06/2019

ପରିବର୍ତ୍ତନଶୀଳ

                                                         ଲୋରୀ ସ୍ବାଇଁ 

                ପ୍ରକୃତିରେ ୫୬କୋଟି ଜୀବ ଅଛନ୍ତି । ସମସ୍ତଙ୍କର ପରିବର୍ତ୍ତନ ଅଛି ;ଏମିତିକି ପରିବେଶ, ପାଣିପାଗ ବି ପରିବର୍ତ୍ତନଶୀଳ । ପ୍ରକୃତିର ପୂର୍ବ ପରିବେଶ ଓ ଅଧୁନା ପରିବେଶ ମଧ୍ୟରେ ଅନେକ ପରିବର୍ତ୍ତନ ଘଟି ସାରିଛି ଓ ଅଦ୍ଯାବଧି ଘଟୁଛି ବି । ଆଦିମ ଯୁଗରେ ମାନବ ବଣଜଙ୍ଗଲରେ ବାସ କରୁଥିଲା, କଞ୍ଚା ମାଂସ ଖାଉଥିଲା, ନିଆଁର ବ୍ଯବହାର ଜାଣି ନଥିଲା, ଆଦିମାନବ ରୂପରେ ବିକୃତ ଶରୀରରେ ଥିଲା ; କିନ୍ତୁ ଏବେ ସେ ଅଧୁନା ମାନବ । ସବୁକିଛିର ପରିବର୍ତ୍ତନ ପରିଲକ୍ଷିତ । ପୂର୍ବର ସେ କଦର୍ଯ୍ଯ ସୌନ୍ଦର୍ଯ୍ୟ ନାହିଁ କି କଞ୍ଚା ମାଂସ ଭକ୍ଷଣ ନାହିଁ । ସୁନ୍ଦର ରୂପ ଓ ବିଚକ୍ଷଣ ବୁଦ୍ଧିମତା ସହ ସୁସ୍ବାଦୁ ବ୍ଯଞ୍ଜନ ଭୋଜନରେ କାଳାତିପାତ । ବୈଜ୍ଞାନିକ ପଦ୍ଧତିର ଅବଲମ୍ବନ କରି ମହାକାଶରେ ବିଚରଣ ମଣିଷକୁ ବିକଶିତ କରିପାରିଛି । ପର୍ଣ୍ଣ କୁଟୀରରୁ ତୃଣ କୁଟୀର ;ଏବେ ଟିଣ ଛପର ଓ କଂକ୍ରିଟ୍‌ ଘରରେ ଉପନୀତ । ପୁରାତନ କାଳର ଜଳବାୟୁ ଓ ଆଜିର ଜଳବାୟୁ ମଧ୍ୟରେ ଆକାଶ-ପାତାଳ ତଫାତ । ପ୍ରକୃତିର ପରିବର୍ତ୍ତନ ପ୍ରାଣୀର ପରିବର୍ତ୍ତନ ପ୍ରତି କ୍ଷଣକୁ କ୍ଷଣ  । 
           ସବୁକିଛିର ପରିବର୍ତ୍ତନ ମଣିଷକୁ ଯେତିକି ସଫଳତା ଦେଉଛି, ସେତିକି ମୃତ୍ୟୁର ପଥ ଉନ୍ମୁକ୍ତ ପୂର୍ବକ ମରଣ ଦ୍ବାର ଆଡ଼କୁ ବାଟ କଢ଼ାଇ ନେଉଛି । ଟିକିଏ ସୁବିଧା ପାଇଁ ମଣିଷ ଅନେକ ଅସୁବିଧାକୁ  ଅଜ୍ଞାତରେ ଆପଣାଇ ନେଉଛି । ଯାତାୟତର ସୁବିଧା ପାଇଁ ଅନେକ ବୃକ୍ଷ ଟଳି ପଡ଼ନ୍ତି, ବିଲୀନ ହୋଇଯା'ନ୍ତି ନିକାଞ୍ଚନ କାନନମାଳା । ଜଙ୍ଗଲ ସମ୍ପଦର ଅବକ୍ଷୟ ହେତୁ ବଦଳି ଯାଉଛି ପ୍ରାକୃତିକ ପରିବେଶ, କ୍ରୋଧରେ ପ୍ରକୃତି ଦେବୀ କରୁଛି ଦୁର୍ଗା ତାଣ୍ଡବ । ଖରା-ବର୍ଷା-ଶୀତର ଆଚରଣରେ ପରିବର୍ତ୍ତନ,ପ୍ରାଣୀର ଅନାହାର କଷ୍ଟ ବୃଦ୍ଧି, ଅନେକ ପ୍ରାଣୀଙ୍କର ମହାପ୍ରୟାଣ, ପ୍ରକୃତିର ସୌନ୍ଦର୍ଯ୍ୟ ହାନୀରେ ଅତିଷ୍ଠ ପୃଥ୍ବୀ । ଯାତାୟତର ସୁବିଧା ପାଇଁ ଯାନବାହନର ସୃଷ୍ଟି । ବାୟୁମଣ୍ଡଳ ଅପରିଷ୍କାର, ଅଙ୍ଗାରକାମ୍ଳର ବୃଦ୍ଧି ଓ ଓଜୋନ ସ୍ତରରେ ବିରାଟ ଗର୍ତ୍ତ । ଚର୍ମ କର୍କଟ ରୋଗର ଶିକାର ଅନେକ ପ୍ରାଣୀ । ଭାରସାମ୍ୟ ହରାଇ ଡ଼ାଇନୋସର ପରି ବିରାଟ ପ୍ରାଣୀର ବିଲୋପ । ଜଳବାୟୁର ପରିବର୍ତ୍ତନରେ ରୋଗ, ଦୁଃଖ, ଯନ୍ତ୍ରଣାର ନିର୍ମମ ପ୍ରହାରରେ ଅତିଷ୍ଠ ମାନବ ।

         ଭାଗବତରେ ବର୍ଣ୍ଣନା ଅଛି -
          "ମର୍ତ୍ତ୍ୟ ମଣ୍ଡଳେ ଦେହ ବହି
          ଦେବତା ହେଲେ ବି ମରଇ ।"
ଜନ୍ମ ମାତ୍ରେ ମୃତ୍ୟୁ ଧ୍ରୁବ । ଅବତାର ଗ୍ରହଣ କରିଥିବା ଦେବତାମାନେ ବି ମୃତ୍ୟୁଦୂତ ଠାରୁ ବର୍ତ୍ତି ପାରିନାହାନ୍ତି ।କାଳ ପୂରିଲେ କେହି ରଖିପାରିବେ ନାହିଁ । ଦୀପରୁ ତେଲ ନ ସରିବା ଯାଏଁ ଦୀପଟି ଲିଭିବନି । ଶିଶୁଟିଏ ଜନ୍ମ ହୋଇ ଶିଶୁରୁ ବାଳକ, ବାଳକରୁ କିଶୋର, କିଶୋରରୁ ଯୁବକ, ଯୁବକରୁ ବୟୋବୃଦ୍ଧ ଓ ବୟୋବୃଦ୍ଧରୁ ବୃଦ୍ଧ ହେଲା ପରେ ମୃତ୍ୟୁ ଦ୍ବାର ତା' ପାଇଁ ଆପେ ଆପେ ଉନ୍ମୁକ୍ତ ହୋଇଯାଏ । କର୍ମାନୁସାରେ ଭୋଗାଭୋଗ ପରିସମାପ୍ତି ପରେ ଦୀର୍ଘଦିନର ଅଭିନୟ ସାରି ପୁନରାୟ ବାହୁଡ଼ି ଯିବାକୁ ହୁଏ । ଏଇ ତ ପରିବର୍ତ୍ତନ । 

                   ନୂଆ ଘରଟି ବହୁତ ସୁନ୍ଦର ଲାଗେ ଦେଖିବାକୁ । ଅନେକ ଅର୍ଥ ବ୍ଯୟରେ ସେ ନିର୍ମିତ ହେଲେ ବି ଦିନେ ନା ଦିନେ ପୁରୁଣା ହେବ।ଛପର ଖସିବ,କାନ୍ଥ ଟଳିବ । ପୁନର୍ବାର ତାକୁ ନିର୍ମାଣ କରାଯିବ ବାସୋପଯୋଗୀ କରିବା ପାଇଁ  । ନୂଆ ବସ୍ତ୍ରଟି ଦିନେ ପୁରୁଣା ହୋଇ ଚିରିଯିବ ।ପୁଣି ନୂଆ ଖଣ୍ଡେ ପରିଧାନ କରିବାକୁ ହେବ । ସେମିତି ସୁନ୍ଦର ଯୌବନ ବି ଦିନେ ଚାଲିଯିବ, ଚମ ଧୁଡ଼ୁଧୁଡ଼ୁ ହୋଇ ବୃଦ୍ଧାବସ୍ଥା ଆସିବ । ତେବେ ସୌନ୍ଦର୍ଯ୍ୟକୁ ନେଇ ଏତେ ଗର୍ବ କାହିଁକି ? ମନ ଓ ଚରିତ୍ରର ସୌନ୍ଦର୍ଯ୍ୟତାଠୁ ରୂପ ସୌନ୍ଦର୍ଯ୍ୟ କ'ଣ ଅଧିକ ? ଉଚିତ୍ କର୍ମ, ସମୟାନୁବର୍ତ୍ତିତା, ନିୟମାନୁବର୍ତ୍ତିତା, ଧର୍ମମାର୍ଗନୁସରଣ ଆଦି ମଣିଷକୁ ସୌନ୍ଦର୍ଯ୍ୟତା ର୍ପଦାନ କରେ । ଗର୍ବ, ଅହଂକାର, ସ୍ବାର୍ଥ ମଣିଷକୁ ରସାତଳଗାମୀ ଓ ଅସୁନ୍ଦରରେ ପରିଗଣିତ କରେ । 

        ତେଣୁ 'ମୁଁ', 'ମୁଁ'ର ଅହଂଭାବ ତ୍ଯାଗ କରିବା ଯଥୋଚିତ । ସ୍ନେହ,ଶ୍ରଦ୍ଧା ଓ ଭଲପାଇବାର ମାର୍ଗ ସନ୍ଧାନରେ ବ୍ରତୀ ହୋଇ କର୍ତ୍ତବ୍ୟପରାୟଣତାର ଯଷ୍ଟି ଧାରଣ ପୂର୍ବକ ସଂସାରରେ ଦଣ୍ଡାୟମାନ ମାନବ ହିଂସା,ଦ୍ବେଷ ଆଦି ଆଚରଣରେ ଆୟୁହାନି କରିବାରେ ଲାଗିଛି । ଭୂମିଷ୍ଠ ପରଠୁ ଭୁଲି ଯାଇଛି ସେ ଇଶ୍ୱରଙ୍କ ନିର୍ଦ୍ଦେଶକୁ ଲୋଭ, ମୋହ, ମାୟାର ବଶବର୍ତ୍ତୀ ହୋଇ । ବୁଦ୍ଧଙ୍କ ବାଣୀ -"କାମନାର ବିନାଶରେ ଦୁଃଖର ବିନାଶ"ର ନାରା ଦେଇ ଚରିତାର୍ଥ କରିଚାଲିଛି କାମନା ବାସନାକୁ ତା'ର । ସ୍ବଳ୍ପ ସୁଖ ପାଇଁ ଜାଣି ଜାଣି ସସ୍ର ସସ୍ର ବିଷାଦର ସୁଗୁଡ଼ା ମୁଣ୍ଡାଇ ଭାରସାମ୍ୟହରା ହୋଇ ଟଳି ପଡ଼ୁଛି ବସୁ ବକ୍ଷରେ । କାହିଁକି ଏସବୁ ? କଥାରେ ଅଛି -
             "ଆପଣା ହସ୍ତେ ଜିହ୍ୱା ଚ୍ଛେଦି
           କେ' ଅଛି ତା'ର ପ୍ରତିବାଦୀ ?"

ନିଜେ ନିଜର କ୍ଷତି କରିବା ଠିକ୍‌ ନୁହେଁ  । 

        କହିବା ଆଗରୁ କରି ଦେଖାଇବା ଓ କରିବା ପୂର୍ବରୁ ତାକୁ ହଜାରେ ଥର ଠିକ୍‌-ଭୂଲ୍‌ର ନିନ୍ଯାସ କରିବା ଉଚିତ୍ । କ'ଣ କଲେ ଠିକ୍‌ ହେବ ଆଉ କ'ଣ କଲେ ଭୂଲ୍‌ ; ବିଚାର ପୂର୍ବକ ନ କଲେ କୃତୀ ବି ଭୂଲ୍‌ ହୋଇଯାଏ । ଥରେ ଭୂଲ୍‌ ହେଲେ ଆଉ ଠିକ୍‌ କରିବା ଏତେ ସରଳସାଧ୍ଯ ନୁହେଁ । ସୂତା ଅଡ଼ୁଆ ହେଲା ପରେ ଖୋଲିବା କଷ୍ଟ । ଜୀବନ ଜଟିଳ ଜ୍ଯାମିତି କଷିବା ପୂର୍ବରୁ ପ୍ରଥମେ ନିଜକୁ ପ୍ରସ୍ତୁତ କରିବା ନିହାତି ଆବଶ୍ୟକ ।

           ପରିବର୍ତ୍ତନ ତ ଲାଗିଛି ଲାଗିବ, ପ୍ରକୃତିର ପରିବର୍ତ୍ତନ ସହ ଆମକୁ ଖାପ ଖୁଆଇ ଚଳିବାକୁ ହେବ । ସମୟ ସହ ତାଳ ଦେଇ ଚାଲିବାକୁ ହେବ । ନଚେତ ଆମେ ପଛରେ ପଡ଼ିଯିବାର ଭୟ ରହିଛି ।

ଓସ୍ତପୁର, କାକଟପୁର,(ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।