3/06/2019

ବରଗଛ

ସୁଚିତ୍ରା ରଥ
ଜହ୍ନତିଥି ଅମାରାତି
ଖରା ବର୍ଷା ଶୀତ କି କାକର
ସବୁକାଳେ ନିରବ ନିଶ୍ଚଳ ତୁମେ
ସୁଧୀର ଉଦାର ।

କୋଳାହଳ ତୁମ ଚାରିପାଖେ
ପକ୍ଷୀଙ୍କର, ବାଟୋଇର, ଗାଈଆଳଙ୍କର 
ତମେ କିନ୍ତୁ ତପଶ୍ଚାରୀ ମଗ୍ନମୁନି
ଜୀବନ ବ୍ରତର ।

ସଂସ୍କାରିତ ବୀଜ ବୁଣି
କୀଟଦ୍ରଂଷ୍ଟ ପୀଡା ଘେନି
ନିରତ ସ୍ଥବିର ତୁମେ
ମୁଣ୍ଡପାତି ଘେନିନିଅ 
ଯାବତ ଆଚାର ।

ଯାଚିଦିଅ ଛାଇର ଆଶ୍ବାସ
ଓହଳ ଝୁଲଣା କେବେ
ବାଆ ପାଣି ଶୀତଳ ପରଶ  ।

ଡାଳ ତୁମ ଭାଙ୍ଗି ପଡୁଥିବା ବେଳେ
ତୁମେ ଅସହାୟ ଦିଶ 
ହେଲେ ଉଫ୍ ବି କରନି 
ବରଂ ଝଡକୁ ସମ୍ଭାଳି ନେବାର                                                
ଦେଖାଅ  ସାହସ ।

ନନା ! 
ତୁମେ ସେମିତିକା ବରଗଛ
ମୋ ସକଳ ତୀର୍ଥସାର
ବାଇଶି ପାବଚ୍ଛ ।

ଆଜି ତୁମେ ପତ୍ରଝଡା ଦେଇ
 ନିଃସ୍ବ ଦିଶିଲେ
ନିଃଶ୍ବାସ  ଅଟକି ଯାଏ ମୋର,
ନିରାଶାର ଯାଉଁଳି କବାଟ ଡେଇଁ
ତଥାପି ମୁଁ ଦେଖୁଥାଏ
ଥୁଣ୍ଟା ଦେହେ କଅଁଳିବ ଅବା
କୁଆଁ ପତ୍ରଟିଏ  ।, 
      ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।