ଚତୁର୍ଭୂଜ ସାହୁ
କଲମ ,ଖଣ୍ଡାଠାରୁ ଅଧିକ ଶାଣିତ । ବିଶ୍ବ ଇତିହାସର ପ୍ରତିଟି ପୃଷ୍ଠାରେ ଏହା ସ୍ପଷ୍ଟ ବାରି ହୋଇପଡେ ।ସଭ୍ୟତାର ବିକାଶ କଳା ସାହିତ୍ୟ ବିଜ୍ଞାନ ସହ ଓତଃପ୍ରୋତ ଭାବରେ ଜଡିତ । କେଉଁ ସଭ୍ୟତା କେତେ ବିକଶିତ ତା'ର ସାହିତ୍ୟରୁ ଅନୁମେୟ ।ବିଶ୍ବର ଯେ କୌଣସି ଦେଶର ମୁକ୍ତି ସଂଗ୍ରାମ, ବିଶ୍ବ ଯୁଦ୍ଧ ତଥା ଶାନ୍ତି ପ୍ରତିଷ୍ଠା ଦିଗରେ ସାହିତ୍ୟର ଭୂମିକା ସ୍ବତନ୍ତ୍ର । ଭାରତର ମୁକ୍ତି ସଂଗ୍ରାମର ଶ୍ରେୟ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଗଲେ ମଧ୍ୟ ଜାତୀୟତା ବୋଧ ଉଦ୍ରେଗ କରିବାରେ , ଜାତୀୟତା ମନ୍ତ୍ର ଫୁଙ୍କିବାରେ କବି ଏବଂ ଲେଖକ ମାନଙ୍କ ପ୍ରୟାସ ବ୍ୟର୍ଥ ଯାଇନି । ବିଶ୍ବଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କୁ ଜଣେ ସଫଳ ଜାତୀୟତାବାଦୀ କବି ଭାବରେ ସାରା ବିଶ୍ବ ଆଜି ମଧ୍ୟ ମଥାନତ । ପ୍ରାଦେଶିକ ସ୍ତରରେ ଜାତୀୟ କବି ବୀର କିଶୋର ମଧ୍ୟ ଓଡ଼ିଆ ଭାଷାରେ କଲମ ଚାଳନା କରି ମୁକ୍ତି ସଂଗ୍ରାମକୁ ଆହୁରି ଶାଣିତ କରି ପାରିଛନ୍ତି ।
ପୁଲୱାମାରେ ଆତଙ୍କୀ ହମଲା ପରେ ଆତଙ୍କୀ ଦମନ ପାଇଁ ଭାରତ PoKରେ ଆତଙ୍କବାଦୀର ଆଡ୍ଡାସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ୍ କଲା । ମାତ୍ର ଜବାବରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ସରକାର ବାୟୁସେନା, ଭାରତ ସୀମା ଭିତରକୁ ଆସି ଭାରତର ଅସ୍ତ୍ରାଗାର, ସାମରିକ ସଂସ୍ଥା ଉପରେ ଆକ୍ରମଣ କଲା । ମାତ୍ର ଭାରତୀୟ ବାୟୁସେନାର ଜବାବରେ ପାକ୍ ବାୟୁସେନାର F - 16 ଭଳି ଅତ୍ୟାଧୁନିକ ଲଢୁଆ ବିମାନ ପାକ୍ ଭୂମିରେ ଧରାଶାୟୀ ହେଲା । ଭାରତୀୟ ୱିଙ୍ଗ୍ କମାଣ୍ଡର ପାଇଲଟ୍ ଅଭିନନ୍ଦନ ଆକଶ ଛତାରେ ଭୂମଷ୍ଠ ହେଲାବେଳେ ଦୁର୍ଭାଗ୍ୟ ବଶତଃ ପାକ୍ ସୀମା ଭିତରେ ଅବତରଣ କଲେ । ସେଠାକାର ବାସିନ୍ଦା ତାଙ୍କୁ ଏହା ଭାରତ ମାଟି ବୋଲି ମିଛ କହିଥିଲେ । କିନ୍ତୁ ସାହାସୀ ଅଭିନନ୍ଦନ ସେଠିକାର ଲୋକଙ୍କୁ ଭାରତର ଜୟ ଜୟକାର ଧ୍ବନି କରିବାକୁ କହିବାରୁ , ସେମାନେ ଏହା ପାକିସ୍ତାନ ବୋଲି ସ୍ବୀକାର କଲେ । ଅଭିନନ୍ଦନ ନିଜକୁ ସୁରକ୍ଷା ଦେବାକୁ ଯାଇ ସର୍ଭିସ ବନ୍ଧୁକରୁ ବ୍ଲାକ୍ ଫାୟାରିଂ କରିବା ସହ ପୋଖରୀକୁ ଡେଇଁ ତାଙ୍କର ଗୁପ୍ତ ଦଲିଲ୍କୁ ନଷ୍ଟକରି ଦେଇଥିଲେ ।
ଭାରତ ମାତାଙ୍କ ପାଇଁ ସମର୍ପିତ ପ୍ରାଣ ପାଇଲଟ୍ ଅଭିନନ୍ଦନଙ୍କୁ ଅକଥନୀୟ ଅତ୍ୟାଚାର କଲେ ଧର୍ମାନ୍ଧ ପାକିସ୍ତାନୀ ଅଞ୍ଚଳବାସୀ । ଅବଶ୍ୟ ପରେପରେ ପାକ୍ ସୈନିକ ତାଙ୍କୁ ନିକଟସ୍ଥ ଆର୍ମି କ୍ୟାମ୍ପ ନେଇ ଅନେକ ତଥ୍ୟ ହାସଲ କଲା । ବିଚଳିତ ନ ହୋଇ ଜଣେ ସଚ୍ଚା ସୈନିକ ହିସାବରେ ପାକ୍ ସୈନିକଙ୍କୁ ସଠିକ ଠିକଣା ଦେବାସହ ସୌଜନ୍ୟତାର ସହ କଥା ବାର୍ତ୍ତା କରିଥିଲେ ଅଭିନନ୍ଦନ । ମାତ୍ର ଭାରତୀୟ ସେନା ସମ୍ପର୍କରେ କୌଣସି ଟିପ୍ପଣୀ ଦେବାକୁ ଦୃଢ଼ତା ର ସହ ପାକ୍ ସୈନ୍ୟବାହିନୀର ଅଧିକାରୀଙ୍କୁ ମନା କରିଥିଲେ । ଭାରତ ସରକାର ଅଭିନନ୍ଦନ ଙ୍କୁ ଭାରତ ଫେରାଇବାକୁ ଯେଉଁ କୁଟନୈତିକ ଚାଲ୍ ଖେଳିଲେ , ଏବଂ ବିଶ୍ବ ସମୁଦାୟଙ୍କୁ ଅବଗତ କଲେ , ଆଇନତଃ ଆନ୍ତର୍ଜାତିକ ଚାପ ଆଗରେ ପାକିସ୍ତାନର ସ୍ବର ଋନ୍ଧି ହୋଇଗଲା ।
ଏପଟେ ଭାରତୀୟ ବାୟୁସେନାର ମୁହଁ ତୋଡ ଜବାବକୁ ଦେଖି ଛାନିଆ ପାକ୍-ସରକାର । ଭାରତର ପରାକ୍ରମ ଆଇନତଃ କୁଟନୈତିକ ଚାଲ୍ , ଆତଙ୍କୀ ଦମନ କାର୍ଯ୍ୟକ୍ରମକୁ ବିଶ୍ବ ସମୁଦାୟର ଆନ୍ତରିକ ସମର୍ଥନ ପରେ ପାକ୍ ପ୍ରଧାନମନ୍ତ୍ରୀ ଶାନ୍ତି ପାଇଁ କସରତ୍ କଲେ ମଧ୍ୟ ଭାରତ କର୍ଣ୍ଣପାତ କଲାନି । ଭୟଭୀତ ଏବଂ ବାଧ୍ୟ ହୋଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସଂସଦରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆସନ୍ତା କାଲି ସୁଦ୍ଧା ଆନ୍ତର୍ଜାତିକ ରେଡକ୍ରସ ସଂସ୍ଥା ସହଯୋଗରେ ଭାରତୀୟ ସାହସୀ ପାଇଲଟଙ୍କୁ ସସମ୍ମାନେ ଭାରତ ଫେରାବାର ବନ୍ଦୋବସ୍ତ କରିଛି ।
ଯଦିଓ ପାକିସ୍ତାନ ଭଳି ଦେଶର କଥାକୁ ସହଜରେ ଗ୍ରହଣ କରାଯାଇ ନ ପାରେ କିନ୍ତୁ ସେଥିପାଇଁ ପାକ୍ ସରକାର ଙ୍କୁ ସେଠାକାର କିଛି ମାନବକର୍ମୀ ଚାପ ପକାଇଥିଲେ । ତନ୍ମଧ୍ୟରୁ ପାକିସ୍ତାନ ପୂର୍ବ ରାଷ୍ଟ୍ରପତି ତଥା ପୂର୍ବ ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣୀ ପ୍ରଖ୍ୟାତ ଲେଖିକା ଫତିମା ଭୁଟ୍ଟୋ ସର୍ବାଗ୍ରେ । ତାଙ୍କ ନିବେଦନ, ସଫଳ ପ୍ରୟାସ, ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ବାରା ପାକ୍ ସରକାରଙ୍କୁ କଡା ଭର୍ସନା କରାଯାଇ ପାଇଲଟ୍ ଅଭିନନ୍ଦନ ଙ୍କୁ ସସମ୍ମାନେ ଫେରାଇବାକୁ ଯେଉଁ ପ୍ରୟାସ କରାଯାଇଥିଲା ତାହା ଆସନ୍ତା କାଲି ଫଳବତୀ ହେବାକୁ ଯାଉଛି ।
ବାସ୍ତବରେ ଜଣେ ଲେଖିକାଙ୍କ କଥା ଖୁବ୍ ଗୁରୁତ୍ୱ ବହନ କରେ । ପାକ୍ ଭାରତ ଶାନ୍ତି ପ୍ରତିଷ୍ଠାରେ ସହଜରେ ଅନୁଭବ ହୁଏ - " ଲେଖିକାର ଦମ୍ ..... ।"
ଓଷ୍କାପାଲି, ଅନୁଗୁଳ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।