3/07/2019

ମହାଜାଗତିକ ସେତୁ ସନ୍ଥଗୋସ୍ବାମୀ ବାହୁଡା ଦାସ

ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ

                ଅଜ୍ଞାନର ନିବୃତ୍ତି ନହେଲେ ସଂସାରରୁ ନିବୃତ୍ତିହେବା ଅସମ୍ଭବ ଏବଂ ମୋକ୍ଷଲାଭ ଆକାଶ କୁସୁମରେ ପରିଣତ ହୁଏ । ତେଣୁ ଅଜ୍ଞାନରୂପକ ଅନ୍ଧକାର ମଧ୍ଯରୁ ଆଲୋକର ସନ୍ଧାନ ପାଇଁ ମହାପୁରୁଷଙ୍କ ବାଣୀ ମନୁଷ୍ୟକୁ ଯଥାର୍ଥ ମାର୍ଗପ୍ରଦର୍ଶନ କରେ ।ସେଥିପାଇଁ ପୂଣ୍ୟଭୂମି ଭାରତବର୍ଷରେ ଯୁଗେ ଯୁଗେ ମାହାତ୍ମା,ଦେବତା,ଋଷି,ସିଦ୍ଧଯୋଗୀ ଏ ଧରାଧାମକୁଆସିଛନ୍ତି । ଭାରତବର୍ଷରେ ଯେତେବେଳେ ଅଧର୍ମ ବଢିଛି,ଧର୍ମର ହାନି ହୋଇଛି, ସେତେବେଳେ ମହାପୁରୁଷ ମାନଙ୍କର ଆର୍ବିଭାବ ହୋଇ ଭକ୍ତିଜ୍ଞାନର ଧାରା ଏ ଭାରତବର୍ଷରେ ପ୍ଲାବନ କରିଛନ୍ତି ।ସେହି ମହାନ ମହାପୁରୁଷମାନଙ୍କ ମଧ୍ୟରେ ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସ ଥିଲେ ଅନ୍ଯତମ । ସେ ଜଣେ ସନ୍ଥ,ତତ୍ତ୍ବଦର୍ଶୀ,ଭକ୍ତ,କବି,ଯୋଗୀସମାଜ ସଂସ୍କାରକ  । ୧୭୫୦ ଖ୍ରୀଷ୍ଟାଦ୍ଦରେ ପିତା‐ଧର୍ମୁକାଣ୍ତି,ମାତା‐ଗୁରୁବାରୀ ଦେଈଙ୍କ ଔରସରୁ ଶରୀରରେ ଶଙ୍ଖ,ଚକ୍ର,ଗଦା,ପଦ୍ମ ଚିହ୍ନ ସହିତ ଭୂମିଷ୍ଠ ହୋଇଥିଲେ  କଣ୍ଟାପଡା ବ୍ଳକର ଖନ୍ଦୋଳ ଗ୍ରାମରେ । ସେ ସର୍ବଗୁଣ ସମ୍ପନ୍ନ ଅଲୌକିକ  ଶକ୍ତିର ଅଧିକାରୀ ଥିଲେ । ନିଜହୃଦୟ ଭିତରେ ପରମେଶ୍ବରଙ୍କ ଭଜନ ସବୁବେଳେ ଗୁଣୁଗୁଣୁ ହୋଇ ଭଜୁଥିଲେ ।ସେ କହୁଥିଲେ‐ମନରେ ଆକୁଳତା ନଥିଲେ ଭଗବାନ ମିଳନ୍ତିନାହିଁ । ଭାବରେ ବନ୍ଧା ସେ ମନରମୋହନ ।କୁଶ ଜଙ୍ଗଲରେ ଥିବା ଏକ ମଠରେ ବଟବୃକ୍ଷ ମୂଳେ ସବୁବେଳେ ଭଜନରେ ନିଜକୁ ତଲ୍ଲୀନ କରିଦେଉଥିଲେ । ସର୍ବଦା ସେ କହୁଥିଲେ ମଣିଷମନ ଯେ ପର୍ଯ୍ଯନ୍ତ ଅର୍ନ୍ତମୁଖୀ ହୋଇ ବିଶ୍ବାସର ସହ ପ୍ରଭୂଙ୍କ ନିକଟରେ ସମର୍ପିତ ନ ହୋଇଛି,ତା'ର ଜୀବନରେ ମୁକ୍ତି ଅସମ୍ଭବ ।ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ତାଙ୍କ ଆଧ୍ଯାତ୍ମିକ ମାର୍ଗରେ ସମସ୍ତଙ୍କୁ ପରିଚାଳିତ କରିବାକୁ ଅନେକ ଉପଦେଶମାନ ଦେଇ ଭକ୍ତି,ବିଶ୍ବାସ ଜୀବନର ମାର୍ଗ ବୋଲି ସୂଚାଇଥିଲେ ।
SANTHA BAHUDA DAS

ଏକବ୍ରହ୍ମ ଦ୍ବିତୀୟ ନାସ୍ତି ,ବହ୍ମ ସତ୍ୟ ଜଗତ ମିଥ୍ୟା,ବ୍ରହ୍ମଜ୍ଞାନ ହିଁ ମୁକ୍ତିର କାରଣ । ଏହାକୁ ଉପଲବ୍ଧି କରି ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କ ଏହି ଭଜନ ପଂକ୍ତିଟି ମଣିଷର ମନକୁ ବ୍ରହ୍ମଚିନ୍ତନ ମାର୍ଗକୁ ଧାବିତ କରାଏ । "ନୂଆ ଘର ଖଣ୍ତି ଦିନେ ପୁରୁଣା ହେବ.....ମାରିବ ଶୂନ୍ୟ ଲହରୀ ଥୟ ନୋହିବ,ସେ ଘର ପାଞ୍ଚସେଣିଆ,ଦଶଦ୍ବାର ତ୍ରିକୋଣିଆ,ରୂଅ ଯାକ ଘଣିଖିଆ,ଟଳିପଡିବ .....କାକ୍ଷର ଖମ୍ବପୋତି,ଘରକୁ ରଖ ସାଇତି ; ବାହୁଡା ଦାସର ମତି ନିଶ୍ଚଳେ ଥିବ  "। ଏହି ଭଜନଟି ପ୍ରତ୍ୟେକ ମଣିଷର ମନକୁ ନିଶ୍ଚୟ ସଜାଡି ଦେବ ।
                ଯେଉଁ ବ୍ରହ୍ମ ଅଚିନ୍ତନୀୟ,ଅପ୍ରକାଶିତ,ତ୍ରୀଗୁଣୀୟ(ସତ୍ୟ,ଶିବ,ସୁନ୍ଦର)ଯାହାଙ୍କ ସ୍ପର୍ଶ କରିପାରିନାହିଁ,ତ୍ରୀଗୁଣାତ୍ମ  ଓ ଅଖିଳ ବ୍ରହ୍ମାଣ୍ତର ଅଧିଷ୍ଠାତା ସେହି ବ୍ରହ୍ମାଙ୍କ ଠାରେ ଶରଣ ଯାଅ । କାହିଁକିନା‐ତାଙ୍କ ଭଜନର ସାରମର୍ମ ଥିଲା "ନୂଆଘରଖଣ୍ତି ଦିନେ ପୁରୁଣା  ହେବ" । ଏହି ପୃଥିବୀରେ କେହି ବି ସବୁକାଳ ପାଇଁ ରହି ନାହିଁ ।ମାତୃଗର୍ଭରୁ ଭୂମିଷ୍ଠ ହୋଇ ପୃଥିବୀରେ ବଢି, ଖେଳି, ଖାଇ ଦିନେ ନା ଦିନେ ସମୟ ଅତିକ୍ରାନ୍ତ ହୋଇଯିବ । ଏ ଶରୀର ରୂପକ ଘଟରୁ(ଘରୁ) ପ୍ରାଣପକ୍ଷୀଟି ଦିନେ ଯେଉଁ ଶୂନ୍ୟରୁ ଆସିଥିଲା, ସେହି ଶୂନ୍ଯକୁ ଚାଲିଯିବ ।

      ପୃଥିବୀକୁ ଛାଡିଯିବାକୁ ଆମେ ମୃତ୍ୟୁ କହୁ ।ପୃଥିବୀକୁ ଆସିବାକୁ ଜନ୍ମ କହୁ । ମୄତ୍ଯୁ ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା ।କାଳନିମିଷରେ ଆସୁଥିବା ଧନ,ଜନ,ଯୌବନକୁ ନେଇ ଗର୍ବ କରନାହିଁ । ମାୟାମୋହ ସଂସାରରୁ ବ୍ରହ୍ମର ଅନୁସନ୍ଧାନ କର ।ଏ ଜୀବନ ପଦ୍ମପତ୍ର ପରିସ୍ଥିତ ଜଳ ଠାରୁ ମଧ୍ଯ ଅଧିକତର ଚଞ୍ଚଳ । ଏ ଜଗତ ସତ୍ଯ ନୁହେଁ । ଏ ଶରୀର ସତ୍ୟ ନୁହେଁ । ଇନ୍ଦ୍ରିୟ ଗୁଡିକ ସତ୍ଯ ନୁହଁଁ । ଏ ପ୍ରାଣ ବି ସତ୍ୟ ନୁହଁ । ଏହି "ପ୍ରାଣ" ଶଦ୍ଦଟି ଦୁଇଟି ଶଦ୍ଦର ମିଳନରେ ହୋଇଛି ।"ପ୍ରା" ଅର୍ଥ ହେଉଛି "ଆଗେ" ତଥା "ଣ"ର ଅର୍ଥ "ଶ୍ବାସନେବା" । ଏଣୁ ପ୍ରାଣର ଅର୍ଥହେଲା‐ଆଗେଶ୍ବାସ ନେଉଥିବା" । ସୂକ୍ଷ୍ମ ଶରୀର ପ୍ରାଣକୁ ଗ୍ରହଣ କରି ଭୌତିକ ଶରୀର ପ୍ରତ୍ଯେକ ଅଣୁ ମଧ୍ୟରେ ପହଞ୍ଚାଇଥାଏ । ଭୌତିକ ଶରୀର ପଞ୍ଚମହାଭୂତରେ ତିଆରି । ଭଗବାନ ରାମ ଶ୍ରୀରାମ ଚରିତ ମାନସ କିସ୍କିନ୍ଧ୍ୟାକାଣ୍ତ "ଦୋହା"‐୧୦, ଚୌପାଇ—୦୨ରେ କହିଛନ୍ତି "କ୍ଷିତିଜଳପାବକଗଣନ ସମୀରା ପଞ୍ଚରଚିତ ଅତି ଅଧମ ଶରୀରା" ପଞ୍ଚତତ୍ତ୍ବରେ ତିଆରି ଏହି ଶରୀର ହୋଇଛି । ଓଡିଆରେ ଏକ କଥା ଅଛି‐"ପିଣ୍ତବ୍ରହ୍ମାଣ୍ତ ଏକମତ" ଅର୍ଥାତ ସମ୍ଫୂଣ୍ଣ ବିଶ୍ବମଧ୍ଯ ଏହି ପଞ୍ଚତତ୍ତ୍ବରେ ତିଆରି ହୋଇଛି ବୋଲି ବୈଦିକ ସାଂଖ୍ଯ ଦର୍ଶନଙ୍କ ବି ମତ । ଏହି ଦର୍ଶନ ଏହାକୁ ପଞ୍ଚିକରଣ ନାମ ଦେଇଛି । ଆମ ଶରୀରଟି ସମ୍ପୂର୍ଣ୍ଣ ପଞ୍ଜିକରଣର ପରିଣାମ ଅଟେ । ଏହି ପଞ୍ଚତତ୍ବ ଓ ଏହାର ତନାନ୍ତ୍ର ଗୁଡିକ ହେଉଛି ତତ୍ତ୍ବ‐ତନାନ୍ତ୍ର‐ଶରୀର ସହ ସମ୍ବନ୍ଧ(୧) ପୄଥିବୀ‐ଗନ୍ଧ‐ନାକ ଏବଂ ଉପସ୍ଥ(୨) ବାୟୁ‐ସ୍ପର୍ଶ‐ତ୍ବଚା ଏବଂ ହାତ(୩) ଆକାଶ‐ଶଦ୍ଦ‐କାନ ଏବଂ ବାଣୀ(୪)ତେଜ‐ରୂପ‐ନେତ୍ର ଏବଂପାଦ(୫) ଜଳ‐ରସ‐ଜ୍ବିହା ଏବଂ ବାୟୁ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ତନାନ୍ତ୍ର କଣ ? ତନାନ୍ତ୍ରର ଅର୍ଥ ହେଉଛି‐ଶୁଦ୍ଧତତ୍ତ୍ବ । ଯେପରି ରସାୟନ ଶାସ୍ତ୍ରର ମୂଳତତ୍ତ୍ବ ଅଛି,ସେପରି ଏହି ପଞ୍ଚତତ୍ତ୍ବର ମୂଳତତ୍ତ୍ବ ହେଉଛି‐"ତନାନ୍ତ୍ର" । ପଞ୍ଚତତ୍ତ୍ବ ମିଶି ଶରୀର ଗଠନ ହୋଇଛି, ତେଣୁ ଶରୀର ଭିତରେ ଥିବା ପ୍ରାଣ ଆଖିକୁ ଦେଖି ବାର,କାନକୁ ଶୁଣିବାର,ହାତ-ଗୋଡ ସଞ୍ଚାଳନ କରିବାର ଶକ୍ତି ଦେଇଥାଏ । ଏହି ପ୍ରାଣ ହିଁ ପ୍ରତ୍ଯେକ ଅବୟବକୁ ଶକ୍ତି ଯୋଗାଇଥାଏ । ଯେତେବେଳ ପର୍ଯ୍ଯନ୍ତ ଏହିସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ମଧ୍ଯରେ ଅଛି,ସେତେବେଳ ପର୍ଯ୍ଯନ୍ତ ସ୍ଥୂଳଶରୀର ଶ୍ବାସ ନେଇ ପାରୁଥାଏ ଏବଂ ଜୀବିତ ରହିଥାଏ । ଏ ଶରୀର ଯେବେ ବୟସ୍କ ହେବ,ସମସ୍ତ ଇନ୍ଦ୍ରିୟ ଆସ୍ତେ ଆସ୍ତେ ଶିଥିଳ ହୋଇଯିବେ,ଘଣିଖିଆ ହେବେ ଅର୍ଥାତ ବିଭିନ୍ନ ପ୍ରକାର ରୋଗମାନେ ଆକ୍ରମଣ କରିବେ । ତେଣୁ ସନ୍ଥ ଗୋସ୍ବାମୀଙ୍କ ଚେତନାବାଣୀ ହେଉଛି,ହେ ମାନବଗଣ !ଏ ଶରୀର କ୍ଷଣଭଙ୍ଗୁର,ପଞ୍ଚମହାଭୁତରେ ଗଢା ଏବଂ ଅପବିତ୍ର ପୂତିଗନ୍ଧମୟ, ତହିଁରେ କି ସୁଖ ଅଛି ? ଜୀବନ ଅନିଶ୍ଚିତ । ଆକାଶରେ ନୁହେଁ କି ସାଗରରେ ନୁହେଁ,ପର୍ବତଶୄଙ୍ଗରେ ନୁହେଁ କି,ପୃଥିବୀରକୌଣସି ଜାଗାରେ ନୁହଁ,ଯେଉଁଠି କୌଣସି ବ୍ଯକ୍ତି ମୃତ୍ୟୁ ପାଖରୁ ନିଜକୁ ମୁକ୍ତ କରିପାରିବ ?

    ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପୃଥିବୀ, ଜଳ,ବାୟୁ,ଆକାଶ ମନ, ବୁଦ୍ଧି, ଅହଂଙ୍କାର, ଚିନ୍ତା ଚେତନା ଏ ଅଷ୍ଟପ୍ରକୃତି ହେଉଛି ବିଭାଜିତ ମୋ ପ୍ରକୄତି ।ଯେହେତୁ ପ୍ରଭୂଙ୍କଠାରୁ ସୃଷ୍ଟି ଏ ଅଷ୍ଟପ୍ରକୃତି ଓ ପଞ୍ଚମହାତତ୍ବରେ ସମସ୍ତ ପ୍ରାଣୀ ସୃଷ୍ଟି ନିଶ୍ଚୟ ଦିନେ ମାଟିରେ ମିଶିବେ । ପ୍ରାଣପକ୍ଷୀ ଶୂନ୍ଯକୁ ଉଡିଯିବ । ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରକୁ ତ୍ଯାଗ କରିଦେବ । ସେତେବେଳେ ସ୍ଥୂଳ ଶରୀର ନଷ୍ଟ ହୋଇ ନିଷ୍ପ୍ରାଣ ହୋଇ ମୃତ୍ୟୁ ହେବ । ଏଣୁ ପ୍ରତ୍ୟେକ ମଣିଷ ଜୀବନ ଭୂମି ଓ ଭୂମା ମଧ୍ଯରେ ସେତୁ ।ଏହା ଅନନ୍ତ ଓ ଅସୀମ । ଅହରହ ସମ୍ପ୍ରସାରିତ ହେବା ହିଁ ଜୀବନ । ସଙ୍କୋଚନ ହେବା ହିଁ ମୃତ୍ଯୁ । ବଞ୍ଚିବା ଏକ ନାଟକ । ଜୀବନ ଏକ ମହାନାଟକ । ମାତୃ ଗର୍ଭରୁ କଅଁଳ ନିଷ୍ପାପ ଶିଶୁଟି ଭୂମିଷ୍ଠ ହୋଇ ଶିଶୁରୁ କିଶୋର, ଯୌବନ ଅତିକ୍ରାନ୍ତ କରି ବୃଦ୍ଧାବସ୍ଥାରେ ପହଞ୍ଚେ । ଚଳଚଞ୍ଚଳ ଥିବା ଦଶ ଇନ୍ଦ୍ରିୟମାନେ କ୍ରମେ କ୍ରମେ ଶକ୍ତିହୀନ ହୋଇ ଆହାର, ବିହାର, ନିଦ୍ରା ଠାରୁ ଦୂରେଇ ରହନ୍ତି । ଫଳରେ ଇନ୍ଦ୍ରିୟମାନେ ନିସ୍ତେଜ ହୋଇଯାଇ ମୃତ୍ଯୁର ଦ୍ବାର ଦେଶରେ ଅପେକ୍ଷାରତ ଥାଆନ୍ତି । ମୃତ୍ଯୁ ମଧ୍ଯ ନ ଛାଡି  ତା' କାଳଗର୍ଭକୁ ନେଇ ଯାଇଥାଏ ଶେଷମୂହୁର୍ତ୍ତରେ ।ଯେତେବେଳେ ନୂଆଲୁଗା ପୁରୁଣାହୋଇ ଚିରିଯାଏ ତାକୁ ଫୋପାଡି ଦିଆଯାଏ ।ସେହିଭଳି ଆତ୍ମା ,ଯାହାକି ଅବିନାଶୀ । ପୁରୁଣା ଶରୀରକୁ ତ୍ଯାଗକରି ଚାଲିଯାଏ ପୁଣି ଏକ ନୂଆମାତୃ ଗର୍ଭକୁ ନୂଆ ଚେହେରାପାଇଁ । ଏହିପରି ଜନ୍ମ ମୃତ୍ୟୁର ଚକ୍ରରେ ଧରାପଡିବା ହିଁ ବାସ୍ତବଦୁଃଖ । ଏହି ଦୁଃଖରୁ ରକ୍ଷା ପାଇବାପାଇଁ ଏକାକ୍ଷର ଖମ୍ବପୋତି ଅର୍ଥାତ ମନକୁ ବ୍ରହ୍ମ ସହିତ ଏକତ୍ର କରିଦିଅ । ମହାନ ସନ୍ଥଙ୍କ ବାଣୀ‐ଏକାକ୍ଷର ଖମ୍ବପୋତି ଘରକୁ ରଖ ସାଇତି" । ଆମର ସ୍ଥୂଳ ଚେତନାର ଉର୍ଦ୍ଧରେ ଅଛି ଏକ ମହାଜାଗତିକ ଚେତନା"। ଯାହା ଆମପାଖରେ ଅଜ୍ଞାତ,ଆମସହିତ ଚିର ରହସ୍ୟମୟ । ପରମାତ୍ମା ଆତ୍ମା ଦ୍ବାରା ନିଜର ସ୍ଥିତିକୁ ଜାହିର କରିଥାନ୍ତି ।ଲୋଭ,ମୋହ,ମିଥ୍ଯା,ମାୟା,କ୍ରୋଧ,କାମନା ବାସନା ଲୁକକାୟିତ ଥିବା ଏ ଷଡରିପୁ ହିଁ ମେଘ ଦେହରେ ବିଜୁଳୀପରି ଅସ୍ଥିର କରାଇଦିଅନ୍ତି । ତେଣୁ ଏ ଷଡରିପୁଙ୍କୁ ଦମନ କରିବାକୁ ହେଲେ ଦିବ୍ଯପୁରୁଷ ଦିବ୍ୟମାନବ,ସାଧୁସନ୍ଥଙ୍କର ଆବଶ୍ୟକତା ପଡିଥାଏ । ସତ୍ୟର ସ୍ବରୂପ ପାଇବାପାଇଁ ମନକୁସ୍ଥିର ରଖି ମୁକ୍ତି ପାଇବାକୁ ଭକ୍ତି ଓ ବିଶ୍ବାସରେ ନିଷ୍ଠା ,ଏକାଗ୍ରତାରେ ସନ୍ଥଙ୍କ ବଚନ ହୃଦୟଙ୍ଗମକରି ଆଧ୍ୟାତ୍ମିକ ନୈତିକତାର ପଥକୁ ଅନୁସରଣ କଲେ ନିଶ୍ଚୟ ମୁକ୍ତିକାମୀ ହୋଇଥାଏ ************************

ନରସିଂହପୁର,ଶ୍ରୀରାମନଗର,
ପିପିଲି,ପୁରୀ
ଜୟ ସାହିତ୍ୟ, ଜୟ ସମାଜ

1 comment:

  1. The discussion about santh Bahuda Das is mostly valuable from all sides .So my heartily namaste to Mam. Also the concerned editor Shraddhey Madhab is mostly welcomed to select such a topic. Keep it up this attempt.
    With heartiest thanks .
    Saroj Bhoi, Editor - The Kushaban

    ReplyDelete

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।