ବୈଜୟନ୍ତୀ ସାହୁ,ଶିକ୍ଷୟତ୍ରୀ
ଅଜ୍ଞାନର ନିବୃତ୍ତି ନହେଲେ ସଂସାରରୁ ନିବୃତ୍ତିହେବା ଅସମ୍ଭବ ଏବଂ ମୋକ୍ଷଲାଭ ଆକାଶ କୁସୁମରେ ପରିଣତ ହୁଏ । ତେଣୁ ଅଜ୍ଞାନରୂପକ ଅନ୍ଧକାର ମଧ୍ଯରୁ ଆଲୋକର ସନ୍ଧାନ ପାଇଁ ମହାପୁରୁଷଙ୍କ ବାଣୀ ମନୁଷ୍ୟକୁ ଯଥାର୍ଥ ମାର୍ଗପ୍ରଦର୍ଶନ କରେ ।ସେଥିପାଇଁ ପୂଣ୍ୟଭୂମି ଭାରତବର୍ଷରେ ଯୁଗେ ଯୁଗେ ମାହାତ୍ମା,ଦେବତା,ଋଷି,ସିଦ୍ଧଯୋଗୀ ଏ ଧରାଧାମକୁଆସିଛନ୍ତି । ଭାରତବର୍ଷରେ ଯେତେବେଳେ ଅଧର୍ମ ବଢିଛି,ଧର୍ମର ହାନି ହୋଇଛି, ସେତେବେଳେ ମହାପୁରୁଷ ମାନଙ୍କର ଆର୍ବିଭାବ ହୋଇ ଭକ୍ତିଜ୍ଞାନର ଧାରା ଏ ଭାରତବର୍ଷରେ ପ୍ଲାବନ କରିଛନ୍ତି ।ସେହି ମହାନ ମହାପୁରୁଷମାନଙ୍କ ମଧ୍ୟରେ ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସ ଥିଲେ ଅନ୍ଯତମ । ସେ ଜଣେ ସନ୍ଥ,ତତ୍ତ୍ବଦର୍ଶୀ,ଭକ୍ତ,କବି,ଯୋଗୀସମାଜ ସଂସ୍କାରକ । ୧୭୫୦ ଖ୍ରୀଷ୍ଟାଦ୍ଦରେ ପିତା‐ଧର୍ମୁକାଣ୍ତି,ମାତା‐ଗୁରୁବାରୀ ଦେଈଙ୍କ ଔରସରୁ ଶରୀରରେ ଶଙ୍ଖ,ଚକ୍ର,ଗଦା,ପଦ୍ମ ଚିହ୍ନ ସହିତ ଭୂମିଷ୍ଠ ହୋଇଥିଲେ କଣ୍ଟାପଡା ବ୍ଳକର ଖନ୍ଦୋଳ ଗ୍ରାମରେ । ସେ ସର୍ବଗୁଣ ସମ୍ପନ୍ନ ଅଲୌକିକ ଶକ୍ତିର ଅଧିକାରୀ ଥିଲେ । ନିଜହୃଦୟ ଭିତରେ ପରମେଶ୍ବରଙ୍କ ଭଜନ ସବୁବେଳେ ଗୁଣୁଗୁଣୁ ହୋଇ ଭଜୁଥିଲେ ।ସେ କହୁଥିଲେ‐ମନରେ ଆକୁଳତା ନଥିଲେ ଭଗବାନ ମିଳନ୍ତିନାହିଁ । ଭାବରେ ବନ୍ଧା ସେ ମନରମୋହନ ।କୁଶ ଜଙ୍ଗଲରେ ଥିବା ଏକ ମଠରେ ବଟବୃକ୍ଷ ମୂଳେ ସବୁବେଳେ ଭଜନରେ ନିଜକୁ ତଲ୍ଲୀନ କରିଦେଉଥିଲେ । ସର୍ବଦା ସେ କହୁଥିଲେ ମଣିଷମନ ଯେ ପର୍ଯ୍ଯନ୍ତ ଅର୍ନ୍ତମୁଖୀ ହୋଇ ବିଶ୍ବାସର ସହ ପ୍ରଭୂଙ୍କ ନିକଟରେ ସମର୍ପିତ ନ ହୋଇଛି,ତା'ର ଜୀବନରେ ମୁକ୍ତି ଅସମ୍ଭବ ।ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ତାଙ୍କ ଆଧ୍ଯାତ୍ମିକ ମାର୍ଗରେ ସମସ୍ତଙ୍କୁ ପରିଚାଳିତ କରିବାକୁ ଅନେକ ଉପଦେଶମାନ ଦେଇ ଭକ୍ତି,ବିଶ୍ବାସ ଜୀବନର ମାର୍ଗ ବୋଲି ସୂଚାଇଥିଲେ ।![]() |
| SANTHA BAHUDA DAS |
ଏକବ୍ରହ୍ମ ଦ୍ବିତୀୟ ନାସ୍ତି ,ବହ୍ମ ସତ୍ୟ ଜଗତ ମିଥ୍ୟା,ବ୍ରହ୍ମଜ୍ଞାନ ହିଁ ମୁକ୍ତିର କାରଣ । ଏହାକୁ ଉପଲବ୍ଧି କରି ମହାନ ସନ୍ଥ ଗୋସ୍ବାମୀ ବାହୁଡା ଦାସଙ୍କ ଏହି ଭଜନ ପଂକ୍ତିଟି ମଣିଷର ମନକୁ ବ୍ରହ୍ମଚିନ୍ତନ ମାର୍ଗକୁ ଧାବିତ କରାଏ । "ନୂଆ ଘର ଖଣ୍ତି ଦିନେ ପୁରୁଣା ହେବ.....ମାରିବ ଶୂନ୍ୟ ଲହରୀ ଥୟ ନୋହିବ,ସେ ଘର ପାଞ୍ଚସେଣିଆ,ଦଶଦ୍ବାର ତ୍ରିକୋଣିଆ,ରୂଅ ଯାକ ଘଣିଖିଆ,ଟଳିପଡିବ .....ଏକାକ୍ଷର ଖମ୍ବପୋତି,ଘରକୁ ରଖ ସାଇତି ; ବାହୁଡା ଦାସର ମତି ନିଶ୍ଚଳେ ଥିବ "। ଏହି ଭଜନଟି ପ୍ରତ୍ୟେକ ମଣିଷର ମନକୁ ନିଶ୍ଚୟ ସଜାଡି ଦେବ ।
ଯେଉଁ ବ୍ରହ୍ମ ଅଚିନ୍ତନୀୟ,ଅପ୍ରକାଶିତ,ତ୍ରୀଗୁଣୀୟ( ସତ୍ୟ,ଶିବ,ସୁନ୍ଦର)ଯାହାଙ୍କ ସ୍ପର୍ଶ କରିପାରିନାହିଁ,ତ୍ରୀଗୁଣାତ୍ମ ଓ ଅଖିଳ ବ୍ରହ୍ମାଣ୍ତର ଅଧିଷ୍ଠାତା ସେହି ବ୍ରହ୍ମାଙ୍କ ଠାରେ ଶରଣ ଯାଅ । କାହିଁକିନା‐ତାଙ୍କ ଭଜନର ସାରମର୍ମ ଥିଲା "ନୂଆଘରଖଣ୍ତି ଦିନେ ପୁରୁଣା ହେବ" । ଏହି ପୃଥିବୀରେ କେହି ବି ସବୁକାଳ ପାଇଁ ରହି ନାହିଁ ।ମାତୃଗର୍ଭରୁ ଭୂମିଷ୍ଠ ହୋଇ ପୃଥିବୀରେ ବଢି, ଖେଳି, ଖାଇ ଦିନେ ନା ଦିନେ ସମୟ ଅତିକ୍ରାନ୍ତ ହୋଇଯିବ । ଏ ଶରୀର ରୂପକ ଘଟରୁ(ଘରୁ) ପ୍ରାଣପକ୍ଷୀଟି ଦିନେ ଯେଉଁ ଶୂନ୍ୟରୁ ଆସିଥିଲା, ସେହି ଶୂନ୍ଯକୁ ଚାଲିଯିବ ।
ପୃଥିବୀକୁ ଛାଡିଯିବାକୁ ଆମେ ମୃତ୍ୟୁ କହୁ ।ପୃଥିବୀକୁ ଆସିବାକୁ ଜନ୍ମ କହୁ । ମୄତ୍ଯୁ ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା ।କାଳନିମିଷରେ ଆସୁଥିବା ଧନ,ଜନ,ଯୌବନକୁ ନେଇ ଗର୍ବ କରନାହିଁ । ମାୟାମୋହ ସଂସାରରୁ ବ୍ରହ୍ମର ଅନୁସନ୍ଧାନ କର ।ଏ ଜୀବନ ପଦ୍ମପତ୍ର ପରିସ୍ଥିତ ଜଳ ଠାରୁ ମଧ୍ଯ ଅଧିକତର ଚଞ୍ଚଳ । ଏ ଜଗତ ସତ୍ଯ ନୁହେଁ । ଏ ଶରୀର ସତ୍ୟ ନୁହେଁ । ଇନ୍ଦ୍ରିୟ ଗୁଡିକ ସତ୍ଯ ନୁହଁଁ । ଏ ପ୍ରାଣ ବି ସତ୍ୟ ନୁହଁ । ଏହି "ପ୍ରାଣ" ଶଦ୍ଦଟି ଦୁଇଟି ଶଦ୍ଦର ମିଳନରେ ହୋଇଛି ।"ପ୍ରା" ଅର୍ଥ ହେଉଛି "ଆଗେ" ତଥା "ଣ"ର ଅର୍ଥ "ଶ୍ବାସନେବା" । ଏଣୁ ପ୍ରାଣର ଅର୍ଥହେଲା‐ଆଗେଶ୍ବାସ ନେଉଥିବା" । ସୂକ୍ଷ୍ମ ଶରୀର ପ୍ରାଣକୁ ଗ୍ରହଣ କରି ଭୌତିକ ଶରୀର ପ୍ରତ୍ଯେକ ଅଣୁ ମଧ୍ୟରେ ପହଞ୍ଚାଇଥାଏ । ଭୌତିକ ଶରୀର ପଞ୍ଚମହାଭୂତରେ ତିଆରି । ଭଗବାନ ରାମ ଶ୍ରୀରାମ ଚରିତ ମାନସ କିସ୍କିନ୍ଧ୍ୟାକାଣ୍ତ "ଦୋହା"‐୧୦, ଚୌପାଇ—୦୨ରେ କହିଛନ୍ତି "କ୍ଷିତିଜଳପାବକଗଣନ ସମୀରା ପଞ୍ଚରଚିତ ଅତି ଅଧମ ଶରୀରା" ପଞ୍ଚତତ୍ତ୍ବରେ ତିଆରି ଏହି ଶରୀର ହୋଇଛି । ଓଡିଆରେ ଏକ କଥା ଅଛି‐"ପିଣ୍ତବ୍ରହ୍ମାଣ୍ତ ଏକମତ" ଅର୍ଥାତ ସମ୍ଫୂଣ୍ଣ ବିଶ୍ବମଧ୍ଯ ଏହି ପଞ୍ଚତତ୍ତ୍ବରେ ତିଆରି ହୋଇଛି ବୋଲି ବୈଦିକ ସାଂଖ୍ଯ ଦର୍ଶନଙ୍କ ବି ମତ । ଏହି ଦର୍ଶନ ଏହାକୁ ପଞ୍ଚିକରଣ ନାମ ଦେଇଛି । ଆମ ଶରୀରଟି ସମ୍ପୂର୍ଣ୍ଣ ପଞ୍ଜିକରଣର ପରିଣାମ ଅଟେ । ଏହି ପଞ୍ଚତତ୍ବ ଓ ଏହାର ତନାନ୍ତ୍ର ଗୁଡିକ ହେଉଛି ତତ୍ତ୍ବ‐ତନାନ୍ତ୍ର‐ଶରୀର ସହ ସମ୍ବନ୍ଧ(୧) ପୄଥିବୀ‐ଗନ୍ଧ‐ନାକ ଏବଂ ଉପସ୍ଥ(୨) ବାୟୁ‐ସ୍ପର୍ଶ‐ତ୍ବଚା ଏବଂ ହାତ(୩) ଆକାଶ‐ଶଦ୍ଦ‐କାନ ଏବଂ ବାଣୀ(୪)ତେଜ‐ରୂପ‐ନେତ୍ର ଏବଂପାଦ(୫) ଜଳ‐ରସ‐ଜ୍ବିହା ଏବଂ ବାୟୁ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ତନାନ୍ତ୍ର କଣ ? ତନାନ୍ତ୍ରର ଅର୍ଥ ହେଉଛି‐ଶୁଦ୍ଧତତ୍ତ୍ବ । ଯେପରି ରସାୟନ ଶାସ୍ତ୍ରର ମୂଳତତ୍ତ୍ବ ଅଛି,ସେପରି ଏହି ପଞ୍ଚତତ୍ତ୍ବର ମୂଳତତ୍ତ୍ବ ହେଉଛି‐"ତନାନ୍ତ୍ର" । ପଞ୍ଚତତ୍ତ୍ବ ମିଶି ଶରୀର ଗଠନ ହୋଇଛି, ତେଣୁ ଶରୀର ଭିତରେ ଥିବା ପ୍ରାଣ ଆଖିକୁ ଦେଖି ବାର,କାନକୁ ଶୁଣିବାର,ହାତ-ଗୋଡ ସଞ୍ଚାଳନ କରିବାର ଶକ୍ତି ଦେଇଥାଏ । ଏହି ପ୍ରାଣ ହିଁ ପ୍ରତ୍ଯେକ ଅବୟବକୁ ଶକ୍ତି ଯୋଗାଇଥାଏ । ଯେତେବେଳ ପର୍ଯ୍ଯନ୍ତ ଏହିସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ମଧ୍ଯରେ ଅଛି,ସେତେବେଳ ପର୍ଯ୍ଯନ୍ତ ସ୍ଥୂଳଶରୀର ଶ୍ବାସ ନେଇ ପାରୁଥାଏ ଏବଂ ଜୀବିତ ରହିଥାଏ । ଏ ଶରୀର ଯେବେ ବୟସ୍କ ହେବ,ସମସ୍ତ ଇନ୍ଦ୍ରିୟ ଆସ୍ତେ ଆସ୍ତେ ଶିଥିଳ ହୋଇଯିବେ,ଘଣିଖିଆ ହେବେ ଅର୍ଥାତ ବିଭିନ୍ନ ପ୍ରକାର ରୋଗମାନେ ଆକ୍ରମଣ କରିବେ । ତେଣୁ ସନ୍ଥ ଗୋସ୍ବାମୀଙ୍କ ଚେତନାବାଣୀ ହେଉଛି,ହେ ମାନବଗଣ !ଏ ଶରୀର କ୍ଷଣଭଙ୍ଗୁର,ପଞ୍ଚମହାଭୁତରେ ଗଢା ଏବଂ ଅପବିତ୍ର ପୂତିଗନ୍ଧମୟ, ତହିଁରେ କି ସୁଖ ଅଛି ? ଜୀବନ ଅନିଶ୍ଚିତ । ଆକାଶରେ ନୁହେଁ କି ସାଗରରେ ନୁହେଁ,ପର୍ବତଶୄଙ୍ଗରେ ନୁହେଁ କି,ପୃଥିବୀରକୌଣସି ଜାଗାରେ ନୁହଁ,ଯେଉଁଠି କୌଣସି ବ୍ଯକ୍ତି ମୃତ୍ୟୁ ପାଖରୁ ନିଜକୁ ମୁକ୍ତ କରିପାରିବ ?
ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପୃଥିବୀ, ଜଳ,ବାୟୁ,ଆକାଶ ମନ, ବୁଦ୍ଧି, ଅହଂଙ୍କାର, ଚିନ୍ତା ଚେତନା ଏ ଅଷ୍ଟପ୍ରକୃତି ହେଉଛି ବିଭାଜିତ ମୋ ପ୍ରକୄତି ।ଯେହେତୁ ପ୍ରଭୂଙ୍କଠାରୁ ସୃଷ୍ଟି ଏ ଅଷ୍ଟପ୍ରକୃତି ଓ ପଞ୍ଚମହାତତ୍ବରେ ସମସ୍ତ ପ୍ରାଣୀ ସୃଷ୍ଟି ନିଶ୍ଚୟ ଦିନେ ମାଟିରେ ମିଶିବେ । ପ୍ରାଣପକ୍ଷୀ ଶୂନ୍ଯକୁ ଉଡିଯିବ । ସୂକ୍ଷ୍ମ ଶରୀର ସ୍ଥୂଳ ଶରୀରକୁ ତ୍ଯାଗ କରିଦେବ । ସେତେବେଳେ ସ୍ଥୂଳ ଶରୀର ନଷ୍ଟ ହୋଇ ନିଷ୍ପ୍ରାଣ ହୋଇ ମୃତ୍ୟୁ ହେବ । ଏଣୁ ପ୍ରତ୍ୟେକ ମଣିଷ ଜୀବନ ଭୂମି ଓ ଭୂମା ମଧ୍ଯରେ ସେତୁ ।ଏହା ଅନନ୍ତ ଓ ଅସୀମ । ଅହରହ ସମ୍ପ୍ରସାରିତ ହେବା ହିଁ ଜୀବନ । ସଙ୍କୋଚନ ହେବା ହିଁ ମୃତ୍ଯୁ । ବଞ୍ଚିବା ଏକ ନାଟକ । ଜୀବନ ଏକ ମହାନାଟକ । ମାତୃ ଗର୍ଭରୁ କଅଁଳ ନିଷ୍ପାପ ଶିଶୁଟି ଭୂମିଷ୍ଠ ହୋଇ ଶିଶୁରୁ କିଶୋର, ଯୌବନ ଅତିକ୍ରାନ୍ତ କରି ବୃଦ୍ଧାବସ୍ଥାରେ ପହଞ୍ଚେ । ଚଳଚଞ୍ଚଳ ଥିବା ଦଶ ଇନ୍ଦ୍ରିୟମାନେ କ୍ରମେ କ୍ରମେ ଶକ୍ତିହୀନ ହୋଇ ଆହାର, ବିହାର, ନିଦ୍ରା ଠାରୁ ଦୂରେଇ ରହନ୍ତି । ଫଳରେ ଇନ୍ଦ୍ରିୟମାନେ ନିସ୍ତେଜ ହୋଇଯାଇ ମୃତ୍ଯୁର ଦ୍ବାର ଦେଶରେ ଅପେକ୍ଷାରତ ଥାଆନ୍ତି । ମୃତ୍ଯୁ ମଧ୍ଯ ନ ଛାଡି ତା' କାଳଗର୍ଭକୁ ନେଇ ଯାଇଥାଏ ଶେଷମୂହୁର୍ତ୍ତରେ ।ଯେତେବେଳେ ନୂଆଲୁଗା ପୁରୁଣାହୋଇ ଚିରିଯାଏ ତାକୁ ଫୋପାଡି ଦିଆଯାଏ ।ସେହିଭଳି ଆତ୍ମା ,ଯାହାକି ଅବିନାଶୀ । ପୁରୁଣା ଶରୀରକୁ ତ୍ଯାଗକରି ଚାଲିଯାଏ ପୁଣି ଏକ ନୂଆମାତୃ ଗର୍ଭକୁ ନୂଆ ଚେହେରାପାଇଁ । ଏହିପରି ଜନ୍ମ ମୃତ୍ୟୁର ଚକ୍ରରେ ଧରାପଡିବା ହିଁ ବାସ୍ତବଦୁଃଖ । ଏହି ଦୁଃଖରୁ ରକ୍ଷା ପାଇବାପାଇଁ ଏକାକ୍ଷର ଖମ୍ବପୋତି ଅର୍ଥାତ ମନକୁ ବ୍ରହ୍ମ ସହିତ ଏକତ୍ର କରିଦିଅ । ମହାନ ସନ୍ଥଙ୍କ ବାଣୀ‐ଏକାକ୍ଷର ଖମ୍ବପୋତି ଘରକୁ ରଖ ସାଇତି" । ଆମର ସ୍ଥୂଳ ଚେତନାର ଉର୍ଦ୍ଧରେ ଅଛି ଏକ ମହାଜାଗତିକ ଚେତନା"। ଯାହା ଆମପାଖରେ ଅଜ୍ଞାତ,ଆମସହିତ ଚିର ରହସ୍ୟମୟ । ପରମାତ୍ମା ଆତ୍ମା ଦ୍ବାରା ନିଜର ସ୍ଥିତିକୁ ଜାହିର କରିଥାନ୍ତି ।ଲୋଭ,ମୋହ,ମିଥ୍ଯା,ମାୟା,କ୍ରୋଧ,କାମନା ବାସନା ଲୁକକାୟିତ ଥିବା ଏ ଷଡରିପୁ ହିଁ ମେଘ ଦେହରେ ବିଜୁଳୀପରି ଅସ୍ଥିର କରାଇଦିଅନ୍ତି । ତେଣୁ ଏ ଷଡରିପୁଙ୍କୁ ଦମନ କରିବାକୁ ହେଲେ ଦିବ୍ଯପୁରୁଷ ଦିବ୍ୟମାନବ,ସାଧୁସନ୍ଥଙ୍କର ଆବଶ୍ୟକତା ପଡିଥାଏ । ସତ୍ୟର ସ୍ବରୂପ ପାଇବାପାଇଁ ମନକୁସ୍ଥିର ରଖି ମୁକ୍ତି ପାଇବାକୁ ଭକ୍ତି ଓ ବିଶ୍ବାସରେ ନିଷ୍ଠା ,ଏକାଗ୍ରତାରେ ସନ୍ଥଙ୍କ ବଚନ ହୃଦୟଙ୍ଗମକରି ଆଧ୍ୟାତ୍ମିକ ନୈତିକତାର ପଥକୁ ଅନୁସରଣ କଲେ ନିଶ୍ଚୟ ମୁକ୍ତିକାମୀ ହୋଇଥାଏ ************************
ପିପିଲି,ପୁ
ଜୟ ସାହିତ୍ୟ, ଜୟ ସମାଜ

The discussion about santh Bahuda Das is mostly valuable from all sides .So my heartily namaste to Mam. Also the concerned editor Shraddhey Madhab is mostly welcomed to select such a topic. Keep it up this attempt.
ReplyDeleteWith heartiest thanks .
Saroj Bhoi, Editor - The Kushaban