3/06/2019

ଏଇ ମୋର ସୁରକ୍ଷା ବଳୟ

ପ୍ରୀତିପଦ୍ମା ଦାସ
ଭୟଶୂନ୍ଯ ଏଇ ମୋର ସୁରକ୍ଷା ବଳୟ....                                    
ଯାହାକୁ ସରି ନୁହଁ ପୁଣ୍ଯବତୀ ଅଳକାନନ୍ଦା
ଯେଉଁଠି ଝଟକି ଉଠେ ଶତ ଶତ ଅର୍ଯ୍ଯମା
ଯାହାକୁ ପ୍ରଣାମ କରନ୍ତି କୋଟି ଦେବତା
ଯେଉଁଠି ଭରା ଅୟୁତ ଅୟୁତ ପବିତ୍ରତା
ସେହି ମୋର ଆଦରର ମାତୃଗର୍ଭ
ଶାନ୍ତ,କାନ୍ତ,ନିରବ,ନିଃଶବ୍ଦ
ସ୍ନେହପୂର୍ଣ୍ଣ,ଭାବାବେଗ ପରିବେଶ
ଉପମା ନାହିଁ ଯା'ର ........
ସେ ହିଁ କାଳେ କାଳେ ଅତୁଳନୀୟ......
ପ୍ରୀତିପୂର୍ଣ୍ଣ ଏଇ ମୋର ସୁରକ୍ଷା ବଳୟ....
ଯେଉଁଠି ମିଳେ ନବ ପ୍ରଶାନ୍ତ ମହାସାଗର
ଯାହା ଆଗେ କ୍ଷୁଦ୍ର ଲାଗେ ହିମାଳୟ ପର୍ବତ
ଯାହା ଦେଶେ ବହିଯାଏ ପୁଣ୍ଯତୋୟା ନୀର
ଯାହାର ପ୍ରଦେଶୁ ଶୁଭେ ସୃଷ୍ଟିର ଆଦ୍ଯ ଓଁ କାର 
ସେହି ମୋର ଆପଣାର ମାତୃଗର୍ଭ
ଅନୁରଞ୍ଜିତ ଆଶାର ନଗର
ଅଭିନବ ନଭଶ୍ଚୁମ୍ବୀ ପ୍ରାସାଦ       
ବ୍ଯାପ୍ତୀ ତା' ଅକଳିତ.....
ସେ ଭବ୍ଯ ସ୍ୱପ୍ନର ମନୋରମ ନିଳୟ....
ଖୁବ୍ ଶକ୍ତିଶାଳୀ ଏଇ ମୋର ସୁରକ୍ଷା ବଳୟ.....
ତା'ର କ୍ଷତି କରନା  ମୂର୍ଖ ମାନବ ସମୂହ
ଜୁର କରନା ପରଖି ଭ୍ରୂଣଲିଙ୍ଗର ଚିହ୍ନବର୍ଣ୍ଣ
ତା' ସ୍ଥିତି ଭାବି ବଦଳାଅ ମନର ବିକୃତ ଭୂଗୋଳ
ତା' ସୀମାରେ ରଚନାହିଁ  ଆତଙ୍କବାଦୀର ତାଣ୍ଡବ
ଏଇ ମୋ ମାତୃଗର୍ଭ ...ମୁଁ ତା' ଗର୍ବ
ଉଦ୍ଦୀପକ,ଉଦ୍ଦୀପନାର ସଙ୍ଗମ
ଦୀପ୍ତ ଅରୁଣିମାର ନବୀନ ସ୍ୱାକ୍ଷର
ସୃଷ୍ଟିର ଦୁର୍ମୂଲ୍ଯ ସମ୍ବଳ.....
ଯା' ସ୍ଥାନ ଖୋଜି ବୁଲେ ସମୟ......
ବିଷ୍ଣୁପୁର,ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।