3/07/2019

ମୋ ଦେଶ ନ୍ୟାୟ ଚାହେଁ

ମହାସ୍ମୀତା ଓଝା
                      ଏମିତି ସବୁଦିନ ସକାଳ ହୁଏ, ଲୋକମାନେ ଯେଝା ଯେଝା କାମରେ ଲାଗିଯା'ନ୍ତି। ଏମିତି ସେଦିନ ବି ଆସିଥିଲା ସକାଳ । ସବୁ ସକାଳ ପରି ସେଦିନ ବି ସୂର୍ଯ୍ୟ ଉଇଁ ଥିଲେ । ଫେବୃୟାରୀ ୧୪ ତାରିଖ  ଗୁରୁବାର । ସମସ୍ତେ ଭାଲେଣ୍ଟାଇନ୍ ଡେ ପାଳନ କରୁଥିବା ବେଳେ ଏବଂ ଗୁରୁବାରରେ ସଧବା ସ୍ତ୍ରୀ ଲୋକମାନେ ମୁଣ୍ଡ ଧୋଇ ସିନ୍ଦୂର ଲଗାଇ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରୁଥିବା ବେଳେ ମାଆ କେମିତି ଲିଲିର ମୁଣ୍ଡରୁ ଲିଭାଇ ଦେଲେ ସିନ୍ଦୂର। ଅହ୍ୟରାଣୀ ବେଶରୁ ଗୋଟିଏ ଖବରରେ ଲିଭିଗଲା ମଥାର ସିନ୍ଦୂର ଓ ହାତରୁ ଭାଙ୍ଗିଗଲା ନାଲି ଶଂଖା ।
ଏ କ'ଣ ଅଜଗରୀ କୂଟକପଟର ଖେଳ କି ମାଆ । କେମିତି ନ ଜାଣି ପାରିଲ ମାଆ ? ତୁମ ପୂଜାରେ କିଛି ବିଘ୍ନ କରିଥିଲା କି ଲିଲି ? ତେବେ କାହିଁକି ମାଆ ଏମିତି ସୈାଭାଗ୍ୟବତୀରୁ ବିଧବା ସଜାଇଲ ମାଆ ?  ସବୁଦିନ ପରି ସେତ ମନୋଜ୍ ପାଇଁ ପିନ୍ଧି ଥିଲା ସିନ୍ଦୂର,ପୂଜିଥିଲା ଭକ୍ତିରେ ତୋତେ ,ତା ସ୍ୱାମୀର ମଙ୍ଗଳ ପାଇଁ ଡାକିଥିଲା ତତେ ; ହେଲେ ତୁ କ'ଣ କଲୁ ମାଆ ? ସେ ସିନା ମନ ପ୍ରାଣ ଦେଇ ଡାକିଥିଲା ତୋତେ,ହେଲେ ତୁ ତ ଦେବୀ ନା ? କେମିତି ଜାଣି ପାରିଲୁନି ? ତୋ ଶକ୍ତିକୁ କିଏ ହରଣ କଲାକି ?  ଏମିତି ଦିନ ତିନିଟାରେ ଘଟିଗଲା ଅଘଟଣ ପୁଲୱମା ଠାରେ ,ବିସ୍ଫୋରଣରେ ଟଳିପଡିଲା ମନୋଜ୍ ସାଥୀ ୩୯ଜଣଙ୍କ ସହିତ। ସ୍ତବ୍ଧ ହୋଇଗଲା ଆକାଶ କିଛି ସମୟ ।ସକାଳର ସିନ୍ଦୂର ମଳିନ ପଡିନ ଥିବାବେଳେ ଲିଭିଗଲା ମଥାରୁ ସବୁଦିନ ପାଇଁ ।
        ସେଦିନ ଗଣମାଧ୍ୟମର ବୁମ୍ ଆଗରେ ମନୋଜ୍ର ବାପା କାନ୍ଦୁଥିଲେ ନିଃସହାୟ ହୋଇ,କେତେ ଆଶା ଥିଲା ତାଙ୍କର,ପୁଅ ମନୋଜ୍ ଛୋଟ ଥିଲା ବେଳେ କେବଳ ଗୋଟିଏ ଗୀତ ବୋଲୁଥିଲା - ପାଠ ପଢିବି,କାଳିଆ ଘୋଡାରେ ଚଢିବି ମଧୁବାବୁ ସଙ୍ଗେ ଲଢିବି ଏବଂ ଖେଳନା ବନ୍ଧୁକ ଧରି ମଜାରେ ଫୁଟାଇ କହୁଥିଲା ମତେ ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି । ଆଜି ମୋ ପୁଅ ଦେଶ ପାଇଁ ଶହୀଦ୍ ହୋଇଛି , ଗର୍ବରେ ମୋ ଛାତି ଫାଟି ଯାଉଛି । ମତେ ମୋ ପୁଅ ମଶାଣୀକୁ ନେଇଥା'ନ୍ତା, ହେଲେ ଆଜି ମୋରି ଆଖି ସାମ୍ନାରେ ସେ ମଶାଣୀକୁ ଗଲା ।ହେଲେ ମୁଁ ଭାଙ୍ଗି ପଡିନି ବରଂ ତା' ଝିଅକୁ ପାଠ ପଢାଇ ମଣିଷ କରିବି,ତାକୁ ମଧ୍ୟ ସୈନିକ ତାଲିମ୍ ଦେବି ଓ ତା' ହାତରେ ଧରାଇ ଦେବି ବନ୍ଧୁକ ; ସେ ବି ତା' ବାପା ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବ । ଶେଷରେ ମୋର ଏତିକି ଅନୁରୋଧ ଦେଶର ପ୍ରଧାନମନ୍ତ୍ରୀଙ୍କୁ, ସେ ମୋ ପୁଅ ଓ ଶହୀଦ୍ ବୀର ଜବାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନିଅନ୍ତୁ ।
୦୯-୧୦-୧୯୮୫ରେ ଜନ୍ମ ହୋଇଥିବା ଅମୂଲ୍ୟ ତାରା ମନୋଜ୍ ୧୪-୦୨-୨୦୧୯ ତାରିଖରେ ସବୁଦିନ ପାଇଁ ଦୂର ଆକାଶର ତାରା ପାଲଟି ଗଲା ।ପଛରେ ରହିଗଲେ ମାଆ,ବାପା, ସ୍ତ୍ରୀ,ଓ କୁନିଝିଅ ।ହେଲେ ଏବେ ବି ଝରୁଛି ସେ ଲୁହଧାର ହୁଏତ ଏ ଦେଶ ଯଦି ସେଇ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେଇ ପାରନ୍ତା ତାହେଲେ ମନୋଜଙ୍କ ସହିତ ଅନ୍ୟ
ଶହୀଦ୍ ମାନଙ୍କ ଆତ୍ମା ପରମ ତୃପ୍ତି ଲାଭ କରନ୍ତା । ଜୟ ଜବାନ୍ ।
 ବେଲପୋଖରୀ
 ଜଗତସିଂହପୁର-୧୦୩
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।