କାଜଲ କାଦମ୍ବିନୀ ଖୁଣ୍ଟିଆ
ଏକ ଗରିବ ପରିବାରରେ କରୁଣାର ଜନ୍ମ। କରୁଣାକୁ ୫ବର୍ଷ ହେଇଥାଏ ମା କେଉଁ ଅଜଣା ରୋଗରେ ପୁଅ ପାଖରୁ ସବୁଦିନ ପାଇଁ ଦୂର ଆକାଶର ତାରା ହେଇ ରହିଗଲେ । ବାପା ଦ୍ବିତୀୟ ବିବାହ କଲେ । ତାଙ୍କର ୨ଝିଅ ଓ ୩ପୁଅ । କରୁଣା ସମସ୍ତଙ୍କୁ ବଡ ଭାଇର ସ୍ନେହ ଭଲପାଇବା ଦେବାରେ କେବେ ଉଣା କରେନି । ନାଁ ଯେମିତି କରୁଣା ତା'ର ପ୍ରତିଟି କାମ ଓ ସ୍ନେହ ମମତାରେ କୁଣ୍ଠାବୋଧ ନଥାଏ । କିନ୍ତୁ ତା' ଜୀବନରେ ଏସବୁରୁ ବଞ୍ଚିତ ହୁଏ ।
ବାପା ତା'ର ଖାଣ୍ଟି ଓଡିଆରେ କହିଲେ ଘୋଡା ମଦୁଆ । ଦିନ ମଜୁରି କରି ଯାହା ଆଣିଲେ ଟଙ୍କା ମଦ ଭାଟିରେ ସରାନ୍ତି । ଆଉ ଅବଶିଷ୍ଟ ଘରଖର୍ଚ୍ଚ ହୁଏ । ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡେ । ମା' ବୋଲି ସୁନ୍ଦର ଶବ୍ଦ , ଯିଏ ସ୍ନେହ ମମତାର ଭଣ୍ଡାର ଯିଏ ଅମୃତମୟୀ ଓ ଯାହାଙ୍କୁ ମା' ବୋଲି ଡାକି ଦେଲେ କାଳେ ତାଙ୍କ କୋଳକୁ ମତେ କୋଳେଇ ନେବେ। ଗାଲରେ ଏକ ସ୍ନେହ ବୋଳା ଚୁମ୍ବନଟିଏ ଆଙ୍କିଦେବା ପରିବର୍ତ୍ତେ କାଠନିଆଁରେ ଛାଇଦିଅନ୍ତି ଚେଙ୍କ । ମା'....ଲୋ ମା'...ଲୋ ଆର୍ତ୍ତଚିତ୍କାର କରେ କରୁଣା । କିଏ ସେ କରୁଣ ସ୍ବର ଶୁଣିବ ? ଗଙ୍ଗା ଯମୁନା ପରି ଧାର ଧାର ବୋହି ଯାଉଥାଏ ଅଶ୍ରୁ । ଦେହର ନିଆଁଚେଙ୍କର ଯନ୍ତ୍ରଣାକୁ ଭୋକରେ ପୋଡି ଯାଉଥିବା ପେଟର ଯନ୍ତ୍ରଣା । ମା' ୫ ପୁଅ ଝିଅକୁ ମନା କରିଛନ୍ତି ତା' ପାଖକୁ ନ ଯିବା ପାଇଁ । ଡରରେ କେହି ପାଖକୁ ଗଲେନି।
ରାତିରେ ସମସ୍ତେ ଶୋଇଗଲା ପରେ ସାନ ଭଉଣୀ ଖାଇବା ଆଣି ଖୁଆଇ ଦେଲା । କରୁଣା ଆହୁରି ଜୋରରେ କାନ୍ଦି ଉଠିଲା । ନା ଭାଇ କାନ୍ଦେନା , ତୋ କାନ୍ଦ ଶୁଣି ସମସ୍ତେ ଉଠି ପଡିବେ ।ମତେ ଖାଇବାକୁ ଦେଇଥିଲା ମା' । ମୋ ପେଟ ଖରାପ ପରେ ଖାଇବି କହି ରଖିଥିଲି ।
-ଭାଇ ତତେ ଗୋଟେ କଥା କହିବି ରଖିବୁ ?
-ତୁ କହିବୁ ମୁଁ ରଖିବିନି ! କ'ଣ କହ ?
-ଭାଇ ! ତୁ ତୋ ପରିଶ୍ରମ ବଳରେ ସ୍ବ ରୋଜଗାରରେ ପାଠ ପଢିଛୁ । ତୁ ଘରଛାଡି ପଳା, ସହରରେ ଭଲ ଚାକିରି କରି ରହ।
-ତୁ ଏ କ'ଣ କହୁଛୁ ? ନା ମୁଁ ଘର ଛାଡି ଯିବିନି ।
ଭଉଣୀକୁ ସିନା ମନା କରିଦେଲା । ହେଲେ କ'ଣ କରିବ ଘରେ ରହି ? ଘରେ ନାହିଁ ନଥିବା ଦୁଃଖ, ଅଭାବ ଅନାଟନ । ବଡପୁଅ ହିସାବରେ କର୍ତ୍ତବ୍ୟ ତ ମୋର ଅଛି । ମନେ ଚିନ୍ତାକଲା , ହଁ ଘର ଛାଡି ଯିବି । ଗଲା ମଧ୍ୟ ଅନାଥ ଅରକ୍ଷିତ ପରି । ଚାରିଆଡେ ଖୋଜି ବୁଲିଲା ଛୋଟମୋଟ କାମ ପାଇଁ । ଏ ଘରରୁ ସେ ଘର, ଏ ଅଫିସରୁ ସେ ଅଫିସ ବୁଲି ବୁଲି ନିରାଶା ହେଲା । ଏମିତି ରାସ୍ତାରେ ଯାଉଥିବା ବେଳେ ଜଣେ ଲୋକ ଗାଡି ନେଇ କିଛି ବାଟ ଆଗକୁ ଯାଇ ପୁଣି ପଛକୁ ଫେରି ଡ଼ାକିଲେ ।
-ଏ ପୁଅ ଶୁଣିଲୁ ।
-ଆଜ୍ଞା କୁହନ୍ତୁ ।
-ତୁ କ'ଣ କରୁ ?
-କଣ କରିବି, କାମ ପାଇଁ ଏଣେ ତେଣେ ଘୂରି ବୁଲୁଛି । ଚାରିଆଡ଼େ ଘୁରିବୁଲିଲା ପରେ ବି କୋଉଠି ଚାକିରୀ ଖଣ୍ଡେ ମିଳିଲାନି ।
- ମୋ ପାଖରେ କାମ ଅଛି କରିବୁ ?
-ଭୋକିଲା ପାଖରେ ଖାଇବା ରଖି କହିବେ ତୁ ଖାଇବୁ ! ସେ କ'ଣ କହିବ ବାବୁ ? ହଁ ଆଜ୍ଞା କାମ କରିବି ।
-ଚାଲେ ମୋ ସାଥିରେ ।
ନେଇଗଲେ ସେଇ ଜାଗାକୁ, ହାତରେ ଧରେଇ ଦେଲେ ଭୁଜାଲି ଆଉ ବନ୍ଧୁକ । ଏସବୁକୁ ଦେଖି ଚମକି ପଡ଼ିଲା ।
-ଏ କଣ ? ମୁଁ ୟାକୁ ନେଇ କଣ କରିବି ? ମତେ କାମ ଦେବେ କହି ଆଣିଲେ ଏଠି ଭୁଜାଲି ବନ୍ଧୁକ ଧରଉଛନ୍ତି ଯେ !
-ତୁ ୟା'କୁ ଦେଖେଇ ଟଙ୍କା ସୁନା ଅଳଙ୍କାର ଲୁଟିବୁ । ଦରକାର ପଡ଼ିଲେ ମାରିଦବୁ । ରାତାରାତି ତୋ ସ୍ଵପ୍ନକୁ ପୂରଣ କରିବୁ ।
କରୁଣା ମନା କଲା ନା ଏ ଘୃଣ୍ୟ ପାପ କାମ କରି ପାରିବିନି ବୋଲି ।
-ଦେଶର ନିରୀହ ଲୋକଙ୍କୁ ମାରି କୋମଳ ପିଲାଙ୍କ ପାଖରୁ ତାଙ୍କ ବାପା ମା'ଙ୍କୁ ଅଲଗା କରି ପାରିବିନି । ଟଙ୍କା ଆଣି ପୁଣି ସେମାନଙ୍କୁ ଗରିବ କରିବାକୁ ଚାହୁଁନି ।
-ତେବେ ତୁ ଏମିତି ଚାକିରୀ ପାଇଁ ଘୂରି ବୁଲିବୁ ସତ କିନ୍ତୁ ଚାକିରୀ ପାଇବୁନି । ଏଠି ଟଙ୍କା ନାହିଁ ତ ଚାକିରୀ ନାହିଁ, ଟଙ୍କା ନାହିଁ ତ ମାନସମ୍ମାନ କି ଖୁସି ନାହିଁ ।
ମନେ ପଡ଼ିଗଲା ଭଉଣୀର କଥା- "ଯଦି କିଛି ନ କରିବି ତାହେଲେ ବଂଚିବି କିପରି ?" ଶେଷରେ ଆଦରି ନେଲା ଏହି କାମକୁ । ସାଜିଲା ସନ୍ତ୍ରାସବାଦ ସତ ; କିନ୍ତୁ ଅଲଗା ଉଦ୍ଦେଶ୍ୟରେ କାମ କଲା । ଯୋଉ ସନ୍ତ୍ରାସବାଦମାନେ ଦେଶକୁ ଲୁଣ୍ଠନ କରି ଚାଲିଥା'ନ୍ତି ଓ ଲୁଣ୍ଠନ କରି ଯାହା ଆଣିଥା'ନ୍ତି , କୌଶଳ କରି ତାକୁ ହାତେଇ ଗରିବ ଲୋକଙ୍କୁ ଦେଇଦିଏ । ଅନାଥ ଆଶ୍ରମକୁ ଦାନ ଦେବା ତା' ପାଇଁ ଭିନ୍ନ ପରିଚୟ ସୃଷ୍ଟି କରିଛି । କେବେ କୁହେନି ମୁଁ କରୁଣା । ସବୁବେଳେ କହେ ମୁଁ ସନ୍ତ୍ରାସବାଦ । କାହିଁକି ନା , ସ୍ନେହ ଭଲପାଇବା କ'ଣ ଜାଣି ନଥାଏ । ଦେଶକୁ ସେ ସୁରକ୍ଷା ଦିଏ ଆଉ ଗରିବ ମୁହଁରେ ଆହାର ଦେଇ ହସ ଫୁଟାଏ । ଦେଶ ପାଇଁ ମହାମିଶନ ରଚିଥିବା ସନ୍ତ୍ରାସବାଦ ମାନଙ୍କ ସହ ରହି ଏ ମିଶନରୁ ଦେଶକୁ କିପରି ରକ୍ଷା କରିବ ଭାବି ପାରୁନଥାଏ । ମୋ ପରି ଆଉ କେତେ ଜଣ ମିଶି ଦେଶକୁ ପାଉଁଶ କରିଦେବେ , ମୁଁ ସବୁ ଜାଣି ବି କିଛି କରି ପାରିବିନି । ଦେଶର ସରଳ ମଣିଷ ଏମାନଙ୍କ ପାଖେ ବଳି ପଡ଼ି ଯିବେ । ଦେଶ କ'ଣ ଏଇଠି ବିଲିନ ହୋଇଯିବ ? ଭାବିଲା ରଚା ଯାଇଥିବା ମିଶନରେ ମୁଁ ବଳି ପଡି ଗଲେ ମୋ ପାଇଁ ଅଶ୍ରୁ ଗଡ଼େଇବାକୁ କେହି ନାହାନ୍ତି । ଶେଷରେ ମିଶନକୁ ଧରି ଧାଇଁ ଗଲା ନିର୍ଜନ ଜାଗାକୁ । ସେଇ ମିଶନରେ ଦେଶକୁ ରକ୍ଷା କରିବାକୁ ଯାଇ ନିଜକୁ ଆହୁତି ଦେଲା । କିନ୍ତୁ ନାଁ ରହିଗଲା ସନ୍ତ୍ରାସବାଦ ; ଦେଶ ପାଇଁ ସେ ଚିର ନମସ୍ୟ । ଲୁହ ଗଡ଼େଇବାକୁ କେହି ନଥିବା କହୁଥିଲା ନିରୀହ କରୁଣା । ହେଲେ ଆଜି ଝରି ଯାଉଛି ନୀର । ଦେଶର କୋଣେ ଅନୁକୋଣେ ଶୋକର ଛାୟା । କାହିଁ ଛାଡିଗଲ ଦ୍ଵିତୀୟ ଇଶ୍ଵର ସନ୍ତ୍ରାସବାଦ...!!!!!
ଅରିମୂଳ, କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।