ଯଶୋବନ୍ତ ସେଠୀ
ଦୀର୍ଘ ଷାଠିଏ ଦଶକରେ ନକ୍ସଲ ବାଡିରୁ ଅଙ୍କୁରୋଦ୍ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି । ପ୍ରସିଦ୍ଧ ଦାର୍ଶନିକ ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ , ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ୍ ମିଳିବ ନାହିଁ । ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦ ଠାରୁ ବହୁଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ସାରିଲାଣି । ଆତଙ୍କବାଦୀମାନେ ଦେଶର କେବଳ ସୀମା ତଥା ସୀମାବର୍ତ୍ତୀ ରାଜ୍ୟ ମାନଙ୍କରେ, କେତେକ ବଡ ବଡ ସହର ଯଥା ଦିଲ୍ଳୀ, ମୁମ୍ବାଇ ଆଦି ସ୍ଥାନରେ ସାଧାରଣ ଜୀବନଯାପନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତି । ମାଓବାଦୀମାନେ କିନ୍ତୁ ଦେଶର କୋଣ ଅନୁକୋଣ , ନିପଟ ମଫସଲ ତଥା ବଣ ଜଙ୍ଗଲର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ସରଳ,ନିଷ୍କପଟ ଜନଜାତିଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏଥି ସହିତ ସରକାରଙ୍କର ବିଭିନ୍ନ ବିକାଶମୂଳକ ଯୋଜନାରୁ ସେମାନଙ୍କୁ ବଞ୍ଚିତ କରାଇ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରାଉଛନ୍ତି ।
ଗଣତାନ୍ତ୍ରିକ ପଦ୍ଧତିରେ ଗଠିତ ସରକାର ବିରୁଦ୍ଧରେ ଜଳ - ଜମି - ଜଙ୍ଗଲର ନାରା ଦେଇ ନିରୀହ ଜଙ୍ଗଲ ଅଧିବାସୀଙ୍କୁ ଭୟଭୀତ କରି ସେମାନଙ୍କ ସରଳ ମନରେ ଗରଳ ଭରିଦେଇ ସେମାନଙ୍କୁ ହିଂସାତ୍ମକ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଉଥିବା ମାଓବାଦୀଙ୍କର ସ୍ୱପ୍ନ କେବେ ସଫଳ ହେବକି ନାହିଁ, ସେକଥା ସମୟ ହିଁ କହିବ । କିନ୍ତୁ ସାଂପ୍ରତିକ ମାଓବାଦର କୁପ୍ରଭାବରେ ସମଗ୍ର ଦେଶ , ମାନବ ସମାଜ ତଥା ଜନସାଧାରଣ ଯେଉଁ ସବୁ କ୍ଷତିର ସମ୍ମୁଖୀନ ହେଉଛନ୍ତି, ତାହା ପର୍ଯ୍ୟାଲୋଚନାର ବିଷୟ । ବିଶେଷକରି ଗାଁ ଗହଳି ତଥା ଜଙ୍ଗଲ ଅଧିବାସୀଙ୍କର ଆର୍ଥିକ, ସାମାଜିକ, ଧାର୍ମିକ, ସାଂସ୍କୃତିକ ତଥା ନୈତିକ ଅଧୋପତନ ମଧ୍ୟରୁ ସାଂସ୍କୃତିକ ତଥା ପରମ୍ପରାଗତ ଅଧୋଗତି ହିଁ ଆଜିର ଆଲୋଚ୍ୟ ବିଷୟ ।
ସଂସ୍କୃତି ଏବଂ ପରମ୍ପରା ହେଉଛି ସମାଜର ଦର୍ପଣ ଭଳି ; ଯେଉଁ ଦର୍ପଣରେ କି ଗୋଟିଏ ଦେଶର ଅତୀତ ତଥା ବର୍ତ୍ତମାନ ସମାଜର ଚିତ୍ର ପ୍ରତିଫଳିତ ହୋଇଥାଏ । ବିଶ୍ଵର ଅନ୍ୟାନ୍ୟ ଦେଶ ଅପେକ୍ଷା ଭାରତର ସଂସ୍କୃତି ଓ ପରମ୍ପରା ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଅଟେ । କାରଣ ଏଠାରେ ଅନେକ ସମ୍ପ୍ରଦାୟ , ଧର୍ମ , ଜାତି ଓ ଭାଷାଭାଷୀ ଲୋକେ ବସବାସ କରନ୍ତି । ସମସ୍ତେ ନିଜନିଜର ସଂସ୍କୃତି ଏବଂ ପରମ୍ପରାକୁ ନିଜସ୍ୱ ଶୈଳୀରେ ପାଳନ କରିବାକୁ ଭଲ ପାଆନ୍ତି । ସେଥିପାଇଁ ସମଗ୍ର ଦେଶରେ ବର୍ଷତମାମ କୋଉଠି ନା କୋଉଠି ପର୍ବପର୍ବାଣି, ଯାନିଯାତ୍ରା , ମେଳା ମଉଚ୍ଛବ ଲାଗିରହିଥାଏ । ପ୍ରତ୍ୟେକ ଚାହାଁନ୍ତି ତାଙ୍କ ନିଜର ସଂସ୍କୃତି ଓ ପରମ୍ପରା ଅତୁଟ ରହୁ ।
କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ମାଓବାଦୀଙ୍କ ତାଣ୍ଡବଲୀଳା ଆଦିବାସୀ ତଥା ଦୁର୍ଗମ ଓ ଅନୁନ୍ନତ ଅଞ୍ଚଳର ଲୋକଙ୍କ ସଂସ୍କୃତିକୁ ବିରାଟ ଝଟକା ପହଞ୍ଚାଇଛି । ମାଓବାଦୀଙ୍କର ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ସେ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ବିଭିନ୍ନ ପର୍ବପର୍ବାଣି, ମେଳା ମଉଚ୍ଛବ ଆଦି ପାଳନ କରିବାକୁ ଡରିଲେଣି । ଉଭୟ ପୋଲିସ ଓ ମାଓବାଦୀଙ୍କ ଚାପରେ ଜଙ୍ଗଲର ଆଦିବାସୀମାନେ ପେଷି ହୋଇଯାଉଛନ୍ତି , ଯଦ୍ଦ୍ୱାରା କି ଆଞ୍ଚଳିକ ପର୍ବପର୍ବାଣି ପୂର୍ବ ଭଳି ଯାକଜମକରେ ପାଳିତ ହେଉନାହିଁ । କେତେକ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପୂର୍ବରୁ ପାଳିତ ହୋଇଆସୁଥିବା ଯାତ୍ରା, ମେଳାଦିକୁ ପ୍ରଶାସନ ପକ୍ଷରୁ ମାଓବାଦୀଙ୍କ ଭୟରେ ନିଷିଦ୍ଧ କରି ଦିଆଯାଇଛି । ଏଭଳି କାର୍ଯ୍ୟକ୍ରମକୁ ସୁରକ୍ଷା ଦୃଷ୍ଟିରୁ ଅନୁମତି ଦେବାକୁ ମଧ୍ୟ ସରକାର ପଛଘୁଞ୍ଚା ଦେଉଛନ୍ତି । 2005 ମସିହାରେ ସମ୍ବଲପୁରର ବଡରମା ଘାଟିତଳେ ଦଶହରା ସମୟରେ ରାତିରେ ଅପେରା କାର୍ଯ୍ୟକ୍ରମ ଚାଲିଥିବା ବେଳେ ମାଓବାଦୀଙ୍କ ରକ୍ତମୁଖା ଆକ୍ରମଣ ପରଠାରୁ ସେଠାରେ କିଛିବର୍ଷ ଯାତ୍ରା କାର୍ଯ୍ୟକ୍ରମ ବନ୍ଦଥିଲା । ଏବେ ତାହା ପୁନଃପ୍ରଚଳନ ହେଲେ ମଧ୍ୟ ପୂର୍ବର ଚମକ ହରାଇ ବସିଛି । ସେହିପରି ୨୦୦୮ ମସିହାରେ କନ୍ଧମାଳରେ ଜଲେଶପଟ୍ଟା ଆଶ୍ରମର ପରିଚାଳକ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମାଓବାଦୀଙ୍କ ଦ୍ଵାରା ହତ୍ୟା ପରେ ଏପର୍ଯ୍ୟନ୍ତ ସେଠାରେ ଆତଙ୍କର ବାତାବରଣ ଲାଗିରହିଛି ।
ସାପ୍ତାହିକ ହାଟ ଗୁଡିକ ଲୋକ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । କେତେକ ମାଓପ୍ରବଣ ଇଲାକାରେ ବସୁଥିବା ହାଟ ବଜାରରେ ମାଓବାଦୀଙ୍କ ଦ୍ଵାରା ବାରମ୍ବାର ଘଟାଯାଉଥିବା ହିଂସାତ୍ମକ କାର୍ଯ୍ୟକଳାପ ଯୋଗୁଁ ସେଠାରେ ଜନଗହଳି କମିଗଲାଣି । ବିଶେଷତଃ ମାଲକାନଗିରି ଜିଲ୍ଲାର କାଲିମେଳା, ମୋଟୁ, ଏମ୍ ଭି 79 ଆଦି ସାପ୍ତାହିକ ହାଟରେ ପୋଲିସ ତଥା ପୋଲିସ ଇନଫର୍ମର ସନ୍ଦେହରେ ଟାର୍ଗେଟରେ ଥିବା ଲୋକଙ୍କ ଉପରେ ବାରମ୍ବାର ଆକ୍ରମଣ ତାହାର ବଳିଷ୍ଠ ଉଦାହରଣ ଅଟେ ।
ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ମେଳା ମହୋତ୍ସବ ସେଠାକାର ସ୍ଥାନୀୟ ସରପଞ୍ଚ, ରାଜନେତାଙ୍କ ପରୋକ୍ଷ ଆର୍ଥିକ ସହାୟତା ତଥା ପୃଷ୍ଠପୋଷକତା ଅଧିକ ସାଫଲ୍ୟମଣ୍ଡିତ କରାଇଥାଏ । କିନ୍ତୁ ସ୍ଥାନୀୟ ଜନନେତା ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ଦଳଗତ ନିର୍ବିଶେଷରେ ରାଜନେତାମାନେ ମାଓବାଦୀଙ୍କ ଟାର୍ଗେଟକୁ ଆସିବା ପରେ ନେତାମାନେ ନିଜ ନିଜ ନିର୍ବାଚନୀ କ୍ଷେତ୍ରକୁ ଯିବାପାଇଁ ଭୟକରୁଛନ୍ତି । ଏହାଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବର ଚମକ ହରାଇବସିଛି । ବିଭିନ୍ନ ଜାତୀୟ ଦିବସ , ସଭାସମିତି, ଅଞ୍ଚଳ ପରିଦର୍ଶନ ଆଦି କାର୍ଯ୍ୟକ୍ରମରେ ମନ୍ତ୍ରୀ, ସ୍ଥାନୀୟ ନେତା ତଥା ସରକାରୀ ଅଧିକାରୀବୃନ୍ଦ ଅଂଶଗ୍ରହଣ କରିବାକୁ ଯିବାବେଳେ ମାଓବାଦୀଙ୍କ ଭୟରେ ପରୋକ୍ଷ ଭାବରେ ଏଡେଇଯିବାକୁ ଚାହୁଁଛନ୍ତି କିମ୍ବା କଡା ସୁରକ୍ଷା ବଳୟ ମଧ୍ୟରେ ଯିବାକୁ ମଧ୍ୟ ନାପସନ୍ଦ କରୁଛନ୍ତି । କିଛିବର୍ଷ ପୂର୍ବେ ମୟୂରଭଞ୍ଜ ଜିଲ୍ଲାର ସାଂସଦ ଥିବାବେଳେ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡିଙ୍କ ଉପରେ ଫୁଟବଲ୍ ଖେଳ ସମୟରେ ମାଓବାଦୀଙ୍କ ମରଣାନ୍ତକ ଆକ୍ରମଣ ,୨୦୦୭ ମସିହାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ମାର୍ଣ୍ଡିଙ୍କ ପୁତ୍ର ଅନୁପ ମାର୍ଣ୍ଡିଙ୍କୁ ସ୍ଥାନୀୟ ଏକ ଫୁଟବଲ୍ ମ୍ୟାଚ୍ ଉଦ୍ଯାପନ ସମୟରେ ହତ୍ୟା ଆଦି ଘଟଣା ପରେ ଦୁର୍ଗମ ଆଭ୍ୟନ୍ତରୀଣ ଅଞ୍ଚଳରେ କ୍ରୀଡା ତଥା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ସରକାରୀ ପ୍ରଶାସନ ଅନୁମତି ଦେବା ପୂର୍ବରୁ ଅନେକ ଥର ଚିନ୍ତା କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ନକ୍ସଲ ଅଧ୍ୟୁଷିତ ଅପହୁଞ୍ଚ ଗ୍ରାମଗୁଡିକରେ କାର୍ଯ୍ୟକାରୀ ହେଉଥିବା ଜନସମ୍ପର୍କ ଶିବିର, ସ୍ୱାସ୍ଥ୍ୟ ମେଳା, ବିଭିନ୍ନ କ୍ରୀଡା ପ୍ରଦର୍ଶନୀ,ପାରମ୍ପରିକ ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ ଯଥେଷ୍ଟ ଉପାଦେୟ ସାଧିତ ହୋଇଛି । ଏହାଦ୍ୱାରା ଦୁର୍ଗମ ଅଞ୍ଚଳର ଯୁବକ ଯୁବତୀଙ୍କୁ ନକ୍ସଲ ସଂଗଠନରେ ସାମିଲ୍ ହେବାରୁ ମଧ୍ୟ ବଞ୍ଚିତ କରାଯାଇ ପାରୁଛି । ପୋଲିସ ପ୍ରଶାସନ ସହାୟତାରେ ନିଆଯାଉଥିବା ଏହି ନିଆରା ପଦକ୍ଷେପ ବାସ୍ତବିକ ଧନ୍ୟବାଦାର୍ହ । ସରକାର ଏହି ପ୍ରୋତ୍ସାହନକୁ ଅଧିକ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ସମାଜର ସମସ୍ତ ବର୍ଗର ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଏହାକୁ ଆହୁରି ଆଗକୁ ନେଇପାରିବ ।
ପୋଲିସ କମିଶନରେଟ୍
ଭୁବନେଶ୍ଵର


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।