ସୌମ୍ୟ ରଞ୍ଜନ ଦାଶ
ଶିକ୍ଷକ
"ନା ମୋ ପୁଅ ମରି ପାରିବନି".....ତମେମାନେ ମିଛ କହୁଛ l ଦୟାକରି ଏଠୁ ଚାଲିଯାଅ l ମୋ ପରିବାର ପାଇଁ ଏମିତି ଅଶୁଭ କଥା ଚିନ୍ତା କରନି l ମୋର ଗୋଟିଏ ବୋଲି ପୁଅ l ଗାଁ ରେ କେତେ ଲୋକ କହିଛନ୍ତି "ଏକ ଆଖି ଆଖି ନୁହଁ... ଏକ ସାକ୍ଷୀ ସାକ୍ଷୀ ନୁହେଁ l" ତଥାପି ମୋର ନା ଥିଲା ଅବଶୋଷ ନା ଥିଲା ପ୍ରାପ୍ତି ଆଶା l କେବଳ ମୋ ମନୁଆର ମୁହଁ ଚାହିଁ ସାରା ଜୀବନ କାଟିବା ଲାଗି ଆମେ ବୁଢା ବୁଢ଼ୀ ଦୁଇଟା ବଞ୍ଚି ରହିଛୁ l ଘର ଅଧା ତିଆରି ହୋଇଛି l ଆଜି ଦିନ ଗୋଟାଏରେ ମୋତେ ଫୋନରେ କହିଥିଲା ପରା, ବୋଉଲୋ ଘର ପାଇଁ ଚିନ୍ତା କରିବନି..... ବାପାଙ୍କୁ କହିବୁ ବ୍ୟସ୍ତ ହେବେନି..... ମୁଁ ପଇସା ଠିକ କରି ମାର୍ଚ୍ଚ ମାସ ପୁଣି ଆସିବି..... ଆମ ଅଧା ଘର ପୁରା ହବ ..." ଏମିତି ଅନେକ କଥା କହି ସାମ୍ବାଦିକ ଙ୍କ ପ୍ରଶ୍ନ କୁ ଏଡ଼େଇ ଚାଲିଥିଲେ ସାବିତ୍ରୀ ଦେବୀ l ବନ୍ଧୁ ବର୍ଗ ଜ୍ଞାତି ଆତ୍ମୀୟ ସ୍ୱଜନଙ୍କ ଆକୁଳ କ୍ରନ୍ଦନ ରେ ଫାଟି ପଡୁଛି ଘର ଆଉ ସମଗ୍ର ରତନପୁର l
କୌଣସିମତେ ସାବିତ୍ରୀଦେବୀ ପୁଅର ମୃତ୍ୟୁ ଖବରକୁ ମାନିବାକୁ ପ୍ରସ୍ତୁତ ନଥିଲେ । ବରଂ ପୁଅ ଉପରେ ଅଭିମାନ କରି କହି ଚାଲିଥିଲେ ସେ କିଛି କାମରେ ବ୍ୟସ୍ତ ରହିଯାଇଥିବ ସେଥିପାଇଁ ଫୋନ କରି ପାରୁନି l ସତରେ ମା' ମନ କେତେ ବେଳେ ବି ଦୁର୍ବଳ ନୁହଁ l ଯୋଉ ମା' ଅନ୍ତ ଚିରି ଜନ୍ମ ଦିଏ ପୁଅର ମୃତ୍ୟୁକୁ ସ୍ୱୀକାର କରିବ କେମିତି ? ସେଇଟା କ'ଣ ସହଜ !!! ବପା ଜିତେନ୍ଦ୍ର କିନ୍ତୁ ଖବରର ସତ୍ୟାସତ୍ୟ ଜାଣି ସାରିଥିଲେ । ତାଙ୍କ ପୁଅ ମନୁଆ ଆଉ ନାହିଁ ; ଭାଙ୍ଗି ଯାଇଛି ତାଙ୍କ ସ୍ୱପ୍ନର ଘର, ଉଜୁଡ଼ି ଯାଇଛି ସଂସାର । ତାଙ୍କ କୋକେଇ କାନ୍ଧେଇବା ପାଇଁ ଆଉ ନାହିଁ ତାଙ୍କ ଏକ ମାତ୍ର ପୁଅ ମନୋଜ, ଯାହାର କାନ୍ଧରେ ମଶାଣିକୁ ଯିବାର ସ୍ବପ୍ନ ଦେଖି ଥିଲେ । ଯାହା ହାତ ନିଆଁରେ ସ୍ୱର୍ଗ ପ୍ରାପ୍ତିର କଳ୍ପନା କରିଥିଲେ, ସେ ଆଜି ହାତ ପାହାନ୍ତାରୁ ଅନେକ ଦୂରରେ l ଅମାନିଆ ଲୁହ ବାପା ମନକୁ ନିର୍ବାକ ବନେଇ ଦେଇଛି । ବଜ୍ରଟା ଯେମିତି ତାଙ୍କ ପରିବାର ଉପରେ ଖସି ପଡ଼ିଛି l ଅସ୍ତବ୍ୟସ୍ତ ବାପାର ମନଟା, ଭାରି ବ୍ୟସ୍ତ ଆଉ ଯନ୍ତ୍ରଣାରେ ଛଟପଟ । ସତରେ କ'ଣ ମୋ ମନୁଆ ଆଉ ନାହିଁ !! ହେ ମା' କଟାକଚଣ୍ଡୀ ! ଏ କଥା ମିଛ ହେଇ ଥାଉ, ହେ ମା' କରୁଣାଦାୟିନୀ ମୋ ସଂସାରକୁ ରକ୍ଷା କର ମା' ।
ଏମିତି ଅନେକ ଗୁହାରି କରି ନିଜ ବାପ ମନକୁ ଶାନ୍ତ୍ୱନା ଦେଇ ଚାଲିଥିଲେ ଜିତେନ୍ଦ୍ର l ଆତଙ୍କୀର ଆକ୍ରମଣ ପୁଲବାମାରେ ନୁହଁ ବରଂ ତାଙ୍କ ହୃଦୟରେ ହୋଇଛି । ଏତେ ସଂଖ୍ୟକ ସାମ୍ବାଦିକଙ୍କ ପ୍ରଶ୍ନ ବାଣ ଆଉ ପ୍ରତିକ୍ରିୟା ତାଙ୍କୁ ଯେମିତି ହତବାକ ସଜେଇ ଦେଇଥିଲl l
ଫଗୁଣ ତ ରଙ୍ଗୀନ l ସୁହାଗିନୀ ର ସିନ୍ଦୁରକୁ ଆଉ ଟିକେ ନାଲି କରେ । ସଂସର୍ଗ ଜୀବନରେ ଯୋଡ଼ି ଦିଏ ନୂଆ ଏକ ଫର୍ଦ । ଏ ଫଗୁଣ ଯେ ଅଭିଶପ୍ତ l ଆସିଛି ସତ କିନ୍ତୁ ରଙ୍ଗହୀନ ହୋଇ l କେତେ ପ୍ରତିଶ୍ରୁତି ଦେଇ ଯାଇ ଥିଲେ ବ୍ୟସ୍ତ ହବନି ଲିଲି l ମୁଁ ମାର୍ଚ୍ଚରେ ଆସିବି l ଆଉ ହଁ, ଏଥର ଆସିଲା ବେଳେ ମୋ ଗେହ୍ଲି ଝିଅ ଯେମିତି ମୋତେ ସ୍ପଷ୍ଟ ଭାବରେ ପାପା ଡାକିବ l ଆଉ ସେ ଦାୟିତ୍ୱ ତମେ ଭଲ ଭାବରେ ନିଭେଇବ । ନହେଲେ ଆଉ କେବେ ଆସିବିିନି l ଅଭିମାନ କରି ଚାଲିଯିବି ଯେ ଆଉ ପାଇବନି l ଲିଲିକୁ ମନୋଜ ଭାରି ଭଲ ପାଉ ଥିଲେ । ଦେଶ ସେବାରେ ବ୍ରତୀ ମଣିଷ କେବେ ଅକୃତଜ୍ଞ, ଅବିବେକୀ, ସ୍ୱାର୍ଥପର ହେଇପାରେନା । ସ୍ତ୍ରୀ, ଦେଶ,ଜନନୀ,ଜନତା ଓ ମାତୃଭୂମି ସବୁ ତା' ଦୃଷ୍ଟିରେ ମହାନ l ଘରର ଗୋଟିଏ କୋଣରେ କାନ୍ଥକୁ ଆଉଜି ଲୁହର ବନ୍ୟା ବୋହି ଚାଲିଥିଲା ଲିଲି l ହାଏରେ ବିଧାତା ଏ କି ଦାରୁଣ ଦୁଃଖ ଦେଲୁ l ସ୍ୱାମୀ ପାଇଁ ଆୟୁଷ ସଞ୍ଚାରେ ଯୋଉ ସିନ୍ଦୂର ଟୋପାରେ ସେ ଲିଭି ଯିବ । ଦାମ୍ପତ୍ୟ ଜୀବନ ରୂପି କଳିକା ଫୁଟିବା ଆଗରୁ ମଉଳି ଯିବା ଦୁଃଖରେ ମ୍ରିୟମାଣ ଲିଲି l ବାରମ୍ବାର ମନୋଜଙ୍କ ସନ୍ତକ ମନସ୍ବିନୀକୁ ଅନେଇ ମୁଠା ମୁଠା ଲୁହ ଅଜାଡ଼ି ଦେଉ ଥିଲା ଲିଲି l ସୁଖ ଆଉ ଜୀବନରେ ନାହିଁ l ବାରମ୍ବାର ମୁର୍ଚ୍ଛା ଯାଉଥିଲା ବିଚାରି l
ସତରେ ବିଧାତାର ଏଇ କ'ଣ ବିଚାର ! ବାପ ଛେଉଣ୍ଡ ହେଇଗଲା ବର୍ଷକର ଅବୋଧ ଶିଶୁ l ନିଆଳିର ନୀଳା-ରତନପୁରର ରତ୍ନହାର ମନୋଜ କୁମାର ବେହେରା ଶହୀଦ ହୋଇ ଯାଇଛି l ଦେଶ ସାରା ହା' ହା' କାର l ପିଲାଠୁ ବୁଢ଼ା ସମସ୍ତେ ସ୍ତବ୍ଧ l ଜମ୍ମୁରୁ ଶ୍ରୀନଗର ଫେରୁଥିଲା ବେଳେ ପୁଲବାମା ଜିଲ୍ଲା ଅବନ୍ତିପୁରା ଆତଙ୍କବାଦୀ ଆକ୍ରମଣରେ ଚାଳିଶି ଜଣ ଯବାନ ଶହୀଦ ହୋଇ ଯାଇଛନ୍ତି l ଦେଶ କାନ୍ଦୁଛି ; ନଦୀ ପାହାଡ଼ ତରୁ ଲତା ସବୁରି ଆଖିରେ ଲୁହ l ଶହୀଦ ମନୋଜ ଅମର ରହେ ଧ୍ୱନିରେ ଫାଟି ପଡୁଛି ସାରା ରତନପୁର l
ମା' ସାବିତ୍ରୀ ଦେବୀ ଏକୋଇ ପୁତ ମନୋଜଙ୍କ ଅବାଞ୍ଛିତ ବିୟୋଗରେ ପାଗଳୀ ପ୍ରାୟ l ଲୁହ ଧାର ଆଖି ସୀମା ଡେଇଁ ପାଦ ଛୁଇଁଲାଣି l ସେ ତ ଆଉ ପୁରାଣର ସାବିତ୍ରୀ ପରି ଯମ କବଳରୁ ପୁଅକୁ ଫେରେଇ ଆଣି ପାରିବେନି, ଶହୀଦ ଜନନୀ ସାବିତ୍ରୀ କିନ୍ତୁ ପୁଅର ଉତ୍ସର୍ଗିକୃତତାକୁ ଭାଳି ଭାଳି ଗଭୀର ମ୍ରିୟମାଣ l ମୃତ୍ୟୁ ଯନ୍ତ୍ରଣା ଦିଏ ସତ,କିନ୍ତୁ ମନୋଜ ବିନା ସେ ତ ସବୁ ଦିନ ଯନ୍ତ୍ରଣା ଭୋଗିବେ । ମୃତ୍ୟୁ ଠାରୁ ଅଧିକ କଷ୍ଟ ମନୋଜର ବିୟୋଗ ତାଙ୍କ ହୃଦୟକୁ ବିଦାରଣ କରୁଛି l ଶହୀଦର ତିଳକ ଲଗେଇ ଜନ୍ମଭୂମିକୁ ଫେରିଲା ବୀରପୁତ୍ର l ଲକ୍ଷ ଲକ୍ଷ ଶୋକାକୁଳ ଜନତାଙ୍କ ମୁହଁରେ ଗୋଟିଏ କଥା ସହିଦ ମନୋଜ ଅମର ରହେ l
ସାବିତ୍ରୀ ଦୌଡ଼ିଗଲେ ବୋହୁ ଲିଲି ପାଖକୁ l କୁଣ୍ଢେଇ ପକେଇ ସବୁ କୋହ ଅଜାଡ଼ି ଦେଲେ ବୋହୂ କୋଳରେ l ଉପସ୍ଥିତ ଜନତାଙ୍କ ମୁହଁରେ ଗୋଟିଏ କଥା ମନୋଜ ଆମ ନିଆଳିର ନୀଳା ଆଉ ରତନ ପୁରର ରତ୍ନହାର lପ୍ରେମ ଦିବସରେ ସମସ୍ତଙ୍କ ପ୍ରେମକୁ ଗୁନ୍ଥି ମାଳ କରି ପିନ୍ଧେଇ ଦେଲେ ଶହୀଦଙ୍କ କଣ୍ଠରେ l ଆମ ଗାଜାବର ଉ. ପ୍ରା ବିଦ୍ୟାଳୟ ଏବେ ହେବ ଶହୀଦ ମନୋଜ ବେହେରା ଉ. ପ୍ରା ବିଦ୍ୟାଳୟ l ଏଠି ସୃଷ୍ଟି ହେବେ ଶହ ଶହ ମନୋଜ ଯେଉଁମାନେ ଆତଙ୍କବାଦ ବିରୁଦ୍ଧରେ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼େଇ କରି ଦେଶର ନାମ ରଖିବେ l
ଶହୀଦ ସ୍ୱାମୀଙ୍କ କୈଫନକୁ ଶେଷ ଆଲିଙ୍ଗନ କରିଥିଲା ଲିଲି । ଶେଷ ଲୁହରେ ଅଜାଡ଼ି ଦେଇଥିଲା ନିଜ ଜୀବନର ସବୁ ଭଲପାଇବା l କେବଳ ଗୋଟିଏ ପ୍ରତିଜ୍ଞାରେ । ଆଜି ଚାଲିଗଲ ତମେ l କଥା ଦଉଛି ତମ ଝିଅକୁ ତମରି ପରି ବଡ଼ କରିବି l ତମେ ଅମର l ଏଇ ମାଟି ପାଣି ପବନରେ ଛାଡ଼ି ଗଲ ଛାପ । I Love u I Love u I Love u........ କାନ୍ଦିକାନ୍ଦି ତଳେ ଲୋଟି ପଡ଼ିଥିଲା ଲିଲି l
ବଲାଙ୍ଗୀର
ଜୟ ସାହିତ୍ୟ, ଜୟ ସମାଜ
No comment sir. . . . . .
ReplyDelete