1/02/2019

ଦିଗହରା ଆମ ସାହିତ୍ୟ

 ଦୀପ୍ତି ସାମଲ
                                              ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକରେ ଆଗାମୀ ପିଢ଼ି ଯେତେବେଳେ ବିଜ୍ଞାନ ମୁହାଁ ହୋଇ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଉଛି ସେତେବେଳେ ମାତୃଭାଷା ଓ ଆମ ସାହିତ୍ୟର ସୁମଧୁରତା ସେମାନଙ୍କ ହୃଦୟକୁ ଆନ୍ଦୋଳିତ କରିପାରିନାହିଁ କି ପ୍ରଫୁଲ୍ଲିତ କରିପାରୁନାହିଁ ।ଯଦି ଏହି ପରିପ୍ରେକ୍ଷୀରେ ଗୋଟିଏ ମୁହୂର୍ତ୍ତ ପାଇଁ ଯୁବ ପିଢିଙ୍କ ମାନସ ପଟରେ ପହିଲି ସକାଳର ଶିଶିର ପରି ସାହିତ୍ୟ କିଛି କ୍ଷଣ ପାଇଁ ହୀରାପରି ଚିକମିକ କରନ୍ତା ତେବେ ଆମ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ବଳ ବୋଲି ଆମେ ନିଃସନ୍ଦେହ ରେ କହିପାରନ୍ତେ ।ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ର  ମାନ୍ୟତା ପାଇଲା।ଏହି ମାନ୍ୟତା ପାଇବାରେ ଓଡ଼ିଆ ଭାରତ ବର୍ଷର ଷଷ୍ଠ ଭାଷା ହେଲେ ମଧ୍ୟ ପ୍ରଥମ ଆର୍ଯ୍ୟ ଭାଷା ଭାବରେ ଗୌରବ ଅର୍ଜନ କରିପାରିଛି। 
          ଓଡ଼ିଆ ଭାଷା ଆଜି ସ୍ୱତନ୍ତ୍ର ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଆ ଭାଷା ଓ  ଓଡ଼ିଆ ସାହିତ୍ୟ ପ୍ରତି ଆମ ମାନଙ୍କର ମାନସିକତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି।ଯାହାଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ଗୌରବମୟ ପରମ୍ପରା କୁ ଆମେ ଗୌରବାନ୍ୱିତ କରିବାରୁ ବଞ୍ଚିତ କରୁଛନ୍ତି।ଆଜିର କିଛି ସାହିତ୍ୟିକ ସାହିତ୍ୟ କୁ ଚିତ୍ତବିନୋଦନ ର ମାଧ୍ୟମ କରିସାରିଲେଣି।ସାହିତ୍ୟ ଦ୍ୱାରା ସମାଜକୁ ଉପଯୁକ୍ତ ପଥ ପ୍ରଦର୍ଶନ ରେ ସାହାଯ୍ୟ ନକରି ସାହିତ୍ୟକୁ ଶସ୍ତା କରି ବଜାରରେ ନିଲାମ କରିବାରେ ଲାଗିପଡିଲେଣି ଓ  ସାହିତ୍ୟରେ  ମଧ୍ୟ  ରାଜନୀତି ପ୍ରବେଶ  କଲାଣି । ଯାହାର ଫଳ ସ୍ୱରୂପ ଆମର ପ୍ରାଚୀନ ସଂସ୍କୃତି ଅବକ୍ଷୟମୂଖୀ ହେବାକୁ ଲାଗିଛି।ଆଉ ଯେଉଁ ସଚେତନ ସାଧକ ମାନେ ଆମ ଭାଷା ସୁରକ୍ଷା ପାଇଁ ସଂଗ୍ରାମ କରିଆସୁଛନ୍ତି କିଛି  ନିଜକୁ  ବିଜ୍ଞ ବୋଲାଉଥିବା ସାହିତ୍ୟିକ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଛନ୍ତି।ତେଣୁ  ସେମାନଙ୍କୁ ମୋର ଜୋଡ ହସ୍ତରେ ବିନମ୍ର  ନିବେଦନ କାହାକୁ ଏତେ ହୀନ ନ ଭାବି ଏ ସହିତ୍ୟରୁପୀ ସେତୁ ବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷା  ର ଭୂମିକା  ଟିକିଏ ଦେଇ ଦେଖନ୍ତୁ।ଏହାଦ୍ବାରା ଆମ ସର୍ବଭାରତୀୟ ସ୍ଵୀକୃତ ଭାଷାର ଉନ୍ନତି ନିଶ୍ଚିତ ରୂପେ ହେବ।
          ସମସ୍ତ ସାରସ୍ଵତ ସାଧକ ସେମାନଙ୍କ ଲେଖନୀ ମାଧ୍ୟମରେ ନିଶ୍ଚିତ ସମାଜରେ ବିରାଟ ପରିବର୍ତ୍ତନ ଆଣିପାରିବେ ।ମାନବୀୟ ମୂଲ୍ୟବୋଧ ଭିତ୍ତିକ ପ୍ରେରଣାଦାୟୀ ସାହିତ୍ୟ ହିଁ ସମାଜରେ ସଂହତି ସ୍ଥାପନ କରିପାରିବ।କାରଣ ଆମ ଜାତିର  ଆତ୍ମା ହେଉଛି ଆମ  ମାତୃଭାଷା ।ଗୋଟିଏ ବ୍ୟକ୍ତିର ଭାଷା,ସଂସ୍କୃତ,ପୋଷାକ ପରିଚ୍ଛଦ, ଚାଲିଚଳଣୀ  ହେଉଛି ତାର ଅଳଙ୍କାର ଏବଂ ତା ନିଜର ପରିଚୟ ଓ ମଣିଷ ପଣିଆ ହେଉଛି ସମାଜର ଦର୍ପଣ ।
           ଯଦି ଆମ  ସାହିତ୍ୟର  ଅବକ୍ଷୟ ଘଟିବ ତେବେ ଆମ ଜାତି ଭାଷା ଓ ସଂସ୍କୃତି ଦୁର୍ବଳ ହୋଇପଡିବ।ସାରସ୍ଵତ ସାଧନା ଅବକ୍ଷୟ ହେଉଥିବା ଭାଷା କୁ ସୁର ପ୍ରଦାନ କରିଥାଏ।ଏହାଦ୍ୱାରା ପ୍ରତିଟି  ମଣିଷ ପଣିଆ ଜାଗ୍ରତ ହୋଇଥାଏ।ଯାହାକି ପରବର୍ତ୍ତୀ ସମୟରେ ଆମ ସଂସ୍କୃତି ଓ ପରମ୍ପରା କୁ ଆମେ ସୁରକ୍ଷା ଦେଇପାରିବା।
        ଆମ ଓଡ଼ିଶା ଏକ ଦେବଭୂମି ତାର ଐତିହ ,ପରମ୍ପରା ,କଳା, ସଂସ୍କୃତି ଯଦି ଆମଭଳି କୃତୀ ସନ୍ତାନ ମାନଙ୍କ ଦ୍ୱାରା ନ ହୋଇପାରିଲା  ୟା ଠାରୁ  ଲଜ୍ଜାକର ବିଷୟ ଆଇକିଛି ନହିଁ।ଆଜି ଏହି ଲେଖା ମାଧ୍ୟମରେ ସମସ୍ତ ଲେଖକ ,ଲେଖିକା, ଯୁବବନ୍ଧୁ,ସାହିତ୍ୟିକ ଓ ଗୁରୁଜନ ମାନଙ୍କୁ ନିବେଦନ ଆସନ୍ତୁ ଏହି ମହାନ ପବିତ୍ର ଓଡ଼ିଆ ଭାଷାକୁ ଉର୍ଦ୍ଧଗାମୀ କରାଇବା ନିମିତ୍ତ ଆମେ ମନର ସବୁ ଆବିଳତା ଦୁରେଇ ହାତରେ ହାତ ମିଳାଇ ଏକତା ମନ୍ତ୍ରରେ  ମନ୍ତ୍ରିତ ହୋଇ ଶାନ୍ତି ମୈତ୍ରୀ ,ପ୍ରେମ ଓ କରୁଣା କୁ ସାଥିରେ ଧରି ଆଗାମୀ ଭବିଷ୍ୟତରେ ଏକ ସୁନ୍ଦର ଶକ୍ତିଶାଳୀ ରାଜ୍ୟ ଗଠନ କରିବା ନିମନ୍ତେ ଓଡ଼ିଆ ଭାଷାକୁ ସୁଦୃଢ଼ କରିବା ।ଆମ ମାତୃଭୂମି ର ଉନ୍ନତି ପାଇଁ ଶପଥ ନେବା।
                                                                                                                                               ଯାଜପୁର ରୋଡ଼
ଜୟ ସାହିତ୍ୟ, ଜୟ ସମାଜ

ଉଦୟ ଭାନୁ

  ଲିପ୍ସା ଗିରି

                  ପୂର୍ବ ଦିଗରୁ ଗିରି ଶିଖରରୁ ଭାନୁର ଉଦୟ ହୋଇ ସାରିଛି । ସେହି ଉଦିତ ଭାନୁର କିରଣ ବିଛୁରିତ କରି ସାରିଛି ସମଗ୍ର ମନୁଷ୍ୟ ଜଗତକୁ । କାବ୍ଯ ଜଗତର କବି ମାନଙ୍କୁ  ଓ ଲେଖକ ଜଗତର ଗାଳ୍ପିକ ଓ ଔପନ୍ୟାସିକ ତଥା ପ୍ରାବନ୍ଧିକ ମାନଙ୍କୁ ଏବଂ ଆଉ କେତେକ ସୁଲେଖକ ମାନଙ୍କୁ ଆହ୍ଲାଦିତ କରି ସାରିଛି । ଉଦିତ ଭାନୁର ଅପେକ୍ଷାରେ ରହି ତାହାର ଉପସ୍ଥିତି ମାତ୍ରକେ ଯେପରି ପୁଷ୍ପମାନେ ସବୁ ପ୍ରଷ୍ଫୁଟିତ ହୋଇଥା'ନ୍ତି ; ସେହିପରି ନୂତନ ପ୍ରଭାତର ଆରମ୍ଭରେ ନୂତନ ସକାଳକୁ ନେଇ କୋମଳ ହୃଦୟଟିକୁ ମୋର କାବ୍ୟ ଜଗତକୁ ନେଇ ଯାଇ ମୋର କ୍ଷୁଦ୍ର ମସ୍ତିଷ୍କରେ କବିତାଟିଏ ଅଙ୍କୁରିତ ହୋଇ ସାରିଛି ।  


ପୂର୍ବ ଦିଗରୁ ଭାନୁର ଉଦୟ 
ଗିରି ଶିଖରରୁ ଆସେ
ସୁନେଲି କିରଣ ବିଛୁରିତ ହେଲେ
ପଦୁଅଁ ଫୁଲଟି ହସେ ।

ଉଦିତ ଭାନୁର ହୃଦୟ ଉଦାର 
ସକଳ ଶକ୍ତିକୁ ନେଇ
ମୁଠା ମୁଠା ସ୍ବପ୍ନ ସତ ହେବା ଲାଗି
ପ୍ରଭାତ ଆସଇ ଧାଇଁ  ।

ସାହିତ୍ଯ ଜଗତ ସମ୍ଭାର ହୋଇବ
ଲେଖନୀ ମୂନରେ ରହି
ହୋଇଛି ଏପରି ଭାନୁର ଉଦୟ 
ସେ ଭାନୁର ଅସ୍ତ ନାହିଁ  ।

ସାହିତ୍ୟକମାନେ ଯେଉଁ ଠାବେ ଥାଅ                    
ପ୍ରେରଣ କରନ୍ତୁ ଲେଖା
ସମୃଦ୍ଧ ହୋଇବ ସାହିତ୍ଯ ଜଗତ 
କର ନାହିଁ ଅଣଦେଖା ।

ଉଦୟ ଭାନୁ ତା' ଦୃଢ ଶକ୍ତି ନେଇ
ଆସିଛି ଓହ୍ଲାଇ ମର୍ତ୍ତ୍ୟେ
ମହୀ ମଣ୍ଡଳରେ ସାହିତ୍ୟ ରଚିବ
ଆନନ୍ଦ ଆସିବ ଚିତ୍ତେ  ।
ବାଜପୁର, କୃଷ୍ଣନଗର ପାଟଣା, 
କାକଟପୁର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

ଉଜୁଡା ଦିଗନ୍ତ

ଅକ୍ଷୟ ଓଝା 

                      -----------ସହଳ ସହଳ ଗାଁ ରୁ ବାହାରିଲି ଷ୍ଟେସନ ଆଡକୁ । ଟ୍ରେନ ଏଗାରଟାରେ ପାର କରିବ ଷ୍ଟେସନ । ସମୟେ ସମୟେ ଶୀଘ୍ର କିମ୍ବା ବିଲମ୍ବ ହେଇ ଯାଏ । ତେଣୁ ଘଣ୍ଟାଏ ଦେଢ଼ ଘଣ୍ଟା ପୂର୍ବରୁ ପହଂଚି ବାକୁ ପଡିବ ଷ୍ଟେସନରେ । ଛୋଟିଆ ଷ୍ଟେସନଟି            ହରିଦାସପୁର । ଲୋକଲ ଟ୍ରେନ ରୁକେ । ଗାଁରୁ ଛଅ କିଲୋ ମିଟର ଦୂର। ପାଦଚଲା ରାସ୍ତା ଦୁଇ ଘଣ୍ଟାର । ଉତ୍ସାହିତ ଥିଲି । ପାଦ ଚାଲିବାର ଅଭ୍ୟାସ ନାହିଁ । ସାଇକଲ ଧରି ଯିବାକୁ ଭଲ ଲାଗିଲାନି। କାମ କାର୍ଯ୍ୟରେ ବ୍ୟସ୍ତ ରହି ଭୁଲି ଯାଇଥିଲି ଜୀବନକୁ । ଏବେ ରିଟେୟାରମେଣ୍ଟ ପରେ ସବୁ ଯେମିତି ମନେ ପଡୁଛି ।ଏକୁଟିଆ ଓ ନିଛାଟିଆ ଲାଗୁଚି । ଜୀବନର ଗତି କେଉଁ ମୋଡ଼ରେ କେମିତି ମୋଡି ହେଇ କୁଆଡେ ନେଇ ଗଲା ଜାଣି ପାରିଲିନି । ଯିଏ ଆଗରେ ପଡିଲା ସେଇଆକୁ ନିଜର କରି କତ୍ତବ୍ୟ କରିଚାଲିଲି । ଯିଏ ଉପକୃତ ହେଲା ସିଏ ମୋ ନାଁକୁ ସମ୍ମାନରେ ଗାଇ ବୁଲିଲା ଆଉ ଯାହାର ଉଣା ହେଲା ସିଏ ମୁହଁ ମୋଡ଼ିଲା କଥା ହେଲାନି ।ଅପ ପ୍ରଚାର କଲା। ସଭିଙ୍କୁ ନିଜର କରୁକରୁ ଅବସର ନେଲି । ବୟସ ବଢ଼ିଲା ବେଳକୁ କାହିଁ ଆଗଭଳି ଶ୍ରଦ୍ଧା ମିଳିଲାନି । ଏକାନ୍ତ ସବୁବେଳେ ଘର କରୁଥିଲା ।  ରାସ୍ତା ସରିଗଲା ଏସବୁ ଭାବି ଭାବି ।ଶେଷରେ ଷ୍ଟେସନ ପହଞ୍ଚି ଗଲି । 

-ଶାନ୍ତ ଛୋଟ ଷ୍ଟେସନ ଟିଏ । କାଁ ଭାଁ ଯାତ୍ରୀ ଅପେକ୍ଷା କରିଛନ୍ତି ଲୋକଲ ଟ୍ରିନକୁ । ଜଣେ ଦି ଜଣ ଫେରିବାଲା ଚଣା ସୋଲା ଭଜା ବିକୁ ଥାଆନ୍ତି ।ପେଡା ଵାଲା ଟିଏ ଚିଲ୍ଲେଇ ଚିଲ୍ଲେଇ ପେଡା ବିକୁଥାଏ। ମୁଁ ଷ୍ଟେସନ ଟ୍ୟାପରୁ ପାଣି ମୁନ୍ଦାଏ ପିଇଲି ।  ଗଛତଳ ଛାଇରେ ଏକ ଷ୍ଟେସନ ବେଞ୍ଚ ଉପରେ ବସି ପଡ଼ିଲି । ଟ୍ରେନ ଆସିବାକୁ ଆହୁରି ଦେଢ଼ଘଣ୍ଟା ଅଛି । -----------------------ଜୀବନର ନବରଙ୍ଗକୁ ଦୋହରେଇଲି ଏ ଷାଠିଏ ବର୍ଷ ବୟସରେ । ଭଲ ପାଠ ପଢ଼ିଲି । ଭଲ ଚାକିରୀ କଲି । ପୁରା ପରିବାରରେ ମୁଁ ଏକ ଉଚ୍ଚ ଶିକ୍ଷିତ,ଅଧ୍ୟାପକ ଚାକିରୀ,ଭଲ ରୋଜଗାରୀ ତଥା ଏକ ସମ୍ମାନୀୟ ବ୍ୟକ୍ତି ଭାବରେ ମୋର ପରିଚୟ ହେଲା । ବାପା ବୋଉ ଭାଇଭଉଣୀ ସମସ୍ତେ ମୋତେ ଆଦର କଲେ । ------------------- ବିବାହ ପ୍ରସ୍ତାବ ଆସିଲା । ପ୍ରସ୍ତାବ ଦୂରରୁ ଥିଲା ତଥା ପିଲା ଉଚ୍ଚ ଶିକ୍ଷିତ ଥିଲା ଓ ଶିକ୍ଷୟତ୍ରୀ ବି ।ମୁଁ ହିଷ୍ଟ୍ରି ପ୍ରଫେସର ଭାବରେ ନୂଆନୂଆ   ଜଏନ କରିଥିଲି ଆମ ଗାଁ ପାଖ କଲେଜରେ । ବାପା ପ୍ରସ୍ତାବ କୁ ମଞ୍ଜୁରୀ ଦେଲେ , ଭାଇମାନେ ବି ହଁ କହିଲେ । ବିବାହ ହେଲା । ବିବାହର ଛଅମାସ ସୁରୁଖୁରୁରେ ବିତିଲା । ପତ୍ନୀ ସଂଗୀତାଙ୍କର ଜିଦଥିଲା ଯେ ଆମେ ଏକାଠି ରହିବା ତମେ ମୋ ଗାଁ ପାଖ କଲେଜକୁ ଟ୍ରାନ୍ସଫର କରିନିଅ କିନ୍ତୁ ଭାଇ ମାନକୁ ଓ ପରିବାରକୁ ଆମେ ପୂର୍ଣ ଆର୍ଥିକ ସାହାଯ୍ୟ କରିବା । ମୁଁ ରାଜି ହେଲିନି। ମୋର ଇଚ୍ଛା ଥିଲା ,ବହୁ କଷ୍ଟରେ ଭାଇମାନେ ମୋତେ ପାଠ ପଢେଇଛନ୍ତି ।ମୁଁ ଭାଇ ମାନଙ୍କ ସହିତ ରହିବି । ବାପା  ଅଛନ୍ତି । କେମିତି ଛାଡି ରହିବି ?  ସଂଗୀତା ତାଙ୍କ ଚାକିରୀ ଛାଡିବାକୁ ରାଜି ନଥିଲେ । ତାଙ୍କ ଚାକିରୀ ବାଲେଶ୍ଵରର ଜଳେଶ୍ବରରେ । କେବେ କେମିତି ମାସରେ ଥରେ ଆସନ୍ତି କିନ୍ତୁ ଝଗଡା ,ଅଶାନ୍ତିରେ ଫେରି ଯାଆନ୍ତି । ମୁଁ ମୋ ପରିବାରକୁ ଆଗ କଲି ସେ ତାଙ୍କ ସ୍ୱାଭିମାନକୁ ଆଗ କଲେ । ଧୀରେ ଧୀରେ ସଂଗୀତା ଆସିବା ବନ୍ଦ କରିଦେଲେ ଆମ ଘରକୁ।ମୁଁ ବି ଖୋଜ ଖବର ନିଏନି । ସମୟ ବହି ଚାଲିଲା । ଗାଁରେ ବଡ ଘରଟିଏ କଲି ।ଭାଇମାନଙ୍କ ପିଲା ଛୁଆଙ୍କୁ ପଢେଇଲି । ଭାଇ ମାନଙ୍କ ଦିଇତ୍ଵ ନେଲି । ବାପା  ଅସୁସ୍ଥ ହେଇ ପଡିଲେ । ବାପା ବେଳେବେଳେ ପାଖକୁ ଡାକି କୁହନ୍ତି ହରି ! ବୋହୁ ପାଖକୁ ଯାଆ। ଏକୁଟିଆ ରହୁଛି । ତୁ ତୋ ଜୀବନ କାହିଁକି ମାଟି କରୁଛୁ ! ପିଲାବେଳୁ ବୋଉ ହରେଇ ଥିଲି । ମୁଁ ଜବାବ ଦିଏନି ବାପାଙ୍କୁ ନା କେବେ ଜଳେଶ୍ବର ଯାଇ ସଂଗୀତାକୁ ମିଳିବାକୁ ପ୍ରୟାସ କରିନି । ବାପାଙ୍କ ଦେହାନ୍ତ ହେଲା ।ବାପାଙ୍କ କ୍ରିୟା କର୍ମରେ ସଂଗୀତା ଆସିଲା । ଚାରି ପାଞ୍ଚ ଦିନ ରହିଲା । ସବୁ କାମ ମିଳିମିଶି କଲୁ । ସଙ୍ଗୀତା ବି ଖୁବ ଖର୍ଚ୍ଚ କଲା ବାପାଙ୍କ କାମରେ ।  ------------- କାମ ସରିଗଲା । ମୁଁ ସଂଗୀତାଙ୍କୁ ପଚାରିଲି । ତମେ ରହି ଯାଅ ଏଠି ।ଆମର ଚାକିରୀ ଦରକାର ନାହିଁ । ସେତେବେଳକୁ ମୋର ହେଡ ଅଫ ଡିପାର୍ଟମେଣ୍ଟ ହିଷ୍ଟ୍ରି ପୋଷ୍ଟିଂଗ ହେଇଗଲାଣି । ସଂଗୀତା ଟିକେ ନରମ ହେଇ କହିଲା । ବାହାଘର ଆଠ ବର୍ଷ ବିତି ଗଲାଣି । ତମେ ଯାହା କରୁଛ ଠିକ କରି ଚାଲିଛ ।ମୁଁ ବି ଠିକ ଅଛି । ତମେ ପରିବାର ପାଇଁ ବଳିଦାନ ଦେଇଚାଲିଛ । ମୁଁ ଏକୁଟିଆ ଜୀବନ ନିର୍ବାହ କରୁଛି । ସଂଗୀତାଙ୍କ କଣ୍ଠରେ ଆଦ୍ରତା ଥିଲା ।ଆଖିରେ ଲୁହ ଥିଲା । ମୁଁ ପ୍ରାୟ ଠିକ ଭାବରେ ବୁଝେଇ ପାରୁନଥିଲି ସଂଗୀତାଙ୍କୁ । ସଂଗୀତା କିଛି ଆଉ ଚାହୁଁଥିଲେ କି କଣ। ମୁଁ ଠିକ ଭାବରେ ବୁଝେଇ ପାରିଥିଲେ ପ୍ରାୟ ସେ ମୋ କଥା ମାନି ନେଇ ଥାଆନ୍ତେ । ଆମ କଥା ବାର୍ତ୍ତା ଭିତରେ ବଡ ଭାଉଜ ବଡ଼ ଭାଇ ପହଞ୍ଚିଗଲେ ।ସଂଗୀତାଙ୍କୁ ଅପମାନିତ କରି ଖୁବ କହିଗଲେ ।ଏଠାରୁ ପଳେଇ ଯିବାକୁ ବି କହିଲେ ।-------------------------- ସଂଗୀତା ଚାଲିଗଲେ ସେ ଦିନ ସେଇଠୁ ବାହାରି । ମୁଁ କିଛି କହି ପାରିଲିନି କି ସଂଗୀତା ଆଉ କିଛି କହିଲେନି ।ହଁ କାନ୍ଦୁଥିଲେ ଅସହାୟ ହେଇ । ତାପରେ ଅଠେଇସ ବର୍ଷ ହେଲାଣି ଆଉ ଦେଖା ସାକ୍ଷାତ ନାହିଁ କାହା ସହିତ କାହାରି । ------------------------------ ତା ପରେ ମୁଁ ତିଳତିଳ ହେଇ ମନ ଭିତରେ ମରୁଥିଲି ସଂଗୀତା ପାଇଁ । ମୋ ବ୍ୟକ୍ତିଗତ ସଂସାର ବୋଲି କିଛି ନଥିଲା । ଅନ୍ତଃତ ସଂଗୀତାଙ୍କ ପାଖରେ ପିଲାଟିଏ ଯଦି ଥାନ୍ତା ପ୍ରାୟ ତାଙ୍କ ସମୟ ବିତିଯାଆନ୍ତା ।କେମିତି ଏ ନିସଙ୍ଗଟତାକୁ ବିତାଉଥିବ ? ଆମେ ପରା ମଣିଷ । ଦିପଦ ବାକ୍ୟ ବ୍ୟୟ ନହେଲେ ରହି ପାରୁନା ।ତେଣୁ ତ ଆମେ ମଣିଷ ଏକ ସାମାଜିକ ପ୍ରାଣୀ। ପରିବାର ଗଢ଼ନ୍ତି । -----------------ଏ ମଣିଷ ଏଇଠି ଜନ୍ମ ନିଏ । କିଛିଦିନ ମା ବାପାଙ୍କ ଛାଇରେ ବିତିଯାଏ । ବାକି ସମୟ ସଂସାର ଧର୍ମରେ ବାନ୍ଧିହେଇ ଜଞ୍ଜାଳରେ ଛନ୍ଦିବାନ୍ଧି ହେଇ ମାନବ ଧର୍ମ ନିଭାଏ ।ପୁଣି ନାତି ନାତୁଣୀ ।ବୁଢା ବୟସ । --------------------କିନ୍ତୁ ଆମ ପାଇଁ କିଛି ନଥିଲା । ଦଶ ବର୍ଷ କଲେଜରେ ପ୍ରିନ୍ସପାଲ ରହି ଅବସର ନେଇ କେମିତି ମୁଁ ମୋ ଷାଠିଏ ବର୍ଷରେ ପହଂଚିଲି ମୋତେ ବି ଜଣା ପଡ଼ିଲାଣି । ଟ୍ରେନ ଟିଏ ଆସିଲା । ମୋ ଭାବନାରେ ବାଧା ପଡିଲା । ମୁଁ ଯେଉଁ ଟ୍ରେନ କୁ ଅପେକ୍ଷା କରିଥିଲି ତା ପୂର୍ବ ଟ୍ରେନ ଥିଲା । ଏହାର ଅଧା ଘଣ୍ଟା ପରେ ମୋ ଅପେକ୍ଷିତ ଟ୍ରେନ ଟି ଆସିବ ।ଉତକୁଣ୍ଠା ବଢ଼ୁଥିଲା । ମୁଁ ମୋ ଜୀବନରେ କେବେ ବି ଟ୍ରେନ ଷ୍ଟେସନ ଆସି କାହାରି ପାଇଁ ଅପେକ୍ଷା କରିନି । ବୋଧହୁଏ ଏଇ ଆରମ୍ଭ ଓ ଶେଷ ଅପେକ୍ଷା ।----------------- ପକେଟରେ ରଖିଥିବା ଚିଠି ଟିକୁ ଆଉଥରେ ପଢିବାକୁ ମନ ହେଲା । ସଂଗୀତାଙ୍କ ଚିଠି । ମନହେଲା ମନଖୋଲି ଆଉଥରେ ପଢିବାକୁ । ସଂଗୀତା ଲେଖିଥିଲେ ।----" କାହିଁକି କେଜାଣି ତମକୁ ଟିକେ ଦେଖିବାକୁ ମନ ହେଉଛି ।ତମକୁ ଟିକେ ମନ ଭରି ଦେଖନ୍ତି। ମୁଁ ହରିଦାସପୁର ଷ୍ଟେସନରେ ଓହ୍ଲଳେଇବି ୨୫ ତାରିଖ ଦିନ ଏଗାରଟା ରେ । ହାଉଡା ଲୋକଲରେ ବଗି ନମ୍ବର ଛରେ ଆସୁଛି । ଷ୍ଟେସନ କୁ ଆସିବ "ଏ ଚିଠି ଖଣ୍ଡିକ ମୋ ଗାଁଘର ଠିକଣାରେ ଆସିଥିଲା । ଚିଠି ପାଇ ବିଶ୍ୱାସ ହେଉ ନଥିଲା । କାହାକୁ କିଛି କହିଲିନି।ମନରେ ଟିକେ ଅଭିମାନ ଆସୁଥିଲା ମୁଁ ଭାଇ ପିଲାପିଲିଙ୍କର ଘର ବସେଇଲି କିନ୍ତୁ ଭାଇମାନେ ମୋ ବିଷୟରେ ଥରେ ଭାବିଲେନି କି କୁହନ୍ତିନି ଥରୁଟିଏ। ହରି ଯାହା ହେଲା ହେଲା ତୁ ଚେଷ୍ଟା କର ବୋହୂକୁ ଆଣିବା ପାଇଁ। ନା ! କେହି କେବେବି  କହିଲେନି ।ଯାହା ବାପା ଥିଲା ଯାଏ କହୁଥିଲେ । ଆଖିରେ ସଂଗୀତାକୁ ନେଇ ଲୁହ ଆସିଗଲା । ବିଚାରି ପୁନଃ ବିବାହ କରିପାରି ଥାଆନ୍ତା, ଏମିତି ଜଳାଞ୍ଜଳି ଦେଇ ଦେଲା ଜୀବନକୁ ମୋ ପାଇଁ। କିଏ ଜାଣେ ମୋତେ ଅଭିମାନରେ କେତେ ଅପେକ୍ଷା କରିଥିବ ! ମନେମନେ କେତେ ରାତି ଭାବନାରେ ବିତେଇଥିବ । ମୁ କେମିତି ପଥର ହେଇ ଯାଇଥିଲି ଓ କେଉଁ ମଣିଷ ପାଣିଆକୁ ଗର୍ବ ଅହଂକାର ସହିତ ଜିଦରେ ନେଇ ବସିଥିଲି ? ନିଜକୁ ଜଳାଞ୍ଜଳି ଦେବାପରେ ଆଉ ଜଣକୁ ତିଳ ତିଳ ଦୁଃଖ ଅନ୍ଧକାରରେ ବିତେଇ ବାକୁ ଛାଡି ଦେଇଥିଲି । ଏବେ ସଂଗୀତାକୁ ବି ଅଠାବନ ବର୍ଷ । ମୋତେ ମନେ ପକେଇ ଚିଠି ଲେଖିଛି । ନିଜକୁ ଧିକ୍କାର କରୁଥିଲି । ----- -----     ଗାଁକୁ ଆସିଲାନି । -------- ଷ୍ଟେସନରେ ମିଳି ଫେରିଯିବ ବୋଧହୁଏ । କିନ୍ତୁ ଆଜି ଆଉ ଯିବାକୁ ଦେବିନି । ବାକି ଜୀବନ ଆରାମରେ ବିରେଇବି ସଂଗୀତା ସହିତ । ଖୁବ ସୁଖରେ ରଖିବି । ହଁ ଖୁବ ସୁଖରେ । ---------------------- ଟ୍ରେନ ଆସିଲା ଅନିତି ଦୂରରୁ ଗାଡି ଧିମେଇଲା । ଅଠେଇସ ବର୍ଷ ପରେ ସଂଗୀତାକୁ ଦେଖିବି । ଆଖି ଓଦା ହେଇ ଆସୁଥିଲା । ଉଦବେଗ ବଢି ଯାଉଥିଲା ।ଟ୍ରେନ ଶାନ୍ତ ହେଇ ଛିଡ଼ା ହେଇଗଲା ଷ୍ଟେସନରେ । ମୁଁ ଛ ନମ୍ବର ବଗି ପାଖକୁ ଚଳଚଞ୍ଚଳ ଭାବେ ଆଗେଇଲି । ----------------କେତେ ଜଣ ଯାତ୍ରୀ ସହ ସଂଗୀତା ଓହଲ୍ଲେଇଲା। ସାଙ୍ଗରେ  ଚବିସ/ପଚିଶ ବର୍ଷର ପିଲାଟିଏ। ବୟସର ବୋଝରେ ଟିକେ ନଇଁ ଯାଇଥଲା ସଂଗୀତା। ଧୀର ସ୍ଥିର ହେଇ ଯାଇଥିଲା ।ମୁଁ ସ୍ଥାଣୁ ଟିଏ ପରି ଛିଡା ହେଇଥିଲି । ସଂଗୀତା ମୋ ଆଡ଼କୁ ଆସି ମୋତେ ଜାବୁଡି ଧରିଲା ।କାନ୍ଦୁଥିଲା । ମୋ ଛାତିରେ ଭୂକମ୍ପ ପାୟ ଅସ୍ଥିରତା ଥିଲା ।ମୋ ଆଖି ବୋଲ ମାନୁ ନଥିଲା । -----------ଷ୍ଟେସନରେ ସମସ୍ତେ ନିଶବ୍ଦ ହେଇ ଆମ ଆଡକୁ ଚାହିଁଥିଲେ । ମୁଁ ସଂଗୀତାକୁ ଚାହିଁଲି ଘଡ଼ିଏ ଓ ଭାବିବାକୁ ଲାଗିଲି କେମିତି ଆମେ ବିତେଇଦେଲେ ଏକଲା ଏକଲା ଏତେ ଲମ୍ବା ଜୀବନକୁ ?  -------------- ସାଙ୍ଗରେ ଆସିଥିବା ପିଲାଟି ମାଡାମଙ୍କ  ଛାତ୍ର ବୋଲି ପରିଚୟ ଦେଲା ଓ ଟିକେ ଆଢୁଆଳକୁ ଡାକି ନେଇ ମୋତେ କହିଲା ----------------------------ମୁଁ ଏଉଠୁ ଫେରି ଯିବି ଆଜ୍ଞା।      ମାଡାମ ଅସୁସ୍ଥ ଅଛନ୍ତି । ଏକୁଟିଆ ଆସି ପାରିବେନି ତେଣୁ ମୁଁ ତାଙ୍କ ସାଙ୍ଗରେ ଆସିଲି । ମାଡ଼ମଙ୍କୁ କ୍ୟାନ୍ସର । ଡାକ୍ତର ଟାଇମ ଦେଇ ସାରିଛନ୍ତି ------- -------    ---------------------------------------------- 
ନୂଆପଡା
କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

ପେଥାଇ

ବ୍ୟଙ୍ଗ ଗୋସେଇଁ ଅମ୍ଳାନ ପ୍ରହରାଜ


ତିତିଲି ବାତିଆ         ଦାଗ ନ ଲିଭୁଣୁ                                             ପେଥାଇ ଆଉଚି ମାଡି।
ବରଷା ବାତିଆ         ଖବର କୁ ଶୁଣି
         ନିଙ୍ଗା ନନା କରେ ରଡି।
         ଫସଲ ଯିବ ଉଜୁଡି,
ପାଚିଲା ଧାନରେ     ମଇ ଦେଇଦେବ
         ଅଦିନିଆ ବର୍ଷା ଝଡି।
ନିଙ୍ଗା ନନା ପୁଅ     ମନେ ମନେ ଖୁସି
         ଡାକୁଚି ବାତିଆ ଆ ଆ।
ସାତ ଦିନ ହେଲା  ବାହା ସେ ହେଇଚି
         ଘରଣୀ ଠି ଭାରି ମାୟା।
         ନିଙ୍ଗାନ୍ନା ଟା ଗୋଟେ ବାୟା,
ସକାଳୁ ସକାଳୁ        ପୁଅ କୁ ପେଲୁଚି
         ଦା' ଧରି ବିଲ କୁ ଯାଆ।
ସହଜେ ପାଗ ଟା       କାଲୁଆ ରହିଚି
         ତା ସାଙ୍ଗରେ ନୂଆ ବାହା।
ଏ ସମୟେ ଘରୁ      ତଡିବାର ମାନେ
         ସୁଇସାଇଡି ଟା ଯାହା।
         ଧାନ ହେଉ ପଛେ ସ୍ୱାହା,
କବାଟ କୁ କିଳି     ଘରେ ଶୋଇବାର
         ପାଗ ଅନୁକୂଳ ହାଃ ହାଃ।
ନିଙ୍ଗାନ୍ନା ଆମର     କାନ୍ଦି ଲୋଟୁଥିଲା
         ଦଇବ କି କୂଟ କରୁ।
ତିତିଲି ଠୁଁ ଯାହା       ବିଲେ ବଞ୍ଚିଥିଲା
         ନବାକୁ ମସୁଧା କରୁ।
         ରକ୍ଷାକର ମାହାପୁରୁ,
ନଘୁଚାପ ଟା କୁ      ପାକିସ୍ତାନ ଆଡେ
         ଠେଲିଦିଅ ବ୍ରହ୍ମ ଦାରୁ।
ନଖିଆ ସର୍ପଞ୍ଚ          ହିସାବ ଫାଡୁଛି
         କେତେ ଟା ମିଳିବ ପିସି।
କେତେ ନୋକସାନ ଝଡି ରେ ହୋଇବ
         ଅଙ୍କ ଯାଉଅଛି କଷି।
         ଆଗକୁ ଭୋଟ ଉଣିଷି,
ଏଇ ମଉକା ଟା       ହାତୁ ଖସିଗଲେ
         ଉକୁଣୀ ମାରୁଥା ବସି।
କୁଣ୍ଡୁ ମାଷ୍ଟ୍ରେ ମନେ    ଭାଆରି  ବିରକ୍ତ 
         ଆଉଚି  ବେଲିକା ଝଡ଼।
ଏକ୍ସମାସ ଛୁଟି         ଆଗରେ ରହିଚି
         କାଳେ ପଡିଯିବ ମାଡ଼।
         ସିଏ ସିନ୍ତି ରେଡି ରାଡ଼,
ଫେମିଲି ଧରି ସେ    ବୁଲି ଯାଇଥାନ୍ତେ
          ଆସାମ ର ଦିବ୍ରୁଗଡ଼।
ବାତିଆ ହୋଇଲେ      ବନିଆ ଆସିବ
          ଘରଦ୍ୱାର ଯିବ ଭାଙ୍ଗି।
ଇସ୍କୁଲୁ ରେ ନୋକ      ରହିବାକୁ ଚିଠି                       
          ପଠେଇବ ବିଇଓ ପାଙ୍ଗି।
          ଖୋଲି ଭାଗବତ ଟୁଙ୍ଗୀ,
ମାଷ୍ଟ୍ର,ମାଷ୍ଟରାଣୀ       ଇସ୍କୁଲ ଭିତରେ
          ବଜା ଖଞ୍ଜଣି ମୃଦଙ୍ଗୀ।
ଟିମ୍ପା ଆରା ଇ ଟା     ଆକଳନ କରେ
          କ୍ଷୟ କ୍ଷତି କେତେ ହେବ।
ଏକର ପିଛାକୁ        କମ୍ପେନେସେସନ
          ପକେଟ କୁ କେତେ ଯିବ।
          ଉପରେ କେତେ ବାଣ୍ଟିବ,
ଆଆ ରେ ବାତିଆ  ନେଏରେ ଉଡେଇ
          ତାଙ୍କ କଥା ଶୁଣୁ ଆଗ।
ଡ଼ିଆ, ନିରାକାରପୁର (ଖୋର୍ଦ୍ଧା)
ଜୟ ସାହିତ୍ୟ, ଜୟ ସମାଜ

ଯୋଗାଚାରୀ ନାଥ ଧର୍ମ ଦର୍ଶନର ସାମଗ୍ରିକ ଅନ୍ତଃସ୍ୱର

                                      ଡ଼କ୍ଟର  ଲକ୍ଷ୍ମଣ  ସାହୁ
ଭାରତବର୍ଷର  ଉଦାର  ଚିନ୍ତନ  ଭିତରେ  ଅନେକ ଧର୍ମର  ପ୍ରବାହ   ଘଟି  ଭାରତୀୟମାନଙ୍କ  ଆଚରିତ  ଧର୍ମରୂପେ  ବିବେଚିତ  ହୋଇଆସିଛି  ।  ବୈଦିକ  ଯୁଗର  ସମକାଳରେ  ମଧ୍ୟ  ଏଭଳି  ନାନା  ଧର୍ମର  ଅବବୋଧ  ଜନ  ଚିନ୍ତନକୁ  ପ୍ରଭାବିତ  କରି  ଧର୍ମଧାରାରେ  ଯୋଗ  ପିଣ୍ଡିତ  ମୋକ୍ଷମାର୍ଗର  ପଥ  ଦର୍ଶାଇ  ଆସିଛି ।  ଏହି  ନାଥଧର୍ମ  ଏକ  ଯୋଗ  ଭିତ୍ତିକ  ଧର୍ମ  ।  ପ୍ରାଚୀନ  ଓଡ଼ିଆ  ସାହିତ୍ୟକୁ  ଦୃଷ୍ଟି  ଦେଲେ ନାଥ  ସାହିତ୍ୟ    ଏକ  ଯୋଗପିଣ୍ଡିତ  ମୋକ୍ଷମାର୍ଗର  ଧର୍ମ  ସାହିତ୍ୟ  ।  ନାଥ  ସାହିତ୍ୟ  ବିଶେଷକରି  ନାଥଧର୍ମର  ଆଦର୍ଶ,  ଦର୍ଶନ,  ତାତ୍ତିକ  ଅନୁଚିନ୍ତନ  ସାଧନାମାର୍ଗକୁ  ନେଇ  ପର୍ଯ୍ୟବେସିତ  ।  ନାଥ  ସାଧକମାନେ  ବିଶେଷକରି  ଶୈବ  ଉପାସକ  ଓ  ହଠଯୋଗୀ,   ଏହା  ଏକ  ପ୍ରାଚୀନ  ଧର୍ମବିଶେଷ  ।  ଏହି  ଧର୍ମର  ଉପାସ୍ୟ  ଦେବତା  ହେଉଛନ୍ତି  ଆଦିନାଥ  ଶିବ  ।  ଯେଉଁମାନେ  ଶିବଙ୍କୁ  ଉପାସନା  କରନ୍ତି,  ସେହିମାନଙ୍କୁ  ଯୋଗୀ  କୁହାଯାଏ  ।  ଭାରତରେ  ଅସଂଖ୍ୟ  ଯୋଗଭିତ୍ତିକ  ଧର୍ମର  ସ୍ଥିତି  ଥିଲେ  ମଧ୍ୟ   ଏହି  ଧର୍ମକୁ  ନାଥ  ନାମରେ  ନାମିତ  କରିବାର  ମୂଳ  କାରଣ  ହେଉଛି,  ଏହି  ଧର୍ମର  ମୁଖ୍ୟ  ପ୍ରବର୍ତ୍ତକ  ଓ  ପ୍ରଚାରକଗଣଙ୍କୁ  'ନାଥ'  ପଦବୀରେ  ଭୂଷିତ  କରାଯାଇଛି  ।  ଯେଉଁମାନେ  ଏହି  ଧର୍ମକୁ  ଗ୍ରହଣ  କରନ୍ତି,  ସେମାନେ  ଯେକୌଣସି  ଜାତି,  ବର୍ଣ୍ଣ, ସଂପ୍ରଦାୟ, ବା  ଗୋଷ୍ଠୀର  ହୁଅନ୍ତୁ  ସେ  ନିଜର  କୌଳିକ  ଉପାଧି  ପରିତ୍ୟାଗ  କରି  ନାଥ  ଉପାଧିରେ  ଭୂଷିତ  ହୋଇଥାନ୍ତି  ।  ଏହି  ନାଥ  ଶବ୍ଦର  ସାଧାରଣ   ଅର୍ଥ  ସ୍ୱାମୀ  ବା  ପ୍ରଭୃକୁ  ବୁଝାଇଥାଏ  ।  'ରାଜଗୁହ୍ୟ'  ଅନୁସାରେ  'ନାଥ'  ଶବ୍ଦର  ଅନ୍ୟ  ଏକ  ବ୍ୟୁତ୍ପତ୍ତି  ହେଉଛି-'ନା'-ନାଥ  ବ୍ରହ୍ମା,  ଯେ  ମୋକ୍ଷଦେବାରେ  ଦକ୍ଷ  ଅଟନ୍ତି,  'ଥ'-ର  ଅର୍ଥ  ଯେ  ଅନ୍ଧକାରକୁ  ଦୂରେଇ  ଦେବାରେ  ଦକ୍ଷ  ଅଟନ୍ତି  ।  ଧର୍ମ  ସଂପ୍ରଦାୟ  ଦୃଷ୍ଟିରୁ  ନାଥ  ଶବ୍ଦ  ବିଶେଷକରି  ଗୋରେଖପନ୍ଥୀ  ଯୋଗୀମାନଙ୍କର  ଏକ  ଉପାଧିକୁ  ବୁଝାଇଥାଏ  ।  କିନ୍ତୁ  ଓଡିଶାରେ  ଏହି  ଅର୍ଥରେ  ଯୋଗୀ  ବା  ଯୋଗୀଜାତିକୁ  ସାଧାରଣତଃ  ବୁଝାଯାଏ  ।

             ନାଥ  ଶବ୍ଦର  ବାଖ୍ୟା  ମଧ୍ୟ  ଭିନ୍ନ  ଭିନ୍ନ  ଭାବରେ  କରାଯାଇଥାଏ  ।  ଅର୍ଥାତ  ନ'କାର  ହେଉଛି  ଅନାଦି  ରୂପ,  ଓ  'ଥ'  କାର  ତ୍ରିଭୂନର  ସ୍ଥିତିକୁ  ଧରାଯାଏ  ।  ତେଣୁ  କୁହାଯାଏ 

             "ନ' କାର  ଅନାଦି  ରୂପ
              "ଥ "  କାର  ଭୂବନ  ସ୍ଥିତୀ  ।"


               ତେଣୁ  'ନ"  ହେଉଛି   ଅନାଦି ,  ପରମ  ,  'ଥ'  ତିନି  ଭୁବନର  ସ୍ଥିତି  ।  ଏଣୁ  ପ୍ରଥମରୁ  କୁହାଯାଇଥିବା  ନାଥ  ଶବ୍ଦର  ଅର୍ଥ  ସ୍ୱାମୀ  ବା  ପ୍ରଭୃ ।  ନାଥ  ଯୋଗୀମାନେ  ଯୋଗର  ଐଶ୍ୱର୍ଯ୍ୟରେ  ସିଦ୍ଧି  ପ୍ରାପ୍ତ  ହୋଇଥିବାରୁ  ସେହି  ଦୃଷ୍ଟିରୁ  ସେମାନଙ୍କୁ  ନାଥ/ପ୍ରଭୃ   ଭାବରେ  ଗ୍ରହଣ  କରାଯାଇଛି  ।  ନାଥ  ସ୍ୱରୂପରେ  ବିଶେଷକରି  ଜଡ  ଚେତନା,  ସତ୍ୟ  ଏବଂ  ଅସତ୍ୟ,  ଦ୍ୱୈତ  ଏବଂ  ଅଦ୍ୱୈତ  ସାମ୍ୟଭାବ  ପରିଲକ୍ଷିତ  ହୋଇଥିଲା  ।  

              ନାଥଧର୍ମ  ମୁଖ୍ୟତଃ  ଓଡିଶା  ସମେତ  ପୂର୍ବ  ଭାରତ  ଓ  ଉତ୍ତର  ଭାରତ  ଅଞ୍ଚଳରେ  ଲୋକପ୍ରିୟତା  ଲାଭ  କରିଥିଲା  ।  ଏହି    ଧର୍ମ  ପ୍ରତି  ଆକୃଷ୍ଟ  ହୋଇ  ଯେଉଁମାନେ   ଧର୍ମ  ଗ୍ରହଣ  କରୁଥିଲେ ,  ସେମାନଙ୍କୁ  ନାଥ  ଉପାଧି  ପ୍ରଦାନ  କରାଯାଉଥିଲା  ଓ  ସ୍ୱତଃ  ସେମାନେ  ନାଥ  ଭାବେ  ପରିଚିତ  ହେଉ  ଥିଲେ ।  ଏହି  ନାଥବୃତ୍ତର  ମୂଳ  କେନ୍ଦ୍ରବିନ୍ଦୁରେ  ବିଦ୍ୟମାନ  ଥିଲେ  ଆଦିନାଥ  ।  ସମ୍ଭବତଃ  ସପ୍ତମ/ଅଷ୍ଟମ  ଶତାଦ୍ଦୀରୁ  ଓଡିଆ  ଜନମାନସରେ   ଚର୍ଯ୍ୟାଗାନ  ବା  ଦୋହାର  ସିଦ୍ଧସାଧକମାନେ  ଯେଭଳି  ଢଙ୍ଗରେ  କାୟାସାଧନର  ପ୍ରତିଷ୍ଠା  ଓ  ପ୍ରଭାବ  ପକାଇ  ପାରିଥିଲେ,  ତାହା  ଅଧିକମାତ୍ରାରେ  ନାଥଧର୍ମ  ଓ  ନାଥ  ସାହିତ୍ୟକୁ  ତଦୀୟ  ଧର୍ମୀୟ  ଆଦର୍ଶ  ଭିତ୍ତିରେ  ପରିବର୍ତ୍ତିତ  ହୋଇଥିଲା  ।  ଭୋଗ  ଅପେକ୍ଷା  ଯୋଗ,  ସୁଖ  ଓ  ସମ୍ଭୋଗ  ଅପେକ୍ଷା  ମୁକ୍ତିର  ମାର୍ଗ   ପ୍ରତି  ଅତ୍ୟନ୍ତ  ଆସକ୍ତ  ଭାବ  ତତ୍କାଳୀନ  ସମାଜ  ଜୀବନକୁ  ପ୍ରଭାବିତ  କରିଥିଲା  ।

              ଶୈବ  ଧର୍ମାବଲମ୍ବୀ  ନାଥମାନେ  ଥିଲେ  ଯୋଗୀ ।  ଯୋଗଥିଲା  ସେମାନଙ୍କ  ସାଧନାମାର୍ଗ  ।  ଶିବାନନ୍ଦ  ଓ  ମୋକ୍ଷାନନ୍ଦ  ଥିଲା  ଏମାନଙ୍କର  ମୁଖ୍ୟ  ଲକ୍ଷ୍ୟ  ।  ପାର୍ଥିବ  ଜୀବନଠାରୁ  ଦୂରରେ  ରହି  ନିୟମିତ  ଧ୍ୟାନ  ଧାରଣାରେ  ସେମାନେ  ଅନୁବର୍ତ୍ତୀ  ହେଉଥିଲେ  ।  ମହାଦେବ  ଶିବଙ୍କର  ଅନ୍ୟ  ଏକ  ନାମ  ପଶୁପତି,  ଅର୍ଥାତ  ଶିବ  ପଶୁପତି  ନାମରେ  ପରିଚିତ  ।  ପଶୁ  ଅର୍ଥ  ଇନ୍ଦ୍ରିୟ,  ପଶୁପତି  ଅର୍ଥ  ଇନ୍ଦ୍ରିୟମାନଙ୍କର  କର୍ତ୍ତା  ।  ତେଣୁ   ଇନ୍ଦ୍ରିୟ   ମାନଙ୍କୁ  ନିରୋଧ  କରିବାକୁ  ପଡିଥାଏ   ।  ଶିବ  ହେଉଛନ୍ତି  ମହାଶିବ  ।  ସେ  ଜିତେନ୍ଦ୍ରିୟ,  ଇନ୍ଦ୍ରିୟମାନଙ୍କୁ  ଦମନ  କରି   ସେ  ଜିତେନ୍ଦ୍ରିୟ  ।  ତେଣୁ  ସମଗ୍ର  ବେଦଭୂମି,  ପବିତ୍ର  ଭାରତ  ବର୍ଷରେ   କୃଷି  ସଭ୍ୟତାକୁ  ଆଧାର  କରି,  ସଂଯମନିଷ୍ଠ  ଜୀବନଧାରା  ଓ  ଯୋଗାଚାର  ଧର୍ମର  ବିକାଶ  ଘଟିଥିଲା  ।  ଫଳତଃ  ସେହି  ଯୋଗାଚାରର  ଦେବତା  ଭାବେ  ଶିବଙ୍କୁ  ଧରାଯାଉଥିଲା,  ଯୋଗାଚାରୀ  ନାଥମାନଙ୍କର  ସେ  ହେଉଛନ୍ତି  ପରମ  ଉପାସ୍ୟ  ଦେବତା  ।  ଏପରିକି  ଆର୍ଯ୍ୟ  ସଭ୍ୟତାର  ବିକାଶ  କାଳରେ  ବ୍ରାତ୍ୟ  ଧର୍ମର  ବିକାଶକୁ  ଅନୁଭବ  କରାଯାଇପାରେ  ।  ସେହି  ସମୟରେ  ଅଙ୍ଗ,  ବଙ୍ଗ,  କଳିଙ୍ଗ  ଆଦି  ବ୍ରାତ୍ୟଭୂମି  ରୂପେ  ଖ୍ୟାତି  ଲାଭ  କରିଥିଲା  ।   ବ୍ରାତ୍ୟପନ୍ଥୀ  ଶିବ  ଭକ୍ତମାନେ  ଥିଲେ  ନିବୃତ୍ତିମାର୍ଗୀ,  ଏମାନେ  ବିଶେଷକରି  ବ୍ରହ୍ମ  ବିଦ୍ୟା  ଅନୁଶୀଳନରେ   ପ୍ରବୃତ୍ତ  ଥିଲେ  ।  କିନ୍ତୁ  ଆର୍ଯ୍ୟମାନେ  ବ୍ରାତ୍ୟମାନଙ୍କୁ  ନିମ୍ନମାନର  ଦେଖୁଥିଲେ ।  କାଳକ୍ରମେ  ବୈଦିକ  ଆର୍ଯ୍ୟ  ଓ  ବ୍ରାତ୍ୟମାନଙ୍କ  ମଧ୍ୟରେ  ସେଭଳି  କୋୖଣସି  ପାର୍ଥକ୍ୟ   ରହିଲା  ନାହିଁ,  ଉଭୟ  ଗୋଟିଏ  ଧର୍ମର  ସ୍ରୋତରେ  ଏକାକାର  ହୋଇଥିଲେ  ।

             ବ୍ରାତ୍ୟର  ଅର୍ଥ  ନିଜେ  ନିଜକୁ  ସ୍ୱତନ୍ତ୍ର  ରୂପରେ  ସଂସ୍କାର  କରିବାକୁ  ବୁଝାଇଥାଏ ।  ବ୍ରାତ୍ୟ  କେବେ  ବା  କଦାପି  ପତିତ ନୁହେଁ,  ସେମାନେ  ହେଉଛନ୍ତି  ନିତ୍ୟ  ପବିତ୍ର  ଶୁଦ୍ଧ  ପରମଯୋଗୀ,  ଏମାନେ  ସଂସ୍କାର  ମୁକ୍ତ  ଅଟନ୍ତି ।  ବ୍ରତ୍ୟମାନଙ୍କ  ପ୍ରଶସ୍ତି   ଅଥର୍ବ  ବେଦ  କର୍ତ୍ତାମାନେ  ଗାନ  କରିଯାଇଛନ୍ତି  ।  ଅନେକ  ଆଲୋଚକଙ୍କ  ମତରେ  ,  ପ୍ରାଗ୍  ବୈଦିକ  ବ୍ରାତ୍ୟ-ଶୈବଧର୍ମ  ଓ  ଅଥର୍ବବେଦୀୟ  ବ୍ରାତ୍ୟ-ଶୈବ  ଉପାସନାର  ପରିବର୍ତ୍ତନ  ଘଟି,  ତାହା  ପରବର୍ତ୍ତୀ  ସମୟରେ  ନାଥଧର୍ମରେ  ରୂପାନ୍ତରିତ  ହୋଇଛି  ।  ବିଶେଷକରି  ଏହି    ଧର୍ମ  ଦଶମ  ଶତାଦ୍ଦୀ  ପରେ  ପରେ  ଭାରତର  ବିଭିନ୍ନ  ଅଞ୍ଚଳ  ମାନଙ୍କରେ  ଧୀରେ  ଧୀରେ  ପ୍ରସାର   ଲାଭକରି   ଶେଷରେ  ପ୍ରସିଦ୍ଧ  ଲାଭ  କରିଥିଲା  ।  ଏପରିକି  ଓଡ଼ିଶା  ସମେତ  ପୂର୍ବ  ଓ  ଉତ୍ତର  ଭାରତର  ବିଭିନ୍ନ  ଅଞ୍ଚଳରେ  ଅଧିକ  ଲୋକପ୍ରିୟ  ହୋଇ  ଉଠିଥିଲା  ଓ   ସେହି  ସମୟରେ  ଯେଉଁମାନେ  ନାଥଧର୍ମ  ଗ୍ରହଣ  କରୁଥିଲେ  ସେମାନଙ୍କୁ  ନାଥ'  ଉପାଧିରେ  ଭୂଷିତ  କରାଯାଉଥିଲା  ।  

               ନାଥଯୋଗୀମାନଙ୍କୁ  ନିରଞ୍ଜନ  ଗୋତ୍ରୀ  ବା  ଶିବ  ଗୋତ୍ରୀ  କୁହାଯାଏ  ।   ସେମାନେ  ନିରଞ୍ଜନଙ୍କ  ଠାରେ  ଲୟସ୍ଥାପନ   କରିଥାନ୍ତି  ।   ସେମାନଙ୍କର  କର୍ଣ୍ଣଭେଦ,  ଉପନୟନ,  ଆଦି  ସାମବେଦ  ପ୍ରଯୁକ୍ତ  ଅଟନ୍ତି  ।  ସେମାନେ  ସ୍ମାର୍ତ୍ତ  ପଦ୍ଧତି  ମାନନ୍ତି  ।  ସେମାନଙ୍କ  ସଂପର୍କରେ   ଶିବପୁରାଣ  ,  ବ୍ରହ୍ମାଣ୍ଡ  ପୁରାଣ, ବୈବର୍ତ୍ତ  ପୁରାଣ,  ସ୍କନ୍ଦ   ପୁରିଣ,   ଗୋରେଖ  ଗୀତା ,  ନାରଦ  ପରିବ୍ରାଜକ   ଉପନିଷଦ   ଓ  ଆଗମ  ସଂହିତା  ଆଦି  ଗ୍ରନ୍ଥରୁ  ପରିଚୟ  ମିଳେ  । 

                ଭାଗବତ  ପୁରାଣରେ   ଋଷଭ  ଦେବଙ୍କ  ପ୍ରସଙ୍ଗ  ବର୍ଣ୍ଣନା   କରାଯାଇଛି  ।  ଉଲ୍ଲେଖ  ଅଛି  ଋଷଭ  ଦେବଙ୍କ  ଶତ  ପୁତ୍ର  ଥିଲେ  ।  ସେମାନଙ୍କ  ମଧ୍ୟରୁ   କବି,  ହବି,  ଦ୍ରବିଡ଼,  କରଭାଜନ,  ଅନ୍ତରୀକ୍ଷ,  ପିପ୍  ଲାୟନ, ଅବିହୋତ୍ର  ଓ  ପ୍ରବୁଦ୍ଧ       ନଅ  ଭାଇ  ନିର୍ଗୁଣ  ସନ୍ୟାସୀ   ଥିଲେ  ।  ଏମାନେ  ଯୋଗୀନ୍ଦ୍ର  ରୂପେ  ଦେବର୍ଷି  ନାରଦଙ୍କ  ଉପଦେଶ  ପାଇ  ଶିବଙ୍କୁ  ତପସ୍ୟା  କରିଥିଲେ  ଓ  ତପସିଦ୍ଧ  ପରେ   ଏମାନେ  ମତ୍ସ୍ୟେନ୍ଦ୍ରନାଥ,    ଗହନିନାଥ,  ଜାଳନ୍ଧର  ନାଥ,  କାନିପାନାଥ,  ରେବନାଥ  ଆଦି  ନବନାଥ  ପରିଚିତ  ଥିଲେ  ।  ସେମାନଙ୍କ  ମଧ୍ୟରୁ  ଗୋରେଖ  ନାଥ  ଥିଲେ  ଶିବଙ୍କର  ଅଦ୍ଭୁତ  ଶକ୍ତିର  ଅଧିକାରୀ  ।  ସେ  ଥିଲେ  ହଠ  ଯୋଗର  ପ୍ରବର୍ତ୍ତକ  ।  ତାଙ୍କରି  ଠାରୁହିଁ  ଆରମ୍ଭ   ହୋଇଛି  ହଠଯୋଗ  ସାଧନା  ।  ଏଥିରେ  ଯମ,  ନିୟମ,  ଆସନ,  ପ୍ରାଣାୟମ,  ପ୍ରତ୍ୟାହାର,  ଧ୍ୟାନ,  ଧାରଣା,  ସମାଧି  ଅଷ୍ଟ୍ରାଙ୍ଗ  ସାଧନା  ଉପରେ  ଗୁରୁତ୍ୱ  ଦିଆଯାଇଛି  ।

                ନାଥ  ଧର୍ମରେ  ସେଭଳି  ଅବତାର  ବାଦକୁ  ସ୍ୱୀକୃତି  ଦିଆଯାଇଛି ।  ଗୋରେଖ  ନାଥଙ୍କୁ  ଶିବଙ୍କ  ଅବତାର  ଭାବେ  ଗ୍ରହଣ  କରାଯାଇଛି  ।  ଏପରିକି  ତାଙ୍କୁ  ନିରଞ୍ଜନ,  ନିରାକାର  ଓ  ନିର୍ବିକଳ୍ପ  ଭାବରେ  ଦର୍ଶାଯାଇଛି  ।  ନେପାଳରେ  ମତ୍ସ୍ୟେନ୍ଦ୍ର  ନାଥଙ୍କୁ  ଅବଲୋକିତେଶ୍ୱର  ଭାବରେ  ଗ୍ରହଣ  କରାଯାଇଛି ।  ଶିବ  ନାଥଧର୍ମର  ପ୍ରାଣକେନ୍ଦ୍ର  ,  ସେ  ସ୍ୱୟଂ  ଅବ୍ୟକ୍ତ,  ଅନାମ,  ଅଣାକାର  ।  ତାଙ୍କ  ନିକଟରେ  ଭାବ  ନାହିଁ,  ଅଭାବ  ନାହିଁ,   ବିନାଶ  ନାହିଁ  କି  ଉତ୍ପତ୍ତି  ନାହିଁ  ।  ସେହିଁ  ନିତ୍ୟ  ,  ନୂତନ  , ଶ୍ୱାଶତ ଓ  ସନାତନ  ।  ତେଣୁ   ତାଙ୍କର  ଧର୍ମମତବାଦକୁ  "ଦୈତାବାଦ  ଦୈତବାଦ"   ରୂପେ  ଧରାଯାଏ  । 

             ନାଥ  ଧର୍ମରେ  ସିଦ୍ଧିଲାଭ  କରିଥିବା  ସାଧକମାଙ୍କୁ  ସିଦ୍ଧାଚାର୍ଯ୍ୟ  କୁହାଯାଏ  ।  ଏମାନେ  ବୌଦ୍ଧ  ସିଦ୍ଧସାଧକ  ମାନଙ୍କଠାରୁ   ସଂପୂର୍ଣ୍ଣ  ଭିନ୍ନ  ଅଟନ୍ତି  ।  କାରଣ  ବୋୖଦ୍ଧ  ସହଜ  ସାଧନରେ  ତନ୍ତ୍ରାଚାର  ଉପରେ  ଅଧିକ  ଗୁରୁତ୍ୱ  ଦିଆଯାଉଥିଲା  ।  ସହଜ  ସାଧକମାନେ  ନିଜ  ସାଧାନାର  ସିଦ୍ଧି  ପାଇଁ  ନାରୀମାନଙ୍କୁ  ସାଧନାର  ସଙ୍ଗିନୀ  ରୂପେ  ନେଉଥିଲେ  ।  ସେମାନଙ୍କ  ସହ  ଯୌନ  ସମ୍ଭୋଗରେ  ମାତି  ରହିବା  ପରେ,  ଚରମ  ସୁଖ  ଲାଭ  ଅର୍ଥାତ  ଯୌନ  ତୁପ୍ତି  ପାଇବା  ପରେ  ସିଦ୍ଧି  ଲାଭ  କରୁଥିଲେ  ।  କିନ୍ତୁ  ନାଥମାନେ  ଅର୍ଥାତ  ଶିବ  ସାଧକ  ନାଥମାନେ,  ତନ୍ତ୍ରାଚାର  ଓ  ଯୌନଚାରତାକୁ  ଘୋର  ନିନ୍ଦିତ  ଓ  ବିରୋଧ କରି,  କେବଳ  ଯୋଗ  ସାଧନରେ  ଗୁରୁତ୍ୱ  ଦେଉଥିଲେ  ।  କାରଣ  ସେମାନଙ୍କ  ଉପାସ୍ୟ  ଦେବତା   ଥିଲେ  ମହାଶିବ,  ଯେ  ହେଉଛନ୍ତି  ସତ୍ୟ,  ଶିଵ ଓ  ସୁନ୍ଦର  ମଙ୍ଗଳମୟ  ।   ଶିବଙ୍କୁ  ପାଇବା  ଥିଲା  ସେମାନଙ୍କର  ମୂଳଲକ୍ଷ୍ୟ  ଥିଲା  ।  ଯାହା  କେବଳ  ନାଥ ଧର୍ମର  ସ୍ୱାତନ୍ତ୍ର୍ୟତାକୁ  ପରି  ପ୍ରକାଶ  କରିଥାଏ  ।

             ନାଥ  ସଂପ୍ରଦାୟର  ଗୋରେଖ  ନାଥ  ଥିଲେ  ପ୍ରମୁଖ  ।ଗୋରେଖ  ନାଥ  ସଂହିତା'  ଅନୁସାରେ  ଚଉରାଅଶି (୮୪)  ଜଣ  ସିଦ୍ଧ  ସାଧକଙ୍କ  ନାମ  ଉଲ୍ଲେଖ  ରହିଛି  ।  ପୁନରପି  'ହଠଯୋଗ   ପ୍ରଦୀପିକା'  ଗ୍ରନ୍ଥରେ  ସେମାନଙ୍କ  ନାମ  ଲିପିବଦ୍ଧ  ରହିଛି  ।  ସେମାନେ  ହେଲେ  ଆଦିନାଥ,   ମତ୍ସେନ୍ଦ୍ର  ନାଥ,  ଭୈଳବନାଥ,  ଚୌରଙ୍ଗୀନାଥ,  ମୀନନାଥ,  ଗୋରକ୍ଷନାଥ,  ଚଳ୍ପଟିନାଥ,  ନିଳଞ୍ଜନନାଥ,  ନିତ୍ୟନାଥ,  ଟିଣ୍ତିଣୀନାଥ,  ଭଲ୍ଲରୀନାଥ,  ନାଗବୋଧ  ନାଥ,  ଖଣ୍ତ  କାପାଳିକା  ନାଥ,  ବିନ୍ଦୁନାଥ ,  କଣେରୀନାଥ,   କୋରଣ୍ଟକନାଥ,  ଅକ୍ଷୟ ନାଥ,  ମୟନାଥ,  କହ୍ନଡୀନାଥ,  ବିରୂପାକ୍ଷନାଥ,  ସୁରାନନ୍ଦ  ନାଥ,  ସିଦ୍ଧନାଥ ,  ପାଦନାଥ  ପ୍ରଭୃତି   ସିଦ୍ଧାଚାର୍ଯ୍ୟଙ୍କ  ନାମ  ଉଲ୍ଲେଖନୀୟ  ।  ଏପରି  ମଧ୍ୟ  'ଅମରକୋଷ  ଗୀତ',  'ଗୋରକ୍ଷ  ସଂହିତା'  ଓ  'କୁମାରୀ ତନ୍ତ୍ର'  ଗ୍ରନ୍ଥରେ  ଅବଶିଷ୍ଟ  ବହୁ  ସିଦ୍ଧାଚାର୍ଯ୍ୟ  ନାଥଙ୍କ  ନାମୋଲ୍ଲେଖ  ରହିଛି  ।  'କୁମାରୀ  ତନ୍ତ୍ର'ରେ  ରହିଥିବା  ସାଧକମାନେ  ମଣ୍ଡଳ  ନାଥ,  କୂର୍ମନାଥ,  ବିଷ୍ଣୁ ନାଥ,  ଧର୍ମନାଥ,  ଗନ୍ଧର୍ବନାଥ,  କୈବର୍ତ୍ତ  ନାଥ,  ନଭୋନାଥ,  ସଂଭାଳନାଥ,  ଗଣେଶ୍ୱର  ନାଥ,  ନିତ୍ୟନାଥ,  ସତ୍ୟନାଥ,  ଉମାନାଥ,  ବିଦ୍ୟାନାଥ,  ଶ୍ରଦ୍ଧାନାଥ,  ସମ୍ବରନାଥ,  ଅନନ୍ତନାଥ,  ବିଧିନାଥ,  ଭାଲନାଥ,  ମହାକାଳନାଥ  ଆଦି  ଏଭଳି  ଅନେକ  ନାଥମାନଙ୍କ   ନାମ  ରହିଛି  ।

              ନାଥ  ଧର୍ମରେ  ମତ୍ସ୍ୟେନ୍ଦ୍ରନାଥ'ଙ୍କୁ  ଆଦିନାଥ  ଭାବରେ  ଗ୍ରହଣ   କରାଯାଇଛି  ।  ଏପରିକି  ତାଙ୍କୁ  ମୀନନାଥ,  ମଚ୍ଛନ୍ଦରନାଥ,  ମତ୍ସେନ୍ଦ୍ରପା  ନାମରେ  ନାମିତ  କରାଯାଇଛି  ।  ସେ  ଥିଲେ  ନାଥଧର୍ମର  ପ୍ରବର୍ତ୍ତକ  ଓ  ଯୋଗମାର୍ଗର  ପୃଷ୍ଠପୋଷକ  ।  ତାଙ୍କ  ନାମରେ  'ମତ୍ସେନ୍ଦ୍ର ଗୀତା' ପ୍ରଚଳିତ  ।  ସେଭଳି  ଗୋରେଖ  ନାଥ  ଥିଲେ  ଜଣେ  ସିଦ୍ଧସାଧକ,  ଯେକି  ମତ୍ସ୍ୟେନ୍ଦ୍ରନାଥଙ୍କ  ପରମ  ସାଧକ  ଥିବା  ଗବେଷକ  ଡ଼କ୍ଟର  ଦୋଳଗୋବିନ୍ଦ  ଶାସ୍ତ୍ରୀ  ଦର୍ଶାଇ,  ତାଙ୍କୁ  ନବମ  ଶତାଦ୍ଦୀର  ସଫଳ  ସିଦ୍ଧସାଧକ  ବୋଲି  କହିଛନ୍ତି  ।  ତାଙ୍କ  ନାମରେ  ହଠଯୋଗ,  ଗୋରକ୍ଷ   ସଂହିତା,  ଗୋରକ୍ଷ  ଗୀତା,  ଆତ୍ମବୋଧ,  ଜ୍ଞାନ  ଚୌତିଶା,  ନିରଞ୍ଜନ  ବୋଧ,  ଗୋରେଖ  ଗଣେଶ  ସ୍ୱାଦ,  ଯୋଗ  ମଞ୍ଜରୀ,  ଜ୍ଞାନାମୃତ  ଯୋଗ,  ନାଡୀଜ୍ଞାନ  ଯୋଗ,  ଶିଶୁବେଦ  ଆଦି  ଅନେକ  ଗ୍ରନ୍ଥ  ଦେଖିବାକୁ  ମିଳେ  ।  ନାଥଧର୍ମ'ର  ଅନ୍ୟତମ  ସିଦ୍ଧାଚାର୍ଯ୍ୟ  ହେଉଛନ୍ତି  ଜାଳନନ୍ଧରୀନାଥ,  ସେ  ସାତଟି  ନାଥଧର୍ମୀ  ଗ୍ରନ୍ଥ  ରଚନା  କରିଥିଲେ  ।  ସେଭଳି  ଚୌରଙ୍ଗୀନାଥ  ଓ  ବିରୂପାକ୍ଷନାଥ  ଥିଲେ  ଅନ୍ୟତମ  ପ୍ରସିଦ୍ଧ  ସିଦ୍ଧାଚାର୍ଯ୍ୟ  ।   ଏହି  ମହାନ୍  ସିଦ୍ଧାଚାର୍ଯ୍ୟଗଣ  କେବଳ  ସଂଯମ  ପିଣ୍ଡିତ  ଯୋଗାଶ୍ରୟୀ  ଥିବାରୁ  ସେମାନଙ୍କ  ସାହିତ୍ୟ  ମଧ୍ୟ  ଯୋଗାଶ୍ରୟୀ  ସାହିତ୍ୟ  ଭାବେ  ଗୃହୀତ ।  ଯାହା  କେବଳ    ପିଣ୍ଡ  ବ୍ରାହ୍ମଣ  ଆଧାରିତ  ତତ୍ୱନୀୟ  ସାହିତ୍ୟ  ।  ଏଥିରେ  କେବଳ  ତତ୍ୱ  ଓ  ଦର୍ଶନ,  ପିଣ୍ଡ  ଓ  ବ୍ରହ୍ମାଣ୍ଡ,  ଶିବ  ଓ  ଶକ୍ତିଙ୍କର  ଚିଦ୍  ବିଳାସର  ଗୃଢ଼  ରହସ୍ୟର  ବର୍ଣ୍ଣନା  କରାଯାଇଛି  ।  ଏପରିକି  'ଗାରେଖ  ସଂହିତା'  ନାଥ  ଧର୍ମର  ଏକ ଉପାଦେୟ  ଗ୍ରନ୍ଥ,  ତତ୍  ସଙ୍ଗେ  ସଙ୍ଗେ  ସପ୍ତାଙ୍ଗ  ଯୋଗ,  ଗୋରେଖ  ବୋଧ,  ଶିଶୁ  ବେଦ  ଆଦି  ଗ୍ରନ୍ଥ  ନାଥଧର୍ମର  ମହାନ୍  ସୃଷ୍ଟି  ।  ସେସବୁ  ଗ୍ରନ୍ଥ  ଗୁଡିକ  ଯୋଗ  ଓ  ଜ୍ଞାନର  ଗନ୍ତାଘର  ।

              ନାଥ  ସାହିତ୍ୟ  ନିର୍ବାଣମୁଖୀ,  ସେହି  ସମୟରେ  ନିର୍ବାଣ  ପାଇଁ  ମଣିଷର  ପ୍ରବଳ  କାମନା  ଥିବାରୁ   ଆଦିଗୁରୁ  ଗୋରକ୍ଷନାଥ  ତାଙ୍କ  ପ୍ରଣିତ  'ଶିଶୁ ବେଦ'ରେ  ନିର୍ବାଣକାମୀ  ଭାବନାକୁ  ପ୍ରକାଶ  କରିଛନ୍ତି  ।  ସେଭଳି  ନାଥ  ସାହିତ୍ୟରେ  ସାମାଜିକ  ନୀତି,  ଆଦର୍ଶ  ଓ  ଆଧ୍ୟାତ୍ମକ  ବିଦ୍ୟାର  ସଂସ୍କୃତି  ସୁବିପୁଳ  ଚିତ୍ର  ଅନୁଭବ  କରି  ହୁଏ  ।  ନାଥ  ସାହିତ୍ୟରେ  ଗୁରୁବାଦ,  ସମକାଳର  ସାମାଜିକ  ଓ  ସଂସ୍କୃତିକୁ  ଉଜ୍ଜୀବିତ  କରିବା  ପାଇଁ    ସମାଜ  ଜୀବନରେ  ବୈବାହିକ  ଚିତ୍ର,  ବ୍ରାହ୍ମଣ  ସମାଜର  ଚିତ୍ର  ,  ଶାସ୍ତ୍ର  ଅଧ୍ୟୟନ  ପ୍ରତି  ଆକାଂକ୍ଷା,  ସମାଜ  ଓ  ସଂସ୍କୃତିର  ବହୁବିଧ  ବୈଶିଷ୍ଟ୍ୟ   ପ୍ରତିଫଳିତ  ହୋଇଛି  ।  ବିଶେଷକରି  ଶିବତତ୍ୱ  ଜାଣିଲେ  ମଣିଷର  ଅମରତ୍ୱ  ପ୍ରାପ୍ତି  ଘଟେ  ।  ଜନନୀ  ଚାହିଁଲେ  ମାୟା  ସଂସାର  ମୋହରୁ   ତା   ସନ୍ତାନକୁ  ମୁକ୍ତ  କରିପାରିବ,  ଯାହା  ଗୋବିନ୍ଦ  ଚନ୍ଦ୍ରଙ୍କ  ଜୀବନରେ   ଏଭଳି  ଅକାଟ୍ୟ  ସତ୍ୟ  ଉଜ୍ଜୀବିତ  ହୋଇଛି  ।    ନାଥଧର୍ମର  ସିଦ୍ଧାଚାର୍ଯ୍ୟମାନେ  ମଣିଷକୁ  ନାରୀ ଭୋଗ  ଲାଳସାରୁ  ମୁକ୍ତି  ଦେବା  ସହ  ମାନବ  ଜୀବନକୁ  ଶୃଙ୍ଖଳିତ  କରିଛନ୍ତି  ।  ପ୍ରକୃତରେ  ଶତାଦ୍ଦୀ  ଶତାଦ୍ଦୀ  ଧରି  ନାଥ  ଧର୍ମ  ଓ  ଦର୍ଶନର  ପ୍ରତିଧ୍ବନିତ  ସାମଗ୍ରିକ  ଅନ୍ତଃସ୍ୱର  ଏ'ମର  ଜଗତରୁ  ମାନବ  ସମାଜକୁ  ଯେଉଁ  ମୁକ୍ତିର  ମହାମନ୍ତ୍ର  ଦେଇ  ଆସିଛି,  ତାହା  ଆଜିବି  ଗାଁ'  ଗଣ୍ତାରେ  ନାଥ  ଯୋଗୀମାନଙ୍କ  କେନ୍ଦରା  ବଜାଇ  ସୁଲଳିତ  କଣ୍ଠରୁ  ଝରି  ଆସୁଥିବା "ଭଜୁ  କିନା  ରାମ  ନାମରେ  ଗୋବିନ୍ଦ..."  ପଦ  ଶ୍ରବଣ  କରି  ଧର୍ମପ୍ରାଣ  ସରଳହୃଦୟା  ମା'  ମାଉସୀଙ୍କ  ଆଖିର  ଲୁହଧାରରୁ  ଦେଖିବାକୁ  ମିଳେ.. !!!
ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗ
                 ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟରେ,  କଟକ-୪
ଜୟ ସାହିତ୍ୟ, ଜୟ ସମାଜ

ମୋ ସୈନିକ ଭାଇ

ମହାସ୍ମୀତା ଓଝା
ଯେତେ ମଥା ନତ କରିଲେ କି ହେବ                               
             ମୋ ଦେଶ  ସୈନିକ ଭାଇ
ତୁମ ପାଇଁ ଆମେ ଅଚିନ୍ତନ ହୋଇ
             ଯାଉଛୁ ତ ନିଦେ ଶୋଇ।

ଖରା ବର୍ଷାର ସୀମାନ୍ତରେ ଯେବେ
                ଭାଇ ମୋର ଜଗି ଥାଏ
ଭାତ ଥାଳି ଧରି ବସି ଥାଏ ଯେବେ
               ଭାଇ ମୁହଁ ଦିଶିଯାଏ ।

କେଉଁ ପୁଣ୍ୟବଳେ ଭାଇ ମୋର ଆଜି
             ମୋ ଦେଶେ ପ୍ରହରୀ ସାଜେ
ମହାମନ୍ତ୍ର ଭଳି ତା' କାନରେ ଯେବେ
              ଗଣତନ୍ତ୍ର ଗୀତ ବାଜେ ।

ତ୍ରିରଙ୍ଗାର ନେତ ମାଆର ପଣତ
            ତା' ହାତରେ ଶୋଭା ପାଏ
କେତେ ଗଉରବେ ଛାତି ଫୁଲି ଯାଏ
        ମୋ ଭାଇ ହାତେ ରାକ୍ଷୀ ଥାଏ।

ଭଉଣୀ ମୁଁ ତା'ର ରାକ୍ଷୀ ବାନ୍ଧି କରି
                ଶୁଭ ମାନସିକ କରେ
ମୋ ଭାଇକୁ ସଦା କାଳିଆ ଠାକୁର
                ସାହା ହୁଅ ନିରନ୍ତରେ।

କାହାକୁ ମିଳୁଛି ମାଟି ମାଆ ପାଇଁ
                ଜୀବନ ଦେବାକୁ ଥରେ
ଭାଇ ଭଳି ମତେ ଏ ସୁଯୋଗ କାହିଁ
                ମିଳନ୍ତା କି ଜୀବନରେ ।

କେତେ ପୁଣ୍ୟ ବଳେ ମାଆଟିଏ କରେ
               ବୀର ପୁତ୍ରଟିଏ ଜାତ
ଯାହା ପାଇଁ ଆଜି ତ୍ରିରଙ୍ଗା ପତାକା
             ଗାଏ ଜାତୀୟ ସଙ୍ଗୀତ ।

ଏଇ ମାଟି କୋଳେ ଜନମ ଆମର                              
              ଏଇ ମାଟି ଆମ ମାଆ
ଭୁଲି ନାହିଁ କେବେ ଭୁଲିବିନି ମୁଁ ଯେ
              ଭାରତ ଯାହାର ନାଆଁ।

ବାନ୍ଧିଦେଇ ରାକ୍ଷୀ ମୋ ଭାଇ ହାତରେ
                ରକ୍ଷା କର୍ତ୍ତା ମୋର ହେବ
ଏ ଭାରତମାଆର ଯେତେ ଭଉଣୀଙ୍କ
                  ସା‌ହା ହୋଇ ରହିଥିବ।।
ଜଗତସିଂହପୁର
                                                                                                                 ଜୟ ସାହିତ୍ୟ, ଜୟ ସମାଜ

ଶୀତରେ ଶିଶୁ

ଡାଃ ମହେନ୍ଦ୍ର ପ୍ରତାପ ଦାସ

ଅହେତୁକ ପାଣିପାଗ ଯୋଗୁଁ 
ଶୀତରେ ଶିଶୁ ମାନଙ୍କର                                         
ଶରୀର ଅସୁସ୍ଥ ହେବା ସ୍ୱାଭାବିକ
ତେଣୁ କିଛି ଉପଦେଶ।
ଶିଶୁଙ୍କୁ ଯଥା ସମ୍ଭବ ଉଷୁମ
ରେ ରହିବାକୁ ଦିଅନ୍ତୁ ।
ନିୟମିତ ସ୍ନାନ ନକରି ଉଷୁମ
ପାଣିରେ ସଫା କପଡା ଭିଜା
ସାମାନ୍ୟ ପୋଛାପୋଛିକରନ୍ତୁ।
ଏପରି କୋହଲା ପାଗରେ
ଶିଶୁ ଛାତିରେ କଫ ହେବାର
ସମ୍ଭାବନା ଅଧିକ ତେଣୁ ଛାତିରେ
କୌଣସି ତେଲ ବା ଭେପର
ମାଲିକ କରନ୍ତୁ ନାହିଁ ।
 କେବଳ ଘରେ ଥିବା କଂଚା
ସୋରିଷ ତେଲକୁ ପାଦ ତଳିପା
ରେ ଘସନ୍ତୁ ନିଜ ହାତ ଗରମ
ଲାଗିଲା ଯାଏ।ଦିନକୁ ଦୁଇରୁ                                         
ତିନି ଥର ଏପରି କରନ୍ତୁ କଫ
ତାଳି ଯାଇ ମାଳରେ ବାହାରିଯିବ।
କେବେବି ଶିଶୁ ଙ୍କ ଦେହରେ
ଭିକ୍ସ କି ପଞ୍ଚ ଗୁଣା ବା ପୁରୁଣା
ଘିଅ ଶିଶୁଙ୍କ ଛାତିରେ ମାଲିସ
କରନ୍ତୁ ନାହିଁ ଯାହା ଆପଣଙ୍କ 
ଶିଶୁ ଛାତିରେ କଫ ବସିରହି
ଫୁସଫୁସ ସଂକ୍ରମିତ ହୋଇ
ନିମୁନିଆ ଭଳି ପରିସ୍ଥିତି ଶୃଷ୍ଟି
ହୋଇ ଶିଶୁ ଖରାପ ହେବାର
ସମ୍ଭାବନା ଅଧିକ ହେବ।
ଶେଷରେ ଯଥାଶିଘ୍ର ଶିଶୁଙ୍କୁ 
ଅଭିଜ୍ଞ ହୋମିଓପ୍ୟାଥିକ ଡାକ୍ତର
ଙ୍କ ପାଖକୁ ବା ଶିଶୁ ବିଶେଷଜ୍ଞଙ୍କ
ଦେଖାଇ ଚିକିତ୍ସା କରାନ୍ତୁ।
   ଶିଶୁ ହସିଲେ ଆପଣଙ୍କ 
ପରିବାରରେ ହସ ଫୁଟିବ।

ଦୂର୍ବାଦଳ
ବୈପାରିଗୁଡା

କୋରାପୁଟ-୭୬୪୦୪୩

ଜୟ ସାହିତ୍ୟ, ଜୟ ସମାଜ

ପରିଣୀତା

ସିପ୍ରା ନାମତା
                 " ଲଭ ୟୁ ଠୁ ଡାର୍ଲିଙ୍ଗ "। ନିରାସକ୍ତ କଣ୍ଠରେ ଏତିକି କହି ମୋବାଇଲ୍‌ ସଂଯୋଗ ଛିନ୍ନ କରି ଫେରି ପଡୁଥିବା ବେଳେ ମଧୁଲିତା ସହିତ ଧକ୍କା ଲାଗି ଚମକି ଉଠିଲା ହିତେନ । ଖୁବ୍ ରୋମାଞ୍ଚିତ ହେଉଥିଲା ମଧ୍ୟ । ଆଜିକାଲି ମଧୁଲିତା ତା'ର ସମଗ୍ର ସ୍ଥିତିର ବଳୟ ଭିତରେ ଘୂରି ବୁଲୁଛି । ତା'ର ଶାନ୍ତ ,କମନୀୟ  ମୁଖମଣ୍ଡଳ  ନୀଳ କଇଁ ପରି ଢଳ ଢଳ ଆଖି ,ଅବୟବର ଦୋଳାୟମାନ ଗତି ଉପରେ ହିତେନର ଦୃଷ୍ଟି କେନ୍ଦ୍ରିଭୂତ ହୋଇ ରହୁଛି । ସାରିକା ସହିତ ସବୁ ସମ୍ପର୍କର ରଙ୍ଗ ଫିକା ପଡିଯାଉଛି ।
ଅବିବାହିତ ଅବସ୍ଥାରୁ ଏମ ବି ଏ ପଢିବା ସମୟରୁ ସାରିକା ସହ ସମ୍ପର୍କ ; ଏକତ୍ର ସହାବସ୍ଥାନ । ସମ୍ପୂର୍ଣ୍ଣ ସୁସ୍ଥ ମନରେ ,ପ୍ରାଣରେ ,ଶରୀର ରେ କାୟିକ , ବାଚିକ ,ମାନସିକ ସମ୍ପର୍କ ରକ୍ଷା କରନ୍ତି ଦୁହେଁ , କେବଳ ବୈଦିକ ରୀତିର ଗୋଟିଏ ବିଧିକୁ ଛାଡିଦେଇ ।
             ସାରିକା .....ଓଃ ..ଜ୍ଜ୍ୱଳନ୍ତ ଆଗ୍ନେୟଗିରିର ଉତ୍ତାପରେ ଟକ ଟକ ଫୁଟୁଥିବା ଉଷ୍ଣତା , ଦିନ ଦ୍ଵି ପ୍ରହରର ଦୀପ୍ତିମାନ ରବିଙ୍କର ଝଲକରେ ଦାଉ ଦାଉ ଜଳୁ ଥିବା ଉଜ୍ଜ୍ୱଳ ଜ୍ୟୋତିପିଣ୍ଡ । ସତରେ ଏକ ଅଭିଶପ୍ତା ଅପ୍ସରାଟିଏ କି ? ତା' ଦେହର ସୁଗନ୍ଧ ବାୟୁମଣ୍ଡଳରେ ସବୁବେଳେ ବୁଣି ହେଉଥାଏ ଯେମିତି । କିନ୍ତୁ ଅବିଶ୍ୱସନୀୟ ଅଭିମତଟିଏ ସର୍ଵଶେଷରେ ଶୁଣିବା ପରେ ହତବାକ୍‌ ହୋଇ ଯାଇଥିଲା ସେ ।
---ଏଇଟା ତମର ଶେଷ ନିଷ୍ପତ୍ତି ?
   ହିତେନର ପ୍ରଶ୍ନର ଉତ୍ତରରେ କହିଥିଲା ସାରିକା 
----ଅଫକୋର୍ସ୍‌ ! ନିଜ ଇଛା ବିରୁଦ୍ଧରେ କୌଣସି ରିଲେସନ୍‌ ମେଣ୍ଟେନ କରିବାକୁ ମୋତେ ଭଲ ଲାଗେନି । ମ୍ୟାରେଜ ଇଜ୍‌ ଏ ବୋଣ୍ଡେଜ ........ଏତେ ଦାୟିତ୍ତ୍ୱ ....ଏତେ ଫର୍ମାଲିଟିଜ୍‌ ,ଏତେ ରାଇଚୁଆଲସ୍‌  !! ନିଜ ମୁକ୍ତ ପଣକୁ ବଳି ଦେଇ ଅନ୍ୟମାନଙ୍କ ଇଛାରେ ଜୀବନ ବଞ୍ଚିବା ....ଓଃ...ନୋ ଇମ୍ପୋସିବଲ୍‌....। ନାଓ
ଟାଇମ ଇଜ୍‌ ଚେଞ୍ଜଡ୍‌ । ଉଇ କାନ୍‌ ଲିଭ୍‌ ଉଇଦାଉଟ୍‌ ମ୍ୟାରେଜ୍‌ ।
------ଆମେ ରହୁନୁ କି ????
   ଗଭୀର ଅବସାଦ ଆଉ ନୀରବ କ୍ରୋଧରେ ଜଳି ଉଠିଥିଲା ହିତେନ । ପୁରୁଷର ଅହଂଟା ଚୂନା ଚୂନା ହୋଇ ଯାଇଥିଲା । ଅନେକ ବ୍ୟଥା ମନରେ ରଖି ବାପା ମାଆଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ମନୋନୀତ ପାତ୍ରୀ ସହ ବିବାହ ବନ୍ଧନରେ ଆବଦ୍ଧ ହେଲା ସେ । ବିବାହ ଉତ୍ସବରେ ସାରିକାର ଉପସ୍ଥିତି ତାକୁ ଦୁଇଗୁଣ ଅସହାୟ ,ବ୍ୟସ୍ତ ବିବ୍ରତ କରୁଥିଲା ବେଳେ ସାରିକାର ବିନ୍ଦାସ୍‌ ଫୋଟ ଉଠା ,ଭି ଡି ଓ ସୁଟ୍‌ ଇତ୍ୟାଦି ବେପରୁଆ ଭାବେ ଚାଲିଥିଲା ।ଶେଷରେ ଗୋଟେ ରୁଢ଼ି ବାକ୍ୟ ଫିଙ୍ଗି ଦେଇଥିଲା ତା' ଉପରକୁ ""ଅଵ୍‌ ଆୟା ଉଁଟ୍‌ ପାହାଡ଼୍‌ କେ ନୀଚେ । ""।
      ବିବାହ ରୂପକ ପବିତ୍ର ବନ୍ଧନର ସ୍ୱାଦ ଆସ୍ଵାଦନ କରିବା ସମ୍ଭବ ହେଉ ନ ଥିଲା ତା' ପକ୍ଷରେ ସାରିକାର ମୋହ ତ୍ୟାଗ କରିବାଟା ଖୁବ୍ କଷ୍ଟକର ମନେ ହେଉଥିଲା । ସାରିକାର ମନସ୍ତତ୍ତ୍ୱ ଦୁର୍ବୋଧ୍ୟ ଲାଗିଲେ ବି ତା' ପ୍ରତି ଆସକ୍ତି କମେ ନାହିଁ ବରଂ ଘାଇଲା ମନର ଓରମାନ ମେଣ୍ଟାଇବାକୁ ଯାଇ ବେଳେ ବେଳେ କ୍ରୁର ହୋଇଯାଏ ସେ ସାରିକା ପ୍ରତି । ସାରିକା ସହିତ କେମିତି ଛନ୍ଦି ହୋଇ ଯାଇଥିଲା ବୁଝିପାରେନି ସେ । ନିଜ ଗାଁ ,ସହର ,ରାଜ୍ୟ ବାହାରେ କିଏ କୋଉଠି କ'ଣ କରୁଛି ସେ ଖବର ନିଜ ସମ୍ପର୍କୀୟଙ୍କ ପାଖରେ କ୍ଵଚିତ ଥାଏ ।କାହା କାହା ପାଖରେ ତ ବିଲକୁଲ ନ ଥାଏ ।
              ସାରିକା ସହିତ କେମିତି ସେ ଛନ୍ଦି ହୋଇ ଗଲା , ସେକଥା ବୁଝି ପାରେନି ସେ । ହୁଏତ ଏଇଟା ହିଁ ପୁରୁଷ ଓ ନାରୀଙ୍କ ମନସ୍ତତ୍ତ୍ୱ । ପରିବେଶ ,ପରିସ୍ଥିତି ,ସମୟକୁ  ଅନୁଧ୍ୟାନ କରି ନ ପାରିଲେ ମଣିଷ ହାରିଯାଏ ବୋଧ ହୁଏ । ହଁ ,ସାରିକାର ମୋହ  ...ତାକୁ ଆଛନ୍ନ କରି ରଖେ ।ପାଠ ପଢା ଓ ପରେ ପରେ ଚାକିରୀ ସବୁ କିଛି ତ ରାଜ୍ୟ ବାହାରେ  । ରହଣୀ ସହଣୀ ରେ ସମ୍ପୂର୍ଣ୍ଣ ଭିନ୍ନ ମାନସିକତାରେ ଜଡିତ ହୋଇ ଗଲା କେତେ ବେଳେ ....କିପରି .....ଆଉ ପଛକୁ ଫେରି ଚାହିଁବା ପାଇଁ ସାହସ ହୁଏ ନାହିଁ ହିତେନର । ବିବାହ ପରେ ପରେ ଯେଉଁ କେତୋଟି ଦିନ  ବାଧ୍ୟ ବାଧ୍ୟକତାରେ ଘରେ ରହିବାକୁ ପଡିଲା ,ବିବାହିତା ପତ୍ନୀ ଶଯ୍ୟା ପାଖରେ ବସି ବସି ରାତି ପୁହାଉ ଥିବା ବେଳେ ସେ ସାରିକା ସହିତ ଚାଟିଂ ଓ ଭି ଡି ଓ କଲରେ ସମୟ ବିତାଏ । ମଧୁଲିତାକୁ ବାଆଁରେଇ ଯାଏ କୌଣସି ନା କୌଣସି କଥାରେ  ......।।   

^^^^^^^^^^^^^^^

      ମଧୁଲିତାର ସାହସ ହୁଏ ନାହିଁ, କିଛି କହିବାକୁ ।ଯେଉଁ ମଣିଷଟା ତା' ମୁହଁକୁ ଭଲକରି ଦେଖିନି କି ଚାହିଁନି  କି ପାଖକୁ ଆସିନି ,କ'ଣ ବା କହିପାରିବ ସେ ? ବୋଉ ଫୋନରେ ପଚାରେ ,,ଭଲ ଅଛି କି ନାହିଁ ? ""ହଁ ,ସବୁ ଭଲ ""ସଂକ୍ଷିପ୍ତ ଉତ୍ତର ଦେଇ କଥା ଛିଣ୍ଡେଇ ଦିଏ । ଅତି ସାଧାରଣ ଦୁର୍ବଳ ମଧ୍ୟବିତ୍ତ ପରିବାରରୁ କୌଣସି ଯୌତୁକ ନ ଆଣି ବୋହୂ ହୋଇ ଆସିଛି ଏ ଘରକୁ , ଯେତେବେଳେ ବାପା ବୋଉଙ୍କର ଅସୁମାରୀ ଖୁସିରେ କେମିତି କହିବ ସେ ଅସୁଖୀ ବୋଲି  !!! କହି ବି ଲାଭ କ'ଣ ? ଏ ଯେ ତା'ର ନିଜର ଯୁଦ୍ଧ ....ସମ୍ପୂର୍ଣ୍ଣ ରୂପେ ନିଜର ବ୍ୟକ୍ତିଗତ । ସ୍ୱାମୀ ସହିତ କିଛି ସମ୍ପର୍କ ନାହିଁ .......। ସ୍ୱାମୀ ତାକୁ ଏ ଯାଏଁ ଛୁଇଁନି .....କହିଲେ ପ୍ରତିକ୍ରିୟା ହେବ ?...ଓଃ କି ଲଜ୍ଜା   !!!  ଅସହ୍ୟ ଅପମାନ  । କେମିତି ସହିବ ? ଗଭୀର ଗ୍ଲାନି ଓ ଆତ୍ମ ଦହନରେ ଜଳିଯାଏ ମଧୁଲିତା  କେତେବେଳେ କେତେବେଳେ ହିତେନର ଫୋନରୁ ଆସୁଥିବା ଚୁମ୍ବନର ଅସ୍ପଷ୍ଟ ଶବ୍ଦ ପବନରେ ଛିଟିକି ଆସେ ତା'  କର୍ଣ୍ଣ କୁହରକୁ । ଏକ ଅଜଣା ଆବେଗରେ ତାଳୁରୁ ତଳିପା ଯାଏଁ ପ୍ରତିଟି ଅବୟବ ଶିର ଶିର କରି ଉଠେ । ପର ମୁହୂର୍ତ୍ତରେ ଆକଣ୍ଠ ଲଜ୍ଜାରେ ଝାଉଁଳି ପଡେ ସେ ।

^^^^^^^^^^

ବିବାହ ର ମୁହୂର୍ତ୍ତ ସବୁ ଅନାସ୍ୱାଦ ରେ ବିତିଯାଉଥିଲା । ଚାକିରୀ ସ୍ଥାନରୁ କେବେ କେବେ ଦୁଇମାସରେ ଥରେ ଆସେ ହିତେନ ଘରକୁ ବାପା ମାଆ ଙ୍କ ତାଗିଦାରେ । ସେମାନେ ମଧ୍ୟ ଥରେ ଦୁଇଥର ଯାଇ ବୁଲି ଆସିଛନ୍ତି ହିତେନ୍ ପାଖରୁ କିନ୍ତୁ କେବେ କିଛି ଅସ୍ୱାଭାବିକ ଜୀବନର ଗନ୍ଧ ପାଇ ନାହାନ୍ତି ପୁଅ ପାଖରୁ । ତେଣୁ ପୁଅ ଉପରେ ଅଛି ଅଖଣ୍ଡ ବିଶ୍ୱାସ ।ଛୁଟି ପାଉ ନ ଥିବାରୁ ପୁଅ ଆସି ପାରୁନି ଘରକୁ। ଏତିକିରେ ଢେର ଶାନ୍ତ୍ୱନା ମିଳିଯାଏ ସମସ୍ତଙ୍କୁ ।
      ଆବେଗର ଅପେକ୍ଷା ନେଇ ଅନେଇ ବସିଥାଏ ମଧୁଲିତା ,ହିତେନ୍ର ଆସିବା ବାଟକୁ । ଫୁରୁସତରେ ଝରକା ଦେଇ ବଗିଚାକୁ ଚାହେଁ ,ଫୁଲ ଉପରେ ଉଡ଼ି ବୁଲୁଥିବା ପ୍ରଜାପତିଟିକୁ ...କେତେବେଳେ ଫୁଲ ଉପରେ ବସି ମଧୁ ଶୋଷିବ । ମୁହୂର୍ତ୍ତ ଗଣେ......,ଏଇ ଆଉ ଟିକିଏ ....ଆଉ ଟିକିଏ କିନ୍ତୁ ଶେଷ କ୍ଷଣରେ ସେ ପଲକ ପାତ ରେ ଉଡି ଯାଏ ଅନ୍ୟତ୍ର ।ଧଡ ଧଡ ହେଉଥିବା ଛାତିଟା ହଠାତ୍‌ ନିଃସ୍ପନ୍ଦ ହୋଇଯାଏ । ରାଗ ଲାଗେ ବାୟା ପବନକୁ ,ଭାରି ଦୁଷ୍ଟ ଯାଃ ..ଠେଲି ଠେଲି ନେଇଗଲା ପ୍ରଜାପତିଟିକୁ । ଓଃ ----ଇଏ ପରା ମନକୁ ବୁଝାଇବାର ବିକଳ୍ପ ପନ୍ଥା । ଆଖିରେ ଆଖିଏ ଶୂନ୍ୟତା ତା'ର ସେଇ ବାୟୁମଣ୍ଡଳର ମହାଶୂନ୍ୟତାରେ ମିଳେଇ ଯାଏ ।
       
       ହିତେନ୍ ଆସିଲେ ଚଳଚଞ୍ଚଳ ହୋଇଉଠେ ସେ ହିତେନ୍ ପସନ୍ଦର ଶାଢ଼ୀରେ ସଜେଇ ହୁଏ ,ପସନ୍ଦର ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରେ । ତା'ର ପ୍ରତ୍ୟେକ କାମ ,ପ୍ରତ୍ୟେକ ଜିନିଷକୁ ସଜେଇ ରଖେ ଯତ୍ନର ସହିତ । ରାତି ଯେତେ ଘନେଇ ଆସେ ,ଏକ ଅନାଗତ ଭୟ ,ଆଶଙ୍କା ବ୍ୟସ୍ତ ବିବ୍ରତ କରିବା ସହ ଅବଚେତନ ମନର ମଧୁର ସ୍ବପ୍ନ ବି ଆଛନ୍ନ କରି ରଖେ ତାକୁ । କହିବ କି ,ନା..... ନା..... ଆଜି ଚାଟ୍‌ କରନି ,.....ମୋ ସହିତ କଥା ହୁଅ ,......ଅଟକାଇ ଦେବ କି ହାତକୁ ଧରି ନେଇ ,..ନା... ଆଜି ବାଲକୋନି କୁ ଯାଅନି ........। ପର ମୁହୂର୍ତ୍ତରେ ଏକ ଶକ୍ତ ପ୍ରତିରୋଧ ରେ ଅଟକି ଯାଏ  ଦେହ, ମନ ,ପ୍ରାଣ ,,ଶୁଖିଯାଏ  କଣ୍ଠ  ....।ଉପଯାଚିକା ହୋଇ ଠିଆ ହେଲା ପରେ ଯଦି ପ୍ରତ୍ୟାଖ୍ୟାନ ମିଳେ ......ଓଃ କି ଭୟଙ୍କର ଅପମାନ ........ସହିପାରିବ ତ !
ସବୁ ଭାବନା ର ଜୁଆର ରେ ଭଟା ପଡିଯାଏ । ଅଭିମାନ ରେ ହୃଦୟ ଟା ଗୁମୁରି ଉଠୁଥିବା ବେଳେ କେମିତି ଏକ ଶକ୍ତ କଠୋରତା ଛାଇଯାଏ ମଧୁଲିତା ର 
ସମଗ୍ର ସତ୍ତା କୁ ।----------।

^^^^^^^^^^^^^^^^^

ବିତିଯାଏ ମୁହୂର୍ତ୍ତ ,ଗଡିଯାଏ ଦିନ । ଏକତ୍ର ସହାବସ୍ଥାନ ରେ ଜନ୍ମ ନିୟନ୍ତ୍ରଣ ର ଅନେକ ଯୋଜନା କରିଥିଲେ ମଧ୍ୟ ସୃଷ୍ଟି ହୋଇଥିବା ମାତୃତ୍ବ ର ଉପକ୍ରମ ଟିକୁ ହିତେନ୍ ର ଅଜାଣତରେ ସାରିକା ଏବର୍ଟ  କରିଦେଲା ପରେ ଏକ ଝଡ ସୃଷ୍ଟି ହୁଏ ତାଙ୍କ ସମ୍ପର୍କରେ ସାରିକା ର ଉଦ୍ଭଟ ଯୁକ୍ତି ଆଗ ରେ ମର୍ମାହତ 
ହିତେନ୍ ।
         "କେବଳ ଜନ୍ମ କରିଦେଲେ ବା କରିଦେବା ଟା ହିଁ ମାତୃତ୍ବ ବୋଲି ମୁଁ ବୁଝେନା ।ମଣିଷ ପିଲାଟିକୁ ଉପଯୁକ୍ତ ତତ୍ୱାବୋଧନ
ଓ ପରିଚୟ ଦେଇ ନ ପାରିଲେ ସେ ସମାଜ ପାଇଁ ଏକ ବୋଝ ହୋଇ ରହିଯିବ ।ଅଯଥା ଦାୟିତ୍ତ୍ୱ ନେଇ ମୁଁ ବଞ୍ଚିବାକୁ 
ଚାହେଁନା । ଦରକାର ହେଲେ ଏଡପଟ କରିନେବି ।ଆମ ସମ୍ପର୍କର କଣ ସାମାଜିକତା ଅଛି ? ମୁଁ ମୋ ଲାଇଫ ଷ୍ଟାଇଲରେ ତମେ ତମ ଲାଇଫ ରେ ବେଶ ଖୁସି ଅଛୁ ।ଲିଭ ଇନ ରିଲେସନ ରେ ଏସବୁ ର ପ୍ରୟୋଜନ ଅଛି ବୋଲି ମୋତେ ଲାଗୁନି । "
              ମୁକ୍ତ ଅବାଧରେ ବଞ୍ଚିବାକୁ ଚାହୁଁଥିବା ନାରୀ ର ଯୁକ୍ତି ରେ ହତବାକ ହୋଇଯାଇଥିଲା ସେ । ହଁ ,ସତ ଯେ  ତାଙ୍କ ଭିତରେ କୌଣସି ଏଗ୍ରିମେଣ୍ଟ ନାହିଁ ।ତଥାପି ସେ ତା'ର ମାନସମ୍ମାନ କୁ ଖାତିର କରୁ ନ ଥିବା ବେଳେ ସାରିକା ର ଯୁକ୍ତି ତାକୁ ଉଦ୍ଭଟ ଲାଗୁଥିଲା ।ହୁଏତ ସାରିକା ର ପାରିପାର୍ଶ୍ବିକ ସ୍ଥିତି 
ଏଥିପାଇଁ ଦାୟୀ ଅଥବା ଆଉ କିଛି .....ବୁଝିପାରେନି ସେ ।ପରାଜିତ ସୈନିକ ର ମନ ନେଇ ସେଦିନ  ଘରକୁ ଫେରିଆସିଲା ପରେ ଗଭୀର ଆକ୍ରୋଶ ରେ ଜଳୁଥିଲା
 ହିତେନ୍ । ଏକମାତ୍ର କାରଣ ସାରିକା ..।

            ଦୀର୍ଘ ଚାରି ପାଞ୍ଚ ବର୍ଷ ର ସମ୍ପର୍କ ସାରିକା ସହିତ ।ଗୋଟିଏ ଛାତ ତଳେ ,ସମାଜ ର ଅନେକ ଟୁପୁର ଟାପୁର ,ଫୁସୁର ଫାସୁର ଟିପ୍ପଣୀ କୁ ଆଡେଇ ଆସିଛନ୍ତି ସେମାନେ ,ନୂଆ ନୂଆ ମହୁରତ ର ନୂଆ ନୂଆ ପୋଷ୍ଟର ପରି । ବଡ ନଗର ମାନଙ୍କ ରେ କେହି କାହା ବିଷୟରେ ଦୀର୍ଘ ସମୟ ଧରି ଚିନ୍ତା କରି ପାରନ୍ତିନି ।ଆସ୍ତେ ଆସ୍ତେ  ଦେହ ସୁହା ହୋଇଯାଏ ସବୁ କିଛି ।
    କର୍ତ୍ତବ୍ୟ ,ଦାୟିତ୍ୱ ବନ୍ଧନ ରୁ ମୁକ୍ତ ହୋଇ ରହିବାକୁ ଚାହୁଁଥିବା 
ନାରୀ ଟିଏ ଜଣେ ପୁରୁଷ କୁ କେମିତି ସର୍ବସ୍ୱ ଦେଇ ଭଲ ପାଏ 
କିନ୍ତୁ ସେଇ ପୁରୁଷ ର ଇଛା ଅନିଚ୍ଛା କିଛି କୁ ଗୁରୁତ୍ୱ ନ ରଖିବା ର ମାନସିକତା ଅତି ଅବୋଧ୍ୟ ହୋଇ ରହିଯାଏ  ହିତେନ୍ ର ।
ସାରିକା ତାକୁ ଭାଙ୍ଗି ଦେଇଛି ଖଣ୍ଡ ଖଣ୍ଡ କରି ।ବିବାହ ନ କରିବାର ନିଷ୍ପତ୍ତି ରେ ଯେତିକି ଆଘାତ ସେ ପାଇଥିଲା ,ଅବାଂଛିତପିତୃତ୍ୱ କୁ ଭାଙ୍ଗି ଦେଇ ସେ ତା'କ୍ଷତ ଟିକୁ
ଦ୍ବିଗୁଣିତ କରିଦେଇଛି ।
       ବଞ୍ଚିବା ର ସବୁ ସାମର୍ଥ୍ୟ ହରାଇବା ପରି ଲାଗେ ହିତେନ୍ କୁ ।ସାରିକା ସହିତ ଅବାନ୍ତର ଯୁକ୍ତି ପରେ ଭୀଷଣ ମୁଣ୍ଡ ବ୍ୟଥା ର ଶୀକାର ହୁଏ ସେ ।ଠିକ୍ ସେତିକିବେଳେ ମଧୁଲିତା ର
ସେବା ତାକୁ ଆଶ୍ୱସ୍ତ କରେ ତାକୁ ।କେମିତି ପଢିପାରେ ?ସେ ହିତେନ୍ ମୁହଁ ର ଭାବନା !!!କିନ୍ତୁ ସେ ନିଜେ .......!!ହିତେନ୍ ର ଯେମିତି ନାରୀ ମନ ର ସଂଗୋପ୍ୟ କାମନା କୁ ପଢ଼ିବାର ଯୋଗ୍ୟତା ହିଁ ନାହିଁ ,,ବୋଲି ଭାବେ ।

^^^^^^^^^^^^^^^^^^

     ମଧୁଲିତା ର ଢଳ ଢଳ ନୀଳ କଇଁ ପରି ଆଖି ପୁଣି ସ୍ବପ୍ନ ଦେଖନ୍ତି ।ହିତେନ୍ କୁ ଆଉ ଚାଟ କିମ୍ବା ଭି ଡି ଓ କଲ ରେ ବ୍ୟସ୍ତ ରହିବା ଦେଖୁନାହିଁ ସେ ।କିନ୍ତୁ ସେଇ ବାଲକୋନି ରେ ଥାଇ 
ସୂର୍ଯ୍ୟାସ୍ତ ଭିତରେ ହିତେନ୍ ନିମଗ୍ନ ରହୁଛି ସିଗାରେଟ ର ଧୂମ୍ର କୁଣ୍ଡଳୀ ଭିତରେ ।ସେଇ ଭିତରେ  ଆସୁଥିବା ଫୋନ କଲ କୁ ଅନେକ ଥର କାଟିସାରିଲାଣି ସେ ।ମଧୁଲିତା ର ଛାତି ଭିତର ଟା ମନ୍ଥି ହୋଇଯାଏ ।କାହିଁକି ଏମିତି ନିଃଶେଷ ହେବାକୁ ବସିଛି 
ହିତେନ୍ ? ବିଶେଷ କିଛି ବୁଝି ନ ପାରିଲେ ବି ବ୍ୟାପାର ଟି ନାରୀ ଜନିତ ବୋଲି ବୁଝି ପାରିଛି ସେ ।
         ନା ,,....ହିତେନ୍ କୁ ସେ ସ୍ଥିତି ରୁ ବାହାର କରିବା ପାଇଁ ଆତ୍ମା ଛଟପଟ ହେଲା ମଧୁଲିତା ର ।ଅତି ବେଶୀରେ ଦିନେ ରୁ ଦୁଇଦିନ ରହୁଥିବା ହିତେନ୍ ତିନିଦିନ ହେଲାଣି ଘରୁ ଅଫିସ ଜାଗା କୁ  ଯିବା ପାଇଁ ଆଦୌ ବ୍ୟସ୍ତ ହେଉନି ।ସୂର୍ଯ୍ୟ ସମ୍ପୂର୍ଣ୍ଣ ବୁଡ଼ିଗଲେଣି ,ଝାପ୍ସା ଅନ୍ଧାର ତା ସାମ୍ରାଜ୍ୟ ବିସ୍ତାର କରିବାକୁ
ଆରମ୍ଭ କରିଦେଇଛି ।ଆଉ ଗୋଟେ ସିଗାରେଟ ଓଠରେ ଚାପିଲା ହିତେନ୍ । ପଛରୁ ଶୁଣାଗଲା  --""ଥାଉ ,...ସେତିକି
.....ଆଉ ନିଅନି ,ମୁଣ୍ଡ ବିନ୍ଧିବ  "।
       ହାତ ଟା ଅଟକି ଗଲା  ।ଏଇ ପ୍ରଥମ କରି ଏକ ଲମ୍ବା ପଦ ଶୁଣିଲା ହିତେନ୍ ମଧୁଲିତା ର । ତା'ଚେହେରା ତୁଳନା ରେ କଣ୍ଠ ସ୍ୱର ଟି ବେଶୀ ମିଠା ଲାଗିଲା ତାକୁ । ଅନେକ ସାହସ କରି ଅନ୍ଧାର କୁ ସାହାରା କରି କହିଥିଲା ମଧୁଲିତା ।ହିତେନ୍ ଧୂଆଁ ଛାଡ଼ୁ ଛାଡୁ କହିଲା --"କ'ଣ ତୁମେ ବି କହିବ ମୋତେ ଭଲ ପାଉଛ " ।ଟିକିଏ ନୀରବ ରହି ,, "ମୁଁ କିନ୍ତୁ ତୁମର ଭଲ ପାଇବାର ଯୋଗ୍ୟ ନୁହଁ " ।
          ଇଛା ତ ହେଉଥିଲା ମଧୁଲିତା ର ହିତେନ୍ ଛାତିରେ ମୁଣ୍ଡ ଗୁଞ୍ଜିଦେଇ ଗଭୀର ଆଶ୍ୱାସନା ରେ ବାନ୍ଧି ରଖନ୍ତା  ।କିନ୍ତୁ ନା ,...ସେ ସେମିତି କିଛି କଲାନାହିଁ  ....ବରଂ ମୁହଁ ଟା ଶକ୍ତ ହୋଇଗଲା  ।କହିଲା --"" ଏଇଟା କ୍ଷଣିକ ଅବସାଦ ,ହୁଏତ କାଲି ସକାଳ କୁ ଏଇ ମନ୍ତବ୍ୟ ଟା ତା'ର ସତ୍ତା ହରାଇଥିବ ।"
ଚମକି ପଡିଲା ହିତେନ୍ ।ମଧୁଲିତା ପରି ଆଉଟ୍ ଡେଟେଡ଼
ଝିଅ ଏମିତି କଥା କହୁଛି ? କେମିତି କହି ପାରୁଛି ସେ ......!
ଉଃଫ .....ଅନ୍ଧାର ଟା ମାଡି ବସିଛି ,ହେଲେ ଏଇ ଅନ୍ଧାର ଟା ବେଶ ଭଲ ଲାଗୁଛି । ଆଲୁଅ ରେ ଭୟ ଲାଗିବ । ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ହିତେନ୍ ।ସିଗାରେଟ ଫିଙ୍ଗିଦେଇ ମଧୁଲିତା ର ଦୁଇ ବାହୁ କୁ ଝୀଂଯୋଡି ଦେଇ କହିଲା ----"ଜାଣିଛ ମୋ ବିଷୟରେ ? ନା .....କିଛି ଜାଣିନ .......।
       ତା'ପାଟିରୁ ଛଡାଇ ନେଇ କହିଲା ମଧୁଲିତା ---"ନା ,ମୋର କିଛି ଜାଣିବା ଦରକାର ନାହିଁ ମୁଁ ଏତିକି ଜାଣେ ,ତୁମେ ମୋର ସ୍ୱାମୀ .....ମୋର ସବୁକିଛି । ତୁମ ଭଲ ମନ୍ଦ ,ହସ କାନ୍ଦ ,ଦୁଃଖ ସୁଖ  ସବୁ ମୋର ।
      ମଧୁ ଲିତା ର ଭାବାବେଗ ର ବନ୍ୟା ରେ ହିତେନ୍ ଏଇ ପ୍ରଥମ କରି ତା'ର ବିବାହିତା ପତ୍ନୀ କୁ ନିଜ ଛାତିରେ ଜଡାଇ ଧରିଲା ।ନୀଳକଇଁ ପରି ଆଖି ଯୋଡିକ ଆକାଶ ର ଚନ୍ଦ୍ରମା କୁ ନିବିଷ୍ଟ ଭାବରେ ଦେଖି ଆତ୍ମମଗ୍ନ ହେଉଥିଲା ବେଳେ ଓଠରେ ପ୍ରଶାନ୍ତି ର ମୃଦୁ ହସ ଖେଳି ଯାଉଥିଲା ମଧୁ ଲିତା ର ।

^^^^^^^^^^^^^^^^^^^^

          ଜୀବନର ଶାନ୍ତି ପାଖରେ ଅର୍ଥ ର ମାୟା କୁ ଛୋଟ କରି ମୋଟା ଅଙ୍କ ର ଦରମା କୁ ହରାଇବାକୁ ପ୍ରସ୍ତୁତ ହୋଇଯାଏ ହିତେନ୍ । ବାହାର ରାଜ୍ୟ ଓ ସାରିକା ର ମାୟା ଠାରୁ ଦୂରେଇ ଆସେ ସେ ।ଅନେକ ଦିନ ପରେ ତା'ନୂତନ ଅଫିସ ଠିକଣା ରେ ଆସିଥିବା ଏକ ଚିଠି କୁ ବେଶ ଉତ୍ସୁକତା ର ସହ ଖୋଲିବା ପରେ ତାହା ସାରିକା ର ବୋଲି ଜାଣିବାକୁ ପାଏ ସେ ।
 ""ଓଃ ମାଇ ଗଡ .....!!" ଏବେ ବି ତା ହୃତ ସ୍ପନ୍ଦନ ତୀବ୍ର ହେଉଛି ସେ ନାଁ ଟିର ଉଚ୍ଚାରଣ ରେ ।ସମ୍ଭାଷଣ ଓ ଇତି କୁ ପଢ଼ିସାରିବା ପରେ ବିଷୟ ବସ୍ତୁ ଟିକୁ ଏଇମିତି ଜାଣିଲା ସେ ......। "କୈଶୋର ରୁ ଡାଡ଼ ମମ ଙ୍କୁ ହରାଇ ବୋର୍ଡ଼ିଙ୍ଗ 
ସ୍କୁଲ ରୁ ପାଠ ପଢି ,ଫ୍ୟାମିଲି ର ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ହୋଇ ,ସମ୍ଭ୍ରାନ୍ତ ଓ ଆଧୁନିକତାର ପରିବେଶ ରେ ଅଭ୍ୟସ୍ତ ହେବା, ତମ ବିଷୟରେ କିଛି ନ ଜାଣି ନ ବୁଝି ଡିପଲି ଆଟଚ
ହେବା ଓ ତମ ଠାରୁ ତମ ପରିବାର ର ଆଶା ଆଙ୍କାକ୍ଷା ଜାଣିବା ପରେ  ତମକୁ ବିବାହ ନ କରିବାର ନିଷ୍ପତ୍ତି ନେବା ମୋ ପକ୍ଷ ରେ ଉଚିତ ଥିଲା ।ମାତୃତ୍ତ୍ୱ ପରି ଏକ ପବିତ୍ର କାମନା କୁ ଜଳାଞ୍ଜଳି ଦେବା ପଛରେ ଏକ ଆତଙ୍କ ଥିଲା ମୋ ଭିତରେ ।
କ'ଣ ହେବ ମୋ ସନ୍ତାନ ର ପରିଚୟ ?ଯଦି ଝିଅ ହୁଏ ? କେମିତି ହେବ ? ମୋ ପରି ......? ଆଃ ...କି ଲଜ୍ଜା ....!!କେମିତି ସହି ଥାନ୍ତି ବଞ୍ଚି ଥାଉ ଥାଉ  ....?? ନା -,ସେମିତି ଏକ ଅବାଂଛିତ ପରିଚୟ ନେଇ ବଞ୍ଚିବା ଅପେକ୍ଷା ପୃଥିବୀ କୁ ନ ଆସିବା ହିଁ ଭଲ ବୋଲି ମୁଁ ଭାବିଲି । ତମେ ମୋ ସହ ସବୁ ସମ୍ପର୍କ କାଟିଦେଲା ପରେ ମୁଁ ପାଗଳ ପ୍ରାୟ ହୋଇଯାଇଥିଲି ।
କାରଣ ତମକୁ ହିଁ ମୋ ଜୀବନର ସବୁକିଛି ବୋଲି ଜାଣିଥିଲି ।
ବହୁ ଚିକିତ୍ସା ପରେ ମୁଁ ଏବେ ସାମାନ୍ୟ ସୁସ୍ଥ ହେବାରୁ ତମକୁ ଏ ଚିଠି ଦେଉଛି । ୟାକୁ ତମ ପାଖରେ ରଖିବ । ତମକୁ ବହୁତ ଭଲ ପାଏ ଆଉ ବିଶ୍ୱାସ କରେ ହିତେନ୍ । ଆଜି ଆମ ଭିତରେ ଅନେକ ଦୂରତା କିନ୍ତୁ ଦୀର୍ଘ ଛଅ ବର୍ଷ ର ସମ୍ପର୍କ କୁ ଏଇ ଦୂରତା ର ଦ୍ୱାହି ଦେଇ ଭୁଲିଯିବନି । ପ୍ଲିଜ଼ ହିତେନ୍ ମୋତେ ବିଶ୍ୱାସ କର , ମୁଁ ତମକୁ କେବେ ଆମ ନଗ୍ନ ସମ୍ପର୍କ ପାଖକୁ ଫେରିଆସିବା ପାଇଁ କହିବିନି । କେବଳ ତମ ହୃଦୟ ର ଛୋଟିଆ କୋଣ ରେ  ଆମ ସ୍ମୃତିକୁ ସବୁଦିନ ପାଇଁ ସଜେଇ
ରଖିଥିବ  ""। ଆଉ ଶେଷ ଆଡକୁ  ""ଲଭ ୟୁ ""ସହିତ ଅନେକ ଲିପଷ୍ଟିକ ବୋଳା ଓଠ ର ଚୁମ୍ବନ ର ଚିନ୍ହ ।।
           କିଛିସମୟ ପାଇଁ ସ୍ତବ୍ଧ ରହିଗଲା ହିତେନ୍ ।ତା'ପରେ ମୋବାଇଲ ଆଡକୁ ଆପେ ଆପେ ହାତ ଚାଲିଗଲା କଲ କରିବାକୁ ।କିନ୍ତୁ ଅପର ପାର୍ଶ୍ଵ ରୁ ଯାନ୍ତ୍ରିକ ସ୍ୱର ଭାସିଆସିଲା "  "ଦିସ ନମ୍ବର ଇଜ଼ ନଟ ଏକଜ଼ିଷ୍ଟେଡ଼ ।"
        
ଯେତେ ଆଧୁନିକା ,ଉଗ୍ର ଆଧୁନିକା ହେଲେ ମଧ୍ୟ ପ୍ରତିଟି ନାରୀ ଭିତରେ ଏକ ସଙ୍କୁଚିତ ପୃଥିବୀ ବି ଥାଏ ।ସତ ରେ ମଣିଷ କେତେ ଅସହାୟ !! ସମାଜ କୁ ଯେତେ ଆଧୁନିକ ସଭ୍ୟତା ର୍ଦର୍ପଣ ଦେଖାଇଲେ ମଧ୍ୟ ସେଥିରେ ବି ଦାଗ ଦେଖାଯାଏ ।
       ନିଜର ଅସହାୟତା କୁ ଲୁଚାଇବା କୁ ଯାଇ କିଛି ମାଧ୍ୟମର
ସାହାଯ୍ୟ ନେବ କି .....???? ନା ........ଆଉ ହାରିବାକୁ ଭଲ ଲାଗୁନି । ହିତେନ୍ ଚିଠି ଟି କୁ ଚଉତି ରଖିଲା ପକେଟ ରେ ।ମୁଣ୍ଡ ଉପରେ ହାତ ଛନ୍ଦି ଗଭୀର କ୍ଳାନ୍ତି ରେ ଆଖି ବନ୍ଦ କଲା ସେ ।ଆଖି ଆଗରେ ନାଚି ଉଠିଲା କଳ କଳ ,ଛଳ ଛଳ ଶାନ୍ତ ସ୍ନିଗ୍ଧ ନୀଳ କଇଁ ପରି ଆଖି ଯୋଡିକ   ....ସମ୍ମୋହିତ କରୁଛନ୍ତି
ତାକୁ ।ସେ ସମ୍ମୋହନ ରେ ଅଛି ବାସ୍ତବ ଜୀବନର ଅମୃତ ର ସନ୍ଧାନ ଦିଗ ରେ ଯାତ୍ରା ....,ଏକ ସଭ୍ୟ ମଣିଷ ର ତା'ର ଉତ୍ତର
ପିଢୀ କୁ ଆଦର୍ଶ ଓ କର୍ତ୍ତବ୍ୟ ନିଷ୍ଠା ର ଅବଦାନ ର ଆନନ୍ଦ । ତା' 
ପାଟିରୁ ନିଜ ଅଜାଣତରେ ଅସ୍ପଷ୍ଟ ଭାବରେ ବାହାରି ଆସୁଥାଏ ----"ଲଭ ୟୁ .......ଲଭ ୟୁ  .......ମଧୁ  . .. . ... ।।।।।।।।
ବାରିପଦା

ମୟୁରଭଂଜ-୭୫୭୦୦୧

ଜୟ ସାହିତ୍ୟ, ଜୟ ସମାଜ