1/02/2019

ଜନ୍ମଭୂମି,କର୍ମଭୂମି,ପୂଣ୍ୟଭୂମି ଭାରତ

ବୈଜୟନ୍ତି ସାହୁ
ମୋ ଜନ୍ମଭୂମି ଭାରତ-

ଯେଉଁ ଦେଶରେ ଜନମ ମୋର 
ଯାହାରକୋଳେ ବଢିଛି ମୁହିଁ 
ସେହି ମୋ ପ୍ରିୟ ଜନମ ଭୂଇଁ । 

ଜନନୀ- ମା ଗର୍ଭରେ ଧାରଣ କରିଥାଏ ସେ ଗର୍ଭଧାରିଣୀ, ଜନ୍ମଭୂମି ପାଳନକାରିଣୀ ଯେଉଁଠାରେ ଶିଶୁଟି ଜନନୀ ଜଠରୁ ଭୂମିଷ୍ଠହୋଇ ତା ର ମାଟି ପାଣି ପବନ (ରୂପ,ରସ,ଗନ୍ଧ)ର ପ୍ରଥମ ସ୍ପର୍ଶପାଏ , ତାହାର ଶାକ,ତଣ୍ଡୁଳ,ଫୁଲ,ଫଳ,ପାଣି,ପବନରେ ଶରୀର ପରିପୃଷ୍ଠ ହୁଏ , ସେହି ମାଟି ମା ଭାରତ ମୋର ଜନ୍ମଭୂମି ।ା ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ ।ା ଏହି ସୁଦୁର ପ୍ରସାରୀ ରାଷ୍ଟ୍ରୀୟ ଭକ୍ତି ବାଣୀର ଉଦ୍ଗାତା ହେଉଛନ୍ତି ପ୍ରଭୃ ଶ୍ରୀରାମ । ବିଜୟପ୍ରାପ୍ତ ସୁବର୍ଣ୍ଣପୁରୀ ଲଙ୍କାର ଧନ ପ୍ରାଚୁର୍ଯ୍ୟ ତଥା ଐଶ୍ୱର୍ଯ୍ଯ  ବିଭୁତିରେ ବିମୋହିତ ନ ହୋଇ ଧୂଳିମାଟିର ପବିତ୍ର ଜନ୍ମ ଭୂମି ଭାରତ ବର୍ଷ ପ୍ରତି ନିଜର ଅଖଣ୍ଡ ବିଶ୍ୱାସକୁ ଅତୁଟରଖିଛନ୍ତି ପ୍ରଭୁ ଶ୍ରୀରାମ ଯାହାର ମାଟି,ପାଣି,ପବନରେ ତାଙ୍କ ଶରୀର ପ୍ରତିପାଳିତ ତା ପ୍ରତି ଗଭୀର ମମତ୍ୱବୋଧ ତଥା ଆନୁଗତ୍ୟ ପ୍ରକାଶ ଏହାର ଜ୍ୱଳନ୍ତ ଉଦାହରଣ  । ବିଶ୍ୱ ବିଜୟୀ ବିବେକାନନ୍ଦ ନିଜ ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ବିଶ୍ୱସ୍ତରରେ ଭୁରି ଭୁରି ପ୍ରଂଶସାର ଅଧିକାରୀ ହୋଇ ଯେତେବେଳେ ସୁଖ ସମୃଦ୍ଧିର ଦ୍ୱାରଦେଶରେ ଉପନୀତ,ସେତେବେଳେ କିନ୍ତୁ ଜନ୍ମଭୂମି ଭାରତମାତାର ଆକର୍ଷଣ ପ୍ରତ୍ୟାବର୍ତନ କରିବାପାଇଁ ତାଙ୍କ ହୃଦୟକୁ ଛଟପଟ କଲା ଭାରତ ମହାସାଗର ବିଶାଳ ଲହରୀକୁ ଲଙ୍ଘନକରି କୂଳରେ ପ୍ରବେଶ ମାତ୍ରକେ ତାର ବାଲୁକା ରାଶିରେ ନିଜର ଶରୀରକୁ ଲୋଟାଇ ଦେଇ ଜନ୍ମଭୂମିର ଆଲିଙ୍ଗନରେ ଆତ୍ମା ତୃପ୍ତି ହେଲେ । ମହାନ୍ ଯୋଗୀ ତଥା ପରମ ରାଷ୍ଟ୍ର ନାୟକ ଋଷି ଅରବିନ୍ଦ ଜନ୍ମଭୂମି ଅଖଣ୍ଡ ଭାରତମାତାର ପ୍ରମା ସିଦ୍ଧତାକୁ ପ୍ରମାଣିତ କରିବା ପାଇଁ ଅତି ମାନସ ସୂକ୍ଷ୍ମ ଶକ୍ତିର ମହାସାଧନା କରି କଲ୍ୟାଣମୟି ମୂର୍ତୀ ଭାରତମାତାର ଦିବ୍ୟ ଦର୍ଶନ କରାଇଥିଲେ ।
                   ଜାତୀୟ କବି ବଙ୍କିମଚନ୍ଦ୍ର ରେଳଯାତ୍ରା ଅବସରରେ ବିଶ୍ୱରୂପ ଦର୍ଶନରେ ଅଭିଭୂତ ହୋଇ ପ୍ରଗଳଭ ପ୍ରାୟ ଚିକ୍ରାର କରି ମାତା ଭାରତୀର ଶକ୍ତିମୟୀ ଦୁର୍ଗା ,ଲକ୍ଷ୍ମୀ,ସରସ୍ବତୀ, ସ୍ବରୁପର ଗୁଣଗାନ ରାଷ୍ଟ୍ରୀୟ ସଂଗୀତ ବନ୍ଦେମାତାରମ୍ ସୃଷ୍ଟିକଲେ ଜନ୍ମଭୂମି ଭାରତବର୍ଷ ତାର ପୂତ୍ର କନ୍ୟାରୂପି ଜନ ସମୁଦାୟ ପାଇଁ ଗର୍ବ ଓ ଗୈାରବ ରୂପେ ପରିଚିତ । ଭୈାଗୋଳିକ ଦୃଷ୍ଟିକୋଣରୁ ବିଶ୍ୱଶିଳ୍ପୀ ଏ ଭୂଖଣ୍ଡକୁ ସ୍ବତନ୍ତ୍ରଭାବେ ନିର୍ମାଣ କରିଛନ୍ତି । ପୃଥିବୀରେ ସୁରକ୍ଷାର ବଳୟ ଦେଇ ଜଳ ଓ ସ୍ଥଳ ଭାଗରୁ ବିଛିନ୍ନ କରି ତିନି ପଟରେ ସମୁଦ୍ର ଓ ଅନ୍ୟପଟେ ସୁଦୀର୍ଘ,ସୁବିସ୍ତୀର୍ଣ୍ଣ ବିରାଟକାର ହିମ ଗିରି ଦଣ୍ଡାୟମାନ କରିଛନ୍ତି । ଏହାହିଁ ଭାରତର ସୁରକ୍ଷା ଓ ନିରାପତାର ସ୍ଥାୟୀତ୍ୱ ଅଂସଖ୍ୟ ଜଳରାଶିର ଗନ୍ତାଘର ପୁଣ୍ୟମୟୀ ନଦୀସମୁହ ଗଙ୍ଗା,ଯମୁନା,ସରସ୍ବତୀ ଆଦି ମାତୃପେୟ ପ୍ରଦାନ ପୂର୍ବକ ଏ ଧରାକୁ କରିଛନ୍ତି । ଶସ୍ୟା ଶ୍ୟାମଳା । ଏ ମାଟିର ପ୍ରତି ମୁଠାରେ ଭରି ରହିଛି ମା ର ଅବର୍ଣ୍ଣନୀୟ ଶୋଭା ସମ୍ପଦର ଅତୁଳନୀୟ ଭଣ୍ଡାର ସନ୍ତାନଗଣଙ୍କର ଅଳି ଅର୍ଦଳୀ ସମସ୍ତ ଆବଶ୍ୟକତାର ପରିପୂରଣ କରିବାପାଇଁ ଜନ୍ମଭୂମି ଭାରତ ସଦା ସମର୍ପିତ ଯୁଗେ ଯୁଗେ ଜନ୍ମଭୂମି ଭାରତର ମୁଖ ଉଜ୍ଜଳ କରିବାପାଇଁ ଅନେକ ଯୋଗଜନ୍ମା ପୁତ୍ରଙ୍କର ଆର୍ବିଭାବ ହୋଇ କର୍ତବ୍ୟ ପାଳନରେ ଏ ଦେଶ ଉଚ୍ଚ କର୍ମଭୂମି ରୂପେ ପ୍ରଶଂସିତ । ପିତା-ପୁତ୍ର,ରାଜ-ପ୍ରଜା,ଗୁରୁ-ଶିଷ୍ୟ,ରାଷ୍ଟ୍ର-ନାଗରିକର ଚରମ ନିଦର୍ସନ ଦେଖାଇଛନ୍ତି । ଶ୍ରୀରାମ,ଶ୍ରୀକୃଷ୍ଣ,ଶିବାଜୀ,ଚାଣକ୍ୟ, ଚନ୍ଦ୍ରଗୁପ୍ତ,ଏକଲବ୍ୟ,ଅର୍ଜୁନ,ଶିବି,ହରିଶ୍ଚନ୍ଦ୍ର,ନଚିକେତା ଏବଂ ଭରତଙ୍କ ପରି କର୍ମ ନିଷ୍ଠା କର୍ମବୀରଙ୍କ ପ୍ରେରଣା ଚରିତ୍ର ଏ ମାଟିକୁ ଧନ୍ୟ କରିଛି । ମାନବୀୟ ଗୁଣର ଅମୁଲ୍ୟ ସମ୍ପଦ କର୍ମରେ ଭାରତମାଟିର ଭୁରୁଭୁରୁ ଗନ୍ଧରେ ଉଚିତ କର୍ତବ୍ୟ ତ୍ୟାଗ ଓ ବଳିଦାନର ସୁମଧୂର ବାସନା ଦୂର ଦିଗନ୍ତ ପରିବ୍ୟାପ୍ତ । ଭାରତମାଟିର ମୁଠାଏ ମାଟି ଚିପୁଡି ଦେଲେ ଅଂସଖ୍ୟ ଓଜସ୍ବୀ,ତେଜସ୍ବୀ ସମର୍ପିତ ମାନବ ସିଂହମାନଙ୍କର ନିଷ୍ଠାର ଲାଲରକ୍ତ ନିଗିଡି ଆସେ । ପାନ୍ନାଧ୍ୟାଈଠାରୁ ଲକ୍ଷ୍ମୀବାଇ ପର୍ଯ୍ୟନ୍ତ, ମଙ୍ଗଳମୟ ଭଗବାନ ଶିବଙ୍କଠାରୁ ଛତ୍ରପତି ଶିବାଜୀଙ୍କ ପର୍ଯ୍ୟନ୍ତ, ଗୁରୁଗୋବିନ୍ଦ ସିଂହଙ୍କଠାରୁ ବାଳକ ବାଜି ରାଉତ ପର୍ଯ୍ୟନ୍ତ ଅଂସଖ୍ୟ କର୍ମତ୍ୟାଗ ମାଳିକାର ଅସରନ୍ତି ପୃଷ୍ଠା କର୍ମଯୋଗ ଭାରତକୁ କରିଛି ସର୍ବଶ୍ରେଷ୍ଠ କର୍ମଭୂମି । ଭାରତ ଗୋଡି ମାଟିର ଗୋଟିଏ ସାଧାରଣ ଦେଶ ନୁହେଁ । ଜୀବନଚର୍ଯ୍ୟା ମାନବୀୟ,ମୂଲ୍ୟବୋଧ ସାଂସ୍କୁତିକ ଅବଧାରଣା ଏହି ଭୂଖଣ୍ଡକୁ ଗୋଟିଏ ପୂନ୍ୟ ଭୂମିରେ ପରିଣତ କରିଛି । ୟଦା ୟଦାହିଁ ଧର୍ମସ୍ୟ ....... ସମ୍ଭଭାମି ଯୁଗେ ଯୁଗେ ଏବଂ ଧାରୟତି ଯ ଧର୍ମ ବିଚାର ଆଦରରେ ଏ ଭୂମି ପୁଣ୍ୟଭୂମି । ଧର୍ମକୁ ଧାରଣପୂର୍ବକ ମୈାଳିକତା ବଜାୟ ରଖିବାପାଇଁ ଏ ଧରାପୃଷ୍ଠରେ ଈଶ୍ୱରଙ୍କ ହୋଇଛି ବାରମ୍ବାର ବାରମ୍ବାର ଆଗମନ ବିଶ୍ୱର ମେରୁଦଣ୍ଡ ରୂପେ ଭାରତ ସନ୍ତୁଳିତ ମେରୁଦଣ୍ଡ । ଭାରତ ବିନା ବିଶ୍ୱ ସ୍ଥିତିମାନ ଅସ୍ତିତ୍ୱ ମାନବୀୟ ଅମୂଲ୍ୟ ସତା ହରାଇବ ଈଶ୍ୱର ଅଭିମୁଖ୍ୟ ସମସ୍ତ ମତପନ୍ଥ ଏବଂ ଜୀବନ ପ୍ରଭାହର ମୂଳ ଭୀତି ଭୂମି ଏ ପୂଣ୍ୟ,ପବିତ୍ର ଭୂମିରୁ ସ୍ଥାପିତ । ବିଦ୍ଧ,ମହାବୀର, ବିବେକାନନ୍ଦ, ରାମତୀର୍ଥ,ରାମକୃଷ୍ଣ ପରି ମହାନ ମାନବବାଦୀ ଧର୍ମ ପୁରୁଷମାନେ ଭାରତୀୟ ଧର୍ମଧାରଣର ମୂଲ୍ୟବୋଧକୁ ମହାଜାଗତିକ ଶକ୍ତିରୂପେ ବିକଶିତ କରିଛନ୍ତି । ଅମଙ୍ଗଳକାରି ଦୁଷ୍ଟଶକ୍ତିମାନଙ୍କୁ ପରାହତ କରି ଶାନ୍ତି ଓ ମୈତ୍ରୀ ସ୍ଥାପନପାଇଁ ଈଶ୍ୱରଙ୍କ ଦର୍ମାବତାର ଏ ମାଟିର ବିଶେଷତ୍ୱ । ସ୍ବର୍ଗର ଦେବତାମାନେ ମଧ୍ୟ ମୁକ୍ତିମାର୍ଗର ପୂଣ୍ୟଭୂମି ଭାରତବର୍ଷକୁ ଅବତରଣକରି କଟଂକିତ ଜୀବନାୟନ ବରିନେଇ ମୋକ୍ଷ ପ୍ରାପ୍ତିର ସ୍ବାଦପାଇଁ ଅବିରତ ଚେଷ୍ଟିତ । ଜୀବମାନେ ୮୪ଲକ୍ଷ ଜୀବ ଯୋନିର ଲକ୍ଷ୍ୟ ଭ୍ରମଣ ପରେ ଏ ପୂଣ୍ୟ ଭୂମି ଭାରରେ ଥରେ ମାତ୍ର ମନୁଷ୍ୟ ଜନ୍ମନେବାର ଅଭିଳାଷ ରଖିଥାନ୍ତି । କାରଣ ଏହା ସୃଷ୍ଟି ନିୟମର (ଶ୍ରୀକ୍ଷେତ୍ର) ପୁରୀରେ ଏକ ସ୍ବର୍ଗଦ୍ୱାର ସଦୃଶ୍ୟ ଫଳପ୍ରାପ୍ତି ନିମନ୍ତେ ଚୟନଯୁକ୍ତ ଇଶ୍ୱରଙ୍କ ଆର୍ଶିବାଦ ଭୂମି, ମୁକ୍ତିରମାର୍ଗ, ମୋକ୍ଷଭୂମି ସ୍ବର୍ଗଦ୍ୱାର । 

ଚିରଲାସ୍ୟମୟୀ, ମୃଦୁହାସ୍ୟମୟୀ,ଶସ୍ୟଶ୍ୟାମଳା, ବିନ୍ଧ୍ୟମେଖଳା ,ସବିଜଶାଳିନୀ, ପ୍ରକୃତମାଳିନୀ,ଗିରିବାଳା ପରିବେଷ୍ଟିତା ନବ ନବ ଶୋଭା ବିମଣ୍ଡିତା, କଳକଳ,ଛଳଛଳ, ନଦୀପ୍ରସାରିତା, ଜଗତତାରେଣୀ,ସର୍ବକାରିଣୀ,ବିଶ୍ୱକଷ୍ଟନିବାରୀଣୀ,ଚିନ୍ମୟୀ, ଚିଦାନନ୍ଦୀ, ଶକ୍ତିସ୍ବରୂପିଣୀ,ସର୍ବଜନନୀ, ବିଶ୍ୱବନ୍ଦିତା ଭାରତମାତା ପୂଣ୍ୟର ପରମକାରଣିକ ଜ୍ଞାନ ଦର୍ଶନର ଉର୍ବରକ୍ଷେତ୍ର । ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଯାହାର ସହସ୍ରବାହୁ,ସହସ୍ରନେତ୍ର,ସହସ୍ରପଦ ସର୍ବପ୍ରସାରିତ ହୋଇ ମାନବ ବାଦରେ ବିଶ୍ୱବାସୀଙ୍କୁ ତୋଳିଧରେ । ପ୍ରତିଟି ଧୂଳିକଣାରେ ପୂଣ୍ୟ ପ୍ରଭାହର ଅଜସ୍ର ସ୍ରୋତ ଚର୍ତୁଦିଗକୁ ପ୍ଲାବିତ । ସର୍ବୋପରି ଜନ୍ମଭୂମି,କର୍ମଭୂମି,ପୂଣ୍ୟଭୂମି,ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ କଲ୍ୟାଣମୟୀ ବିଶ୍ୱଗୁରୁରାଷ୍ଟ୍ର । ସେଥିପାଇଁ  କୁହାଯାଇଛି ଯାହା ନାହିଁ ଭାରତେ, ତାହା ନାହିଁ ମରତେ । 



ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ପିପିଲି,ପୁରୀ 
ଫୋନ- ୯୪୩୮୨୨୧୫୯୦
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।