1/02/2019

ଦିଗହରା ଆମ ସାହିତ୍ୟ

 ଦୀପ୍ତି ସାମଲ
                                              ବିଂଶ ଶତାବ୍ଦୀର ଦ୍ଵିତୀୟ ଦଶକରେ ଆଗାମୀ ପିଢ଼ି ଯେତେବେଳେ ବିଜ୍ଞାନ ମୁହାଁ ହୋଇ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଉଛି ସେତେବେଳେ ମାତୃଭାଷା ଓ ଆମ ସାହିତ୍ୟର ସୁମଧୁରତା ସେମାନଙ୍କ ହୃଦୟକୁ ଆନ୍ଦୋଳିତ କରିପାରିନାହିଁ କି ପ୍ରଫୁଲ୍ଲିତ କରିପାରୁନାହିଁ ।ଯଦି ଏହି ପରିପ୍ରେକ୍ଷୀରେ ଗୋଟିଏ ମୁହୂର୍ତ୍ତ ପାଇଁ ଯୁବ ପିଢିଙ୍କ ମାନସ ପଟରେ ପହିଲି ସକାଳର ଶିଶିର ପରି ସାହିତ୍ୟ କିଛି କ୍ଷଣ ପାଇଁ ହୀରାପରି ଚିକମିକ କରନ୍ତା ତେବେ ଆମ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ବଳ ବୋଲି ଆମେ ନିଃସନ୍ଦେହ ରେ କହିପାରନ୍ତେ ।ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ର  ମାନ୍ୟତା ପାଇଲା।ଏହି ମାନ୍ୟତା ପାଇବାରେ ଓଡ଼ିଆ ଭାରତ ବର୍ଷର ଷଷ୍ଠ ଭାଷା ହେଲେ ମଧ୍ୟ ପ୍ରଥମ ଆର୍ଯ୍ୟ ଭାଷା ଭାବରେ ଗୌରବ ଅର୍ଜନ କରିପାରିଛି। 
          ଓଡ଼ିଆ ଭାଷା ଆଜି ସ୍ୱତନ୍ତ୍ର ମାନ୍ୟତା ପାଇଥିଲେ ମଧ୍ୟ ଓଡ଼ିଆ ଭାଷା ଓ  ଓଡ଼ିଆ ସାହିତ୍ୟ ପ୍ରତି ଆମ ମାନଙ୍କର ମାନସିକତା କ୍ରମେ ନିମ୍ନଗାମୀ ହେବାରେ ଲାଗିଛି।ଯାହାଦ୍ୱାରା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ଗୌରବମୟ ପରମ୍ପରା କୁ ଆମେ ଗୌରବାନ୍ୱିତ କରିବାରୁ ବଞ୍ଚିତ କରୁଛନ୍ତି।ଆଜିର କିଛି ସାହିତ୍ୟିକ ସାହିତ୍ୟ କୁ ଚିତ୍ତବିନୋଦନ ର ମାଧ୍ୟମ କରିସାରିଲେଣି।ସାହିତ୍ୟ ଦ୍ୱାରା ସମାଜକୁ ଉପଯୁକ୍ତ ପଥ ପ୍ରଦର୍ଶନ ରେ ସାହାଯ୍ୟ ନକରି ସାହିତ୍ୟକୁ ଶସ୍ତା କରି ବଜାରରେ ନିଲାମ କରିବାରେ ଲାଗିପଡିଲେଣି ଓ  ସାହିତ୍ୟରେ  ମଧ୍ୟ  ରାଜନୀତି ପ୍ରବେଶ  କଲାଣି । ଯାହାର ଫଳ ସ୍ୱରୂପ ଆମର ପ୍ରାଚୀନ ସଂସ୍କୃତି ଅବକ୍ଷୟମୂଖୀ ହେବାକୁ ଲାଗିଛି।ଆଉ ଯେଉଁ ସଚେତନ ସାଧକ ମାନେ ଆମ ଭାଷା ସୁରକ୍ଷା ପାଇଁ ସଂଗ୍ରାମ କରିଆସୁଛନ୍ତି କିଛି  ନିଜକୁ  ବିଜ୍ଞ ବୋଲାଉଥିବା ସାହିତ୍ୟିକ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖୁଛନ୍ତି।ତେଣୁ  ସେମାନଙ୍କୁ ମୋର ଜୋଡ ହସ୍ତରେ ବିନମ୍ର  ନିବେଦନ କାହାକୁ ଏତେ ହୀନ ନ ଭାବି ଏ ସହିତ୍ୟରୁପୀ ସେତୁ ବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷା  ର ଭୂମିକା  ଟିକିଏ ଦେଇ ଦେଖନ୍ତୁ।ଏହାଦ୍ବାରା ଆମ ସର୍ବଭାରତୀୟ ସ୍ଵୀକୃତ ଭାଷାର ଉନ୍ନତି ନିଶ୍ଚିତ ରୂପେ ହେବ।
          ସମସ୍ତ ସାରସ୍ଵତ ସାଧକ ସେମାନଙ୍କ ଲେଖନୀ ମାଧ୍ୟମରେ ନିଶ୍ଚିତ ସମାଜରେ ବିରାଟ ପରିବର୍ତ୍ତନ ଆଣିପାରିବେ ।ମାନବୀୟ ମୂଲ୍ୟବୋଧ ଭିତ୍ତିକ ପ୍ରେରଣାଦାୟୀ ସାହିତ୍ୟ ହିଁ ସମାଜରେ ସଂହତି ସ୍ଥାପନ କରିପାରିବ।କାରଣ ଆମ ଜାତିର  ଆତ୍ମା ହେଉଛି ଆମ  ମାତୃଭାଷା ।ଗୋଟିଏ ବ୍ୟକ୍ତିର ଭାଷା,ସଂସ୍କୃତ,ପୋଷାକ ପରିଚ୍ଛଦ, ଚାଲିଚଳଣୀ  ହେଉଛି ତାର ଅଳଙ୍କାର ଏବଂ ତା ନିଜର ପରିଚୟ ଓ ମଣିଷ ପଣିଆ ହେଉଛି ସମାଜର ଦର୍ପଣ ।
           ଯଦି ଆମ  ସାହିତ୍ୟର  ଅବକ୍ଷୟ ଘଟିବ ତେବେ ଆମ ଜାତି ଭାଷା ଓ ସଂସ୍କୃତି ଦୁର୍ବଳ ହୋଇପଡିବ।ସାରସ୍ଵତ ସାଧନା ଅବକ୍ଷୟ ହେଉଥିବା ଭାଷା କୁ ସୁର ପ୍ରଦାନ କରିଥାଏ।ଏହାଦ୍ୱାରା ପ୍ରତିଟି  ମଣିଷ ପଣିଆ ଜାଗ୍ରତ ହୋଇଥାଏ।ଯାହାକି ପରବର୍ତ୍ତୀ ସମୟରେ ଆମ ସଂସ୍କୃତି ଓ ପରମ୍ପରା କୁ ଆମେ ସୁରକ୍ଷା ଦେଇପାରିବା।
        ଆମ ଓଡ଼ିଶା ଏକ ଦେବଭୂମି ତାର ଐତିହ ,ପରମ୍ପରା ,କଳା, ସଂସ୍କୃତି ଯଦି ଆମଭଳି କୃତୀ ସନ୍ତାନ ମାନଙ୍କ ଦ୍ୱାରା ନ ହୋଇପାରିଲା  ୟା ଠାରୁ  ଲଜ୍ଜାକର ବିଷୟ ଆଇକିଛି ନହିଁ।ଆଜି ଏହି ଲେଖା ମାଧ୍ୟମରେ ସମସ୍ତ ଲେଖକ ,ଲେଖିକା, ଯୁବବନ୍ଧୁ,ସାହିତ୍ୟିକ ଓ ଗୁରୁଜନ ମାନଙ୍କୁ ନିବେଦନ ଆସନ୍ତୁ ଏହି ମହାନ ପବିତ୍ର ଓଡ଼ିଆ ଭାଷାକୁ ଉର୍ଦ୍ଧଗାମୀ କରାଇବା ନିମିତ୍ତ ଆମେ ମନର ସବୁ ଆବିଳତା ଦୁରେଇ ହାତରେ ହାତ ମିଳାଇ ଏକତା ମନ୍ତ୍ରରେ  ମନ୍ତ୍ରିତ ହୋଇ ଶାନ୍ତି ମୈତ୍ରୀ ,ପ୍ରେମ ଓ କରୁଣା କୁ ସାଥିରେ ଧରି ଆଗାମୀ ଭବିଷ୍ୟତରେ ଏକ ସୁନ୍ଦର ଶକ୍ତିଶାଳୀ ରାଜ୍ୟ ଗଠନ କରିବା ନିମନ୍ତେ ଓଡ଼ିଆ ଭାଷାକୁ ସୁଦୃଢ଼ କରିବା ।ଆମ ମାତୃଭୂମି ର ଉନ୍ନତି ପାଇଁ ଶପଥ ନେବା।
                                                                                                                                               ଯାଜପୁର ରୋଡ଼
ଜୟ ସାହିତ୍ୟ, ଜୟ ସମାଜ

1 comment:

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।