କିଶୋର ପଣ୍ଡା
ପ୍ରେମରେ ପଡ଼ିଲେ ଲୋକମାନେ କବି ହେଇ ଯାଆନ୍ତି । ଅନେକ ନଜୀର୍ ବି ଅଛି ଏମିତି କବିଙ୍କର । ହେଲେ ପ୍ରେମ କ’ଣ ଜାଣିବା ଆଗରୁ ହିଁ ସେ ରଫ୍ ଖାତାରୁ ଫର୍ଦ୍ଦ ଫର୍ଦ୍ଦ କାଗଜ ସାରୁଥିଲା । ଖୁବ ଗୋଟେ ପିଲାବେଳୁ ନ ହେଲେ ବି ପିଲାବେଳୁ ହିଁ ସେ ଲେଖୁଥିଲା କବିତା । ଯେଉଁ ବୟସରେ ତା ସାଙ୍ଗପିଲେ “ତୁମପରି ଛୋଟ ପିଲାଟିଏ” କବିତାର ସରଳାର୍ଥ ଠିକ ଭାବରେ ଲେଖି ପାରୁନଥିଲେ, ସେ ସମୟରୁ ବି । ଏଇ କାରଣରୁ ସ୍କୁଲରେ ବେଶ୍ କିଛିଥର ମାଡ଼ ଖାଇବାରୁ ବର୍ତ୍ତି ଯାଇଥିଲା ସେ । ସେ ଆଉ କେହି ନୁହଁ, ସେ ଶକ୍ତି ମିଶ୍ର ; ଦି ପୋଏଟ୍ ।
କବି ହେଲେ ମଣିଷ ଅଧିକ ଭାବପ୍ରବଣ ହେଇଯାଏ କି ଅଧିକ ଭାବପ୍ରବଣତା ମଣିଷମାନଙ୍କୁ କବି କରିଦିଏ ଏକଥା କେବେ ବି ସେ ବୁଝି ନଥିଲା । ତା ପାଇଁ କବିମାନେ ସବୁବେଳେ ଭାବପ୍ରବଣ, ସ୍ବପ୍ନବିଭୋର । ଅନ୍ୟମନସ୍କତା ଯେମିତି ସେମାନଙ୍କର ଚିର ସହଚର -ଏ କଥାକୁ ବୁଝିବା ଅପେକ୍ଷା ସମ୍ବିଧାନର ନିୟମ ପରି ମାନି ନେଇଥିଲା ଶକ୍ତି ମିଶ୍ର । ଆଉ ତା’ର ସେଇ ଅନ୍ୟମନସ୍କତାର ସୁଯୋଗ ନେଇ କେତେବେଳେ ତା ନିଶ ଦାଢୀ ବରଗଛର ଓହଳ ପରି ହେଇ ଯାଉଥିଲା ତ ପୁଣି କେବେ ତା ବେଶଭୂଷା ପାଗଳଙ୍କ ଠାରୁ ବି ବଳି ଯାଉଥିଲା । ତେବେ ସେ ଏସବୁ ବିଲକ୍ଷଣକୁ ତା କବି ପଣିଆର ପରିପକ୍ଵତା ବୋଲି ଭାବି ନେଇଥିଲା କି କଣ ! ନ ହେଲେ ଯୌବନରେ ଏଇ ଅକାଳ ବାର୍ଦ୍ଧକ୍ୟର ପରିପାଟୀକୁ ସାଉଁଟି ନେବ ବା କିଏ ? କୋଉ ଖୁସିରେ ଅବା ?
ପହିଲେ ପହିଲେ ତାକୁ ଗାଆଁ ମୁଣ୍ଡ ଆମ୍ବତୋଟା, ନଈ ବନ୍ଧ, ବାଉଁଶବୁଦା ମୂଳ, ମଶାଣୀପଦାରେ ଗୁଣୁଗୁଣୁ ହେଇ ଘୁରି ବୁଲୁଥିବାର ଦେଖା ଯାଉଥିଲା । କେହି କେବେ ଏ ବିଷୟରେ ପଚାରିଲେ ସେ ହସିଦିଏ ଗୋଟେ ନିର୍ମାୟା ହସ । ଖାଲି କାଗଜରେ କେଇଟା ଅକ୍ଷରକୁ ଖଞ୍ଜିଦେଇ କବି ହେବା ତା ଉଦ୍ଦେଶ୍ୟ ନୁହଁ । ଜୀବନକୁ ସେ କବିତା ପରି ଉପଭୋଗ କରିବାକୁ ଚାହେଁ । ଏକୁଟିଆ ରହିଲେ ସିନା ସେ କବିତା ସହ ସମୟ କଟେଇ ପାରିବ । ଲୋକେ କିନ୍ତୁ ଭାବୁଥିଲେ ସେ ଅଧା ପାଗଳ ହେଇଗଲାଣି । ହେଲେ ତା’ର ବେଶ୍ କିଛିଟା କବିତା ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ହେବା ପରେ ଏବେ କାଳେ କିଛିକିଛି ଜାଗାରେ କବି ସମ୍ମିଳନୀ ହେଲେ ଲୋକମାନେ ତାକୁ ମଞ୍ଚ ଉପରେ କବିତା ପଢ଼ିବାର ଦେଖିଲେଣି ।
ଲୋକଟିଏ ସଂଘର୍ଷ କରୁଥିବା ସମୟରେ ତା’ର ଗୋଡ଼ ଟାଣୁଥିବା ସମାଜର କିଛି ଦାୟାଦମାନେ, ସଫଳତା ପାଇବା ପରେ କେମିତି ତା’ର ଗୋଡାଣିଆ ହେଇ ଯାଆନ୍ତି ଏ କଥା ଶକ୍ତି ମିଶ୍ର କେବଳ ଅନୁଭବ କରୁ ନଥିଲା, ଅନେକ କବିତାରେ ଏ କଥା ଲେଖି ସେ ବହୁତ କିଛି ଲୋକଙ୍କର ଗାତ୍ରଦାହର କାରଣ ବି ହେଇ ଯାଇଥିଲା । ତେବେ ବି ସେ ଅନୁଶୋଚନା କରୁ ନଥିଲା । ତା’ର ସେଇ ସ୍ୱଭାବ ସୁଲଭ କବି ଠାଣିରେ ବଞ୍ଚୁଥିଲା ଗୋଟେ ବେଧଡକ ଜୀବନ । ଗୋଟେ ଏକେଲାପଣ, ଗୋଟେ ନିଃସଙ୍ଗତା ତାକୁ ଜଡେଇ ଧରୁଥିଲା କବିତା ସହିତ ।
ଆଜିକାଲି ସେ ଆଗ ଅପେକ୍ଷା ଢେର ରାତିଯାଏଁ ଚେଉଁଛି । କବିତା ପାଇଁ କି ସୁଲଗ୍ନା ପାଇଁ ଜଣାନାହିଁ । କବିତା ପ୍ରତି ତା’ର ଅନୁରାଗ ଆଉ ଆଗଭଳି ଅଛି କି ନା ଏକଥା ବି ଜଣାନାହିଁ ହେଲେ ଏଇଟା ସତ ଯେ ଶକ୍ତି ମିଶ୍ର ଏବେ ପ୍ରେମରେ । ତା କବିତାରେ ଆସିଥିବା ପରିବର୍ତ୍ତନ ଏକଥାର ପ୍ରମାଣ ବୋଲି କିଛି ନିନ୍ଦୁକ କୁହନ୍ତି । ସେ ବି ଏ କଥାକୁ କେବେ ଅସ୍ବୀକାର କରିନି ବରଂ ଆଜିକାଲି କେମିତି ଗୋଟେ ପ୍ରେମିକପଣରେ ଜଡସଡ଼ ହେଇ ଯାଉଛି ସେ ଆଉ ତା କବିତା ।
◆ ◆ ◆ ◆
- ଆଛା ତୁମକୁ ଲାଗୁନି କି ତୁମେ ମୋ ପ୍ରତି ଅବହେଳା କରୁଛ ?
- ଏମିତି କଥା ତୁମେ କେମିତି କହି ପାରୁଛ, ସୁଲଗ୍ନା ?
- ଇଛା ନଥିଲେ ବି କହିବାକୁ ବାଧ୍ୟ ହେଉଛି କି ତୁମେ ଏଇ କବିତା ଲେଖିବା ଛାଡିଦିଅ ।
- ସୁଲଗ୍ନା ! ତୁମ ପ୍ରେମ ଠାରୁ ଏ କବିତାର ପ୍ରେମ ଯେ ବେଶି ଗାଢ଼ ବେଶି ମିଠା ଏକଥା ତୁମକୁ କେମିତି ବୁଝେଇବି ? ପିଲାଦିନେ ବାପାଙ୍କଠାରୁ ଗାଳି ଖାଇ ସେ ଅନ୍ଧାରୁଆ ଘରେ ଛିଣ୍ଡା କମ୍ବଳ ତଳେ ଚୁପଚାପ ଝରୁଥିବା ଲୁହରୁ ଉଷୁମ ଟାଣୁଥିଲା କବିତା । କଲେଜ ହତାର ଝାଉଁବୁଦା ମୂଳେ ଏକୁଟିଆ ବସୁଥିବା ବେଳେ କବିତା ଖୁବ ସୁନ୍ଦର ଗୀତ ଗାଉଥିଲା । ସନିଆଇର ପାନ ଦୋକାନର ବାକି ବଢ଼ିଗଲେ ସେ ଯେତେବେଳେ ଆଉ ପାନ ଦେବାକୁ ମନା କରୁଥିଲା ସେତେବେଳେ ଏଇ କବିତା ତା ଦୋକାନରୁ କଡା ମିଠା ପାନଖଣ୍ଡେ ଆଣି ମୋ ପାଟିରେ ଗୁଞ୍ଜି ଦେଉଥିଲା ।
- ଥାଉ ! ମୋ ମୁଣ୍ଡ ଆଉ ଖାଅନି ।
- ଆରେ ଶୁଣ ତ । ତୁମେ ଯେତେବେଳେ କବିତାର ଶ୍ରାଦ୍ଧ ବାଢିବାକୁ ମୋ ପାଖରେ ବସ ନା, ସେତେବେଳେ ଏଇ କବିତା ତୁମ ଅଜାଣତରେ ମୋତେ କୁତୁକୁତୁ କରି କୁହେ, ହେଃ କବି ! ଏବେ ମୋତେ ସେ ଡାଇରୀ ପୃଷ୍ଠା ଭିତରେ ଲୁଚେଇଦେଇ ସୁଲଗ୍ନାର ଦେହରେ ପ୍ରେମର ନୂଆ କବିତା ଲେଖି ସତସତିକା କବି ହେଇଯାଅ ।
- ଜାଣେ, ତା ପରେ ତୁମେ ଲେଖିବା ତ ପରର କଥା ନିରକ୍ଷରଙ୍କ ଭଳି ସାମାନ୍ୟ ଟିପଚିହ୍ନଟେ ବି ଦେଇ ପାରନି । ଭୀରୁ ! ସମୁଦ୍ର କୂଳରେ ବାଲିଘରଟେ ତିଆରି କରି ନ ପାରି କୋଣାର୍କ ଗଢିବାର କଳ୍ପନା କରୁଥିବା ତୁମଭଳି ଲୋକମାନେ ହିଁ କବିତା ଲେଖି ପାରନ୍ତି ।
- କଳ୍ପନାର ଜୀବନ ବାସ୍ତବର ଜୀବନ ଠାରୁ କାହିଁ କେତେଗୁଣରେ ଭଲ । ନିଜ ଇଚ୍ଛାରେ ଗଢିହୁଏ ପୃଥିବୀ, ଈଶ୍ୱର, ସ୍ବପ୍ନ ଆଉ ସୁଲଗ୍ନାମାନଙ୍କୁ ।
- ଭୁଲ । କଳ୍ପନାରେ ହୁଏତ ରାତିଟିକୁ ସଜେଇ ହୁଏ । ହେଲେ ଦିନକୁ କଳ୍ପନାରେ ସଜେଇଲେ ସେ ରାଜକୁମାରୀ ବଦଳରେ ରାକ୍ଷସୀ ପାଲଟିଯାଏ ।
- ହିଃ ହିଃ.. ଏଇ ଦେଖ ସୁଲଗ୍ନା ! ତୁମ କଥାରୁ ବି କବିତାର ବାସ୍ନା ଆସିଲାଣି ଯେ ।
- ଚୁପକର ।
◆ ◆ ◆ ◆
ଏଇ କିଛିଦିନ ହେଲା ଶକ୍ତି ମିଶ୍ର ଭାରି ଗୁମସୁମ୍ ରହୁଛି । ନା ସୁଲଗ୍ନା ସହ ଭଲରେ କଥା ହେଉଛି ନା କବିତା ସହ । ସରକାରଙ୍କ ବିରୁଦ୍ଧରେ କେଇପଦ କବିତା ଲେଖି ଚାକିରୀରୁ ନିଲମ୍ବିତ ହେଲାପରେ ସୁଲଗ୍ନାର ବ୍ୟବହାର ଅନେକ ବଦଳିଗଲା ପରି ଲାଗୁଛି । କବିତା ଉପରେ ସୁଲଗ୍ନାର ଥିବା ଚିଡାପଣଟା ଏବେ ତା ଉପରେ ବେଶି ଅଜାଡ଼ି ହେଇ ପଡୁଛି । ଭଲ ହେଇଛି । ତା ପାଇଁ ସେଇ ଶାସ୍ତି ହିଁ ଦରକାର । କବିତାର ପ୍ରେମକୁ ଭାଗ କରିବାର ପରିଣାମ ତାକୁ ଭୋଗିବାକୁ ପଡ଼ିବ । ହଁ ତାକୁ ପ୍ରାୟଶ୍ଚିତ କରିବାକୁ ପଡିବ -ଆହୁରି କବିତା ଲେଖି । ସେ ଲେଖିବ । ମାଟିରୁ ଆକାଶ ଯାଏଁ କବିତା ଲେଖିବ । ଅନ୍ତରରୁ ଅନ୍ତରୀକ୍ଷ ଯାଏଁ ବ୍ୟାପିଯିବ କବିତାର ଜୟଯାତ୍ରା । ଏବେ ବେଡ଼ସିଟ୍ ରୁ ଡୋର୍ ସ୍କ୍ରୀନ, କାନ୍ଥରୁ କବାଟ ସବୁଠି କବିତାର ରାଜୁତି ।
ଦିନାକେତେ ଶକ୍ତି ମିଶ୍ରର ସାହସ ଆଉ କବିତାକୁ ଭୁରି ଭୁରି ପ୍ରଶଂସା କରୁଥିବା ଖବର ସଂସ୍ଥାମାନେ ଆଜି ତା ବିଷୟରେ ବେଖବର । ସୁଲଗ୍ନା ଘରଛାଡି ଗଲାଦିନୁ କାଳେ କବିତା ବି ଆଉ ତା ପାଖ ମାଡୁନି । ଆଗରୁ ତ କେବଳ ସାଙ୍ଗସାଥୀମାନେ ଡାକୁଥିଲେ କିନ୍ତୁ ଏବେ ସେ ରାସ୍ତାରେ ଗଲାବେଳେ ଛୋଟଛୋଟ ପିଲାମାନେ ବି ତାକୁ ଦେଖି ଦି ପୋଏଟ୍ ଦି ପୋଏଟ୍ କହି ଚିଲ୍ଲାଉଛନ୍ତି । କେବେ କିଛି ପ୍ରତିକ୍ରିୟା କରୁନଥିବା ଶକ୍ତିମିଶ୍ର ଏବେ ଦି ପୋଏଟ୍ ଶବ୍ଦକୁ ଶୁଣିଲେ ଦାନ୍ତ ଦେଖାଉଛି, ଜିଭ କାଢି ଖତେଇ ହେଉଛି ପୁଣି କେବେ ଆଖି ଢ଼ିମାଢ଼ିମା କରି ଗୋଡେଇ ଯାଉଛି ।
ଗାଆଁରେ ପୌଷପୂର୍ଣ୍ଣିମାରେ ମାଧୂରୀବାବାଙ୍କ ପୀଠରେ ଯାତ୍ରା ହୁଏ । ଓଡ଼ିଶାର ବହୁତ ନାମିଦାମୀ ଯାତ୍ରପାର୍ଟି ପଡନ୍ତି । ବାହାରେ ଯେତେ ଯାତ୍ରା ଦେଖିଲେ ବି ନିଜ ଗାଆଁରେ ଯାତ୍ରାର ମଜା ଟିକେ ନୁହେଁ ବହୁତ ନିଆରା । ଛୁଟିନେଇ ସକାଳୁ ସକାଳୁ ଯାଇ ଗାଆଁମୁଣ୍ଡ ବସ୍ ଷ୍ଟପରେ ଓହ୍ଲେଇଲି । ନଈବନ୍ଧ ଉପରକୁ ଶବାଧାରଟେ ଚାଲିଥିଲା, “ରାମନାମ ସତ୍ୟ ହୈ,ହରିନାମ ସତ୍ୟ ହୈ” ଧ୍ୱନି ସହିତ ତାଳଦେଇ । ମନଟା ଥମଥମ ହେଇଗଲା । ଟିକେ ହାଲୁକା ହେବାପାଇଁ ସନିଆ ପାନ ଦୋକାନରୁ ଗୋଲ୍ଡଫ୍ଲେକ୍ ଟେ ଲଗେଇକି ପଚାରିଲି , “କିଏ ଚାଲିଗଲା କି ?”
ପାନପିକ ପିଚ କିନା ଛାଡ଼ିଦେଇ ନିଶ ଉଠି ନଥିବା ଦୁଇଟା ଟୋକା ଏକାବେଳେକେ କହି ଉଠିଲେ - ଶକ୍ତି ମିଶ୍ର, ଦି ପୋଏଟ୍ ।
ଛାତି ଭିତରଟା ଦାଉଁକିନା ହେଇଗଲା । ମନେ ପଡିଗଲା ଥରେ କୋଉଗୋଟେ ପତ୍ରିକାରେ ଶକ୍ତି ମିଶ୍ରର ସାକ୍ଷାତକାରଟେ ବାହାରିଥିଲା । ସେଥିରେ ସେ କହିଥିଲା - କବିମାନେ ଅବସୋସରେ ବଞ୍ଚନ୍ତି ; ମୁଁ କେତେ କବି ହେଇଛି ଜାଣିନି ହେଲେ ଅବସୋସରେ ମରିବି ନିଶ୍ଚୟ ।
ବାଲିକୁଦା,ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।