ମନୋଜ କୁମାର ପଣ୍ଡା
ରାବଇ କାଉ ଗଳାକୁ ଝାଡି ଚାଳ ଉପରେ ବସି ।
କୁକୁଡା ସବୁ ଭାଡି ଭିତରେ କରନ୍ତି ଅକର୍ଥନ,
ବାହାରେ ଆସି ଛାଡି ବୋବାଳି ଫଟାନ୍ତି ମୁଣ୍ଡ କାନ ।
ହାତରେ ଧରି ବିଲାତି ଛଡି ପୋଷା କୁକୁର ରସି,
ଚାଲନ୍ତି ଧିରେ ନିଶକୁ ମୋଡି ଘନବାବୁ ଯେ ହସି ।
ରମଣୀରାଣୀ ଗୋବର ପାଣି ହାତରେ ଦିଏ ଛିଞ୍ଚି,
ସୂରୁଜ ଦେବ କିରଣ ତାଙ୍କ ଦିଅନ୍ତି ପୁଣି ବିଞ୍ଚି ।
ହଳଦୀ ତେଲ ହାତରେ ଧରି ଭୁଆସୁଣୀଏ ଯେତେ,
ଗାଧୁଆ ପାଇଁ ବାହରି ଥାଇ ବାଲ୍ଟି-ଗରା ହାତେ ।
ଯୁବତୀମାନେ ଉତ୍ସାହ ମନେ ଗାଧୁଆ କାମ ସାରି,
ଚଉଁରା ମୂଳେ ଆଙ୍କନ୍ତି ଚିତ୍ର ମୂରୁଜ ହାତେ ଧରି I
ଘରର ବୋହୂ ଦୁଆର ବନ୍ଧେ ପକାଇ ଦେଇ ଝୋଟି,
ଖରାକୁ ଚାହିଁ ଶୁଖାଇ ଦେଇ ବାନ୍ଧଇ ତାର ଚୁଟି ।
ନିଧିଆ ବୁଢା ପଖାଳ ଖାଇ ହଳକୁ ଗୋରୁ ଯୋତେ,
ବରଷା ଖରା ଖାତିର ନାହିଁ କରଇ ଚାଷ କେତେ ।
ପୀତେଇ ବୁଢୀ ପାଛିଆ ଧରି ଶାଗ ପରିବା ଆଣେ,
ରଖିଲେ ରଖ ଯାଉଛି ମୁହିଁ କଥାଟି କହେ ଟାଣେ ।
ରଙ୍ଗିଆ ଧୋବା ଗଣ୍ଠିଲି ଲୁଗା କାନ୍ଧ ଉପରେ ଧରି,
ଚାଲଇ ଦାଣ୍ଡେ ରହିଣ ଦଣ୍ଡେ ଡାକି ଡାକିକା ଭାରି ।
ଗଉଡ ଟୋକା ଗାଈକୁ ଛନ୍ଦି ଛାଡୁଛି କେତେ ଡାକ,
ବାଛୁରୀ ଧର ଦୁହିଁବି କ୍ଷୀର ଦେଖିବ ଆସ ମାପ ।
ଫିଟାଅ ଗାଈ କୁଳୁଚି ପେଇ ଗାଇଆଳ ଛାଡେ ରଡି,
ଗହୀର ପାଟ ବହୁତ ବାଟ ଆସଇ ଖରା ମାଡି ।
କଅଁଳ ଖରା ନଖାଇ ନଡା ବାଛୁରୀ ଡିଆଁ ମାରେ,
ଦାଣ୍ଡରେ ଦୌଡି ଛାଡଇ ରଡି ମାଆକୁ ତା'ର ଝୁରେ ।
ମାଲୁଣୀ ନାନୀ ଉଡାଇ କାନି ପସରା ଫୁଲ ନେଇ,
ମନ୍ଦିର ଖୋଲି ଗୁନ୍ଥଇ ମାଳି ମନରେ ଗୀତ ଗାଇ ।
ମାଗୁଣି ଦାଶ ବଜାଇ ଘଣ୍ଟ ପୂଜଇ ଗ୍ରାମଦେବୀ,
ଉଖୁଡା ମୂଆଁ ଝୁଣାର ଧୂଆଁ ପଢଇ ମନ୍ତ୍ର ଭାବି ।
ଚନ୍ଦନ ମାରି ଥାଳଟି ଧରି ଚକୁଳିଆ ପଣ୍ଡା ଡାକେ,
ଚାଉଳ ବିରି କଖାରୁ ବଡ଼ି ଦିଅ ହେ ମାଆ ଟିକେ ।
ଦେଖାଇ ତୋଡ କଚାଡି ଗୋଡ ରେଡିଓ ଜେଜେ ଧରି,
ଆକାଶବାଣୀ ଖବର ପୁଣି ଶୁଣନ୍ତି କାନ ଡେରି ।
ବଇଦ ବୁଢା ବନେଇ କାଢା ଡାକଇ ରୋଗୀ ଆସ,
ହବନି ରୋଗ କରିଲେ ଯୋଗ ସଅଳେ ତେଜି ହେଂସ ।
ପେପର ବାଲା ବାଡେଇ ତାଲା ପିଣ୍ଡାକୁ ଦିଏ ଫିଙ୍ଗି,
ଆସନ ମାଡି ବସନ୍ତି ପଢି ଚଷମା ଜେଜେ ପିନ୍ଧି ।
ଗୁଡିଆ ନନା ଘୋଡାଇ କନା ଝୁଡିଟି ଧରି ଆସେ,
ପକୁଡି ବରା ନଡିଆ କୋରା ଘୁଘୁନି ଭାରି ବାସେ ।
ଶିକ୍ଷକ ବାବୁ କରନ୍ତି କାବୁ ହାତରେ ଧରି ବେତ,
ପଢରେ ପାଠ ନକରି ମଠ ଗାଆଁର ଯଶ ରଖ ।
ଆସିଲା ଗାଡି ଛାଡନ୍ତି ରଡି ଉଚ୍ଛନ୍ନ ଜେଜେ ହୋଇ,
ପିନ୍ଧରେ ଜୋତା ରଖରେ ଛତା ବସ୍ତାନି ଯାଅ ନେଇ ।
କାତକୁ ମାରି ଆଖିକୁ ଠାରି ନାଉରୀ ଗୀତ ଗାଏ,
ନଈକୁ ଚାହିଁ ଡଙ୍ଗାକୁ ବାହି କୂଳରୁ କୂଳ ଯାଏ ।
ନିଆଁକୁ ଜାଳି ବସନ୍ତି ମେଳି ସକାଳୁ ଶୀତ ଦିନେ,
ହିଂସାର ଭାବ ଅଶାନ୍ତି ରାଗ ନ ଥାଏ କାହା ମନେ ।
ବିଭିନ୍ନ ଜାତି ଅନେକ ମତି ଏକାଠି ଥା’ନ୍ତି ରହି,
ପାଳନ୍ତି ପର୍ବ ଏକତ୍ର ସର୍ବ ଚଳନ୍ତି ଭାଇ ଭାଇ।
ରାତିର ଶେଷେ ସକାଳ ଆସେ କଥାଟି ନିତ୍ୟ ସତ,
ଦୁଃଖର ପରେ ସୁଖ ଯେ ଫେରେ ଜୀବନ ଚକ୍ର ଏତ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।