1/02/2019

ବଞ୍ଚାଅ, ବଢାଅ, କନ୍ୟାରତ୍ନ

                                                ନାରାୟଣ ଚନ୍ଦ୍ର ସେନାପତି
                                                   ବରିଷ୍ଠ ଶିକ୍ଷକ
                       ମୋତେ ମାରି ଦିଅନା ବାପା,ମୋତେ ମାରି ଦିଅନା ମା', ମୁଁ ପରା ତୁମ ଗେହ୍ଲା ଝିଅ।ମୋର କିଛି ଲୋଡା ନାହିଁ, ମୁଁ କେବଳ ବଞ୍ଚିବାକୁ ଚାହେଁ। ମାତୃ ଗର୍ଭରୁ କନ୍ୟାଭୃଣର ଆତୁର ଚିତ୍କାର,ଏଇ କରୁଣ ରୋଦନ ଯା'ର କର୍ଣ୍ଣପାତ ହୋଇଛି, ସେ ସ୍ତବ୍ଧ ଚକିତ ହୋଇ ଯାଇଛି,ତା'ର ହୃଦୟଟା ଭୟ, ଆଶଙ୍କାରେ ଥରି ଉଠିଛି । ହେଲେ ତା'ର ଦରଦୀ ଆତ୍ମାର ଅନ୍ତର୍ଧ୍ବନି ସାଂପ୍ରତିକ ସମାଜରେ ନିଷ୍ଫଳ ପ୍ରାର୍ଥନା ପାଲଟିଛି । କାହିଁକି ଆଉ  କ'ଣ ପାଇଁ  ? ଯିଏ ସ୍ରଷ୍ଟାଙ୍କ ଏକ ଅନୁପମ ସୃଷ୍ଟି , ଭବିଷ୍ୟତରେ ବଡ ହୋଇ ସୃଷ୍ଟି କରିବ ଶତ ସହସ୍ର ପ୍ରତିଭା ତା'ର ଆର୍ତ୍ତନାଦକୁ ଏବର ମାନବିକତା ବିହୀନ ମାନବ ନିରବ ଦ୍ରଷ୍ଟା ଓ ବଧିର ଶ୍ରୋତା ପରି ଅବାକ୍ ହୋଇ ଦଣ୍ଡାୟମାନ ହୋଇଛି।
       ଏସବୁକୁ ଦେଖିଲେ ମନେ ପଡେ ସେହି ପୁରାଣ , ଆଦି ଯୁଗର କେତେକ ଅମୃତବାଣୀ ; କନ୍ୟାରତ୍ନ....ମହାରତ୍ନ , କନ୍ୟାଜନ୍ମ କଲେ ଜୀବନ  ସାର୍ଥକ, କନ୍ୟାଦାନ ମହାପୁଣ୍ୟ । ସେ କାଳରେ ଯାହା ଘରେ କନ୍ୟା ସନ୍ତାନ ଜନ୍ମ ନେଉଥିଲା,ତା' ଘରେ ଲକ୍ଷ୍ମୀ ବିଜେ କଲେ ଶୁଣା ଯାଉଥିଲା।ଲୋକେ କହୁଥିଲେ ଧନ୍ୟ ସେ ଯୋଗଜନ୍ମା ପିତାମାତା କନ୍ୟାରତ୍ନଟେ ଜନ୍ମ କରିଛନ୍ତି।କିଏ ତା' ଜନ୍ମକଲା  କନ୍ୟାକୁ ବିବାହ ଦେଉଥିଲେ ଶୁଭେ , ଆହା ! କନ୍ୟାଦାନ କରି ମହାପୁଣ୍ୟ ଲାଭ କଲେ।ମୁନିୠଷିମାନେ କହୁଥିଲେ ସାତଟି ବୃକ୍ଷ ରୋପଣ କରି ପୁଣ୍ୟ ଲଭିବା ଯାହା ଗୋଟିଏ କନ୍ୟା ଜନ୍ମ କରିବା ତାହା।ମାତ୍ର ଏସବୁ ଭୁଲିଯାଇଛି ଏବର ବିଜ୍ଞାନ ଯୁଗର ଅଜ୍ଞାନ ମାନବ।କାହିଁକି?କ'ଣ ପାଇଁ?
               ପୂର୍ବେ ମଣିଷ ସରଳ ଓ ନିରାଡମ୍ବର ଜୀବନ ଯାପନ କରୁଥିଲା। ରାତାରାତି ବଡଲୋକ ହେବା,ଧନ ଦୌଲତ ପଛରେ ମାରାଥାନ୍ ରେସ୍‌ ପରି ଦୌଡି ବିଶାଳ ସମ୍ଭ୍ରାନ୍ତ ଅହଙ୍କାରର ପାହାଡ ସୃଷ୍ଟି କରିବା ଚିନ୍ତା କରୁ ନ ଥିଲା।ତେବେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତା' ମେରୁଦଣ୍ଡ ବଙ୍କାଇ ଦେଲା ତ ସ୍ୱଚ୍ଛଳତାର ହୃତପିଣ୍ଡକୁ ଥରାଇଦେଲା।ଝିଅଟିଏ ଜନ୍ମ କରି ବଡ କରି ବିବାହ ଦେବା ବେଳେ ଯାନିଯୌତୁକ ଦେବା ପାଇଁ ତା' ଘରବାଡି ବିକ୍ରି କରିବା ସଙ୍ଗେ ସଙ୍ଗେ ଋଣ ପାଇଁ ପର ଦୁଆରେ ହାତ ପତାଇଲା।ସର୍ବସ୍ୱାନ୍ତ ଓ କାଙ୍ଗାଳ ହୋଇଗଲା।ଝିଅ ଥିବା ଭାଇ ଓ ଝିଅ ନ ଥିବା ଭାଇଙ୍କ ସମାନ ସମ୍ପତ୍ତି ଥିଲେ ଝିଅ ଥିବା ଭାଇ ଦୀନଦରିଦ୍ରରେ ପରିଣତ ହେବା ସଙ୍ଗେ ସଙ୍ଗେ ମାନସିକ ଭାରାକ୍ରାନ୍ତ ହୋଇ ଆତ୍ମସମ୍ମାନ ହାନୀ ଓ ଅଳ୍ପାୟୁ ହେଲା।ତତ୍ପରେ ଝିଅଟିକୁ ପାଠ ପଢେଇ ଶିକ୍ଷିତ କଲାପରେ ଉପଯୁକ୍ତ ବରପାତ୍ରରେ ବିବାହପାଇଁ ଅର୍ଥ ସଂଗ୍ରହ ତା' ସ୍ୱଚ୍ଛଳତା ଭିଟାମାଟିକୁ ଖୋଳି ଗର୍ତ୍ତ କରିଦେଲା।ତୁଳନା ଓ ବିକାର ଗ୍ରସ୍ତ ପିତାମାତା ସମାଜରେ ବଞ୍ଚିବା ଓ ସମ୍ମାନ ବଜାୟ ପାଇଁ ଘୃଣାକଲେ କନ୍ୟା ସନ୍ତାନ ଜନ୍ମ କରିବାକୁ।
       ଆରମ୍ଭ ହେଲା ଭୃଣ ହତ୍ୟା ପ୍ରକ୍ରିୟା।ବିଜ୍ଞାନର ଅଗ୍ରଗତିରେ ଅର୍ଥ ଦେଇ କଲେ ଲିଙ୍ଗ ନିରୂପଣ ଓ ଔଷଧ ତଥା ଗର୍ଭପାତ କରାଇ କନ୍ୟା ଭ୍ରୁଣ ହତ୍ୟା ସାଜି ଦୁର୍ଦ୍ଧର୍ଷ ଘାତକ ଘାତିକା।
      ଦୈବାତ୍ କନ୍ୟା ସନ୍ତାନ ଭୂମିଷ୍ଠ ହେଲେ ସେ ହେଲା ଘୃଣିତା,ଅବହେଳିତା ।ପୁଅ ଝିଅଙ୍କୁ ଭଲପାଇବାର ପକ୍ଷପାତିତା।ଶିକ୍ଷା ଅଧିକାରରୁ ବଞ୍ଚିତ ଯୌତୁକ ଦେବା ଭୟରେ।ଦୋଷ ନ ଥାଇ ତାକୁ ଦଣ୍ଡ,କଠୋର ଅନୁଶାସନ।ତା' ସ୍ୱାଧୀନତା,ସମାନତାର ପାଚେରୀ ଭାଙ୍ଗି ଚୁର୍‌ମାର ହୋଇଗଲା।ତା' ଧୈର୍ଯ୍ୟ,ସହନଶୀଳତାର ହିମାଳୟରୁ ଝରିଲା ପତିତପାବନୀ ଗଙ୍ଗା।ବାଃ ବାଃରେ ଦୁନିଆ।
       ଭୁଲିଗଲା ମଣିଷ ସେ ମନିଷୀଙ୍କ ଅମୃତବାଣୀ-ଦୁହିତା ଦୁଇ କୁଳକୁ ହିତା।ବଡ ହୋଇ ବିବାହ କରି ସେ ସାଜେ କୂଳବଧୂ,ସେ ପବିତ୍ରା।ଜୀଅନ୍ତା ଶ୍ରାଦ୍ଧ ଦେଇ ନିଜ ପିତା-ମାତାଙ୍କୁ ସେ ଶାଶୂଘରେ ଶାଶୂ ଶ୍ୱଶୁରଙ୍କ ମୃତ୍ୟୁ ପରେ ପିଣ୍ଡଦାନ କଲେ।ପତ୍ନୀ ବିନା ଶୁଭ,ଯାଗ ଯଜ୍ଞ ଫଳବତୀ ହୁଏନା।
       ଅବହେଳିତ ଝିଅକୁ ଅତ୍ୟାଚାର,ବ୍ୟଭିଚାର କରିବାକୁ ପଛାଏ ନାହିଁ ସମାଜ।ନାବାଳିକାକୁ ବଳାତ୍କାର,ଧର୍ଷଣ,ବେଶ୍ୟା ବୃତ୍ତି ପାଇଁ ବିଦେଶ ଚାଲାଣ କରିବାକୁ ସେ ପଛାଏ ନାହିଁ।ଟିକିଏ ବି ଚିନ୍ତା କରେନା ଯେ କୁନି ଝିଅଟିଏ ହୋଇ ପରିବାରର ହସ ସଂଚାର କରେ,ଭଉଣୀଟିଏ ହୋଇ ମମତା ବାନ୍ଧେ,ସ୍ତ୍ରୀ ଟିଏ ହୋଇ ତ୍ୟାଗୀ ସେବିକା ସାଜେ,ମା'ଟିଏ ହୋଇ ବାତ୍ସଲ୍ୟ ମମତା ଦିଏ ଓ ବଂଶ ବୃଦ୍ଧି କରାଏ,ତା' ପାଇଁ କେମିତି ଏ ଅବିଚାର କରିବି?
        ଯୁଗ ବଦଳି ଗଲାଣି,ଜନସଂଖ୍ୟା ନିୟନ୍ତ୍ରଣ ସଙ୍ଗେ ସଙ୍ଗେ କନ୍ୟା ଜନ୍ମ ହାର ଏତେ କମି ଗଲାଣି ଯେ ଘୃଣିତ କନ୍ୟା ଏବେ ହିଂସ୍ରିକ ଅମଣିଷ ମାନବ ଏବେ ବୁଝିଲାଣି ନିଜକୁ।ଦୁତି,ପି.ଟି.ଉଷା,ସାନିଆ,କଳ୍ପନା,ଲତା ଲକ୍ଷ୍ମୀବାଈ,ସରୋଜିନୀ,ରମାଦେବୀ ଓ ଚଳଚ୍ଚିତ୍ର ନାୟିକାଙ୍କ ପାରଦର୍ଶିତା ଦେଖି କନ୍ୟା ପ୍ରତି ଘୃଣା ଘନେଇ ଆସିଲାଣି ।ସତେ ଯେମିତି ତାକୁ କିଏ କହୁଛି,କନ୍ୟା-ଅବଳା..ଦୁର୍ବଳା ନୁହଁ,ସେ ସର୍ବଗୁଣ ସମ୍ପନ୍ନା ସବୁ କରି ପାରେ।ଏବେ କେତେକ ପୁତ୍ର ତାଙ୍କର ବୃଦ୍ଧ-ବୃଦ୍ଧା ପିତା-ମାତାଙ୍କୁ ଅଣଦେଖା,ନିର୍ଯ୍ୟାତନା ଦେଉଥିବା ବେଳେ ଝିଅଟି ବ୍ୟାକୁଳତାରେ ସହାୟ ହୋଇ ପାରୁଛି।ଏବର ସଚେତନତା ଝିଅ ପଢିଲେ ଦେଶ ଉଜ୍ଜ୍ୱଳ,ମା'ହେଲେ ପାଠୋଇ ..ଦେଶଯିବ ଆଗେଇ ତା'ର ଉତ୍ସୁକତାକୁ ତ୍ୱରାନ୍ୱିତ କରି କହୁଛି କନ୍ୟାକୁ ଭଲ ପାଇବା ପାଇଁ ।ମ୍ୟାଡାମ୍ କ୍ୟୁରୀ ଓ ପ୍ରତିଭା ପାଟିଲ୍‌ଙ୍କ ଦାନ କ'ଣ କମ୍ ?ସାବିତ୍ରୀ,ସୀତା,ଅନସୂୟାଙ୍କ ସ୍ମୃତି ଭାଳି ଗାନ୍ଧାରୀ ,ମୀରାବାଈଙ୍କ ଗୁଣଗାନ କରି କରି ସମାଜ ଖୋଜୁଛି ଏମିତି ସଜେଇବାକୁ କନ୍ୟାରତ୍ନକୁ।ଇଣ୍ଟରନେଟ୍‌ର କାମ ଠାରୁ କନ୍ୟାର କାମ ବହୁତ ଉଚ୍ଚରେ।ଏ ଗୁଣାବଳୀକୁ ତନ୍ନ ତନ୍ନ କରି ବୁଝିଲେ,ଆଦରିଲେ ଯେ କୌଣସି ମଣିଷର ମନ,ଅନ୍ତର ଓ ଆତ୍ମା ନିଶ୍ଚୟ କହିବ ...
ସରକାରୀ ଉ.ପ୍ରା. ବିଦ୍ୟାଳୟ, ଡିମିରିଆ,ତେଲକୋଇ,କେନ୍ଦୁଝର
ଦୂରଭାଷ-୯୪୭୭୮୨୪୩୨,୭୯୭୮୭୯୯୬୬
    "ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।