1/31/2022

ନବବର୍ଷର ଅନୁଚିନ୍ତା

                           ଡକ୍ଟର ଲକ୍ଷ୍ମଣ ସାହୁ 
 ୨୦୨୧ ବିଦାୟ ନେବାକୁ ଯାଉଛି । ଏହି ବର୍ଷଟି ସମସ୍ତଙ୍କୁ ଅନେକ ତିକ୍ତ ସ୍ମୃତି ଦେଇ ଯାଉଛି । ଅନେକଙ୍କୁ ନିଜ ପ୍ରିୟଜନଙ୍କୁ ହରାଇବାର ଦୁଃଖ ଦିଆଯାଇଥିଲା । କେତେକଙ୍କୁ ଜୀବନରେ ନୂତନ ଜୀବନ ସହିତ ନୂତନ ସ୍ମୃତି ଦିଆଯାଇଥିଲା । ପ୍ରତିବର୍ଷ କର୍ମର ଗତି ସମାନ ନୁହେଁ । ନୂତନ ବର୍ଷରେ ଆମେ ପ୍ରତ୍ୟେକ  ଏକ ନୂତନ ଜୀବନ ପାଇଁ ଇଚ୍ଛା କରିଆସିଛେ । ତିନି ଶହ ପଞ୍ଚଠି ଦିନର ଅବଧି କମ୍ ନୁହେଁ, ଯାହା ଜୀବନର ସ୍ମୁତି ଫରୁଆରେ ବହୁତ କିଛି ସାଇତି ଦେଇଥାଏ, ଯାହା ପାଇଁ ଆମେ କୃତଜ୍ଞ ମଧ୍ୟ ହୋଇନଥାଉ । ବରଂ ଏତେ ମାତ୍ରାରେ ଗତି କରିଥାଉ ଯେ ଆମେ ଦୁଃଖିତ ମଧ୍ୟ ହୋଇପାରିବା ନାହିଁ । 

        ବିଗତ ବର୍ଷ ମଧ୍ୟ ମୋ ସହିତ ବହୁତ କିଛି ଲୁଚକାଳି ଖେଳିଛି । କରୋନା ମୋର ଅନ୍ତରଙ୍ଗ ବନ୍ଧୁ ଓ ଆତ୍ମୀୟ ମାନଙ୍କ ଜୀବନ ନେଇଛି , ଅମାପ ଦୁଃଖ ଦେଇଥିଲେ ମଧ୍ୟ ହାରିନାହିଁ , ବରଂ ବଞ୍ଚିରହିବାର ଅନେକ ପ୍ରେରଣା ପାଇଛି ।  କିନ୍ତୁ ହାରିଯିବା ପରେ ସବୁ କିଛି ତ୍ୟାଗ କରି ଜୀବନକୁ ଅଭିଶାପ ଦେବା ଆରମ୍ଭ କରୁଥିବା ବ୍ୟକ୍ତି କ’ଣ ପାଏ ? ପୁରୁଣା ଜୀବନକୁ ସମାଧି ଦେଇ ଏକ ନୂତନ ସୃଷ୍ଟି କରିବାକୁ, କେବଳ ଅତୀତଠାରୁ ଦୂରେଇ ଭବିଷ୍ୟତ ଆଡକୁ ଦେଖନ୍ତୁ । କ୍ୟାଲେଣ୍ଡର ଉପରେ ଦୃଷ୍ଟି ଦିଅନ୍ତୁ, ନୂତନ ତାରିଖ ଗୁଡ଼ିକ ହେଉଛି ନୂଆ ଆଶା । କିନ୍ତୁ ନୂଆ ବର୍ଷ ପ୍ରକୃତରେ କିଛି ବିଶେଷ ଅଟେ କି ?

       ବାସ୍ତବରେ, ଏସବୁ ଆମ ଭିତରେ ଘଟେ , ଯାହା ଆମେ ଜୀବନରେ କରିଛୁ । ପ୍ରତିବର୍ଷ ଅନୁଭବର ଗ୍ରାଫ୍ ଉପରକୁ ଓ ତଳକୁ ଯାଇଥାଏ । ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ଜୀବନହୀନତା ପାଇଁ ସମୟ କେବେ ସ୍ଥିର ହୋଇପାରିବ ନାହିଁ , ଯାହା କେବଳ କ୍ୟାଲେଣ୍ଡର ଦିନ , ମାସ ଓ ବର୍ଷ ପରିବର୍ତ୍ତନ ହେତୁ ବନ୍ଦ ହୁଏ ନାହିଁ ।  ସମାନ ଚିନ୍ତା କରିବା ଏବଂ ଆମ ଭଳି ସମାନ ଅନୁଭବ କରିବା ଭଳି ହୃଦୟ ଏପରି ପ୍ରହାର ଜାରି ରଖିବ । ବର୍ଷ ବଦଳାଇବା ଅର୍ଥ ହେଉଛି ତୁମକୁ କେବଳ ନିଜକୁ ପରିବର୍ତ୍ତନ କରିବାକୁ ପଡିବ । ଉତ୍ତମ ଫଳାଫଳ ଚିନ୍ତା କର, ବିବେକ ରୂପକ ପୁସ୍ତକକୁ ପ୍ରେମ କର , ଦୁଃଖ କର, ସୁଖକୁ ମଧ୍ୟ ପାଳନ କର ।

       ଏହା କେବଳ ସ୍ମୁତି ପଟରେ ଜମା ହୋଇନଥାଏ । ଯାହା ଆମେ ବିଭିନ୍ନ ସମୟରେ ଏପରି କିଛି କରିଥାଉ । ତା’ପରେ ତାରିଖର ଏହି ପାର୍ଶ୍ୱରେ ନା ଅନ୍ୟ ପାର୍ଶ୍ୱରେ ? ତିନିଶହ ପଞ୍ଚଷଠି ଦିବସ କଣ୍ଟ ଦେଇ ଆସିଥିବା ବର୍ଷ ବଦଳିଯାଏ,  ହେଲେ ଅସରନ୍ତି ସ୍ମୁତି ସବୁ ଛାଡ଼ି ଦେଇଯାଏ ? ବାସ୍ତବରେ, ନୂତନ ବର୍ଷକୁ ସ୍ୱାଗତ କରିବାର ଅର୍ଥ ହେଉଛି ଏକ ନୂତନ ଚେତନା, ନୂତନ ଶକ୍ତି, ଏକ ନୂତନ ଆତ୍ମା , ଏକ ନୂତନ ସଂକଳ୍ପ , ଏକ ନୂତନ ଉଦ୍ଦେଶ୍ୟ , କିଛି ନୂତନ କରିବାର ପ୍ରତିଜ୍ଞା , ଯାହା ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ବିଦାୟୀ ବର୍ଷ କିଛି ତିକ୍ତ କଥା ଛାଡିବାର ଅନୁଭବ ସହିତ ନୂତନ ପଥ ଚାଲିବାକୁ ମାର୍ଗ ଦର୍ଶାଇ ଥାଏ । କେବଳ ଏହା କରିବା ଦ୍ୱାରା ଆମେ ନୂତନ ବର୍ଷକୁ ପ୍ରକୃତ ଅର୍ଥରେ ସ୍ୱାଗତ କରିପାରିବା । ନୂତନ ବର୍ଷର ମୌଳିକ ଉଦ୍ଦେଶ୍ୟ ହେଉଛି ଆମର ନିଷ୍କ୍ରିୟତାକୁ ଭାଙ୍ଗିବା ଏବଂ ସକ୍ରିୟ ହୋଇ ନିଜକୁ ଗତିଶୀଳ କରିବା  ନୂତନ ସମୟ ଆମର ଏକୀଭୂତ ଗର୍ବ ଅହଂକାରକୁ  ବିଲୋପ କରିବା ସହିତ ମନକୁ ଏକ ନୂତନ ରଙ୍ଗରେ ପୂର୍ଣ୍ଣ କରେ , ଯାହା ଦ୍ୱାରା ଆମର ଅନ୍ତର୍ନିହିତ ଶକ୍ତି ଏହାର କାର୍ଯ୍ୟରେ ପୂର୍ଣ୍ଣ ଶକ୍ତି ସହିତ ବ୍ୟବହାର ହୋଇପାରିବ । ଜନ୍ମ ଏବଂ ମୃତ୍ୟୁ ହେତୁ ଯଦି ତୁମର ନିଜ ଭିତରେ ସ୍ଥାୟୀ ନୂତନ ଶକ୍ତି ନାହିଁ, ତେବେ ତୁମେ ବୁଝିବା ଉଚିତ ଯେ ତୁମକୁ ନୂଆ ବର୍ଷକୁ ଏହିପରି ପାଳନ କରିବାକୁ ପଡିବ ।  ନୂତନର ଅର୍ଥ ହେଉଛି - ସବୁକିଛି ନୂଆ (ନୂତନ) ଅଟେ, ଯେପରି ଏକ ସାପ ତା’ର ଅଳିଆକୁ (କାତି ଛଡ଼ାଇ) ଛାଡ଼ି ଏକ ନୂଆ ଆବରଣ ପିନ୍ଧେ, ସେହିଭଳି ନୂଆ ବର୍ଷରେ, ଆମେ ଆମର ମୂଳ ମାନସିକତା ଛାଡ଼ି ଏକ ନୂତନ ମାନସିକତା ଗ୍ରହଣ କରିବା ଉଚିତ୍ । ଏଠାରେ ସମସ୍ତେ ହୋଲିର ପର୍ବ ଭଳି, ଏହି ନୂତନ ବର୍ଷକୁ ବହୁତ ଭଲ ରଙ୍ଗରେ ପ୍ରକାଶ କରିଥାନ୍ତି । ହୋଲି ବାହାନରେ ଲୋକମାନେ ନିଜ ଘରର ଅଳିଆ ଆବର୍ଜ୍ଜନା ଫିଙ୍ଗିଥା'ନ୍ତି । ଯେଭଳି ପୁରାତନ ଅବ୍ୟବହୃତ ଜିନିଷ ସବୁ ହଟେଇ ସେହି ଶୂନ୍ୟ ସ୍ଥାନରେ ନୂତନ ବସ୍ତୁ ସଜ୍ଜିତ କରି ରଖିବା ଦ୍ଵାରା ସ୍ଥାନର ଶ୍ରୀବୃଦ୍ଧି ଘଟିଥାଏ । ସେହିଭଳି ମନ୍ଦ ଅଭ୍ୟାସ ଓ ଉଦ୍ଦେଶ୍ୟଗୁଡିକୁ ପରିତ୍ୟାଗ କରି ଉତ୍ତମ ବ୍ୟବହାର ଦ୍ଵାରା ସକଳଙ୍କ ମନ ହରଣ କଲେ ଜୀବନ ଅମୃତମୟ ପାଲଟି ଯାଏ । ଜନମାନସରେ ସାଧାରଣରୁ ଅସାଧାରଣ ପାଲଟି ଯାଉଥିବା ମାନବ ମାନବରୁ ଦେବତାରେ ରୂପାନ୍ତରିତ ହୋଇଯାଏ । ଏହାହିଁ ହେଉ ନୂତନ ବର୍ଷର ଆଗମନୀ ଶୁଭେଚ୍ଛା..!!!

ଅଧ୍ଯକ୍ଷ , ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ - ୪
ଦୂରଭାଷ - ୯୦୪୦୧୫୧୪୭୫
Email :-Laxmansahoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

ପଥ ଭ୍ରଷ୍ଟ ନେତା - ବିକଳ ଜନତା


ଟୁକୁନା ସାହୁ                                                
ପ୍ରଥ ଭ୍ରଷ୍ଟ ନେତା ବିକଳ ଜନତା 
ଲାଭ ପାଏ ଚାଟୁକାର 
ବିକାଶ ନାମରେ ଆତ୍ମସାତ ହୁଏ 
ଗରିବର ଅଧିକାର । 
ମନ୍ତ୍ରୀ ଠାରୁ ଯନ୍ତ୍ରୀ ସବୁଠି ଦୁର୍ନୀତି
ନାହିଁ ତା'ର ପ୍ରତିକାର 
ଫାଇଲି ଘୁଞ୍ଚେନି ଅର୍ଥ ବିନା ଏଠି 
ଅଫିସରେ ପଛେ ମର । 
ଲୋକ ପ୍ରତିନିଧି ନାମକୁ ମାତର 
ମିଛ ପ୍ରତିଶ୍ରୁତି ଦେଇ
ବିଶ୍ୱାସରେ ବିଷ ଭରନ୍ତି ଅଚିରେ 
ଖାଲି ନିଜ ସ୍ବାର୍ଥ ପାଇଁ । 
ଦୋମୁଣ୍ଡିଆ ନୀତି ତାଙ୍କରି ପ୍ରକୃତି 
ଜନତା ଭୋକୁଆ ହୁଏ 
ଅଣ୍ଟି ଭରିବାକୁ ତଣ୍ଟି ଚିପି ଦେବେ
ଏଥିରେ ସନ୍ଦେହ ନୁହେଁ ।  
ଉପରେ ବିନୟ ଅନ୍ତରେ କଟୁରୀ 
ପାଣିରେ ପକାଇ ସର 
ମଧୁର ବଚନ କୁହନ୍ତି ଛଳରେ 
ସତେ କି ସର୍ବେ ନିଜର  । 
ସାନ୍ତରା ପଲ୍ଲୀ - କନିଆରି - ଗଞ୍ଜାମ
ଜୟ ସାହିତ୍ୟ, ଜୟ ସମାଜ

କାୟା ବିସ୍ତାରିଛି ଧଳା ଜହର

ରଞ୍ଜିତା ସାହୁ
ମୁଣ୍ଡ ବିନ୍ଧିବାର କାରଣ ସାଜିଛି ଧଳା ଜହର । ଯାହା ଘରେ ଦେଖ ଯେଉଁଠି ଦେଖ ଗୋଟିଏ ଚର୍ଚ୍ଚା ; କାହା ପୁଅ କାହା ସ୍ବାମୀ । ଧନି ଲୋକ ଘରେ ବେଶୀ କିନ୍ତୁ ଗରିବ ପିଲାଟି ଯଦି ଏହାର ଶିକାର ଥରେ ହୋଇଗଲା ତେବେ ସରିଲା କଥା । ଗାଁ ଗହଳିରେ ଲୁଚା ଛପାରେ ବିକ୍ରି ଚାଲିଛି । ଘରେ ଖାଇବାକୁ ନାହିଁ କିନ୍ତୁ ନିଶା ପାଇଁ ଆଗ ଟଙ୍କା ରଖି ଘର ଖର୍ଚ୍ଚ କରୁଛନ୍ତି । ପ୍ରତିବାଦ କଲେ ସ୍ତ୍ରୀ ପିଲାଙ୍କ ଉପରେ ପ୍ରହାର । ଘରୁ ପିଲା ଟଙ୍କା - ସୁନା ଚୋରୀ କରି ଧଳା ଜହର ସେବନ କରୁଛନ୍ତି । ଏ.ଟି,.ଏମ୍ କାର୍ଡ ବାପାଙ୍କର ନେଇ ଟଙ୍କା ହଡପ କରୁଛନ୍ତି । କୋଟି କୋଟି ଟଙ୍କା ବିଷାକ୍ତ ନିଶା ସେବନରେ ଯାଉଛି । ଅଧିକ ହେଲେ କୌଣସି  ମୂହୂର୍ତ୍ତରେ ଜୀବନ ଯାଉଛି । ଘରେ ମାଆ , ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଏହି ଧଳା ଜହର କାୟା ବିସ୍ତାର କରିବାରେ ଲାଗିଛି । ଶିକ୍ଷିତ ଯୁବକମାନେ ଅଧିକ ମାତ୍ରାରେ ଶିକାର ହେଉଛନ୍ତି । ପାଠ ପଢିବା ନାଁରେ ଖଟି କରୁଛନ୍ତି । କମ୍ ବୟସର ସ୍କୁଲ ଛାତ୍ରମାନେ ମଧ୍ୟ ଧଳା ଜହର ଲୁଚି ଛପି ହେଉଛନ୍ତି । ପାଠ ପଢିବେ କ'ଣ ? ଜୀବନ ସେମାନଙ୍କର ମାଟି ହେଉଛି । କିପରି ଏହି ସମସ୍ୟାରୁ ସମସ୍ତଙ୍କୁ ମୁକ୍ତି ମିଳିବ ? ଏହାର ମୂଳକୁ ବିନାଶ କରି ଧଳା ଜହର କବଳରୁ ରକ୍ଷା ପାଇବ ସାରା ସଂସାର କେବେ ? କାହାକୁ କହିବ ଆଉ କିଏ ଶୁଣିବ ? 

        ଧନି ଘର ପୁଅ ଖାଇ ଜେଲ ଗଲେ ବାପା ଟଙ୍କା ଫୋପାଡି ଘରକୁ ଆଣୁଛି । ସ୍ୱାଧୀନ ଭାରତରେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଥିଲା ନିଶାମୁକ୍ତ ଭାରତ ; କିନ୍ତୁ ଆଜି ବଞ୍ଚିବା ପାଇଁ ଖାଦ୍ୟ ଅପେକ୍ଷା ଅଧିକ ନିଶା , ଧଳା ଜହର ଚାହିଁଲେଣି ଯୁବକ । ତା' ସଙ୍ଗେ ପାଠୁଆ ଯୁବତୀମାନେ ପାଲରେ ପଡି ଖରାପ ରାସ୍ତାକୁ ଆପଣାଉଛନ୍ତି । ଗୁରୁଜନଙ୍କ କଥା ମାନୁଛି କିଏ ? ବାହାର ଚାକଚକ୍ୟ ସାଙ୍ଗରୁ ଧଳା ଜହର ମଣିଷକୁ ଭୂଲ ରାସ୍ତାରେ ପାଦ ଦେବାକୁ ବାଧ୍ୟ କରୁଛି । ଏଥି ପାଇଁ କମ ବୟସର ପିଲା ବଳି ପଡୁଛନ୍ତି । ନାରୀ ନିର୍ଯ୍ୟାତିତ ହେଉଛି । ଅଧିକ ଦ୍ରୁର୍ଘଟଣାର କାରଣ ନିଶା  ଲୁଚିଛପି ବିକ୍ରି ଗାଁ ଠୁ ସହର ଯାଏ ହେଉଛି । ଯଦି ଆଖିରେ ପଡୁଛି ଏଥିପାଇଁ ଅନୁରୋଧ ଆଜିର ଭାଇ ଭଉଣୀମାନଙ୍କୁ ଏହାର ବିରୋଧ କର । ମୂଳ ଚେର ଉପାଡି ଫୋପାଡିବାକୁ ପ୍ରୟାସ କର । ତେବେ ଆମେ ଏହି ଜହର କବଳରୁ ମୁକ୍ତି ପାଇବ । ନହେଲେ ଜାଣୁ ଜାଣୁ ଆଖି ସାମ୍ନାରେ ଅକାଳେ ଅନେକ ଜୀବନ ଝଡି ଯିବ । ବେଳ ଥାଉ ସାବଧାନ ନହେଲେ ଅନ୍ଧକାର ଖେଳିଯିବ ।

                                                    ପାରାଦ୍ବୀପ ଗଡ଼ , କୁଜଙ୍ଗ , ଜଗତସିଂହପୁର
                                                    ଜୟ ସାହିତ୍ୟ, ଜୟ ସମାଜ

ସ୍ବାଧୀନତା ଅସ୍ତ୍ରରେ ଗଣତନ୍ତ୍ର

ଡକ୍ଟର ସଞ୍ଜୟ କୁମାର ପଣ୍ଡା
ସାହିତ୍ଯ ଏକାଡ଼େମୀ ସଦସ୍ୟ (ବୌଦ୍ଧ ଜିଲ୍ଲା) 

 ଇଂଲଣ୍ଡର ପ୍ରାକ୍ତନ ପ୍ରଧାନମନ୍ତ୍ରୀ Winston Churchill,, ଯିଏ କି ନିଜର ନେତୃତ୍ୱ ବଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲଣ୍ଡକୁ ବିଜୟ ପ୍ରଦାନ କରିଥିଲେ, ସେ ପ୍ରକାରାନ୍ତରେ ଭାରତର ଦୃଢ଼ ବିରୋଧୀ ଭାବେ କୁଖ୍ୟାତ । ତାଙ୍କ ମତରେ,
“ Power will go to the hands of rascals rouges, free broters. All Indian leaders will be of  law calibre & men of strow. They will have sweet tongues and silly hearts.They will fights amongst themselves for power and India will be lost in political sccubles.”

ଭାରତ ସ୍ବାଧୀନତାର ନିକଟବର୍ତ୍ତୀ  କାଳରେ ଦେଇଥିବା ଉକ୍ତ ଉକ୍ତି ବ୍ରିଟିଶ୍ ସଂସଦରେ ଭ୍ରୁକୁଞ୍ଚନ ସୃଷ୍ଟି କରିବା ସହ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା । ବିଭିନ୍ନ ପ୍ରକାର ବାଦାନୁବାଦ ସେଲାଗି କିଛି ପ୍ରତିଭାସମ୍ପନ୍ନ ରାଜନେତା ଏହାକୁ ଭୁଲ୍ ପ୍ରମାଣିତ କରିଥିବାସ୍ଥଳେ, ସାଧାରଣ ଜନତାଙ୍କ ମନରେ କେଉଁଠି ନା କେଉଁଠି ଏହାର ପ୍ରାସଙ୍ଗିକତା ପ୍ରତିଫଳିତ ହେଉଛି ।
ସ୍ବାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରୁ ଉଗ୍ର ଆଧୁନିକ ଯୁଗ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଗଣତନ୍ତ୍ରର କେତେବେଳେ ସଦୁପଯୋଗ କରାଯାଇ ଏହାର ଭିତ୍ତିଭୂମି ସୁଦୃଢ଼ କରାଯାଇଛି ତ’ କେତେବେଳେ ଏହାର ଛିଦ୍ର ଖୋଜି ଆଇନ୍‌ର ଜାଲରେ ଏହାକୁ ନିନ୍ଦିତ ଓ ଦୁର୍ବଳ କରାଯାଇଛି । ଏପରି ଏକ ଭାବାବେଗ ମଧ୍ୟରେ ଗଣତନ୍ତ୍ରର ସ୍ଥିତି ତା’ ଦ୍ୱାରା ପ୍ରଦତ୍ତ  ସ୍ବାଧୀନତା ଅସ୍ତ୍ରରେ ଶତଧା କ୍ଷତବିକ୍ଷତ ହୋଇଛି । କେତେବେଳେ ସାଧାରଣ ଜନତା ନିଜର ସ୍ବାର୍ଥସାଧନ ନିମନ୍ତେ ବାକ୍ ସ୍ବାଧୀନତା, କର୍ମ ସ୍ବାଧୀନତା ବା ଅନୁପାଳନ ସ୍ବାଧୀନତାର ଦ୍ୱାହି ଦେଇ ଗଣତନ୍ତ୍ରର ସ୍ବର୍ଣ୍ଣାକ୍ଷର ଅନୁଶାସନକୁ ଅଣଦେଖା କରି ନିଜର ପାରିବାପଣିଆର ପରିଚୟ ପ୍ରଦାନ କରୁଛି । ଠିକ୍ ସେହିପରି ଅତ୍ୟନ୍ତ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ରାଜନେତାଗଣ ଏହାର ଦୁରୁପଯୋଗ କରି ସାଧାରଣ ଜନତାକୁ ବୋକା ବନେଇ ନିର୍ବାଚନର ବୈତରଣୀ ପାର୍ କରିଥା'ନ୍ତି । ଫଳସ୍ବରୂପ ଅନ୍ତର୍ନିହିତ ଗୁଣବତ୍ତାର ଅଭାବ ହେତୁ ଗଣତନ୍ତ୍ରକୁ ନୂତନ ଦିଶା ନିର୍ଦ୍ଦେଶ କରିବାରେ ଅସଫଳ ହୁଅନ୍ତି ।

ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ , କିଛିମାତ୍ରାରେ ଅର୍ଥଲୋଭର ବଶବର୍ତ୍ତୀ ହୋଇ ବା ଶ୍ଳେଷାତ୍ମକ ଭାବରେ ପ୍ରଲୋଭିତ ହୋଇ ନିଜର ସ୍ବାଧୀନ ପ୍ରମୁଖ ଅସ୍ତ୍ର ‘ଭୋଟ’ ଅଧିକାରକୁ ବ୍ୟର୍ଥ କରିଥା'ନ୍ତି । କ୍ଷଣିକ ସୁଖ ହେତୁ, ମାଗଣା ପାଇବା ଓ ଖାଇବାର ଲାଳସା ଆଜି ଜନମାନସକୁ ପଙ୍ଗୁ କରିଥିବା ବେଳେ, ଗଣତନ୍ତ୍ରର ବିଧିବ୍ୟବସ୍ଥା ଭୁଷୁଡ଼ିବାକୁ ଲାଗିଲାଣି । ଲୋକମାନଙ୍କ ହିତାହିତ ଜ୍ଞାନ ନିର୍ବାଚନ କୈନ୍ଦ୍ରିକ ହେଉଥିବା ସ୍ଥଳେ ନିଷ୍ପ୍ରାପ୍ଯର ଧାରା କେବଳ ମାଗଣା ପ୍ରାପ୍ୟର କେନ୍ଦ୍ରବିନ୍ଦୁ ହେବାକୁ ଲାଗିଲାଣି । ଫଳତଃ ଗଣତନ୍ତ୍ରର ପ୍ରଥମ ସ୍ତମ୍ଭ ବିଧାନ ପରିଷଦ କିଛି ବଗ ପ୍ରକୃତିର ରାଜନେତାଙ୍କ କବଳରେ ବନ୍ଧା ପଡ଼ିଛି ।

ଠିକ୍ ସେହିପରି , ଅନ୍ଧମୁଖୀ ଆଇନ ମଧ୍ୟ ସ୍ବାଧୀନତାର ଅସ୍ତ୍ରରେ ଶତଧା ଆହତ । ସ୍ବାଧୀନତା ଦ୍ୱାହିଦେଇ ମଧ୍ୟ ଅନୁଶାସକ ଓ ଗଣମାଧ୍ୟମଗଣ ନିଜ ନିଜର ପତିଆରା ଜାହିର୍ କରିବାରେ ବ୍ୟସ୍ତ । କ୍ଷଣିକ ସ୍ବାଚ୍ଛନ୍ଦ୍ୟର ପ୍ରାବଲ୍ୟା କୋଟି କୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି । ଆଜିର ବୈଦ୍ଯୁତିକ ଅଦୃଶ୍ୟ ବିଶ୍ୱରେ ମିଛକୁ ସତକୁ ମିଛର ଆବରଣରେ ନୂତନ ରୂପ ଦେଇ ଏପରି ପରିପ୍ରକାଶ କରାଯାଉଛି ଯେ ସମଗ୍ର ସମାଜ ଏକ ଭ୍ରାନ୍ତୀୟ ପରିବେଶରେ ତିଷ୍ଠି ରହି ନିଜର ସ୍ବାଧୀନତାକୁ ନଷ୍ଟ କରି ଦେଉଛି । କିଛି ବୁଝି ବିଚାରି କାର୍ଯ୍ୟ କରିବାର କ୍ଷମତା ଧୀରେ ଧୀରେ ଅତ୍ୟଧିକ ସ୍ବାଧୀନତା ଅସ୍ତ୍ରରେ ବିଲୁପ୍ତ ହେଉଛି । ଏହି ଗଣତନ୍ତ୍ରରେ ସମସ୍ତ ଚାରୋଟି ସ୍ତମ୍ଭ ନିଜ ନିଜର ସ୍ବାଧୀନତାର ଦ୍ୱାହି ଦେଇ ସମନ୍ୱୟ ବିହୀନ କାର୍ଯ୍ୟପନ୍ଥା ଗ୍ରହଣ କରିବା ଫଳରେ ଗଣତନ୍ତ୍ରର ସ୍ଥାୟିତ୍ୱ ଦୋହଲି ଯାଉଛି । ସ୍ବାଧୀନତାର ବ୍ୟବସାୟୀକରଣ ଗଣତନ୍ତ୍ରର ପରିପନ୍ଥୀ ଅଟେ ।

ଗଣତନ୍ତ୍ରର ସ୍ବତନ୍ତ୍ର ଉପମା ହେଉଛି ସ୍ବାଧୀନତା । ସମ୍ବିଧାନର ପ୍ରଣେତାମାନେ ଭାରତବର୍ଷ ଭଳି ପବିତ୍ର ଭୂମିର ବିବିଧତାକୁ ହୃଦୟଙ୍ଗମ କରି ଏପରି ଏକ ସମ୍ବିଧାନ ପ୍ରଣିଧାନ କଲେ , ଯାହାକୁ ନେଇ ସାରା ବିଶ୍ୱ ଗର୍ବିତ ଓ ଆଶ୍ଚର୍ଯ୍ୟାନ୍ୱିତ । ଏଥିରେ ଥିବା ପ୍ରତ୍ୟେକ ଧାରା , ଉପଧାରା ଭାରତୀୟ ଜୈବ ବିବିଧତାକୁ ନିଜର ଆହରତ ମଧ୍ୟରେ ଏକ ରଜ୍ଜୁରେ ବାନ୍ଧି ରଖିବାରେ ସହାୟକ ହେଉଛି । ବିଭିନ୍ନ ସାଂସ୍କୃତିକ ଏ୍ୟତିହ୍ୟ , ଜୈବିକ, ଭୌତିକ ଗୁଣାବଳୀ ଭିନ୍ନ ଭିନ୍ନ ପ୍ରଦେଶରେ ଭିନ୍ନ ଭିନ୍ନ ପରମ୍ପରାରେ ଉପଲବ୍ଧ ହେଉଥିବା ସ୍ଥଳେ ସମାନ ନାଗରିକ ସଂହିତା ଲାଗୁ କରିବ ଏକ ଦୂରୁହ ବ୍ୟାପାର । ତଥାପି ଭାରତୀୟଗଣ ନିଜ ନିଜର ମହାନତାର ପରିଚୟ ଦେଇ ସମସ୍ତ ବିବିଧତାକୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ସହ ଗ୍ରହଣ କରିଥାନ୍ତି । ଏଥିପାଇଁ ଭାରତବର୍ଷର ଗଣତନ୍ତ୍ର ବ୍ୟବସ୍ଥା ଅନ୍ୟ ବିଦେଶ ତୁଳନାରେ ଅଧିକ ସକ୍ଷମ ଓ ଦକ୍ଷ ବିବେଚିତ ହେଉଛି । ଏଣୁ ପ୍ରତି ମୁହୂର୍ତ୍ତରେ , ପ୍ରତି କ୍ଷେତ୍ରରେ ଏକକ ନାଗରିକ ସଂହିତା ଆଶା କରିବା ଓ ଅନୁପଲବ୍ଧ ହେବା ପ୍ରକ୍ରିୟାରେ ପ୍ରତିକ୍ରିୟାଶୀଳ ହେବା ଗଣତନ୍ତ୍ର ଦକ୍ଷତାକୁ କୁଠାରଘାତ କରିବା ସହ ସମାନ । ଉତ୍ତରଭାରତୀୟ ଲୋକଙ୍କ ଚାଲିଚଳଣୀ , ଦକ୍ଷିଣଭାରତ , ମଧ୍ୟଭାରତ ବା ମଧ୍ୟ ପୂର୍ବ ଭାରତୀୟଙ୍କ ସହ ଅସାମଞ୍ଜସ୍ଯ ରହିବା ସ୍ବାଭାବିକ । ଫଳତଃ ଏ୍ୟତିହ୍ୟ , ସଂସ୍କୃତି , ଖାଦ୍ୟ ଅଭ୍ୟାସ , ପରମ୍ପରାର ପ୍ରଭେଦ ରହିବା ଅବଶ୍ଯମ୍ଭାବୀ । ଏ ସମସ୍ତଙ୍କୁ ନିଜ ନିଜର ସହନଶୀଳତାରେ ଗ୍ରହଣ କରିନେଲେ ଗଣତନ୍ତ୍ର ସୁଦୃଢ଼ ହେବ । ବେଳେବେଳେ ଖାଦ୍ୟଋଚିକୂ ନେଇ ବିଭିନ୍ନବର୍ଗର ଲୋକଙ୍କ ମଧ୍ୟରେ ଧର୍ମୀୟ ବିଭେଦତା ଦେଖାଦେଇ ଭିଡ଼ତନ୍ତ୍ରର ରୂପ ନେଇ ହିଂସାଭାବ ଉଦ୍ରେକ ହେଉଛି । ଏପରି ସ୍ଥଳେ ନିଜ ନିଜର ଗଣତନ୍ତ୍ରର ସ୍ବାଧୀନତା ଅଧିକାରକୁ ଦ୍ୱାହି ଦେଇ ଆମେ ଜିଦ୍‌ରେ ଅଟଳ ରହିବା । ତେବେ ଗଣତନ୍ତ୍ର ବିପଦଗ୍ରସ୍ତ ହେବ । କୌଣସି ଧର୍ମୀୟ ଭାବନାକୁ ଜୁଲୁମ କଲେ ଭାରତର ଏ୍ୟତିହ୍ୟ କଳୁଷିତ ହେବ । ସମ୍ବିଧାନର ପ୍ରତ୍ୟେକ ଧାରାକୁ ସମସ୍ତେ ସମ୍ମାନ ଦେବା ସହ ନିଜର ସ୍ବାଧୀନତାର ଅଧିକାରକୁ ଅନ୍ୟ ଉପରେ ଲଦି ଦେଇ ଯନ୍ତ୍ରଣା ଦେବା ଅପେକ୍ଷା ଆପୋଷ ଆଲୋଚନା ଭାଇଚାରାରେ ସମାଧାନ କଲେ ସାମାଜିକ ସନ୍ତୁଳନ ବଜାୟ ରହିବ । ଗୋଟିଏ ଧର୍ମ ଅନ୍ୟ ଧର୍ମର ଆରାଧ୍ୟକୁ ସମ୍ମାନ ପୂର୍ବକ ଭକ୍ତି କଲେ , ଏ ଦେଶ ସ୍ବର୍ଣ୍ଣମୟୀ, ଏ୍ୟତିହ୍ୟମୟୀ ହୋଇପାରିବ ।

ଆଜିର ସମାଜରେ ନିରକ୍ଷରଙ୍କ ସଂଖ୍ୟା ନ୍ଯୁନ ହେବାକୁ ଲାଗିଥିବା ବେଳେ ଶିକ୍ଷିତବର୍ଗର ଦାୟିତ୍ୱ ବହୁଗୁଣିତ ହୋଇଛି । ଏ ସମସ୍ତ ବର୍ଗ ସମାଜର କୁସଂସ୍କାରକୁ ଦୂରୀଭୂତ କରିବାରେ ନିଜର ପବିତ୍ର ସ୍ବାଧୀନତାର ଅସ୍ତ୍ର ବ୍ୟବହାର କଲେ ତାହା ନିଶ୍ଚିତ ଶାସ୍ତ୍ରର ମାନ୍ୟତା ପାଇବା କହିବା ବାହୁଲ୍ୟ , ଯୁଗେ ଯୁଗେ ଶାସ୍ତ୍ର ହିଁ ଅସ୍ତ୍ରକୁ ପରାଜିତ କରି ବୈଷମ୍ୟତା ମଧ୍ୟରେ ସାମ୍ୟତା , ବିବିଧତା ମଧ୍ୟରେ ଏ୍ୟକ୍ୟତା ପ୍ରତିଷ୍ଠା କରିପାରିଛି । ସାମୟିକ ଭାବେ ଦିଆ ଯାଉଥିବା ସରକାରୀ ସୁବିଧା ସୁଯୋଗକୁ ଯଦି ଆମେ ଆମର ସ୍ଥାୟୀ ଅଧିକାର ବିବେଚନା କରି ସ୍ବର ଉତ୍ତୋଳନ କରିବା ଗଣତନ୍ତ୍ରକୁ ବିରୋଧ କରି ବିଦ୍ରୋହ କରିବା , ତେବେ ସ୍ବାଧୀନତାର ଦ୍ୱାହି ହେବ  । ଏଣୁ ନିଜ ନିଜର ସାମର୍ଥ୍ୟକୁ ବଳ କରି ମାଗଣା ଉପରେ ବିଶେଷ ଭାବରେ ନିର୍ଭର ନ କଲେ , ପ୍ରତ୍ୟେକ ବର୍ଗର ଜନତା ଉପକୃତ ହେବେ , ଫଳରେ ଆମେ କୁଚକ୍ରୀ ଗୋଷ୍ଠୀ ନେତାଗଣଙ୍କ ସ୍ବାର୍ଥ କବ୍ଜାରୁ ମୁକୁଳି ପାରିବା ଓ ଅର୍ଥନୈତିକ ସାମାଜିକ , ଧାର୍ମିକ ଭାବନାର ଉପଯୁକ୍ତ ସନ୍ତୁଳିତ ସମନ୍ୱୟ ବଜାୟ ପାରିବା 

ତ୍ୟାଗରେ ହିଁ ସମାଜ ପରିମାର୍ଜିତ । ପରିପୁଷ୍ଟ ହୋଇଥାଏ । ଜଣେ ଅନ୍ୟ ଜଣଙ୍କ ପାଇଁ ଯଦି କିଛି କିଛି ତ୍ୟାଗ କରାଯାଏ ତେବେ ବିଦ୍ୱେଷ ଭାବର ଅନ୍ତ ହେବ । ସେତେବେଳେ ହିଁ ଆମେ ପ୍ରକୃତ ଗଣତନ୍ତ୍ର ବାସ୍ନା ଉପଲବ୍ଧି କରିପାରିବା ।

ଦୁଃଖ ଓ ପରିତାପର ବିଷୟ , ସାମ୍ପ୍ରତିକ ପରିସ୍ଥିତିରେ ଦକ୍ଷ , ବିଜ୍ଞ ଗଣତନ୍ତ୍ର ମଙ୍ଗୁଆଳ ଉପଲବ୍ଧ ଥିବା ସ୍ଥଳେ ସାଧାରଣ ସ୍ବାର୍ଥ , ଦ୍ୱେଷ ଓ ସଂକୀର୍ଣ୍ଣ ମାନସିକତାର ପ୍ରାଦୁର୍ଭାବ ହେତୁ ସ୍ବାଧୀନତାର ଅସ୍ତ୍ର ଗଣତନ୍ତ୍ରକୁ ଓ ସର୍ବୋପରି ସାଧାରଣ ଜନତାକୁ କ୍ଷତବିକ୍ଷତ କରୁଛି । ଏଥିପାଇଁ ବେଳେବେଳେ ଆଶଙ୍କା ସୃଷ୍ଟି ହେଉଛି ଯେ ଡସଦ୍ଭଗ୍ଦଗ୍ଧକ୍ଟଦ୍ଭ ଉଷଙ୍କକ୍ସମଷସକ୍ଷକ୍ଷଙ୍କ ଉକ୍ତିର ସତ୍ୟତା ଉପରେ ଯଦି ଏପରି ହୁଏ ସ୍ବାର୍ଥନ୍ୱେଷୀ ରାଜନେତା, ଟାଉଟରଙ୍କ ପ୍ରାଦୁର୍ଭାବ ହେତୁ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ଦୋଦୁଲ୍ୟମାନ ହେବ । ଏପରି ମିଷ୍ଟଭାଷି, ସଂକୀର୍ଣ୍ଣ ହୃଦୟମନା ବିଦ୍ରୋହୀଗଣ ପରସ୍ପରରେ କଳହ , ବିଦ୍ୱେଷ ସୃଷ୍ଟି କରିବେ , ଫଳତଃ ଏପରି ଅସ୍ଥିର ରାଜନୈତିକ ବାତାବରଣରେ ଗଣତନ୍ତ୍ର ସ୍ବତଃ ଧ୍ୱଂସ ହୋଇଯିବ ।

ଅତଏବ , ଆଜିର ଶିକ୍ଷିତ ଯୁବ ସମାଜ ବୟୋଜ୍ୟେଷ୍ଠ ଅନୁଭୂତ ସମ୍ପନ୍ନ ସମାଜ ସୁଧାରକମାନଙ୍କ ରେଖାଙ୍କିତ ଦିଗକୁ ଆପଣେଇ ସ୍ବାଧୀନତାର ଅସ୍ତ୍ରକୁ ନିୟନ୍ତ୍ରିତ ବ୍ୟବହାର କରି ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଜରେ ବସିବାକୁ ପ୍ରୟାସ କଲେ ଏ ପବିତ୍ର ଭାରତବର୍ଷ ବିଶ୍ୱଗୁରୁ ହେବ, ଏହା ନିଃସନ୍ଦେହ ।

ସମ୍ପାଦକ, ବୌଦ୍ଧଚକ୍ର , ବୌଦ୍ଧ
ଜୟ ସାହିତ୍ୟ, ଜୟ ସମାଜ

ଆହେ ଦୀନବନ୍ଧୁ

    ବ୍ରଜେଶ୍ବରୀ ସିଂହ            
  ଶିଶୁ ସାହିତ୍ୟିକା ତଥା ସମ୍ପାଦିକା (ବଉଳ ଫୁଲ)
ରତ୍ନ ସିଂହାସନେ ବସିଛୁ  କାଳିଆ 
ଭକତ ଜନଙ୍କ  ପାଇଁ 
ତୋ' ପରି ଠାକୁର ଅଧାଗଢ଼ା ମୂର୍ତ୍ତି 
କେଉଁଠି ଯେ ଦେଖିନାହିଁ  !
ସକାଳ ସୂରୁଜ ଉଇଁଲେ ମୋ' ମନ 
ଲାଗିଥାଏ ମୋର ପାଶେ 
ବ୍ୟାକୁଳ ମନକୁ ବୁଝାଇବା ପାଇଁ 
ନିଇତି ମନ୍ଦିର ଆସେ   !
ଗରବରେ ଛାତି ଫୁଲି ଉଠେ ମୋର 
ତୋତେ ଦେଖିଦେଲେ ଥରେ 
ରାମ ନାମ ଜପି ଯାଉ ଏ ଜୀବନ 
ତୋହରି ସିଂହ ଦୁଆରେ  !
ଦୁଃଖୀ ଦୁଃଖ ପ୍ରଭୁ ହରଣ କରିଛ 
ଭକ୍ତର ଡାକକୁ  ଶୁଣି 
ଆହେ ଦୀନବନ୍ଧୁ କରୁଣାର ସିନ୍ଧୁ 
ମୋ' ମନ ନେଏତୁ କିଣି  !
ତୋ' କରୁଣା ପାଇଁ ଚାହିଁ ବସିଅଛି 
ଶବରୀ ପରି ଅନାଇ 
କେଉଁଦିନ ପ୍ରଭୁ ଦୟା ହେବ ତୋର 
ମୁକତି ପାଇବି ମୁହିଁ   !

ଭଟିଆ , ଯାଜପୁର ରୋଡ଼ , ଯାଜପୁର 
ଦୂରଭାଷ - ୯୪୩୮୪୭୧୪୧୧

ଜୟ ସାହିତ୍ୟ, ଜୟ ସମାଜ

ଅନୁରୋଧ

ଉମାକାନ୍ତ ଦାସ 
ଦଶରଥପୁର ବ୍ଲକ , ମଙ୍ଗଳପୁର ଥାନା ଅନ୍ତର୍ଗତ ଅନେକ ଗ୍ରାମ ପଞ୍ଚାୟତ
ଗୁଡ଼ିକରେ ପ୍ରାୟତଃ ପ୍ରତି ଗାଁରେ ଦୁଇ ତିନୋଟି ଘରେ ସ୍ତ୍ରୀଲୋକମାନେ ଚୋରା ମଦ ବିକ୍ରୟ କରି ଚାଲିଛନ୍ତି । ସେଥିରେ ସେମାନଙ୍କ ସ୍ବାମୀମାନେ ମଧ୍ୟ ସହଯୋଗ କରୁଛନ୍ତି । ଯାହା ଫଳରେ ଜଣେ ଦିନ ମଜୁରିଆ ଯେତେ ଅସୁବିଧାରେ ପଡୁଛି ତ ପଡୁଛି ନାବାଳକ ପିଲାମାନେ ଘରୁ ବଭିନ୍ନ ପ୍ରକାର ଜିନିଷପତ୍ର ଚୋରେଇ ବେଶ ମଦ ପିଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକ୍ରମ କରି ଚାଲିଛନ୍ତି । ଏଥିପାଇଁ କ'ଣ ପୋଲିସର କିଛି କର୍ତ୍ତବ୍ୟ ନାହିଁ ? କେତେବେଳେ ଧରି ନେଇଯାଇ ଦିନେ ଦୁଇଦିନ ଥାନାରେ ରଖି ପୁଣି ବିଦା କରି ଦେଉଛନ୍ତି । ଗାନ୍ଧିଜୀ ଦିନେ ସ୍ବପ୍ନ ଦେଖିଥିଲେ ମଦ ମୁକ୍ତ ଭାରତ । ଆଜିର ଶାସନ , ପ୍ରଶାସନ , ନେତାମାନେ ଗଢୁଛନ୍ତି ମଦ ବହୁଳ ରାଷ୍ଟ୍ର । ଏହାର ପ୍ରତିକାର ପାଇଁ ଅଞ୍ଚଳବାସୀଙ୍କୁ ଅନୁରୋଧ ଜାଗ୍ରତ ହୁଅ ଦେଶ ବଞ୍ଚାଅ । 
ଲାଲ୍‌ବାଗ , ଖାନନଗର , 
ମଙ୍ଗଳପୁର , ଯାଜପୁର
                                                                      ଜୟ ସାହିତ୍ୟ, ଜୟ ସମାଜ

ନିଉଜ୍ ଫିଉଜ୍‌

ପ୍ରତାପ ଚନ୍ଦ୍ର ମିଶ୍ର
    ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିକ୍ରମ ପୁର ଗାଆଁକୁ ଭଲ ରାସ୍ତାଟିଏ ହୋଇ ପାରିଲା ନାହିଁ । କେତେ ନେତା ,ବୁଦ୍ଧିଜୀବୀ , ଗାଆଁ ମୁଖିଆ , ପାରିବାର ପଣିଆ ଥିବା ନେତୃତ୍ୱ ବ୍ୟକ୍ତି ଥିଲେ ; ଏବେବି ଅଛନ୍ତି କିନ୍ତୁ କାହାର ନିଘା ନାହିଁ କି ଆତ୍ମୀୟତା ନାହିଁ ସେହି ରାସ୍ତାର ଉନ୍ନତି କରଣ ପାଇଁ ।ଗଲା ଭୋଟ ବେଳେ ସରପଞ୍ଚକୁ ଲୋକେ ମୁଖ୍ୟତଃ ସେହି ରାସ୍ତାକୁ ବଳିଷ୍ଠ କରାଇବା ପାଇଁ ଜିତାଇ ଥିଲେ ଏବଂ ସରପଞ୍ଚ ବି ଦୃଢ ପ୍ରତିଶ୍ରୁତି ଦେଇଥିଲେ ସେ ନିଶ୍ଚୟ ଗାଆଁ ରାସ୍ତାକୁ ପକ୍କା କରାଇବେ। ଝିଅ , ବୋହୂ , ଅସୁସ୍ଥ ତଥା ଗମନା ଗମନର ସୁବିଧା ନ ଥିବା ଯୋଗୁଁ ସେହି ଗାଆଁର ଉନ୍ନତିକରଣ ହୋଇ ପାରିନାହିଁ । ଉପଯୁକ୍ତ ଚିକିତ୍ସା ନ ମିଳୁଥିବା ଯୋଗୁଁ , ଅକାଳରେ ଲୋକଙ୍କ ଜୀବନ ହାନୀ ଘଟୁଛି । ପୂର୍ବରୁ ମୁଖିଆ ଓ ସରପଞ୍ଚ ମାନେ ଏହି ରାସ୍ତାକୁ ନେଇ ବିଭିନ୍ନ ପ୍ରକାର ରାଜନୀତି କରିଛନ୍ତି । କେବଳ ଭୋଟ ପାଇଁ ସେହି ରାସ୍ତାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଉଠୁଛି ଏବଂ ଏ କଥା ବି ନିରାଟ ସତ୍ୟ । ଗାଆଁ ଲୋକ ବି ବେଶ୍ ଅନୁଭବ କରିସାରିଲେଣି । କିନ୍ତୁ ଏଥର ଆଉ ବରଦାସ୍ତ କରିବେ ନାହିଁ ବୋଲି ଗାଆଁ ଲୋକ ମାନେ ଦୃଢ  ନିଷ୍ପତ୍ତି ନେଇଛନ୍ତି । ଭୋଟ ବର୍ଜନ ସହ ଯିଏ ଭୋଟ ପାଇଁ ଆସିବ ତାକୁ କୈଫିୟତ ଦେବାକୁ ପଡ଼ିବ , କାହିଁକି ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିଲା ନାହିଁ ଆଉ କିଏ ଏହାକୁ କରିବ ? ଗାଆଁବାସୀ ଚାନ୍ଦା ଆଦାୟ କରି ନିଜେ ନିଜସ୍ଵ ଶ୍ରମ ଦେଇ ସେହି ରାସ୍ତାକୁ ତିଆରି କରିବେ ବୋଲି ଭାବି ନେଇଛନ୍ତି । କୌଣସି ରାଜନେତା , ଦଲାଲ ଅବା ଟାଉଟରଙ୍କୁ ପ୍ରଶ୍ରୟ ଦିଆ ଯିବ ନାହିଁ ବୋଲି ଦୃଢ ସଂକଳ୍ପବଦ୍ଧ ।
      ଦିବସ ପାଖେଇ ଆସିଲା । ଦଳ ଦଳ ନେତା , ସମର୍ଥକ , ଟାଉଟର ମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ସେହି ଗାଆଁକୁ ଆସିଲେ । ଗାଆଁର ନିଷ୍ପତ୍ତି କ୍ରମେ ପ୍ରବେଶ ଦ୍ଵାରରେ ଅଙ୍କୁଶ ଲଗାଯାଇଥିଲା । କେହି ବି ଗାଆଁ ଭିତରକୁ ପଶି ପାରୁ ନଥିଲେ । ଯିଏ ବି ଆସୁଥିଲା ଗାଆଁ କୋଠଘରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରାରେ କୈଦ୍ ହୋଇପଡ଼ିଥିଲେ ଏବଂ କୌଣସି ଅଭିସନ୍ଧି ବା ଭୋଟ ହାତେଇବା ଲୋଭ ପାଇଁ ଆଉ ସୁଯୋଗ ପାଇ ନ ଥିଲେ । ତଥା ଗାଁ ସୀମାରେ ଥିବା ବାଡ଼ ଡେଇଁ କିଏ ବି ପଶି ପାରୁ ନଥିଲେ ଗାଁରେ । ପହରା ଦେଇଥିବା ଜଗନ୍ ଡାକ ନାଁ ଜାଙ୍ଗା ଓ ଭିଲା ଦୁହେଁ ବଳିଷ୍ଠ ଓ ଗାଆଁ ପାଇଁ ନିର୍ଭୀକ ଭାବେ ସେଠାରେ ଜଗି ରହିଥିଲେ । ସଲାସୁତୁରା କରିବା ପ୍ରଶ୍ରୟ ମିଳୁ ନ ଥିଲା ସେଇଠି । 

        ସବୁ ଦଳ ଭିତରେ ଭାଳେଣି ପଡ଼ିଗଲା । ବିଗତ ସରପଞ୍ଚ ପାଖ ଗାଆଁ ଲୋକ । ବିକ୍ରମ ପୁର ଗାଆଁରେ ତାଙ୍କର ସମ୍ପର୍କୀୟ ରୁହନ୍ତି । ସେମାନଙ୍କ ଠାରୁ ଏ ଗାଆଁର ସବୁ ଖବର ଗୁପ୍ତରେ ସଂଗ୍ରହ କରିନେଇଥାଏ । ଏଥର ବି ସରପଞ୍ଚ ପାଇଁ ଆଶାୟୀ ପ୍ରାର୍ଥୀ । ଗାଆଁକୁ ନ ଗଲେ ପ୍ରଚାର କେମିତି ହେବ ? ଭୋଟ ପାଇଁ ସିନା ଗାଆଁ ଭିତରକୁ ଛାଡ଼ିବେ ନାହିଁ , ହେଲେ ନିଜ ବନ୍ଧୁଙ୍କୁ ଭେଟିବାକୁ ତ କିଛି ଅସୁବିଧା ନାହିଁ । ତେଣୁ ସେ ବନ୍ଧୁଙ୍କୁ ଭେଟିବା ଆଳରେ ଗାଆଁ ଭିତରକୁ ଯିବା ପାଇଁ ବାହାରି , ଗାଆଁକୁ ଯାଇ ଲୋକଙ୍କୁ ଭୁଆଁ ବୁଲାଇବ୍ ଭାବି ଯୋଜନା ପାଞ୍ଚିଲା ବିକ୍ରମ ପୁର ଯିବାକୁ । ଗାଆଁରେ ସମର୍ଥକଙ୍କୁ ସୂଚନା ଦେଇ ଭୋଟ ହାତେଇବା ଷଡଯନ୍ତ୍ର ପ୍ରକ୍ରିୟାରେ ଲାଗି ପଡିଲା । ତେଣେ ପ୍ରଶାସନ ଓ ଶାସନ ଭାରରେ ଥିବା ସରକାରଙ୍କ ପାଖରେ ବିକ୍ରମ ପୁର ଗାଆଁ ଲୋକଙ୍କ କାରନାମା ପହଞ୍ଚି ଯାଇଥିଲା । ପ୍ରଶାସନିକ ଅଧିକାରୀ ମାନେ ଘନ ଘନ ଗାଆଁ ସୀମାକୁ ଆସି ହତାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥା'ନ୍ତି । କେତେ ପ୍ରଲୋଭନ ଦେଖାଇଲେ ବି ଗାଆଁ ସ୍ୱାର୍ଥ ଦୃଷ୍ଟିରୁ ଯାଙ୍ଗା ଓ ଭୀଲା ମାନୁ ନଥା'ନ୍ତି କୌଣସି ବ୍ୟକ୍ତିଙ୍କୁ ଗାଁକୁ ଭୋଟ ସକାଶେ ଛାଡିବା ପାଇଁ । ପ୍ରଶାସନ ବି ପୋଲିସ ଦ୍ବାରା ଚାପ ପାକାଇଲାଣି । ଆଇନ ଆଉ ଗଣତନ୍ତ୍ରର ସମ୍ମାନ କରିବାକୁ । ପ୍ରଶାସନିକ ଅଧିକାରୀ ଓ ଗାଆଁର ଭଦ୍ର ବ୍ୟକ୍ତି ମାନେ ଗାଆଁ ସୀମାରେ ଠିଆ ବୈଠକ କଲେ । ନିଷ୍ପତ୍ତି ହେଲା ଗଣତନ୍ତ୍ରକୁ ସମ୍ମାନ ଦେବା । ଯାହା ଭୁଲ ବି ହୋଇଥିଲା ଆଉ ତାହା ପୁନରାବୃତ୍ତି ହେବ ନାହିଁ । ଯିଏ ବି କ୍ଷମତାକୁ ଆସିବ , ତା' ପାଇଁ ପ୍ରଥମ କାମ ହେବ ବିକ୍ରମ ପୁର ଗାଆଁ ରାସ୍ତା ଉନ୍ନତି ଓ ପ୍ରଶସ୍ତି କରଣ । ଯଦି ନହୁଏ ତେବେ ପ୍ରଶାସନ ଓ କ୍ଷମତାରେ ଥିବା ଲୋକ ପ୍ରତିନିଧି ପୂର୍ଣ୍ଣକ୍ଷମରେ ଦାୟୀ ରହିବେ ଏବଂ ଭୋଟ ଦେଇ ସେବା କରିବାକୁ ଯାହାକୁ ସୁଯୋଗ ପ୍ରାପ୍ତ ହୋଇଥିବ ତାକୁ ଯଥାଶୀଘ୍ର ଗାଦିଚ୍ୟୁତ କରାଯିବ । ଏଭଳି ପ୍ରତିଶ୍ରୁତି ଓ ଲୋକଙ୍କ ମନକୁ ବଦଳାଇବା ପଛରେ ବିଗତ ସରପଞ୍ଚ ଓ ଭୀଲା ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇଥିଲେ । ଜାଂଗା ସରଳ ଥିଲା ଓ କପଟୀ ନ ଥିଲା । ସେ ଗାଆଁ ଲୋକଙ୍କ ସହ ମିଶି ଗାଆଁର ଉନ୍ନତି ଚାହୁଁ ଥିଲା । କିନ୍ତୁ ଭିଲା ଭିନ୍ନ ସ୍ଵଭାବର । ସେ ଅର୍ଥ ଲୋଭୀ ଥିଲା । ତେଣୁ ଗାଆଁ ଲୋକଙ୍କ ମନକୁ ଜିଣିବା ପାଇଁ  ପୂର୍ବ ସରପଞ୍ଚ ଠାରୁ ମୋଟା ରକମ୍ ଅର୍ଥ ଗୁପ୍ତରେ ପାଇ ସାରିଥିଲା । ପରିସ୍ଥିତି ଏମିତି ହେଲା , ଗାଆଁ ଲୋକେ ଗଣତନ୍ତ୍ରକୁ ସମ୍ମାନ ଦେଲେ । ପୂର୍ବ ସରପଞ୍ଚ ପୁଣି ସଫଳତା ହାସଲ କଲେ । ସେ ପୁଣି କ୍ଷମତାକୁ ଆସିଗଲେ ।

         କିଛି ଦିନ ବିତିଗଲା । ଏ ରାସ୍ତା କାମ ଯେମିତି କି ସେମିତି । ଭୋଟ ସରିଲା । ପ୍ରତିଶ୍ରୁତି ପାଳିବାକୁ ସରପଂଚ , ପ୍ରଶାସନ , ନେତା କାହାର ଆଉ ଦେଖା ନାହିଁ । ଯାଂଗା ଚୁପ୍ ରହି ନ ପାରି କୋଠଘରକୁ ସଭା ପାଇଁ ଡକାଇଲା ସଭିଙ୍କୁ , ଭୋଟ ପୂର୍ବ ପ୍ରତିଶ୍ରୁତି ମନେ ପକାଇଲା । ସମସ୍ତେ ଏକ ସ୍ୱରରେ ରାଜ ରାସ୍ତାକୁ ଓହ୍ଲାଇବାକୁ ସ୍ଥିର କରି ମୁଖ୍ୟ ରାସ୍ତାକୁ ଓହ୍ଲାଇ ଦାବି ଉପସ୍ଥାପନା କଲେ ସରପଞ୍ଚକୁ ଗାଦିଚ୍ୟୁତ କରିବା ପାଇଁ । ପ୍ରଶାସନ ଓ ମନ୍ତ୍ରୀ ମଣ୍ଡଳରେ ହଇଚଇ ହୋଇଗଲା । ବିରୋଧୀ ତୀବ୍ର ଭାବେ ଗାଆଁ ଲୋକଙ୍କୁ ସମର୍ଥନ କଲେ । ସରପଞ୍ଚ ଭିଲାକୁ ସାଥିରେ ନେଇ ପୁଣି ସେଇଠି ତା' ପରପଞ୍ଚ କ୍ରିୟା ଆରମ୍ଭ କରିବାକୁ ଲାଗିଲା । ଭିଲା ଗାଁର କେତେ ଅସନ୍ତୁଷ୍ଟ ଯୁବକଙ୍କୁ ନେଇ ସରପଞ୍ଚଙ୍କୁ ସମର୍ଥନ କରିବାକୁ ଟଙ୍କା ଲୋଭ ଦେଖାଇ ନିଜର କରି ପାରିଥିଲା । କିନ୍ତୁ ଯାଙ୍ଗା ତୀକ୍ଷ୍ଣ ନଜର ରଖିଥାଏ ଭିଲ୍ଲା ଉପରେ । ସେ ଆଉ ପୂର୍ବ ଭଳି ନାହିଁ ବୋଲି ବେଶ୍ ଅନୁଭବ କରୁଥାଏ । ସରପଞ୍ଚ ସହ ମିଶି କିଛି ଗୋଟେ କରି ଗାଆଁ ବାଲାଙ୍କୁ ଭୁଆଁ ବୁଲାଉଛି ବୋଲି ସନ୍ଦେହ କରୁଥାଏ । ରାଜରାସ୍ତାରେ ଲୋକଙ୍କ ଦାବି ପ୍ରକାରେ ସରକାରୀ ବାବୁ , ସରପଞ୍ଚ ଓ ଜିଲ୍ଲା ଅଧିକାରୀଙ୍କ ବୈଠକରେ ଉକ୍ତ ରାସ୍ତା କାମ ଯଥା ଶୀଘ୍ର ପ୍ରାରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ସେଇଠି ଧାର୍ଯ୍ୟ ହେଲା । ଉତ୍ୟକ୍ତ ଲୋକେ ସରପଞ୍ଚଙ୍କୁ ମିଛୁଆ କହି ନିନ୍ଦା ଓ ଆକ୍ରମଣ ପାଇଁ ଆଗେଇଥିବା ବେଳେ ଭିଲା ଓ ତାର ସହଯୋଗୀଙ୍କ ଭିତିରି ଶକ୍ତି ସରପଞ୍ଚଙ୍କୁ ବଞ୍ଚାଇ ପାରିଥିଲା ।
     ବହୁତ୍ ଦିନ ପରେ ଐତିହାସିକ ରାସ୍ତା କାମ ତିଆରି ହେଲା । ପ୍ରତ୍ୟକ୍ଷ ଭାବେ ଜାଙ୍ଗା କାମ ଉପରେ ନଜର ରଖୁଥାଏ । ନିର୍ଦ୍ଧାରଣ ସମୟରେ ରାସ୍ତା ଉନ୍ନତି କରଣ କାମ ସମାପ୍ତ ହେଲା । ସରକାରଙ୍କ ନିୟମ ପ୍ରକାରେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇଥିବା ଗାଆଁ ରାସ୍ତାର ଆଦ୍ୟ ପ୍ରବେଶ ପଥରେ ଫଳକରେ ଉଲ୍ଲେଖ କରାଯାଇଥିବା ଦର୍ଶା ଯାଇଥିଲା । କିନ୍ତୁ ବ୍ୟୟ ଅର୍ଥ ହୋଇଥିବା କାମ ତୁଳନାରେ ଢେର୍ ବେଶୀ । ଜାଙ୍ଗା ଏହାର ପ୍ରତିବାଦରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ଭାର ପ୍ରାପ୍ତ ଅଧିକାରୀଙ୍କୁ ତଥ୍ୟ ମାଗାଇଲା । ସେଥିରେ ଆଶ୍ଚର୍ଯ୍ୟ ଜନକ ଜିନିଷ ପଦାକୁ ବାହାରି ଆସିଲା । ରାସ୍ତାରେ ବ୍ୟବହାର ହୋଇଥିବା ଜିନିଷର ଦାମ ଢେର୍ ବେଶୀ ଦର୍ଶାଯାଇଥିଲା । ସରକାରଙ୍କ ନିୟମ ପ୍ରକାରେ ଯାହା ସ୍ଥିରୀକୃତ ହୋଇଥିଲା , ସେ ତୁଳନାରେ କୌଣସି କାମ ହୋଇ ନ ଥିଲା । ଗାଆଁ କୋଠ ଘରେ ବୈଠକରେ ଯାଙ୍ଗା ସେ ସବୁ ସମସ୍ତଙ୍କ ନଜରକୁ ଆଣି ଉପସ୍ଥାପନା କରିଥିଲା । ଭିଲା ଏ କଥା ଜାଣି ପ୍ରତିବାଦର ସ୍ୱର ଉତ୍ତୋଳନ କରି ସରପଞ୍ଚଙ୍କୁ ପ୍ରଶଂସା କରୁଥିବା ବେଳେ ତା'ର ସମର୍ଥକ ମାନେ ଭିଲାକୁ ସହଯୋଗ କରୁଥିଲେ । ଗାଆଁକୁ ସରପଞ୍ଚ ଦୁଇ ଭାଗରେ ବାଣ୍ଟି ଦେଇଥିବା ବେଳେ ସତ୍ୟ ସହ ସାଥିରେ ଥିବା ଯାଙ୍ଗା , ଗାଆଁର ହିତ ପାଇଁ ଲଢେଇ ଜାରି ରଖିଥାଏ । ଭିଲାର ଗୁମର ଓ ସରପଞ୍ଚ ସହ ମିଶି ଅର୍ଥ ଆତ୍ମସାତ କରିଥିବା ଆଭାସ ବାରି ପାରୁ ଥାଏ । ତେଣୁ ଯାଙ୍ଗା ଦୁର୍ନୀତିର ପରଦାଫାସ କରିବାକୁ ଅଣ୍ଟା ଭିଡ଼ିଲା । ସେ ଦୁର୍ନୀତି ନିବାରଣ ସଂସ୍ଥା ସହ ଯୋଗାଯୋଗ କରି ମିଡ଼ିଆକୁ ସଂପୃକ୍ତି କରାଇ ନେଲା । 
       ଭୋଟ ପୂର୍ବରୁ ସଂଗୃହିତ ଗୁପ୍ତ କ୍ୟାମେରାର ସାଇତା ଛବି , ଗାଆଁ ମୁଣ୍ଡରେ ପ୍ରତିବାଦର ସ୍ୱର ଉଠିଲା ଦିନ ଠାରୁ ରାସ୍ତା ନିର୍ମାଣ ଓ ଶେଷ ହେବା ଭିତରର ରହସ୍ୟ ସବୁ ଯଥା ସ୍ଥାନରେ ଉପସ୍ଥାପନା କରିବାକୁ ମନସ୍ଥ କଲା । ଗାଆଁ କୋଠରେ ସଂରକ୍ଷିତ କ୍ୟାମେରାରେ କୈଦି କରାଯାଇଥିବା ସବୁ ଦୃଶ୍ୟ , ଦୁର୍ନୀତି ନିବାରଣ ସଂସ୍ଥାର ଅଧିକାରୀଙ୍କୁ ଦର୍ଶାଯାଇ ଥିଲା । ସେଥିରେ ସରପଞ୍ଚ , ଭିଲା ଓ ଅନ୍ୟ ରାଜନେତା , ଦଲାଲଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଜଣା ପଡୁଥାଏ । ଭିଲା ଓ ତା' ସହଯୋଗୀ ବି ସରପଞ୍ଚ ସହ ହାତ ମିଳାଇଥିବା ସବୁ ତଥ୍ୟ ଦୁର୍ନୀତି ନିବାରଣ ଅଧିକାରୀଙ୍କ ସାମ୍ନାରେ ଥିଲା । ମିଡ଼ିଆବାଲା ବି ବେଶ ରୋଚକ ପୂର୍ଣ୍ଣ ଢଙ୍ଗରେ ବିକ୍ରମ ପୁର ଗାଆଁର ରାସ୍ତା ଦୁର୍ନୀତିକୁ ଜନ ସମୁଦାୟର ଉପସ୍ଥାପନା କରୁଥିଲେ।
        ସମୟ କ୍ରମେ ଆଇନ ଦୃଷ୍ଟିରୁ ସରପଞ୍ଚଙ୍କ ମନ୍ଦ  ଉଦ୍ଦେଶ୍ୟ ଓ ଅର୍ଥ ଆତ୍ମସାତ ମାମଲା କୋର୍ଟରେ ବିଚାର ହେଲା । ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥାଏ । ଅପରାଧୀ ବୋଲି ଆଉ ସେହି ସରପଞ୍ଚଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଗାଆଁର ଲଢ଼ୁଆ ପୁଅ ଯାଙ୍ଗାକୁ ଲୋକେ ସରପଞ୍ଚ  ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲା ବେଳେ , ସରକାରଙ୍କ ନିର୍ଦ୍ଧେଶ ପ୍ରକାରେ ନିମ୍ନ ମାନର ରାସ୍ତା ନିର୍ମାଣ କରିଥିବା ଠିକାଦାରକୁ ପୁନଃ ଉଚିତ୍ ରାସ୍ତା ତିଆରି କରିବାକୁ ନିର୍ଦ୍ଧେଶ ମିଳିଥିଲା କୋର୍ଟରୁ ଏବଂ ଯାଙ୍ଗା ସରପଞ୍ଚ ହେବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ , ଭିଲା ଏହି ଐତିହାସିକ ରାସ୍ତା ନିର୍ମାଣ ପଛରେ ଘଟିଥିବା ନିଉଜ ଯୋଗୁଁ ନିଜେ ଓ ସରପଞ୍ଚ ଫ୍ୟୁଜ  ହେବା ଅପମାନରେ ସେ ଗାଆଁରୁ ଉଭାନ ହୋଇଯାଇଥିଲା ।
ଆସ୍କା-ଗଞ୍ଜାମ 
ଜୟ ସାହିତ୍ୟ, ଜୟ ସମାଜ

ନିର୍ବାଚନ ଲଟେରୀ

       କିରଣ ମିଶ୍ର 
ମଧୁପୁର ଗାଁ ମୁଣ୍ଡ ଚା ଦୋକାନରେ ଗାଁ ଟୋକାଙ୍କର ଏକ ଆସର ବସିଥାଏ । ନିର୍ବାଚନ ଆଲୋଚନା ସରଗରମ ଥାଏ । ତା' ଭିତରୁ  ଜଣେ କହିଲା...
 -ବୁଝିଲ ରାଧୁ ଭାଇନା ତୁମକୁ ଗୋଟେ କଥା କହିବି କହିବି ବୋଲି ଭାବୁଛି ।
--ଆରେ ମକରା କ'ଣ କହିବାର ଅଛି , କହୁନୁ । 
--କହିବି ଯେ ତୁମେ ମୋ' କଥା ରଖିଲେ ହେଲା । କ''ଣ କି ରାଧୁ ଭାଇନା , ଏଇ ନିର୍ବାଚନରେ ତୁମେ ଆମ ଗାଁରୁ ଠିଆ ହେଲେ ହୁଅନ୍ତନି ? ଆମ ଗାଁର ଇଜ୍ଜତ୍ ବଢିଯା'ନ୍ତା । ଦଶଖଣ୍ଡ ଗାଁରେ ଆମେ ଛାତି ଫୁଲେଇ ଚାଲନ୍ତେ ।

           ମକରାର କଥା ଶୁଣି ରାଧୁ ଓରଫ ରାଧାକାନ୍ତ ଚିହିଙ୍କି ଉଠି କହିଲା...
--ତୁ କ'ଣ ପାଗଳ ହେଲୁ କିରେ ମକରା ! ଭୋଟ କିଏ ଆଉ ମୁଁ କିଏ !!
ମକରାର କଥାକୁ ସମର୍ଥନ କରି ଗନ୍ଧିଆ ଚା ଦୋକାନରେ ଉପସ୍ଥିତ ଥିବା ଗାଁର ବଗୁଲିଆ ଟୋକା ଦଳ ରାଧୁକୁ ଟେହିବାରେ ଆରମ୍ଭ କରିଦେଲେ । ସନିଆ କହିଲା.....
--କାଇଁ ମକରାଇ କ'ଣ ନାକରା କହିଲା ? ତୁମ ଘରର ଖାନ୍‌ଦାନି ନାଇଁ ନା ଗାଁରେ ତୁମର ଇଜ୍ଜତ ନାଇଁ ? ଦଶଖଣ୍ଡ ଗାଁରେ ତୁମେ ଥିଲାବାଲା ଘରର ପୁଅ ଭାବରେ ପରିଚିତ । ଏବେ ଅବଶ୍ୟ କର୍ପୂର ଉଡି ଯାଇଛି , କନା ତ ପଡିଛି ନା ।
ମକରା ତାକୁ ପାଳିଧରି କହିଲା...
--ରାଧୁ ଭାଇନା ତୁମେ କ'ଣ ଭୁଲି ଯାଉଛ ତୁମ ଜେଜେବାପା ଜଣେ
ସରପଞ୍ଚ ଥିଲେ ବୋଲି ? ତୁମ ଦେହରେ ପରା ସେଇ ରକ୍ତ ବୋହୁଛି । ତୁମେ ପୁଣି ପଛଉଛ !!
ସନିଆ କହିଲା...
--ତା'ପରେ ଆମ ଗାଁ ଯେତେ ବାନର ସେନା ଅଛୁ ତୁମପାଇଁ ଡେଇଁ ପଡିବୁନି ;
ତୁମେ ଥରେ ଖାଲି ଠିଆ ହୋଇଯାଅ , ତା'ପରେ ସବୁ କଥା ଆମେ ଵୁଝିବୁ । ତୁମେ ନିଶ୍ଚୟ ଜିତିବ। ଏକଥା ଥୟ ।
        ଟୋକା ଦଳଙ୍କ କଥା ଶୁଣି ରାଧାକାନ୍ତର ମନ ମଧ୍ୟ ସୁରେଇଲା । ଉପରେ ରାଗ ଦେଖାଇଲେ ବି ନେତା ହେବାକୁ ହୁକୁ ହୁକୁ ହେଲା । ଯଦିଓ ସେ କଥାଟି ତା' ମନରେ ଥିଲା ସେ କହିପାରୁ ନଥିଲା । ସେକଥା ଗାଁ ପିଲା ଠଉରେଇ ଥିଲେ ।ଟୋକା ଦଳଙ୍କ କଥା ଶୁଣି  ରାଧାକାନ୍ତ କହିଲା...
 --ହେଲେ ମତେ ଟିକେଟ କିଏ ଦବ ? ବିନା ଟିକେଟରେ ତ ହବନି । ଆଜିକାଲି ତ ପୁରୁଣା ଲୋକଙ୍କୁ ଦଳ ଟିକେଟ ଦଉନି ବୋଲି ସେମାନେ ମାଙ୍କଡ ଭଳି ଏ ଦଳରୁ ସେ ଦଳ ଡେଉଁଛନ୍ତି । ମତେ କିଏ ପଚାରେ ? ଶୁଣୁଛି ଗୋଟେ ଟିକେଟ ପିଛା ପୁଣି କେତେ ପଇସା ଦେବାକୁ ପଡୁଛି । ମୁଁ ସେଥେକୁ ମୁଣ୍ଡ ନୁହେଁ । ଯେଉଁ ପିଲାମନେ ପ୍ରଚାର କରିବେ ସେମାନେ ସିନା ପଇସା ନେବେନି , କିନ୍ତୁ ଯେଉଁ ଗାଡିରେ ବୁଲିବେ ତା'ର ତ ପେଟ୍ରୋଲ ଖର୍ଚ ଅଛି । ସେମାନେ ତ ପୁଣି ଖାଇବେ ।ସେମାନେ ତ ଉପାସରେ ବୁଲିବେନି ।
  ରାଧୁ କଥା ଶୁଣି ଟୋକାଏ ପୁଣି କହିଲେ....
  --ଟିକେଟ ନଦେଲେ ନାହିଁ। ତୁମେ ଆମର ସ୍ୱାଧୀନ ଭାବରେ ଠିଆ ହେବ । ଚିହ୍ନା ବ୍ରାହ୍ମଣର ପଇତା କ'ଣ ଦରକାର ହୋ !! ତୁମକୁ ଆମ  ଦଶ ଖଣ୍ଡ ଗାଁରେ କିଏ ଚିହ୍ନିନି ଯେ ଦଳରୁ ଠିଆ ହେବ କହୁଚ । ତୁମେ ସ୍ୱାଧୀନ ଭାଵରେ ଠିଆ ହୁଅ । ନିର୍ବାଚନ ହାୱାରୁ ଲାଗୁଛି କୋଉ ଗୋଟିଏ ଦଳ ଏକକ ଆସିବନି । ଜିତିଲେ ପରା ଦଳ ଲୋକ ତୁମକୁ ନେବା ପାଇଁ ମାଡଗୋଳ ହେବେ । ସେତେବେଳେ ତୁମେ ଦର କସିବନି ? ଦେଖିବ ତୁମର ଭାଉ କେତେ ବଢିଯିବ । ଯାହା ଖର୍ଚ୍ଚ କରିଥିବ ସୁଧ ମୂଳ ସବୁ ପାଇଯିବ । ଆଉ ରହିଲା ପେଟ୍ରୋଲ୍ ଓ ଖାଇବା ଖର୍ଚ୍ଚ । ହଁ ସେଥିପାଇଁ କିଛି ପଇସା ଯୋଗାଡ କରିବାକୁ ପଡିବ । ଚିନ୍ତାକର କେମିତି ହୋଇ ପାରିବ ।
         ବାପା କାନତରାଟି କାମ କରି କିଛି ସମ୍ପତି କମେଇ ଥିଲେ । ଅତି ଗେହ୍ଲାରେ ରାଧୁଟା ଅକର୍ମା ହୋଇଯାଇଥିଲା । ମ୍ୟାଟ୍ରିକ୍ ପାଶ୍ ପରେ ଆଉ ପାଠ ହେଲାନି । ଗାଁରେ ବସି ଏମିତି ରାଜନୀତି କରେ । ଜମିରୁ ଯାହା ଧାନ ଚାଉଳ ମିଳେ ଓ ସ୍ତ୍ରୀ ଗୋଟିଏସ୍କୁଲର ପଠପଢାଇ ଘର ଚଳାଏ । ସେଦିନ ଗନ୍ଧିଆ ଦୋକାନରୁ ଫେରିବା ପରେ ରାଧୁର ରାଜନୀତି ନିଶାଟା ଆଉଟିକେ ଅଧିକ ହୋଇଯାଇଥାଏ । ତାକୁ ଗାଁ ପିଲାଙ୍କ କଥାଶୁଣି ସତରେ ଜିତି ଗଲା ପରି ଲାଗୁଥାଏ । ବହୁତ ଭାବିଚିନ୍ତି ସ୍ଥିର କଲା , ନଈକୂଳ ଜମିଖଣ୍ଡକ ଗୋବିନ୍ଦ ସାହୁ ପାଖେ ବନ୍ଧା ରଖି ପାଞ୍ଚ ଲକ୍ଷ ଆଣି ନିର୍ବାଚନ ଲଢିବ । ଜିତିଗଲେ ଜମିଟା ମୁକୁଲେଇ ଆଣିବ । ସେ ଜମି ଖଣ୍ଡକର ଦାମ କୋଡିଏ ଲକ୍ଷ ହେବ । ତା' ପର ଦିନ ସ୍ତ୍ରୀକୁ ଲୁଚାଇ ପଟା ଖଣ୍ଡକ ଧରି ଗୋବିନ୍ଦ ସାହୁ ପାଖକୁ ଗଲା । ଗୋବିନ୍ଦ ଏ ସବୁ କାମରେ ମହାଧୃତ । ସେଇ ଜମି ଖଣ୍ଡକ ସେ ଅନେକ ଦିନରୁ ଲାଳେଇ ଥିଲା । ରାଧୁ ପଟ୍ଟା ଖଣ୍ଡକ ଦେଇ କହିଲା...
--ଗୋବିନ୍ଦାଇ ଏ ପଟ୍ଟା ଖଣ୍ଡକ ରଖକି ମତେ ପାଞ୍ଚ ଲକ୍ଷ ଟଙ୍କା ଦେ' ।
ମୁଁ ବର୍ଷକ ଭିତରେ ଧିରେ ଧିରେ ଟଙ୍କା ସୁଝି  ପଟ୍ଟା ନେଇଯିବି।
   --କିନ୍ତୁ ସର୍ତ୍ତ ହେଲା ବର୍ଷେ ପରେ ସୁଝି ନପାରିଲେ ମୁଁ ସେ ଜମି
ଫେରେଇବିନି ।
         ରାଧୁ ଗୋବିନ୍ଦ କଥାରେ ରାଜି ହୋଇ ଟଙ୍କା ଆଣିଲା । ଟଙ୍କା ଯୋଗାଡ ପରେ , ପରବର୍ତ୍ତୀ ପର୍ବ କ'ଣ ଚିହ୍ନ ରଖାହେବ । କିଏ କହିଲା ଲଣ୍ଠନ ତ କିଏ କହିଲା ସାଇକଲ୍ , ଆଉ କିଏ କହିଲା ଏରୋପ୍ଲେନ୍ । ଜଣଙ୍କ କଥା ଆଉ ଜଣଙ୍କ ମନକୁ ପାଉ ନଥାଏ । ଶେଷରେ ମକରା କହିଲା...
--ଭାଇମାନେ ମଶାଲ୍ ହେଉଛି ପ୍ରଗତିର ପ୍ରତୀକ । ସେଇ ମଶାଲ୍ ହିଁ ରହୁ । ରାଧୁ ଭାଇନା ଜିତିଲେ ଆମ ଏରିଆରେ ଏତେ ପ୍ରଗତି ହେବ ଯେ , ଓଡିଶାରେ ଆମ ଗାଁର ସ୍ଥାନ ଏକ ନଂରେ ରହିବ ।
        ଶେଷରେ ସେଥିରେ ସମସ୍ତେ ସହମତ ହେଲେ ଓ ମଶାଲ ଚିହ୍ନ ରହିଲା । ତା'ପରେ ଚର୍ଚ୍ଚା ହେଲା ରାଧୁ ଭାଇନାଙ୍କ ମୁଦ୍ଦା କଣ ରହିବ । ମକରା ସବୁଠାରୁ ବୁଦ୍ଧିମାନ କହିଲା...
--ରାଧୁ ଭାଇନା ନିର୍ବାଚନ ଜିତିଲେ , ସମସ୍ତଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଦେବେ । ଯୁବକ , ବୁଢା , ବୁଢୀ ସମସ୍ତେ ଭତ୍ତା ପାଇବେ । ପରିଶ୍ରମ କଲେ ଦେହ ଖରାପ ହେଉଛି । ଦେହ ଖରାପ ହେଲେ ଡାକ୍ତର ଦେଖାଅ , ଔଷଧ ଖାଅ..... ଏଥିପାଇଁ ବହୁତ ପଇସା ଖର୍ଚ୍ଚ ହେଉଛି । ଏତେ ପଇସା ଆସିବ କୋଉଠୁ ? ଆଜିକାଲି ମେଡିକାଲ ଖର୍ଚ୍ଚ ବହୁତ୍ , ତେଣୁ ସମସ୍ତଙ୍କ ପାଇଁ ମାଗଣା ଖାଇବା ଓ ଭତ୍ତା ବ୍ୟବସ୍ଥା କରାଯିବ ।
           ସମସ୍ତେ ମକରାର ବୁଦ୍ଧିକୁ ତାରିଫ୍ କଲେ । ସଦଳବଳେ ବାହାରିଲେ ନୋମିନେସନ ଦାଖଲ କରିବାକୁ । ପଚାଶଟା ମଟରସାଇକଲ ପ୍ରୋସେସନ୍‌ରେ ସମସ୍ତେ ବାହାରିଲେ । ମୁଣ୍ଡରେ ଗୋଟେ  ଗୋଟେ ଫିତା ବାନ୍ଧି , ହାତରେ ଗୋଟେ ଗୋଟେ ପତାକା ଧରି ଯୁବ ଦଳ ବାହାରିଲେ ସତେ ଯେମିତି ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ବୀରବର ଦଳ ଯାଉଛନ୍ତି । ସେଦିନ ରାଧୁକୁ ବି ଲାଗୁଥାଏ ସତେ ଯେମିତି ସେ ଜଣେ ସେନାପତି । ସମସ୍ତେ ରାଧୁ ଭାଇନା ଜିନ୍ଦାବାଦ ନାରାରେ ଗାଁ କମ୍ପଉ ଥା'ନ୍ତି । ଆଇ.ଏ  ଫେଲ୍ ରାଧୁ ମନକୁ ମନ ସୁପରଷ୍ଟାର୍ ଭାବୁଥାଏ । ଭୋଟ ପର୍ଯ୍ୟନ୍ତ ଗାଁ ଟୋକାଙ୍କ ପାଇଁ ରୋଷେଇ ହୁଏ । ପ୍ରଚାର ଶେଷରେ ମକରା କୁହେ...
--ରାଧୁ ଭାଇନା ମାଲ୍‌ପାଣି ଟିକେ ନହେଲେ ଗାଡି ଚାଲୁନି ।

        ପଇସା ଡରରେ ରାଧୁ ଅରାଜି ହେଉଥିଲା । କିନ୍ତୁ ପରେ ବାଧ୍ୟ ହୋଇ ଦେଲା । କାଦୁଅରେ ତ ଗୋଡ ପୂରାଇଛି , ଯିବ କୁଆଡେ ? ଏମିତି ଖିଆପିଆ ପର୍ବ ଚାଲିଲା ଇଲେକ୍ସନ୍ ପର୍ଯ୍ୟନ୍ତ । ଗାଁ ଟୋକାଙ୍କର କଚେ ପୁଅ ବାର । ମାଗଣା ଖିଆ , ମାଗଣା ପିଆ । ସେମାନେ ଭାବୁଥା'ନ୍ତି ଏମିତି ଇଲେକ୍ସନ ଫି ସାଲ ହୁଅନ୍ତା କି !! ରାଧୁ ସ୍ତ୍ରୀ ଦିନେ ପଚାରିଲା...
  --ଏପଇସା ଆସୁଛି କୋଉଠୁ !!
ରାଧୁ ତାର କାରନାମାକୁ ଲୁଚାଇ କହିଲା - "ଗାଁ ଯୁବକ ମାନେ
ଚାନ୍ଦାକରି ଖର୍ଚ୍ଚ କରୁଛନ୍ତି ।" (ଏତେ ଖିଆ ପିଆରେ ଖର୍ଚ୍ଚ ହେଉଛି ବୋଲି ତାକୁ ଜଣା ନଥାଏ ।)
            ଇଲେକ୍ସନ ସରିଗଲା , ଏବେ ଫଳାଫଳ ଘୋଷଣାର ପର୍ବ । ରାଧୁ ଓ ଗାଁ ଟୋକାଙ୍କ ଆଖିରେ ନିଦ ନଥାଏ । ଭୋଟ ଗଣତି ଦିନ ପର୍ଯ୍ୟନ୍ତ ଗାଁ ମହାଦେବ ମନ୍ଦିରରେ ବେଲପତ୍ର ଚଢା ହେଉଥାଏ । କଦଳୀ ଘର୍ଷଣ ହେଉଥାଏ । କ୍ଷୀର , ଭାଙ୍ଗ ଢଳା ଚାଲିଥାଏ । ଗଣତି ଦିନ ଯେତିକି ପାଖଉ ଥାଏ ରାଧୁର ହାର୍ଟ ବିଟ୍ ସେତିକି ବଢୁଥାଏ । ଗଣତି ଦିନ ମନ୍ଦିରରେ ଅଧିଆ ପଡିଥାଏ । ସେଦିନ ଯୁବକ ସଂଘ ତରଫରୁ ବିରାଟ ମାଳ ଆସିଥାଏ , ତା' ପୁଣି ରାଧୁର ପଇସାରେ । ବାଜାବାଲାକୁ ଆଡଭାନ୍ସ ଦିଆ ହୋଇଥାଏ । ଖୋଲା ଜିପ୍ ର ବ୍ୟବସ୍ଥା ହୋଇଥାଏ । ଖାଲି ରେଜଲ୍ଟକୁ ଅପେକ୍ଷା । ଏକ ବିରାଟ ପଟୁଆର ବ୍ୟବସ୍ଥା ହୋଇଥାଏ ।
             ଭୋଟ ଗଣତି ହଲ୍ ରେ ମକରା ଓ ଶୁକୁଟା ଥା'ନ୍ତି । ଗଣତି ଆରମ୍ଭ ହେଲା । ଆରେ ସମସ୍ତଙ୍କର ବାଲାଟ ପେପର୍ ବାହାରୁଛି ରାଧୁ ଭାଇନାର କାଇଁ ? ଅନ୍ୟମାନଙ୍କ ତୁଳନାରେ ରାଧୁର ସଂଖ୍ୟା ନଗନ୍ୟ । ଯେଉଁଠି ଅନ୍ୟ ଦୁଇ ଗୋଷ୍ଠୀର ଦଶୁଟା ବାହାରୁଛି ସେଠି ରାଧୁର ଗୋଟିଏ । କେବଳ ତାଙ୍କରି ଗାଁର ଯୁବକ ଦଳ ଯାହା ଦେଇଛନ୍ତି । ଖୁବ୍ ଶୋଚନୀୟ ଭାବରେ ରାଧୁ ପରାସ୍ତ ହୋଇଥାଏ । ସେଇ ଭୋଟ ଗଣତି ଅଫିସ୍ ରୁ ମକରା , ଶୁକୁଟା ଫେରାର୍ ।ଖବର ପାଇ ଗାଁର ଯୁବଗୋଷ୍ଠୀ ମଧ୍ୟ କିଏ କୁଆଡେ ପଳେଇଲେ । କୌଣସି ସୂତ୍ରରୁ ରାଧୁ ତା'ର ଫଳାଫଳ ବିଷୟରେରେ ଜାଣିପାରି ଚେତାଶୂନ୍ୟ ହୋଇ ପଡିଲା । ଯେଉଁ ଜିପ୍ ରେ ଗାଁ ବୁଲିଥା'ନ୍ତା , ସେଇ ଜିପ୍ ରେ ଡାକ୍ତରଖାନା ବୁହା ହୋଇ ଗଲା । ଜୀବନରେ ବଡ ଲୋକ ହେବା ପାଇଁ ଆନେକ ଲଟେରୀ କିଣିଥିଲା କିନ୍ତୁ ସବୁ ଲଟେରୀ ଠାରୁ ଏ ଲଟେରୀ ଭାରି ପଡିଲା ।
ସିଟି ମହାବିଦ୍ୟାଳୟ , ଭୁବନେଶ୍ବର,ଦୂରଭାଷ -୭୯୭୮୯୪୫୩୧୮
ଜୟ ସାହିତ୍ୟ, ଜୟ ସମାଜ

ସ୍ମାର୍ଟ ଭଗବାନ - ସ୍ମାର୍ଟ ଭକ୍ତ

             ଲୋରୀ ସ୍ବାଇଁ

"ଆଦିମ ଯୁଗ ବଦଳି ହେଲାଣି ଆଧୁନିକ ଯୁଗ ।  ସବୁକିଛିରେ ପରିବର୍ତ୍ତନ ଏକ ନୂତନତ୍ବର ଜନ୍ମ । ଯୁଗ ବଦଳିବା ସହ ଯାବତୀୟ ଜିନିଷ ବି ବଦଳି ଯାଉଛି । ଆଧୁନିକତାର ଛାପରେ ହଜି ଯାଉଛି କିଛି ଗୁଣବତ୍ତା , ପୁଣି ସୃଷ୍ଟି ହେଉଛି ବିସ୍ମୟାଭିଭୂତ ଦ୍ରବ୍ଯ - କାର୍ଯ୍ଯ । ବିଜ୍ଞାନର ଅଗ୍ରଗତି ବୈଷୟିକ ଜ୍ଞାନ ପ୍ରଦାନ କରାଇବା ସହ ବିଜ୍ଞ ଭାବରେ ପରିଚିତ କରାଉଥିବା ବେଳେ ଅଜ୍ଞତାରେ ଅନେକ ଅସୁବିଧାର ଖାତ ଭିତରକୁ ଠେଲି ଲହୁଲୁହାଣ କରିଦେଉଛି । ପ୍ରତ୍ଯକ୍ଷରେ ହିଜ୍ଞାନର ମୋହର ପିଟା ହେଉଥିବା ବେଳେ ପରୋକ୍ଷରେ ମୁର୍ଖ ବୋଲି ପରିଚୟ ପ୍ରଦାନ କରୁଛି । ଆଜିର ବିଜ୍ଞାନ ଯୁଗରେ ଆଉ ଅସମ୍ଭବ ବୋଲି ଶବ୍ଦର ପ୍ରୟୋଗ କିଛି ନାହିଁ । ସମସ୍ତେ ବି ବିଜ୍ଞ ବୋଲି ପରିଚୟ ପ୍ରାପ୍ତ ; ସେଥିପାଇଁ ସ୍ମାର୍ଟ୍‌ ଦୁନିଆ , ସ୍ମାର୍ଟ୍‌ ସିଟି , ସ୍ମାର୍ଟ୍‌ ମଣିଷ ଶବ୍ଦ ସମୂହର ଉଦ୍ଭାବନ ହୋଇ ସାରିଛି । ଏହି ସ୍ମାର୍ଟ୍‌ ଶବ୍ଦର ପ୍ରୟୋଗ କରି ମୋର ଏ ରମ୍ଯ ରଚନା "ସ୍ମାର୍ଟ୍‌ ଭଗବାନ - ସ୍ମାର୍ଟ୍‌ ଭକ୍ତ" ପାଠକ ମାନଙ୍କର କରକମଳରେ ଅର୍ପଣ କରିବାକୁ ଯାଉଛି । ଭଗବାନ କରନ୍ତୁ ଏ "ସ୍ମାର୍ଟ୍‌" ଶବ୍ଦ କାହାକୁ ସ୍ମାସ୍‌ ନ କରୁ ; ସମାଜର ହିତାର୍ଥେ ସ୍ବଳ୍ପ ଜ୍ଞାନର ପ୍ରୟୋଗେ ରଚିତ ଏ ରମ୍ଯ ରଚନା କାହାକୁ ଆଘାତ ନ ଦେଉ ।"

     ସ୍ବର୍ଗର ସୁରମ୍ୟ ସ୍ଥାନ ବୈକୁଣ୍ଠ ଭୁବନ । ଏକାଗ୍ର ଚିତ୍ତରେ ଅଷ୍ଟରତ୍ନ ଖଚିତ ସିଂହାସନ ଉପରେ ଉପବେଶନ ପୂର୍ବକ କୌଣସି ଏକ ଚିନ୍ତାରେ ମଗ୍ନ ଭଗବାନ ବିଷ୍ଣୁ । ଦୂରରୁ "ନାରାୟଣ - ନାରାୟଣ" ଶବ୍ଦର ମଧୁର ମୂର୍ଚ୍ଛନା ତୋଳା ସ୍ବରରେ ଏକାଗ୍ରତା ଭଗ୍ନ ଭଗବାନ ବିଷ୍ଣୁଙ୍କର । ଦୃଷ୍ଟି ନିକ୍ଷେପ କଲେ ଦୂରକୁ ; ଦେଖିଲେ ନାରଦଙ୍କର ଆଗମନ । ଭକ୍ତିଭାବରେ ନିମଜ୍ଜିତ ହୋଇ ନାରାୟଣ ଶବ୍ଦର ଉଚ୍ଚାରଣ କରି ପ୍ରବେଶ କଲେ ମହାମୂନୀ ଦେବର୍ଷି ନାରଦ । ସନ୍ନିକଟେ ଉପଗତ ହୋଇ ଭକ୍ତିରେ ପ୍ରଣାମଟେ ବାଢ଼ିଲେ ଦେବର୍ଷି । ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦର କର ପ୍ରସାରିତ ହୋଇଗଲା ନାରଦଙ୍କ ଆଡ଼କୁ । ନାରଦଙ୍କୁ ପଚ଼ାରିଲେ ନାରାୟଣ ଆଶ୍ଚର୍ଯ୍ୟ ଚକିତ ହୋଇ : -

- ଦେବର୍ଷି ! ଆଜି ତୁମର ଏ କି ପ୍ରକାର ବେଶ ପରିପାଟୀ ! ସବୁକିଛି ଚେଞ୍ଜ୍‌ ହୋଇ ଯାଇଛି କ'ଣ ! ତୁମ ଶିରର ଜଟା ଆଉ ତୁମ ବୀଣା କୁଆଡ଼େ ଗଲା ? 

- ନାରାୟଣ ନାରାୟଣ ! ପ୍ରଭୁ ! କାଲି ମର୍ତ୍ତ୍ୟ ମଣ୍ଡଳରେ ଅବତରଣ କରିଥିଲି ମୁଁ । ଆପଣ ତ ଜାଣିଛନ୍ତି ମର୍ତ୍ତ୍ୟରେ ଏବେ ମଡ଼ର୍ଣ୍ଣ୍‌ ଯୁଗ ଚ଼ାଲିଛି । ସମସ୍ତ ମାନବ ଏବେ ମଡ଼ର୍ଣ୍ଣ୍‌ ମ୍ଯାନ୍‌ । ଦେଖିଲି ଗୋଟିଏ ଘର ଭିତରେ କେଶ କଟା ଚ଼ାଲିଛି । ସମସ୍ତେ ଯାଇ କେଶ କାଟୁଛନ୍ତି । ମୁଁ ଭାବିଲି ମୋର ଏ ଜଟା ବହୁଦିନ ହେଲା ରହିଲାଣି। ସେଥିରେ କୀଟ ସବୁ ବି କ୍ରୀଡ଼ା କଲେଣି । ସେଲାଗି ମୁଁ ବି ଭାବିଲି ମୁଁ ଏ ଜଟା କାଟି ଉଡ଼େଇ ଦେବି । ସେଲାଗି ମୋର ଏ ଜଟାକେଶ ଛେଦନ କରିଲି । ଜାଣିଲି ସେଇଟା ସେଲୁନ୍‌ ; ଟିକେ ଫେସ୍‌ୱାସ୍‌ ବି ହୋଇଗଲି । ବୀଣା ଧରି ବୁଲିବାକୁ ଆଉ ଭଲ ଲାଗୁନି । ତାକୁ ମୋ' ନବରରେ ରଖି ଦେଇ ଆସିଛି । 

- ଭଲ କରିଛ । ଏବେ ପୂରା ବିୟୁଟିଫୁଲ୍‌ ଲାଗୁଛ । ମୁଁ ବି ଭେରି ଇଣ୍ଟରେଷ୍ଟେଡ଼ ; ମୁଁ ବି ମର୍ତ୍ତ୍ୟ ମଣ୍ଡଳରେ ଲ୍ଯାଣ୍ଡ୍‌ କରିବି । ମୋ ଜଟାଜୁଟ ବି ଛେଦନ କରିବି ଭାବୁଛି । ଆଚ୍ଛା ; ଏବେ କହିଲ ଦେବର୍ଷି ; ମର୍ତ୍ତ୍ୟର ନିଉଜ୍‌ ମତେ । 

- ପ୍ରଭୁ ! ଆପଣ ତ ସର୍ବଜ୍ଞାତା ; ମୁଁ ବା ଅଧିକ କ'ଣ କହିବି ? ସୃଷ୍ଟି ସର୍ଜନା ପରର ମର୍ତ୍ତ୍ୟ ଏବେ ପୂରା ବଦଳି ଯାଇଛି । 

- ହଁ, ମୁଁ ତ ଦେଖି ପାରୁଛି । କିନ୍ତୁ ବହୁଦିନ ହେବ ମୁଁ ମର୍ତ୍ତ୍ୟ ମଣ୍ଡଳ ପ୍ରତି ଧ୍ଯାନ ଦେଇନି । କ'ଣ କେମିତି ସବୁ ଚ଼ାଲିଛି କୁହନ୍ତୁ । 

- ସମସ୍ତେ ତ ମଡ଼ର୍ଣ୍ଣ୍‌ ; କଲମି ପ୍ରକ୍ରିୟାର ମଣିଷ । ତାଙ୍କଠୁ ଦେଖି ଆମ ସ୍ବର୍ଗର ଦେବତା ମାନେ ବି ମଡ଼ର୍ଣ୍ଣ୍‌ ହେଇଛନ୍ତି ନା । ସେମାନେ ଯେମିତି ମଡ଼ର୍ଣ୍ଣ୍‌ ଯୁଗର ମଡ଼ର୍ଣ୍ଣ୍‌ ମ୍ଯାନ୍‌ , ଆମେ ବି ସେମିତି ମଡ଼ର୍ଣ୍ଣ୍‌ ଯୁଗର ମଡ଼ର୍ଣ୍ଣ୍‌ ଗଡ୍‌ ନା । ତାଙ୍କ-ଆମ ଭିତରେ ଫରକ ରହିଲା କୋଉଠି ? ମର୍ତ୍ତ୍ୟରେ ବିଜ୍ଞାନ ; ସ୍ବର୍ଗରେ ମଧ୍ଯ ବିଜ୍ଞାନ । ମର୍ତ୍ତ୍ୟରେ ଯାହା , ସ୍ବର୍ଗରେ ମଧ୍ଯ ସେଇଆ ; ଖାଲି ତାରତମ୍ୟ ଯନ୍ତ୍ରପାତିରେ । ସମସ୍ତେ କୁଶଳରେ ଅଛନ୍ତି ପ୍ରଭୁ ।

- ମୋ' ପରମ ଭକ୍ତ ସାରଥିର ଖବର କ'ଣ ? ତା'ର ସବୁ କୁଶଳ ତ ?

- ହଁ ପ୍ରଭୁ , ସେ ତ ଏବେ କୁଶଳରେ ; ଖାଲି ଏତିକି ସେ ଅମୃତବାଣୀ ଶୁଣେଇବାରୁ ବଞ୍ଚିତ ଅଛି । ସେ ଆପଣଙ୍କ ଆଶୀର୍ବାଦରୁ ଜନ ମଙ୍ଗଳ କାର୍ଯ୍ଯ କଲା ; ତେଣୁ କିଛି ମନବ ସହି ନ ପାରି ମିଥ୍ଯାରୋପ ଲଗାଇ କାରାଗାରକୁ ପଠେଇ ଦେଇଥିଲେ । ଏବେ ସେ କାରାଗାରରୁ ମୁକ୍ତ ହୋଇଛି । ଅଭାବୀ ମାନେ ସିମେଣ୍ଟ୍‌ ଗାଈର କ୍ଷୀର ପାଇ ପାରୁଥିଲେ ; କିଛି ଅର୍ଥ ବଞ୍ଚି ଯାଉଥିଲା । ଏବେ ସେ ସୁଯୋଗ ଆଉ ଜମା ମିଳୁନି । ମାତା ପାର୍ବତୀ ଯେମିତି ହଳଦି ମଳକୁଟିରୁ ଗଣେଶଙ୍କୁ ସୃଷ୍ଟି କଲେ ; ଠିକ୍‌ ସେମିତି ସାରଥି ତା' ଦେହ ମଳିରୁ ଶୁଭମ୍‌କୁ ସୃଷ୍ଟି କଲେ । ଏ ମଣିଷ ଗୁଡ଼ାକ ତାଙ୍କ ଅଲୌକିକତାକୁ ସହି ନ ପାରି ସତ-ମିଛ କହି ଜେଲ୍‌ ପଠେଇ ଦେଲେ ; ଏବେ ଜେଲ୍‌ରୁ ବାହାରିଲା ପରେ ପୁଣି ତାଙ୍କ ପ୍ରେମରେ ଉବୁଟୁବୁ । ଆପଣ ଦ୍ବାପର ଯୁଗରେ କୃଷ୍ଣ ଅବତାରରେ କରିଥିବା ଲୀଳାଖେଳା ପରି ସେ ବି ଲୀଳାଖେଳା କଲେ ; ଯେହେତୁ ସେ ଆପଣଙ୍କର ଆଜ୍ଞାଧୀନ ପରମ ଭକ୍ତ । ତାକୁ କେନ୍ଦ୍ର କରି ବିରାଟ ସ୍ବର ତୋଳି ତାକୁ ଜେଲ୍‌ ପଠେଇଲେ । ତା' ପୂର୍ବରୁ କେତେ କିଏ ସାରଥି ଭୂମିକା ନିର୍ବାହ କରିନାହାନ୍ତି କହିଲେ , ଗୁପ୍ତରେ କେତେ ସାରଥି ଲୁକ୍କାୟିତ ଅଛନ୍ତି । ମିଛରେ ବଦନାମ ଦେଇ ଠକ , ଚ଼ୋର , ଲଫଙ୍ଗା , ଡ଼ହରା କହି ଆପଣଙ୍କର ସ୍ମାର୍ଟ୍‌ ଭକ୍ତର କାର୍ଯ୍ଯକଳାପକୁ ପୂରା ସ୍ମାସ୍‌ କରିଦେଲେ ! ନାରାୟଣ - ନାରାୟଣ  , ଏମାନଙ୍କୁ ବାଡ଼ିବସନ୍ତ ପଡ଼ିବନି ! ନନ୍‌ସେନ୍ସ୍‌ ଗୁଡ଼ାକ ; ଏମାନେ ତ କିଛି କରିବେନି , କିଏ କରିଲେ ଏମାନେ ସହିବେନି ।    

     - କଳିଯୁଗ , ଘୋର କଳିଯୁଗ ଦେବର୍ଷି । ମୋ' ଭକ୍ତର ଏ ଅପମାନ ମୋର ଅସହ୍ୟବୋଧ ; ମୁଁ ସେମାନଙ୍କୁ ସ୍ମାସ୍‌ କରିଦେବି । 

- ଖାଲି ସେତିକି ନୁହେଁ ପ୍ରଭୁ ; ଆପଣଙ୍କ ନାଁରେ ବି ଯୋଜନା ହୋଇଛି । 

- ମୋ' ନାଁରେ ଯୋଜନା ! ବୁଝି ପାରିଲିନି ଦେବର୍ଷି । 

- ପ୍ରଭୁ ! ଆପଣ ଶ୍ରୀକ୍ଷେତ୍ରରେ କାଳିଆ ରୂପରେ ପୂଜା ପାଉଛନ୍ତି ନା , ମୁଖ୍ଯମନ୍ତ୍ରୀ "କାଳିଆ ଯୋଜନା" ଲାଗୁ କରିଛନ୍ତି ପରା । ଚ଼ାଷଜମି ଥିବା ଲୋକ ନଥିବା ଲୋକ ସମସ୍ତଙ୍କୁ ବଣ୍ଟା ଚ଼ାଲିଛି ପଇସା କାଳିଆ ଯୋଜନା ଜରିଆରେ । 

- ମୋ' ନାଁକୁ ବିକି ଏମାନେ କୋଟିପତି ! ମୋ' ନାଁ ଏମାନଙ୍କ ଗାଁ ! ବାପ୍‌ରେ ବାପ୍‌ , ଏ ମାନବ ଗୁଡ଼ାକ ତ ବଡ଼ ମାରାତ୍ମକ ଲାଗୁଛନ୍ତି ! କେତେବେଳେ ମୋତେ ବି ଶ୍ରୀକ୍ଷେତ୍ରରୁ ଉଠେଇ ବିକ୍ରି କରିଦେବେ ତ ନିଶ୍ଚୟ । ପରମପିତା ବ୍ରହ୍ମଦେବ ଏ ମାନବ ଜାତି ଉତ୍ପତ୍ତି କାହିଁକି କରୁଥିଲେ କେଜାଣି । ସତରେ ଏ କଳାମୁଣ୍ଡିଆଙ୍କୁ ବିଶ୍ବାସ ନାହିଁ ଆଉ । 

- ଆପଣ ଆପଣଙ୍କ କ୍ଷେତ୍ର ଆଡ଼କୁ ଟିକେ ଦୃଷ୍ଟି ନିକ୍ଷେପ କରନ୍ତୁ ପ୍ରଭୁ ; ସବୁକିଛି ବୁଝି ପାରିବେ । ଆପଣଙ୍କର ପ୍ରିୟ କ୍ଷେତ୍ର ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ଜବରଦଖଲର ଉଚ୍ଛେଦ ଚ଼ାଲିଛି । ମଠବାଡ଼ି ବି ସ୍ମାସ୍‌ ନବୀନାର ନୂଆ ଚିନ୍ତାଧାରାରେ । 

- ନବୀନା ଶେଷରେ ମଠବାଡ଼ି ବି ଛାଡ଼ିଲାନି ! ଅଭାଗ୍ଯ ଘୋଟିଲା ବୋଧେ ତାକୁ ଆଉ । ଆଚ୍ଛା , ଦେବର୍ଷି ! ମର୍ତ୍ତ୍ୟ ମଣ୍ଡଳ ପରି ଆମ ସ୍ବର୍ଗରେ ଯଦି ସେଇଭଳି ନିୟମ ଲାଗୁ କରି ସ୍ମାର୍ଟ୍‌ ସ୍ବର୍ଗ କରାଯାଏ , ତେବେ କ୍ଷତି କ'  / 

- କିଛି ନାହିଁ ; ଆମେ ବି ସ୍ମାର୍ଟ୍‌ ହୋଇଯିବା । ମାନବ ଠାରୁ ଦେବଗଣ ଶ୍ରେଷ୍ଠରେ ; ସେମାନେ ଆମ ଠାରୁ ଉଚ୍ଚରେ ରହିବେ ଏଇଟା ଆମ ପାଇଁ ଗ୍ରହଣୀୟ ହେବା ଅନୁଚିତ । 

- ତେବେ ଏ ସ୍ବରର କୋଣେ ଅନୁକୋଣେ ଘୋଷଣା କର ; ପ୍ରଥମେ ମନ୍ତ୍ରୀ ମଣ୍ଡଳ ଗଠନ ହେବ । ତା'ପରେ ଯାହା ହେବ ; ଇଲେକ୍ସନ୍‌ ଡେଟ୍‌ ଫାଇନାଲ କର । 

- ଯଥାଜ୍ଞା ପ୍ରଭୁ ; ମୁଁ ତେବେ ଆସୁଛି । ନାରାୟଣ - ନାରାୟଣ  । (ନାରଦଙ୍କର ପ୍ରସ୍ଥାନ ।)

    ଧିରେ ଧିରେ ପାଦ ଥାପି ପ୍ରବେଶିଲେ ଲକ୍ଷ୍ମୀ ; ଭିତରେ ରହି ସବୁକିଛି ଶୁଣୁଥିଲେ । ନାରାୟଣଙ୍କ ନିକଟରେ ପହଞ୍ଚି କହିଲେ :-

- ହଇକିଏ ! ତମେ କ'ଣ ଇଲେକ୍ସନ୍‌ କରିବାକୁ କହିଲଣି ! ଏସବୁ କ'ଣ ପାଇଁ ଯେ ?

- ମର୍ତ୍ତ୍ୟବାସୀ ସ୍ମାର୍ଟ୍‌ ହେବେ, ଆମେ କାହିଁକି ହେବାନି ? ଆମେ ବି ସ୍ମାର୍ଟ୍‌ ହେବା ; ମନ୍ତ୍ରୀ ମଣ୍ଡଳ ଗଢ଼ିବା । ମୋ' ନାଁକୁ ମର୍ତ୍ତ୍ୟରେ ବିକ୍ରି କରି, ମତେ ପାଥେୟ କରି ମାନବ ଗୁଡ଼ାକ ମାଲାମାଲ୍‌ ହଉଛନ୍ତି ; ମୋ' ନାଁରେ ଏଠି ମ ଦେବତା ମାନେ ସକ୍ସେସ୍‌ ହୁଅନ୍ତୁ । 

- ଓକେ , ଆମେ ବି ସ୍ମାର୍ଟ୍‌ ହେବା । ଠିକ୍‌ କହିଛ ।

    ମହାଲକ୍ଷ୍ମୀ ବି ଏଥିରେ ହମତି ପ୍ରକାଶ କଲେ । ସ୍ମାର୍ଟ୍‌ ହେବାର ଯୋଜନାରେ ଲାଗି ପଡ଼ିଲେ ସମସ୍ତେ । ସେପଟେ ନାରଦଙ୍କ ମେସେଜ୍‌ ପାଇବା ପରେ ସବୁ ଦେବତା ଏକତ୍ରିତ ହୋଇ ଦିନେ ଏକ ସଭା କଲେ । ମିଟିଙ୍ଗ୍‌ ଡ଼କାଗଲା ; ସ୍ମାର୍ଟ୍‌ ହେବା ପାଇଁ ଯୋଜନା ଚ଼ାଲିଲା । ଇଲେକ୍ସନର ଦିନ-ବାର ଧାର୍ଯ୍ୟ ହେବାର କଥା ପଡ଼ିଲା । ସ୍ବୟଂ ନାରାୟଣଙ୍କ ବଡ଼ ଭାଇ ବଳରାମ କିନ୍ତୁ ଅନ୍ଯ ଏକ ପ୍ରସ୍ତାବ ଦେଲେ । ସେ କହିଲେ - "ଇଲେକ୍ସନର ଆବଶ୍ଯକତା କ'ଣ ? ଆମେ ସ୍ମାର୍ଟ୍‌ ହେବା କଥା ହେବା , ମନ୍ତ୍ରୀ ମଣ୍ଡଳ ଗଠନ ହେବ ତ ? ଆମେ ଯାହାକୁ ଚ଼ାହିଁବା ତାକୁ ଦାୟିତ୍ବ ଦେବା , ସେ ତୁଲେଇବ । ଏଥିରେ କାହାର ଦ୍ବିମତ ଅଚି କି ?" ବଳରାମ କିନ୍ତୁ ମାପିଚୁପି କଥାଟି କହିଛନ୍ତି । ସ୍ବୟଂ ନାରାୟଣ କଳେ - ବଳେ - କୌଶଳେ ଛଳ କପଟରେ ନିପୁଣ ; ସ୍ବର୍ଗ - ମର୍ତ୍ତ୍ୟ - ପାତାଳ ତିନି ପୁରରେ ବେଶ୍‌ ପ୍ରତିଷ୍ଠିତ । ବଳରାମ କିନ୍ତୁ ଟିକେ ମୋଟା ବୁଦ୍ଧିଆ ; ନାରାୟଣଙ୍କ ପରି ଏତେଟା ବୁଦ୍ଧି ତାଙ୍କର ନାହିଁ । ତେଣୁ ସେ ପ୍ରତିଷ୍ଠିତ ଓ ପରିଚିତ ହେବା ପାଇଁ ଇଚ୍ଛା ପ୍ରକାଶ କରି ଏଭଳି ମନ୍ତବ୍ୟଟିଏ ରଖିଲେ । ତେଣୁ ତାଙ୍କ କଥାକୁ ସମର୍ଥନ ଜଣାଇ ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ସବୁ ଦେବତା ମାନେ ତାଙ୍କୁ କହିବାରୁ ସେ ମନ୍ତ୍ରୀ ମଣ୍ଡଳର ପ୍ରତିଷ୍ଠାତା ରୂପରେ ଦାୟିତ୍ବ ଗ୍ରହଣ କଲେ । ଗୁରୁ ବୃହସ୍ପତିଙ୍କୁ ବାଚସ୍ପତି ଓ ଇନ୍ଦ୍ରଙ୍କ ସହଧର୍ମିଣୀ ଶଚିଙ୍କୁ ଉପବାଚସ୍ପତି ରୂପେ ଚୟନ କରାଗରା । ସବୁ ଦେବତା ମାନଙ୍କ ସହମତିରେ ବଳରାମ ମନ୍ତ୍ରୀ ପଦ ଗ୍ରହଣ କରିବା ସହ ବିଧାୟକ ଭାବରେ ଦ୍ବିତୀ ନନ୍ଦନ ରବି ଅର୍ଥାତ୍ ସୂର୍ଯ୍ୟ ଦେବତାଙ୍କୁ ସିଲେକ୍ସନ୍‌ କରାଗଲା । ଦେବୀ ଅପର୍ଣ୍ଣା , ଉର୍ବସୀ , ରମ୍ଭା , ଜୟା , ମେନକା ଆଦିଙ୍କୁ ବିଭିନ୍ନ ପରିଚ଼ାଳନା ଦାୟିତ୍ବ ପ୍ରଦାନ କରାଗଲା । 

     ସମସ୍ତେ ସ୍ମାର୍ଟ୍‌ ହେବାର ନିଶାରେ ମସ୍‌ଗୁଲ୍‌ । ସମସ୍ତେ ସବୁ ଦାୟିତ୍ୱ ଗ୍ରହଣ କରି ସାରିବା ପରେ ବାକି ରହିଲେ ସ୍ବୟଂ ନାରାୟଣ ଓ ମହର୍ଷି ନାରଦ । ସଭାରେ ସମସ୍ତେ ପ୍ରେଜେଣ୍ଟ୍‌ ପକେଇ ଥିବା ବେଳେ ଶଙ୍କର କିନ୍ତୁ ସଭାକୁ ଆସି ନଥିଲେ । ବଳରାମଙ୍କ କାର୍ଯ୍ଯକଳାପ ଉପରେ ଶଙ୍କର ସନ୍ତୁଷ୍ଟ ନଥିଲେ । ବାରମ୍ବାର ଚେଷ୍ଟା କରା ଯାଇଛି ଶଙ୍କରଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ କରିବାକୁ । ଉର୍ବସୀ , ନାରଦ ଆଦି ପଲିଟିକ୍ସ୍‌ କରି ଶଙ୍କରଙ୍କୁ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ବ୍ରହ୍ମଦେବ ବି ସଭାକୁ ଆସି ନାହାନ୍ତି । ସତ୍ଯ ଓ ଶିବଙ୍କର ଆବ୍‌ସେଣ୍ଟ୍‌ ଥିଲା ; କିନ୍ତୁ ସୁନ୍ଦର ଅର୍ଥାତ୍ ସ୍ବୟଂ ନାରାୟଣ ପ୍ରେଜେଣ୍ଟ୍‌ ଥିଲେ ମିଟିଙ୍ଗ୍‌ରେ । ଭଗବାନ ନାରାୟଣଙ୍କୁ ବି ପରିଚ଼ାଳନା ଦାୟିତ୍ବରେ ରଖାଗଲା ; ସେ ତ ସହଜେ ଜଣେ ପରିଚ଼ାଳକ ଅର୍ଥାତ୍ ପାଳନକର୍ତ୍ତା । ନାରଦଙ୍କୁ ଗୁପ୍ତଚର ଦାୟିତ୍ବ ଦିଆଗଲା । କଥାରେ ଅଚି - "କଳିଆ ନାରଦ" ; ଗୁପ୍ତଚର ପୋଷ୍ଟ୍‌ଟି ବି ଠିକ୍‌ ଖାପେଇଚି ତାଙ୍କୁ । 

      ନାରଦ ମର୍ତ୍ତ୍ୟ ମଣ୍ଡଳରେ ବୁଲି ଗୁପ୍ତ ଖବର କଲେକ୍ଟ୍‌ କରି କିପରି ସବୁ ଚ଼ାଲିଛି ଜଣାଇଲେ । ମନ୍ତ୍ରୀ ବଳରାମ ମର୍ତ୍ତ୍ୟ ମଣ୍ଡଳରେ କାଳିଆ ଯୋଜନା ପରି ସ୍ବର୍ଗପୁରରେ ବଳିଆ ଯୋଜନା ଆରମ୍ଭ କଲେ । ସମସ୍ତ ଦେବଗଣଙ୍କୁ ବିଭିନ୍ନ ଧନ ଦୌଲତ ଦେଇ ପ୍ରଶଂସିତ ହେବାକୁ ଲାଗିଲେ । ଦିନକର ଘଟଣା ; ଦେବର୍ଷି ନାରଦ ମର୍ତ୍ତ୍ୟ ମଣ୍ଡଳରେ ଲ୍ଯାଣ୍ଡ୍‌ କରି ଗୁପ୍ତ ଭାବରେ ଖବର ସାଉଁଟୁଥିବା ବେଳେ ହଠାତ୍‌ ନଜର ପରିସରକୁ ଆସିଲା ଏକ ରୁମ୍‌ରେ ଚେୟାର ଉପରେ ପ୍ରାୟ କିଛି ବ୍ଯକ୍ତି ବସିଛନ୍ତି ଏବଂ ତାଙ୍କ ସାମ୍ନାରେ ସୁସଜ୍ଜିତ ମଞ୍ଚ ଉପରେ ପାଞ୍ଚ - ସାତ ଜଣ ବ୍ଯକ୍ତି ଭବ୍ଯ ସମ୍ବର୍ଦ୍ଧନାର ସହ ବସିଥିବା ବେଳେ ଚ଼ାଲିଛି ପଦ୍ଯ ଓ ଗଦ୍ୟର ଆବୃତ୍ତି । ଅନୁଧ୍ୟାନ କରି ଜାଣିଲେ ଯାହା , ସ୍ବର୍ଗରେ ମନ୍ତ୍ରୀ ବଳରାମଙ୍କୁ ଜଣାଇବାରୁ ବଳରାମ ବି ସ୍ବର୍ଗପୁରରେ ସେଇଭଳି ପ୍ରୋଗ୍ରାମ ପାଇଁ ମନ୍ତ୍ରୀ ମଣ୍ଡଳ ଡ଼ାକି ମିଟିଙ୍ଗ୍‌ କଲେ । ଦିନ-ବାର ଧାର୍ଯ୍ୟ କରାଗଲା ; ପରିଚ଼ାଳନାକାରୀଙ୍କୁ ଗଦ୍ୟ - ପଦ୍ଯ ସମସ୍ତଙ୍କ ପାକରେ ପହଞ୍ଚିବା ପାଇଁ ପୋଥି ପ୍ରକାଶର ବ୍ଯବସ୍ଥା ପାଇଁ କୁହାଗଲା । ସମସ୍ତେ ନୂଆ ନୂଆ ରଚନାରେ ଲାଗି ପଡ଼ିଲେ । ସମସ୍ତଙ୍କୁ କୁହାଗଲା ଗୋଟିଏ ରଚନା ପାଇଁ ପଚ଼ାଶ ସ୍ବର୍ଣ୍ଣମୁଦ୍ରା ପଡ଼ିବ ; ଭବ୍ୟ ସମ୍ବର୍ଦ୍ଧନା ପାଇଁ ପାଞ୍ଚଶହ ସ୍ବର୍ଣ୍ଣମୁଦ୍ରା ଦେବାକୁ ପଡ଼ିବ । ସମସ୍ତେ ଭବ୍ୟ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ସ୍ବର୍ଣ୍ଣମୁଦ୍ରା ନେଇ ଜଣ ଜଣ କରି ଦେଲେ ମନ୍ତ୍ରୀ ବଳରାମଙ୍କୁ । 

     ବାଚସ୍ପତି ବୃହସ୍ପତିଙ୍କ କାନରେ ଏକଥା ପଡ଼ିଲା । ବିଧାନସଭା ଡ଼କାଇ ବିରୋଧ କରି କହିଲେ - "ବିଦ୍ଯାର ବିଡ଼୍ରୟ ନଥାଏ ; ବରଂ ବିଦ୍ଯା ଦାନ କଲେ ନିଜର ମାନ ଓ ବିଦ୍ଯା ରୂପକ ଧନ ପରିବର୍ଦ୍ଧିତ ହୁଏ । ଏସବୁରୁ କ୍ଷାନ୍ତ ରୁହନ୍ତୁ ଏବଂ ନିୟମାନୁସାରେ ରୁଲ୍‌ ରେଗୁଲେସନ୍‌ରେ କାମ କରାଯାଉ ।" ମନ୍ତ୍ରୀ ବଳରାମ ଗୋଟିଏ ଗୁଳିରେ ଦୁଇଟା ଶୀକାର କରିବାକୁ ବସିଥିଲେ । ପ୍ରଥମତଃ ପ୍ରତିଷ୍ଠିତ ହେବା ଏବଂ ଏହାକୁ ବିଜିନେସ୍‌ ବନେଇ ଲାଭବାନ ହେବା । ବାଚସ୍ପତିଙ୍କ କଥା ତାଙ୍କୁ ଅସହ୍ୟବୋଧ ହେଉଥିଲା ଏବଂ କାର୍ଯ୍ୟରେ ଫେଲ୍‌ ହେବାର ଭୟ ଘାରୁଥିଲା । ଭିତରେ ଭିତରେ ଷଡ଼ଯନ୍ତ୍ର କରି ଚ଼ାଲିଥିଲେ ବଳରାମ । ବାଚସ୍ପତିଙ୍କ ପାଖରେ ଭଦ୍ରତାର ପରିଚ଼ୟ ଦେଇ ଓ ତାଙ୍କଠୁ କାମ ହାସଲ କରି ତାଙ୍କୁ ବିତାଡ଼ିତ କରିବାର ଯୋଜନାରେ ଥିଲେ । ନିଆଁରେ ଘିଅ ଢ଼ାଳୁଥିଲେ ସ୍ବୟଂ ନାରାୟଣ । ଧନ ରୋଜଗାରରେ ଗୁପ୍ତଚର ନାରଦ ପୂରା ହେଲ୍ପ୍‌ କରୁଥିଲେ । ଅନେକ ଦେବଂଶୀମାନେ ମନ୍ତ୍ରୀ ବଳରାମଙ୍କୁ ଧନ ଦେଇ ସମ୍ବର୍ଦ୍ଧିତ ହେବାର ଓ ପୋଥିରେ ନିଜ ସୃଷ୍ଟି ଦର୍ଶନର ପ୍ରତୀକ୍ଷାରେ ଥିଲେ । ସମସ୍ତ ଦେବଗଣ ଜଣେ ଜଣେ ସୁନ୍ଦର ସ୍ରଷ୍ଟା ; କିନ୍ତୁ ମନ୍ତ୍ରୀ ବଳରାମ ଏତେ ସୁନ୍ଦର ସ୍ରଷ୍ଟା ନୁହନ୍ତି । ସେ ଟିକେ ଧନବାନ ଥିବାରୁ ଅନେକ ଅପ୍ସରା ତାଙ୍କୁ ଲାଇକ୍‌ କରନ୍ତି । ସେ ତାଙ୍କ ପାଇଁ ସୁନ୍ଦର ରଚନା ତାଙ୍କ ନାମରେ କରି ଦେବଗଣଙ୍କ ଆଗରେ ପଠନ ପାଇଁ ପ୍ରସ୍ତୁତ କରାନ୍ତି ମନ୍ତ୍ରୀ ବଳରାମଙ୍କୁ ।

    ବଳରାମଙ୍କ ବଳିଷ୍ଠ ରଚନା ସମସ୍ତ ଦେବଗଣଙ୍କୁ ହତବାକ କରିଦିଏ । ଚ଼ାହୁଁ ଚ଼ାହୁଁ ଆସିଗଲା ଦିନ ; ଡ଼କାଗଲା ସଭା । ସୁରଗୁରୁ ଶୁକ୍ରାଚାର୍ଯ୍ୟ , ବାୟୁଦେବ , ଅଗ୍ନିଦେବ , ଦେବରାଜ ଇନ୍ଦ୍ର , ଗଣେଶ , ଗାୟତ୍ରୀ , ସାବିତ୍ରୀଙ୍କ ପରି ବଡ଼ ବଡ଼ ଦେବତାଙ୍କୁ ମଞ୍ଚାସୀନ ହେବାକୁ ଇନଭାଇଟ୍‌ କରାଗଲା ; ସ୍ବୟଂ ନାରାୟଣ ସମସ୍ତଙ୍କୁ ଇନ୍‌ଭାଇଟ୍‌ କଲେ । ଫଙ୍କ୍‌ସନ୍‌ କରିବାକୁ ଜାଗା ଖୋଜି ଖୋଜି ଶେଷରେ ଅନ୍ନପୂର୍ଣ୍ଣାଙ୍କ ନବରଟିକୁ ଠିକ୍‌ କଲେ । କାର୍ଯ୍ଯ ଆରମ୍ଭ ହେଲା ; ସମସ୍ତେ ନିଜ ନିଜର ରଚନା ପଠନ ପରେ ସମ୍ବର୍ଦ୍ଧନାର ପର୍ବ ଆସିଲା । ମଞ୍ଚରେ ଥିଲେ ବାଚସ୍ପତି ଦେବଗୁରୁ ବୃହସ୍ପତି । ଅନେକ ଧନ ଦେଇଥିବା ବେଳେ ପ୍ରୋଗ୍ରାମ ସମୟରେ ବି କଲେକ୍ସନ୍‌ ଚ଼ାଲିଥାଏ । ବାଚସ୍ପତିଙ୍କ କହିବାନୁସାରେ ତିନି ଜଣ ଦେବତାଙ୍କୁ ସମ୍ବର୍ଦ୍ଧିତ କରିବା କଥା ; କିନ୍ତୁ ତାଙ୍କ କଥାକୁ ଅବମାନନା କରି ଅନେକଙ୍କୁ ସମ୍ବର୍ଦ୍ଧିତ କରାଗଲା । କିଛିଦିନ ପରେ ସମସ୍ତ ଦେବଗଣଙ୍କ ରଚ଼ନାକୁ ନେଇ ପୋଥି କରି ପ୍ରୋଗ୍ରାମ ପାଇଁ ଲାଗି ପଡ଼ିଲେ ସାରା ମନ୍ତ୍ରୀ ମଣ୍ଡଳ । 

     ମନ୍ତ୍ରୀ ବଳରାମ ଜାଣି ସାରିଥିଲେ ଯେ ବାଚସ୍ପତି ବୃହସ୍ପତି ତାଙ୍କ କାର୍ଯ୍ୟରେ ବାଧା ଦେଉଛନ୍ତି । ତେଣୁ ତାଙ୍କୁ ହଟେଇବାର ଯୋଜନା କଲେ । ଏଥିରେ ଫାଇଦ ନେବାକୁ ଚେଷ୍ଟା କଲେ ଛଳିଆ ନାରାୟଣ ; ସେ ଯେମିତି ସୁଯୋଗ ଉଣ୍ଡି ବସିଥିଲେ । ଦିନେ ମନ୍ତ୍ରୀ ବଳରାମ ନିଜକୁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ କରି ନେଇ ରଥରେ ଚଢ଼ି ଆସି ପହଞ୍ଚି ଥିଲେ କୁବେରଙ୍କ ନିବାସରେ । ମନ୍ତ୍ରୀ ବଳରାମଙ୍କୁ ଯଥାମାନ୍ଯ ଦେଇ କୁବେର ପାଛୋଟି ନେଲେ ରୁମ୍‌କୁ । ଅନେକ ଆଲୋଚନା ଚ଼ାଲିଲା ; ଭବ୍ୟ ଭୋଜନ ଓ ମଧୁର ବଚନରେ ମନ୍ତ୍ରୀ ବଳରାମ ପୂରା ଖୁସି ହୋଇଗଲେ । ନିଜର ମନ୍ତ୍ରୀ ମଣ୍ଡଳ କଥା ପଡ଼ିବାରୁ କୁବେର ତାଙ୍କୁ ସହାୟତା କରିବାର ପ୍ରତିଶ୍ରୁତି ଦେଇ କହିଲେ - "ଡ଼ୋଣ୍ଟ୍‌ ଓରି  ; ମୁଁ ତୁମ ପାଇଁ ରୁମ୍‌ ବୁକିଂ କରିଦେବି । ଦୁଇ ହଜାର ସ୍ବର୍ଣ୍ଣମୁଦ୍ରା ପଡ଼ିବ ; ମୁଁ ତୁମ ସହ ଅଛି ।" ଏକଥା ସୁଣି ଆନନ୍ଦରେ କୁରୁଳି ଉଠିଲେ ବଳରାମ । ପ୍ରୋଗ୍ରାମ କଥା ପଡ଼ିଲା । କୁବେର କହିଲେ - "କାହାକୁ ସବୁ ଇନ୍‌ଭାଇଟ୍‌ କରୁଛ ?" ମନ୍ତ୍ରୀ ବଳରାମ କହିଲେ କାହାକୁ ଇନ୍‌ଭାଇଟ୍‌ କରୁଛନ୍ତି । ସବୁ ସୁଣି କୁବେର କିଛି ଦେବତାଙ୍କୁ ସମ୍ବର୍ଦ୍ଧିତ ପ୍ରତିଭା କରିବାକୁ ସଜେଷ୍ଟ୍‌ କଲେ । ମନ୍ତ୍ରୀ ବଳରାମ ମନା କରି ଜଣେ - ଦୁଇଜଣଙ୍କ ସଜେସନକୁ ଆକ୍ସେପ୍ଟ୍‌ କଲେ । ସେଠାରୁ ରିଟର୍ଣ୍ଣ୍‌ କରି ପ୍ରୋଗ୍ରାମ ପାଇଁ ଲାଗି ପଡ଼ିଲେ । ଇନ୍‌ଭାଇଟେସନ୍‌ ପ୍ରସ୍ତୁତ କରାଗଲା ; ବାଚସ୍ପତି ବୃହସ୍ପତିଙ୍କୁ ମୁଖ୍ୟ ରୂପରେ ରଖା ଯାଇଥିଲା ଏବଂ ସମ୍ବର୍ଦ୍ଧନାପତ୍ରରେ ବି ଶ୍ରୀଯୁକ୍ତ ମହାମାନ୍ୟ ଦେବଗୁରୁ ବୃହସ୍ପତି ବୋଲି ଉଲ୍ଲେଖ କରାଗଲା । ଇନ୍‌ଭାଇଟ୍‌ ସେଣ୍ଡ୍‌ କରାଗଲା ଦେବରାଜ ଇନ୍ଦ୍ର , ରାଜା ବରୁଣ , ନର୍କାଧୀଶ ଯମ , ସୁରଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପରି ମହାମାନ୍ୟ ପରାକ୍ରମଶାଳୀ ଦେବଗଣଙ୍କୁ । 

   ମନ୍ତ୍ରୀ ମଣ୍ଡଳର ମେମ୍ବରସିପ୍‌ ଭାବରେ ଅନେକଙ୍କ ଠାରୁ ଆଦାୟ କରାଗଲା ରାଶି ରାଶି ସ୍ବର୍ଣ୍ଣମୁଦ୍ରା । ସବୁ ପରେ ଆସିଗଲା ପ୍ରୋଗ୍ରାମ ଡ଼େ ; ବାଚସ୍ପତି ଏସବୁର ଉରାକ ପାଇ ଉପସ୍ଥିତ ନ ହେବାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ବାରମ୍ୱାର ତାଙ୍କୁ ସମ୍ବାଦ ପ୍ରେରଣ କରି ପ୍ରୋଗ୍ରାମର ମୁଖ୍ଯ ଭାବରେ ଇନ୍‌ଭାଇଟ୍‌ କରାଗଲ । ବାଧ୍ୟ ହୋଇ ବାଚସ୍ପତି ବି ଯୋଗଦାନ କଲେ । କିନ୍ତୁ ସେଠି ମନ୍ତ୍ରୀ ମଣ୍ଡଳର ମୁଖ୍ଯ ଭାବେ ସମ୍ମାନ ନ ଦେଇ ଗେଷ୍ଟ୍‌ କରି ଦିଆଗଲା । ସ୍ବୟଂ ପରିଚ଼ାଳକ ନାରାୟଣଙ୍କର ଚଞ୍ଚକତା ଏବଂ ଦେବରାଜ ଇନ୍ଦ୍ରଙ୍କ ପାଖରେ ବସିବାର ଅଭିପ୍ସା ତାଙ୍କୁ ସେଦିନ ବାଚସ୍ପତିଙ୍କ ଆସନ ପ୍ରଦାନ କରିଥିଲା । ସତ୍ଯ - ତ୍ରେତା - ଦ୍ବାପର - କଳି , ଚ଼ାରି ଯୁଗରେ ନାରାୟଣଙ୍କର ଛଳ ପାଖରେ ଦେବ-ସୁର-ନର କେହି ତିଷ୍ଠି ପାରି ନାହାନ୍ତି । କଥାରେ ଅଛି ଗୁରୁ ଠାରୁ ଶିଷ୍ୟ ଛ' ପାଣି ଅଧିକ । ସେହି ଜାଗାରେ ଠିକ୍‌ ସେଇଆ ହେଲା । ଦେବଗୁରୁ ବୃହସ୍ପତିଙ୍କୁ କିଏ ବା ନ ଜାଣେ ? ତିନି ପୁରରେ ସେ ପରିଚିତ ; ଦେବ-ସୁର-ନର ସବୁରି ପାଖରେ ସେ ଆଦରଣୀୟ  । 

  ପ୍ରଭୁ ନାରାୟଣ କିନ୍ତୁ ନିଜର ନୈତିକତାକୁ ଭୁଲି ଯାଇଥିଲେ ସେଦିନ ; ନିଜର କର୍ତ୍ତବ୍ୟକୁ ନିଜେ ପଦାଘାତ କରି ଉଚ୍ଚାସନ ଲୋଭରେ ଯାହା କଲେ ତାହା ନିନ୍ଦନୀୟ ବାସ୍ତବରେ । ସେ ଯାହା ବି ହେଉ , ଅତିଥିଙ୍କୁ ସମ୍ବର୍ଦ୍ଧିତ କରିବାକୁ ଡ଼ାକି ତାଙ୍କ ଠାରୁ ଧନ ଆଦାୟ କରିବାର କୌଶଳ ମନ୍ତ୍ରୀ ମହୋଦୟଙ୍କ ଠାରୁ ଶିକ୍ଷା କରିବାକୁ ମିଳିଲା । ମହାରାଜ ଇନ୍ଦ୍ରଙ୍କ ହସ୍ତରୁ ସମ୍ବର୍ଦ୍ଧନା ନେବାକୁ ବ୍ଯଗ୍ର ସମସ୍ତେ । ସମସ୍ତଙ୍କ ପାଇଁ ସମ୍ମାନପତ୍ର ପ୍ରସ୍ତୁତି ; ଏମିତିକି ନିଜେ ସମ୍ବର୍ଦ୍ଧନା ଦେଉଥିବା ଲୋକ ବି ସମ୍ବର୍ଦ୍ଧିତ । ମହନ ଋଷି ଓ ତପାଚ଼ାରୀଙ୍କ ନାମରେ ସମ୍ବର୍ଦ୍ଧନା ଦିଆଗଲା । ଋଷି ବାଲ୍ମିକୀ , ସୁରଗୁରୁ , ମହର୍ଷି ବିଶ୍ବାମିତ୍ର , ଋଷି ଭୃଗୁ , ମହର୍ଷି ମନୁ ଏପରି ସବୁ ସମ୍ମାନ ନିଜେ ନିଜେ ହାତେଇ ନେଲେ । ତାଙ୍କ ପରି ହେବାକୁ ସେତିକି ସାଧନା ଦରକାର । ନିଜେ ବିଷ୍ଣୁ ଅର୍ଜୁନଙ୍କୁ କହିତିଲେ - "ଭକ୍ତର ଭକ୍ତି ପାଖରେ ଭଗବାନ ବି ପରାଜିତ ।" ଏଠି କେମିତି ସବୁ ସମସାମୟିକ ତଥା ଭକ୍ତି ଠାରୁ ଭଗବାନ ମହାନ ପାଲଟି ଗଲେ କେଜାଣି । ଜାଣି ଜାଣି ନିଜର ପଦ ମର୍ଯାଦା କ୍ଷୁର୍ଣ୍ଣ କରିବା ସାର ହେଲାନି କି ?

         ମର୍ତ୍ତ୍ୟରେ ମାନବ ମାନଙ୍କର ସ୍ମାର୍ଟ୍‌ ଟାଉନ୍‌କୁ ଲକ୍ଷ୍ୟ କରି ସ୍ବର୍ଗକୁ ସ୍ମାର୍ଟ୍‌ ସିଟିରେ ପରିଣତ କରିବାକୁ ଅଭିନବ ପ୍ରୟାସ କରିତିବା ଯୋଜନାଟି ପ୍ରତ୍ଯେକ ଦେବତାଙ୍କର ପଦ ମର୍ଯାଦାକୁ ସ୍ମାସ୍‌ କରିବାର ବାଟ ଦେଖାଇବ ବୋଲି ତାଙ୍କର ଧାରଣା କ'ଣ ଥିଲା କି ? ନିଜକୁ ପୂରା ସ୍ମାର୍ଟ୍‌ ଭାବି ଷ୍ଟାର୍ଟ୍‌ କରିଦେଲେ ବିଭିନ୍ନ ଉପାୟ । ସ୍ବର୍ଗପୁର ସାରା ଖେଳିଗଲା ଖବର । ନୀତିବାନ ଓ ସତ୍ଯନିଷ୍ଠ ଦେବତା ମାନେ ନିନ୍ଦୁକ ପାଲଟି ଗଲେ । କୈଳାସରେ ତପସ୍ଯାରତ ଶଙ୍କରଙ୍କ ପାଖରେ ପହଞ୍ଚିଲା ଏ ମେସେଜ୍‌ । ଶଙ୍କର ହେଲେ ମଙ୍ଗଳମୟ ; ସମଗ୍ର ସୃଷ୍ଟିର ମଙ୍ଗଳ ବିଧାନ ପାଇଁ ସେ ଚେଷ୍ଟିତ । ଶଙ୍କର ଏ ମେସେଜ୍‌ ପାଇବା ପରେ ବ୍ଯଥିତ ହୋଇ ଚିନ୍ତା କଲେ , ଏମିତି ଯଦି ସ୍ବର୍ଗରେ ହୁଏ ତେବେ ମର୍ତ୍ତ୍ୟରେ ମାନବଙ୍କୁ ଆମେ କି ନୈତିକତା ଶିକ୍ଷା ଦେବା ? ସ୍ବୟଂ ନାରାୟଣ ବି ଏଥିରେ ସାମିଲ୍‌ ! ଏତେ ବିଜ୍ଞ ହୋଇ ସେ ନିଜର ସ୍ଥିତି ଅନୁଧ୍ୟାନ କରି ପାରିଲେନି କି ନୈତିକତାକୁ ସ୍ମରଣ କରି ପାରିଲେନି ! ଏ ଦେବଗଣ ବି ପାଲଟି ଗଲେ ବାଚ଼ାଳ ! ନୋ , ନେଭର୍‌ ; ଆଇ ଡ଼ୋଣ୍ଟ୍‌ ଟଲେଟ୍‌ ଇଟ୍‌ । ହେଭେନ୍‌ରେ ରୁଲ୍‌ ରେଗୁଲେସନ୍‌କୁ ଭାଙ୍ଗୁଥିବା ବାଚ଼ାଳଙ୍କ ପାଇଁ ବିରୋଧର ସ୍ବର ଉଠିବ । ୟେସ୍‌ ; ମୁଁ ସ୍ବର ଉଠାଇବି । କ୍ରୋଧିତ ହୋଇଗଲେ ଶଙ୍କର ; ଏବେ ଆଉ କାହିଁ ବା ନିସ୍ତାର ? ଗର୍ଜି ଉଠି କହିଲେ - "ୱେଟ୍‌ କର ; ମୋର ଥାର୍ଡ୍‌ ଆଇ ଓପନ୍‌ କରିବି । ଆଗ ଏ ସ୍ବର୍ଗପୁର କଥା ବୁଝି ସାରିଲେ ମର୍ତ୍ତ୍ୟପୁରରେ ଲ୍ଯାଣ୍ଡ୍‌ କରିବି । 

      ଶଙ୍କରଙ୍କ ଗର୍ଜନରେ ଥରି ଉଠିଲା ତ୍ରିପୁର ; ବହିଲା ଅଣଚ଼ାସ ବାଆ । ସତେ ଅବା ଆସିଗଲା ଝଡ଼ ବତାସ ; ଟଳମଳ ହେଲା ବାସୁକି । କିଛି ସତ୍ଯନିଷ୍ଠ - ନୀତିବାନ ଦେବତାଙ୍କ ସହିତ ଛଳ - କପଟର ଶିକାର ହୋଇଥିବା ଦେବତା ଶଙ୍କରଙ୍କୁ ସହାୟତାର କର ପ୍ରାରିଲେ । ଆରମ୍ଭ ହେଲା ତାଣ୍ଡବ ; ଟଳି ପଡ଼ିଲା ସ୍ବର୍ଗର ଦେବତା ମାନଙ୍କ ଆସନ । କିଛି କରି ପାରିବାର ଉପାୟ ନ ପାଇ ଶେଷରେ ଶଙ୍କରଙ୍କର ଶରଣାପନ୍ନ ହେଲେ ଅନୀତି ଆଚରି ଥିବା ଦେବକୁଳ । ବିନମ୍ର କ୍ଷମା ପ୍ରାର୍ଥନା ପୂର୍ବକ ନିଜକୁ ସ୍ମାର୍ଟ୍‌ କରିବାକୁ କରିଥିବା ନିନ୍ଦନୀୟ କାର୍ଯ୍ଯ ପାଇଁ ରିଏଲାଇଜ୍‌ କଲେ । ଶେଷରେ ବ୍ରହ୍ମାଙ୍କ ଅନୁରୋଧରେ କ୍ରୋଧରୁ କ୍ଷାନ୍ତ ହେଲେ ମହାରୁଦ୍ର ଶଙ୍କର । କହିଲେ - "ମାନବ ନିଜକୁ ଯେତେ ସ୍ମାର୍ଟ୍‌ ଭାବୁଚି ; ସେ ସେତେ ସ୍ମାର୍ଟ୍‌ ନୁହଁ । ସ୍ମାର୍ଟ୍‌ ଆଳରେ ନିଜକୁ ସ୍ମାସ୍‌ କରିବାର ବାଟ ଦରାଣ୍ଡୁଛି । ସ୍ମାର୍ଟ୍‌ ଭକ୍ତକୁ ଦେଖି ସ୍ମାରଟ୍‌ ଗଡ୍‌ ହେବାକୁ ଚେଷ୍ଟା କରୁଛ ! କ'ଣ ସ୍ବର୍ଗପୁରକୁ ବି ଶ୍ମଶାନରେ ପରିଣତ କରିବ ! ଏସବୁ ସେଇ ସ୍ମାର୍ଟ୍‌ ଭକ୍ତଙ୍କ ପାଇଁ , ଦଉଛି ପାନେ ତାଙ୍କୁ ।" ଶଙ୍କର ରଡ଼ି ଛାଡ଼ି ବୃଷଭକୁ ଡ଼ାକିବରୁ ବୃଷଭ ଆସି ଉପନୀତ ହେଲା । ଏବେ ସେ ଚଲାଇଛନ୍ତି ମର୍ତ୍ତ୍ୟରେ ଲ୍ଯାଣ୍ଡ୍‌ କରିବାକୁ ଯୋଜନା । ବୋଧହୁଏ ଏବେ ସ୍ମାର୍ଟ୍‌ ମର୍ତ୍ତ୍ୟ ସ୍ମାସ୍‌ ପାଲଟିବ । ସ୍ବର୍ଗର ଦେବଗଣଙ୍କର ସ୍ମାର୍ଟ୍‌ ହେବାର ନିଶା ଉତୁରିଲା , ଏବେ ମର୍ତ୍ତ୍ୟରେ ସ୍ମାର୍ଟ୍‌ ହେବାକୁ ଚେଷ୍ଟା କରୁଥିବା ମୁର୍ଖ ଆତ୍ମଘୋଷିତ ଉପାଧିଧାରୀ ସ୍ମାସ୍‌ ହେବାକୁ ୱେଟ୍‌ କରନ୍ତୁ  ।।

ଓସ୍ତପୁର , କାକଟପୁର (ପୁରୀ)
ଜୟ ସାହିତ୍ୟ, ଜୟ ସମାଜ

ପୂଜା

       ପ୍ରୀତିମୟୀ ବିଶ୍ବାଳ 
ସଞ୍ଜ ହେଉଥାଏ ସୂର୍ଯ୍ୟ ମାଆ କ୍ରୋଡ଼କୁ ଫେରୁଥା'ନ୍ତି । ଚଢେଇ ମାନଙ୍କ ଚେଁ ଚେଁ ରାବ ସତେ ଯେମିତି ସେ ପ୍ରାକୃତିକ ଦୃଶ୍ୟ  ବେଶ୍ ମନୋରମ । ହଠାତ ନଜର ପଡ଼ିଲା ନଈ କୂଳ ପାଖରେ ବସିଥିବା ଝିଅ ଉପରେ । ତାକୁ ଦେଖି ଲାଗୁଥିଲା ଯେମିତି ସେ ବହୁତ ଦୁଃଖିତ ଅଛି , ମୁଁ ଯାଇକି ପଚାରିଲି ମା' କିଏରେ ତୁ ସଞ୍ଜ ହେଲାଣି ଏଠି ବସିଛୁ ? ମୋ' କଥାର କିଛି ଉତ୍ତର ଦେଲା ନାହିଁ ; ସତେ ଯେମିତି ଲାଗୁଥିଲା ଝିଅଟି ନଈର ଛଳ ଛଳ  ପାଣିରେ ମୁଗ୍ଧ ।  ଆଉ ଥରେ ଡାକିଲି ଝିଅ ! ହେଲେ ବି ମୋ' ଆଡ଼କୁ ଅନାଇଲା ନାହିଁ । ତା' ମୁଣ୍ଡରେ ହାତ ମାରି ପୁଣି ଡାକିଲି ଝିଅ ! ହଠାତ ଚମକି ପଡ଼ି କହିଲା - "ଆଜ୍ଞା କୁହନ୍ତୁ।" ପଚାରିଲି - "ସଞ୍ଜ ହେଲାଣି ଏଠି ବସିଛୁ ?" ତା'ର ପଦ୍ମ ପରି ମୁଖ ମଳିନ ପଡିଯାଇଛି , ସତେ ଯେପରି ଆଖିରେ ଅଶ୍ରୁର ଧାର ଅମାନିଆ ହୋଇପଡିଛି । ଝିଅଟି ଆସ୍ତେ ସେ କହିଲା - "ଆଜ୍ଞା ଆଉ  ଯିବି କୁଆଡେ ?" 
- ଆରେ ମା' ଯାଉନୁ ଘରକୁ । 
       କହିଲା - "ମୋ ଘର ନାହିଁ , ମୋର ବୋଲି କିଛି ନାହିଁ" କହି କାନ୍ଦିବାକୁ ଲାଗିଲା ।  ତା' ଆଖି ଦୁଇଟି ଦେଖି ଲାଗୁଥିଲା ସତେ ଯେମିତି ସେ ବହୁତ କିଛି କହିବାକୁ ଚାହୁଁଥିଲା , ହେଲେ ତା' ଦୁଃଖ ଶୁଣିବାକୁ କେହି ନାହିଁ । ମୁଁ ଯାଇ ତା' ପାଖରେ ବସି ପଚାରିଲି - "କ'ଣ ହେଇଛି ମା ମୋତେ କହ , ମୁଁ ତୋ' ଘରକୁ ନେଇ ଛାଡ଼ି ଆସିବି । 

        ମୁଁ ମୋ' ବାପା - ବୋଉଙ୍କର ଅଲିଅଳୀ ବଡ଼ ଝିଅ । ବାପା ବୋଉ ମୋ' ନାଁ ରଖିବା ପାଇଁ ଝଗଡ଼ା ଲାଗୁଥିଲେ । ଶେଷରେ ବୋଉ ମୋତେ ପାଗିଳୀ ଡାକେ ହେଲେ ବାପା ମୋତେ ଶ୍ରୀ ଡାକନ୍ତି । ବାପା କୁହନ୍ତି ମୋ' ଝିଅ ମୋ' ଘରର ଲଷ୍ମୀ । ତା' ପାଇଁ ଆମେ ଏତେ ଖୁସି ଆମ ଘରେ । ହେଲେ ସାହି ପଡ଼ିଶା ପୂଜା ନାମରେ  ଜାଣନ୍ତି । ବାପା କାମ ସାରି ଆସିଲା ବେଳକୁ ସବୁ ଦିନ ମୋ' ପାଇଁ ଖେଳନା ଆଣନ୍ତି , ପଇସା ନଥିଲେ ବି ବୋଉ ଠାରୁ ଝଗଡ଼ା କରି ନିଅନ୍ତି । ବହୁତ ଖୁସିରେ ଦିନ ଚାଲୁଥିଲା । ମୋର ସ୍କୁଲ ଯିବା ବୟସ ହେଲା , ବାପା ମୋ' ନାଁ ଗାଁ ସ୍କୁଲରେ ଲେଖାଇ ଦେଲେ । ମୋ' ସ୍କୁଲ ଯିବା ରାସ୍ତାରେ ଦେଖେ ମୋ' ସାଙ୍ଗର ଭାଇ ସବୁ ବେଳେ ତା' ସହିତ ଆସେ ଓ ମଜା ମସ୍ତି କରନ୍ତି । ମୋ' ସାଙ୍ଗ ତା' ଭାଇକୁ ବହୁତ ଭଲ ପାଏ । ତାଙ୍କୁ ଦେଖି ମୁଁ ସବୁ ବେଳେ ଭାବେ ମୋର ଗୋଟେ ଭାଇ ଥା'ନ୍ତା କି ମୁଁ ବି ତାକୁ ଏମିତି ଭଲ ପାଆନ୍ତି ।  ବୋଉକୁ ଆସିକି କହିଲି ମୋତେ ଗୋଟେ ଭାଇ ଦରକାର । ବୋଉ ହସି ଦେଇ କହିଲା - "ଆଉ କିଛି ଦିନ ରହ , ତୋର ବି ଗୋଟେ ଭାଇ ଆସିଯିବ ।" ମୁଁ ବହୁତ ଖୁସି ହୋଇଗଲି ।  କିଛି ଦିନ ଏମିତି ବିତିଗଲା ପରେ ମୋର ଗୋଟେ ଭାଇ ହେଲା । ଭାଇକୁ ଦେଖି ମୋ' ଖୁସିର ସୀମା ରହିଲାନି । ଆମେ ଦୁହେଁ ମିଶି ସ୍କୁଲ ଗଲୁ । ମୁଁ ସ୍କୁଲରେ ଭଲ ନମ୍ବର ରଖିଥିବା ଦେଖି ସାର୍ ମାନେ ଆଦର କରନ୍ତି । ଦିନେ ସ୍କୁଲରୁ ଫେରି ଦେଖିଲି ଆମ ଘର ଆଗରେ ବହୁତ ଲୋକ ଜମା ହୋଇଛନ୍ତି । ମନେ ମନେ ଭାବୁଥାଏ ଏତେ ଲୋକ କ'ଣ  ପାଇଁ ଆମ ଘର ସାମ୍ନାରେ ! ବୋଧେ ମୁଁ ସ୍କୁଲରେ ଭଲ ନମ୍ବର ରଖିଛି  ବୋଲି ସାର୍ ଘରେ ଆସି ଜଣେଇ ଦେଇଛନ୍ତି । ଏଇ ବୁଢା ସାର୍‌ର କିଛି କଥା ପେଟରେ ରୁହେନି । ମୁଁ ଆସିଥିଲେ କହିଥିଲେ ହେଇନଥାନ୍ତା ? ବାପା ସେଇ ଖୁସିରେ ଭୋଜି ଦୋଉଛନ୍ତି ଆଉ , ବାପା ବାପା ଡାକିଲା ବେଳକୁ ଦେଖେ ତ ବାପା କାନ୍ଦୁଛନ୍ତି । 

- କ'ଣ ହେଲା ବାପା ତମେ କଣ ପାଇଁ କାନ୍ଦୁଛ ? ମୁଁ କିଛି ଭୁଲ କରିଛିକି ? କୁହ ବାପା କଣ ହେଲା ? 
"ବୋଉ ! ବୋଉ ! ବାପା କଣ କାନ୍ଦୁଛନ୍ତି" କହି ଘର ଭିତରେ ଦେଖେ ତ ବୋଉ ଶୋଇଛି । 

- ବୋଉ ! ଉଠ୍‌ , କ'ଣ ହେଲା ତୋର ? ଉଠେ , ମୁଁ ତୋ' ପାଗିଳୀ ଡାକୁଛି । ଉଠେ ବୋଉ , ମୋ' ଉପରେ ତୁ କେବେ ରାଗି ପାରିବୁନି । ବୋଉ ! ବୋଉ!.... 

      ବୋଉ ଆଉ ଉଠିଲା ନାହିଁ । କିଛି ଦିନ ପରେ ଗାଁ ଯାକ ଲୋକ କୁହାକୁହି ହେଲେ ପୂଜା ବାପା କେମିତିକା କେଜାଣି , ଝଗଡ଼ା ଲଗେଇଲା ଯେ ତା' ମା' ବିଚାରୀ ମରିବାକୁ ପଛେଇଲାନି । ଏ କଥା ସବୁ ଶୁଣି ମୋ ପାଦ ତଳୁ ମାଟି ଖସି ଗଲା । ବୋଉର କ୍ରିୟା କର୍ମ ସାରିଲା । ବାପା ମୋ' ସହିତ ଭଲରେ କଥା ହେଉ ନଥା'ନ୍ତି । ମତେ ଦେଖିଲେ ଖାଲି ରାଗୁଛନ୍ତି ।  ଶେଷରେ ବାପା ମୋତେ ମାମୁଁ ଘର ପଠେଇ ଦେଲେ - "ଯା' ସେଠି ରହି ପଢିବୁ , ସାଙ୍ଗରେ ଭାଇକୁ ବି ନେଇଯା' । ମୁଁ ମାସ ପୁରିଲେ ପଇସା ପଠାଇବି ।" ମାମୁଁ ଘର ସ୍କୁଲରେ ନାମ ଲେଖା  ହେଲା ଷଷ୍ଠ ଶ୍ରେଣୀରେ । ଦିନ ପରେ ଦିନ ବିତି ଚାଲେ । ଅପେକ୍ଷା ବାପା କେବେ ଆସିବେ , ହେଲେ ବାପାଙ୍କର ଦେଖା ମିଳିଲାନି ।  ମାମୁଁଙ୍କୁ ପଚାରିଲି - "ମାମୁଁ ! ବାପା କେବେ ଆସିବେ ଆଉ ଆମକୁ କେବେ ଏଇଠୁ ନେଇଯିବେ ? ତାଙ୍କ ବିନା ଜମା ଭଲ ଲାଗୁନି ।" ମାମୁଁ କହିଲେ - "ନା ରେ ମା' ତୁ ବେସ୍ତ ହୁଅନି , ଆଉ  ଦୁଇ ଦିନ ପରେ ଆମେ ତୋ' ବାପାଙ୍କ ପାଖକୁ ଯିବା । ଆଉ ହଁ....." କହି ଚୁପ ହୋଇଗଲେ । ମୁଁ ଦେଖେ ତ ମାମୁଁଙ୍କ ମୁହଁ ବିଚଳିତ ଲାଗୁଛି । ମୁଁ ବାରମ୍ବାର ପଚାରିଲି - "କୁହ ମାମୁଁ , କ'ଣ ହୋଇଛି କୁହ ମୋତେ । ହଠାତ ମାମୁଁ ଉଠିଯାଇ କହିଲେ - "ମା'ରେ ! ତୋ ବାପା ଆଉ ଜଣଙ୍କୁ ବିବାହ କରିଛନ୍ତି ।" ଏଇ କଥା ଶୁଣି ଦୁମ୍‌କିନା ବସି ପଡିଲି । ଚତୁଃଦିଗରୁ  ଅନ୍ଧକାର ମାଡି ଆସିଲା ।

        ଦୁଇ ଦିନ ପରେ ବାହାରିଲୁ ବାପାଙ୍କ ପାଖକୁ । ମନରେ ଭୟ ଥାଏ ନୂଆ ବୋଉ କେମିତି ଥିବ । ଆମକୁ ଦେଖି କ'ଣ କହିବ ,  ଭାବୁ ଭାବୁ ଘର ଆସିଗଲା । ନୂଆ ବୋଉ ଆମକୁ ଦେଖି ଘର ଭିତରୁ ଦୌଡ଼ି ଆସି କୋଳେଇ ନେଲା । ସତେ ଯେମିତି ଲାଗୁଥିଲା ମୋ' ବୋଉ କି ଆଉ ! ମନରୁ ସବୁ ଡର ଛାଡିଗଲା । ଯାହାହେଉ ମୋ' ବୋଉକୁ ଆଉ ଥରେ ଫେରି ପାଇଲି । ମନରେ ଆନନ୍ଦର ଲହରୀ ଖେଳିଗଲା , ସତରେ ଭଗବାନ କୁହନ୍ତି ଆମ ପାଖରୁ ଯାହାକୁ ନେଇଯା'ନ୍ତି ତାଙ୍କ ବଦଳରେ ଆଉ ଜଣଙ୍କୁ ପଠାନ୍ତି । ନୂଆ ବୋଉ ମୋର କିଛି କାମ କରିବାକୁ ଦିଏନି । ମୋତେ ପାଣି ଗ୍ଲାସ ଉଠାଇବାକୁ ମନା କରେ । ମାମୁଁ ଦେଖି ବହୁତ ଖୁସି ହେଲେ , ଯାହାହେଉ ପିଲା ଦୁଇଟା ପୁଣି  ମା'କୁ ତାଙ୍କର ତୁମ ରୂପରେ ଫେରି ପାଇଲେ । ମାମୁଁ ଆମକୁ ଛାଡ଼ିଦେଇ ଚାଲିଗଲେ । ମାମୁଁ ଗଲାବେଳେ  ଏମିତି ଲାଗୁଥୁଲା ବୋଉ ଯିବା ପରେ ମୋ' ଜୀବନର ଖୁସି ଲିଭି ଯାଇଥିଲା । ମାଇଁ ଯାହା ଟିକେ ଖୁସି ଦେଲେ  , ଆଜି ସେତକ ଖୁସି ବି ଚାଲିଗଲା । ବେଳେ ବେଳେ ଆମ ମନରେ ଯାହା ଆସେ ସେଇଟା ସତ ହୋଇଯାଏ । ସେମିତି ମୋ' ଜୀବନରେ କୁଆଡେ କେଜାଣି ଅନ୍ଧାର ଥିଲା ମାଡ଼ି ଆସିଲା । ନୂଆ ବୋଉ ମୋର ଘରର ସବୁ କାମ କରାଇଲା ହେଲେ ବି ମୋ' ମନରେ ଦୁଃଖ ନଥିଲା । ମୋତେ ଚୋରଣୀ କହି ବାପାଙ୍କ ଠାରୁ ମାଡ଼ ଖୁଆଇଲା ।  ମୋ' ଜୀବନର ପାଠ ଘରେ  ସତେ ଯେମିତି କିଏ ପୂର୍ଣ୍ଣଛେଦ ପକାଇ ଦେଲା । ସବୁବେଳେ ଭାବେ ବସି ବୋଉ ତୁ ତ ଗଲୁ ; କହୁଥିଲୁ ମୋତେ ଏତେ ଭଲ ପାଉ , କାହିଁ ତୋ' ସହିତ ନେଲୁନି ତ । ବୋଉ ତୁ ମିଛୋଇ , ମୋତେ ମିଛ କହିଲୁ  ।
             ଗୋଟିଏ ଝିଅ ସବୁବେଳେ ଭାବେ ତା' ସ୍ବାମୀ ଭଲ ହେଇଥାଉ , ତାକୁ ହିଁ ଭଲ ପାଉ  । ତା' ଶାଶୁ ଘର ଭଲ ହଉ । ମୁଁ ବି ବସି ବସି ଭାବେ ମୋ' ପାଇଁ ରାଜକୁମାର ଆସିବ ମୋ ଜୀବନର ଅନ୍ଧାରକୁ ପୋଛି ଦବ।  ସତରେ ମୋ' ଜୀବନରେg ରାଜକୁମାର ଆସିଲା , ତାକୁ ନେଇ ମୁଁ ମୋ' ଜୀବନ ଗଢିବାର ସ୍ୱପ୍ନ ଦେଖିଲି । ସାତ ଜନ୍ମ ପାଇଁ ତା' ସହିତ ରହିବି ଭଗବାନଙ୍କୁ ଡାକେ । ହେଲେ  ନୂଆ ବୋଉ ମୋର ପ୍ରେମ କଥା ଜାଣିପାରିଲା । ମୋତେ ଜୋର ଜବରଦସ୍ତ ନେଇ ଅନ୍ୟ ଜାଗାରେ ବାହl କରିଦେଲା । ପଛ କଥାକୁ ସବୁ ସ୍ୱପ୍ନ ଭାବି ଭୁଲିବାକୁ ଲାଗିଲି ହେଲେ ଭୁଲି ପାରୁନଥାଏ । ନୂଆ ଜୀବନ ନୂଆ ଲୋକ ସହିତ କେମିତି ଗଢିବି ଡର ଲାଗୁଥାଏ । ହେଲେ ବି ମନକୁ ଦୃଢ଼ କରି ସବୁ ଭୁଲି ମୋ' ସ୍ୱାମୀ ଦୁଃଖ ସୁଖରେ ସାଥି ହେଲି  । ହେଲେ ମୋ' ଏ ପୋଡ଼ା କପାଳ କେବେ ମୋ' ଖୁସି ଦେଖି ପାରେନି । ସ୍ୱାମୀ ମୋର ବିବାହ ପର ଠାରୁ ମୋ' ସହିତ କଥା ହେଲେନି କି ମୋ ମୁହଁକୁ ଚାହିଲେନି , ମୁଁ ଭାବିଲି ସ୍ୱାମୀ ମୋର ଭାରି ଲାଜ କୁଳା ; ସେଥିପାଇଁ କଥା ହୋଉନାହାନ୍ତି । ହେଲେ ଦିନ ପରେ ଦିନ ରାତି ପରେ ରାତି ବିତି ଚାଲିଲା ହେଲେ ସ୍ଵାମୀ ମୋର ଥରେ ହେଲେ କଥା ହେଲେନି । ମୁଁ ସାହସ କରି ଯାଇ ପଚାରିଲି - "ତୁମର କଣ ହୋଇଛି ମୋ' ସହିତ କଥା ହେଉନା ?" ସ୍ୱାମୀ ମୋ' ରାଗି ଯାଇ କହିଲେ -"ପୂଜା ! ତୁମେ ମୋର ପସନ୍ଦ ନୁହେଁ , ମୁଁ ଅନ୍ୟ କାହାକୁ ଭଲପାଏ , ଆମ ଘର ଲୋକ ଖାଲି କହିଲେ ବୋଲି ତୁମକୁ ବାହା ହୋଇଛି ; ମୋର ଖୁସି ନାହିଁ , ଆଉ ହଁ  ଆମ ଘର ଲୋକଙ୍କୁ ଗୋଟେ କାମବାଲି ଦରକାର ଥିଲା  l ଆମ ଘର ଲୋକ କହିଲେ ୟା'କୁ ଖାଲି ବାହା ହୋଇଯା' ଆମ ଘରର ସବୁ କାମ କରିବ , ସେଥିପାଇଁ ହୋଇଛି ; ତମେ ଆଜି ଠାରୁ ଭୁଲି ଯାଅ ମୁଁ ତମ ସ୍ୱାମୀ ବୋଲି ।" 

- ମୋ' ଜୀବନର ସବୁ ଖୁସି ଚାଲିଗଲା ପରେ ମୁଁ ଆସି ଏଇଠି ବସିଛି ।  ଆଉ ଆପଣ କିଏ ମୋତେ ଝିଅ ବୋଲି ଡାକିଲେ ?
 
       ପୂଜା କଥା ଶୁଣି ମୋ' ଆଖିରେ ଲୁହ ଆଉ ରହୁ ନଥାଏ , ସତରେ ଭଗବାନ ! ଦୁନିଆରେ କେମିତିକା ମନୁଷ୍ୟ ସବୁ ଅଛନ୍ତି କାହା ଦୁଃଖ କେହି ବୁଝାନ୍ତିନି । ପୂଜା ଆଉଥରେ -"ଆପଣ କିଏ କୁହନ୍ତୁ ?" 
- ଏଇ ପାଖରେ ମୋ' ଘର , ମା' ଚାଲେ ତୁ ମୋ ଝିଅ ହୋଇ ଆମ ଘରେ ରହିବୁ । 
-  ନାହିଁ ଆପଣ ଯାଅନ୍ତୁ ମୁଁ ଯିବି , କିଛି ସମୟ ମୋତେ ଏକୁଟିଆ ଛାଡି ଦିଅନ୍ତୁ ।  ମୁଁ ନଈ ପାଖରୁ ଦୁଇ ପାଦ ଯାଇଛି ହଠାତ ପାଣିକୁ ପଥର  ପଡିବା ଭଳି ଆବାଜ ......

           ରାଉରକେଲା
   ଜୟ ସାହିତ୍ୟ, ଜୟ ସମାଜ

ଜଣେ ସଚେତନ ନାଗରିକର ଆହ୍ବାନ

          ଆଲୋକ ଚନ୍ଦ୍ର ନାୟକ 
 ଯଦି ଆମେରିକା ବିଶ୍ବରେ ସର୍ବ ପୁରାତନ ଗଣତନ୍ତ୍ର ରାଷ୍ଟ୍ର ହୁଏ ତେବେ ମୋ' ଦେଶ ଭାରତ ହେଉଛି ଏ ବିଶ୍ବରେ ସର୍ବ ବୃହତମ ରାଷ୍ଟ୍ର । ଏ ଦେଶ ମାତୃକାର କୋଳରେ ଜନ୍ମ ନେବା ଏକ ସୌଭାଗ୍ୟର ବିଷୟ । ଯଦି ଦେଖାଯାଏ ଆମ ପରମ୍ପରା ହେଉଛି ଏକ ଗଣତାନ୍ତ୍ରିକ ପରମ୍ପରା । ଯଦି ଦେଖାଯାଏ ଖାଲି ଆମେ ସର୍ବ ବୃହତମ ନୁହେଁ ସର୍ବ ପୁରାତନ ଗଣତନ୍ତ୍ର ବି । ଏ ଭାରତ ବର୍ଷ ଅନେକ ରାଜାଙ୍କ ଶାସନ ଦେଖିଛି ସତ କିନ୍ତୁ ତା' ଭିତରୁ ଏମିତି ବି କିଛି ରାଜା ଅଛନ୍ତି ଯେଉଁମାନେ ଶାସନ କରୁଥିଲେ ସତ , କିନ୍ତୁ ଗଣତନ୍ତ୍ର ପାଇଁ ସେମାନେ ଥିଲେ ମୂଳ ଖମ୍ବ କହିଲେ ଭୁଲ୍ ହେବନାହିଁ । ତା' ଭିତରୁ ଭରତ ଥିଲେ ଅନ୍ୟତମ । ଯିଏ କେବଳ ଗଣତନ୍ତ୍ରର ମୂଳ ଖମ୍ବ ନ ଥିଲେ , ବରଂ ଥିଲେ ପରିବାରବାଦର ଘୋର୍ ବିରୋଧୀ । ସେଥିପାଇଁ ତ ନିଜ ପୁତ୍ରକୁ ସେ ଉଚିତ ଶାସକ ମନେ କଲେନି । କହିଲେ ଏଭଳି ଦେଶରେ କିଏ ବା ଜନ୍ମ ହେଇ ଗର୍ବିତ ନ ହେବ ? ଆମେ ସମସ୍ତେ ଜଣେ ଜଣେ ଭାରତୀୟ , ବିଶ୍ବବାସୀଙ୍କ ପାଖରେ ଏତିକି ପରିଚୟ ହିଁ କାଫି । କାରଣ ଏ ବିଶ୍ବ ଗଣତନ୍ତ୍ରର ଅନେକ ସ୍ରଷ୍ଟାଙ୍କ ଜନ୍ମ ଏହିଠାରେ ; ସେ ସୁଭାଷ ହୁଅନ୍ତୁ କି ସେ ପଟେଲ , ସେ ଶାସ୍ତ୍ରୀଜୀ ହୁଅନ୍ତୁ କି ସେ ଲାଲ୍ - ବାଲ୍‌ - ପାଲ୍ । ଏ ଦେଶରେ ଜନ୍ମ ନେଇଛନ୍ତି ଖୁଦୀରାମଙ୍କ ଭଳି ମହାନ ଗଣତନ୍ତ୍ର ପାଇଁ ଜୀବନ ଦାନୀ । ଏ ଦେଶରେ ଜନ୍ମ ନେଇଛନ୍ତି ନାଥୁରାମ୍ ଭଳି ଗଣତନ୍ତ୍ରର ମହାନ ଉପାସକ । ଏଠି ଅଟଳ ଥିଲେ ଆଉ ଏଠି ବିଜୁ ବାବୁ ଥିଲେ ଏବଂ ଏଠି ଅଛନ୍ତି ନରେନ୍ଦ୍ର ମୋଦି । ଏଠି ଆଜାଦ ଥିଲେ ଓ କଲାମ୍ ଥିଲେ , ଏଠି ରହିଛି ଦୋଭାଲ୍ବ ଆଜି । ଏମାନେ ସମସ୍ତେ ହେଲେ ଏ ବିଶ୍ବ ଗଣତନ୍ତ୍ରକୁ ବଞ୍ଚେଇ ରଖିବାର ଜଣେ ଜଣେ ଗଣତନ୍ତ୍ରର ପୂଜାରୀ । ଆଉ ଏମାନଙ୍କ ମାଟିରେ ମୁଁ ବି ଜନ୍ମ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଛି । 

      ଏଇ ଖୁବ୍ କମ୍ ଦିନ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ଗଣତନ୍ତ୍ରର ମହାପର୍ବ , ସବୁ ଆକଳନକୁ ପଛରେ ପକାଇ ବହୁ ମତ ପାଇଁ ବିଶ୍ବରେ ସର୍ବ ବୃହତମ ଗଣତନ୍ତ୍ରରେ ଇତିହାସ ରଚିଥିଲେ ମୋଦି ଓ ନବୀନ ; ଜଣେ ଦେଶରେ - ଜଣେ ରାଜ୍ୟରେ । ଏଇ ଲେଖା ମାଧ୍ୟମରେ ମୁଁ ମୋ' ତରଫରୁ ଦୁହିଁଙ୍କୁ ଭାରତର ନାଗରିକ ଭାବରେ ଶୁଭ କାମନା ଜଣାଉଛି । ଆଉ ଜଣେ ଗଣତନ୍ତ୍ରର ଛୋଟିଆ ପୂଜାରୀ ଭାବରେ ଏ ଲେଖା ମାଧ୍ୟମରେ କିଛି ଉପଦେଶ ଆଉ କିଛି ଘଟଣାକୁ ନେଇ ସମାଲୋଚନା ବି କରୁଛି । ମୁଁ ମୋ' ବିଷୟକୁ ଆସିବା ପୂର୍ବରୁ ସମସ୍ତଙ୍କୁ କହି ରଖେ ମୁଁ ନିର୍ଦ୍ଧିଷ୍ଟ ଏଠି କାହା ସପକ୍ଷରେ କି କାହା ବିପକ୍ଷରେ କହିବା ପାଇଁ ଚାହୁଁ ନାହିଁ । ଯାହା କହିବି ଯାହା ଲେଖିବି ଗଣତନ୍ତ୍ରର ଜଣେ ସଚେତନ ନାଗରିକ ଭାବରେ କହିବି ଆଉ ଲେଖିବି । ଭାରତ ହେଉଛି ୧୫୦କୋଟି ଭାରତୀୟଙ୍କ ବାସସ୍ଥଳୀ । ସେ ହିସାବରେ ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ମୋ' ମତରେ ମୁଖ୍ୟତଃ କେତୋଟି କାରଣକୁ ଅନୁସରଣ  କରିବା ଆବଶ୍ୟକ । ପ୍ରଥମେ ପରିବାରବାଦର ବିଲୋପ । ଆମେ ଭାରତୀୟମାନେ କଥା କଥାରେ କହୁଛୁ ଆମେ ଭରତ ବଂଶର ଦାୟାଦ । କିନ୍ତୁ ଆମେ ଯେଉଁମାନେ ରାଜନୀତିକୁ ନିଜର ପେଶା କରିଛୁ ଓ ନିଜକୁ ଗଣତନ୍ତ୍ରର ପୂଜାରୀ ବୋଲି ବିବେଚନା କରୁଛୁ । ଆମେ ସେଇମାନେ କାର୍ଯ୍ୟ କରୁଛୁ ରାଜତନ୍ତ୍ର ଭଳି । ଆମେ ଏକ ଘୃଣ୍ୟ ବିଚାରାଧାରାରେ ଚାଲିଛୁ ଯେ ମୁଁ MLA ଅଛି ମାନେ ମୋ' ପୁଅ ପାଇଁ ବାଟ ସଫା , ମୁଁ MP ଅଛି ମାନେ ମୋ' ପୁଅ ଆଉ ସ୍ତ୍ରୀ ପାଇଁ ବାଟ ପରିଷ୍କାର । ତେଣିକି ସେ ଯାହା ହେଇଥା'ନ୍ତୁ ; ସେ ଗଣତନ୍ତ୍ରର ବିରୋଧୀ ବି ହେଲେ କିଛି କଥା ନାହିଁ । ସେ କଥା ଦୁଇପଦ ପଛେ ନ କହିପାରନ୍ତୁ କିନ୍ତୁ ମିଛ ଲୋକସେବାକୁ ଜାବୁଡି ଧରିଥା'ନ୍ତୁ ।  

      ଆଉ ଗୋଟେ କଥା ଜାଣନ୍ତି ? ମୋତେ ଲାଗୁଛି ଆମ ଏ ଗଣତନ୍ତ୍ର ଧୀରେ ଧୀରେ ଅନୁକମ୍ପାତନ୍ତ୍ର ହେଇଯାଉଛି । କାରଣ ଯଦି ଜଣେ କୌଣସି ନେତା ଚାଲି ଯାଉଛି ସେ MLA କି MP ଥିବା ସମୟରେ ତେବେ ଆମ ଭିତରେ ପ୍ରତିଯୋଗିତା ଚାଲିଥାଏ ତା' ପୁଅକୁ ticket ଦିଆଯିବ ନା ତା' ସ୍ତ୍ରୀକୁ ଦିଆଯିବ । ଆଉ ଏ କ୍ଷେତ୍ରରେ ଆମ ଓଡ଼ିଶା ତ ବହୁ ଆଗରେ । ଏଠି କେହି ଜଣେ MLA କି MP ଚାଲିଯାଉ ଶାସକ ବିରୋଧୀ ତା' ଜୁଇ ପାଖରୁ ହିଁ ଲାଗିଯିବେ ଅନୁକମ୍ପାତନ୍ତ୍ର ପାଇଁ ; ଅବଶ୍ୟ ଆଜି ଯାଏଁ ଏଥିରେ ଶାସକ ସଫଳ , ଦେଖାଯାଉ ବିରୋଧୀଙ୍କ ଭାଗ୍ୟରେ ଏ ଅନୁକମ୍ପାର କେବେ ସୂର୍ଯ୍ଯୋଦୟ ହଉଛି  । ତେଣୁ ମୋର Indian Supreme Court , ଲୋକସଭା , ରାଜ୍ଯସଭା , Election Commissionerଙ୍କୁ ଏ ଲେଖା ମାଧ୍ୟମରେ ଅନୁରୋଧ ଏଥିରେ ଟାଣି ଦିଅନ୍ତୁ ପୂର୍ଣ୍ଣଛେଦ ।

       ଦ୍ବିତୀୟ କାରଣ ଶିକ୍ଷାର ନିହାତି ଆବଶ୍ୟକତା । ମୋ' ମତରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ନିହାତି ଆବଶ୍ୟକ ହେଉଛି ଅତି କମ୍‌ରେ ଦ୍ୱାଦଶ ଶିକ୍ଷା ସମାପ୍ତ ନିତ୍ୟାନ୍ତ ଅପରିହାର୍ଯ୍ୟ । କାରଣ ଆଜିର ଯୁଗରେ ସମସ୍ତେ ଜ୍ଞାନୀ ଜୟାଲ୍ ସିଂ ନୁହନ୍ତି , ନବମ ପଢି ବି ଅମାପ ଜ୍ଞାନର ଥିଲେ ଅଧିକାରୀ । ସେମିତି ତ ଆଉ ସମସ୍ତେ ନୁହନ୍ତି  । ତା' ପରେ ବି ଆମେ ବର୍ତ୍ତମାନ ନୂଆ ନୂଆ Technologyରେ ପାଦ ଦେଲେଣି । ତେଣୁକରି ଏହାକୁ ବୁଝିବାକୁ ହେଲେ ଆମକୁ ଶିକ୍ଷାର ବିକାଶ ନିହାତି ଜରୁରୀ । ଅନେକ କ୍ଷେତ୍ରରେ ଦେଖା ଯାଉଛି ଆମ ଦଳମାନେ ଗଣତନ୍ତ୍ରର ନିଜର ଫାଇଦାକୁ ଦେଖି ସେ ବରଂ ଶିକ୍ଷା କ'ଣ ଜାଣି ନ ଥାଉ କି ବୁଝି ନ ଥାଉ ଭୋଟ୍ ବ୍ୟାଙ୍କ କିଛି ତା' ହାତରେ ଅଛି ମାନେ ସେ ହେଲା ଆମ ଦଳ ମାନଙ୍କର ନିର୍ବାଚନର ମୁଖ୍ୟ ପ୍ରାର୍ଥୀ । କିନ୍ତୁ ଆମ ଦଳର ମୁଖୀଆଙ୍କ ମୁଣ୍ଡରେ ଏତିକି ବି ପଶୁନାହିଁ ଯେ ଏ ଗଣତନ୍ତ୍ର ରାଷ୍ଟ୍ରରେ ହଜାର ହଜାର ଶିକ୍ଷିତ ଶିକ୍ଷିତା ବୁଲୁଛନ୍ତି ଯେଉଁମାନଙ୍କୁ ପାଥେୟ କରି ଏ ଗଣତନ୍ତ୍ର ବି ପ୍ରଗତି ପଥରେ ଅଗ୍ରସର ହୋଇପାରିବ । ଆଉ ଏଥିପାଇଁ ଆଗକୁ ଆସିବା ଆବଶ୍ୟକ ରହିଛି ଆମ ଭାରତୀୟ Supreme Court  , Election Commission ଲୋକସଭା ଓ ରାଜ୍ଯସଭାକୁ । କାରଣ ଅନେକ ସମୟରେ ଦେଖାଯାଇଛି ମନ୍ତ୍ରୀ ପଦ ପାଇବା ପରେ ବି ଲୋକ School examination complete କରିଛନ୍ତି ।

         ତୃତୀୟ କାରଣ ଗଣତନ୍ତ୍ରରେ ମହିଳା ମାନଙ୍କ ଭାଗିଦାରୀ । ଏକ ଦୃଢ଼ ଗଣତନ୍ତ୍ର ଗଠନ ଦିଗରେ ଆମେ ଯେତେବେଳେ ଅଗ୍ରସର ବୋଲି ଡେଙ୍ଗୁରା ପିଟୁଛୁ ସେତେବେଳେ ଆମେ ସାରା ବିଶ୍ୱକୁ ଦେଖେଇଦେବା ଆବଶ୍ୟକ ଯେ ଆମେ ବି ଆମ ଗଣତନ୍ତ୍ରରେ ମହିଳାଙ୍କୁ ଉଚିତ ସମ୍ମାନ ଦେଉ । ଜଣେ ଭାରତୀୟ ଭାବରେ ଆମେ ଏତିକି ବୁଝିବା ଆବଶ୍ୟକ ଯେ ଏ ଦେଶର ପୁଅ ସୁଭାଷ ଯାହାଙ୍କୁ କି ଗଣତନ୍ତ୍ର ମୁଖ୍ୟ ଖମ୍ବ ମାନଙ୍କ ଭିତରେ ଗଣତି କରାଯାଏ , ସେ ସମୟରେ ସେ ବି ଦେଉଥିଲେ ମହିଳା ମାନଙ୍କୁ ପ୍ରାଧାନ୍ୟ । ସେଇଥିପାଇଁ ତ ତାଙ୍କ ଆଜାଦ ହିନ୍ଦ୍‌ ଫୌଜରେ ଥିଲା ମହିଳା ମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ । ଆମେ ମନେ ରଖିବା ଆବଶ୍ୟକ ଯେ ଗଣତନ୍ତ୍ରର ଅନ୍ୟତମ ପୂଜାରୀ ଅଟଳ ବି ଦିନେ ମହିଳାଙ୍କ ପାଇଁ ଆଗକୁ ଆସି ଇନ୍ଦିରାଙ୍କୁ ମା' ଦୁର୍ଗେ ବୋଲି ସମ୍ବୋଧନ କରିଥିଲେ । ମୁଁ ଧନ୍ୟବାଦ ଦେବି ମୋଦିଜୀଙ୍କୁ ଝିଅ ମାନେ ପଢନ୍ତୁ - ଝିଅ ମାନେ ବଢ଼ନ୍ତୁ ନାରାକୁ ଆଗକୁ ଆଣିଛନ୍ତି ଓ ଗଣତନ୍ତ୍ର ପାଇଁ ଏକ ବଡ ଉପକାର କରିଛନ୍ତି । କିନ୍ତୁ ତଥାପି ଆହୁରି ସଚେତନତାର ଆବଶ୍ୟକତା ରହିଛି  l 

       ଚତୁର୍ଥ କାରଣ ହେଲା , ଦିବ୍ୟଙ୍ଗଙ୍କୁ ସାମିଲ୍ । ଯେଉଁ ସମୟରେ ଆମେ ଏକ ଦୃଢ଼ ଓ ସୁସ୍ଥ ଗଣତନ୍ତ୍ର ପାଇଁ ଆଗକୁ ବଢ଼ୁଛନ୍ତି , ଆମର ଭାବିବା ଆବଶ୍ୟକ ଯେ ଏ ବିଶାଳ ଗଣତନ୍ତ୍ରରେ ଦିବ୍ୟାଙ୍ଗମାନେ ବି ବାସ କରୁଛନ୍ତି । ସେମାନେ ବି ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । Indian Supreme Court , ଲୋକସଭା ,ରାଜ୍ଯସଭା ଓ Election Commissioner  ସମସ୍ତଙ୍କ ପାଖରେ ମୋର ଦାବି ରହିବ ଏ ଲେଖା ମାଧ୍ୟମରେ । ଯେଭଳି ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷିତ ବ୍ୟବସ୍ଥା ହେଇଛି  , ଠିକ୍ ସେହିଭଳି ଦିବ୍ୟାଙ୍ଗ ମାନଙ୍କ ପାଇଁ  ଯେକୌଣସି ନିର୍ବାଚନ ହେଉ ନା କାହିଁକି ସବୁଥିରେ ଶିକ୍ଷିତ ଦିବ୍ୟାଙ୍ଗଙ୍କୁ ସଂରକ୍ଷଣ ଭିତ୍ତିରେ ଜାଗା ଦିଆଯାଉ । ଆପଣମାନେ ଜାଣି ଥିବେ କି ନାହିଁ ମୁଁ ଜାଣିନାହିଁ , ସାଧନ ଗୁପ୍ତା ବୋଲି ଜଣେ ଦିବ୍ୟଙ୍ଗ ଯିଏକି ଥିଲେ ଜଣେ MP । ଖାଲି ସେତିକି ନୁହେଁ । ତାଙ୍କର କୌଣସି କାମ ସେ କାହାକୁ ବି କରିବାକୁ ଦିଅନ୍ତି ନାହିଁ ।

ପଞ୍ଚମ କାରଣ ସ୍ବଚ୍ଛ ନିର୍ବାଚନ ପରିଚାଳନା । ବିଶ୍ବ ଗଣତନ୍ତ୍ରରେ ଯଦି ସ୍ବଚ୍ଛ ନିର୍ବାଚନ କଥା ଉଠେ ତେବେ ମୋତେ ଲାଗୁଛି ଆମେ ଭାରତୀୟ ବୋଧେ ଏ ମାମଲାରେ ବହୁ ପଛରେ । ବିଗତ ଦିନ ମାନଙ୍କରେ ଆମେ ଯେଉଁ ସବୁ କୃତିକଳାପ ଦେଖିଛୁ ସ୍ବଚ୍ଛତାକୁ ନେଇ , ସେଥିରୁ ଆମେ ବୁଝିବାକୁ ହେବ ଯେ ଆମ ନିର୍ବାଚନ କେତେ ସ୍ବଚ୍ଛ । ଏଠି ରାଜ୍ୟପାଳ ନାହାନ୍ତି ତାଙ୍କ ସୀମା ଭିତରେ କି ଏଠି Election Commission ନିର୍ବାଚନ ଆୟୋଗ ନାହାନ୍ତି ତାଙ୍କ ସୀମା ଭିତରେ । ନା ଆୟୋଗ ତା' ଦାୟିତ୍ୱକୁ ଠିକ୍ ଭାବେ ତୁଲାଉଛନ୍ତି ନା ଏଠି ରାଜ୍ୟପାଳ ଠିକ୍ ଭାବେ ତୁଲାଉଛନ୍ତି ତାଙ୍କ ଦାୟିତ୍ୱ । ଭୁଲି ଯାଉଛନ୍ତି ଏମାନେ ପଦ ମର୍ଯ୍ୟାଦାର ଗାରିମାକୁ । ଯଦି ଏମିତି ହୋଇ ନଥା'ନ୍ତା ତେବେ Indian Supreme Courtକୁ ବିଭିନ୍ନ ନିର୍ବାଚନ ମାମଲାରେ କେବେ ହସ୍ତକ୍ଷେପ କରି ନଥା'ନ୍ତେ ।

          ଏ ଲେଖା ମାଧ୍ୟମରେ ମୁଁ ଏଠି ଆଉ ଏକ ମତ ବି ରଖୁଛି । ଗଣତନ୍ତ୍ରର ଏ ଅସ୍ଥିରତା ପାଇଁ ଖାଲି ଆୟୋଗ କି ରାଜ୍ୟପାଳ କାହିଁକି , ଏମାନେ ଯେତିକି ଦାୟୀ ଗଣତନ୍ତ୍ରର ଆମେ ଜଣେ ଜଣେ ସଚେତନ ନାଗରିକ ଭାବରେ ବି ସେତିକି ଦାୟୀ । ଗଣତନ୍ତ୍ରର ସ୍ବଚ୍ଛତା ଆଣିବାରେ ଆୟୋଗର ଯେତିକି ଭୂମିକା ରହିବା ଆବଶ୍ୟକ ଆମ ଗଣ ମାନଙ୍କର ବି ସେତିକି ଭୂମିକା ତୁଲେଇବା ଆବଶ୍ୟକ । ଏହି ମର୍ମରେ ଆମେ ନିଜେ ନିଜକୁ ପ୍ରଶ୍ନ କରିବା ଆବଶ୍ୟକ - "ସତରେ କ'ଣ ଆମେ ଗଣତନ୍ତ୍ରର ଅର୍ଥ ସାର୍ଥକ କରିଛନ୍ତି ଗଣତନ୍ତ୍ରର ଜଣେ ଜଣେ ନାଗରିକ ଭାବରେ ? ସେ MLA - MP election , Municipality Election , Panchayat election ହେଉ ସତରେ ଆମେ କ'ଣ ଆମ ନିଜ ଇଚ୍ଛାରେ କରୁଛନ୍ତି ମତଦାନ ?" ଆମେ ନିଜକୁ ପଚାରିବା ଆବଶ୍ୟକ । ପ୍ରତେକ electionରେ ଆମେ କ'ଣ ହେଉନାହୁଁ କି ଶୋଷିତ ? ଥରୁଟେ ଥଣ୍ଡା ମସ୍ତିସ୍କରେ ନିଜକୁ ପଚାରନ୍ତୁ , ପ୍ରତ୍ଯେକ ନିର୍ବାଚନରେ ଆମେ କ'ଣ ପାର୍ଥୀଙ୍କ ନିକଟରେ ହୋଇଯାଉନୁ କି ବିକ୍ରି ? ମୁଁ ଜାଣେ ଆଜିର ଦିନରେ କେବେ ବି ଆମେ ନିର୍ଭୀକ ଭାବରେ ଏସବୁ ପ୍ରଶ୍ନ ପଚାରି ପାରିବା ନାହିଁ ଆମ ମନକୁ । କାରଣ ଥରେ ନୁହେଁ ବାର ବାର ଆମେ କରି ଚାଲୁଛେ ଭୁଲ୍ ପରେ ଭୁଲ୍ । ତା'ର ଜ୍ୱଳନ୍ତ ଉଦାହରଣ ମୁଁ ଆପଣ ମାନଙ୍କ ଦଉଛି । ଏ ବିଶାଳ ଗଣତନ୍ତ୍ର ରାଷ୍ଟ୍ରରେ ମୁଁ ବାସ କରେ । (Dish TV Bhadrak constancy , dhamnagar block , Tihidi panchayat Baro) ବିକାଶର ଧାରା ଏଠି କିଭଳି ଆଗେଇଛି ତାହା ମୋତେ ଭଲ ଭାବେ ଜଣା । ଥରେ ହୋଇଥିବା ପକ୍କା ରାସ୍ତା ଯେ କେତେଥର କାମ ହୁଏ ତାହା ବି ମୋତେ ଭଲଭାବେ ଜଣା । ଏଠିକା ପାର୍ଥୀ ମାନେ ବିନା ଉଦ୍ଦେଶ୍ୟରେ କେବେ କା' ପାଖକୁ ଯାଆନ୍ତି ନାହିଁ । କେବଳ ତାଙ୍କର ମନେ ପଡେ election ପ୍ରଚାର ବେଳେ । ମୁଁ ତ କହିବି ଏ ପଞ୍ଚାୟତରେ କେହି ବି ବିକାଶ ହେଉ ବୋଲି ଚାହାନ୍ତିନି । ଏଠିକାର ୧୦୦ ରୁ ୯୯ ଭାଗ ପାର୍ଥୀ ଏକଥାକୁ ଖାତିର କରନ୍ତିନି ବିକାଶ ହିଁ ଗଣତନ୍ତ୍ରର ମୂଳମନ୍ତ୍ର ବୋଲି ।

    ଏ ପଂଚାୟତରେ ଗୋଟେ ପିଲା ବିକାଶ ପାଇଁ ଚିନ୍ତା କଲା , ଆଉ ଏକ ଛୋଟ କାରଖାନା କରିବା ପାଇଁ ବି ଆଗକୁ ପାଦ ପକେଇଲା । ଆଉ ଏଥିପାଇଁ ସେ ସହି ଚାଲିଲା ଅନେକ କଷ୍ଟ । କଷ୍ଟ ଅସହ୍ୟ ହେବାରୁ ସେ କଲା ଆମରଣ ଅନଶନ ଓ ଶେଷକୁ ସଫଳ ବି ହେଲା । ଏଠି ମୋର ଆଉ କିଛି ପ୍ରଶ୍ନ ରହିବ ଏ ଗଣତନ୍ତ୍ରର ଉଚିତ୍ ମୂଲ୍ୟ ବୁଝୁଥିବା ଲୋକ ମାନଙ୍କ ପାଇଁ । ସେହି ସମୟରେ କୁଆଡେ ଯାଇଥିଲେ ନିଜକୁ କହି ବୁଲୁଥିବା ଗଣତନ୍ତ୍ରର ଏ ସ୍ବାର୍ଥବାଦୀ ପ୍ରହରୀମାନେ ? ସେ ପିଲା ଯେଉଁ କାର୍ଯ୍ୟ ସମ୍ପାଦନ କଲା ସେଥିରେ କ'ଣ ତା'ର ଏକଲା ଲାଭ ଥିଲା କି ? ପରୋକ୍ଷ ଭାବରେ ବିଚାରକୁ ନେଲେ ଏଥିରେ ପଂଚାୟତର କ'ଣ ଲାଭ ହେବନି କି ? ବାହାଘର , ବ୍ରତଘର , ଶୁଦ୍ଧିକ୍ରିୟା , ପୁଅ - ଝିଅ ଏକୋଇଶା ଏସବୁକୁ ନ ଡାକିଲେ ବି ଯାଇ ପହଞ୍ଚି ଯାଉଛ , ସେଠିକି ଯିବା କ'ଣ କାହାର ଉଚିତ୍ ନ ଥିଲା କି ? 
 
        "ଛୋଟ ମୋର ଗାଆଁଟି - ଭୂଗୋଳ ପୋଥି ପତରେ ପଛେ ନ ଥାଉ ତା'ର ନାଆଁଟି ।" - ମୋତେ ଲାଗେ ଏ କଥାଟି ସମ୍ପୂର୍ଣ୍ଣ ଠିକ୍ ମୋ' ଗାଁ ପାଇଁ  । ସ୍ବାଧୀନତା ପରବର୍ତ୍ତୀ ଗଣତନ୍ତ୍ର ପ୍ରତିଷ୍ଠା ହବାର ବହୁ ବର୍ଷ ବିତିଗଲାଣି । ଏହାରି ଭିତରେ ମୋ' ଦେଶ - ମୋ' ରାଜ୍ୟ ପ୍ରଗତି ପଥରେ କାହିଁ କେତେ ବାଟ ଗଲାଣି । କିନ୍ତୁ ମୋ' ଗାଁ ସେଇ କାଦୁଅ ନାଲିମାଟିରେ ବି ୨୦୨୦ ଯାଏଁ ହନ୍ତସନ୍ତ ହଉଥିଲା । ହଠାତ ଆମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ମାନଙ୍କର ଆଖି ଫିଟିଗଲା ; କଳା ମେଘ ଢାଙ୍କି ଦେଇଥିବା ସୂର୍ଯ୍ୟଟା ଚକ୍‌ମକ୍ ହେଇଉଠିଲା । ଆଉ ଏକ କାମଚୋର ଦ୍ୱାରା ପିଚୁର ରାସ୍ତା ତିଆରି କରାଗଲା । ଯାହାହେଉ ଆମେମାନେ ମୁକ୍ତି ପାଇଲୁ ମାଟି କାଦୁଅରୁ । ଆଜି କିନ୍ତୁ ଦେଖିବେ ଆସନ୍ତୁ ସେ ରାସ୍ତାର ଶୋଚନୀୟ ଅବସ୍ଥାକୁ । ଏତେ ସବୁ କହିବା ପଛରେ କେବଳ ମୋର ଗୋଟିଏ ଉଦ୍ଦେଶ୍ୟ ଗଣତନ୍ତ୍ରର ପ୍ରଗତି । ଗଣତନ୍ତ୍ରର ପ୍ରଗତି ସେତେବେଳେ ସମ୍ଭବ ଯେତେବେଳେ ଗଣତନ୍ତ୍ରର ଗଣମାନେ ନିଜ ନିଜର ଉଚିତ୍ ଭୂମିକା ନିର୍ବାହ କରିବେ । ଯେତେବେଳେ ଗଣମାନେ ମଦ - ମାଂସ ନେଇ ଗଣତନ୍ତ୍ରର ମିଛୁଆଙ୍କୁ ଭୋଟ୍ ଦେବା ବନ୍ଦ କରିବେ ଓ ପ୍ରଗତି ସେତେବେଳେ ହେବ ଯେତେବେଳେ ଏ ଗଣତନ୍ତ୍ର ରାଷ୍ଟ୍ରର ପ୍ରତ୍ଯେକଟି ଗାଁ ହସି ଉଠିବ ଏକାସାଥିରେ । 

     ଲେଖା ଶେଷରେ ମୁଁ ଅନୁରୋଧ କରିବି ନିର୍ବାଚନ ଆୟୋଗଙ୍କୁ । ଆପଣ ହେଲେ ଗଣତନ୍ତ୍ର ପ୍ରଗତିର ମୁଖ୍ୟ କର୍ଣ୍ଣଧାର । ଏକ ସୁସ୍ଥ ଓ ସୁନ୍ଦର ଗଣତନ୍ତ୍ର ଗଠନ କରିବାର ଦାୟିତ୍ୱ ଆପଣଙ୍କର । ଭାରତର ସରକାର ଭାରତର ସମ୍ବିଧାନ ଆପଣଙ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଛନ୍ତି , ଏହାକୁ ଆପଣ ନିର୍ଭୀକ ଭାବରେ ବ୍ୟବହାର କରନ୍ତୁ । ଗଣତନ୍ତ୍ରର ସୁରକ୍ଷା ପାଇଁ ବିଶେଷ ଆଇନ ଆଣନ୍ତୁ । ହଟେଇ ଦିଅନ୍ତୁ ଗଣତନ୍ତ୍ରରୁ ମିଛୁଆ ଦାଗୀ ଆଉ ତଣ୍ଟିଚିପା ପୂଜାରୀ ମାନଙ୍କୁ । ଗଣତନ୍ତ୍ରର ଗଣଙ୍କ ପାଇଁ ମୋର ଏଇ ବାର୍ତ୍ତା ରହିବ । ଗାଁକୁ ଚାଲ ଓ ଗାଁର ବିକାଶ କର - ଏ ଗଣତନ୍ତ୍ରର ସମ୍ମାନ । ଏସବୁ ସଚେତନ ନାଗରିକଙ୍କ ପାଇଁ ଗଣତନ୍ତ୍ରର ଜଣେ ସଚେତନ ନାଗରିକର ଆହ୍ବାନ । 
ଦହପାଣିଆ , ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

ପ୍ରତିକୂଳ ସ୍ରୋତ

                                     ଲୀଳାବତୀ ମହାପାତ୍ର 

      କୁନି ଝିଅଟି ରାହାଧରି କାନ୍ଦୁଛି । ଡାକ୍ତର ପ୍ରତିକ ଝିଅଟିକୁ କୋଳରେ ଧରି ବୁଝାଇବା ପାଇଁ ଯେତେ ଚେଷ୍ଟା କରୁଛନ୍ତି ଝିଅଟି ଚୁପ୍ ରହୁନାହିଁ । ଆଜିକୁ ଏକା ଧାଇ ମା' ଛୁଟିରେ ଅଛି । ମା' ସିନା  ନିର୍ବିକାର ଭାବରେ ପିଲାମାନଙ୍କର ଭଲ ମନ୍ଦ ବୁଝି ଥାଏ , ସେ କିନ୍ତୁ ବୁଝି ପାରୁ ନାହାନ୍ତି । ଭୋକ ତ ସମସ୍ତଙ୍କୁ କନ୍ଦାଇ ଥାଏ ଭାବି ସେ ବୋତଲରେ ଥୁଆ ହୋଇଥିବା ଗୋରସକୁ ଝିଅଟିକୁ ପିଆଇଲେ । ଟିକେ ଶାନ୍ତ ହୋଇଗଲା । କାନ୍ଧରେ ପକାଇ ହାତ ଥାପି ଦେବାରୁ ଶୋଇ ପଡ଼ିଲା । କ'ଣ ଭାବିଲେ କେଜାଣି ସେମିତି ଅବସ୍ଥାରେ ଗ୍ଯାରେଜକୁ ଯାଇ ଡ଼୍ରାଇଭରକୁ କାର୍‌ ବାହାର କରିବା ପାଇଁ କହିଲେ । ଡ଼୍ରାଇଭର କାର୍‌ ବାହାର କଲାରୁ ସେ ଯାଇ କାର୍‌ ପଛ ସିଟ୍‌ରେ ବସିପଡି କହିଲେ - "ନୟାପଲ୍ଲୀ ଏ ତିନିଶହ ଛୟାଳିଶି ଘରକୁ ନେଇ ଚାଲେ ।" ଡ଼୍ରାଇଭର ଗାଡି ଚଲେଇବା ଆରମ୍ଭ କଲା । ପ୍ରତିକର ମନରେ ଅତୀତର ସୃତି ସବୁ ପ୍ରତିଫଳିତ ହେବାକୁ ଲାଗିଲା । ପ୍ରତିକ ମିଶ୍ର ଗୋରା ତକତକ ଚେହେରା ସାଙ୍ଗକୁ ନାକ , କାନ , ଆଖି ଠିକ୍ ଥାଇ ରାଜକୁମାର ପରି ଦେଖାଯାଉଥା'ନ୍ତି । ସେ ସିନା କୌଣସି ଝିଅଙ୍କୁ ଆଡ଼ ଆଖିରେ ଚାହୁଁ ନଥିଲେ , କିନ୍ତୁ ଝିଅମାନେ ତାଙ୍କର ନିକଟତର ହେବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । କିଏ ନୋଟ୍ ଖାତା ମାଗୁଥିଲା ତ କିଏ ବିନା କାରଣରେ ତାଙ୍କ ପାଖକୁ ଆସି ଗପ ଜମାଉଥିଲା । କିଏ କିଏ ତାଙ୍କ ଠାରୁ ପଢ଼ିବା ପାଇଁ ବହି ମାଗି ନେଇ ତା' ଭିତରେ ପ୍ରେମ ପତ୍ର ରଖି ଫେରସ୍ତ କରୁଥିଲା ।ପ୍ରତିକ କିନ୍ତୁ ଏ ସବୁ ପ୍ରତି ଗୁରୁତ୍ବ ଦେଉ ନ ଥିଲେ । ତାଙ୍କର ଲକ୍ଷ୍ୟ କେବଳ ପଢ଼ିବା , ଆଗକୁ ବଢିବା ଓ ବାପା ମା'ଙ୍କ ଠାରୁ ପାଇଥିବା ସଂସ୍କାର ବଜାୟ ରଖିବାରେ ।
        ପ୍ରତିକର ଏପରି ନୀତି ସଙ୍ଗତ ମନୋଭାବ ଦେଖି ସାଙ୍ଗମାନେ ଥଟ୍ଟା କରି କହନ୍ତି - "କାଶ୍ ଆମ ଭାଗ୍ୟ ଏମିତି ହୋଇଥା'ନ୍ତା କି । ଆରେ ପ୍ରତିକ କଲେଜ ଗଲେ ନଲେଜ ବଢେ , କିନ୍ତୁ ତୁ ସେମିତି ବୋକା ହୋଇ ରହି ଥା' ।" ଏମାନଙ୍କ କଥା ଶୁଣି ପ୍ରତିକ କହେ - "ଦେଖ , ମାତା - ପିତା ଆମକୁ ଛୋଟରୁ ବଡ଼ କଲେ । ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଆମକୁ ପାଠ ପଢ଼ାଉଛନ୍ତି । ଆଉ କ'ଣ ସେମାନେ ଆମ ପାଇଁ ଉପଯୁକ୍ତ ଜୀବନ ସାଥୀ ବାଛି ପାରିବେ ନାହିଁ ?" ପ୍ରତିକର ଏକଥା ଶୁଣି ସାଙ୍ଗମାନେ ଚିଡ଼ି ଯାଆନ୍ତି । ନିଜନିଜ ଭିତରେ କୁହାକୁହି ହୁଅନ୍ତି - "କୁଆଡୁ ଆସିଲା କେଜାଣି ଏମିତିକା ନିର୍ବୋଧ ମଣିଷଟେ ! ସେଥିରେ ପୁଣି ଡାକ୍ତର ପାଠ ପଢୁଛି । ଏ ସମୟରେ ମଜା କରିବା ନାହିଁ ତ ଆଉ କେବେ କରିବା ? ଜୀବନଟାକୁ ଉପଭୋଗ କରିବା ଶିଖି ନାହିଁ । ଏମିତିକା କ'ଣ ସରଳରେଖାରେ କାହାର ଜୀବନ ଗତି କରାଇଛି ନା କରିବ ?" ସେମାନେ ସମସ୍ତେ କଥା ହେଲେ ଏହାକୁ ସୁଯୋଗ ଦେଖି ଦିନେ ପାନେ ଦେବା । ତା'ର ଏତେ ଉଜ୍ଜଳ ଭାବମୂର୍ତ୍ତିରେ କଳଙ୍କ ବୋଳିଦେବା । ପୁଅ ଅଖା ଧୋଉଥିଲେ ଗୁଣ ଗାଉଥିବ ।

     ଦିନେ ଲାଇବ୍ରେରୀରେ ସମସ୍ତ ସାଙ୍ଗ ଏକାଠି ହୋଇ ଗପସପ କରୁଥିଲେ । ରାଜେଶ କହିଲା - "ବୁଝିଲୁ ପ୍ରତିକ , ଆମ ସାଙ୍ଗରେ ଯେଉଁ ସୁରମା ପଢୁଛି ସେ କି ଅସୁନ୍ଦରୀ କହିଲୁ !!" ଏକଥା ଶୁଣି ସୈାରଭ ହସିହସି କହିଲା - " ବାପରେ ବାପ କଳା , ହାତୀ କଳା । ସେଥିରେ ପୁଣି ଉଚ୍ଚ କପାଳ ।" ଆଉ ଜଣେ କହିଲା  - "ଏଡେ ଏଡେ ହଳଦିଆ ଦାନ୍ତକୁ ଚନ୍ଦା ମୁଣ୍ଡ । ଅନ୍ଧାର ରାତିରେ ହସି ଦେଲେ ରାକ୍ଷାସୁଣୀ ପରି ଦେଖାଯାଏ ।" ଦୀପକ୍ କହିଲା - "ଏତେ କାହିଁକି ବର୍ଣ୍ଣନା କରୁଛ ? ଆମ ପୁରାଣରେ ବର୍ଣ୍ଣିତ ଅଲକ୍ଷଣୀ ପରି ତା' ରୂପ ।" ଏହା ଶୁଣି ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ ।
         ପ୍ରତିକକୁ ଏସବୁ ଭଲ ଲାଗେ ନାହିଁ । ସେ କହିଲା କାହାର ପଛରେ ତାକୁ ଏତେ ତାତ୍ସଲ୍ୟ କରି ହସିବା ଉଚିତ୍ ନୁହେଁ । ସେ କ'ଣ କରିବ ? ଭଗବାନ ତାକୁ ସେମିତି ଗଢ଼ିଛନ୍ତି । ରୂପ କେବେ କାହାର ପରିଚୟର ମାଧ୍ୟମ ହୋଇ ନ ଥାଏ । ଗୁଣ ହିଁ ପରିଚୟର ମାଧ୍ୟମ ହୋଇଥାଏ । ତା' ଛଡା ସେ ତ ଜଣେ ମେଧାବୀ ଛାତ୍ରୀ । ଶାନ୍ତ , ସରଳ , ନମ୍ର , ହୃଦୟ ନିର୍ମଳ  ।ପ୍ରତିକର ପାଟିରୁ କଥା ଛଡ଼ାଇ ନେଇ ସାଙ୍ଗମାନେ କହିଲେ ତା'ହେଲେ ତୁ ତାକୁ ଭଲ ପାଇବୁ । ବାହାହୋଇ ପାରିବୁ । ତା' ପାଟିରୁ ବାହାରି ଥିବା ଏକମାତ୍ର ଶବ୍ଦ ଯେ ତା' ଜୀବନକୁ ଓଲଟା ପାଲଟା କରିଦେବ ଏକଥା ଭାବି ପାରି ନ ଥିଲା । ଏମିତି କଥାରେ କହିଦେଇ ଥିଲା - "ହଁ ମୁଁ ତାକୁ ବିବାହ କରିବି , କ'ଣ ହେଲା , ସେ କ'ଣ ଝିଅ ନୁହେଁ କି ?" ବାସ୍‌ , କଥା ସରିଲା , ସାଙ୍ଗମାନେ ସେହି କଥାକୁ ଗଣ୍ଠି କରି ଧରି କହିଲେ - "ତୁ କହିଚୁ ମାନେ ତାଙ୍କୁ ବାହା ହେବା ପାଇଁ ବାଧ୍ୟ ।" କିଛି ସାଙ୍ଗ ସଙ୍ଗେ ସଙ୍ଗେ ସୁରମାକୁ ଡାକି ଆଣି କହିଲେ - "ପ୍ରତିକ ତୁମକୁ ବିବାହ କରିବ ବୋଲି କହୁଛି , ତୁମର ମତାମତ କ'ଣ ?" ହାତ ପାହାନ୍ତାରେ ଏପରି ଭାବରେ ଖୁସିର ସମ୍ଭାର ପାଇବ ବୋଲି ସେ କଳ୍ପନା କରି ନ ଥିଲା ।
        ସୁରମା ପ୍ରତିକକୁ ଭଲ ଭାବରେ ଜାଣେ । ଗୋଟିଏ ଗାଁର ସେମାନେ । ସେ ଧୋବା ଝିଅ । ସେଥିପାଇଁ ସନ୍ଦେହରେ କହିଥିଲା , "ତାଙ୍କ ତରଫରୁ ଯଦି ପ୍ରସ୍ତାବ ଆସୁଛି ମୋର କିଛି ଆପତ୍ତି ନାହିଁ ।" ପ୍ରତିକ ତାକୁ ଅତି ଅସହାୟ ହୋଇ ଅନାଇଲା । ସେ ମନେ ମନେ ଭାବିଲା ସୁରମା ତାଙ୍କ ପରିବାର ଉପରେ ପ୍ରତିଶୋଧ ନେଉନାହିଁ ତ ! ତା'ର ମନେ ଅଛି ଶାମ୍ବ ଦଶମୀ ପିଠା ନେବାପାଇଁ ଆସିଥିବା ତା'ର ଜେଜେମାକୁ ତା' ବୋଉ କେତେ ଅପମାନଜନକ କଥା କହିଥିଲା । ତା'ର ଭୁଲ୍ ସେ ବାଡିପଟୁ ଆସି ପିଠା ନେବା କଥା , ଦାଣ୍ଡରେ ଆସି ଛିଡା ହୋଇ ପିଠା ମାଗିବା । ବୋଉଙ୍କର କଟୁକ୍ତି ଶୁଣି ସୁରମାର ଜେଜେମା' ବୁଡୁ କହିଥିଲା , "ନାଇଁ ମା' ମୋର ସବୁ ମନେ ଅଛି । କିଛି ଭୁଲି ନାହିଁ । ବାଡିର ପ୍ରଥମ ଫଳ ଠାକୁରାଣୀ ମନ୍ଦିରରେ ଦେଇ ଆସିଲି । ଆଉ କିଛି ପରିବା ତମେ ଆପଣଙ୍କ ପାଇଁ ଆଣିଛି । କେତେ ପୁଣି ବାଡି ପଟକୁ ଯିବି ଭାବି ଏଠାରେ ଛିଡ଼ା ହୋଇ ଗଲି । ମୁଁ ଯେଉଁ ଜାଗାରେ ଛିଡ଼ା ହୋଇଛି ଗୋବର ପାଣି ପକାଇ ଦେବି ।" ଏହା କହି ବୁଡୁ ତା' ବାଡିରୁ ଆଣିଥିବା ପରିବାରତକ ତାଙ୍କ ବାରଣ୍ଡାରେ ଅଜାଡ଼ି ଦେଲା । ତା' ଘରୁ ଗୋବର ପାଣି ଆଣି ଦାଣ୍ଡ ଦୁଆରଟିକୁ ସୁନ୍ଦର ଭାବରେ ଲିପି ଦେଇଥିଲା ।
ଏହା ଦେଖି ସେ ତା' ବୋଉକୁ କହିଥିଲା - "ବୋଉ ସେ ଦେଇଥିବା ପରିବାକୁ ତ ତୁମେ ଛୁଇଁଲ , ସେ ଗଛ ତ ତା' ବାଡିରେ ଥିବା ମାଟିରେ ହୋଇଥିବ । ସେ ସେହି ଗଛ ମୂଳରେ ପାଣି ଦେଇଥିବ । ସେ ପରିବା ଗୁଡ଼ିକ କିପରି ମାରା ହେଲାନି ଲୋ । ଆଉ ତା' ଭାଉଜ ପାତ ମା' ଘରୁ ତ ଆମେ ଚୂଡ଼ା , ମୂଢ଼ି ଆଣି ଖାଉଛୁ ।" ତା' କଥା ଶୁଣି ବୋଉ କହିଥିଲେ - "ତୁ ଛୋଟ ଛୁଆ ଏସବୁ କଥା ବୁଝି ପାରିବୁ ନାହିଁ । ଛୋଟ ଜାତିଙ୍କୁ ମୁହଁ ଦେଲେ ସେମାନେ ଆମ ମୁଣ୍ତ ଉପରେ ଚଢିବେ ।" ଏ ସମୟରେ ତା ବାପା ଦିବାକର ମିଶ୍ର ଆସୁଥିଲେ । ତାଙ୍କ କାନରେ ଏ ଛୋଟ - ବଡ଼ ଜାତି କଥାଟା ପଡିଲା । ତେଣୁ ସେ ପଚାରିଥିଲେ - "ତୁମେ ମା' - ପୁଅ ଦୁହେଁ ଦାଣ୍ଡ ପିଣ୍ଡାରେ ଛିଡ଼ା ହୋଇ କେଉଁ ବିଷୟରେ କଥା ହେଉଛ ? ଘରର ଝିଅ - ବୋହୂ ମାନେ ଦାଣ୍ଡରେ ଛିଡ଼ା ହୋଇ କଥା ହେବା ମନା ।" ତେଣୁ ବାପାଙ୍କୁ ଦେଖି ମୁଣ୍ଡରେ ହାତେ ଓଢ଼ଣା ଦେଇ ବୋଉ ଘର ଭିତରକୁ ଗଲି ଯାଇଥିଲେ ।

  ତା' ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଗୁଡିକର ଉତ୍ତର ପାଇବାକୁ ହେଲେ ଏହା ହିଁ ସଠିକ୍ ସମୟ ଭାବି ପଚାରିଥିଲା - "ବାପା ମୁଁ ତ ଡାକ୍ତରୀ ବିଦ୍ୟା ପଢୁଛି । କଙ୍କାଳକୁ ପରୀକ୍ଷା ନିରୀକ୍ଷା କରି ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ସମ୍ବନ୍ଧରେ ଅନେକ ତଥ୍ୟ ହାସଲ କରୁଛି । କାହିଁ କେଉଁଠାରେ ମଧ୍ୟ ମଣିଷମଣିଷ ଭିତରେ ମୁଁ ଭିନ୍ନତା ଦେଖିବାକୁ ପାଇନାହିଁ । ଆମର ଯେଉଁ ଚଳଣି ଯେଉଁ ସଂସ୍କାର ମଣିଷ ସମାଜକୁ ଭାଗ ଭାଗ କରି ଥୋଇ ଦେଉଛି । ଅସ୍ପୃଶ୍ୟ ଶବ୍ଦଟିର ଅର୍ଥ କ'ଣ ? ତାହା ପୁଣି ଏ ମଣିଷ ସମାଜ ପାଖରେ ?" ପୁଅର କଥା ଶୁଣି ଦିବାକର ବାବୁ ହସି ପକାଇ ଥିଲେ । ପୁଅ ଆଜି ଶିକ୍ଷିତ। ଚେତନା ବ୍ୟାପକ ହୋଇଛି।ଭଲ କିଛି ଖରାପ ନୁହେଁ। କିନ୍ତୁ ଆମ ସମାଜରେ ଯୁଗ ଯୁଗରୁ ପ୍ରଚଳିତ ହେଉଥିବା ପରମ୍ପରା ଓ ସଂସ୍କାର କୁ ବି ତ୍ୟାଗ କରି ହେବ ନାହିଁ। ସମାଜ କୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଏହା ଏକ ନିୟମ। ସଂସ୍କାର ଓ ଶୃଙ୍ଖଳା ଯେତିକି ମଜବୁତ ହେବ ଆଚାର ଓ ବ୍ୟବହାର ମଧ୍ୟ ସେତିକି ସଂଯତ ହେବ।ତା ଫଳରେ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ । ପୁଅକୁ ବୁଝାଇବାକୁ ଯାଇ କହିଥିଲେ  - "ଦେଖେ ସମସ୍ତେ ସମାନ । ମନୁଷ୍ୟ ନିଜ ବ୍ୟବହାର ଓ ଚଳଣି ଦ୍ବାରା ଭିନ୍ନ ଭିନ୍ନ ଜାତି ସୃଷ୍ଟି କରିଛି । କିଏ କାହାକୁ ଘୃଣା କରିବା କଥା ନୁହେଁ କି ଛୋଟ ଜାତି କହି ଅପମାନ କରିବା ଉଚିତ ନୁହେଁ । କାରଣ ଅପମାନ ଗୋଟିଏ ଏମିତିକା ୠଣ ଯାହାକୁ କି ସମସ୍ତେ ମୈକା ମିଳିଲେ ସୁଧ ସହ ଫେରାଇ ଦେଇଥା'ନ୍ତି , ଆମ ବ୍ରାହ୍ମଣ ଜାତିକୁ ଶ୍ରେଷ୍ଠ ଜାତି ବୋଲି କହିବାର କାରଣ ହେଲା ଆମ ଘରର ମl' - ଭଉଣୀ ମାନେ ବଡ଼ି ଭୋରରୁ ସ୍ନାନ କରି ଶୁଦ୍ଧପୁତ ଭାବରେ ରୋଷେଇ କରିଥା'ନ୍ତି । ଗୀତାରେ କୁହାଯାଇଛି - "ଯଜ୍ଞରୁ ବୃଷ୍ଟି । ବୃଷ୍ଟିରୁ ଅନ୍ନ ।" ଅର୍ଥାତ ରୋଷେଇ ଶେଷରେ ସମସ୍ତ ଖାଦ୍ୟ ଭଗବାନଙ୍କୁ ସମର୍ପଣ କରିବାକୁ ହିଁ ଯଜ୍ଞ କହନ୍ତି । ଏହାଦ୍ବାରା ସାତ୍ତ୍ୱିକ ପରିବେଶ ସୃଷ୍ଟି ହୋଇଥାଏ ।" ଏହା ଶୁଣି ସେ କହିଥିଲା - "ବାପା ! ଜୀବନ ଯାତ୍ରା କେବେ ବି ଅନ୍ୟ ମାନଙ୍କର ସହ ସମକକ୍ଷ ହେବ। ସଂସାରର ନିୟମ ।ତେଣୁ ଅନ୍ୟ ସହ ତୁଳନା କରି ନିଜକୁ ଯନ୍ତ୍ରଣା ଦେବା ଯୁକ୍ତିଯୁକ୍ତ ନୁହେଁ । ଆଜିକାଲି ତ ପ୍ରାୟ ସମସ୍ତେ ଶିକ୍ଷିତ ହେଲେଣି । ଏ ସାମାନ୍ୟ ଚଳଣି ବିଷୟରେ ସେମାନଙ୍କୁ ଅବଗତ କରାଇ ଦେଲେ ତ ମଣିଷ ଜାତି ଏକ ହୋଇ ଯିବ । ସେମାନଙ୍କ ମଧ୍ୟରୁ ଏକ ଅସୃଶ୍ୟ ଶବ୍ଦଟି ଦୂର ହୋଇଯିବ । ଓଡ଼ିଆ ଜାତିର ଆଦର୍ଶ ପ୍ରଭୁ ଜଗନ୍ନାଥ ଏ ଜାତି ପ୍ରଥାକୁ ଦୂର କରିବା ପାଇଁ କେତେ ମାନବୀୟ ଲୀଳା ପ୍ରଦର୍ଶନ କରିଛନ୍ତି । ଅସ୍ପୃଶ୍ୟତାକୁ ଗୁରୁତ୍ବ ଦେଇ ପଣ୍ଡାମାନେ ଦାସିଆ ବାଉରୀକୁ ସିନା ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ କିନ୍ତୁ ସ୍ବୟଂ ପ୍ରଭୁ ମନ୍ଦିର ଭିତରୁ ବାହାରି ଆସି ଦାସିଆ ବାଉରୀ ହାତରୁ ନଡ଼ିଆଟିକୁ ନେଇ ଦର୍ଶାଇ ଦେଇଥିଲେ ଯେ ତାଙ୍କ ପାଇଁ ଏ ମାନବକୃତ ଜାତିବାଦ କିଛି ମାନେ ରଖେ ନାହିଁ । ମା' ଲକ୍ଷ୍ମୀ ଜାତିଭେଦ ଦୂର କରିବା ପାଇଁ ଶ୍ରୀୟା ଚଣ୍ଡାଳୁଣୀର ଘରେ ପ୍ରବେଶ କରିଥିଲେ । ଏମିତି ଲୋକଶିକ୍ଷା ନିମନ୍ତେ ପ୍ରଭୁ ଅନେକ ଲୀଳା କରିଛନ୍ତି ।"

        ବାପାଙ୍କ ସାଥୀରେ ଏ କଥୋପକଥନ କ'ଣ ତା'ର ଭବିତବ୍ୟ ଥିଲା । ସାଙ୍ଗ ମାନଙ୍କ ବାଧ୍ୟବାଧକତାରେ ସେ ଡକ୍ଟର ସୁରମାଙ୍କୁ ବିବାହ କରିଥିଲା । ସ୍ରୋତର ଅନୁକୂଳରେ ତ ସମସ୍ତେ ପହଁରି ପାରନ୍ତି । କିନ୍ତୁ ଯିଏ ପ୍ରତିକୂଳ ସ୍ରୋତକୁ ଭୃକ୍ଷେପ ନକରି ଆଗେଇ ଚାଲେ ସେ ମହାନ ଆଦର୍ଶରେ ପରିଣତ ହୁଏ । ତା'ର ଏହି ଆଦର୍ଶ ତାକୁ ତା' ପିତାମାତାଙ୍କ ଠାରୁ ଦୂରେଇ ଦେଇଛି । ତା'ର ଏ ବିବାହ ଖବର ଶୁଣିବା ମାତ୍ରେ ବାପା ତାକୁ ତେଯ୍ୟପୁତ୍ର କରି ଦେଇଛନ୍ତି । ବୋଉ ଅଶ୍ରୃଶିକ୍ତ ନୟନରେ ଲେଖିଥିଲେ - "ବାପାରେ  ! ଏ ତୁ କ'ଣ କଲୁ ! ଘରର ସମସ୍ତ ସଂସ୍କାର ପରମ୍ପରାକୁ ଭୁଲିଗଲୁ ! ହଉ ତୁ ଯଦି ଆମର ସମ୍ମାନ ରଖିଲୁ ନାହିଁ ଆମେ ମଧ୍ୟ ତୋ ମୁହଁକୁ ଚାହିଁବୁ ନାହିଁ । ତୁ ତାକୁ ଧରି ଖୁସିରେ ରହ ।" ଆଉ କିଛି ଲେଖି ପାରି ନ ଥିଲେ । ଆଖି ଲୁହରେ ଚିଠିଟି ଓଦା ହୋଇ ଯାଇଥିଲା । ଏବେ ବାପାଙ୍କ ଦେହ ଭଲ ରହୁ ନାହିଁ । ସେଥିପାଇଁ ସେମାନେ ଭୁବନେଶ୍ଵରରେ ଆସି ରହୁଛନ୍ତି । ବାପା ବୋଉଙ୍କ ସମସ୍ତ ଖବର ରଖୁଥିଲେ । ଭଲମନ୍ଦ ବୁଝୁଥିଲେ । 
              ସାର , ଘର ହୋଇଗଲା । ଡ଼୍ରାଇଭରର କଥାରେ ସେ ପ୍ରକୃସ୍ଥିତ ହେଲା । ସଂକୋଚରେ ଗେଟ୍ ଖୋଲି ଘର ଭିତରକୁ ଗଲା । ବୈଠକ ଘର କବାଟ ଦର ଆଉଜା ହୋଇଛି । ଆସ୍ତେ କରି କବାଟ ଖୋଲି ଝିଅ ସ୍ବର୍ଣ୍ଣମୟୀକୁ ଖଟ ଉପରେ ଶୋଇ ଦେଲା । ଆଗରୁ ଲେଖି ଆଣିଥିବା ଚିଠି ଖଣ୍ଡକ ଝିଅର ମୁଣ୍ଡ ଉପରେ ଥୋଇ ଦେଇ ଆସ୍ତେ କରି କବାଟ ଆଉଜେଇ ଦେଲା ।ଘରୁ ବାହାରି ଆସିବା ସମୟରେ ଭାବିଲା ଚିଠିଟି ପଢି ବୋଉ ନିଶ୍ଚୟ ତା' ନାତୁଣୀକୁ ଆପଣେଇ ନେବ ।

ମୋ - ୯୪୩୭୫୦୩୩୯୬
   ଜୟ ସାହିତ୍ୟ, ଜୟ ସମାଜ