ପ୍ରଣତି ହରିଚନ୍ଦନ
ଜରି ଗୋଟେଇ ଝିଅଟି ଯେବେଠାରୁ ସତ କହି ଆସୁଥିଲା , ବିଦ୍ରୁପ,ତାତ୍ସଲ୍ୟ ଆଦି ତା'ର ସାଥି ସାଜିଥିଲେ । "ସାମାନ୍ୟ ଜରି ଗୋଟାଳି ଝିଅଟେ ତୁ ,"ତତେ ପୁଣି କିଏ ଏତେ ଭାଉ ଦେଉଛି ଯେ ? ଆଠଦିନ ଅଗାଧୁଆ ଗନ୍ଧ ଛାଡନି ତୋ' ଠାରୁ , କହୁଛୁ କ'ଣ ନା ଅତ୍ୟାଚାରିତା ?"
ଥାନାବାଲା ଟିକେ ବଙ୍କେଇ ହସିଲା ।
"ଯା' ଯା' ନେ ଦୁଇଶ' ଟଙ୍କା ରଖ , ପେଟ ଭରି ଖା , ସାବୁନ୍ ଖଣ୍ଡେ କିଣି ଲୁଗାପଟା ସଫା କର । ଯା' ଏଠୁ ଜଲଦି ଯା ।"
ଦୁଇଧାର ଲୁହ ଗଡିପଡିଲା ତା`ଆଖିରୁ!! ଆଉ କେହି ଦେଖିବା ଆଗରୁ ସେ ଅସନା ମୁଁହରେ ଲୁହର ଦାଗ ଶୁଖିଗଲା ?
"ଏ' ଏ' , କୁଆଡେ ଏମିତି ସନ୍ଧ୍ୟାବେଳେ ଭିତରକୁ ମାଡି ଆସୁଛୁ? ଏଇଟା କ'ଣ ରେଳଲାଇନ ନା ତୋ' ବୋପା ଘର ?"
"ନାଁଇ ନାଁଇ ବାବୁ , ଏଇ ଟଙ୍କା ମୁଣିଟା ରାସ୍ତାରେ ପଡିଥିଲା , ଫେରେଇବାକୁ ଆସିଛି । ଟିକେ ବଡବାବୁଙ୍କୁ ଡାକି ଦିଅ।"
"ସାର୍ ! ସାର୍ ! ସେ ଜରି ଗୋଟାଳି ଝିଅଟା ହାତରେ ଆପଣଙ୍କର ମନିପର୍ସ୍ , ବାଟରୁ ପାଇଛି ବୋଲି କହୁଛି ।"
"ଆରେ ଡାକ୍ ତାକୁ , କାଲି ରାତିରୁ ମୁଁ ଖୋଜୁଛି !!"
ପିଣ୍ଢାରେ ବସିଥିବା ଝିଅଠୁ ମନିପର୍ସ ଛଡେଇ ନେଲାପରି ଝାମ୍ପିନେଇ କହିଲେ - "ସବୁ ଠିକ୍ ଅଛି ନା କିଛି ଚୋରେଇ ନେଇଛୁ ?" ମୁଣ୍ଡ ପୋତି ଝିଅଟି କହିଲା - "କାଲି ରାତିରେ ମୋ' ଶୋଇବା ଚଦର ତଳେ,ଭୁଲ୍ରେ ଛାଡି ଆସିଛ।"
"ନେଇଯା।ନେଇଯା ନହେଲେ ପୁଣି ଆଉଜଣେ ଆସି ବାନ୍ଧି ନେବ । ଏ ଅସନା ଶରୀରଟାକୁ ଝୁଣି ଚାଲିଥିବ ।"
ଦୁଇଧାର ଲୁହ ଆଉଥରେ ତା' ଅସନା ମୁଁହରେ ଶୁଖିଗଲା ।
"ସାର୍ ସାର୍ !! କ'ଣ କହୁଛି ସେ ଜରି ଗୋଟେଇ ?"
ଆରେ , ନାଁଇ , ନାଁଇ ; ସେଦିନ ଲାଗୁଛି ସେ ସତ କହୁଥିଲା । ଲେଖିଦେ' ଗୋଟେ କାଗଜରେ । ଆମେ ସେ ଲୋକକୁ ଖୋଜି ଚାଲିଛୁ । ମିଳିଲେ.........
ଲିଙ୍ଗରାଜ ବିହାର , ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।