ପ୍ରତାପ ଚନ୍ଦ୍ର ମିଶ୍ର
ଭାରତ ସ୍ୱାଧୀନ ହେବାର ବହୁ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିକ୍ରମ ପୁର ଗାଆଁକୁ ଭଲ ରାସ୍ତାଟିଏ ହୋଇ ପାରିଲା ନାହିଁ । କେତେ ନେତା ,ବୁଦ୍ଧିଜୀବୀ , ଗାଆଁ ମୁଖିଆ , ପାରିବାର ପଣିଆ ଥିବା ନେତୃତ୍ୱ ବ୍ୟକ୍ତି ଥିଲେ ; ଏବେବି ଅଛନ୍ତି କିନ୍ତୁ କାହାର ନିଘା ନାହିଁ କି ଆତ୍ମୀୟତା ନାହିଁ ସେହି ରାସ୍ତାର ଉନ୍ନତି କରଣ ପାଇଁ ।ଗଲା ଭୋଟ ବେଳେ ସରପଞ୍ଚକୁ ଲୋକେ ମୁଖ୍ୟତଃ ସେହି ରାସ୍ତାକୁ ବଳିଷ୍ଠ କରାଇବା ପାଇଁ ଜିତାଇ ଥିଲେ ଏବଂ ସରପଞ୍ଚ ବି ଦୃଢ ପ୍ରତିଶ୍ରୁତି ଦେଇଥିଲେ ସେ ନିଶ୍ଚୟ ଗାଆଁ ରାସ୍ତାକୁ ପକ୍କା କରାଇବେ। ଝିଅ , ବୋହୂ , ଅସୁସ୍ଥ ତଥା ଗମନା ଗମନର ସୁବିଧା ନ ଥିବା ଯୋଗୁଁ ସେହି ଗାଆଁର ଉନ୍ନତିକରଣ ହୋଇ ପାରିନାହିଁ । ଉପଯୁକ୍ତ ଚିକିତ୍ସା ନ ମିଳୁଥିବା ଯୋଗୁଁ , ଅକାଳରେ ଲୋକଙ୍କ ଜୀବନ ହାନୀ ଘଟୁଛି । ପୂର୍ବରୁ ମୁଖିଆ ଓ ସରପଞ୍ଚ ମାନେ ଏହି ରାସ୍ତାକୁ ନେଇ ବିଭିନ୍ନ ପ୍ରକାର ରାଜନୀତି କରିଛନ୍ତି । କେବଳ ଭୋଟ ପାଇଁ ସେହି ରାସ୍ତାକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଉଠୁଛି ଏବଂ ଏ କଥା ବି ନିରାଟ ସତ୍ୟ । ଗାଆଁ ଲୋକ ବି ବେଶ୍ ଅନୁଭବ କରିସାରିଲେଣି । କିନ୍ତୁ ଏଥର ଆଉ ବରଦାସ୍ତ କରିବେ ନାହିଁ ବୋଲି ଗାଆଁ ଲୋକ ମାନେ ଦୃଢ ନିଷ୍ପତ୍ତି ନେଇଛନ୍ତି । ଭୋଟ ବର୍ଜନ ସହ ଯିଏ ଭୋଟ ପାଇଁ ଆସିବ ତାକୁ କୈଫିୟତ ଦେବାକୁ ପଡ଼ିବ , କାହିଁକି ଆଜି ପର୍ଯ୍ୟନ୍ତ ରାସ୍ତା ହୋଇପାରିଲା ନାହିଁ ଆଉ କିଏ ଏହାକୁ କରିବ ? ଗାଆଁବାସୀ ଚାନ୍ଦା ଆଦାୟ କରି ନିଜେ ନିଜସ୍ଵ ଶ୍ରମ ଦେଇ ସେହି ରାସ୍ତାକୁ ତିଆରି କରିବେ ବୋଲି ଭାବି ନେଇଛନ୍ତି । କୌଣସି ରାଜନେତା , ଦଲାଲ ଅବା ଟାଉଟରଙ୍କୁ ପ୍ରଶ୍ରୟ ଦିଆ ଯିବ ନାହିଁ ବୋଲି ଦୃଢ ସଂକଳ୍ପବଦ୍ଧ ।
ଦିବସ ପାଖେଇ ଆସିଲା । ଦଳ ଦଳ ନେତା , ସମର୍ଥକ , ଟାଉଟର ମାନେ ଭୋଟର ମାନଙ୍କୁ ଆକୃଷ୍ଟ କରିବାକୁ ସେହି ଗାଆଁକୁ ଆସିଲେ । ଗାଆଁର ନିଷ୍ପତ୍ତି କ୍ରମେ ପ୍ରବେଶ ଦ୍ଵାରରେ ଅଙ୍କୁଶ ଲଗାଯାଇଥିଲା । କେହି ବି ଗାଆଁ ଭିତରକୁ ପଶି ପାରୁ ନଥିଲେ । ଯିଏ ବି ଆସୁଥିଲା ଗାଆଁ କୋଠଘରେ ସଂଯୁକ୍ତ ହୋଇଥିବା ଗୁପ୍ତ କ୍ୟାମେରାରେ କୈଦ୍ ହୋଇପଡ଼ିଥିଲେ ଏବଂ କୌଣସି ଅଭିସନ୍ଧି ବା ଭୋଟ ହାତେଇବା ଲୋଭ ପାଇଁ ଆଉ ସୁଯୋଗ ପାଇ ନ ଥିଲେ । ତଥା ଗାଁ ସୀମାରେ ଥିବା ବାଡ଼ ଡେଇଁ କିଏ ବି ପଶି ପାରୁ ନଥିଲେ ଗାଁରେ । ପହରା ଦେଇଥିବା ଜଗନ୍ ଡାକ ନାଁ ଜାଙ୍ଗା ଓ ଭିଲା ଦୁହେଁ ବଳିଷ୍ଠ ଓ ଗାଆଁ ପାଇଁ ନିର୍ଭୀକ ଭାବେ ସେଠାରେ ଜଗି ରହିଥିଲେ । ସଲାସୁତୁରା କରିବା ପ୍ରଶ୍ରୟ ମିଳୁ ନ ଥିଲା ସେଇଠି ।
ସବୁ ଦଳ ଭିତରେ ଭାଳେଣି ପଡ଼ିଗଲା । ବିଗତ ସରପଞ୍ଚ ପାଖ ଗାଆଁ ଲୋକ । ବିକ୍ରମ ପୁର ଗାଆଁରେ ତାଙ୍କର ସମ୍ପର୍କୀୟ ରୁହନ୍ତି । ସେମାନଙ୍କ ଠାରୁ ଏ ଗାଆଁର ସବୁ ଖବର ଗୁପ୍ତରେ ସଂଗ୍ରହ କରିନେଇଥାଏ । ଏଥର ବି ସରପଞ୍ଚ ପାଇଁ ଆଶାୟୀ ପ୍ରାର୍ଥୀ । ଗାଆଁକୁ ନ ଗଲେ ପ୍ରଚାର କେମିତି ହେବ ? ଭୋଟ ପାଇଁ ସିନା ଗାଆଁ ଭିତରକୁ ଛାଡ଼ିବେ ନାହିଁ , ହେଲେ ନିଜ ବନ୍ଧୁଙ୍କୁ ଭେଟିବାକୁ ତ କିଛି ଅସୁବିଧା ନାହିଁ । ତେଣୁ ସେ ବନ୍ଧୁଙ୍କୁ ଭେଟିବା ଆଳରେ ଗାଆଁ ଭିତରକୁ ଯିବା ପାଇଁ ବାହାରି , ଗାଆଁକୁ ଯାଇ ଲୋକଙ୍କୁ ଭୁଆଁ ବୁଲାଇବ୍ ଭାବି ଯୋଜନା ପାଞ୍ଚିଲା ବିକ୍ରମ ପୁର ଯିବାକୁ । ଗାଆଁରେ ସମର୍ଥକଙ୍କୁ ସୂଚନା ଦେଇ ଭୋଟ ହାତେଇବା ଷଡଯନ୍ତ୍ର ପ୍ରକ୍ରିୟାରେ ଲାଗି ପଡିଲା । ତେଣେ ପ୍ରଶାସନ ଓ ଶାସନ ଭାରରେ ଥିବା ସରକାରଙ୍କ ପାଖରେ ବିକ୍ରମ ପୁର ଗାଆଁ ଲୋକଙ୍କ କାରନାମା ପହଞ୍ଚି ଯାଇଥିଲା । ପ୍ରଶାସନିକ ଅଧିକାରୀ ମାନେ ଘନ ଘନ ଗାଆଁ ସୀମାକୁ ଆସି ହତାଶ ହୋଇ ପ୍ରତ୍ୟାବର୍ତ୍ତନ କରିଥା'ନ୍ତି । କେତେ ପ୍ରଲୋଭନ ଦେଖାଇଲେ ବି ଗାଆଁ ସ୍ୱାର୍ଥ ଦୃଷ୍ଟିରୁ ଯାଙ୍ଗା ଓ ଭୀଲା ମାନୁ ନଥା'ନ୍ତି କୌଣସି ବ୍ୟକ୍ତିଙ୍କୁ ଗାଁକୁ ଭୋଟ ସକାଶେ ଛାଡିବା ପାଇଁ । ପ୍ରଶାସନ ବି ପୋଲିସ ଦ୍ବାରା ଚାପ ପାକାଇଲାଣି । ଆଇନ ଆଉ ଗଣତନ୍ତ୍ରର ସମ୍ମାନ କରିବାକୁ । ପ୍ରଶାସନିକ ଅଧିକାରୀ ଓ ଗାଆଁର ଭଦ୍ର ବ୍ୟକ୍ତି ମାନେ ଗାଆଁ ସୀମାରେ ଠିଆ ବୈଠକ କଲେ । ନିଷ୍ପତ୍ତି ହେଲା ଗଣତନ୍ତ୍ରକୁ ସମ୍ମାନ ଦେବା । ଯାହା ଭୁଲ ବି ହୋଇଥିଲା ଆଉ ତାହା ପୁନରାବୃତ୍ତି ହେବ ନାହିଁ । ଯିଏ ବି କ୍ଷମତାକୁ ଆସିବ , ତା' ପାଇଁ ପ୍ରଥମ କାମ ହେବ ବିକ୍ରମ ପୁର ଗାଆଁ ରାସ୍ତା ଉନ୍ନତି ଓ ପ୍ରଶସ୍ତି କରଣ । ଯଦି ନହୁଏ ତେବେ ପ୍ରଶାସନ ଓ କ୍ଷମତାରେ ଥିବା ଲୋକ ପ୍ରତିନିଧି ପୂର୍ଣ୍ଣକ୍ଷମରେ ଦାୟୀ ରହିବେ ଏବଂ ଭୋଟ ଦେଇ ସେବା କରିବାକୁ ଯାହାକୁ ସୁଯୋଗ ପ୍ରାପ୍ତ ହୋଇଥିବ ତାକୁ ଯଥାଶୀଘ୍ର ଗାଦିଚ୍ୟୁତ କରାଯିବ । ଏଭଳି ପ୍ରତିଶ୍ରୁତି ଓ ଲୋକଙ୍କ ମନକୁ ବଦଳାଇବା ପଛରେ ବିଗତ ସରପଞ୍ଚ ଓ ଭୀଲା ପ୍ରଶାସନିକ ଅଧିକାରୀଙ୍କ ସହ ହାତ ମିଳାଇଥିଲେ । ଜାଂଗା ସରଳ ଥିଲା ଓ କପଟୀ ନ ଥିଲା । ସେ ଗାଆଁ ଲୋକଙ୍କ ସହ ମିଶି ଗାଆଁର ଉନ୍ନତି ଚାହୁଁ ଥିଲା । କିନ୍ତୁ ଭିଲା ଭିନ୍ନ ସ୍ଵଭାବର । ସେ ଅର୍ଥ ଲୋଭୀ ଥିଲା । ତେଣୁ ଗାଆଁ ଲୋକଙ୍କ ମନକୁ ଜିଣିବା ପାଇଁ ପୂର୍ବ ସରପଞ୍ଚ ଠାରୁ ମୋଟା ରକମ୍ ଅର୍ଥ ଗୁପ୍ତରେ ପାଇ ସାରିଥିଲା । ପରିସ୍ଥିତି ଏମିତି ହେଲା , ଗାଆଁ ଲୋକେ ଗଣତନ୍ତ୍ରକୁ ସମ୍ମାନ ଦେଲେ । ପୂର୍ବ ସରପଞ୍ଚ ପୁଣି ସଫଳତା ହାସଲ କଲେ । ସେ ପୁଣି କ୍ଷମତାକୁ ଆସିଗଲେ ।
କିଛି ଦିନ ବିତିଗଲା । ଏ ରାସ୍ତା କାମ ଯେମିତି କି ସେମିତି । ଭୋଟ ସରିଲା । ପ୍ରତିଶ୍ରୁତି ପାଳିବାକୁ ସରପଂଚ , ପ୍ରଶାସନ , ନେତା କାହାର ଆଉ ଦେଖା ନାହିଁ । ଯାଂଗା ଚୁପ୍ ରହି ନ ପାରି କୋଠଘରକୁ ସଭା ପାଇଁ ଡକାଇଲା ସଭିଙ୍କୁ , ଭୋଟ ପୂର୍ବ ପ୍ରତିଶ୍ରୁତି ମନେ ପକାଇଲା । ସମସ୍ତେ ଏକ ସ୍ୱରରେ ରାଜ ରାସ୍ତାକୁ ଓହ୍ଲାଇବାକୁ ସ୍ଥିର କରି ମୁଖ୍ୟ ରାସ୍ତାକୁ ଓହ୍ଲାଇ ଦାବି ଉପସ୍ଥାପନା କଲେ ସରପଞ୍ଚକୁ ଗାଦିଚ୍ୟୁତ କରିବା ପାଇଁ । ପ୍ରଶାସନ ଓ ମନ୍ତ୍ରୀ ମଣ୍ଡଳରେ ହଇଚଇ ହୋଇଗଲା । ବିରୋଧୀ ତୀବ୍ର ଭାବେ ଗାଆଁ ଲୋକଙ୍କୁ ସମର୍ଥନ କଲେ । ସରପଞ୍ଚ ଭିଲାକୁ ସାଥିରେ ନେଇ ପୁଣି ସେଇଠି ତା' ପରପଞ୍ଚ କ୍ରିୟା ଆରମ୍ଭ କରିବାକୁ ଲାଗିଲା । ଭିଲା ଗାଁର କେତେ ଅସନ୍ତୁଷ୍ଟ ଯୁବକଙ୍କୁ ନେଇ ସରପଞ୍ଚଙ୍କୁ ସମର୍ଥନ କରିବାକୁ ଟଙ୍କା ଲୋଭ ଦେଖାଇ ନିଜର କରି ପାରିଥିଲା । କିନ୍ତୁ ଯାଙ୍ଗା ତୀକ୍ଷ୍ଣ ନଜର ରଖିଥାଏ ଭିଲ୍ଲା ଉପରେ । ସେ ଆଉ ପୂର୍ବ ଭଳି ନାହିଁ ବୋଲି ବେଶ୍ ଅନୁଭବ କରୁଥାଏ । ସରପଞ୍ଚ ସହ ମିଶି କିଛି ଗୋଟେ କରି ଗାଆଁ ବାଲାଙ୍କୁ ଭୁଆଁ ବୁଲାଉଛି ବୋଲି ସନ୍ଦେହ କରୁଥାଏ । ରାଜରାସ୍ତାରେ ଲୋକଙ୍କ ଦାବି ପ୍ରକାରେ ସରକାରୀ ବାବୁ , ସରପଞ୍ଚ ଓ ଜିଲ୍ଲା ଅଧିକାରୀଙ୍କ ବୈଠକରେ ଉକ୍ତ ରାସ୍ତା କାମ ଯଥା ଶୀଘ୍ର ପ୍ରାରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ସେଇଠି ଧାର୍ଯ୍ୟ ହେଲା । ଉତ୍ୟକ୍ତ ଲୋକେ ସରପଞ୍ଚଙ୍କୁ ମିଛୁଆ କହି ନିନ୍ଦା ଓ ଆକ୍ରମଣ ପାଇଁ ଆଗେଇଥିବା ବେଳେ ଭିଲା ଓ ତାର ସହଯୋଗୀଙ୍କ ଭିତିରି ଶକ୍ତି ସରପଞ୍ଚଙ୍କୁ ବଞ୍ଚାଇ ପାରିଥିଲା ।
ବହୁତ୍ ଦିନ ପରେ ଐତିହାସିକ ରାସ୍ତା କାମ ତିଆରି ହେଲା । ପ୍ରତ୍ୟକ୍ଷ ଭାବେ ଜାଙ୍ଗା କାମ ଉପରେ ନଜର ରଖୁଥାଏ । ନିର୍ଦ୍ଧାରଣ ସମୟରେ ରାସ୍ତା ଉନ୍ନତି କରଣ କାମ ସମାପ୍ତ ହେଲା । ସରକାରଙ୍କ ନିୟମ ପ୍ରକାରେ ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଅର୍ଥ ବିନିଯୋଗ ହୋଇଥିବା ଗାଆଁ ରାସ୍ତାର ଆଦ୍ୟ ପ୍ରବେଶ ପଥରେ ଫଳକରେ ଉଲ୍ଲେଖ କରାଯାଇଥିବା ଦର୍ଶା ଯାଇଥିଲା । କିନ୍ତୁ ବ୍ୟୟ ଅର୍ଥ ହୋଇଥିବା କାମ ତୁଳନାରେ ଢେର୍ ବେଶୀ । ଜାଙ୍ଗା ଏହାର ପ୍ରତିବାଦରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ଭାର ପ୍ରାପ୍ତ ଅଧିକାରୀଙ୍କୁ ତଥ୍ୟ ମାଗାଇଲା । ସେଥିରେ ଆଶ୍ଚର୍ଯ୍ୟ ଜନକ ଜିନିଷ ପଦାକୁ ବାହାରି ଆସିଲା । ରାସ୍ତାରେ ବ୍ୟବହାର ହୋଇଥିବା ଜିନିଷର ଦାମ ଢେର୍ ବେଶୀ ଦର୍ଶାଯାଇଥିଲା । ସରକାରଙ୍କ ନିୟମ ପ୍ରକାରେ ଯାହା ସ୍ଥିରୀକୃତ ହୋଇଥିଲା , ସେ ତୁଳନାରେ କୌଣସି କାମ ହୋଇ ନ ଥିଲା । ଗାଆଁ କୋଠ ଘରେ ବୈଠକରେ ଯାଙ୍ଗା ସେ ସବୁ ସମସ୍ତଙ୍କ ନଜରକୁ ଆଣି ଉପସ୍ଥାପନା କରିଥିଲା । ଭିଲା ଏ କଥା ଜାଣି ପ୍ରତିବାଦର ସ୍ୱର ଉତ୍ତୋଳନ କରି ସରପଞ୍ଚଙ୍କୁ ପ୍ରଶଂସା କରୁଥିବା ବେଳେ ତା'ର ସମର୍ଥକ ମାନେ ଭିଲାକୁ ସହଯୋଗ କରୁଥିଲେ । ଗାଆଁକୁ ସରପଞ୍ଚ ଦୁଇ ଭାଗରେ ବାଣ୍ଟି ଦେଇଥିବା ବେଳେ ସତ୍ୟ ସହ ସାଥିରେ ଥିବା ଯାଙ୍ଗା , ଗାଆଁର ହିତ ପାଇଁ ଲଢେଇ ଜାରି ରଖିଥାଏ । ଭିଲାର ଗୁମର ଓ ସରପଞ୍ଚ ସହ ମିଶି ଅର୍ଥ ଆତ୍ମସାତ କରିଥିବା ଆଭାସ ବାରି ପାରୁ ଥାଏ । ତେଣୁ ଯାଙ୍ଗା ଦୁର୍ନୀତିର ପରଦାଫାସ କରିବାକୁ ଅଣ୍ଟା ଭିଡ଼ିଲା । ସେ ଦୁର୍ନୀତି ନିବାରଣ ସଂସ୍ଥା ସହ ଯୋଗାଯୋଗ କରି ମିଡ଼ିଆକୁ ସଂପୃକ୍ତି କରାଇ ନେଲା ।
ଭୋଟ ପୂର୍ବରୁ ସଂଗୃହିତ ଗୁପ୍ତ କ୍ୟାମେରାର ସାଇତା ଛବି , ଗାଆଁ ମୁଣ୍ଡରେ ପ୍ରତିବାଦର ସ୍ୱର ଉଠିଲା ଦିନ ଠାରୁ ରାସ୍ତା ନିର୍ମାଣ ଓ ଶେଷ ହେବା ଭିତରର ରହସ୍ୟ ସବୁ ଯଥା ସ୍ଥାନରେ ଉପସ୍ଥାପନା କରିବାକୁ ମନସ୍ଥ କଲା । ଗାଆଁ କୋଠରେ ସଂରକ୍ଷିତ କ୍ୟାମେରାରେ କୈଦି କରାଯାଇଥିବା ସବୁ ଦୃଶ୍ୟ , ଦୁର୍ନୀତି ନିବାରଣ ସଂସ୍ଥାର ଅଧିକାରୀଙ୍କୁ ଦର୍ଶାଯାଇ ଥିଲା । ସେଥିରେ ସରପଞ୍ଚ , ଭିଲା ଓ ଅନ୍ୟ ରାଜନେତା , ଦଲାଲଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଜଣା ପଡୁଥାଏ । ଭିଲା ଓ ତା' ସହଯୋଗୀ ବି ସରପଞ୍ଚ ସହ ହାତ ମିଳାଇଥିବା ସବୁ ତଥ୍ୟ ଦୁର୍ନୀତି ନିବାରଣ ଅଧିକାରୀଙ୍କ ସାମ୍ନାରେ ଥିଲା । ମିଡ଼ିଆବାଲା ବି ବେଶ ରୋଚକ ପୂର୍ଣ୍ଣ ଢଙ୍ଗରେ ବିକ୍ରମ ପୁର ଗାଆଁର ରାସ୍ତା ଦୁର୍ନୀତିକୁ ଜନ ସମୁଦାୟର ଉପସ୍ଥାପନା କରୁଥିଲେ।
ସମୟ କ୍ରମେ ଆଇନ ଦୃଷ୍ଟିରୁ ସରପଞ୍ଚଙ୍କ ମନ୍ଦ ଉଦ୍ଦେଶ୍ୟ ଓ ଅର୍ଥ ଆତ୍ମସାତ ମାମଲା କୋର୍ଟରେ ବିଚାର ହେଲା । ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଥାଏ । ଅପରାଧୀ ବୋଲି ଆଉ ସେହି ସରପଞ୍ଚଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଗାଆଁର ଲଢ଼ୁଆ ପୁଅ ଯାଙ୍ଗାକୁ ଲୋକେ ସରପଞ୍ଚ ପାଇଁ ଯୋଗ୍ୟ ବୋଲି ବିବେଚନା କରିଥିଲା ବେଳେ , ସରକାରଙ୍କ ନିର୍ଦ୍ଧେଶ ପ୍ରକାରେ ନିମ୍ନ ମାନର ରାସ୍ତା ନିର୍ମାଣ କରିଥିବା ଠିକାଦାରକୁ ପୁନଃ ଉଚିତ୍ ରାସ୍ତା ତିଆରି କରିବାକୁ ନିର୍ଦ୍ଧେଶ ମିଳିଥିଲା କୋର୍ଟରୁ ଏବଂ ଯାଙ୍ଗା ସରପଞ୍ଚ ହେବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ , ଭିଲା ଏହି ଐତିହାସିକ ରାସ୍ତା ନିର୍ମାଣ ପଛରେ ଘଟିଥିବା ନିଉଜ ଯୋଗୁଁ ନିଜେ ଓ ସରପଞ୍ଚ ଫ୍ୟୁଜ ହେବା ଅପମାନରେ ସେ ଗାଆଁରୁ ଉଭାନ ହୋଇଯାଇଥିଲା ।
ଆସ୍କା-ଗଞ୍ଜାମ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।