ସୁନନ୍ଦା ମହାନ୍ତି
ପୃଥିବୀର ଶ୍ରେଷ୍ଠ ନ୍ୟାୟଧିଶ ମନ ଜାଣି ଫଳ ଦେଉଥିଲା ବେଳେ , ସମୟେ ସମୟେ ଏତେ ନିଷ୍ଠୁର ହୁଅନ୍ତି କାହିଁକି ବୁଝି ହୁଏନା । ପ୍ରାରବ୍ଧ କର୍ମ ଭାବି ଚୁପ୍ ରହିଲେ ବି ଆସ୍ଥା ଓ ବିଶ୍ୱାସ ହରାଏ ମଣିଷ ନ୍ୟାୟଧିଶଙ୍କ ଉପରୁ । ଆଜି ଯେମିତି ଆସ୍ଥା ହରାଇ ମାଆଟି ଠାକୁର ଘରେ ପଶି ସବୁ ଠାକୁରଙ୍କ ଫୋଟୋକୁ ଫୋପାଡି ଅସ୍ତବ୍ୟସ୍ତ ଭାଵେ କାନ୍ଦି କାନ୍ଦି ଭୁଇଁରେ ଲୋଟି ଯାଉଥିଲା , ଆଉ ଥାଟପଟାଳି ପରି ଲୋକ ଜମା ହୋଇ ଆହା ଚୁ ଚୁ କରୁଥିଲେ । ଆଉ କେହି କେହି ଠାକୁରଙ୍କ ଫୋଟୋ ଓ ମୂର୍ତ୍ତୀ ତଥା ପୂଜା ସାମଗ୍ରୀ ଗୋଟାଇ ରଖି ମାଆଟିକୁ ପ୍ରକୃତିସ୍ଥ କରିବାକୁ ଚେଷ୍ଟା କରୁଥିଲେ କ୍ଷ ମାଆଟି କିନ୍ତୁ କେମିତି ପ୍ରକୃତିସ୍ଥ ହୁଅନ୍ତା , ସବୁଦିନ ପରି ଗତକାଲି ରାତିରେ ବି ବିଦେଶରେ ରହୁଥିବା ପୁଅ ସହ କଥା ହୋଇଛି ଆଉ ଆଜି ଶୁଣୁଛି ପୁଅ ଆଉ ନାହିଁ , ଆତ୍ମହତ୍ୟା କରିଛି , କେମିତି ସହିବ ମାଆ ? କେମିତି ସହିବ ତା ହୃଦୟ ? ଯଦି ଆତ୍ମହତ୍ୟା କଲା , କାରଣ କଣ ? କିଛି ତ କହିନି ପୁଅ ମାଆକୁ , ସବୁଦିନ କଥା ତ ଥିଲା ସାବଲୀଳ ଓ ଗତାନୁଗତିକ , ସବୁକଥା ନିର୍ଦ୍ୱନ୍ଦରେ କହିପାରୁଥିବା ପୁଅ ମନ ଭିତରେ କଣ କାହିଁକି କେମିତି , ଏସବୁ ପାଇଁ କାରଣ ହୋଇଗଲା ବୋଲି କେମିତି ସହିବ ମାଆ ?? କେତେ ଦୁଃଖ କଷ୍ଟ ଭିତରେ ଛୋଟ ଶିଶୁରୁ କିଶୋର , ଯୁବକ କରି ପୁଣି ଶିକ୍ଷିତ କରିବାରେ ଧନ ଜନ ମନୋବଳ ଦେଇ , କେତେ ବାଧା ବନ୍ଧନ କାଟି ବାପା ମାଆ ପୁଅ ଝିଅଙ୍କୁ ମଣିଷ କରନ୍ତି , ବାଭିଷ୍ୟତର ସାହାରା ହେଉ କି ନହେଉ ପୁଅ ମୋର ଯୋଉଠି ଥାଉ ଭଲରେ ଥାଉ ବୋଲି ଠାକୁରଙ୍କୁ ନିତିପ୍ରତି ଡ଼ାକୁଥା'ନ୍ତି , ସେହି ପୁଅକୁ ଯଦି ଠାକୁର ନେଇଯା'ନ୍ତି , ରୋଗ ଅବା ଆତ୍ମହତ୍ୟା ବା ଅଘଟଣର ଶୀକାରରେ ଯୁବକ ପୁଅ ଚାଲିଯିବା କଥା କେମିତି ସହିବ ମାଆ ? ଦେଖେଣାହାରୀ ସବୁ ଯେତେ ପ୍ରକାର କଥା କହି ବୁଝେଇଲେ ବି କେମିତି ବୁଝିବ ମାଆ ? ତିନିଦିନ ହେଲା ବାପାଟି ଘରେ ପଶିନି , ଗାଁ ଦୋଳବେଦୀ ଉପରେ ବସିଛି ଯେ ବସିଛି , ଖାଇବା ପିଇବା ଛାଡି ଏ ଶୀତ ଜାଡରେ ବି ସେଇଠି ପଡିଛି । ଲୋକେ ବୁଝା ସୁଝା କଲେ , ଘରକୁ ଯାଇ ଅନ୍ତତଃ ସ୍ତ୍ରୀ କଥା ବୁଝୁ କହିଲେ, "କୋଉ ଜନ୍ମର ପାପ ଏଵେ ତ ଭୋଗିବାକୁ ପଡିବ" କହି ମନୋବଳ ଦେଲେ ; କେହି କେହି ଆଜିକାଲି ଯୁଗର ଦୋଷ କହିଲେ ତ ବାପାଟି ବାୟା ବାତୁଳ ପ୍ରାୟ ଫେରିଲା ଘରକୁ । ଏଣେତେଣେ ପଡ଼ିଥିବା ଠାକୁରଙ୍କୁ ପୁଣି ସଜେଇଲା ତାଙ୍କ ଆସ୍ଥାନରେ , ଯାବତୀୟ ଜିନିଷ ତାଙ୍କର ରଖିଲା ତାଙ୍କ ପାଖେ , ଆଉ ଭୂମିରେ ପଡ଼ିଥିବା ସ୍ତ୍ରୀକୁ ଉଠେଇଲା । ପାଣି ମୁନ୍ଦେ ନିଜେ ପିଇ ତା' ତୁଣ୍ଡରେ ଦେଇ କହିଲା "ଉଠୁ , ଭଗବାନ ଅଛନ୍ତି , ସବୁ ଦେଖୁଛନ୍ତି ; ସେ ଷଡଯନ୍ତ୍ରକାରୀର ସବୁ ଷଡଯନ୍ତ୍ର ଦେଖିଛନ୍ତି । ନିଶ୍ଚୟ ଦଣ୍ଡବିଧାନ କରିବେ , ତୁ ପ୍ରକୃତିସ୍ଥ ହୁଅ"। ତଥାପି ମାଆଟି ମୁଣ୍ଡ ପିଟୁଥିଲା ଭୂମିରେ , ଆଉ ବାହୁନୁଥିଲା "ମତେ କ'ଣ ମିଳିବ କାହା ଷଡଯନ୍ତ୍ରରୁ ? ମୋ' ପୁଅକୁ ମତେ କିଏ ଆଉ ଫେରାଇଦେବ ?" ତଥାପି ମାଆଟି ପାଟିରୁ ବାହାରୁଥିଲା - "ହେ ପ୍ରଭୁ" ।
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।