ପ୍ରୀତିମୟୀ ବିଶ୍ବାଳ
ସଞ୍ଜ ହେଉଥାଏ ସୂର୍ଯ୍ୟ ମାଆ କ୍ରୋଡ଼କୁ ଫେରୁଥା'ନ୍ତି । ଚଢେଇ ମାନଙ୍କ ଚେଁ ଚେଁ ରାବ ସତେ ଯେମିତି ସେ ପ୍ରାକୃତିକ ଦୃଶ୍ୟ ବେଶ୍ ମନୋରମ । ହଠାତ ନଜର ପଡ଼ିଲା ନଈ କୂଳ ପାଖରେ ବସିଥିବା ଝିଅ ଉପରେ । ତାକୁ ଦେଖି ଲାଗୁଥିଲା ଯେମିତି ସେ ବହୁତ ଦୁଃଖିତ ଅଛି , ମୁଁ ଯାଇକି ପଚାରିଲି ମା' କିଏରେ ତୁ ସଞ୍ଜ ହେଲାଣି ଏଠି ବସିଛୁ ? ମୋ' କଥାର କିଛି ଉତ୍ତର ଦେଲା ନାହିଁ ; ସତେ ଯେମିତି ଲାଗୁଥିଲା ଝିଅଟି ନଈର ଛଳ ଛଳ ପାଣିରେ ମୁଗ୍ଧ । ଆଉ ଥରେ ଡାକିଲି ଝିଅ ! ହେଲେ ବି ମୋ' ଆଡ଼କୁ ଅନାଇଲା ନାହିଁ । ତା' ମୁଣ୍ଡରେ ହାତ ମାରି ପୁଣି ଡାକିଲି ଝିଅ ! ହଠାତ ଚମକି ପଡ଼ି କହିଲା - "ଆଜ୍ଞା କୁହନ୍ତୁ।" ପଚାରିଲି - "ସଞ୍ଜ ହେଲାଣି ଏଠି ବସିଛୁ ?" ତା'ର ପଦ୍ମ ପରି ମୁଖ ମଳିନ ପଡିଯାଇଛି , ସତେ ଯେପରି ଆଖିରେ ଅଶ୍ରୁର ଧାର ଅମାନିଆ ହୋଇପଡିଛି । ଝିଅଟି ଆସ୍ତେ ସେ କହିଲା - "ଆଜ୍ଞା ଆଉ ଯିବି କୁଆଡେ ?"
- ଆରେ ମା' ଯାଉନୁ ଘରକୁ ।
କହିଲା - "ମୋ ଘର ନାହିଁ , ମୋର ବୋଲି କିଛି ନାହିଁ" କହି କାନ୍ଦିବାକୁ ଲାଗିଲା । ତା' ଆଖି ଦୁଇଟି ଦେଖି ଲାଗୁଥିଲା ସତେ ଯେମିତି ସେ ବହୁତ କିଛି କହିବାକୁ ଚାହୁଁଥିଲା , ହେଲେ ତା' ଦୁଃଖ ଶୁଣିବାକୁ କେହି ନାହିଁ । ମୁଁ ଯାଇ ତା' ପାଖରେ ବସି ପଚାରିଲି - "କ'ଣ ହେଇଛି ମା ମୋତେ କହ , ମୁଁ ତୋ' ଘରକୁ ନେଇ ଛାଡ଼ି ଆସିବି ।
ମୁଁ ମୋ' ବାପା - ବୋଉଙ୍କର ଅଲିଅଳୀ ବଡ଼ ଝିଅ । ବାପା ବୋଉ ମୋ' ନାଁ ରଖିବା ପାଇଁ ଝଗଡ଼ା ଲାଗୁଥିଲେ । ଶେଷରେ ବୋଉ ମୋତେ ପାଗିଳୀ ଡାକେ ହେଲେ ବାପା ମୋତେ ଶ୍ରୀ ଡାକନ୍ତି । ବାପା କୁହନ୍ତି ମୋ' ଝିଅ ମୋ' ଘରର ଲଷ୍ମୀ । ତା' ପାଇଁ ଆମେ ଏତେ ଖୁସି ଆମ ଘରେ । ହେଲେ ସାହି ପଡ଼ିଶା ପୂଜା ନାମରେ ଜାଣନ୍ତି । ବାପା କାମ ସାରି ଆସିଲା ବେଳକୁ ସବୁ ଦିନ ମୋ' ପାଇଁ ଖେଳନା ଆଣନ୍ତି , ପଇସା ନଥିଲେ ବି ବୋଉ ଠାରୁ ଝଗଡ଼ା କରି ନିଅନ୍ତି । ବହୁତ ଖୁସିରେ ଦିନ ଚାଲୁଥିଲା । ମୋର ସ୍କୁଲ ଯିବା ବୟସ ହେଲା , ବାପା ମୋ' ନାଁ ଗାଁ ସ୍କୁଲରେ ଲେଖାଇ ଦେଲେ । ମୋ' ସ୍କୁଲ ଯିବା ରାସ୍ତାରେ ଦେଖେ ମୋ' ସାଙ୍ଗର ଭାଇ ସବୁ ବେଳେ ତା' ସହିତ ଆସେ ଓ ମଜା ମସ୍ତି କରନ୍ତି । ମୋ' ସାଙ୍ଗ ତା' ଭାଇକୁ ବହୁତ ଭଲ ପାଏ । ତାଙ୍କୁ ଦେଖି ମୁଁ ସବୁ ବେଳେ ଭାବେ ମୋର ଗୋଟେ ଭାଇ ଥା'ନ୍ତା କି ମୁଁ ବି ତାକୁ ଏମିତି ଭଲ ପାଆନ୍ତି । ବୋଉକୁ ଆସିକି କହିଲି ମୋତେ ଗୋଟେ ଭାଇ ଦରକାର । ବୋଉ ହସି ଦେଇ କହିଲା - "ଆଉ କିଛି ଦିନ ରହ , ତୋର ବି ଗୋଟେ ଭାଇ ଆସିଯିବ ।" ମୁଁ ବହୁତ ଖୁସି ହୋଇଗଲି । କିଛି ଦିନ ଏମିତି ବିତିଗଲା ପରେ ମୋର ଗୋଟେ ଭାଇ ହେଲା । ଭାଇକୁ ଦେଖି ମୋ' ଖୁସିର ସୀମା ରହିଲାନି । ଆମେ ଦୁହେଁ ମିଶି ସ୍କୁଲ ଗଲୁ । ମୁଁ ସ୍କୁଲରେ ଭଲ ନମ୍ବର ରଖିଥିବା ଦେଖି ସାର୍ ମାନେ ଆଦର କରନ୍ତି । ଦିନେ ସ୍କୁଲରୁ ଫେରି ଦେଖିଲି ଆମ ଘର ଆଗରେ ବହୁତ ଲୋକ ଜମା ହୋଇଛନ୍ତି । ମନେ ମନେ ଭାବୁଥାଏ ଏତେ ଲୋକ କ'ଣ ପାଇଁ ଆମ ଘର ସାମ୍ନାରେ ! ବୋଧେ ମୁଁ ସ୍କୁଲରେ ଭଲ ନମ୍ବର ରଖିଛି ବୋଲି ସାର୍ ଘରେ ଆସି ଜଣେଇ ଦେଇଛନ୍ତି । ଏଇ ବୁଢା ସାର୍ର କିଛି କଥା ପେଟରେ ରୁହେନି । ମୁଁ ଆସିଥିଲେ କହିଥିଲେ ହେଇନଥାନ୍ତା ? ବାପା ସେଇ ଖୁସିରେ ଭୋଜି ଦୋଉଛନ୍ତି ଆଉ , ବାପା ବାପା ଡାକିଲା ବେଳକୁ ଦେଖେ ତ ବାପା କାନ୍ଦୁଛନ୍ତି ।
- କ'ଣ ହେଲା ବାପା ତମେ କଣ ପାଇଁ କାନ୍ଦୁଛ ? ମୁଁ କିଛି ଭୁଲ କରିଛିକି ? କୁହ ବାପା କଣ ହେଲା ?
"ବୋଉ ! ବୋଉ ! ବାପା କଣ କାନ୍ଦୁଛନ୍ତି" କହି ଘର ଭିତରେ ଦେଖେ ତ ବୋଉ ଶୋଇଛି ।
- ବୋଉ ! ଉଠ୍ , କ'ଣ ହେଲା ତୋର ? ଉଠେ , ମୁଁ ତୋ' ପାଗିଳୀ ଡାକୁଛି । ଉଠେ ବୋଉ , ମୋ' ଉପରେ ତୁ କେବେ ରାଗି ପାରିବୁନି । ବୋଉ ! ବୋଉ!....
ବୋଉ ଆଉ ଉଠିଲା ନାହିଁ । କିଛି ଦିନ ପରେ ଗାଁ ଯାକ ଲୋକ କୁହାକୁହି ହେଲେ ପୂଜା ବାପା କେମିତିକା କେଜାଣି , ଝଗଡ଼ା ଲଗେଇଲା ଯେ ତା' ମା' ବିଚାରୀ ମରିବାକୁ ପଛେଇଲାନି । ଏ କଥା ସବୁ ଶୁଣି ମୋ ପାଦ ତଳୁ ମାଟି ଖସି ଗଲା । ବୋଉର କ୍ରିୟା କର୍ମ ସାରିଲା । ବାପା ମୋ' ସହିତ ଭଲରେ କଥା ହେଉ ନଥା'ନ୍ତି । ମତେ ଦେଖିଲେ ଖାଲି ରାଗୁଛନ୍ତି । ଶେଷରେ ବାପା ମୋତେ ମାମୁଁ ଘର ପଠେଇ ଦେଲେ - "ଯା' ସେଠି ରହି ପଢିବୁ , ସାଙ୍ଗରେ ଭାଇକୁ ବି ନେଇଯା' । ମୁଁ ମାସ ପୁରିଲେ ପଇସା ପଠାଇବି ।" ମାମୁଁ ଘର ସ୍କୁଲରେ ନାମ ଲେଖା ହେଲା ଷଷ୍ଠ ଶ୍ରେଣୀରେ । ଦିନ ପରେ ଦିନ ବିତି ଚାଲେ । ଅପେକ୍ଷା ବାପା କେବେ ଆସିବେ , ହେଲେ ବାପାଙ୍କର ଦେଖା ମିଳିଲାନି । ମାମୁଁଙ୍କୁ ପଚାରିଲି - "ମାମୁଁ ! ବାପା କେବେ ଆସିବେ ଆଉ ଆମକୁ କେବେ ଏଇଠୁ ନେଇଯିବେ ? ତାଙ୍କ ବିନା ଜମା ଭଲ ଲାଗୁନି ।" ମାମୁଁ କହିଲେ - "ନା ରେ ମା' ତୁ ବେସ୍ତ ହୁଅନି , ଆଉ ଦୁଇ ଦିନ ପରେ ଆମେ ତୋ' ବାପାଙ୍କ ପାଖକୁ ଯିବା । ଆଉ ହଁ....." କହି ଚୁପ ହୋଇଗଲେ । ମୁଁ ଦେଖେ ତ ମାମୁଁଙ୍କ ମୁହଁ ବିଚଳିତ ଲାଗୁଛି । ମୁଁ ବାରମ୍ବାର ପଚାରିଲି - "କୁହ ମାମୁଁ , କ'ଣ ହୋଇଛି କୁହ ମୋତେ । ହଠାତ ମାମୁଁ ଉଠିଯାଇ କହିଲେ - "ମା'ରେ ! ତୋ ବାପା ଆଉ ଜଣଙ୍କୁ ବିବାହ କରିଛନ୍ତି ।" ଏଇ କଥା ଶୁଣି ଦୁମ୍କିନା ବସି ପଡିଲି । ଚତୁଃଦିଗରୁ ଅନ୍ଧକାର ମାଡି ଆସିଲା ।
ଦୁଇ ଦିନ ପରେ ବାହାରିଲୁ ବାପାଙ୍କ ପାଖକୁ । ମନରେ ଭୟ ଥାଏ ନୂଆ ବୋଉ କେମିତି ଥିବ । ଆମକୁ ଦେଖି କ'ଣ କହିବ , ଭାବୁ ଭାବୁ ଘର ଆସିଗଲା । ନୂଆ ବୋଉ ଆମକୁ ଦେଖି ଘର ଭିତରୁ ଦୌଡ଼ି ଆସି କୋଳେଇ ନେଲା । ସତେ ଯେମିତି ଲାଗୁଥିଲା ମୋ' ବୋଉ କି ଆଉ ! ମନରୁ ସବୁ ଡର ଛାଡିଗଲା । ଯାହାହେଉ ମୋ' ବୋଉକୁ ଆଉ ଥରେ ଫେରି ପାଇଲି । ମନରେ ଆନନ୍ଦର ଲହରୀ ଖେଳିଗଲା , ସତରେ ଭଗବାନ କୁହନ୍ତି ଆମ ପାଖରୁ ଯାହାକୁ ନେଇଯା'ନ୍ତି ତାଙ୍କ ବଦଳରେ ଆଉ ଜଣଙ୍କୁ ପଠାନ୍ତି । ନୂଆ ବୋଉ ମୋର କିଛି କାମ କରିବାକୁ ଦିଏନି । ମୋତେ ପାଣି ଗ୍ଲାସ ଉଠାଇବାକୁ ମନା କରେ । ମାମୁଁ ଦେଖି ବହୁତ ଖୁସି ହେଲେ , ଯାହାହେଉ ପିଲା ଦୁଇଟା ପୁଣି ମା'କୁ ତାଙ୍କର ତୁମ ରୂପରେ ଫେରି ପାଇଲେ । ମାମୁଁ ଆମକୁ ଛାଡ଼ିଦେଇ ଚାଲିଗଲେ । ମାମୁଁ ଗଲାବେଳେ ଏମିତି ଲାଗୁଥୁଲା ବୋଉ ଯିବା ପରେ ମୋ' ଜୀବନର ଖୁସି ଲିଭି ଯାଇଥିଲା । ମାଇଁ ଯାହା ଟିକେ ଖୁସି ଦେଲେ , ଆଜି ସେତକ ଖୁସି ବି ଚାଲିଗଲା । ବେଳେ ବେଳେ ଆମ ମନରେ ଯାହା ଆସେ ସେଇଟା ସତ ହୋଇଯାଏ । ସେମିତି ମୋ' ଜୀବନରେ କୁଆଡେ କେଜାଣି ଅନ୍ଧାର ଥିଲା ମାଡ଼ି ଆସିଲା । ନୂଆ ବୋଉ ମୋର ଘରର ସବୁ କାମ କରାଇଲା ହେଲେ ବି ମୋ' ମନରେ ଦୁଃଖ ନଥିଲା । ମୋତେ ଚୋରଣୀ କହି ବାପାଙ୍କ ଠାରୁ ମାଡ଼ ଖୁଆଇଲା । ମୋ' ଜୀବନର ପାଠ ଘରେ ସତେ ଯେମିତି କିଏ ପୂର୍ଣ୍ଣଛେଦ ପକାଇ ଦେଲା । ସବୁବେଳେ ଭାବେ ବସି ବୋଉ ତୁ ତ ଗଲୁ ; କହୁଥିଲୁ ମୋତେ ଏତେ ଭଲ ପାଉ , କାହିଁ ତୋ' ସହିତ ନେଲୁନି ତ । ବୋଉ ତୁ ମିଛୋଇ , ମୋତେ ମିଛ କହିଲୁ ।
ଗୋଟିଏ ଝିଅ ସବୁବେଳେ ଭାବେ ତା' ସ୍ବାମୀ ଭଲ ହେଇଥାଉ , ତାକୁ ହିଁ ଭଲ ପାଉ । ତା' ଶାଶୁ ଘର ଭଲ ହଉ । ମୁଁ ବି ବସି ବସି ଭାବେ ମୋ' ପାଇଁ ରାଜକୁମାର ଆସିବ ମୋ ଜୀବନର ଅନ୍ଧାରକୁ ପୋଛି ଦବ। ସତରେ ମୋ' ଜୀବନରେg ରାଜକୁମାର ଆସିଲା , ତାକୁ ନେଇ ମୁଁ ମୋ' ଜୀବନ ଗଢିବାର ସ୍ୱପ୍ନ ଦେଖିଲି । ସାତ ଜନ୍ମ ପାଇଁ ତା' ସହିତ ରହିବି ଭଗବାନଙ୍କୁ ଡାକେ । ହେଲେ ନୂଆ ବୋଉ ମୋର ପ୍ରେମ କଥା ଜାଣିପାରିଲା । ମୋତେ ଜୋର ଜବରଦସ୍ତ ନେଇ ଅନ୍ୟ ଜାଗାରେ ବାହl କରିଦେଲା । ପଛ କଥାକୁ ସବୁ ସ୍ୱପ୍ନ ଭାବି ଭୁଲିବାକୁ ଲାଗିଲି ହେଲେ ଭୁଲି ପାରୁନଥାଏ । ନୂଆ ଜୀବନ ନୂଆ ଲୋକ ସହିତ କେମିତି ଗଢିବି ଡର ଲାଗୁଥାଏ । ହେଲେ ବି ମନକୁ ଦୃଢ଼ କରି ସବୁ ଭୁଲି ମୋ' ସ୍ୱାମୀ ଦୁଃଖ ସୁଖରେ ସାଥି ହେଲି । ହେଲେ ମୋ' ଏ ପୋଡ଼ା କପାଳ କେବେ ମୋ' ଖୁସି ଦେଖି ପାରେନି । ସ୍ୱାମୀ ମୋର ବିବାହ ପର ଠାରୁ ମୋ' ସହିତ କଥା ହେଲେନି କି ମୋ ମୁହଁକୁ ଚାହିଲେନି , ମୁଁ ଭାବିଲି ସ୍ୱାମୀ ମୋର ଭାରି ଲାଜ କୁଳା ; ସେଥିପାଇଁ କଥା ହୋଉନାହାନ୍ତି । ହେଲେ ଦିନ ପରେ ଦିନ ରାତି ପରେ ରାତି ବିତି ଚାଲିଲା ହେଲେ ସ୍ଵାମୀ ମୋର ଥରେ ହେଲେ କଥା ହେଲେନି । ମୁଁ ସାହସ କରି ଯାଇ ପଚାରିଲି - "ତୁମର କଣ ହୋଇଛି ମୋ' ସହିତ କଥା ହେଉନା ?" ସ୍ୱାମୀ ମୋ' ରାଗି ଯାଇ କହିଲେ -"ପୂଜା ! ତୁମେ ମୋର ପସନ୍ଦ ନୁହେଁ , ମୁଁ ଅନ୍ୟ କାହାକୁ ଭଲପାଏ , ଆମ ଘର ଲୋକ ଖାଲି କହିଲେ ବୋଲି ତୁମକୁ ବାହା ହୋଇଛି ; ମୋର ଖୁସି ନାହିଁ , ଆଉ ହଁ ଆମ ଘର ଲୋକଙ୍କୁ ଗୋଟେ କାମବାଲି ଦରକାର ଥିଲା l ଆମ ଘର ଲୋକ କହିଲେ ୟା'କୁ ଖାଲି ବାହା ହୋଇଯା' ଆମ ଘରର ସବୁ କାମ କରିବ , ସେଥିପାଇଁ ହୋଇଛି ; ତମେ ଆଜି ଠାରୁ ଭୁଲି ଯାଅ ମୁଁ ତମ ସ୍ୱାମୀ ବୋଲି ।"
- ମୋ' ଜୀବନର ସବୁ ଖୁସି ଚାଲିଗଲା ପରେ ମୁଁ ଆସି ଏଇଠି ବସିଛି । ଆଉ ଆପଣ କିଏ ମୋତେ ଝିଅ ବୋଲି ଡାକିଲେ ?
ପୂଜା କଥା ଶୁଣି ମୋ' ଆଖିରେ ଲୁହ ଆଉ ରହୁ ନଥାଏ , ସତରେ ଭଗବାନ ! ଦୁନିଆରେ କେମିତିକା ମନୁଷ୍ୟ ସବୁ ଅଛନ୍ତି କାହା ଦୁଃଖ କେହି ବୁଝାନ୍ତିନି । ପୂଜା ଆଉଥରେ -"ଆପଣ କିଏ କୁହନ୍ତୁ ?"
- ଏଇ ପାଖରେ ମୋ' ଘର , ମା' ଚାଲେ ତୁ ମୋ ଝିଅ ହୋଇ ଆମ ଘରେ ରହିବୁ ।
- ନାହିଁ ଆପଣ ଯାଅନ୍ତୁ ମୁଁ ଯିବି , କିଛି ସମୟ ମୋତେ ଏକୁଟିଆ ଛାଡି ଦିଅନ୍ତୁ । ମୁଁ ନଈ ପାଖରୁ ଦୁଇ ପାଦ ଯାଇଛି ହଠାତ ପାଣିକୁ ପଥର ପଡିବା ଭଳି ଆବାଜ ......
ରାଉରକେଲା
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।