କିରଣ ମିଶ୍ର
ମଧୁପୁର ଗାଁ ମୁଣ୍ଡ ଚା ଦୋକାନରେ ଗାଁ ଟୋକାଙ୍କର ଏକ ଆସର ବସିଥାଏ । ନିର୍ବାଚନ ଆଲୋଚନା ସରଗରମ ଥାଏ । ତା' ଭିତରୁ ଜଣେ କହିଲା...
-ବୁଝିଲ ରାଧୁ ଭାଇନା ତୁମକୁ ଗୋଟେ କଥା କହିବି କହିବି ବୋଲି ଭାବୁଛି ।
--ଆରେ ମକରା କ'ଣ କହିବାର ଅଛି , କହୁନୁ ।
--କହିବି ଯେ ତୁମେ ମୋ' କଥା ରଖିଲେ ହେଲା । କ''ଣ କି ରାଧୁ ଭାଇନା , ଏଇ ନିର୍ବାଚନରେ ତୁମେ ଆମ ଗାଁରୁ ଠିଆ ହେଲେ ହୁଅନ୍ତନି ? ଆମ ଗାଁର ଇଜ୍ଜତ୍ ବଢିଯା'ନ୍ତା । ଦଶଖଣ୍ଡ ଗାଁରେ ଆମେ ଛାତି ଫୁଲେଇ ଚାଲନ୍ତେ ।
ମକରାର କଥା ଶୁଣି ରାଧୁ ଓରଫ ରାଧାକାନ୍ତ ଚିହିଙ୍କି ଉଠି କହିଲା...
--ତୁ କ'ଣ ପାଗଳ ହେଲୁ କିରେ ମକରା ! ଭୋଟ କିଏ ଆଉ ମୁଁ କିଏ !!
ମକରାର କଥାକୁ ସମର୍ଥନ କରି ଗନ୍ଧିଆ ଚା ଦୋକାନରେ ଉପସ୍ଥିତ ଥିବା ଗାଁର ବଗୁଲିଆ ଟୋକା ଦଳ ରାଧୁକୁ ଟେହିବାରେ ଆରମ୍ଭ କରିଦେଲେ । ସନିଆ କହିଲା.....
--କାଇଁ ମକରାଇ କ'ଣ ନାକରା କହିଲା ? ତୁମ ଘରର ଖାନ୍ଦାନି ନାଇଁ ନା ଗାଁରେ ତୁମର ଇଜ୍ଜତ ନାଇଁ ? ଦଶଖଣ୍ଡ ଗାଁରେ ତୁମେ ଥିଲାବାଲା ଘରର ପୁଅ ଭାବରେ ପରିଚିତ । ଏବେ ଅବଶ୍ୟ କର୍ପୂର ଉଡି ଯାଇଛି , କନା ତ ପଡିଛି ନା ।
ମକରା ତାକୁ ପାଳିଧରି କହିଲା...
--ରାଧୁ ଭାଇନା ତୁମେ କ'ଣ ଭୁଲି ଯାଉଛ ତୁମ ଜେଜେବାପା ଜଣେ
ସରପଞ୍ଚ ଥିଲେ ବୋଲି ? ତୁମ ଦେହରେ ପରା ସେଇ ରକ୍ତ ବୋହୁଛି । ତୁମେ ପୁଣି ପଛଉଛ !!
ସନିଆ କହିଲା...
--ତା'ପରେ ଆମ ଗାଁ ଯେତେ ବାନର ସେନା ଅଛୁ ତୁମପାଇଁ ଡେଇଁ ପଡିବୁନି ;
ତୁମେ ଥରେ ଖାଲି ଠିଆ ହୋଇଯାଅ , ତା'ପରେ ସବୁ କଥା ଆମେ ଵୁଝିବୁ । ତୁମେ ନିଶ୍ଚୟ ଜିତିବ। ଏକଥା ଥୟ ।
ଟୋକା ଦଳଙ୍କ କଥା ଶୁଣି ରାଧାକାନ୍ତର ମନ ମଧ୍ୟ ସୁରେଇଲା । ଉପରେ ରାଗ ଦେଖାଇଲେ ବି ନେତା ହେବାକୁ ହୁକୁ ହୁକୁ ହେଲା । ଯଦିଓ ସେ କଥାଟି ତା' ମନରେ ଥିଲା ସେ କହିପାରୁ ନଥିଲା । ସେକଥା ଗାଁ ପିଲା ଠଉରେଇ ଥିଲେ ।ଟୋକା ଦଳଙ୍କ କଥା ଶୁଣି ରାଧାକାନ୍ତ କହିଲା...
--ହେଲେ ମତେ ଟିକେଟ କିଏ ଦବ ? ବିନା ଟିକେଟରେ ତ ହବନି । ଆଜିକାଲି ତ ପୁରୁଣା ଲୋକଙ୍କୁ ଦଳ ଟିକେଟ ଦଉନି ବୋଲି ସେମାନେ ମାଙ୍କଡ ଭଳି ଏ ଦଳରୁ ସେ ଦଳ ଡେଉଁଛନ୍ତି । ମତେ କିଏ ପଚାରେ ? ଶୁଣୁଛି ଗୋଟେ ଟିକେଟ ପିଛା ପୁଣି କେତେ ପଇସା ଦେବାକୁ ପଡୁଛି । ମୁଁ ସେଥେକୁ ମୁଣ୍ଡ ନୁହେଁ । ଯେଉଁ ପିଲାମନେ ପ୍ରଚାର କରିବେ ସେମାନେ ସିନା ପଇସା ନେବେନି , କିନ୍ତୁ ଯେଉଁ ଗାଡିରେ ବୁଲିବେ ତା'ର ତ ପେଟ୍ରୋଲ ଖର୍ଚ ଅଛି । ସେମାନେ ତ ପୁଣି ଖାଇବେ ।ସେମାନେ ତ ଉପାସରେ ବୁଲିବେନି ।
ରାଧୁ କଥା ଶୁଣି ଟୋକାଏ ପୁଣି କହିଲେ....
--ଟିକେଟ ନଦେଲେ ନାହିଁ। ତୁମେ ଆମର ସ୍ୱାଧୀନ ଭାବରେ ଠିଆ ହେବ । ଚିହ୍ନା ବ୍ରାହ୍ମଣର ପଇତା କ'ଣ ଦରକାର ହୋ !! ତୁମକୁ ଆମ ଦଶ ଖଣ୍ଡ ଗାଁରେ କିଏ ଚିହ୍ନିନି ଯେ ଦଳରୁ ଠିଆ ହେବ କହୁଚ । ତୁମେ ସ୍ୱାଧୀନ ଭାଵରେ ଠିଆ ହୁଅ । ନିର୍ବାଚନ ହାୱାରୁ ଲାଗୁଛି କୋଉ ଗୋଟିଏ ଦଳ ଏକକ ଆସିବନି । ଜିତିଲେ ପରା ଦଳ ଲୋକ ତୁମକୁ ନେବା ପାଇଁ ମାଡଗୋଳ ହେବେ । ସେତେବେଳେ ତୁମେ ଦର କସିବନି ? ଦେଖିବ ତୁମର ଭାଉ କେତେ ବଢିଯିବ । ଯାହା ଖର୍ଚ୍ଚ କରିଥିବ ସୁଧ ମୂଳ ସବୁ ପାଇଯିବ । ଆଉ ରହିଲା ପେଟ୍ରୋଲ୍ ଓ ଖାଇବା ଖର୍ଚ୍ଚ । ହଁ ସେଥିପାଇଁ କିଛି ପଇସା ଯୋଗାଡ କରିବାକୁ ପଡିବ । ଚିନ୍ତାକର କେମିତି ହୋଇ ପାରିବ ।
ବାପା କାନତରାଟି କାମ କରି କିଛି ସମ୍ପତି କମେଇ ଥିଲେ । ଅତି ଗେହ୍ଲାରେ ରାଧୁଟା ଅକର୍ମା ହୋଇଯାଇଥିଲା । ମ୍ୟାଟ୍ରିକ୍ ପାଶ୍ ପରେ ଆଉ ପାଠ ହେଲାନି । ଗାଁରେ ବସି ଏମିତି ରାଜନୀତି କରେ । ଜମିରୁ ଯାହା ଧାନ ଚାଉଳ ମିଳେ ଓ ସ୍ତ୍ରୀ ଗୋଟିଏସ୍କୁଲର ପଠପଢାଇ ଘର ଚଳାଏ । ସେଦିନ ଗନ୍ଧିଆ ଦୋକାନରୁ ଫେରିବା ପରେ ରାଧୁର ରାଜନୀତି ନିଶାଟା ଆଉଟିକେ ଅଧିକ ହୋଇଯାଇଥାଏ । ତାକୁ ଗାଁ ପିଲାଙ୍କ କଥାଶୁଣି ସତରେ ଜିତି ଗଲା ପରି ଲାଗୁଥାଏ । ବହୁତ ଭାବିଚିନ୍ତି ସ୍ଥିର କଲା , ନଈକୂଳ ଜମିଖଣ୍ଡକ ଗୋବିନ୍ଦ ସାହୁ ପାଖେ ବନ୍ଧା ରଖି ପାଞ୍ଚ ଲକ୍ଷ ଆଣି ନିର୍ବାଚନ ଲଢିବ । ଜିତିଗଲେ ଜମିଟା ମୁକୁଲେଇ ଆଣିବ । ସେ ଜମି ଖଣ୍ଡକର ଦାମ କୋଡିଏ ଲକ୍ଷ ହେବ । ତା' ପର ଦିନ ସ୍ତ୍ରୀକୁ ଲୁଚାଇ ପଟା ଖଣ୍ଡକ ଧରି ଗୋବିନ୍ଦ ସାହୁ ପାଖକୁ ଗଲା । ଗୋବିନ୍ଦ ଏ ସବୁ କାମରେ ମହାଧୃତ । ସେଇ ଜମି ଖଣ୍ଡକ ସେ ଅନେକ ଦିନରୁ ଲାଳେଇ ଥିଲା । ରାଧୁ ପଟ୍ଟା ଖଣ୍ଡକ ଦେଇ କହିଲା...
--ଗୋବିନ୍ଦାଇ ଏ ପଟ୍ଟା ଖଣ୍ଡକ ରଖକି ମତେ ପାଞ୍ଚ ଲକ୍ଷ ଟଙ୍କା ଦେ' ।
ମୁଁ ବର୍ଷକ ଭିତରେ ଧିରେ ଧିରେ ଟଙ୍କା ସୁଝି ପଟ୍ଟା ନେଇଯିବି।
--କିନ୍ତୁ ସର୍ତ୍ତ ହେଲା ବର୍ଷେ ପରେ ସୁଝି ନପାରିଲେ ମୁଁ ସେ ଜମି
ଫେରେଇବିନି ।
ରାଧୁ ଗୋବିନ୍ଦ କଥାରେ ରାଜି ହୋଇ ଟଙ୍କା ଆଣିଲା । ଟଙ୍କା ଯୋଗାଡ ପରେ , ପରବର୍ତ୍ତୀ ପର୍ବ କ'ଣ ଚିହ୍ନ ରଖାହେବ । କିଏ କହିଲା ଲଣ୍ଠନ ତ କିଏ କହିଲା ସାଇକଲ୍ , ଆଉ କିଏ କହିଲା ଏରୋପ୍ଲେନ୍ । ଜଣଙ୍କ କଥା ଆଉ ଜଣଙ୍କ ମନକୁ ପାଉ ନଥାଏ । ଶେଷରେ ମକରା କହିଲା...
--ଭାଇମାନେ ମଶାଲ୍ ହେଉଛି ପ୍ରଗତିର ପ୍ରତୀକ । ସେଇ ମଶାଲ୍ ହିଁ ରହୁ । ରାଧୁ ଭାଇନା ଜିତିଲେ ଆମ ଏରିଆରେ ଏତେ ପ୍ରଗତି ହେବ ଯେ , ଓଡିଶାରେ ଆମ ଗାଁର ସ୍ଥାନ ଏକ ନଂରେ ରହିବ ।
ଶେଷରେ ସେଥିରେ ସମସ୍ତେ ସହମତ ହେଲେ ଓ ମଶାଲ ଚିହ୍ନ ରହିଲା । ତା'ପରେ ଚର୍ଚ୍ଚା ହେଲା ରାଧୁ ଭାଇନାଙ୍କ ମୁଦ୍ଦା କଣ ରହିବ । ମକରା ସବୁଠାରୁ ବୁଦ୍ଧିମାନ କହିଲା...
--ରାଧୁ ଭାଇନା ନିର୍ବାଚନ ଜିତିଲେ , ସମସ୍ତଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିଦେବେ । ଯୁବକ , ବୁଢା , ବୁଢୀ ସମସ୍ତେ ଭତ୍ତା ପାଇବେ । ପରିଶ୍ରମ କଲେ ଦେହ ଖରାପ ହେଉଛି । ଦେହ ଖରାପ ହେଲେ ଡାକ୍ତର ଦେଖାଅ , ଔଷଧ ଖାଅ..... ଏଥିପାଇଁ ବହୁତ ପଇସା ଖର୍ଚ୍ଚ ହେଉଛି । ଏତେ ପଇସା ଆସିବ କୋଉଠୁ ? ଆଜିକାଲି ମେଡିକାଲ ଖର୍ଚ୍ଚ ବହୁତ୍ , ତେଣୁ ସମସ୍ତଙ୍କ ପାଇଁ ମାଗଣା ଖାଇବା ଓ ଭତ୍ତା ବ୍ୟବସ୍ଥା କରାଯିବ ।
ସମସ୍ତେ ମକରାର ବୁଦ୍ଧିକୁ ତାରିଫ୍ କଲେ । ସଦଳବଳେ ବାହାରିଲେ ନୋମିନେସନ ଦାଖଲ କରିବାକୁ । ପଚାଶଟା ମଟରସାଇକଲ ପ୍ରୋସେସନ୍ରେ ସମସ୍ତେ ବାହାରିଲେ । ମୁଣ୍ଡରେ ଗୋଟେ ଗୋଟେ ଫିତା ବାନ୍ଧି , ହାତରେ ଗୋଟେ ଗୋଟେ ପତାକା ଧରି ଯୁବ ଦଳ ବାହାରିଲେ ସତେ ଯେମିତି ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ବୀରବର ଦଳ ଯାଉଛନ୍ତି । ସେଦିନ ରାଧୁକୁ ବି ଲାଗୁଥାଏ ସତେ ଯେମିତି ସେ ଜଣେ ସେନାପତି । ସମସ୍ତେ ରାଧୁ ଭାଇନା ଜିନ୍ଦାବାଦ ନାରାରେ ଗାଁ କମ୍ପଉ ଥା'ନ୍ତି । ଆଇ.ଏ ଫେଲ୍ ରାଧୁ ମନକୁ ମନ ସୁପରଷ୍ଟାର୍ ଭାବୁଥାଏ । ଭୋଟ ପର୍ଯ୍ୟନ୍ତ ଗାଁ ଟୋକାଙ୍କ ପାଇଁ ରୋଷେଇ ହୁଏ । ପ୍ରଚାର ଶେଷରେ ମକରା କୁହେ...
--ରାଧୁ ଭାଇନା ମାଲ୍ପାଣି ଟିକେ ନହେଲେ ଗାଡି ଚାଲୁନି ।
ପଇସା ଡରରେ ରାଧୁ ଅରାଜି ହେଉଥିଲା । କିନ୍ତୁ ପରେ ବାଧ୍ୟ ହୋଇ ଦେଲା । କାଦୁଅରେ ତ ଗୋଡ ପୂରାଇଛି , ଯିବ କୁଆଡେ ? ଏମିତି ଖିଆପିଆ ପର୍ବ ଚାଲିଲା ଇଲେକ୍ସନ୍ ପର୍ଯ୍ୟନ୍ତ । ଗାଁ ଟୋକାଙ୍କର କଚେ ପୁଅ ବାର । ମାଗଣା ଖିଆ , ମାଗଣା ପିଆ । ସେମାନେ ଭାବୁଥା'ନ୍ତି ଏମିତି ଇଲେକ୍ସନ ଫି ସାଲ ହୁଅନ୍ତା କି !! ରାଧୁ ସ୍ତ୍ରୀ ଦିନେ ପଚାରିଲା...
--ଏପଇସା ଆସୁଛି କୋଉଠୁ !!
ରାଧୁ ତାର କାରନାମାକୁ ଲୁଚାଇ କହିଲା - "ଗାଁ ଯୁବକ ମାନେ
ଚାନ୍ଦାକରି ଖର୍ଚ୍ଚ କରୁଛନ୍ତି ।" (ଏତେ ଖିଆ ପିଆରେ ଖର୍ଚ୍ଚ ହେଉଛି ବୋଲି ତାକୁ ଜଣା ନଥାଏ ।)
ଇଲେକ୍ସନ ସରିଗଲା , ଏବେ ଫଳାଫଳ ଘୋଷଣାର ପର୍ବ । ରାଧୁ ଓ ଗାଁ ଟୋକାଙ୍କ ଆଖିରେ ନିଦ ନଥାଏ । ଭୋଟ ଗଣତି ଦିନ ପର୍ଯ୍ୟନ୍ତ ଗାଁ ମହାଦେବ ମନ୍ଦିରରେ ବେଲପତ୍ର ଚଢା ହେଉଥାଏ । କଦଳୀ ଘର୍ଷଣ ହେଉଥାଏ । କ୍ଷୀର , ଭାଙ୍ଗ ଢଳା ଚାଲିଥାଏ । ଗଣତି ଦିନ ଯେତିକି ପାଖଉ ଥାଏ ରାଧୁର ହାର୍ଟ ବିଟ୍ ସେତିକି ବଢୁଥାଏ । ଗଣତି ଦିନ ମନ୍ଦିରରେ ଅଧିଆ ପଡିଥାଏ । ସେଦିନ ଯୁବକ ସଂଘ ତରଫରୁ ବିରାଟ ମାଳ ଆସିଥାଏ , ତା' ପୁଣି ରାଧୁର ପଇସାରେ । ବାଜାବାଲାକୁ ଆଡଭାନ୍ସ ଦିଆ ହୋଇଥାଏ । ଖୋଲା ଜିପ୍ ର ବ୍ୟବସ୍ଥା ହୋଇଥାଏ । ଖାଲି ରେଜଲ୍ଟକୁ ଅପେକ୍ଷା । ଏକ ବିରାଟ ପଟୁଆର ବ୍ୟବସ୍ଥା ହୋଇଥାଏ ।
ଭୋଟ ଗଣତି ହଲ୍ ରେ ମକରା ଓ ଶୁକୁଟା ଥା'ନ୍ତି । ଗଣତି ଆରମ୍ଭ ହେଲା । ଆରେ ସମସ୍ତଙ୍କର ବାଲାଟ ପେପର୍ ବାହାରୁଛି ରାଧୁ ଭାଇନାର କାଇଁ ? ଅନ୍ୟମାନଙ୍କ ତୁଳନାରେ ରାଧୁର ସଂଖ୍ୟା ନଗନ୍ୟ । ଯେଉଁଠି ଅନ୍ୟ ଦୁଇ ଗୋଷ୍ଠୀର ଦଶୁଟା ବାହାରୁଛି ସେଠି ରାଧୁର ଗୋଟିଏ । କେବଳ ତାଙ୍କରି ଗାଁର ଯୁବକ ଦଳ ଯାହା ଦେଇଛନ୍ତି । ଖୁବ୍ ଶୋଚନୀୟ ଭାବରେ ରାଧୁ ପରାସ୍ତ ହୋଇଥାଏ । ସେଇ ଭୋଟ ଗଣତି ଅଫିସ୍ ରୁ ମକରା , ଶୁକୁଟା ଫେରାର୍ ।ଖବର ପାଇ ଗାଁର ଯୁବଗୋଷ୍ଠୀ ମଧ୍ୟ କିଏ କୁଆଡେ ପଳେଇଲେ । କୌଣସି ସୂତ୍ରରୁ ରାଧୁ ତା'ର ଫଳାଫଳ ବିଷୟରେରେ ଜାଣିପାରି ଚେତାଶୂନ୍ୟ ହୋଇ ପଡିଲା । ଯେଉଁ ଜିପ୍ ରେ ଗାଁ ବୁଲିଥା'ନ୍ତା , ସେଇ ଜିପ୍ ରେ ଡାକ୍ତରଖାନା ବୁହା ହୋଇ ଗଲା । ଜୀବନରେ ବଡ ଲୋକ ହେବା ପାଇଁ ଆନେକ ଲଟେରୀ କିଣିଥିଲା କିନ୍ତୁ ସବୁ ଲଟେରୀ ଠାରୁ ଏ ଲଟେରୀ ଭାରି ପଡିଲା ।
ସିଟି ମହାବିଦ୍ୟାଳୟ , ଭୁବନେଶ୍ବର,ଦୂରଭାଷ -୭୯୭୮୯୪୫୩୧୮
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।