ଜ୍ଯୋତିର୍ମୟୀ ସାହୁ
ଶରତର ସକାଳ , ଆକାଶରେ ଭସା ଭସା ବାଦଲ। ଜଣଙ୍କ ପରେ ଜଣେ ଅତିକ୍ରମ କରି ଯାଉଥା'ନ୍ତି, ସତେ କି କାହା ନିମନ୍ତ୍ରଣ ପାଇ ଛୁଟି ଚାଲିଛନ୍ତି। ସେଥିରେ ସୂର୍ଯ୍ୟଙ୍କ କଅଁଳ ଆଭା। ଆଃ! କେଡେ ମନ ମତାଣିଆ ବେଳା। ସେ ଭିତରେ ଶୁଣାଯାଉଥାଏ କାହାର କାନ୍ଦିବାର ସ୍ବର । ଖୁବ୍ ରାହା ଧରି କାନ୍ଦୁଥାଏ। ଆଉ କେହି ଜଣେ ମମତା ଭରି ବୁଝେଇ ଚାଲିଥାଏ......
-"ମୋ ଧନଟା ଲୋ...... ମୋ ସୁନାଟା ଲୋ..... ସରିଲା.... ଏଇ ସରିଲା ତ ଆଉ.... ।"
ଆଉ ତା' ଦେହ ସାରା ତେଲ ମାଖି ଦେଉଥାଏ। କୁଆଡେ କଅଁଳ ଖରାରେ ଛୋଟ ପିଲାଙ୍କ ଦେହରେ ତେଲ ଲଗେଇ ଦେଲେ ସେମାନଙ୍କ ହାଡ ଶକ୍ତ ହୁଏ । ତ ଶୁକ ମା ତା' ନାତିର କେମିତି କରି ନଥା'ନ୍ତା !?
ତେଣେ ତରବର ହୋଇ ବାହାରି ଗଲେ ଦୁଇପ୍ରାଣୀ । ସଅଳ ସଅଳ। କାମକୁ ନ ଗଲେ ପେଟକୁ ଦାନା ଦେବ କିଏ? ସଉରା ଆଉ ତା' ସ୍ତ୍ରୀ ଭାନୁମତୀ। ଭାଗ୍ୟକୁ ତ ଦୋଷ ଦେଇ ହେବନି। ଦଇବ ଯାହା ଦେଇଛି, ତାକୁ ଆଦରି ଜଞ୍ଜାଳ ବଢେଇବା କଥା। ଖଟି ଖିଆ ମୂଲିଆ ଲୋକ। ଓଳିଏ ନ ଗଲେ ଆର ଓଳିକ ଓପାସ। ସେଥିରେ ପୁଣି ନୂଆ ନୂଆ ସଂସାର ଗଢିବାକୁ ଏଇ ସନ କୋଳକୁ ବିଧାତା ଦେଇଛି ପିଲାଟିଏ । ଦୁଇପ୍ରାଣୀଙ୍କ ପେଟ ସାଙ୍ଗେ ତା' ଜଞ୍ଜାଳ ବି ବନ୍ଧା । ଯେତେ ହେଲେ ବି ମୂଲିଆ ଲୋକ । କେତେ ବା ସରାଗ ଭରି ପାରିବ ତା' ପିଲାଟାର ଭାଗ୍ୟରେ ତଥାପି ଦୁଇପ୍ରାଣୀ ଖୁବ୍ ଚେଷ୍ଟା କରୁଥା'ନ୍ତି ।
ସେଦିନ ଟିକେ ବାହାରୁ ବାହାରୁ ଡେରି ହୋଇଗଲା , ତେଣୁ ତରବରରେ ବାହାରି ଗଲେ କାମକୁ। ପାଖରେ ଶୁକ ମା'ଟା ଅଛି ବୋଲି ଖୁବ୍ ଆଶ୍ବସ୍ତିରେ କାମକୁ ବାହାରି ଯା'ନ୍ତି ଦୁଇଜଣ । ଆଉ ଫେରୁ ଫେରୁ ଦ୍ବିପହର । କ'ଣ ଦୁଇଟା ଖାଇ ଦେଇ ପୁଣି ଚାଲି ଯା'ନ୍ତି କାମରେ ।
ଶୁକ ମା'। ବୟସ ୭୦ ପାଖା ପାଖି ହେବ। ସଉରାର ପିଲାଟି ହେବା ପରେ ତାଙ୍କ ଘରେ ଆସି ରୁହୁଛି। ପର ହେଲେ ବି କେବେ ସଉରା ତାକୁ ପର ବୋଲି ଭାବିନି। ନିଜ ମା' ପରି ଖୁବ୍ ଆଦର କରେ। ଦମ୍ପତି ଦୁଇଟା କାମକୁ ବାହାରି ଯିବା ପରେ ପିଲାଟାକୁ ତେଲ ମାଖି ଦେଇ ଶୁଆଇ ଦିଏ, ତ କେବେ କେବେ ଉଠି ପଡିଲେ ଗୋଡରେ ଶୁଆଇ ତାକୁ ଖେଳାଏ। ସେ ବି ତାକୁ ତା' ନିଜ ନାତି ପରି ଖୁବ୍ ସ୍ନେହ କରେ। ମନଭରି ପିଲାଟିକୁ ଜେଜୀମା'ର ସୁଖ ଅଜାଡି ଦିଏ।
ପିଲାଟାକୁ ତେଲ ମାଖି ଦେଉଥାଏ ଶୁକ ମା'। ଏତିକି ବେଳେ କିଏ ଜଣେ ଡାକ ପକେଇଲା,
- "ଓ ଶୁକ ମା', ଶୁକ ମା' "
-"କ'ଣ ହେଲା ଲୋ ଜେମା ଦେଇ ? "
-"ପୁଅକୁ ତେଲ ଲଗେଇ ସାରିଲୁuଣି କି ନାହିଁ?"
-"କାଇଁ କ'ଣ ହେଲା ? "
-"ତୁ ଲଗେଇ ସାରିଲେ, ମୁଁ ତାକୁ ଶୁଆଇ ଦେବି। ଗଲାବେଳେ ଖୁଡି କହିଯାଇଛନ୍ତି।"
-" ହଁ, ମୋର ସରିଲାଣି। ନେ ତାକୁ। "
ପାଖ ପଡୋଶୀ ଘରର ଝିଅଟେ, କାଞ୍ଚନ । ହେଲେ ଶୁକ ମା' ତାକୁ ସ୍ନେହରେ ଡାକେ ଜେମା ଦେଇ। ବୟସ ତାକୁ ୧୨ ହେବ, ହେଲେ ଭାରି ଚଳ ଚଞ୍ଚଳ। ପୁଅକୁ ଶୁଆଇ ଦେଇ ସେ ଫେରିଯାଉଥିଲା। ପଛରୁ ଡାକ ପକେଇଲା ଶୁକ ମା' ,
-"ଆଲୋ ଏ ଜେମା ଦେଇ। ମୋତେ ବି ଟିକେ ଧ !"
"ଗୋଡଟା ଭାଙ୍ଗିବା ପରଠୁ ଆଉ ଉଠିପାରୁନି ଲୋ ସଅଳ। "
ସେଠୁ କାଞ୍ଚନ ଆସି ଶୁକ ମା' ର ହାତ ଧରି ଉଠେଇଦେଲା।
-"ଆଲୋ ମୋତେ ଟିକେ ଦାଣ୍ଡ ପିଣ୍ଡାକୁ ନେଇ ଯା' !"
ଏଥର ଟିକେ ବିରକ୍ତ ହେଲା,
-"ତୁ ବୁଢୀ କେତେ କାମ କହୁଛୁ ମୋତେ "
ସେ ଏମିତି ଉପରେ ଚିଡେ ହେଲେ ମନରୁ ଭାରି ସରଳ କାଞ୍ଚନ। ସେ ଶୁକ ମା' କୁ ଦାଣ୍ଡ ପିଣ୍ଡାକୁ ନେଇଗଲା। ଆଉ ବସେଇଦେଲା ।
-"ହେଲା ତ ମା'। ମୁଁ ଏବେ ଯାଉଛି?"
-" ଆଲୋ ମୋ ନାତି ଟୋକା ଶୋଇଲା ତ ?"
-"ହଁ, ସେ ଶୋଇପଡିଲା, ମୁଁ ଏବେ ଯାଉଛି?"
ପ୍ରତିଦିନ ଚାଲେ ଏଇମିତି। ଶୁକ ମା' ସବୁଦିନ ପିଲାଟାକୁ ତେଲ ମାଖି ଦେଇ ଆସି ଦାଣ୍ଡ ପିଣ୍ଡାରେ ବସେ। ଅନେକ ସୁଖ ଦୁଃଖର ହିସାବ କରେ। ଭାବନାର ପ୍ରଦେଶରେ ତା' ପ୍ରାରବ୍ଧକୁ ପଳଖେ। ସେଦିନ କିନ୍ତୁ ତା' ମନ କେଉଁ ଏକ ଭାବନାରେ ଭାରି ହୋଇଯାଉଥାଏ। ଯେମିତି କେଉଁ ଗଭୀରତାରେ ବୁଡି ବୁଡି ଯାଉଛି। ଆଉ କେଉଁ ଏକ ଅସମାହିତ ପ୍ରଶ୍ନ ପାଖେ ଛନ୍ଦି ହୋଇଯାଇଛି । ମନେ ମନେ ବିଗତ ରାତି କଥା ଭାବି ହେଉଥାଏ। ସବୁଦିନ ପରି ଅଗଣା ପିଣ୍ଡାରେ ଶୋଇଥିଲା ସେ। ହଠାତ୍ କିଛି ଗୋଟେ କୋଳାହଳ ଶୁଣି ତା' ନିଦ ଭାଙ୍ଗିଗଲା। କ'ଣ ବୋଲି ଟିକେ କାନ ପାରିଲା। ଅସ୍ପଷ୍ଟ ଶବ୍ଦ ସବୁ କିଛି ବୁଝା ପଡୁ ନଥାଏ। କିଛି ସମୟ ପରେ କେହି ଜଣେ ବଡ ପାଟିରେ କହିବାର ଶୁଣାଗଲା,
- "ଖବରଦାର କହୁଛି, ଶୁକ ମା'ଙ୍କୁ ତୁମେ ଏପରି କହିପାରିବନି? "
-"କାହିଁକି? କ'ଣ ପାଇଁ କହିପାରିବିନି? ସେ କ'ଣ ତୁମ ଜନମ କଲା ମା' କି ??? "
ଖୁବ୍ କ୍ଷୁବ୍ଧ ହୋଇ ଚିଲେଇ ଉଠିଲା ଏକ ସ୍ବର .........
-"ଭାନୁମତୀ "
ତା' ପରେ ଶୁଣାଗଲା ଛୁଆଟିର କାନ୍ଦ। ଖୁବ୍ ରାହା ଧରି କାନ୍ଦି ଉଠିଲା। ତାପରେ ଧଡ୍ କରି ପଡିଗଲା କବାଟ। ପୁଣିଥରେ ସବୁ ଅସ୍ପଷ୍ଟ । ଆଉ କିଛି ଶୁଣାଗଲା ନାହିଁ । କ'ଣ ହୋଇଛି ବୋଲି ମଧ୍ୟ ବୁଝିପାରିଲା ନାହିଁ ଶୁକ ମା'। ରାତିର ସେହି ଘଟଣାର ତରଙ୍ଗର ଏବେ ବି ପ୍ରତିଧ୍ବନିତ ହେଉଥାଏ ତା' କାନ ପାଖେ। ସେ ବୁଝିବାକୁ ଯେତେ ଚେଷ୍ଟା କରୁଥାଏ, ସେତେ ଭାବନାର ପ୍ରବାହ ତାକୁ ଭିଡି ନେଉଥାଏ ଭିନ୍ନ ଏକ ଦିଗର ଅଭିମୂଖେ ।ସବୁ ପ୍ରାପ୍ତି ଅପ୍ରାପ୍ତିର ଦୋଛକିରେ ଜୀବନ ଯେମିତି ହୋଇଥାଏ ନିଷ୍ପେଶିତ । କେବେ ସମାନ୍ତରାଳ ତ କେବେ ଛନ୍ଦରେ ଜର୍ଜରିତ। ଆକାଂକ୍ଷାର ବହ୍ନିରେ ଜଳିଯାଏ ସଂପର୍କର ଡୋର ଆଉ ଆଶାର ସୁଅରେ ଭାସିଯାଏ ମାନବିକତାର ଏକ ନିର୍ଜାସ । ଦିନେ ଅନ୍ତଃ ଫାଡି ଯାହାକୁ ଜନମ ଦେଇଥିଲା , ସେ ତାକୁ ଦାଣ୍ଡରେ ଛାଡି ଦେଇଗଲା। ଏଇ ସଉରା ହିଁ ବାଟରୁ ଗୋଟେଇ ଘରେ ଆଶ୍ରୟ ଦେଇଥିଲା । ମା' କୁ ହରେଇ ଆଉ ଗୋଟେ ମା' ପାଇଲି ବୋଲି ତାକୁ କୁଣ୍ଢେଇ ପକେଇ କହିଥିଲା, ହେଲେ କାଲି କ'ଣ ଏପରି ହୋଇଗଲା ଯେ, ତାକୁ ପୁଣି ଭିଡା ହୋଇଛି ସଂପର୍କର ଡୋର ମଝିକୁ । ଖିଅର ଛନ୍ଦରେ ଛନ୍ଦି ସଂପର୍କକୁ ପରଖା ଚାଲିଛି ? ପୁଣି ଥରେ ତାକୁ କରିବା ପାଇଁ ହେବ କି ବନ୍ଧନର ଉତ୍ସର୍ଗ? ଆଉ ସମୟର ସ୍ରୋତ ନେଇଯିବ କି ଅବାଞ୍ଛିତ ମାର୍ଗେ? କିଛି ଏହିଭଳି ଭୟରେ ଶଙ୍କି ଯାଉଥିଲା ତା'ର ମନ। ବ୍ୟଥିତ ଭିତତ୍ରସ୍ତ। ବୟସର ସାୟଂକାଳରେ କ'ଣ ଏ ତା'ର ପ୍ରାରବ୍ଧ ? ନା ପ୍ରାରବ୍ଧର ଉପହାରରେ ପାଇଛି ଏ ଜୀବନ ?
ସହକାରୀ ଶିକ୍ଷୟତ୍ରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।