1/31/2022

ଗରିବ

 ଗଙ୍ଗାଧର ଓଝା 
ବେଳେବେଳେ ନିଜକୁ ମୁଁ ପଚାରୁଛି କେତେ !
କାହିଁପାଇଁ ଗରିବ ମୁଁ ଏତେ ?
କାହା ତଣ୍ଟି ଚିପିବାକୁ
କାହା ମୁଣ୍ତେ ପାଦ ରଖି ବାଟ ଚାଲିବାକୁ
ନାହିଁ ମୋ' ସାହସ ବୋଲି
ଏ ଅବସ୍ଥା ମୋର !
ମୁଁ ନିଜେ ଏକା ହକଦାର !

ମୋ' ଠାରୁ ବେଶି ଗରିବ
ମୋର ଏ ମନ
ସବୁବେଳେ ବସି ଖାଇବାକୁ
ଚାହିଁଛି କା' ହାତ ଟେକା
ପାଁଶହ ଟଙ୍କା ଆଉ ମୁଠାଏ ରାସନ ।

ଗୋଟେ ଅଣ୍ଡା ଦି'ଟା କଦଳୀ
ଆଉ ଖଣ୍ଡେ ପାଉଁରୁଟି ପାଇ,
ଭାବୁଛି ମୁଁ ବଞ୍ଚିଯିବି ବର୍ଷ କେଇଟା
ସତେ ଅବା ସେମାନଙ୍କ ପାଇଁ !
ଯେଉଁମାନେ କହନ୍ତି ଦଲାଲୀ
ମୋ' ବାର୍ଦ୍ଧକ୍ୟ ଭତ୍ତା ପାଇଁ
ମୋ' ଠାରୁ ଦି' ହଜାର ନେଇ ।

ମୋ' ଆବାସ ଯୋଜନାରେ
ପାଇବାକୁ ଘର
ତାଙ୍କୁ କେତେ ହୋଇଛି ନେହୁରା
ଘର କିଏ ଦେବ ?
ପାଞ୍ଚ ହଜାରଟା ଯାହା ସଞ୍ଚି ଥିଲି ଘରେ
ଆଉ କ'ଣ ମାଗିଲେ ମିଳିବ ?

ମୋତେ ଦାନ ଦେବା ପାଇଁ 
ଯେଉଁମାନେ ତତ୍‌ପର ,
ଦୁଃଖ କେବେ କହିଲେ ତାହାଙ୍କୁ
ଦେଖାଇବେ ଅସହାୟପଣ !
 ପୋଡ଼ା ରୁଟି ଖଣ୍ଡେ ମୋତେ ଦେଇ
ସେ ଖାଆନ୍ତି ଚିକେନ ମଟନ ।

ପର ଧନ ଦାନ କରି
ମହାଦାନୀ ବନିବାଟା
ତାଙ୍କ ପାଇଁ ବହୁତ ସହଜ ,
ଦୀପତେଜା ଗୁଣ ପାଇଁ
ତାଙ୍କ ହାତ ବହୁତ ଚିକ୍କଣ
ମୋ' ପାଇଁ ତେଲ ଟିକେ ନାହିଁ !
ମୁଣ୍ତ ବାଳ ନୁଖୁରା ମୋ'
ଉଡ଼େ ଫରଫର 
ଧଳା ଦିଶେ ଯଉବନ ଥାଇ ।

ମୋ' ଖବର ଛାପିବାଟା ମିଛ
ସତ ତାଙ୍କ ପ୍ରଚାର ପ୍ରସାର ,
ମୋ' ଆଖିରେ ଲୁହ ଦେଖିବାକୁ
ଫଟୋ ଉଠାବାଲା କହେ
ରୁହ ଟିକେ ହୋଇନି କ୍ଲିୟର ।

ସେମାନଙ୍କ ମୁଖେ ସ୍ମିତହାସ୍ଯ !
ହେଲେ କିନ୍ତୁ ବୁଝି ମୁଁ ପାରୁନି !
ଗରିବକୁ ସାହାଯ୍ୟ ନା
ଗରିବର ଏଟା ପରିହାସ ?
ଓଲମରା , ବାମନାଳ , ପୁରୀ 
📱- ୯୪୩୯୬୭୫୨୩୯
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।