ଝରି ପଡେ ଆଖି ଲୁହ ଗାମୁଛାରେ ପୋଛି
ଭଗିଆ ପଢୁଛି ବସି ସାରିଆର ଚିଠି ।।
ଦାଦନ ଯାଇଛ ଖଟି ମୋ ପ୍ରାଣ ଦେବତା
ତଥାପି ପୁରୁନି ଆମ ପଖାଳର ଆଶା ।
ଭଙ୍ଗା ଚାଳିଆରୁ ଶୋଇ ଦେଖୁଛି ମୁଁ ଜହ୍ନ
ତଥାପି ଗଢୁଛ ସେଠି ରାଜାଙ୍କ ମହଲ ।।
ସାହୁକାର ମଙ୍ଗରାଜେ କହିଗଲେ ଆସି
ଋଣ ପାଇଁ ଘର ଡିହ ମୋତେ ଦିଅ ବିକି ।
ଚିରା ପଣତରେ ଢାଙ୍କି ହେଲି ମୁଁ ନେହୁରା
ପାଶବିକ ଆଖି ତାଙ୍କ ଦୁଷ୍ଟାମୀ ଚେହେରା ।।
ନିମିଷକେ ପାତାଳକୁ କରନ୍ତି ଗମନ
ଦେଖିବାକୁ ପଡନ୍ତାନି ଏମିତି ଦୁର୍ଦ୍ଦିନ ।
ଦିନ ମାସ ବର୍ଷ ଖାଲି ବଦଳେ ଫର୍ଦ୍ଦରେ
ଗରୀବର ଭାଗ୍ୟ ରେଖା ଧନୀଙ୍କ ହାତରେ ।।
ଚକମକ ଗାଁ ଦିଶେ ବଦଳିଛି ରାସ୍ତା
ମିଳୁନାହିଁ ପାଣି କିନ୍ତୁ ମଦ ଭାରି ଶସ୍ତା ।
ଦୁର୍ନୀତି ଦୁଷ୍କର୍ମ ପାଇଁ ମିଳୁଛି ପାଉଣା
ମାନବିକତାର ଜମା ମିଳୁନି ଠିକଣା ।।
ରାଜନୀତି ରାଜନେତା ଭାଷଣେ ବିକାଶ
ରୁଟି ପଟେ ପାଇଁ କେତେ କରନ୍ତି ସଂଘର୍ଷ ।
ବିଧବା ଅବଳା ପାଇଁ କାହିଁ ବା ସୁରକ୍ଷା
ଇଜ୍ଜତବି ନିଲାମ ହୁଏ ବୁଣି ଦେଇ ଟଙ୍କା ।।
ପ୍ରକୃତି ତାଣ୍ଡବ ରଚେ ବନ୍ୟା ମହାବାତ୍ୟା
ରାସ୍ତା କଡେ ମାଳ ମାଳ ପଲିଥିନ ଛତା ।
ବର୍ଷ ସାରା ଯୋଜନାରେ ଭରିଯାଏ ଖାତା
ତଥାପି ଗରୀବ ଖୋଜେ ବଞ୍ଚିବାର ପନ୍ଥା ।।
ପାଶବିକ ଅତ୍ୟାଚର କପଟ ଶାସନ
ନୀରିହ ଜୀବନ ହୁଏ ଡହଳ ବିକଳ ।
ତଥାପି ମୁଁ ହାରିନାହିଁ ଧୈର୍ଯ୍ୟରେ ଲଢ଼ୁଛି
ଚିଠି ପାଇ ବଳ ଦେବ ବିନତି କରୁଛି ।।
ପିରିପୁର - ଭଦ୍ରକ ୯୯୨୧୭୧୫୧୭୯ ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।