ବାପ ଅଜା ଅମଳର
ସେଇ ଆତ୍ମବଡିମା
ଆଉ ଅଳସ ପଣ ଭିତରେ
ନିଜ ସହ ଲୁଚକାଳି ଖେଳ ,,
କିଛି ପାରିବା ପଣ
ବଙ୍କା ଅଣ୍ଟା ସଳଖିବାର ,,
ପୁଣି କିଛି ନକରିପାରିବାର
ହା' ହା'କାର ଶୂନ୍ୟ ମରୁପଥ ,,
କିଛି ଆତ୍ମୀୟତା
ମୋର ତୋର ଆପଣାର
ଆଉ କିଛି ପାଚିରୀ ଉଠା
ରକ୍ତ ସଂଙ୍ଘର୍ଷ ଭଗାରିପଣ...
କିଛି ଆଶା ଅଭିପ୍ସା
ମଧୁଝରା ଭବିଷ୍ୟତର
ପୁଣି କିଛି ନିରାଶା ଅମାଛାଇ
ନଷ୍ଟ ବର୍ତ୍ତମାନର...
କିଛି ପାଇବାର ସୁଗନ୍ଧରାଜ
ତମାଳ ଫୁଲର ନିଳିମା
କିଛି ହରେଇବାର
କଣ୍ଟା ଭର ଭର ସିଝୁବଣ..
କିଛି ସୁଖ ନିଦ
କାଲି ପାଇଁ ସ୍ଵପ୍ନ ତୋଳିବାର
କିଛି ଅନିଦ୍ରା ଚାଇଁନିଦ
ଆଜିର ଦୁଃଖ ଚାପିବାର..
କେବେ ଫଗୁ ମଖା ବସନ୍ତର
ମହ ମହ ବଉଳ ବାସ୍ନା
ପୁଣି କେବେ ଖାଁ ଖାଁ ବୈଶାଖର
ଫୁରୁକୁଟିଆ ସ୍ଵେଦ ଛିଟା..
ସୁଖ ଦୁଃଖର ଅଙ୍କାବଙ୍କା
ଅଧା ଶୁଖିଲା ନଈ ଭିତରେ
ଦୋଦୁଲ୍ୟମାନ ମୋ' ଜୀବନର
ଟଳମଳ ଦରଭଙ୍ଗା ନଉକା...
ଆଉ ମୁଁ ,,,,
ବୟସର ଅପରାହ୍ନ ଛୁଇଁଥିବା
ହାତ ଥରା ନାଉରୀ......
ସାନ ପାଟସୁନ୍ଦରପୁର,କଟକ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।