ଜୀବନରେ ବହୁ ବିଦ୍ଯା ସାଧିଲି
ଅର୍ଜିଲି ବହୁ ଧନ
ତଥାପି କାହିଁକି ଶାନ୍ତି ନମିଳେ
କହିଲି ମନକୁ ମନ । ୧
ଅର୍ଜିବାର କିଆଁ ପ୍ରାନ୍ତ ବିନ୍ଦୁରେ
ପହଞ୍ଚି ପାରିନି ମୁହିଁ ?
ବିବେକ କହିଲା ସୀମା ତା' ନାହିଁ
ଜଳିବା ଯାଏଁ ଜୁଇ । ୨
ପଢ଼ି ପଢ଼ି ବିଦ୍ଯା ଅର୍ଜି ଅର୍ଜି ଧନ
ତୃଷା ମେଣ୍ଟିବ ନାହିଁ
ତୃଷା ମେଣ୍ଟିଲେ ଶାନ୍ତି ମିଳନ୍ତା
ଶୁଣ୍ରେ ମନୁଆ ଭାଇ ।
ଚଣ୍ଡାଶୋକ ଯେ ଭାବୁଥିଲେ ତାଙ୍କ
ଯୁଦ୍ଧର ଅନ୍ତ ନାହିଁ
ସାରା ପୃଥିବୀ ଜିଣିବାକୁ ହେବ
ସୁଖ ଶୟନ କାହିଁ ? ୪
ଦେଖୁ ଦେଖୁ ମହା- ରକ୍ତପାତର
ପଡ଼ିଲା ପୂର୍ଣ୍ଣଚ୍ଛେଦ
କଳିଙ୍ଗ ଯୁଦ୍ଧ - ଯଜ୍ଞେ ନିରେଖି
ଇନ୍ଧନେ ନରମେଧ । ୫
ପାଷାଣ ହୃଦୟ ତରଳି ତାଙ୍କର
ବହିଲା ପ୍ରେମଧାର
ସାରା ପୃଥ୍ବୀର ଜନ - ପ୍ରାଣୀ ତାଙ୍କୁ
ଲାଗିଲେ ଆପଣାର । ୬
ପ୍ରେମର ଅଢ଼େଇ ଅକ୍ଷର ଯା'ର
ହୃଦରେ ଘାରି ହେଲା
ଜାଣିବ ସେ ହିଁ ବିଶ୍ବ ଯାକର
ସବୁକିଛି ଜାଣିନେଲା । ୭
ପ୍ରେମରସ ଯେ' କରିଛି ପାନ
ମେଣ୍ଟିଛି ତୃଷା ତା'ର
ପ୍ରେମର ଜଳେ ବୁଡ଼ିଛି ଯିଏ
ଜ୍ଞାନ ତା' ଶୁଦ୍ଧ ସାର । ୮
ପ୍ରେମ ହିଁ ଜ୍ଞାନ ପ୍ରେମ ହିଁ ଧନ
ପ୍ରେମୀ ହିଁ ଜ୍ଞାନୀ ଧନୀ
ସବୁ ଅର୍ଜନର ଶେଷ ସୀମାଟି
ପ୍ରେମ-ପିୟୂଷ ଖଣି ।୯
ଗାନ୍ଧୀ - ଗୋପବନ୍ଧୁ - ଶ୍ରୀରାମକୃଷ୍ଣ
ଶ୍ରୀମା' - ଚୈତନ୍ୟ ଆଦି
ଜଗତେ ଅମର ବିଶ୍ବପ୍ରେମର
ମହାଧନ ସମ୍ପାଦି । ୧୦
ବେଗନା , ସାହାରାପଡ଼ା , କେନ୍ଦୁଝର
୭୫୮୦୧୬
ଫୋ- ୮୭୬୩୧୪୨୫୪୨
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।