ଲୀଳାବତୀ ମହାପାତ୍ର
କୁନି ଝିଅଟି ରାହାଧରି କାନ୍ଦୁଛି । ଡାକ୍ତର ପ୍ରତିକ ଝିଅଟିକୁ କୋଳରେ ଧରି ବୁଝାଇବା ପାଇଁ ଯେତେ ଚେଷ୍ଟା କରୁଛନ୍ତି ଝିଅଟି ଚୁପ୍ ରହୁନାହିଁ । ଆଜିକୁ ଏକା ଧାଇ ମା' ଛୁଟିରେ ଅଛି । ମା' ସିନା ନିର୍ବିକାର ଭାବରେ ପିଲାମାନଙ୍କର ଭଲ ମନ୍ଦ ବୁଝି ଥାଏ , ସେ କିନ୍ତୁ ବୁଝି ପାରୁ ନାହାନ୍ତି । ଭୋକ ତ ସମସ୍ତଙ୍କୁ କନ୍ଦାଇ ଥାଏ ଭାବି ସେ ବୋତଲରେ ଥୁଆ ହୋଇଥିବା ଗୋରସକୁ ଝିଅଟିକୁ ପିଆଇଲେ । ଟିକେ ଶାନ୍ତ ହୋଇଗଲା । କାନ୍ଧରେ ପକାଇ ହାତ ଥାପି ଦେବାରୁ ଶୋଇ ପଡ଼ିଲା । କ'ଣ ଭାବିଲେ କେଜାଣି ସେମିତି ଅବସ୍ଥାରେ ଗ୍ଯାରେଜକୁ ଯାଇ ଡ଼୍ରାଇଭରକୁ କାର୍ ବାହାର କରିବା ପାଇଁ କହିଲେ । ଡ଼୍ରାଇଭର କାର୍ ବାହାର କଲାରୁ ସେ ଯାଇ କାର୍ ପଛ ସିଟ୍ରେ ବସିପଡି କହିଲେ - "ନୟାପଲ୍ଲୀ ଏ ତିନିଶହ ଛୟାଳିଶି ଘରକୁ ନେଇ ଚାଲେ ।" ଡ଼୍ରାଇଭର ଗାଡି ଚଲେଇବା ଆରମ୍ଭ କଲା । ପ୍ରତିକର ମନରେ ଅତୀତର ସୃତି ସବୁ ପ୍ରତିଫଳିତ ହେବାକୁ ଲାଗିଲା । ପ୍ରତିକ ମିଶ୍ର ଗୋରା ତକତକ ଚେହେରା ସାଙ୍ଗକୁ ନାକ , କାନ , ଆଖି ଠିକ୍ ଥାଇ ରାଜକୁମାର ପରି ଦେଖାଯାଉଥା'ନ୍ତି । ସେ ସିନା କୌଣସି ଝିଅଙ୍କୁ ଆଡ଼ ଆଖିରେ ଚାହୁଁ ନଥିଲେ , କିନ୍ତୁ ଝିଅମାନେ ତାଙ୍କର ନିକଟତର ହେବାକୁ ପ୍ରାଣପଣେ ଚେଷ୍ଟା କରୁଥିଲେ । କିଏ ନୋଟ୍ ଖାତା ମାଗୁଥିଲା ତ କିଏ ବିନା କାରଣରେ ତାଙ୍କ ପାଖକୁ ଆସି ଗପ ଜମାଉଥିଲା । କିଏ କିଏ ତାଙ୍କ ଠାରୁ ପଢ଼ିବା ପାଇଁ ବହି ମାଗି ନେଇ ତା' ଭିତରେ ପ୍ରେମ ପତ୍ର ରଖି ଫେରସ୍ତ କରୁଥିଲା ।ପ୍ରତିକ କିନ୍ତୁ ଏ ସବୁ ପ୍ରତି ଗୁରୁତ୍ବ ଦେଉ ନ ଥିଲେ । ତାଙ୍କର ଲକ୍ଷ୍ୟ କେବଳ ପଢ଼ିବା , ଆଗକୁ ବଢିବା ଓ ବାପା ମା'ଙ୍କ ଠାରୁ ପାଇଥିବା ସଂସ୍କାର ବଜାୟ ରଖିବାରେ ।
ପ୍ରତିକର ଏପରି ନୀତି ସଙ୍ଗତ ମନୋଭାବ ଦେଖି ସାଙ୍ଗମାନେ ଥଟ୍ଟା କରି କହନ୍ତି - "କାଶ୍ ଆମ ଭାଗ୍ୟ ଏମିତି ହୋଇଥା'ନ୍ତା କି । ଆରେ ପ୍ରତିକ କଲେଜ ଗଲେ ନଲେଜ ବଢେ , କିନ୍ତୁ ତୁ ସେମିତି ବୋକା ହୋଇ ରହି ଥା' ।" ଏମାନଙ୍କ କଥା ଶୁଣି ପ୍ରତିକ କହେ - "ଦେଖ , ମାତା - ପିତା ଆମକୁ ଛୋଟରୁ ବଡ଼ କଲେ । ସମାଜରେ ପ୍ରତିଷ୍ଠିତ କରିବା ପାଇଁ ଆମକୁ ପାଠ ପଢ଼ାଉଛନ୍ତି । ଆଉ କ'ଣ ସେମାନେ ଆମ ପାଇଁ ଉପଯୁକ୍ତ ଜୀବନ ସାଥୀ ବାଛି ପାରିବେ ନାହିଁ ?" ପ୍ରତିକର ଏକଥା ଶୁଣି ସାଙ୍ଗମାନେ ଚିଡ଼ି ଯାଆନ୍ତି । ନିଜନିଜ ଭିତରେ କୁହାକୁହି ହୁଅନ୍ତି - "କୁଆଡୁ ଆସିଲା କେଜାଣି ଏମିତିକା ନିର୍ବୋଧ ମଣିଷଟେ ! ସେଥିରେ ପୁଣି ଡାକ୍ତର ପାଠ ପଢୁଛି । ଏ ସମୟରେ ମଜା କରିବା ନାହିଁ ତ ଆଉ କେବେ କରିବା ? ଜୀବନଟାକୁ ଉପଭୋଗ କରିବା ଶିଖି ନାହିଁ । ଏମିତିକା କ'ଣ ସରଳରେଖାରେ କାହାର ଜୀବନ ଗତି କରାଇଛି ନା କରିବ ?" ସେମାନେ ସମସ୍ତେ କଥା ହେଲେ ଏହାକୁ ସୁଯୋଗ ଦେଖି ଦିନେ ପାନେ ଦେବା । ତା'ର ଏତେ ଉଜ୍ଜଳ ଭାବମୂର୍ତ୍ତିରେ କଳଙ୍କ ବୋଳିଦେବା । ପୁଅ ଅଖା ଧୋଉଥିଲେ ଗୁଣ ଗାଉଥିବ ।
ଦିନେ ଲାଇବ୍ରେରୀରେ ସମସ୍ତ ସାଙ୍ଗ ଏକାଠି ହୋଇ ଗପସପ କରୁଥିଲେ । ରାଜେଶ କହିଲା - "ବୁଝିଲୁ ପ୍ରତିକ , ଆମ ସାଙ୍ଗରେ ଯେଉଁ ସୁରମା ପଢୁଛି ସେ କି ଅସୁନ୍ଦରୀ କହିଲୁ !!" ଏକଥା ଶୁଣି ସୈାରଭ ହସିହସି କହିଲା - " ବାପରେ ବାପ କଳା , ହାତୀ କଳା । ସେଥିରେ ପୁଣି ଉଚ୍ଚ କପାଳ ।" ଆଉ ଜଣେ କହିଲା - "ଏଡେ ଏଡେ ହଳଦିଆ ଦାନ୍ତକୁ ଚନ୍ଦା ମୁଣ୍ଡ । ଅନ୍ଧାର ରାତିରେ ହସି ଦେଲେ ରାକ୍ଷାସୁଣୀ ପରି ଦେଖାଯାଏ ।" ଦୀପକ୍ କହିଲା - "ଏତେ କାହିଁକି ବର୍ଣ୍ଣନା କରୁଛ ? ଆମ ପୁରାଣରେ ବର୍ଣ୍ଣିତ ଅଲକ୍ଷଣୀ ପରି ତା' ରୂପ ।" ଏହା ଶୁଣି ସମସ୍ତେ ଠୋ ଠୋ ହୋଇ ହସି ଉଠିଲେ ।
ପ୍ରତିକକୁ ଏସବୁ ଭଲ ଲାଗେ ନାହିଁ । ସେ କହିଲା କାହାର ପଛରେ ତାକୁ ଏତେ ତାତ୍ସଲ୍ୟ କରି ହସିବା ଉଚିତ୍ ନୁହେଁ । ସେ କ'ଣ କରିବ ? ଭଗବାନ ତାକୁ ସେମିତି ଗଢ଼ିଛନ୍ତି । ରୂପ କେବେ କାହାର ପରିଚୟର ମାଧ୍ୟମ ହୋଇ ନ ଥାଏ । ଗୁଣ ହିଁ ପରିଚୟର ମାଧ୍ୟମ ହୋଇଥାଏ । ତା' ଛଡା ସେ ତ ଜଣେ ମେଧାବୀ ଛାତ୍ରୀ । ଶାନ୍ତ , ସରଳ , ନମ୍ର , ହୃଦୟ ନିର୍ମଳ ।ପ୍ରତିକର ପାଟିରୁ କଥା ଛଡ଼ାଇ ନେଇ ସାଙ୍ଗମାନେ କହିଲେ ତା'ହେଲେ ତୁ ତାକୁ ଭଲ ପାଇବୁ । ବାହାହୋଇ ପାରିବୁ । ତା' ପାଟିରୁ ବାହାରି ଥିବା ଏକମାତ୍ର ଶବ୍ଦ ଯେ ତା' ଜୀବନକୁ ଓଲଟା ପାଲଟା କରିଦେବ ଏକଥା ଭାବି ପାରି ନ ଥିଲା । ଏମିତି କଥାରେ କହିଦେଇ ଥିଲା - "ହଁ ମୁଁ ତାକୁ ବିବାହ କରିବି , କ'ଣ ହେଲା , ସେ କ'ଣ ଝିଅ ନୁହେଁ କି ?" ବାସ୍ , କଥା ସରିଲା , ସାଙ୍ଗମାନେ ସେହି କଥାକୁ ଗଣ୍ଠି କରି ଧରି କହିଲେ - "ତୁ କହିଚୁ ମାନେ ତାଙ୍କୁ ବାହା ହେବା ପାଇଁ ବାଧ୍ୟ ।" କିଛି ସାଙ୍ଗ ସଙ୍ଗେ ସଙ୍ଗେ ସୁରମାକୁ ଡାକି ଆଣି କହିଲେ - "ପ୍ରତିକ ତୁମକୁ ବିବାହ କରିବ ବୋଲି କହୁଛି , ତୁମର ମତାମତ କ'ଣ ?" ହାତ ପାହାନ୍ତାରେ ଏପରି ଭାବରେ ଖୁସିର ସମ୍ଭାର ପାଇବ ବୋଲି ସେ କଳ୍ପନା କରି ନ ଥିଲା ।
ସୁରମା ପ୍ରତିକକୁ ଭଲ ଭାବରେ ଜାଣେ । ଗୋଟିଏ ଗାଁର ସେମାନେ । ସେ ଧୋବା ଝିଅ । ସେଥିପାଇଁ ସନ୍ଦେହରେ କହିଥିଲା , "ତାଙ୍କ ତରଫରୁ ଯଦି ପ୍ରସ୍ତାବ ଆସୁଛି ମୋର କିଛି ଆପତ୍ତି ନାହିଁ ।" ପ୍ରତିକ ତାକୁ ଅତି ଅସହାୟ ହୋଇ ଅନାଇଲା । ସେ ମନେ ମନେ ଭାବିଲା ସୁରମା ତାଙ୍କ ପରିବାର ଉପରେ ପ୍ରତିଶୋଧ ନେଉନାହିଁ ତ ! ତା'ର ମନେ ଅଛି ଶାମ୍ବ ଦଶମୀ ପିଠା ନେବାପାଇଁ ଆସିଥିବା ତା'ର ଜେଜେମାକୁ ତା' ବୋଉ କେତେ ଅପମାନଜନକ କଥା କହିଥିଲା । ତା'ର ଭୁଲ୍ ସେ ବାଡିପଟୁ ଆସି ପିଠା ନେବା କଥା , ଦାଣ୍ଡରେ ଆସି ଛିଡା ହୋଇ ପିଠା ମାଗିବା । ବୋଉଙ୍କର କଟୁକ୍ତି ଶୁଣି ସୁରମାର ଜେଜେମା' ବୁଡୁ କହିଥିଲା , "ନାଇଁ ମା' ମୋର ସବୁ ମନେ ଅଛି । କିଛି ଭୁଲି ନାହିଁ । ବାଡିର ପ୍ରଥମ ଫଳ ଠାକୁରାଣୀ ମନ୍ଦିରରେ ଦେଇ ଆସିଲି । ଆଉ କିଛି ପରିବା ତମେ ଆପଣଙ୍କ ପାଇଁ ଆଣିଛି । କେତେ ପୁଣି ବାଡି ପଟକୁ ଯିବି ଭାବି ଏଠାରେ ଛିଡ଼ା ହୋଇ ଗଲି । ମୁଁ ଯେଉଁ ଜାଗାରେ ଛିଡ଼ା ହୋଇଛି ଗୋବର ପାଣି ପକାଇ ଦେବି ।" ଏହା କହି ବୁଡୁ ତା' ବାଡିରୁ ଆଣିଥିବା ପରିବାରତକ ତାଙ୍କ ବାରଣ୍ଡାରେ ଅଜାଡ଼ି ଦେଲା । ତା' ଘରୁ ଗୋବର ପାଣି ଆଣି ଦାଣ୍ଡ ଦୁଆରଟିକୁ ସୁନ୍ଦର ଭାବରେ ଲିପି ଦେଇଥିଲା ।
ଏହା ଦେଖି ସେ ତା' ବୋଉକୁ କହିଥିଲା - "ବୋଉ ସେ ଦେଇଥିବା ପରିବାକୁ ତ ତୁମେ ଛୁଇଁଲ , ସେ ଗଛ ତ ତା' ବାଡିରେ ଥିବା ମାଟିରେ ହୋଇଥିବ । ସେ ସେହି ଗଛ ମୂଳରେ ପାଣି ଦେଇଥିବ । ସେ ପରିବା ଗୁଡ଼ିକ କିପରି ମାରା ହେଲାନି ଲୋ । ଆଉ ତା' ଭାଉଜ ପାତ ମା' ଘରୁ ତ ଆମେ ଚୂଡ଼ା , ମୂଢ଼ି ଆଣି ଖାଉଛୁ ।" ତା' କଥା ଶୁଣି ବୋଉ କହିଥିଲେ - "ତୁ ଛୋଟ ଛୁଆ ଏସବୁ କଥା ବୁଝି ପାରିବୁ ନାହିଁ । ଛୋଟ ଜାତିଙ୍କୁ ମୁହଁ ଦେଲେ ସେମାନେ ଆମ ମୁଣ୍ତ ଉପରେ ଚଢିବେ ।" ଏ ସମୟରେ ତା ବାପା ଦିବାକର ମିଶ୍ର ଆସୁଥିଲେ । ତାଙ୍କ କାନରେ ଏ ଛୋଟ - ବଡ଼ ଜାତି କଥାଟା ପଡିଲା । ତେଣୁ ସେ ପଚାରିଥିଲେ - "ତୁମେ ମା' - ପୁଅ ଦୁହେଁ ଦାଣ୍ଡ ପିଣ୍ଡାରେ ଛିଡ଼ା ହୋଇ କେଉଁ ବିଷୟରେ କଥା ହେଉଛ ? ଘରର ଝିଅ - ବୋହୂ ମାନେ ଦାଣ୍ଡରେ ଛିଡ଼ା ହୋଇ କଥା ହେବା ମନା ।" ତେଣୁ ବାପାଙ୍କୁ ଦେଖି ମୁଣ୍ଡରେ ହାତେ ଓଢ଼ଣା ଦେଇ ବୋଉ ଘର ଭିତରକୁ ଗଲି ଯାଇଥିଲେ ।
ତା' ମନରେ ଉଙ୍କି ମାରୁଥିବା ପ୍ରଶ୍ନ ଗୁଡିକର ଉତ୍ତର ପାଇବାକୁ ହେଲେ ଏହା ହିଁ ସଠିକ୍ ସମୟ ଭାବି ପଚାରିଥିଲା - "ବାପା ମୁଁ ତ ଡାକ୍ତରୀ ବିଦ୍ୟା ପଢୁଛି । କଙ୍କାଳକୁ ପରୀକ୍ଷା ନିରୀକ୍ଷା କରି ମନୁଷ୍ୟର ଅଙ୍ଗ ପ୍ରତ୍ୟଙ୍ଗ ସମ୍ବନ୍ଧରେ ଅନେକ ତଥ୍ୟ ହାସଲ କରୁଛି । କାହିଁ କେଉଁଠାରେ ମଧ୍ୟ ମଣିଷମଣିଷ ଭିତରେ ମୁଁ ଭିନ୍ନତା ଦେଖିବାକୁ ପାଇନାହିଁ । ଆମର ଯେଉଁ ଚଳଣି ଯେଉଁ ସଂସ୍କାର ମଣିଷ ସମାଜକୁ ଭାଗ ଭାଗ କରି ଥୋଇ ଦେଉଛି । ଅସ୍ପୃଶ୍ୟ ଶବ୍ଦଟିର ଅର୍ଥ କ'ଣ ? ତାହା ପୁଣି ଏ ମଣିଷ ସମାଜ ପାଖରେ ?" ପୁଅର କଥା ଶୁଣି ଦିବାକର ବାବୁ ହସି ପକାଇ ଥିଲେ । ପୁଅ ଆଜି ଶିକ୍ଷିତ। ଚେତନା ବ୍ୟାପକ ହୋଇଛି।ଭଲ କିଛି ଖରାପ ନୁହେଁ। କିନ୍ତୁ ଆମ ସମାଜରେ ଯୁଗ ଯୁଗରୁ ପ୍ରଚଳିତ ହେଉଥିବା ପରମ୍ପରା ଓ ସଂସ୍କାର କୁ ବି ତ୍ୟାଗ କରି ହେବ ନାହିଁ। ସମାଜ କୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ଏହା ଏକ ନିୟମ। ସଂସ୍କାର ଓ ଶୃଙ୍ଖଳା ଯେତିକି ମଜବୁତ ହେବ ଆଚାର ଓ ବ୍ୟବହାର ମଧ୍ୟ ସେତିକି ସଂଯତ ହେବ।ତା ଫଳରେ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ । ପୁଅକୁ ବୁଝାଇବାକୁ ଯାଇ କହିଥିଲେ - "ଦେଖେ ସମସ୍ତେ ସମାନ । ମନୁଷ୍ୟ ନିଜ ବ୍ୟବହାର ଓ ଚଳଣି ଦ୍ବାରା ଭିନ୍ନ ଭିନ୍ନ ଜାତି ସୃଷ୍ଟି କରିଛି । କିଏ କାହାକୁ ଘୃଣା କରିବା କଥା ନୁହେଁ କି ଛୋଟ ଜାତି କହି ଅପମାନ କରିବା ଉଚିତ ନୁହେଁ । କାରଣ ଅପମାନ ଗୋଟିଏ ଏମିତିକା ୠଣ ଯାହାକୁ କି ସମସ୍ତେ ମୈକା ମିଳିଲେ ସୁଧ ସହ ଫେରାଇ ଦେଇଥା'ନ୍ତି , ଆମ ବ୍ରାହ୍ମଣ ଜାତିକୁ ଶ୍ରେଷ୍ଠ ଜାତି ବୋଲି କହିବାର କାରଣ ହେଲା ଆମ ଘରର ମl' - ଭଉଣୀ ମାନେ ବଡ଼ି ଭୋରରୁ ସ୍ନାନ କରି ଶୁଦ୍ଧପୁତ ଭାବରେ ରୋଷେଇ କରିଥା'ନ୍ତି । ଗୀତାରେ କୁହାଯାଇଛି - "ଯଜ୍ଞରୁ ବୃଷ୍ଟି । ବୃଷ୍ଟିରୁ ଅନ୍ନ ।" ଅର୍ଥାତ ରୋଷେଇ ଶେଷରେ ସମସ୍ତ ଖାଦ୍ୟ ଭଗବାନଙ୍କୁ ସମର୍ପଣ କରିବାକୁ ହିଁ ଯଜ୍ଞ କହନ୍ତି । ଏହାଦ୍ବାରା ସାତ୍ତ୍ୱିକ ପରିବେଶ ସୃଷ୍ଟି ହୋଇଥାଏ ।" ଏହା ଶୁଣି ସେ କହିଥିଲା - "ବାପା ! ଜୀବନ ଯାତ୍ରା କେବେ ବି ଅନ୍ୟ ମାନଙ୍କର ସହ ସମକକ୍ଷ ହେବ। ସଂସାରର ନିୟମ ।ତେଣୁ ଅନ୍ୟ ସହ ତୁଳନା କରି ନିଜକୁ ଯନ୍ତ୍ରଣା ଦେବା ଯୁକ୍ତିଯୁକ୍ତ ନୁହେଁ । ଆଜିକାଲି ତ ପ୍ରାୟ ସମସ୍ତେ ଶିକ୍ଷିତ ହେଲେଣି । ଏ ସାମାନ୍ୟ ଚଳଣି ବିଷୟରେ ସେମାନଙ୍କୁ ଅବଗତ କରାଇ ଦେଲେ ତ ମଣିଷ ଜାତି ଏକ ହୋଇ ଯିବ । ସେମାନଙ୍କ ମଧ୍ୟରୁ ଏକ ଅସୃଶ୍ୟ ଶବ୍ଦଟି ଦୂର ହୋଇଯିବ । ଓଡ଼ିଆ ଜାତିର ଆଦର୍ଶ ପ୍ରଭୁ ଜଗନ୍ନାଥ ଏ ଜାତି ପ୍ରଥାକୁ ଦୂର କରିବା ପାଇଁ କେତେ ମାନବୀୟ ଲୀଳା ପ୍ରଦର୍ଶନ କରିଛନ୍ତି । ଅସ୍ପୃଶ୍ୟତାକୁ ଗୁରୁତ୍ବ ଦେଇ ପଣ୍ଡାମାନେ ଦାସିଆ ବାଉରୀକୁ ସିନା ମନ୍ଦିର ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ କିନ୍ତୁ ସ୍ବୟଂ ପ୍ରଭୁ ମନ୍ଦିର ଭିତରୁ ବାହାରି ଆସି ଦାସିଆ ବାଉରୀ ହାତରୁ ନଡ଼ିଆଟିକୁ ନେଇ ଦର୍ଶାଇ ଦେଇଥିଲେ ଯେ ତାଙ୍କ ପାଇଁ ଏ ମାନବକୃତ ଜାତିବାଦ କିଛି ମାନେ ରଖେ ନାହିଁ । ମା' ଲକ୍ଷ୍ମୀ ଜାତିଭେଦ ଦୂର କରିବା ପାଇଁ ଶ୍ରୀୟା ଚଣ୍ଡାଳୁଣୀର ଘରେ ପ୍ରବେଶ କରିଥିଲେ । ଏମିତି ଲୋକଶିକ୍ଷା ନିମନ୍ତେ ପ୍ରଭୁ ଅନେକ ଲୀଳା କରିଛନ୍ତି ।"
ବାପାଙ୍କ ସାଥୀରେ ଏ କଥୋପକଥନ କ'ଣ ତା'ର ଭବିତବ୍ୟ ଥିଲା । ସାଙ୍ଗ ମାନଙ୍କ ବାଧ୍ୟବାଧକତାରେ ସେ ଡକ୍ଟର ସୁରମାଙ୍କୁ ବିବାହ କରିଥିଲା । ସ୍ରୋତର ଅନୁକୂଳରେ ତ ସମସ୍ତେ ପହଁରି ପାରନ୍ତି । କିନ୍ତୁ ଯିଏ ପ୍ରତିକୂଳ ସ୍ରୋତକୁ ଭୃକ୍ଷେପ ନକରି ଆଗେଇ ଚାଲେ ସେ ମହାନ ଆଦର୍ଶରେ ପରିଣତ ହୁଏ । ତା'ର ଏହି ଆଦର୍ଶ ତାକୁ ତା' ପିତାମାତାଙ୍କ ଠାରୁ ଦୂରେଇ ଦେଇଛି । ତା'ର ଏ ବିବାହ ଖବର ଶୁଣିବା ମାତ୍ରେ ବାପା ତାକୁ ତେଯ୍ୟପୁତ୍ର କରି ଦେଇଛନ୍ତି । ବୋଉ ଅଶ୍ରୃଶିକ୍ତ ନୟନରେ ଲେଖିଥିଲେ - "ବାପାରେ ! ଏ ତୁ କ'ଣ କଲୁ ! ଘରର ସମସ୍ତ ସଂସ୍କାର ପରମ୍ପରାକୁ ଭୁଲିଗଲୁ ! ହଉ ତୁ ଯଦି ଆମର ସମ୍ମାନ ରଖିଲୁ ନାହିଁ ଆମେ ମଧ୍ୟ ତୋ ମୁହଁକୁ ଚାହିଁବୁ ନାହିଁ । ତୁ ତାକୁ ଧରି ଖୁସିରେ ରହ ।" ଆଉ କିଛି ଲେଖି ପାରି ନ ଥିଲେ । ଆଖି ଲୁହରେ ଚିଠିଟି ଓଦା ହୋଇ ଯାଇଥିଲା । ଏବେ ବାପାଙ୍କ ଦେହ ଭଲ ରହୁ ନାହିଁ । ସେଥିପାଇଁ ସେମାନେ ଭୁବନେଶ୍ଵରରେ ଆସି ରହୁଛନ୍ତି । ବାପା ବୋଉଙ୍କ ସମସ୍ତ ଖବର ରଖୁଥିଲେ । ଭଲମନ୍ଦ ବୁଝୁଥିଲେ ।
ସାର , ଘର ହୋଇଗଲା । ଡ଼୍ରାଇଭରର କଥାରେ ସେ ପ୍ରକୃସ୍ଥିତ ହେଲା । ସଂକୋଚରେ ଗେଟ୍ ଖୋଲି ଘର ଭିତରକୁ ଗଲା । ବୈଠକ ଘର କବାଟ ଦର ଆଉଜା ହୋଇଛି । ଆସ୍ତେ କରି କବାଟ ଖୋଲି ଝିଅ ସ୍ବର୍ଣ୍ଣମୟୀକୁ ଖଟ ଉପରେ ଶୋଇ ଦେଲା । ଆଗରୁ ଲେଖି ଆଣିଥିବା ଚିଠି ଖଣ୍ଡକ ଝିଅର ମୁଣ୍ଡ ଉପରେ ଥୋଇ ଦେଇ ଆସ୍ତେ କରି କବାଟ ଆଉଜେଇ ଦେଲା ।ଘରୁ ବାହାରି ଆସିବା ସମୟରେ ଭାବିଲା ଚିଠିଟି ପଢି ବୋଉ ନିଶ୍ଚୟ ତା' ନାତୁଣୀକୁ ଆପଣେଇ ନେବ ।
ମୋ - ୯୪୩୭୫୦୩୩୯୬
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।