ସିପ୍ରା ନାମତା
କିଏ , କିଏ ଦୌଡି ପଳାଉଛି ...... ପାଉଁଜିର ଛମ ଛମ ଶବ୍ଦ କର୍ଣ୍ଣ କୁହରରେ ସୃଷ୍ଟି କରୁଛି ମନ୍ଦ୍ର ମଧୁର ଧ୍ୱନୀ । କେଶବତୀର ଘନ କୃଷ୍ଣ ମୁକୁଳିତ କେଶ ପଂକ୍ତିର ଶଯ୍ୟା ଫାଙ୍କରୁ ଯେମିତି ତା' ଆଡକୁ କିଏ ନିର୍ଦ୍ଦେଶ କରି କହୁଛି , "ହେ ମୋର ପୁଣ୍ୟ ପବିତ୍ର ଅତିଥି ଆସ ,ମୁଁ ତୁମ ପାଇଁ ଏ ଶଯ୍ୟା ପ୍ରସ୍ତୁତ କରି ରଖିଛି ... ଖାସ ତୁମ ପାଇଁ ....ଟିକେ ଧୀରେ ଛୁଇଁ ଦେଇ ଯାଅ ତ ,ତୁମର ସବୁ ଶ୍ଲେଷ ଦୂର ହୋଇଯିବ । ସ୍ୱାଗତ ହେ ଅତିଥି ସ୍ୱାଗତ ତୁମକୁ"। ରାଶି ରାଶି କେଶ'ର ଫାଙ୍କରୁ ଦିଶି ଯାଉଛି ଦୁଇଟି ଆଖିର ଅର୍ଦ୍ଧ ଭାଗ , ତୀକ୍ଷ୍ଣ ନାକର ଅଗ୍ର ଭାଗ ଆଉ ମସୃଣ ଗଣ୍ଡ ଦେଶର କିଛି ଅଂଶ ; ଓଃ ଏଇ ଆଖି ଯୋଡିକ .....କାହାର ..କାହାର ଏ ଆଖି ? ସ୍ୱପ୍ନ ଭାଙ୍ଗିଯାଏ । ମନ ଆକୁଳ ବିକଳ ହୁଏ । ଦୃଶ୍ୟ ସବୁ ଅଦୃଶ୍ୟ ହୋଇ ଯା'ନ୍ତି । କିଛି ବୁଝି ହୁଏନା କିନ୍ତୁ ଜୀବନ ତା' ଗତାନୁଗତିକ ପଥରେ ଆଗେଇ ଯାଏ ।
ମନ୍ଦିର ବେଢାରେ ପରିବେଷିତ ସଙ୍ଗୀତକୁ ଗୁଣୁ ଗୁଣୁ ହୋଇ ଗାଉଥାଏ ଶିବାନ । ଗୀତଟି ଯେମିତି ପ୍ରାଣସ୍ପର୍ଶୀ

ଥିଲା ଗାୟିକା ତା'ଠାରୁ ଆହୁରି ଚମତ୍କାର ଥିଲେ । ରଥଯାତ୍ରା ସରିଲାଣି ଅନେକ ଦିନରୁ କିନ୍ତୁ ସେଦିନର ସ୍ମୃତି ତାଜା ହୋଇ ରହିଥାଏ ଶିବାନର ମନରେ । ସାଙ୍ଗସାଥୀଙ୍କର ଟାହିଟାପରା ତାକୁ ବିରକ୍ତ ବଦଳରେ ଖୁସି ଦେଉଥା'ନ୍ତି , ପୁଲକିତ ହୋଇ ଉଠୁଥାଏ ସମଗ୍ର ଶରୀର । ସେଇ କଣ୍ଠସ୍ୱର ପୁନଃ ଚକିତ କରିଦେଲା ଯେତେବେଳେ କୁମାର ପୂର୍ଣ୍ଣିମା ଉପଲକ୍ଷେ ହେଉଥିବା ମ୍ୟୁଜିକ କନସର୍ଟରେ ଶ୍ରୋତାର ଚେୟାରରେ ଯାଇ ବସିଲା । ଆଃ ହା ଅନିନ୍ଦ୍ୟ ସୁନ୍ଦରୀ ପୁଣି ମଧୁର ସ୍ୱରର ଅଧିକାରିଣୀ ପ୍ରତି କାହାର ବା ହୃଦୟ ବିଗଳିତ ନ ହେବ ? ଦେବତା ମଧ୍ୟ ଏ ରୂପରେ ମୋହିତ ହେବେ ଯେ ସେ ତ ନିମିତ୍ତ ମାତ୍ର । ଅବଚେତନ ମନ ଭିତରେ ଗଭୀର ଆସକ୍ତି ଜନ୍ମ ନେଇ ସାରିଲାଣି । କିନ୍ତୁ ସେ ସୃଷ୍ଟି ଚଳତ ଶକ୍ତି ରହିତ ହେବାର ଦୃଶ୍ୟ ସ୍ପଷ୍ଟ ଦେଖି ପାରୁଥିଲା ଶିବାନ । କିନ୍ତୁ ଲାଗୁ ଥିଲା ଯେପରି ଯୁଗ ଯୁଗର ସମ୍ପର୍କ ଅଛି ତାଙ୍କ ସହିତ । ୟା' ପରେ ପରେ ନିଜକୁ ତାନପୁରା ଧରି ରିଆଜ କରିବାର ଦୃଶ୍ୟ ପ୍ରତୀୟମାନ ହେଲା । ସମ୍ପୂର୍ଣ୍ଣ ଠିକଣା ହସ୍ତଗତ କରି ଆଗେଇଲା ହୃଦୟରେ ନୂତନ କରି ଜନ୍ମ ନେଇଥିବା ଚ଼ାରାଟିକୁ ପ୍ରତିପୋଷଣ କରିବା ନିମନ୍ତେ । ଠକ ଠକ ଆବାଜ ଶୁଣି କବାଟ ଖୋଲିବାରୁ , ଯାହାକୁ ଆଶା କରୁଥିଲା ତାଙ୍କୁ ନ ଦେଖି ପାରି ସାମାନ୍ୟ ଅପ୍ରତିଭ ଲାଗିଲା ଶିବାନକୁ । ହଠାତ କ'ଣ କହିବ କିଛି ଭାବି ପାରିଲା ନାହିଁ ।
- ଭିତରକୁ ଆସନ୍ତୁ ।
ଆଗେଇ ଯାଉଥିଲେ ସେ । ଆଉ ତାଙ୍କ ପଛେ ପଛେ ଶିବାନ । ବସିବାକୁ କହି ସେ ନିଜେ ମଧ୍ୟ ବସିପଡି ତାଙ୍କ ଘରେ କାମ କରୁଥିବା ମହିଳା ଶୁକ ଦେଈକୁ ଡାକିଲେ ।
---ଶୁକ ଦୁଇ କପ ଚାହା ଆଣିବ ।
ଗଳାର ପରିବର୍ତ୍ତିତ ସ୍ୱର ଶୁଣି ଅସ୍ବସ୍ତି ଲାଗିଲା ଶିବାନକୁ । ସେ ଭୁଲରେ ଆଉ କାହାରି ଘର ଭିତରକୁ ଚାଲିଆସିନି ତ ! "ଏଇଟା ରାଗେଶ୍ୱରୀ ଦେବୀଙ୍କ ଘର ତ ! ମୁଁ ଆଉ ଭୁଲରେ ....... ।" କଥା ଅଧାରେ ଅଟକି ଗଲା ......ପଛପଟୁ ବୀଣା ଜିଣା ସ୍ୱର ଭାସି ଆସିଲା.....
---ଆପଣ ସମ୍ପୂର୍ଣ୍ଣ ଠିକ୍ ସ୍ଥାନରେ ପହଞ୍ଚିଛନ୍ତି । ନିଃସଙ୍କୋଚରେ ଆସନ ଗ୍ରହଣ କରନ୍ତୁ ।
ପର୍ଦ୍ଦା ହଟାଇ ଆସୁଥିଲେ ଜଣେ ଉଜ୍ଜ୍ୱଳ ଆଭା ଯୁକ୍ତ ରମଣୀ ଆଉ ଜଣେ ଅଳ୍ପ ବୟସର ଝିଅ ସହିତ । ଶିବାନ ଉଠି ଠିଆ ହୋଇ ପଡିଲା । ସ୍ୱୟଂଚାଳିତ ରୂପେ ତାଙ୍କର ଦୁଇ ହାତ
ଯୋଡି ହୋଇଗଲା ।
----"ରାଗୀ ! ତୁମେ ଯେତେବେଳେ ଆସିଗଲଣି , ମୋର ଆଉ ଏଠାରେ ଆବଶ୍ୟକତା ନାହିଁ । ମୋତେ ଟିକେ ବାହାରକୁ ଯିବାର ଥିଲା ତେଣୁ ମୁଁ ଆସୁଛି ।
ପୁଣି ସେ ଛୋଟ ଝିଅକୁ ନିର୍ଦ୍ଦେଶ ଦେବା ପରି କହିଲେ - "ମା' ! ରାଗୀ ପାଖେ ପାଖେ ଥିବ । ମୁଁ ଦୁଇଘଣ୍ଟା ପରେ ଫେରି ଆସିବି ।" ଶିବାନଙ୍କୁ ନମସ୍କାର ଜଣାଇ ସେ ମହିଳା ଜଣକ ବାହାରି ଗଲେ । ଏଥର କିଛି ସମୟ ପାଇଁ ନୀରବତା ଛାଇଗଲା । ଶୁକ ଦେଈ ଆସି ଚାହା ଦେଇଗଲେ ।
---ହଁ ,...କୁହନ୍ତୁ ତ ଆପଣଙ୍କର ଆସିବାର , ମାନେ ଅଭିପ୍ରାୟଟା ଜାଣିଲେ ମୁଁ ସେ ଅନୁସାରେ ପ୍ରସ୍ତୁତି କରିବି ।
କୋମଳ ସ୍ୱର ସବୁ ପାଖୁଡା ପାଖୁଡା ହୋଇ ଖସିଗଲେକି ଆଉ !! ନିଜକୁ ସମ୍ଭାଳିନେଇ ଶିବାନ ଆରମ୍ଭ କଲା , "ଆମର ଏକ ସଙ୍ଗୀତ ସଭା ମଞ୍ଚ ଅନୁଷ୍ଠିତ ହୁଏ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ । ଅବଶ୍ୟ ସେସବୁ ଲାଇଟ ମ୍ୟୁଜିକକୁ ନେଇ ହେଉଥିଲା । କିନ୍ତୁ ଏଥର ଆମେ ସ୍ଥିର କରିଛୁ କ୍ଲାସିକାଲ ଉପରେ ସଙ୍ଗୀତ ପରିବେଷଣ ହେବ ଏବଂ ସେଥିପାଇଁ ଆପଣଙ୍କ ମତାମତ ନେଇ ଆଗେଇବୁ ବୋଲି ଭାବିଥିଲୁ ।"
----କିନ୍ତୁ ସେଥିପାଇଁ ଆପଣଙ୍କୁ ମାହେଶ୍ୱରୀ ଅପାଙ୍କ ସହିତ କଥାବାର୍ତ୍ତା ହେବାକୁ ପଡିବ । ସେ ହିଁ ସେସବୁ ମ୍ୟାନେଜ
କରନ୍ତି ।
ଶିବାନ ପାଖରୁ କୌଣସି ଉତ୍ତର ନ ପାଇ ,ପୁଣି ସେ ସ୍ୱର ଗୁଞ୍ଜରି ଉଠିଲା , "ଏଇ ଯୋଉ ଏବେ ଏବେ ବାହାରକୁ
ଗଲେ" । ପୁଣି ପଲକର ନୀରବତା ପରେ "ଆରେ ଆପଣ ଚାହାଟା ପିଇଲେନି , ଥଣ୍ଡା ହୋଇଯିବ ,ପିଇ ଦିଅନ୍ତୁ ।
ଶିବାନ କପ ଧରିବାକୁ ଯାଉଛନ୍ତି ନିର୍ଦ୍ଦେଶ ଆସିଲା.....
--ରୁହନ୍ତୁ ,ମୁଁ ଶୁକ ଦେଈ ଙ୍କୁ କହୁଛି ସେ ଗରମ ଚାହା ଆଣି ଦେବେ ।
-- ଆରେ ନିକି ...ଯାଅ ତ ଶୁକଦେଈଙ୍କୁ ଅନ୍ୟ ଏକ ଚାହା କପ ଆଣିବାକୁ କହିବ ।
ଏ ଭିତରେ କିନ୍ତୁ ଶିବାନ କୋଠରୀ ଭିତରର ଶାନ୍ତ କୋମଳ ସାଜସଜ୍ଜାକୁ ନିରୀକ୍ଷଣ କରୁଥିଲା । କାନ୍ଥରେ ବିଭିନ୍ନ ସମୟର ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କର ତୈଳ ଚିତ୍ର , ପଟ୍ଟ ଚିତ୍ର , ଇତ୍ୟାଦି ଟଙ୍ଗା ହୋଇଥା'ନ୍ତି । କିଛି ଲୋକ ବସିବା ଭଳି ଅର୍ଦ୍ଧ ବୃତ୍ତାକାରରେ ସୋଫା ପଡିଥାଏ । ଆଖି ବୁଲୁବୁଲୁ ଗୋଟିଏ ଚିତ୍ରରେ ଅଟକି ଗଲା ଖୁବ୍ ଆକର୍ଷଣୀୟ ଆଖି ଯୋଡିକ ଉପରେ । ଏମିତି ଆଖି ଯେ କେବେ ସେ ଦେଖିଛି ,ସ୍ମରଣ ହେଉ ନ ଥାଏ ।
--"ଆପଣଙ୍କ ଚାହା "।
ଧ୍ୟାନ ଭଙ୍ଗ ହେଲା ଶିବାନଙ୍କର ।ନିକି ଆଡକୁ ଚାହିଁ ସେ ଚାହା କପରେ ଚୁମୁକ ଦେଲା । ପକେଟରୁ କାର୍ଡ ଖଣ୍ଡେ ବାହାର କରି ଟି ପୟ ଉପରେ ରଖିଦେଇ କହିଲା --
--" ଠିକ୍ ଅଛି ଆପଣ ତେବେ କଥା ହୋଇ ମୋତେ ଜଣେଇବେ " କହି ଶିବାନ ପ୍ରସ୍ଥାନ କଲା ।
*******
ଘର୍ମାକ୍ତ ହୋଇ ଉଠୁଥାଏ ଶିବାନର ସମଗ୍ର ମୁଖମଣ୍ଡଳ ଓ ଶରୀର । ସେଇ "ଆଖି" ; ଓଃ , ସେଇ ଆଖିଯୋଡିକୁ ପୁଣି ଦେଖୁଛି ସେ । ସେଇ କଥା ସେଇ ଆହ୍ୱାନ ; ଓଃ ହୋ , ମୁଣ୍ଡକୁ ଦୁଇ ହାତରେ ଚିପି ଧରି ଉଠିପଡ଼େ ସେ । ଭୀଷଣ ମାନସିକ ଦୁଶ୍ଚିନ୍ତାର ଶୀକାର ହେଉଛି ସେ । ନିଜକୁ ସାମାନ୍ୟ ପରିବର୍ତ୍ତିତ କରିବା ପାଇଁ ସେଦିନ ଶିଶୁ ଉଦ୍ୟାନ ଆଡକୁ ଯାଇଥାଏ ଶିବାନ । ଅଚାନକ ରାଗେଶ୍ୱରୀ ଦେବୀଙ୍କ ସହ ସାକ୍ଷାତ ହୋଇଯିବ ବୋଲି ଆଦୌ କଳ୍ପନା କରି ନ ଥିଲା । କିଛି ପିଲାଙ୍କ ସହ ରାଗେଶ୍ୱରୀ ବସିଥା'ନ୍ତି ପାର୍କର ଗୋଟିଏ କୋଣକୁ । କିଛି ସମୟ ପରେ ପିଲାମାନେ ଖେଳିବାକୁ ଲାଗିବାରୁ ଶିବାନ ତାଙ୍କ ନିକଟବର୍ତ୍ତୀ ହୋଇ ମୃଦୁ ସମ୍ଭାଷଣ ଜଣାଇଲା ।
---ଆରେ ଆପଣ ଏଠି ?
---କିଏ ? କେଇକ୍ଷଣ ନୀରବତା ପରେ ,ଦୟାକରି ପରିଚୟଟା ଦିଅନ୍ତୁନା ... ମୁଁ ଠିକ୍ ଜାଣିପାରୁନି ।
----ମୋତେ ଜାଣିନାହାନ୍ତି ? ଆପଣଙ୍କ ସହିତ .....
----ଆରେ ...ଆପଣ ....ଆପଣ ହେଉଛନ୍ତି ଶିବାନ ବାବୁ ।
......କ'ଣ ଠିକ୍ କହିଲି ତ ? ଯେମିତି ମନେ ପକେଇ ପକେଇ କହିଲେ ରାଗେଶ୍ଵରୀ ।
ସାମାନ୍ୟ କିଛି ଆଳାପରୁ ଆତ୍ମୀୟତାର ବୃଦ୍ଧି ; କିନ୍ତୁ ସେଇ ଚିତ୍ରପଟ୍ଟ ପାଖରେ ଅଟକି ଯାଏ ଶିବାନର ଆଖି । ନିର୍ଣ୍ଣିମେଶ ନୟନରେ ଚାହିଁ ରହେ ସେ । ପ୍ରଶ୍ନ କରିବାକୁ ଇଛା କରି ମଧ୍ୟ କରି ପାରେନା ।
--ଆପଣ ସବୁବେଳେ ଏଇ କଲର ଗ୍ଲାସ ୟୁଜ କରନ୍ତି କାହିଁକି ?
ହଠାତ ଦିନେ ତା' ପାଟିରୁ ପ୍ରଶ୍ନଟି ବାହାରିଗଲା । ତତ୍ପରେ କ୍ଷଣଟିଏ ପରେ ,ଓଃ କ୍ଷମା କରିବେ , ଏ ପ୍ରଶ୍ନ ପଚାରିବାର ଅଧିକାର ମୋର ନାହିଁ ।
----ଅଧିକାରର କଥା ନୁହେଁ ଯେ , ସମସ୍ତଙ୍କୁ ସବୁ କଥା କହି ହୁଏ ନାହିଁ । ଯଦି କେବେ କହିବାର ହୁଏ ତେବେ ନିଶ୍ଚୟ ଶୁଣିବେ । ତେବେ ଆସନ୍ତା କାଲି ଯୋଉ ପ୍ରୋଗ୍ରାମ ଅଛି ସେଥିପାଇଁ ରେଡି ହେବାକୁ ପଡିବ । ମୁଁ ଭାବୁଛି ଆଜିଠାରୁ ଚାଲିଗଲେ ଭଲ ହେବ ।
---କିଛି ଆବଶ୍ୟକ ନାହିଁ । ଟିକିଏ ସକାଳୁ ଉଠି ଚାଲିଗଲେ ହେବ । ବୁଲାବୁଲି ସାଙ୍ଗକୁ ସବୁକାମ ହୋଇଯିବ । ରାତିରେ ଯାଇ ଅଯଥାରେ ହଇରାଣ ହେବା ଦରକାର କ'ଣ ?
କହି କହି ଆସିଲେ ମାହେଶ୍ୱରୀ ।
*******
ବୁଦ୍ଧ ପୂର୍ଣ୍ଣିମା ନିମନ୍ତେ ମ୍ୟୁଜିକ କଂସର୍ଟର ଆୟୋଜନ ଥିଲା ଧଉଳି ଶାନ୍ତି ସ୍ତୂପରେ । ମଞ୍ଚରେ ଆସୀନା ରାଗେଶ୍ୱରୀଙ୍କ ଶାସ୍ତ୍ରୀୟ ସଙ୍ଗୀତର ଆରୋହ ଅବରୋହର ପ୍ରତିଟି ଆଳାପ , ଗୋଟି ଗୋଟି କରି ତବଲାର ଅନୁରୂପ ଧ୍ୱନୀ ଏବଂ ଶୁଦ୍ଧ ତାନର ମଧୁର ମୂର୍ଚ୍ଛନା ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁ ଯାଉଥାଏ । ଫେରନ୍ତା ରାସ୍ତାରେ , ଦିନରେ ରାଗେଶ୍ୱରୀ ସହିତ ବିତାଇଥିବା ମୁହୂର୍ତ୍ତ ଗୁଡିକ ଉଙ୍କି ମାରୁଥା'ନ୍ତି ଶିବାନର ମାନସ ପଟରେ । ହଠାତ ଅନ୍ୟ ଏକ ମୋଟର ଗାଡି ସହିତ ଧକ୍କା ହେଲା । ଆକସ୍ମିକ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ଶିବାନକୁ ରାଜଧାନୀ ସରକାରୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାକୁ ପଡେ ।ନୂତନ ଭାବେ ଜଏନ କରିଥିବା ଡାକ୍ତରଙ୍କୁ ଲାଗେ ଶିବାନକୁ କୋଉଠି ଦେଖିଛନ୍ତି । କିନ୍ତୁ ଚିକିତ୍ସା ଆରମ୍ଭ କରିବା ସମୟରେ ହିଁ ସେ ତା'କୁ ଚିହ୍ନି ପାରନ୍ତି ।
---ଆରେ ୟେ' ତ ଆର୍ମି ଅଫିସର ଅରୂପ ସାମନ୍ତରାୟ ! ମୁଁ ହିଁ ତାଙ୍କର ଚିକିତ୍ସା କରିଥିଲି ଆର୍ମି କ୍ୟାମ୍ପରେ । କିନ୍ତୁ ସେ ଏଠି ,ଏମିତି ଅବସ୍ଥାରେ ?
ସବୁକଥା ଶୁଣି ସାରିବା ପରେ ଡାକ୍ତର ମହାଶୟ ଦୁଃଖିତ ହେଲେ ଏବଂ ଶେଷରେ କୌଣସି , ଆପଣାର ବିଶେଷ ଅନୁଭୂତି ଦ୍ୱାରା ଅରୂପ ତା'ର ସ୍ମୃତି ଶକ୍ତି ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାଇଲେ ।ରାଗେଶ୍ୱରୀର ରୋମ କୂପ ଅଦ୍ଭୁତ ଉତ୍ତେଜନାରେ ଶିହରିତ ହୋଇ ଉଠୁଥିଲା । ଗଭୀର ଆବେଗରେ ଡାକ୍ତରଙ୍କ ଗୋଡ ଦୁଇଟିକୁ ଜାବୋଡି ଧରିଲା ସେ ।
---ନାଇଁ ଡାକ୍ତର ବାବୁ , ଆପଣ ତାଙ୍କୁ ଯେମିତି ହେଉ ଠିକ୍ କରି ଦିଅନ୍ତୁ । ମୁଁ ....ମୁଁ ତାଙ୍କ ସ୍ମୃତି ଫେରିବାରେ ସାହାଯ୍ୟ କରିବି। ହଁ ମୁଁ , ମୋତେ ଚିହ୍ନି ପାରୁଛନ୍ତି ? ମୁଁ ସେଇ ଝିଅ ଯାହାକୁ ସିପାହୀ ମାନେ ତଡି ଦେଇଥିଲେ । ଆଉ ସେଇ ତଡିବା ଭିତରେ ହିଁ ମୋର ଏଇ ଦୁଇ ଆଖି ଭିତରୁ ଗୋଟିଏ ଆଖି ଦୁର୍ଘଟଣା ବଶତଃ ନଷ୍ଟ ହୋଇଗଲା ; ଆଉ..... ପରେ ପରେ କିଛିଦିନ ଭିତରେ ଚିକିତ୍ସା କରି ନ ପାରିବାରୁ ଅନ୍ୟ ଆଖିଟି ବି ନଷ୍ଟ ହୋଇଗଲା । ଯୋଉ ଦୁଇ ଆଖିକୁ ଅରୂପ ଏତେ ଭଲ ପାଉଥିଲେ ସେ ଆଖି ବଦଳରେ ମୋତେ ଏଇ କୃତ୍ରିମ ଆଖି ଯୋଡିକୁ ମାହେଶ୍ୱରୀ ଅପା ଲଗାଇ ଦେଇଥିଲେ । ଭଗବାନଙ୍କ ପରେ ଡାକ୍ତର ହିଁ ଦ୍ଵିତୀୟ ଈଶ୍ୱର । ପ୍ଲିଜ଼ ..ପ୍ଲିଜ଼ ଆପଣ ନିଶ୍ଚୟ କିଛି ଗୋଟେ କରନ୍ତୁ ।
ଅରୂପ ଓରଫ ଶିବାନର ଚେତନା ଫେରି ଆସୁଥିଲା ; ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭୁତ ହେଉଥାଏ ।
^^^^^^^
ଓଃ , ଚାରିଆଡେ କି ଘନ କୁହୁଡି ! କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହଲିବାକୁ ଲାଗିଥାଏ । ହଠାତ ଲୋକମାନେ ପରସ୍ପରଙ୍କ ମଧ୍ୟରେ ଧକ୍କା ହେବାର ଦେଖାଯାଏ । ଭୟରେ ଆତୁର ଲୋକଙ୍କର ଚିତ୍କାର ସହିତ ଭୀଷଣ ଶବ୍ଦ ସହିତ କେତେକ ବଗି ଲାଇନଚ୍ୟୁତ ହେବାର ଖବର ବିଜୁଳି ବେଗରେ ଖେଳିଯାଏ ଚତୁର୍ଦ୍ଦିଗ । ବିକଳ ଚିତ୍କାର , ଆତୁର କ୍ରନ୍ଦନ ଏବଂ ତା'ସାଥୀରେ ଲୋକଙ୍କର ଅହେତୁକ ଧାଁ ଧପଡ଼ ପରସ୍ଥିତିକୁ ଅଜଣା ଆଶଙ୍କାକୁ ଠେଲି ଦେଇଥାଏ । ହୁଏତ ଏମିତି ଦୁର୍ଘଟଣାକୁ କେହି ଆଶା କରି ନଥା'ନ୍ତି । କିନ୍ତୁ ଦୁର୍ଭାଗ୍ୟ ତା' ସମୟରେ ଆସିଥାଏ ଆଉ ବେଦନାମୟ ଖେଳ ବି ଖେଳି ଥାଏ । ଇଣ୍ଡିଆନ ଆର୍ମଡ଼ ଫୋର୍ସର ଅରୁପ ... ଅରୁପ ସାମନ୍ତରାୟ ଟୁ ଷ୍ଟାର ବେଜ ଧାରୀ । କମିଶନଡ଼ ସର୍ଭିସର ଅହରହ ଚାରିବର୍ଷର ନିରବଛିନ୍ନ ସଂଘର୍ଷ
ଦେଇଛି ସେ ଇଣ୍ଡିଆନ ଆର୍ମିକୁ । ପ୍ରତିବଦଳରେ ତାକୁ ମିଳିବ ଥ୍ରୀ ଷ୍ଟାରର ମାନ୍ୟତା । ଲିଉଟନାଟରୁ କାପଟେନ ହେବାର ଅବସରରେ କେଇଟା ଦିନ ପାଇଁ ଘର ଲୋକଙ୍କ ସହିତ ସମୟ କାଟିବା ପାଇଁ ବାହାରି ଥିଲା ସେ । କିନ୍ତୁ ଦୁର୍ଘଟଣାର ଶୀକାର ହୋଇ ଆର୍ମି ଅଫିସର ମାନଙ୍କ ଦ୍ୱାରା ଉଦ୍ଧାର ପାଇ ହସ୍ପିଟାଲରେ ନିଜକୁ ଆବିଷ୍କାର କଲା ଅରୁପ କିନ୍ତୁ ଆଉ ନିଜକୁ ଚିହ୍ନି ପାରୁ ନ ଥିଲା ସେ । କେଇଘଣ୍ଟା ପରେ ପୁଣି ଚେତନା ହରାଇ ଥିଲା ଅରୁପ । ପରିବାରର ତତ୍ତ୍ଵାଵଧାନରେ ଦୀର୍ଘ ଦିନ ଧରି ସେ କୋମାରେ ରହିଲା । ନାନା ପୂଜା ଅର୍ଚ୍ଚନା , ମାନସିକ ଇତ୍ୟାଦି ଦ୍ୱାରା ପ୍ରେରିତ ହୋଇ ଶେଷରେ ଚେତନା ଆସିଲା ଅରୁପର । ବ୍ରାହ୍ମଣ ତା'ର ପୁନର୍ଜନ୍ମ ବୁଝି ତାକୁ ଡାକିଲେ ଶିବାନ । ଅରୁପରୁ ପରିବର୍ତ୍ତିତ ହୋଇଗଲା ସେ ଶିବାନକୁ । ସେଇଦିନ ଠାରୁ ସମସ୍ତେ ଡାକିଲେ ଶିବାନ ।
^^^^^^^
--ଆଃ ....ମୁଁ କୋଉଠି ?
---ବ୍ୟସ୍ତ ହୁଅନା । ତମେ ଏବେ ବିପଦ ମୁକ୍ତ ।
----କିନ୍ତୁ ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରା ହଉଛି ତ ।ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନିତାନ୍ତ ଜରୁରୀ ।
---ଆଉ କେହି ଆହତ ହୋଇନାହାନ୍ତି ।
---କିନ୍ତୁ କଳିଙ୍ଗ ଉତ୍କଳ ଡି ରେଲଡ଼ ହୋଇଥିଲା ଡକ୍ଟର ।ମୋ' ସହ ଅନ୍ୟମାନେ ମଧ୍ୟ ଇଂଜୋର୍ଡ ହୋଇଥିଲେ ।
----ଓ କେ ,ଓ କେ .....ଅରୂପ । ଥେଙ୍କ ଗଡ ....ଓଃ ଇଟ ଇଜ ବୋଣ୍ଡରଫୁଲ । ( ରାଗେଶ୍ୱରୀଙ୍କୁ ସାମ୍ନାକୁ ନେଇ ଆସି ) ଦେଖିଲ , ୟେ' କିଏ ? ......ଚିନ୍ହି ପାରୁଛ ?
ଯନ୍ତ୍ରଣା ମିଶା ସ୍ମିତହାସ୍ୟ ଟିଏ ଖେଳାଇ କହିଲା ---"ଆରେ ରାଗୀ ତମେ ଏଠି ? କେମିତି ଆସିଲ ?" ମାହେଶ୍ୱରୀ ତାକୁ ବ୍ୟସ୍ତ ନହେବା ପାଇଁ ଧୈର୍ଯ୍ୟ ଧରିବା ପାଇଁ ଉପଦେଶ ଦେଲେ ଏବଂ ସୁସ୍ଥ ହୋଇଗଲେ ସବୁ କିଛି ଜାଣିଯିବେ ବୋଲି ଆଶ୍ୱାସନା ଦେଲେ ।
******
ଆଜି ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛି ରାଗେଶ୍ୱରୀକୁ ନିଜ ସାଥୀରେ ନେଇ ଯିବାକୁ ତା' ଘରକୁ । ଏଇ କେତେଦିନ ହେବ ସେଇ ଆଖି ଯୋଡିକର ସ୍ୱପ୍ନ ଜାଗ୍ରତ ଓ ନିଦ୍ରାରେ ଉଭୟ ଚୈତନ୍ୟ ଓ ଜାଗରଣରେ ସଦା ସର୍ବଦା ରାଗେଶ୍ୱରୀର କଣ୍ଠ ଆଉ ସେଇ କାନ୍ଥରେ ଟଙ୍ଗା ହୋଇଥିବା ଆଖି ଯୋଡିକ ତା'ର ଶାନ୍ତି ଭଗ୍ନ କରିଛନ୍ତି । ସବୁକିଛି ଜାଣି ସାରିଛି ସେ । ସେଇ ଚିତ୍ରପଟ୍ଟରେ ଥିବା ଆଖି ଯେ ରାଗେଶ୍ୱରୀର ଏବଂ ଦିନେ ତା'ରି ପାଇଁ ତାହା ନଷ୍ଟ ହୋଇଛି ଜାଣି ଭୀଷଣ କଷ୍ଟ ହେଉଛି ତାକୁ । ହୃଦୟ ଶରାହତ ପକ୍ଷୀ ପରି ଛଟପଟ ହେଉଛି । ସେଇ ଆଖିପତା ଉପରେ ସେ କେତେଥର ଚୁମା ନ ଦେଇଛି ! କେତେ ସ୍ୱପ୍ନ ନ ଦେଖିଛି !ବୋର୍ଡର ଲାଇନ ଉପରେ କେତେ ପ୍ରହର ନ ବିତାଇଛି ସେଇ ଆଖିକୁ ମନେ ପକେଇ ! ନା ....ନା ,ଏମିତି ବ୍ୟର୍ଥ ହେବାକୁ ସେ ଦେଇ ପାରିବନି ସମଗ୍ର ଜୀବନ । ଯେମିତି ହଉ ସେ ରାଗେଶ୍ୱରୀର ଆଖି ଭଲ କରିବ । ରାଗେଶ୍ୱରୀ ତା' ପାଖରେ ଆସି କେତେବେଳୁ ଠିଆ ହେଲାଣି ତା' ସ୍ପର୍ଶରୁ ଜାଣିଲା । ଦୁଇ ହାତରେ ରାଗେଶ୍ୱରୀ ତାକୁ ଅଣ୍ଡାଳି ଧରୁଛି ।ନାରୀର ସ୍ଵଭାବସିଦ୍ଧ ଲଜ୍ଜା ଯୋଗୁ ତା'ର ଓଠ ଥରି ଯାଉଥାଏ ,, ଛାତିରେ ଟିକେ ଜଡାଇ ଧରିବାକୁ ବିକଳ ନୀରବ ପ୍ରତ୍ୟାଶା । ଅରୂପ କ୍ଷଣେ ଚାହିଁଲା । ବୋଧହୁଏ ମାପୁଥିଲା ରାଗେଶ୍ୱରୀର ପ୍ରେମକୁ । ତା' ଆଖି କୋଣର ଜକେଇ ଆସୁଥିବା ଲୁହ ବୁନ୍ଦାକୁ ଅବରୋଧ କରିବାକୁ ଯାଇ ଅତି ନିବିଡ ଭାବରେ ଜଡାଇ ଧରି ଅଶ୍ରୁବୁନ୍ଦା ଉପରେ ନିଜ ଓଠ ଥାପିଲା ଅରୂପ ।
---ମୁଁ ନିଜକୁ ଅସହାୟ ଭାବୁନି । ତମେ ମୋତେ ମିଳି ଯାଇଛ । ଏଣିକି ମୁଁ ତମ ଆଖିରେ ସବୁକିଛି ଦେଖିବି ।
ସଁ ସଁ ହୋଇ ନାକ କାନ୍ଦୁରା ସ୍ୱରରେ ବିଷର୍ଣ୍ଣ କଣ୍ଠରେ କହୁଥିଲା ରାଗେଶ୍ୱରୀ । ସେମାନଙ୍କର ଏହି ଯୁଗଳ ବନ୍ଦୀ ମୂର୍ତ୍ତିକୁ ନିର୍ନିମେଶ ନୟନରେ ଦେଖୁଥିଲେ ମାହେଶ୍ୱରୀ , ଶୁକ ଦେଈ , ନିକି । ହଠାତ ନିକି ଦଉଡି ଆସି ଅରୂପ ଆଉ ରାଗେଶ୍ୱରୀଙ୍କ ସହ ଜଡିଗଲା ଆଉ କହିବାକୁ ଲାଗିଲା.....
-- ମୋ' ଆଖିରେ ଦେଖିବ ମୋ ରାଗୀ । ନା ...ମାଆ ! ( ମାହେଶ୍ୱରୀଙ୍କ ଆଡକୁ ଚାହିଁ ) ମୁଁ ତ ଆଉ ବେଶୀ ଦିନ ବଞ୍ଚିବିନି । ମୋ' ଆଖିକୁ ତମେ ସମସ୍ତେ ମିଶି ମୋ' ରାଗୀ ଆଖିରେ ଲଗେଇ ଦବ । ସେଇ ଆଖିରେ ମୁଁ ମୋ ରାଗୀ ଭିତରେ ରହି ଦେଖିବି । ଏଥର ହସ ତ ଟିକେ ! ! "
ରାଗେଶ୍ୱରୀ ନିକିକୁ କୁଣ୍ଢାଇ ପକାଇଲା । ସେ ଜାଣେ , ଅନାଥ ପିଲାଟିର ଆୟୁଷ ଆଉ ଅଳ୍ପ ଦିନ । ତଥାପି ନିକି ଅନ୍ୟ ସାଧାରଣ ପିଲାଙ୍କ ପରି ବ୍ୟବହାର ଦେଖାଏ ।
କେବେ ମନ ଊଣା କରେ ନାହିଁ । ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଝିଅଟିର ଗୋଟେ କିଡନୀ ନାହିଁ । ଅନ୍ୟ କିଡନୀଟି ଛୋଟିଆ ଏବଂ ଖରାପ । ତତ ସହିତ ବ୍ଲାଡ଼ର ମଧ୍ୟ ନାହିଁ ।ଏମିତି ବିଭିନ୍ନ ଶାରିରୀକ ସମସ୍ୟା ଥାଇ ଝିଅଟି ଜୀବନର ସାବଲୀଳ ଛନ୍ଦ ହରାଇଛି । କାହାର କିଛି କରିବାର ନାହିଁ ।ଆଖିରୁ ଲୁହ ଧାର ସବୁ ନିଗିଡି ପଡୁଥିଲା ଉପସ୍ଥିତ ବ୍ୟକ୍ତିଙ୍କ ଆଖିରୁ ...!
---ନିକି ,ତୋ' ହୃଦୟର ବିଶାଳତା ଆଗରେ ଦୁନିଆର ସବୁ କିଛି ତୁଚ୍ଛ ଲୋ ....ଜନ୍ମ ଜନ୍ମ ପାଇଁ ଋଣୀ କରିଦେଲୁ ସେଇ ଆଖି ଯୋଡିକ ପାଇଁ ।
ରାଗେଶ୍ୱରୀ ଧଙ୍କି ଧଙ୍କି କହୁଥାଏ ନିକିକୁ ଏକ ଆବେଗରେ ନିଜ ଛାତିରେ ବାନ୍ଧି ରଖି ।
**************************
ବାରିପଦା
8249850168
ଜୟ ସାହିତ୍ୟ, ଜୟ ସମାଜ