3/01/2020

ବୀରପୁତ୍ର : ରଞ୍ଜନ କୁମାର

କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି
  ସମ୍ପାଦକ - ଉଦୟ ଭାନୁ 
ଝରେ ଝର ଝର     ଲୋତକ ନିର୍ଝର                                         ଅଞ୍ଚଳ ବନ୍ଯା ପ୍ଲାବିତ
  ଆପଣା ସ୍ବଜନ     ପ୍ରିୟ ପରିଜନ          
      ସର୍ବେ ଶୋକେ ଅଭିଭୂତ ।
      ସମ୍ପର୍କକୁ କରି ତିକ୍ତ ;
ଥିଲା କେଉଁ ଦୋଷ      କଲ କାହିଁ ରୋଷ
          କରିଲନି କାହିଁ ବ୍ଯକ୍ତ ? ୧
ଏମିତି ଭାବରେ     ଛାଡ଼ି ଗଲା ପରେ
          ଜାଣିକି ନଥିଲ ତୁମେ
କେତେ ଯେ ହୃଦୟ     କାନ୍ଦିବ ନିଶ୍ଚୟ 
          ବାହୁନି ଏ ମରଧାମେ ! 
      ମେଦିନୀ କମ୍ପେ ରୋଦନେ ;
  ସମାଜ ସଂସ୍କାର     ମନ୍ତ୍ର ଥିଲା ଯା'ର 
       ହୃତ ସେ କେଉଁ କାନନେ । ୨
    କଳୁଷିତ ଏଇ     ସମାଜଟା ପାଇଁ 
           ବିଳପି ଉଠେ ଯା' ହୃଦ
   ଦଇବ ଦାରୁଣ      ଦେଲା କି କଷଣ 
         କୋଟି ଜନ ମନେ ଖେଦ ।
          ନିଦ୍ରାବତୀ ଦେଲେ ନିଦ ;
   କଞ୍ଚା ବାଛି ନେଲା     ରଖିଲା ପାଚ଼ିଲା
          ଯମ ଆଚ଼ରିଲା ବାଦ । ୩
     ଅନ୍ୟାୟ ଅନୀତି     ସ୍ବାର୍ଥମୟ ପ୍ରୀତି
                ଲାଞ୍ଚ କଷଣ ଧର୍ଷଣ 
       ଭଣ୍ଡ ରାଜନୀତି     ଶୋଷଣର ସ୍ଥିତି
                ସମାଜ ସାରା ବର୍ଷଣ ।
                ସାଜି ତୁମେ ଭଗବାନ ;
          ଦୁର୍ଜନ ଦମନ     କରିବାର ପଣ
               କରି ସାଜିଲ ମହାନ । ୪

ମୋ' ସର୍କାର କହି     ଡ଼ିଣ୍ଡିମ ପିଟଇ
        ଆସନ ଲୋଭୀ ରାଜନ
ଆମ୍ବଡ଼ା ଦେଖାଇ     ବରକୋଳି ଦେଇ
       ପରୋକ୍ଷେ କରେ ଶୋଷଣ । 
            ପ୍ରଜାଗଣ ମ୍ରିୟମାଣ ;
ଥିଲ ବୋଲି ତୁମେ     ଏ ମରତ ଧାମେ
         କରୁଥିଲ ଆନ୍ଦୋଳନ । ୫
     ସରକାରଙ୍କର     ସୂଚ଼ନାଧିକାର
             ଆଇନ୍‌ର ଥଳି ଧରି
    ସୂଚ଼ନା ଗୋଟାଇ     ଦୁର୍ନୀତି ହଟାଇ
             ଦୁର୍ଜନଙ୍କର ବଇରୀ ।
            ବ୍ଯୁହ କରିଲେ ତିଆରି ;
     ରାତାରାତି କଳା      ବନିଗଲା ଧଳା
           ପିଣ୍ଡୁ ପ୍ରାଣ ନେଲେ ହରି । ୬
      ଯଦିବା ରକ୍ଷକ     ସାଜିବ ଭକ୍ଷକ 
              କାହାକୁ ଭରସା କୁହ
    ଅଛି ଆଉ କିଏ       ପୋଛିଦେବ ଯିଏ
               ଗରିବ ଆଖିର ଲୁହ ।
                ପରାଣଟା ଦୁର୍ବିସହ ;
        ସ୍ବାର୍ଥବାଦୀଗଣ     ହରିନେଲେ ପ୍ରାଣ
               ସତ୍ଯ ଲୁଚ଼ାଇଲା ମୁହଁ । ୭
       କେନ୍ଦ୍ରାପଡା ମାଟି     ଧନ୍ୟ ବୋଲାଇଛି
                   ତୁମ ପରି ପୁତ୍ର ପାଇ
           ରଞ୍ଜନ କୁମାର     ଅଞ୍ଚଳଯାକର
                 କୁମର ଥିଲଟି ହୋଇ ।
                  ସସ୍ର ପ୍ରଣିପାତ ଭାଇ ;
         ଚ଼ିରଦିନ ତୁମେ     ବୀରପୁତ୍ର ନାମେ
                  ଅମର ଥିବଟି ରହି । ୮
**********************************
ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
        ସମ୍ପର୍କ - ୮୯୧୭୪୮୦୫୩୬ 
**********************************
ଜୟ ସାହିତ୍ୟ, ଜୟ ସମାଜ

ସାହିତ୍ଯ ନାମରେ ଚଞ୍ଚକତା


                              ଡ଼କ୍ଟର ଲକ୍ଷ୍ମଣ ସାହୁ    

             ନିକଟରେ  ଏ' ଅଧମ  ବିଭିନ୍ନ  ସାହିତ୍ୟାନୁରାଗି  ବନ୍ଧୁମାନଙ୍କୁ  ବିଭିନ୍ନ  ସମ୍ବର୍ଦ୍ଧନା  ଉତ୍ସବରେ  ଭେଟିଛି  ,  ସେମାନଙ୍କ  ସାହିତ୍ୟ  ସମ୍ବନ୍ଧରେ  ଶାଣିତ  ଭାଷଣ  ଶୁଣି  ବିସ୍ମୟ  ବିମୁଗ୍ଧ  ହୋଇଛି  ।  ସମ୍ବର୍ଦ୍ଧନା  ଉତ୍ସବରେ  ବହୁ  ବହୁ  ଗୁଣରେ  ଗୁଣବାନ  ଖ୍ୟାତି (ଅ)  ସଂପନ୍ନ ମହାମହିମ  ମାନଙ୍କୁ  ସମ୍ବର୍ଦ୍ଧନା  ଦିଆଯାଉଥିବା  ବେଳେ  କରତାଳି ଉଛୁଳି  ପଡୁଥିବା  ଓ  ନିଜକୁ  ପରମ  ସୌଭାଗ୍ୟଶାଳୀ  ମନେକରୁଥିବା  (ଅ)ମହାମହିମମାନଙ୍କ  ବୀରଦର୍ପ  ସୁଠାମ  ସ୍ମିତହାସ୍ୟ  ଅବଲୋକନ  କରିଛି  ।  ଇନ୍ଦ୍ର  ସଂପଦ  ଲାଭ  କରିବା  ଭଳି  ଆତ୍ମସନ୍ତୋଷ  ଏ' ମାନପତ୍ର  ଖଣ୍ତିକରେ  ଯେ  ଲୁଚି  ରହିଛି  ତା'  ମୋତେ  ଅଜଣା  ଅଛି  କେମିତି  ଜାଣେନା  ।  ମାନପତ୍ର  ସମ୍ବର୍ଦ୍ଧନା  କୌଣସି  ସରକାରୀ  ପକ୍ଷରୁ  ନୁହେଁ  କି  ସରକାରୀ  ସ୍ୱୀକୃତିପ୍ରାପ୍ତ  ଅନୁଷ୍ଠାନରୁ  ନୁହେଁ  ।  ଯଦିଓ  କେତେକ  ପଞ୍ଜିକରଣ  କରାଯାଇଥିବା  ଅନୁଷ୍ଠାନ ,  ସବୁ  ଅନୁଷ୍ଠାନ  ନୁହେଁ,  କେତେକ  ଅନୁଷ୍ଠାନ  ଗୋଟିଏ  ମୁହୂର୍ତ୍ତରେ  ଶତାଧିକ  ମହାମହିମ  ସାହିତ୍ୟିକ  ବୋଲାଉଥିବା  (ଅ)ସାହିତ୍ୟିକଙ୍କୁ  ସମ୍ବର୍ଦ୍ଧନା  କରୁଥିବା  ହାସ୍ୟାସ୍ପଦ  ମନେହୁଏ  ।  କବି  ରାଧାନାଥ ରାୟଙ୍କ  ଭାଷାରେ  " ଉପାଧି  ଜଡ଼ିତ  ଉପାଧି  ଜଡ଼ିତ ,  ଉପାଧିରେ  ଆଜ  କରିବେ  ଭୂଷିତ  ! "

          ସ୍ୱତନ୍ତ୍ର  ତଥ୍ୟାନୁସାରେ  ସ୍ପଷ୍ଟ  ହୁଏ  ଆଜିର  ଏ  ସୋସିଆଲ  ମିଡିଆ  ମାନେ  ଫେସବୁକ ,  ଓ୍ୱ।ଟସ ,  ମେସେଜ ,  କାଭାଁ  ଖବର  କାଗଜରେ  ଲେଖା  ଯାହା  କିଛି  ଗୋଟାଏ  ଦୁଇଟି  ବାହାରି  ଗଲେ  ସାହିତ୍ୟିକ/ସାହିତ୍ୟିକା  ବନିଯିବାରେ  ଅସମ୍ଭବ  ନୁହେଁ  ।  ଛାଡ଼ନ୍ତୁ ,  ରାଧାନାଥ  ଦିନେ  ସିନା  ଉତ୍କଳରେ  ବାଗ୍ ଦେବୀ  ସରସ୍ବତୀଙ୍କ  ବିମୁଖ ( ଦେବୀ  ବୀଣାପାଣି   କେଉଁ  ପାପ  ଫଳେ ,  କରୁଣା  ତୋହର  ଉଣା  ଏ  ଉତ୍କଳେ )  ପାଇଁ  ଦୁଃଖ  ପ୍ରକାଶ  କରୁଥିଲେ  ।  ଏବେ  କିନ୍ତୁ  କେତେ  କେତେ  କବିପ୍ରାଣ ,  କବି ସୌରଭ ,  ପ୍ରଜ୍ଞା ଶିରୋମଣି ,  କବିଗୌରବ  ଆଦି ,  ଏତତ୍ ବ୍ୟତୀତ  ପ୍ରାତଃସ୍ମରଣୀୟ  କବି  ସୂର୍ଯ୍ୟ ,  କବି  ସମ୍ରାଟ , ବ୍ୟାସକବି ,  ପ୍ରଣୟ  କବି ,  କବି  ଗଡନାୟକ ,  ସଚ୍ଚିଦାନନ୍ଦ  , ବୈଷ୍ଣବ  ପାଣି ,  ଗୋପାଳ  ଛୋଟରାୟ  ,  ଶୁଦ୍ର ମୁନି ,  ଜଗନ୍ନାଥ  ଦାସ ,  ଭକ୍ତ କବି ,  ମହତାବ   ଇତ୍ୟାଦି  ଇତ୍ୟାଦି  ନାମରେ  ସମ୍ବର୍ଦ୍ଧନା  ଦିଆଯାଉଛି  ଓ  ନିଆଯାଉଛି  ତାହାର  ଇୟତ୍ତା  ନାହିଁ   ।   ଦେଉଥିବା  ଅନୁଷ୍ଠାନ  ଓ  ଗ୍ରହଣ  କରୁଥିବା  (ଅ) ମହାମହିମ  ଏହି  ପ୍ରାତଃସ୍ମରଣୀୟ  ଓଡିଆ  ଭାଷା  ସାହିତ୍ୟରେ  ଅବିସ୍ମରଣୀୟ  ସ୍ରଷ୍ଟାମାନଙ୍କୁ  ଜାଣନ୍ତି  କି  ଅଜଣା    ?   ସେମାନଙ୍କ  ସଂପର୍କରେ  କେତେ  ଦକ୍ଷତା ,  ପାରିଦର୍ଶିତା ,  ଗବେଷଣା  ରହିଛି  ନା  ମହାମହିମ  ସେହି  ପ୍ରାତଃସ୍ମରଣୀୟ  ମାନଙ୍କ  ସହ  ସମତୁଳନୀୟ   ??   ତାହା  କେବଳ  ନେବା  ଓ  ଦେବା  ସୁସାହିତ୍ୟିକ  ବୋଲାଉଥିବା  ଏହି  ଜ୍ଞାନୀଗୁଣି  ମାନଙ୍କୁ  ଆମର  ବିନମ୍ର  ପ୍ରଣାମ  ,  ସତରେ  ସେମାନଙ୍କ  ସାହିତ୍ୟ  ( କାଳଜୟୀ/ କାଳଶ୍ରୟୀ)  କୃତି  ସମୂହକୁ  ଆକଳନ , ତର୍ଜମା , ଅନୁଶୀଳନ  କରି  ସମ୍ମାନିତ  କରାଯାଉଛି  ନା  ନେପଥ୍ୟ  କିଛି  କିଛି  ଅସଲ  ଉଦ୍ଦେଶ୍ୟ  ଲୁଚି  ରହୁଛି  ???  ଓଡିଆ  ସାହିତ୍ୟ  ଭଣ୍ଡାରକୁ  ରୁଦ୍ଧିମନ୍ତ  କରିଥିବା  ସେହି  ଅବିସ୍ମରଣୀୟ  ଅମ୍ଳାନ  ପ୍ରତିଭାଧର  ମାନଙ୍କ  ନାମାନୁସାରେ  ସମ୍ବର୍ଦ୍ଧନା  ଦେଇ  ପୂର୍ବସୂରୀ  ମାନଙ୍କୁ  ଅସମ୍ମାନ  କରାନଯାଉ  ।  ନିଜସ୍ୱ  ଅନୁଷ୍ଠାନ  ନାମରେ  କାହାକୁ  ସମ୍ବର୍ଦ୍ଧନା  ଦିଆଗଲେ  କାହାର  ଆପତ୍ତି  ଅଭିଯୋଗ  ଆସିବ  ନାହିଁ  ।  ସରକାର  କର୍ତ୍ତୃପକ୍ଷ  ଏଥିପ୍ରତି  ଦୃଷ୍ଟିଦେବାର  ଆବଶ୍ୟକ  ରହିଛି  ।  କିଛି ସାରସ୍ବତ ସଂଗଠନ 'ର  ପୁରୋଧାମାନେ  ବୋଧହୁଏ  ନିଜକୁ  ପ୍ରଚଣ୍ଡ  ଜ୍ଞାନର  ବାରଧି  ମନେକରୁଛନ୍ତି ।  ତେଣୁ  ସେମାନେ  ଅପାତ୍ରରେ  ପ୍ରଦାନ  କରୁଛନ୍ତି  କବିରତ୍ନ,  କବି ସମ୍ରାଟ ,  କବି ସୂର୍ଯ୍ୟ ,  ବ୍ୟାସକବି ଓ  ପଣ୍ଡିତ  ଆଦି  ଉପାଧି...!!

           ବିଭିନ୍ନ   ସାରସ୍ୱତ  ଉତ୍ସବରେ   ସଭାମଣ୍ତନ  କରୁଥିବା  ଏହି  ମହାମହିମ  (ଅ)ସାହିତ୍ୟକମାନେ  ସାହିତ୍ୟ  ସଂପର୍କରେ  ଯେଭଳି  ଗୁଜବ  ସୃଷ୍ଟି  କରନ୍ତି,  ନାନା  ବିବାଦ  ମାନ  ମନ୍ତବ୍ୟ  ଦେଇ  ଆତ୍ମତୃପ୍ତି  ଲାଭକରନ୍ତି  , ମନେହୁଏ  ଶତାଧିକ  ବର୍ଷର  ଇତିହାସ  ସେମାନଙ୍କ  ଗବେଷଣାଗାରରେ  ଗଚ୍ଛିତ  ରହିଛି  ।  ସାହିତ୍ୟର  ସଂଜ୍ଞା  ନିର୍ଣ୍ଣୟ  ଅତି  ବ୍ୟାପକ  ଓ  କଷ୍ଟକର  ।   ସେଣ୍ଟ୍  ଅଗଷ୍ଟାଇନ୍  ଏକଦା  କହିଥିଲେ  " ମୋତେ  ଯଦି  ନପଚାର ,  ତାହେଲେ  ମୁଁ  ଜାଣିଛି  ବୋଲି  କହିବି ,  କିନ୍ତୁ  ଯଦି  ମୋତେ  ପଚାରିବ,  ତାହେଲେ  ମୁଁ  କହିବି  ଜାଣିନି  ।''  ସାହିତ୍ୟକୁ  ଅଳ୍ପରେ  ବିଶ୍ଳେଷଣ  କରିବା  ସହଜ  ସାପେକ୍ଷ  ନୁହେଁ  ।   କେବଳ  ଯାହା  ବ୍ୟବହାର  ବିଧିରେ  ଥାଏ  ସାହିତ୍ୟ  ବା  ଲିଟେରେଚର୍  ଏହା  ମଧ୍ୟ   କହିବା  ଠିକ୍  ନୁହେଁ  ।   କାରଣ  ସଂବାଦ,  ଇତିହାସ , ଭୂଗୋଳ  ,  ସରକାରୀ  କାଗଜପତ୍ର  ,  ବିଜ୍ଞାପନ,  ସବୁ  କବିତା , ଗଳ୍ପ ,  ନାଟକ ,  ଉପନ୍ୟାସ  ସାହିତ୍ୟ  ପଦବାଚ୍ୟ  ଭାବିବା  ଭୁଲ୍  ।  ସାହିତ୍ୟର  ଆଙ୍ଗିକ,  ଆବଶ୍ୟକୀୟ   ଉପାଦାନ   ଆଦିର   ବିଶ୍ଳେଷଣ  ରହିଛି  ।   ପ୍ରକୃତ  ସାହିତ୍ୟ  ଯାହା  କେବଳ  ଆବେଗ  ,  ଭାବନା  ଓ  କଳ୍ପନା  ପ୍ରସୂତ  ଜଗତ  ଓ  ଜୀବନ  ସମ୍ବନ୍ଧୀୟ  ସ୍ଥାୟିତ୍ୱ  ଗୁଣ  ସମ୍ପନ୍ନ  ଏକ  କଳାତ୍ମକ  ସୃଷ୍ଟି ,  ଯାହାର  ସ୍ଥାୟିତ୍ୱ  ଗୁଣ  ରହିଛି  ।  ଜଗତ  ଓ  ଜୀବନ  ସମ୍ପର୍କରେ  ସ୍ରଷ୍ଟାର  ଭାବ-ଭାବନା  ଓ  ଆବେଗ-ଅନୁଭୂତି  ସାହିତ୍ୟରେ  ପ୍ରକାଶପାଏ  ।  ସ୍ରଷ୍ଟାର  ଭାବନାଭୂତି  ପାଠକ  ନିଜ  ଅନ୍ତରରେ  ଅନୁଭବ  କରେ  ।  ସ୍ରଷ୍ଟାର  ଭାବ-ଭାବନା,  ଚିନ୍ତା-  କଳ୍ପନା ,  ଜଗତ  ଓ  ଜୀବନ  ସମ୍ପର୍କିତ  ହୋଇଥିବାରୁ  ସାହିତ୍ୟ  ଗଭୀର  ଓ  ଦୀର୍ଘସ୍ଥାୟୀ  ମାନବଧର୍ମୀ  ପାଲଟେ ।  ତାହା  ପାଠକର  ନିକଟତର  ,  ଅନ୍ତରଙ୍ଗ  ଓ  ଆଦରଣୀୟ  ହୁଏ  ।  ତେଣୁ   ସାହିତ୍ୟ  ସଂପର୍କରେ   ହଡସନ୍  କୁହନ୍ତି - "  ସାହିତ୍ୟ  ହେଉଛି  ଜୀବନାଭୂତିର  ବାଙ୍ମୟ  ପରିପ୍ରକାଶ  ।  ମାଥ୍ୟୁଆର୍ ନୋଲଡ୍ ଙ୍କ  ଦୃଷ୍ଟିରେ " ସାହିତ୍ୟ  ହେଉଛି  ଜୀବନର  ପର୍ଯ୍ୟାଲୋଚନା  ।"  କରିରିଜ୍ ଙ୍କ  ଭାଷାରେ- "  ଜୀବନ  ଓ  ଜଗତ  ସଂପର୍କରେ  କେତେକ  ଚିରସ୍ଥାୟୀ  ଚିନ୍ତା ,  ଭାବ   ଓ  ଅନୁଭୂତିର  ପରିପ୍ରକାଶ  ହେଉଛି  ସାହିତ୍ୟ  ।"

               ସାହିତ୍ୟ  ଶବ୍ଦଟି  ' ସହିତ '  ଶବ୍ଦରୁ  ଉତ୍ପନ୍ନ  ।  ' ହିତେନ  ସହ  ମହିତଂ  ତସ୍ୟଭାବଃ  ସାହିତ୍ୟମ୍ '  ।   ଅର୍ଥ  ସାହିତ୍ୟ  ମାନବ  ସମାଜର  ହିତ  ସାଧନ  କରିଥାଏ  ।  ତେଣୁ  କୁହାଯାଇଛି- " ରାମାଦିବତ୍  ପ୍ରବର୍ତ୍ତିତବ୍ୟମ୍  ନ  ରିବଣାଦିବତ୍ ।"  ସାହିତ୍ୟ  ରାମଙ୍କ  ଭଳି  ଜଗତର  ମଙ୍ଗଳ  ସାଧନ  କରିବା  ଉଚିତ ,  କିନ୍ତୁ  ରାବଣ  ପରି  ଜଗତର  ଅମଙ୍ଗଳ  କରିବା  ସାହିତ୍ୟର  ଧର୍ମ  ନୁହେଁ  ।  ସାହିତ୍ୟର  ଏହା  ନୈତିକ  ଗୁଣ  ।   ସୂଚେଇ  ଦେବାକୁ  ବାଧ୍ୟ  ହେଉଛି  ଏହି  ନୈତିକ  ଗୁଣ  ସାହିତ୍ୟିକ  ବନ୍ଧୁମାନେ  ଭୁଲି  ଯାଉଛନ୍ତି  ବା  କିପରି  ?  ଅର୍ଥ  ଦେଇ  ବା  ନେଇ  ସାହିତ୍ୟ  ସାଧନା  କରାଯାଏ  ନାହିଁ ,  କି  କେହି  ଲବ୍ଧ  ସାହିତ୍ୟିକ  ହୋଇ  ପାରେ  ନାହିଁ  ।  ଦେଖାଦେଇଛି   ଅର୍ଥ  ଦେଇ  ବିଭିନ୍ନ   ପତ୍ର-ପତ୍ରିକାରେ  ନିଜ  ସୃଷ୍ଟିକୁ  ଛାପିବା  ଅପେକ୍ଷା  ଧୀରେ  ଧୀରେ  ସଂଚୟ  କରି  ନିଜର  ବହିଟିଏ  ଛାପିଲେ  ତାର  ଅମୃତ  ସ୍ୱାଦ  ବାରି  ହେବ  ।  କେତେକ  ଅର୍ଥ  ଶୋଷଣକାରୀ  ପିପାସୁ  ଲେଖାଟିଏ  ଛାପିବାର  ଓ  ସମ୍ବର୍ଦ୍ଧନା  ଦେବାର    ମୋହ  ଦେଖାଇ  ପଦ  ପଦବୀ  ନାମରେ  ଅର୍ଥ  ସଂଗ୍ରହ  କରି  ସେଇ  ଅର୍ଥରେ  କିଛି  ସଂପାଦକ  ବାହାବା  ନେଉଛନ୍ତି, ସେଭଳି  ସଂପାଦକ  ମାନଙ୍କ  ଠାରୁ  ଦୂରେଇ  ରହନ୍ତୁ ।  ନୋହିଲେ  ସବୁଦିନେ  ଭକୁଆ  ହୋଇ  ରହିଥିବେ   ?  ଏଥିରେ  ସାହିତ୍ୟର  କି  ଜାତିର  ଉନ୍ନତି  ଘଟିବ  ନାହିଁ ,  ବରଂ  ସାହିତ୍ୟକୁ  ପରୋକ୍ଷରେ  ହତ୍ୟା  କରିଯାଉଛି  ।   ସାହିତ୍ୟ  ନବୁଝି  ସାହିତ୍ୟକୁ  କଦର୍ଥ  କରୁଥିବା  ଏହି  ମୁଷ୍ଟିମେୟ  ରାବଣ  ସଂପ୍ରଦାୟଙ୍କୁ  ଚିହ୍ନଟ  କରିବାର  ଆବଶ୍ୟକ  ରହିଛି  ।  ମନଇଚ୍ଛା  ମଞ୍ଚରେ  ସାହିତ୍ୟ  ସଂପର୍କରେ  ଏଣୁ  ତେଣୁ  ଗୁଡାଏ  କହିଦେଲେ  ,  ବିଭିନ୍ନ  ଟିପ୍ପଣୀ  ଦେଲେ  ସାହିତ୍ୟ  ହୁଏନି,  ସେଥିପାଇଁ  ଗଭୀର  ଅଧ୍ୟୟନ ,  ଅଧ୍ୟାବସାୟ  ,  ସାଧନା  ରହିଛି  । 

            ' ସହିତ '  ଶବ୍ଦର  ଭିନ୍ନ  ଏକ  ଅର୍ଥ  ହେଉଛି  ' ମିଳନ ' ।  ଅର୍ଥାତ  ଶବ୍ଦ  ଓ  ଅର୍ଥର  ଉପଯୁକ୍ତ  ମିଳନକୁ  ସାହିତ୍ୟ  କୁହାଯାଏ  ।  " ବାଗାର୍ଥବିବ  ସଂପୃକ୍ତୌ  ବାଗାର୍ଥପ୍ରତି ପତ୍ତୟେ ,  ଜଗତପିତରୌ  ବନ୍ଦେ  ପାର୍ବତୀ  ପରମେଶ୍ବରୌ -" କାଳିଦାସ  'ରଘୁବଂଶ 'ରେ  ଶବ୍ଦ  ଓ  ଅର୍ଥର  ଏହି  ମିଳନକୁ  ଶିବ  ପାର୍ବତୀଙ୍କ  ସହ  ଯୋଡିଛନ୍ତି  ।  କୁନ୍ତକ  " ସମସର୍ବ  ଗୁଣୌ  ସନ୍ତୌ  ସୁ  ହୃଦାବିବ  ସଂଗତୌ ,  ପରସ୍ପରସ୍ୟ  ଶୋଭାୟୈ  ଶଦ୍ଦାର୍ଥୌ  ଭବତୋ  ଯଥା -" ,  ଅର୍ଥାତ  ଶବ୍ଦ  ଓ  ଅର୍ଥର  ପରସ୍ପର  ସହଭାବକୁ  ସେ  ଦୁଇ  ମିତ୍ରଙ୍କର  ଘନିଷ୍ଠ  ବନ୍ଧୁତ୍ୱକୁ  ତୁଳନା  କରିଛନ୍ତି  ।  ପ୍ରକୃତରେ  ଶବ୍ଦ  ଓ  ଅର୍ଥର  ମିଳନ  କେବଳ  ନୁହେଁ  ବରଂ  ଶବ୍ଦ ,  ଅର୍ଥ ,  ଭାବ  ଓ  କଳ୍ପନା  ନେଇ  ସାହିତ୍ୟ  ସର୍ଜନା ,  ସେସବୁର  ସଠିକ୍  ସହାବସ୍ଥାନ  ମିଳନରେ  ସାହିତ୍ୟର  ସୌନ୍ଦର୍ଯ୍ୟ  ଗଢିଉଠେ  ।  ରବୀନ୍ଦ୍ର  ନାଥ  ଠାଗୋରଙ୍କ  ମତରେ   " ସହିତ  ଶବ୍ଦରୁ  ସାହିତ୍ୟର  ଉତ୍ପତ୍ତି  ।"   ତାହା  କେବଳ  ଭାବରେ  ଭାବର ,  ଗ୍ରନ୍ଥରେ  ଗ୍ରନ୍ଥର  ମିଳନ  ନୁହେଁ  ,  ମନୁଷ୍ୟ  ସହିତ  ମନୁଷ୍ୟର  ,  ଅତୀତ  ସହ  ବର୍ତ୍ତମାନର ,  ବର୍ତ୍ତମାନ  ସହିତ  ଭବିଷ୍ୟର   ଅନ୍ତରଙ୍ଗ  ଯୋଗ  ସାଧନହିଁ   ସାହିତ୍ୟ  । ଘଟଣା  ,  କଳ୍ପନା  ,  ଅନୁଭବ  ,  ଭାଷା  ,  ଶୈଳୀ  ,  ଶିଳ୍ପୀତ୍ୱ  ଓ  ବ୍ୟକ୍ତିତ୍ୱ  ଏସବୁର  ଅମୃତ  ମିଳନରେ  ସୃଷ୍ଟି  ହୁଏ    କାଳଜୟୀ  ସାହିତ୍ୟ  ।  ସତ୍  ସାହିତ୍ୟରେ  ସ୍ରଷ୍ଟାକୁ  ନଦେଖି  ବାରି  ହୋଇଯାଏ ,  ଆପେଆପେ  ସଂପର୍କ   ଯୋଡି  ହୋଇ  ଯାଏ ,  ଦେଶକୁ  ନ  ଦେଖି  ସ୍ୱତଃ  ଦର୍ଶନ  କରି  ହୋଇଯାଏ ,  ଅତୀତ ,  ଭବିଷ୍ୟ  ନଦେଖି  ଅନୁଭବ  କରି  ହୋଇଯାଏ ,  ତାହା  ହେଉଛି  ଅସଲ  ସାହିତ୍ୟ  ।

      ସାହିତ୍ୟ  ସୃଷ୍ଟି  ପ୍ରେରଣା  ହୋଇପାରେ  ।  ମନୁଷ୍ୟର  ଏହା  ଏକ  ସହଜାତ  ପ୍ରବୃତ୍ତି  ମଧ୍ୟ  ।  ଆରିଷ୍ଟୋଟଲଙ୍କ  ଦୃଷ୍ଟିରେ - " ସାହିତ୍ୟ  ହେଉଛି  କର୍ମମୟ  ଜୀବନର  ମିମେସିସ୍  ବା  ଅନୁକରଣ । "  ମନୁଷ୍ୟ  ସୃଷ୍ଟିର  ଶ୍ରେଷ୍ଠ  ଜୀବ  ,  କିନ୍ତୁ  ସେ  ପ୍ରତ୍ୟେକ  ଜୀବ  ଭଳି  ଅନୁକରଣ  ପ୍ରିୟ  ।  ଅନୁକରଣ  ପ୍ରବୃତ୍ତି  ଫଳରେ  ତା'  ରୁଚିରେ  ଭିନ୍ନତା  ପରିଲକ୍ଷିତ  ହୁଏ  ।  ହଡ୍ ସନ୍  ସାହିତ୍ୟର  ପ୍ରେରଣା  ସଂପର୍କରେ  ଚାରୋଟି  କାରଣ  ଦର୍ଶାଇଛନ୍ତି  , ଯଥା  ଆତ୍ମପ୍ରକାଶର  କାରଣ ,  ବ୍ୟକ୍ତି  ଓ  ସମାଜର  କ୍ରିୟା  କଳାପ  ପ୍ରତି  ଆଗ୍ରହ  ଓ  ତାର  ପରି  ପ୍ରକାଶ ,  ବାସ୍ତବ  ଜଗତ  ଓ  କଳ୍ପନା  ଜଗତ  ପ୍ରତି  ଅହେତୁକ  ମୋହର  ରୂପପ୍ରିୟତା  ।  ନିଜ  କଥା  ଅନ୍ୟକୁ  ଶୁଣାଉଥିବା  ଭାବ  କଳ୍ପନା ,  ଅନୁଭୂତି  ସ୍ରଷ୍ଟାର  ସୃଷ୍ଟିରେ  ତା  ଅଜଣାରେ  ଆତ୍ମା  ପ୍ରକାଶ  କରୁଥିବା  ବେଳେ,  ପୁଣି  କେବେ  କେବେ  ସମାଜକୁ  ଗଢିଥିବା ,  ବୁଦ୍ଧ  ,  ଯୀଶୁ ,  ମାର୍କସ ,  ଗାନ୍ଧୀ , ମଦରଟେରେସା  ,  ସେକ୍ସପିୟର ,  ଶେଲି,  ବାଇରନ୍  ,  କୀଟସ୍ ,   ବଙ୍କିମ ,  ବିବେକାନନ୍ଦ ,  ଅରବିନ୍ଦ ,   ଠାଗୋର ,  ଶୁଦ୍ରମୁନି , ଭାଗବତକାର ,  ଭଂଜ ,  ରାଧାନାଥ ,  ଗଙ୍ଗାଧର ,  ଫକୀରମୋହନ ,  ଗୋପବନ୍ଧୁ   ପ୍ରମୁଖ  ସ୍ରଷ୍ଟାର  ଦୃଷ୍ଟି  ପଟ୍ଟରେ  ମିଳିତ  ହୁଅନ୍ତି  । 

           ସମାଜ  ଓ  ବ୍ୟକ୍ତି  ଜୀବନକୁ  ସାହିତ୍ୟରେ  ଉପସ୍ଥାପନ  କରିବା   ଦରଦୀ  ସ୍ରଷ୍ଟାର  ମହନୀୟତା  ।  ସମାଜର  ବ୍ୟଥା-ବେଦନା ,  ଆନନ୍ଦ-ଉଲ୍ଲାସ ,  ସୁଖ-ଦୁଃଖ ,  ରୂପ,  ସୌନ୍ଦର୍ଯ୍ୟ ,  ସମ୍ଭୋଗ,  ପ୍ରାଚୁର୍ଯ୍ୟ  ଆଦି  ସ୍ରଷ୍ଟାର   ପ୍ରାଣ-ସ୍ପନ୍ଦନରେ  ଆଲୋଡନ  ସୃଷ୍ଟି  କରେ  ।  କଳ୍ପନା  ଜଗତରୁ  ବାସ୍ତବ  ଜଗତର  ଦୃଶ୍ୟ  ସ୍ରଷ୍ଟାର  ତୃତୀୟ  ନୟନେ  ଦୃଶ୍ୟମାନ  ଲଭେ ।  ଅତୃପ୍ତ  ବାସନା  ନେଇ  ଜୈବିକ,  ମାନସିକ ,  ଆଧ୍ୟାତ୍ମିକ  ଓ  ଆନ୍ତରିକ  ପରିତୃପ୍ତି  କାମ୍ୟ  ହୁଏ  ।  ଈଶ୍ୱରାନୁଗତ  ହୋଇ  ପଡେ  ।  ବେଦ ,  ଉପନିଷଦ ,  ଶ୍ରୁତି ,  ପୁରାଣ  , ଗୀତା ,  ବାଇବେଲ୍ ,  କୋରାନ୍  ଆଦିରୁ  ସେହି  ଅନାଦି,  ଅନନ୍ତ ,  ଅରୂପ  ପରଂବ୍ରହ୍ମଙ୍କୁ  ଖୋଜେ,  ବନ୍ଦନା  କରେ  ।  ତାରି  ଭିତରେ  ସେ  ରାମ,  କୃଷ୍ଣ ,  ଜଗନ୍ନାଥ ,  ଯୀଶୁ  ,  ଆଲ୍ଲାଙ୍କୁ  ଦେଖେ  ।  ସତ୍ୟ  ଶିବ  ସୁନ୍ଦର  ପାଲଟେ  ତାର  ସୃଷ୍ଟିର  ସାହିତ୍ୟ  ।   ବିନ୍ଦୁ  ମଧ୍ୟରେ  ସିନ୍ଧୁ  ଦର୍ଶନ  ଘଟେ ।  ଆଦି  ଭିତରେ  ଅନାଦି ,  ରୂପ  ମଧ୍ୟରେ  ଅରୂପ  , ସୀମା  ଭିତରେ  ଅସୀମ  ,  ସାକର  ମଧ୍ୟରେ  ନିରାକାରକୁ  ଅନୁଭବ  କରିହୁଏ , ତାହାହିଁ  ସାହିତ୍ୟ  ପଦବାଚ୍ୟ  ।  ମଣିଷ  ଜୀବନର  ବୈଚିତ୍ର୍ୟର  ସୀମା  ହୀନତା  ଓ  ସଂସାରର  ଅପରିସୀମ  ଲୀଳା-ଖେଳାକୁ  ସ୍ରଷ୍ଟା  ତା'ର  କାବ୍ୟ , କବିତା , ଗଳ୍ପ , ଉପନ୍ୟାସ ,  ନାଟକ  ଆଦି  ସାହିତ୍ୟର  ସୁଠାମ  ରୂପ  ଭିତରେ  କ୍ଷଣକାଳ  ସତ୍ୟକୁ  ଚିରନ୍ତନ  ସତ୍ୟରେ  ରୂପାୟନ  କରେ  ।

            ସାହିତ୍ୟକୁ  ନେଇ  ଚଞ୍ଚକତା  କରାଯାଏ  ନାହିଁ  ।  ଏବେ  ଯେଭଳି  ସାହିତ୍ୟ  ନାମରେ  ଭଣ୍ତାମୀ  ଚାଲିଛି ,  ଅପାତ୍ରରେ  ସମ୍ବର୍ଦ୍ଧନା  ଦିଆଯାଉଛି ,  ଦିନ  ଆସିବ  ପ୍ରତିବେଶୀ  ସାହିତ୍ୟିକ  ମାନଙ୍କ  ନିକଟରେ   ଉପହାସିତ  ହେବାକୁ  ପଡିବ  ।  ଏହା  ଦ୍ବାରା  ନିଜ  ଭାଷା  ଓ  ସାହିତ୍ୟର    ମର୍ଯ୍ୟାଦା  ନଷ୍ଟ  ହେଉଛି , ଥରେ  ଚିନ୍ତା  କରାଯାଉ  ।  ପ୍ରତିବେଶୀ  ସାହିତ୍ୟିକଗଣ   ବା  ଆମ  ଆଗାମୀ  ପିଢ଼ି  ଯେତେବେଳେ  ଶୁଦ୍ରମୁନି ,  କବି  ସମ୍ରାଟ,  କବିସୂର୍ଯ୍ୟ , କବିବର , ବ୍ୟାସକବି  ଆଦିଙ୍କୁ   ଖୋଜିବେ  ସେଠି  ବୋଧେ  ସାରଳା ,  ଉପେନ୍ଦ୍ର,   ବଳଦେବ , ରାଧାନାଥ ,  ଫକୀରମୋହନ  ଆଉ  ନଥିବେ ,  ଥିବେ  ତାଙ୍କ  ନାମରେ  ପରିଧାନ  କରିଥିବା  ଏହି  ନୀଳବର୍ଣ୍ଣ  ଶୃଗାଳଗଣ ,  ଯେଉଁ  ମାନଙ୍କର  କିଛି  କୃତି  ଓ  କୃତିତ୍ବ  ନାହିଁ  ।  ସାହିତ୍ୟ  କାଳଜୟୀ ,  କାଳାଶ୍ରୟୀ  ନୁହେଁ  ।   ହେ  ସାହିତ୍ୟିକ  ସ୍ରଷ୍ଟାମାନେ  ,  ସାହିତ୍ୟ  ହେଉଛି  ଏକ  ମନ୍ମୟ  ଆଲେଖ୍ୟ,  ବିବର୍ତ୍ତିତ  ଜନ  ଚେତନାର  ଦଲିଲ୍ ,  ଶୈଳ୍ପିକ  ଭାବ  ବ୍ୟଞ୍ଜନାର  ଆଦ୍ୟ  ଝଙ୍କାର ,   କିଛି  ସ୍ମୃତି ,  କିଛି  ପ୍ରତିଶ୍ରୁତି,  କିଛି  ମୀମାଂସାର  ଇସ୍ତାହାର  ।  ଜୀବନ  ସାଗର  ମନ୍ଥନର  ଅମୃତସାର  ।   ତେଣୁ  ସବୁ  କାଳର  ସତ  ସାହିତ୍ୟର  ଲକ୍ଷ୍ୟ  ହେଉଛି  ସତ୍ୟ  ପ୍ରକାଶ  ।  ସତ୍ୟ  ପ୍ରକାଶର  ସଂକଳ୍ପ  ପ୍ରତ୍ୟେକ  ସ୍ରଷ୍ଟାର/ସାହିତ୍ୟିକର  ପ୍ରେରଣା  ହେଉ ..ଏତିକି  ଆମର  କାମ୍ୟ ..!!!

              ଓଡିଆ  ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ
              ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ , କଟକ -୪
                ଦୂରଭାଷ :  ୯୦୪୦  ୧୫୧୪୭୫
                  Email :  Laxmansahoo9040@gmail.com

ଜୟ ସାହିତ୍ୟ, ଜୟ ସମାଜ

✂କଇଁଚି✂

ଭଜରାମ ସେଠୀ 


ଲୁହା ପିତଳରେ       ଗଢଣି ଶରୀର 
         କଇଁଞ୍ଚି ନାମେ ମୁଁ ଜଣା,
କେହି କେହି ମୋତେ   ଖଳନାୟକ କହେ
         ହୋଇ ନାହିଁ ବାଟବଣା  ।

ଚକ୍‌ମକ୍ କରେ      ଧାରୁଆ ଦାନ୍ତ ମୋ

       ପାଟି ଚିରି ମୁଁ ଦେଖାଏ,
ମଣିଷ ପାଇଁ ତ        ବ୍ଯବହାର୍ଯ୍ଯ ବସ୍ତୁ 
        କାଟି ହିଁ ସଜାଡୁ ଥାଏ  ।

 ସାଥେ ସାଥେ ମୋର ମୋ' ବନ୍ଧୁ ସୂତା-ଛୁଞ୍ଚି

            ଆମରି ରାଇଜ ମଜା,
ଆମରି ଲାଗି ତ            ମଣିଷ ଏଇଠି 
          ବସ୍ତ୍ର ପରିଧାନେ ରାଜା ।

ଦରଜୀ ପାଖରେ        ଆନନ୍ଦେ ମୋ' ବାସ

      ମୋତେ ନେଇ କରେ ଚାଷ,
ଅମଳ ଶସ୍ଯ ତା'       ପେଣ୍ଟ୍-ସାର୍ଟ୍‌ ଯେତେ 
           ଦାନାପାଣି ପାଇଁ  ଆଶ ।


ବିଭିନ୍ନ ମାପର         କନାକୁ କାଟଇ
          ପିଲା ଠାରୁ ବୃଦ୍ଧ ଯାଏଁ,
ରାଜା ଠାରୁ ପ୍ରଜା       ହୁଅନ୍ତି ସଜେଇ 
        ଜଗତେ ହସି ସଭିଏଁ  ।

ଡାକ୍ତର ହାତରେ     ରୋଗୀ ଚର୍ମ କାଟି

         ସଜାଡୁ ଥାଏ ମୁଁ ଦେହ,
ଅସୁସ୍ଥ ଶରୀର            ସୁସ୍ଥେ ସୁସଜ୍ଜିତ 
       ହସେ ଚକ୍ଷୁ ପୋଛି ଲୁହ ।

ଭଣ୍ଡାରୀ ହାତରେ      କେଶ କାଟି ଦେଇ 

         ତା' କୁଟୁମ୍ବ ଦୁଃଖ ଦୂରେ ,
ମୋତେ ସେ ପୂଜଇ     ଅତି ହରଷରେ
         ଫୁଲ ଧୂପ ଦେଇ ଘରେ ।

ମୋର ଆତ୍ମ କଥା      ଅଟଇ ଯେ ବ୍ଯଥା 

       ମୋ' ଦେହରୁ ମାଂସ ଝଡେ,
ତଥାପି କହିନି          ପାଟି ଖୋଲି କେବେ 
         ଜଗତେ ବନ୍ଧୁ ମୁଁ ଗଢେ ।
********************************
ନିରାଳ-ଆସି
ଜୟ ସାହିତ୍ୟ, ଜୟ ସମାଜ

ମହାପୁରୁଷ ଯଶୋବନ୍ତ ଦାସ

ଅନାମ ଚ଼ରଣ ସାହୁ 

                ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କୃତ 'ଉଦୟ କାହାଣୀ' ଅନୁସାରେ ୧୪୮୭ ମସିହାରେ ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା)ର ଅଢଙ୍ଗଗଡର ନନ୍ଦୀ ଗ୍ରାମରେ ପିତା ବଳଭଦ୍ର ମଲ୍ଲ (ଅନ୍ୟ ଏକ ମତରେ ଜଗୁ ବା ଜଗନ୍ନାଥ ମଲ୍ଲ) ଏବଂ ମାତା ରେଖା ଦେବୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ । ଅବତାର ମାଳିକା ଅନୁସାରେ :-                  
  "ଚନ୍ଦ୍ର ବ‍ଂଶରେ‍‌ ଜାତ ଯଶୋବନ୍ତ।
  କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।"
                                 ଏଥିରୁ ଜଣାପଡ଼େ ସେ କ୍ଷତ୍ରିୟ କୁଳ ବଂଶଜ କିନ୍ତୁ ଅନ୍ୟ ମତରେ ସେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ।ଯଶୋବନ୍ତଙ୍କ ପିତାମାତା ବହୁ ଧର୍ମ ପରାୟଣ ଥିଲେ । ଯାହା ଯଶୋବନ୍ତଙ୍କୁ ପ୍ରଭାବିତ କରିଥିଲା । ସେ ଧନରେ ଦରିଦ୍ର ଥିଲେ । ଏକଦା ଦାରିଦ୍ର୍ୟର ତାଡ଼ନା ସହ୍ୟ କରି ନପାରି ରାତ୍ରିର ନିରୋଳା ସମୟରେ ସେ ଜମିରେ ପଶି ଚୋରି କରିବା ଅବସ୍ଥାରେ ସେ ସମୟର ଅଢଙ୍ଗଗଡର ସାମନ୍ତ ରାଜା ରଘୁରାମ ଚମ୍ପତିରାୟଙ୍କ ନଜରରେ ପଡ଼ିଥିଲେ । ସେ ସମୟର ଶାସନ ମୁତାବକ ସେ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଭକ୍ତିପୂର୍ଣ୍ଣ ଅନ୍ତରରେ ଆକୁଳ ଭାବରେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରିଥିଲେ । ଭକ୍ତର ଆକୁଳ ପ୍ରାର୍ଥନାରେ ଜଗନ୍ନାଥ ସଦୟ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରି ରଘୁରାମ ଚମ୍ପତିରାୟଙ୍କୁ ଦର୍ଶନ ଦେଇଥିଲେ । ଏହି ଚମତ୍କାରିତା ଦେଖି ରଘୁରାମ ଓ ତାଙ୍କର ପତ୍ନୀ ଯଶୋବନ୍ତଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ନିଜର ଭଗିନୀ ଅଞ୍ଜନା ଦେବୀଙ୍କୁ ବିବାହ ଦେଇଥିଲେ । ମାତ୍ର ୨୨ ବର୍ଷରେ ସେ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ । ସେଠାରେ ତାଙ୍କର ଶ୍ରୀ ଚୈତନ୍ୟଙ୍କ ସହ ଭେଟ ହେବା ପରେ ବୈଷ୍ଣବ ଧର୍ମ ପ୍ରତି ଆକୃଷ୍ଟ ହୋଇ ବୈଷ୍ଣବ ଧର୍ମ ଗ୍ରହଣ କରିଥିଲେ। ସେହି ଦିନଠାରୁ ସେ ଯଶୋବନ୍ତ ଦାସ ରୁପରେ ପରିଚିତ ହେଲେ । 

                   ଜନଶୃତିରୁ ଜଣାଯାଏ ଏକଦା ସେ ନିଜ ଶିଷ୍ୟ ମାନଙ୍କ ସହ ପୁରୀ ଯାତ୍ରା କରିବା ସମୟରେ ବାଟରେ ଏକ ବ୍ରହ୍ମରାକ୍ଷସ ସହ ଭେଟ ହୋଇଗଲା । ସେ ନିଜର ପୈଶାଚିକ ଲୀଳା ପ୍ରକଟ କରିବା ପୂର୍ବରୁ ମହାପୁରୁଷ ଯଶୋବନ୍ତଙ୍କ ଯୋଗ ପ୍ରଭାବରେ ପୈଶାଚିକ ବୃତ୍ତି ଛାଡ଼ି ପୁରୀକୁ ପଥ ଦେଖାଇବା ସହ ତାଙ୍କ ସହ ଯାତ୍ରା କରିଥିଲେ । ସେ ସମୟର ଉତ୍କଳର ରାଜା ଶ୍ରୀ ପ୍ରତାପରୁଦ୍ର ଦେବ ଏକଥା ଶୁଣି ଅଠରନଳା ପାଖରେ ରହି ତାଙ୍କୁ ଭବ୍ୟ ସ୍ଵାଗତ କରିବା ସହ ଏହି ଚମତ୍କାର ଲୀଳା ଦେଖିଥିଲେ ଏବଂ ତାଙ୍କ ଅନୁରୋଧରେ ସେହି ଦିନ ଠାରୁ ବ୍ରହ୍ମରାକ୍ଷସ ଗୁଣ୍ଡିଚା ବାଡି ଦେଖାଶୁଣା କରୁଥିଲା । କାଳକ୍ରମେ ବାବନାଭୁତ ହୋଇ ଶ୍ରୀମନ୍ଦିରେ ପୂଜା ପାଉଥିବା ଜଣାଯାଏ ।


                      ସେ ଭକ୍ତି ଯୁଗର ପଞ୍ଚସଖା ମାନଙ୍କ ମଧ୍ୟରେ ଅନ୍ୟତମ । ସେ ଅନେକ ଗ୍ରନ୍ଥ, ଭଜନ, ମାଳିକା ଓ ପଦ୍ୟ ରଚନା କରି ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ରଚନା ମାନଙ୍କ ମଧ୍ୟରେ ଗୋବିନ୍ଦଚନ୍ଦ୍ରଙ୍କ ଉପାଖ୍ୟାନ , ଶିବସ୍ବରୋଦୟ , ପ୍ରେମ ଭକ୍ତି ଗୀତା, ମାଳିକା ଓ ଅନେକ ସରଳ ବୋଧଗମ୍ୟ ଭକ୍ତି ରସାତ୍ମକ ରଚନା ପ୍ରଣିଧାନଯୋଗ୍ୟ । ଭଜନ ଗୁଡ଼ିକ ମୁଖ୍ୟତଃ ବ୍ରହ୍ମଜ୍ଞାନ ମୂଳକ । ସେ ତାଙ୍କର ଭବିଷ୍ୟତ ମାଳିକା ରଚନାରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାବଳୀର ଚିତ୍ର ପଦ୍ୟ ମାଧ୍ୟମରେ ବର୍ଣ୍ଣନା କରିଛନ୍ତି । ଯେଉଁ ଗୁଡ଼ିକ ଆଜି ଅକ୍ଷରେ ଅକ୍ଷରେ ସତ୍ୟ ହେବାରେ ଲାଗିଛି ।

                  ମହାପୁରୁଷ ଯଶୋବନ୍ତଙ୍କ ଦେହାବସାନ ସମ୍ବନ୍ଧରେ କୋୖଣସି ପ୍ରାମାଣିକ ତଥ୍ୟ ନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତି ରହିଛି । ତାଙ୍କର ତିରୋଧାନ ଦିବସରେ ଅଢଙ୍ଗରେ ଗୋଟିଏ ବଡ ମେଳା ଅନୁଷ୍ଠିତ ହୋଇଥାଏ ।
ବିଭୁତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ

ଆହାରେ ରସିକ ପାରୁଡ଼ା ପୋକ


**************************
 ★★  ତାରାପ୍ରସାଦ ଜେନା  ★★
**************************

ଆହାରେ ରସିକ ପାରୁଡ଼ା ପୋକ !


ଶମନ ଡାକୁଛି ବୟସ ତେଢ଼ା

ତଥାପି ଅୟସ ଥୋବଡ଼ା ବୁଢ଼ା
ଗଜା ବୟସୀକୁ ପେରମ ଚଢ଼ା
ଆଖିର ଚଷମା ଖସୁଛି ନାକ 
ଆହାରେ ରସିକ ପାରୁଡ଼ା ପୋକ !

ଭାବରେ ନିଲଠା ଗୁମୁଟ ପଶା

ଗାଲୁଆ କାହାଣୀ ମାଲୁଆ ହସା
ଲଳନା ଖେଳନା ଅଙ୍କର ଆଶା
ଶୂନ୍ୟକୁ ହକାରି ଦେଉଛୁ ବୋକ 
ଆହାରେ ରସିକ ପାରୁଡ଼ା ପୋକ !

ନାଲିଆ ଛିଟରେ ଜାମାକୁ ଯୋଡ଼

ଗୁଲିଆ ଖଟିରେ ଫୁଙ୍କୁଚୁ ନାଡ଼
ମାଉଁସ ନାଗିଚି ପାକଳ ହାଡ଼
ଗଜବ ଦେଶର ଅଜବ ଲୋକ
ଆହାରେ ରସିକ ପାରୁଡ଼ା ପୋକ !

ମୁଖସ୍ତ କରିଛୁ ପଞ୍ଚମ ବେଦ

ଶୋଧାକୁ ଉତୁରୁ ବାଦକୁ ଛେଦ
ଅଜଣା ଜଣାକୁ ଆଲୁଅ ଭେଦ
ଜୀରାରୁ ଶିରାକୁ କାଢୁଛୁ ଠକ
ଆହାରେ ରସିକ ପାରୁଡ଼ା ପୋକ !

ତେଲିଆ ରଖିଛୁ ମାରିବେ ତାଳି

ଆମ୍ବକୁ ଆମ୍ବଡ଼ା ପାରିବେ ତୋଳି
କାଳିଆ କୁକୁର ବୋଲିବେ ଛେଳି
ମନକୁ ମନ ତ ନାଆଁକୁ ଡାକ
ଆହାରେ ରସିକ ପାରୁଡ଼ା ପୋକ !
~~~~~~~~~~~~~~~~~~~
                 
ଜୟ ସାହିତ୍ୟ, ଜୟ ସମାଜ

ଥୁଣ୍ଟା ଗଛ

ସତ୍ଯଜିତ ସ୍ବାଇଁ

                        ନାଁ ରାମୁ ଦାସ ; ବୟସ ସତୁରି ଖଣ୍ଡେ ହେବ । ଦେହରେ ଆଉ ଆଗ ଭଳି ବଳ ନାହିଁ | ଅଣ୍ଟା ଧୀରେ ଧୀରେ ନଇଁଲାଣି । ବୟସଟା ବି ବଡ଼ ଦଗାବାଜ୍‌ |କେତେବେଳେ ଯେ ପ୍ରଜାପତି ପରି ଫୁର୍‌କିନା ଉଡ଼ିଯାଏ, ଜଣାପଡ଼େ ନାହିଁ । ରାମୁ ଦାସ ଆରମ୍ଭରୁ ଏମିତି ନଥିଲା | ଯୁବକ ବେଳେ ସାହୁକାରର ସବୁଠୁ ବଳବାନ କର୍ମଚାରୀ ଥିଲା ସିଏ | ଶଗଡ଼ରୁ ଏକୁଟିଆ ଶହେ ବସ୍ତା ଧାନ ବୋହିକି ସାହୁକାର ଗୋଦାମ ଘରେ ଭର୍ତ୍ତି କରି ଦେଉଥିଲା ସିଏ | ଦିନେ ସାହୁକାରର ବଳଦ ରଶି ଛିଣ୍ଡେଇ ଏଣେତେଣେ ଦଉଡିବା ବେଳେ ତାର ଦୁଇଶିଙ୍ଗକୁ ଧରିଆଣି ଖୁଣ୍ଟରେ ବାନ୍ଧି ପକେଇ ଥିଲା ରାମୁ ଦାସ |ସାହୁକାର ଖୁସିରେ ବେକରୁ ଓହ୍ଲାଇ  ଚେନଟାକୁ ତା' ବେକରେ ପିନ୍ଧେଇ ଦେଇଥିଲା |



    ହେଲେ ଏବେ ଆଉ ସେ' ସମୟ ନାହିଁ | ଆଉ ସେ ବଳ ବୟସ ନାହିଁ ରାମୁ ଦାସର | ଜୀବନରେ ଦିନେ ସମୟ ସହ ବାଜି ମାରୁଥିବା ରାମୁ ଦାସ ଏବେ ନିଜେ ସମୟ ଆଗରେ ସବୁ ବାଜି ଯେମିତି ହାରି ଯାଇଛି | ପତ୍ନୀ ସର ଆର ପାରିକୁ ଚାଲିଯିବା ପରେ ତା'ର ଅଧା ବଳ ଭାଙ୍ଗି ଯାଇଛି, ପୁଅ ଦିଇଟା କାମ କରିବା ନାଆଁରେ ବାହାର ରାଇଜକୁ ଗଲେ ଯେ ଆଉ ଦିନେ ବାପକୁ ଫେରି ଚାହିଁଲେନି | ସରର କ୍ରିୟାକର୍ମ କରିବାକୁ ଆଉ ନିଜ ପେଟ ପୋଷିବାକୁ ଘର ବନ୍ଧାପକେଇ ଆଣିଥିବା ଟଙ୍କା ସୁଝି ନପାରିବାରୁ ଘର ଆଉ ତା'ର ହେଇନାହିଁ |ଏବେ ଦିନରାତି ଗାଆଁ ମୁଣ୍ଡରେ ଥିବା ଥୁଣ୍ଟା ଗଛ ତଳେ ପଡ଼ିରହେ | ଯିଏ ଦୟାରେ କିଛି ଦିଏ, ଖାଇଦିଏ | 

ସେଦିନ ରାମୁ ଦାସର ବୋଧେ ଦେହ ଭଲ ନଥିଲା , "ଆଜି କାଇଁ ସର କଥା ଭାରି ମନେ ପଡୁଛି",  ରାମୁ ଦାସ ଗଛ ତଳେ ବସି ଭାବୁଥାଏ, ଏ' ଗଛ ଯେତେବେଳେ ପତ୍ର ଆଉ ଫଳରେ ଭରପୁର ଥିଲା, ସଭିଏଁ ଆକୁ କେତେ ଆଦର କରୁଥିଲେ, ମଣିଷଠୁ ପଶୁପକ୍ଷୀ ପର୍ଯ୍ୟନ୍ତ, ପକ୍ଷୀ ଏଠି ବସା ବାନ୍ଧି ରହୁଥିଲେ | ଆଜି ଯେତେବେଳେ ସିଏ ସମୟ ଚକ୍ରରେ ବୁଢ଼ା ହୋଇ ଥୁଣ୍ଟା ହୋଇଗଲା, କେହି ଟିକେ ହେଲେ ଗଛଟିକୁ ଚାହୁଁ ନାହାନ୍ତି | ଗଛ ପରି ନିଜ କଥା ଭାବି ଭାବି ସେଇଠି ଶୋଇଗଲା ରାମୁ ଦାସ | ପରଦିନ ସକାଳେ ଦୀନବନ୍ଧୁ ଯାଇ ଗାଆଁରେ କହିଲା, "ଆରେ ଶୁଣୁଛ, ରାମୁ ବୁଢ଼ା ମରିଗଲା, "କେଉଁଠି ଅଛି ସେ', "ସେଇ ଗାଆଁ ମୁଣ୍ଡ ଥୁଣ୍ଟା ଗଛ ତଳେ  ||



(ଆମେ ସମସ୍ତେ ଜଣେ ଜଣେ ରାମୁ ଦାସ ଆଉ ଦିନେ ସାଜିଯାଉ ଥୁଣ୍ଟା ଗଛ। )



ଅଡ଼ଶପୁର - କଟକ
ଜୟ ସାହିତ୍ୟ, ଜୟ ସମାଜ

ସାମ୍ପ୍ରଦାୟିକତା

ସଂଗ୍ରାମ କେଶରୀ ରାଉତରାୟ 


ଜାତି ପ୍ରାଚୀରର ଆର ପଟେ ଥାଇ
ତୁମେ ଗଡାଉଛ ଲୁହ
ଲହୁ ଭରା ଏଇ ହୃଦୟଟା ମୋର
ସମ୍ଭାଳି ପାରୁନି କୋହ ।

କିଏ ଗଢି ଥିଲା ଉଚ୍ଚ-ନୀଚ୍ଚ ଭାବ

ଜାତିର ଭାବନା ନେଇ
ମଣିଷ ଭିତର ମଣିଷ ପଣିଆ
ସ୍ୱାର୍ଥ ଯଜ୍ଞେ ଜାଳି ଦେଇ ।

ସେ ଯଜ୍ଞରେ ଆଜି ଆହୁତି ହେଉଛି

ଆମରି ପବିତ୍ର ପ୍ରେମ
ବେଦ ମନ୍ତ୍ର ଛାଡି ବୋଲୁଛି ସମାଜ
ସାମ୍ପ୍ରଦାୟୀକତା ନାମ ।

ସଭାପତି - ଉଦୟ ଭାନୁ 
(ସାହିତ୍ଯ ଓ ସମାଜସେବା ସଙ୍ଗଠନ)
ଜୟ ସାହିତ୍ୟ, ଜୟ ସମାଜ

ଆତ୍ମସର୍ବସ୍ବ ଉଚ୍ଚାକାଂକ୍ଷାର ପରିଣତି

ଓମ୍‌ ପ୍ରକାଶ ବିଶ୍ବାଳ
                  ଖ୍ରୀଷ୍ଟପୂର୍ବ ୨୫୦ ପାଖଆଖର କଥା । ଜଣେ ଥିଲେ ରାଜା । ରାଜାଙ୍କ ମୁଣ୍ଡରେ ଖିଆଲ ଢୁକିଲା ଚକ୍ରବର୍ତ୍ତୀ ବୋଲାଇବେ , ଅଧିକାରୀ ହେବେ ଏକ ବିଶାଳ ଅଖଣ୍ଡ ଭୂଖଣ୍ଡର । ଖିଆଲଟିର ଦୃଢତା ଧିରେ ଧିରେ ବଢ଼ି ଚାଲିଲା ଓ ତା' ସହ ତାଳ ଦେଇ ବଢି଼ ଚାଲିଲା ରାଜାଙ୍କର ଉଚ୍ଚାଭିଳାଷ । କ୍ରମେ ସେ ଅଭିଳାଷ କ୍ରିୟାନ୍ବିତ ହେବାରେ ଲାଗିଲା । ଅନେକାନେକ ଯୁଦ୍ଧ ହେଲା , ରକ୍ତର ସୁଅ ଛୁଟିଲା , ଅନେକ ଦେଶ ଯୁଦ୍ଧରେ ସାଙ୍ଘାତିକ ପରାଜୟ ଲଭିଲେ ତ ଅନେକେ ରାଜାଙ୍କ ପରାକ୍ରମ ଆଗରେ ତିଷ୍ଠି ନପାରି ଛତ୍ରଭଙ୍ଗ ଦେଲେ ।  ଆଉ କିଛି ଦେଶ ପରାକ୍ରମୀ ରାଜାଙ୍କ ଛତ୍ରଛାୟାରେ ରହିବାକୁ ଉଚିତ ବିଚାରି ସନ୍ଧି କଲେ । ଏମିତି ଦେଶ ପରେ ଦେଶ ଅକ୍ତିଆର କରି ରାଜା ବିଜୟ ଧ୍ୱଜ ଉଡାଇଲେ । ଶେଷରେ ସେ ଉଚ୍ଚାଭିଳାଷ ବାସ୍ତବତାରେ ପରିଣତ ହେଲା । ପରାକ୍ରମୀ ରାଜା, ଚ଼କ୍ରବର୍ତ୍ତୀ ସମ୍ରାଟ ବୋଲାଇଲେ । ଗଠନ ହେଲା ବିଶାଳ ଏକଛତ୍ର  ଦେଶ , ଆଜିକାଲି ଯାହାକୁ ଆମେ ଚୀନ ଦେଶ ବୋଲି ଜାଣୁ ଆଉ ସେ ରାଜା ଥିଲେ ସମ୍ରାଟ 'ଚେନ' ।



       ସମଗ୍ର ଭୂଖଣ୍ଡ ଉପରେ ଏକାଧିକାର ପାଇଯିବା ପରେ ରାଜା ଆଶ୍ୱସ୍ତ ହେଲେ । ଏବେ ତାଙ୍କର ଶାନ୍ତିର , ଆନନ୍ଦର , ଉପଭୋଗର ସମୟ....ହେଲେ କିଏ ଜାଣିଥିଲା ଯେ ଚେନ୍‌ଙ୍କର ଉଚ୍ଚାଭିଳାଷରୁ ସୃଷ୍ଟି ହେଇଥିବା ଯୁଦ୍ଧ ଓ ହିଂସା ଯେ ଦିନେ ବୁମେରାଂ ସାଜିବ। ଦିଗବିଜୟର ନିଶାରେ ମତ୍ତ ହୋଇ ଶାନ୍ତିର ସ୍ବପ୍ନ ଦେଖୁଥିବା ରାଜାଙ୍କ ଆଖିରୁ ନିଦ ହଜେଇ ଦେଇଥିଲେ ବାହ୍ୟ ଶତ୍ରୁ ଓ ଏସିଆ ଭୂଖଣ୍ଡର ମୁସଲମାନ କବାୟଲୀ ଡକାୟତ ମାନେ। ଲଗାତାର ଆକ୍ରମଣ ବିଶାଳ ଚେନ ସାମ୍ରାଜ୍ୟକୁ ଇତସ୍ତତଃ କରି ପକେଇଲା ଓ ଶେଷରେ ରାଜା ନିଷ୍ପତ୍ତି ନେଲେ କି ସାମ୍ରାଜ୍ୟର ବାୟୁ ଦିଗର ସୀମାରେ ନିର୍ମାଣ କରାଯିବ ବିରାଟ ପ୍ରଲମ୍ବିତ ପ୍ରାଚୀର ଯାହା ବାହ୍ୟ ଅନୁପ୍ରବେଶକାରୀଙ୍କୁ ରୋକି ପାରିବ । ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା , ପ୍ରାଚୀର ତିଆରି ପାଇଁ ଲୋଡ଼ା ହେଲା ଅପର୍ଯ୍ୟାପ୍ତ ବାଲି , ପଥର , ଇଟା। ଅଭାବ ହେବାରୁ ମଣିଷ, ଗଛପତ୍ର ଯାହା ମିଳିଲା ପାଚେରୀ କାନ୍ଥରେ ଭରି ଦିଆଗଲା । ଖାଦ୍ୟପେୟ ଓ ସ୍ୟାସ୍ଥ୍ୟ ସେବାର ଅବ୍ୟବସ୍ଥା ହେତୁ ମୃତ୍ୟୁ ବରଣ କରିଥିବା ନିର୍ମାଣ ଶ୍ରମିକ ଓ ଶିଳ୍ପୀ ମାନଙ୍କୁ ମଧ୍ୟ ସେହି ପାଚେରୀ କାନ୍ଥରେ କବର ନେବାକୁ ହେଲା । ଏମିତି ଲକ୍ଷାଧିକ ଲୋକଙ୍କ ସମାଧି ଉପରେ ମୁଣ୍ଡ ଟେକି ଛିଡ଼ା ହେଲା ଚେନ ସାମ୍ରାଜ୍ୟର ବିଶାଳ ସାମ୍ରାଜ୍ୟ । ରାଜା ନିଶ୍ଚିନ୍ତ ହେଲେ । ମନେକଲେ ନିଜକୁ ଅପରାଜେୟ । ଚିତ୍କାର କରି ସଭାକୁ ଶୁଣେଇଲେ "ମୁଁ ଅଜୟ , ଅମର , ଅପରାଜେୟ ।ତାଙ୍କର ସେ ଭାବନା ଆଜିର ସାକ୍ରେଡ଼ ଗେମ ସିରିଜ୍‌ର ଡାଇଲଗ 'କଭି କଭି ଲଗତା ହେ କି ଆପୁନ ହି ଭଗବାନ ହେ' ପରି ଶୁଭିଥିବ ହୁଏତ ।

      ହେଲେ ପାଚେରୀ ତିଆରି କରି ନିଜକୁ ସୁରକ୍ଷିତ ମନେ କରୁଥିବା ଚକ୍ରବର୍ତ୍ତୀଙ୍କ ଅଜାଣତରେ ଏହି ପାଚେରୀ ହିଁ ସାଜିଲା ଚେନ୍‌ ସାମ୍ରାଜ୍ୟର କାଳ । ଆକ୍ରମଣକାରୀ ମାନେ ପାଚେରୀର ଜଗୁଆଳଙ୍କ ସାହାଯ୍ୟରେ ପାଚେରୀରେ ସିନ୍ଧି କରି ସାମ୍ରାଜ୍ୟରେ ପଶି ଆକ୍ରମଣ କଲେ । ପାଚେରୀକୁ ତାଙ୍କର ଆଡ୍ଡା ବନେଇ ଦେଲେ । ନିଶ୍ଚିନ୍ତରେ ଅଖଣ୍ଡ ସାମ୍ରାଜ୍ୟର ସୁଖରେ ମସଗୁଲ ଥିବା ରାଜା ଆକ୍ରମଣ ପ୍ରତିହତ କରିବାରେ ବିଫଳ ହେଲେ । ପ୍ରାଚୀର ଭାଙ୍ଗିବାକୁ ଲାଗିଲା । ସାମନ୍ତ ମାନେ ବିଦ୍ରୋହ କଲେ । ଶେଷରେ ଅଖଣ୍ଡ ଏକଛତ୍ର ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା । ଦୁନିଆ ଦେଖିଲା ହୋଇଗଲା ଏକ ମହନୀୟ ଇତିହାସର ଇତିକଥା । ଉଚ୍ଚାକାଂକ୍ଷା ରହିବା ଭଲ ମାତ୍ର ନିଜକୁ ହିଁ ସର୍ବେସର୍ବା ଭାବି ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ଲୋକ ପାଇଁ ତା'ର ଉଚ୍ଚାକାଂକ୍ଷା ହିଁ ବୁମେରାଂ ସାଜି ତାର ବିନାଶ ସୃଜିପାରେ ଏହା ଅନସ୍ବୀକାର୍ଯ୍ୟ । ରାଜା ଚେନ୍‌ ଯଦି ସାମନ୍ତ ମାନଙ୍କୁ ଶାସନରେ ଉପଯୁକ୍ତ ଭାଗିଦାରୀ ଓ ମର୍ଯ୍ୟାଦା ଦେଇଥା'ନ୍ତେ ତାଙ୍କୁ ବିଦ୍ରୋହର ସାମ୍ନା କରିବାକୁ ପଡି ନଥା'ନ୍ତା ।

        ଉଚ୍ଚାକାଂକ୍ଷାକୁ ସାକାର କରିବାର ଏକ ମାତ୍ର ମାଧ୍ୟମ ହେଉଛି ଆତ୍ମସର୍ବସ୍ୱ ନଭାବି  ସାଧାରଣ ସ୍ତରନିର୍ବାହର ନିର୍ବାହ କରିବା ଓ ବିଚାର ଓ ବ୍ୟକ୍ତିତ୍ୱରେ ନୀଚ୍ଚ ନହୋଇ ଉଚ୍ଚସ୍ତରୀୟ ଆଦର୍ଶର ପ୍ରତିଫଳନ କରିବା ।
ଜୟ ସାହିତ୍ୟ, ଜୟ ସମାଜ

ତୁମେ ଆଉଥରେ ଜନ୍ମ ନିଅ

ରୀତା ଅପରାଜିତା ମହାନ୍ତି 
ମରୁଭୂମିର ମରୁବାଲି ପରି ତପ୍ତ ଉତପ୍ତ
 ମନ ହୁ ହୁ ହୋଇ ଜଳେ.....
ଆମ ଆକାଶ ପୃଥିବୀ ସବୁ ଜଳି ଗଲାଣି .......। 
ବନ ପୋଡି ଗଲେ ସମସ୍ତେ ଜାଣନ୍ତି 
ମନ ପୋଡିଗଲେ କେହି ଜାଣେନି
ହାରି ଯାଇଥିବା ଆମ ମନଟା 
ନିରବରେ ଗୁମୁରି କାନ୍ଦେ ।
ଏଇ ତ ଜୀବନର ରହସ୍ୟ 
ମନର ପ୍ରକୃତ ସ୍ବରୂପ କ'ଣ 
ଆଜି ଯାଏଁ ବୁଝି ପାରିନି ଏ ମାନବ ସମାଜ ।

ନିଜର ବାହ୍ୟ ଆଡ଼ମ୍ବରରେ

ଆଜିର ମାନବ ସମାଜ ଭାସିଯାଏ ।
ସେ ନିଜେ ହିଁ ନିଜ ଅନ୍ତର ବ୍ୟଥା ବେଦନା ବୁଝି ପାରେନା
ମଣିଷ ଅନ୍ତରରେ ଥିବା ଦେବତାର ଛବି 
ଆସ୍ତେ ଆସ୍ତେ ଲିଭି ଆସିଲାଣି
ସେଥିରେ ଅଙ୍କା ନାନା ପ୍ରକାର କିମ୍ଭୁତ -କିମ୍ଭାକାର ଛବି ।
ଆଜିର ମଣିଷ ପଥ ଭ୍ରଷ୍ଟ ହେଇ ସୁନା ହରିଣ ପଛରେ ଧାଉଁଛି
ନିଜ ଅନ୍ତରର କସ୍ତୁରୀ ମୃଗ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ହେଇ 
ଏଣେ ତେଣେ ଖୋଜି ବୁଲୁଛି ଜୀବନର ସୁରଭି
ତାକୁ ପୁଣି ଜ୍ଞାନର ବାର୍ତ୍ତା ଦେବାକୁ 
ତୁମେ କେଉଁ ରୂପରେ ଆସିବ ପ୍ରଭୁ .....?????
ରାମ,କୃଷ୍ଣ,ଗୌତମ ବୁଦ୍ଧ ,ଶିରିଡି ସାଇ ନା ଆଉ କେଉଁ ରୂପରେ ?
ପ୍ରଭୁ ତୁମେ ଥରେ ଆସ 
ଏ ପଥଭ୍ରଷ୍ଟ ମାନବର ଅନ୍ତରକୁ 
ଦେଖାଅ ଆଲୋକର ବର୍ଣ୍ଣlଳି
ପ୍ରଭୁ ତୁମ ହାତରେ ସବୁ ନ୍ୟସ୍ତ 
ତଥାପି କାହିଁକି ହୁଏ କଂସ ପରି ପାପୀର ଜନ୍ମ ..???
କାହିଁକି ହୁଏ ମହାଭାରତ ପରି 
ବିଶାଳ ଭୟlଭୟ ଯୁଦ୍ଧ ,...........? 
ତମେ କଣ ଟିକେ ଆକଟ କରି ପାରିନଥା'ନ୍ତ ...? 
ତୁମକୁ ଏତେ ସବୁ ଅବାନ୍ତର ପ୍ରଶ୍ନ ମାନେ କିଛି ନାହିଁ ।
ଆମେ ସବୁ ଆଧୁନିକ ଯନ୍ତ୍ର ଚାଳିତ ମଣିଷ
ଆମ ଭିତରରୁ ସରଳତା,ଭକ୍ତି ଭାବ ଆଉ ନାହିଁ ।
ଦୁନିଆର ବାହ୍ୟ ଆଡ଼ମ୍ବର ଦେଖି
ଆମ ଆଖି ଆଜି ଜଳକା
ସ୍ୱୟଂ ଭଗବାନ ଆସି
ଆମ ଚକ୍ଷୁ ସମ୍ମୁଖରେ ଠିଆ ହେଲେ 
ତଥାପି ଆମର ବିଶ୍ୱାସ ହୁଏନି 
ସବୁ କଥାରେ ଆମେ ଖୋଜୁ ପ୍ରମାଣ
ତେଣୁ ପ୍ରଭୁ ତୁମେ ବାରମ୍ବାର ଆସି 
ଫେରିଯାଅ ଆମ ଦ୍ୱାର ସମ୍ମୁଖରୁ
ତଥାପି ଏ ମର୍ତ୍ତ୍ୟ ମାନବର ଜ୍ଞାନ ଚକ୍ଷୁ ଖୋଲିବାକୁ
ତା' ଅନ୍ତର ଶୁଦ୍ଧିକଣ କରିବାକୁ 
ପ୍ରଭୁ ତୁମେ ଆଉଥରେ ଜନ୍ମ ନିଅ ।

ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧
ଜୟ ସାହିତ୍ୟ, ଜୟ ସମାଜ

ଅତୀତର ଏକ କଥା

ଚ଼ିଣ୍ଟୁ ସେଠୀ 


    ଆରେ କ'ଣ ତୁମେ ସବୁବେଳେ ଏଇ ଗାଈ ମାନଙ୍କ ପାଖରେ ରହିବ...? ଯେତେବେଳେ ଦେଖ ଗାଈ ଗୋଡ଼ ତଳେ ବସିଥିବେ , ଆଉ ଘରକୁ ଯିବନି । ଏଇଠି ଗାଈ ପାଖରେ ବସି ତାଙ୍କର ସେବା କରୁଥାଅ , ଡାଉଁଶ ମାରୁଥାଅ , ଟିଙ୍କ ମାରୁଥାଅ ; ହେଲା ? ମୁଁ କହି ଦଉଛି ତୁମକୁ ଆଜି ଖାଇବାକୁ ଦେବିନି ; ଏଇଠି ଗାଈ ପାଖରେ ବସ ତୁମେ..., ଏଇ ଗାଈ ତମକୁ ଖାଇବାକୁ ଦେବ ହେଲା...? ରାଗ-ପ୍ରେମ ମିଶା ହସ ହସି ଦେଇ ବୋଉ ଘର ଭିତରକୁ ଚାଲିଗଲା । ବାପା ବି ଟିକେ ତେରେଛା ଚାହିଁ ପାକୁଆ ପାଟିକୁ ଦେଖେଇ ଟିକେ ହସି ଚୁପ୍‌ ରହିଗଲେ । 



     ପୁରୁଣା ଦିନର ସେ କଥା ଆଜିବି ମୋ ମନେ ଅଛି । ଛୋଟ ଛୋଟ ଚାଳ ଛପର ଘର ଦୁଇ ବଖରା ; ଗୋଟେ ବଖରାରେ ମୋ' ପରିବାର ଆଉ ଗୋଟେ ବଖରାରେ ଘୁଙ୍ଗୁରି ଆଉ ତା' ଝିଅ ଲକ୍ଷ୍ମୀ , ମାନେ ଆମ ଗାଈ ଆଉ ବାଛୁରୀ । ଭଗବାନଙ୍କ ଦୟାରୁ କେବେ ଆମ ପେଟ ଉପାସ ରହିନି । ବାପା ମୋର ୬୦ ବର୍ଷ ବୟସରେ ବି ମୂଲ ଲାଗି ଚାରି ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷୁଥା'ନ୍ତି । ଆଉ ମୋ' ମା' ରାନ୍ଧି-ବାଢି ଖାଇବାକୁ ଦିଏ ସମସ୍ତଙ୍କୁ ; ଆଉ ଭଗବାନଙ୍କୁ ପ୍ରାର୍ଥନା କରେ ମୋ' ପୁଅ ଦି'ଟା ବଡ଼ ହେଇ ତା' ଦୁଃଖ ଦୂର କରନ୍ତୁ ।



      ବାପା ସକାଳୁ ଉଠି ନିତ୍ୟକର୍ମ ସାରି ବାହାରି ପଡନ୍ତି ମୂଲ ଲାଗିବାକୁ , ଫେରନ୍ତି ସନ୍ଧ୍ୟାରେ । ଆଉ ପାଣି ମୁନ୍ଦେ ପିଇଦେଇ ବସି ପଡନ୍ତି ଗାଈ ଘୁଙ୍ଗୁରୀ ପାଖରେ ; ତା' ଗୋବର ସଫା କରନ୍ତି , ତା' ଦେହରୁ ଟିଙ୍କ ଛଡାନ୍ତି ଆଉ ସନ୍ଧ୍ୟା ବେଳେ ଡାଉଁଶ ଘଉଡାଇବା ପାଇଁ ଧୂଆଁ ଦିଅନ୍ତି । ଧୂଆଁ ସବୁଆଡେ ଖେଳେଇବା ପାଇଁ କାନ୍ଧରୁ ଗାମୁଛା କାଢି ଧୂଆଁକୁ ବିଞ୍ଚନ୍ତି । ଠିକ୍‌ ସେତିକି ବେଳେ ଘର ଭିତରୁ ଶୁଭେ କ'ଣ ବା ସେଇଠି ଆସି ବସିଲ ..? କାମରୁ ଫେରିଲ ଏବେ ଟିକେ ଧୋଇ ହେଇ ବସି ପଡ଼ । ତୁମକୁ ଯେତେ କହିଲେ କ'ଣ ତୁମେ ବୁଝିବ..?? ହଁ...। କହିବା ପାଇଁ କେବଳ ସେଇଟା ବାପାଙ୍କ ଗାମୁଛା ହେଲେ ସେଇ ଗାମୁଛାରୁ ଚାରି ପ୍ରାଣୀ କୁଟୁମ୍ବଙ୍କୁ ପଖାଳର ବାସ୍ନା ମିଳିଥାଏ । ସତରେ ମା'ର ପଣତ ଆଉ ବାପାଙ୍କର ସେହି ଝାଳ ଭିଜା ଗାମୁଛାର ବାସ୍ନା ଆଉ କେଉଁଠୁ ମିଳିନି ଆଜି ଯାଏଁ । 



      ସନ୍ଧ୍ୟା ଘଣ୍ଟ ବାଜିବ ବାପା ଉଠିବେ ଗାଈ ପାଖରୁ , ଆଉ ଗୁହାଳକୁ ନେବେ ବାନ୍ଧିବାକୁ । ଖୁସି ଲାଗେ ଦେଖିବାକୁ ଯେତେବେଳେ ଗାଈ ବାପାଙ୍କୁ ସ୍ନେହରେ ଚାଟୁଥାଏ । କେତେ
ନିଃସ୍ୱାର୍ଥପର ସେ ଭଲ ପାଇବା...! କହିଲେ ଲୁହ ଆସି ଯାଉଛି ଆଖିରେ...। ହଁ ମୁଁ ବି କେବେ କେବେ ବାପାଙ୍କ ସହ ଗାଈ ନେଇ ଗୁହାଳେ ବାନ୍ଧିଛି ଧୂଆଁ ବି ଦେଇଛି ଥରେ ଦି'ଥର....। ଗୁହାଳର ଲାଲ କାନ୍ଥକୁ ଦେଖି ଛୋଟ ବେଳେ କେତେ ଥର ପଚାରିଛି ବି ମୁଁ.. 'ବାପା !  ଏଇ କାନ୍ଥ ଏମିତି ନାଲି କାଇଁ ହେଇଚି ?' ବାପା ହସି କି କହି ଦିଅନ୍ତି..' ବାୟାଟା ଏତିକି ଜାଣିନୁ..? ଏଇ ଆମ ହମା ମାନଙ୍କୁ ଯେଉଁ ଡାଉଁଶ କାମୁଡନ୍ତି ସେମାନଙ୍କୁ ମୁଁ ମାରିକି ଏଇ କାନ୍ଥରେ ମୋ' ରକତ ହାତ ବୋଳିଦିଏ ।' 



      ଏବେ ମନେ ପଡିଲେ ସେ 'ବାୟା' ଡାକ ସତରେ ଆଖିରେ ଲୁହ ଆସି ଯାଉଛି । କେତେ ଭଲ ପାଉଥିଲି ବାପାଙ୍କୁ ! ହେଲେ ଏତେ ଶୀଘ୍ର ମତେ ଛାଡି ଚାଲିଯିବେ ବୋଲି କେବେ ଆଶା କରି ନଥିଲି । ଯିଏ ମତେ ଦୁନିଆ ବୁଲେଇ ଦେଖେଇଲେ , ଲୋକଙ୍କୁ ଚିହ୍ନିବା ଜଣେଇଲେ ସେ କେବେ ଏ କଥା କହି ନଥିଲେ କି ତାଙ୍କ ବିନା ମତେ ଏ ଦୁନିଆ ଦେଖିବାକୁ ହେବ ବୋଲି.....। 



     ପାଖରେ ଠିଆ ହେଇଥିବା ତାଙ୍କ PA ସତ୍ୟ ହାତକୁ ରୁମାଲ ବଢ଼େଇ ଦିଅନ୍ତି ଲୁହ ପୋଛିବା ପାଇଁ । ଲୁହ ପୋଛୁ ପୋଛୁ ଧର୍ମପତ୍ନୀ ଆସି ସମ୍ଭାଳି ନିଅନ୍ତି ତାଙ୍କୁ ଘର ଭିତରକୁ । ଅତୀତର ସେଇ ଗରିବ ସତ୍ୟ ଆଜି ସତ୍ୟ ବାବୁ ଭାବେ ପରିଚିତ । ସେଇ ଛୋଟ ଛୋଟ ଦୁଇ ବଖରା ଚାଳ ଘର ଜାଗାରେ ଆଜି ଠିଆ ହେଇଛି ଦୁଇ ମହଲା କୋଠା ଘର । ନା ଅଛି ସେ ଗାଈ ଗୁହାଳ ନା ଅଛି ସେ ଗୁହାଳର ଡାଉଁଶ , ରକ୍ତ ରଞ୍ଜିତ କାନ୍ଥ ଆଉ ନା ଅଛନ୍ତି ବାୟା ଡାକି କୋଳେଇ ନେଉଥିବା ବାପା....। କେବଳ ଶେଷ ସନ୍ତକ ରୂପେ ବାପାଙ୍କ ଫୋଟୋ ଗୋଟେ ଠାକୁର ଘର କାନ୍ଥରେ ଝୁଲୁଚି ଏଗାର ଦିନ ହେଲାଣି...।।


କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

ମୁଁ ସମ୍ପର୍କ କହୁଛି

❤ରଙ୍କନିଧି ସେଠୀ❤


ମୁଁ ସମ୍ପର୍କ କହୁଛି.....
ସମ୍ପର୍କ କୁହୁଳି କୁହୁଳି ଜଳୁଛି
କାମନା,ବାସନାର ନିଆଁରେ
ପାପୀର ଆତ୍ମବଡିମାର  ଅଗ୍ନିରେ
ଏଠି ସମ୍ପର୍କର ଅନଳରେ  କ୍ଳୀଣ୍ୟମାନ ହୃଦୟ ଜଳୁଛି
ନା ଲିଭେଇ ପାରୁଛି ନା ଲିଭିବାକୁ ଦେଉଛି.....
ମୁଁ ସମ୍ପର୍କ କହୁଛି.....

ସମ୍ପର୍କର କୁରୁସଭାରେ  

ଭୀଷ୍ମ ପିତାମହମାନେ ଆଖିରେ
ଅନ୍ଧ ପୁଟୁଳି ବାନ୍ଧି ନିରବ ଦ୍ରଷ୍ଟା
ଏଠି ଭୀଷ୍ମ ପ୍ରତିଜ୍ଞା ମୂଲ୍ୟହୀନ
ଧନୁର୍ଦ୍ଧର ଅର୍ଜୁନଙ୍କ ଗାଣ୍ଡୀବ ଲକ୍ଷ୍ୟହୀନ 
ପିତା - ମାତା ମାନେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ହୋଇ
ମୁକସାକ୍ଷୀ ସାଜିଛନ୍ତି .....
ମୁଁ ସମ୍ପର୍କ କହୁଛି.....
ସମ୍ପର୍କ ଏଠି ସମ୍ପର୍କକୁ ହତ୍ୟା କରୁଛି 
ରକ୍ତ ରକ୍ତକୁ ବଳାତ୍କାର କରି ଚାଲୁଛି 
କାମୁକ କୌରବ ବଂଶଗଣ
ଭବ୍ୟ ସମାଜର ବସ୍ତ୍ର ହରଣରେ ବ୍ୟସ୍ତ
ଏଠି ବ୍ୟାଧ ସାଜି ନିଜେ ନିଜକୁ ଶିକାର କରି
ନିଜ ମାଂସ ନିଜେ ଭକ୍ଷଣ କରୁଛି.....
ମୁଁ ସମ୍ପର୍କ କହୁଛି.....
ଜୀବନ ଉପଭୋଗ ଲାଳସାରେ  
ସମସ୍ତେ , ପାପର ସାମ୍ରାଜ୍ୟର ଚକ୍ରବର୍ତ୍ତୀ
ନା,ଅଛି ଦଣ୍ଡ ବିଧାନର ବ୍ୟବସ୍ଥା
ନା,ପ୍ରତିବାଦ/ପ୍ରତିରୋଧ କରିବାର ସତ୍ ସାହାସ
କେହି ନୁହନ୍ତି ଦଣ୍ଡ ପାଇଁ ଭୟଭୀତ
ନା ବିଶୃଙ୍ଖଳା ପାଇଁ ବିବ୍ରତ
ଏଠି ଅନ୍ଧାରି ମୁଲକର ରାଜୁତି ଚାଲିଛି.....
ମୁଁ ସମ୍ପର୍କ କହୁଛି.....
ରାଉରକେଲା
ମୋ୯୩୩୭୨୫୦୫୭୨
ଜୟ ସାହିତ୍ୟ, ଜୟ ସମାଜ

ଆଖିର ଲୁହ ନା ରାକ୍ଷୀର ଲୁହ

ମୈତ୍ରେୟୀ କମଳା 
                                  ଭାଇ ! "ହଁ ମୁ ସତ କହୁଛି ଏ ବର୍ଷ ଆଖିର ଲୁହରେ ରାକ୍ଷୀ ଭିଜୁଛି ; ସେଥିପାଇଁ ରାକ୍ଷୀ ପଠେଇନି। ଯଦି ସମ୍ପର୍କର ଡୋର ଏମିତି ସ୍ନେହ ମମତାରୁ ହଟି ସମ୍ପତି ଘରବାରି ଜାଗାରେ ପହଞ୍ଚିବ ସେଠି ଏ ସାମାନ୍ୟ ରେଶମ ସୂତାଟା କ'ଣ ତାକୁ ବାନ୍ଧି ରଖି ପାରିବ"! ସମୃଦ୍ଧିର କଥାରେ ବେଶ୍‌ କିଛିଟା ଗମ୍ଭୀର ଦେଖା ହେଲେ ପିତାମ୍ବର। ଘରର ବଡ଼ ପୁଅ ହିସାବରେ ଆଜି ଯାଏଁ ସବୁ ଦାୟିତ୍ୱ ସୂଚାରୁ ରୂପେ ତୁଲେଇ ଆସୁଛନ୍ତି , ଆଉ ଆଜି ମୁହଁରେ ଜବାବ ଦେଇ ଦେଲା ସାନ ଭଉଣୀ । ଭାବିଥିଲେ ବାପାଙ୍କ ପରେ ବରଗଛ ସାଜି ସମସ୍ତଙ୍କୁ ନିଜ ଛାଇ ତଳେ ସୁରକ୍ଷିତ ରଖିବେ ।ପୈତୃକ ସମ୍ପତିରୁ କିଛି ଅଂଶ ବିକିବାକୁ ଚାହିଁ ସମୃଦ୍ଧିର ଦସ୍ତଖତ ମାଗିଥିଲେ । "ମୋ' ବାପାଙ୍କ ସମ୍ପତ୍ତି ମୁ ଚ଼ାହିଁଲେ ଦସ୍ତଖତ କରିବି ନହେଲେ ନାହିଁ । ତୁମେ କ'ଣ ଭାବିଛ ସବୁ ବେଳେ ସାନ ହୋଇ ରହିଥିବି ଆଉ ତୁମଠୁ ଗାଳି ଶୁଣି କାନ୍ଦୁଥିବି କଇଁ କଇଁ ? ଏବେ ମୋ' ପିଲାଙ୍କ ପାଇଁ ମୁଁ ମାଆ , ଯଥେଷ୍ଟ ବଡ଼ ହେଲେଣି ; ସେମାନଙ୍କର ବୁଝିବା ବୟସ ହେଲାଣି , ଭଲମନ୍ଦ କ'ଣ ବୁଝି ପାରୁଛନ୍ତି । ତୁମେ ଆଉ ମୋତେ ଛୋଟ ଛୋଟ କଥାରେ ନାକ କାନ୍ଦୁରୀ ଭାବି କନ୍ଦେଇ ପାରିବ ନାହିଁ ।" ଏତେ ସବୁ କଥା ହେଉଥିଲେ ଭାଇ ଭଉଣୀ ଫୋନରେ । ସମୟଟା ଟିକେ ରହିଯିବା ପରି ଲାଗୁଥିଲା ସେଇଠି ।

                      ବାଡ଼ିରେ ଆମ୍ବ ଜାମୁକୋଳି ପଣସ ପିଜୁଳି ସବୁ ଗଛ ଭର୍ତ୍ତି । ସ୍କୁଲରୁ ଆସିଲେ ଏକା ଡିଆଁରେ ବାଡ଼ିରେ ହାଜର ସବୁ ।ଏମାନେ ଦୁଇ ଭାଇ ଗୋଟେ ଭଉଣୀ ଆଉ ଗାଁଟା ସାରା ପିଲା ମାଙ୍କଡ଼ ଭଳି ଗଛରେ ଝୁଲୁଥିବେ । କିଏ ବାଉଁଶଟେ ଧରିଥିବ ତ ଆଉ କିଏ ଦେଖୁ ଦେଖୁ ଗଛ ଉପେରେ । "ଏ ଭାଇ ଦେଖୁନୁ ସିଏ ସବୁ ଆମ୍ବ ତା' ଗାମୁଛାରେ ପୁରେଇଛି ।ତାକୁ ଟିକେ କହ ।"  ସାନଭଉଣୀ କଥାରେ ସେଇଠି ହଟହଟା ଲାଗିଯା'ନ୍ତି , ଛଡେଇ ଆଣି ଦି'ଟା ଆମ୍ବ ତା' ହାତରେ ଧରେଇ ଦିଅନ୍ତି । ସେତେବେଳେ ବାପା ଚାକିରୀ କରୁଥିଲେ କୋଲ୍‌କାତାରେ । ଆସିବା ବେଳକୁ ଭଳିକି ଭଳି ମିଠା ମିକ୍ସଚର ଆହୁରି କେତେ କ'ଣ ଜିନିଷ ଘରକୁ ନେଇ ଆସୁଥିଲେ । ସମୃଦ୍ଧିର ମାଆ ବିଶାଖା ଦେବୀ ସବୁ ଛୁଆଙ୍କୁ ସମାନ ଭାବରେ ବାଣ୍ଟିବା ପରେ ସାଇପଡ଼ିଶାର ଛୁଆଙ୍କୁ ଦେଇଥା'ନ୍ତି । ମନେ ଅଛି ସେଦିନ ଝୁଲଣ ପୂର୍ଣ୍ଣିମାକୁ ଦିନୁଟେ ଅଛି , ଠାକୁର ସଜେଇ ହୋଇ ଦୋଳିରେ ଝୁଲୁଥା'ନ୍ତି । ବାପା ଆସି ପହଞ୍ଚିଲେ , ହାତରେ ବ୍ୟାଗ୍‌ଟା ଭାଇ ଧରି ଧରି ଆସୁଥିଲା । ବାପା ପାଖକୁ ଡାକି କହିଲେ - "ଦେଖ୍‌ , ସମୁ ତୋ' ପାଇଁ ରାକ୍ଷୀ ଆଣିଛି ।"

- ଇସ୍‌ କେତେ ବଡ଼ ବଡ଼ ସୁନେଲି ଜରି ତା' ଉପେରେ ରଙ୍ଗୀନ ଭେଲ୍‌ଭେଟ ଫୁଲ ! ଭାଇ ତୋତେ ଏଇ ବଡ଼ ଫୁଲଟି ବାନ୍ଧିବି । ଆଉ ଟିକୁଲୁକୁ ଏଇ ହଳଦିଆଟା ।

                        ସେଦିନ ରାତିରେ ଦୁଇ ଭାଇ ଖୁସିରେ ଗୋଡ଼ କଚାଡୁ ଥିଲେ କେମିତି ରାତିଟା ପାହିବ ସମୁ ରାକ୍ଷୀ ବାନ୍ଧିବ । ସକାଳୁ ଥାଳିରେ ସବୁ ସଜେଇ ସମୁ ରାକ୍ଷୀ ବାନ୍ଧି ମିଠା ଖୁଏଇ ଥିଲା , ଭାଇ ତାକୁ ଆଠଣିଟେ ବଢ଼େଇ ଦେଇ କହିଲା - "ଏଇଟା ରଖିଥା' , ବଡ ହେଲେ ବେଶୀ ପଇସା ରୋଜଗାର କରିବି ତ ତୋତେ ମନପସନ୍ଦ ଜିନିଷ ଦେବି । କି ଖୁସି ସେ ଆଠଣି ପାଇ , ଆଜି ମନେ ପକେଇ ଲୁହ ଦି' ଥୋପା ଗଡି ଗଲା ସମୃଦ୍ଧିର । ସାନଭାଇଟା ବେଶି ପାଠ ପଢି ପାରିନି ବୋଲି ଦୋକାନରେ ବସିଲା । କେତେ ବା ରୋଜଗାର ତା'ର ! ଟିକେ ଦୟା ହେଲାନି ତା' ଉପେରେ ; ସେଇଟା ବାପାଙ୍କ ଜାଗା କହି ତାକୁ ଆଉ ଘରୁ କିଛି ସମ୍ପତ୍ତି ଦେଲନି । ଏବେ ବହାରିଚ ଜମି ବିକ୍ରି କରି ପୁଅକୁ ପାଠ ପଢେଇବ । ଦସ୍ତଖତ କଲେ ସିନା ଜମି ବିକ୍ରି ହବ ।

                      ଏହି ସମୟରେ ସମୃଦ୍ଧିର ପୁଅ ସାନୁ ପାଟି କରି କହିଲା - ମାମା ! ଦେଖିବ ଆସ , ରୋହିତ ଭାଇ (ବଡ ଭାଇ ପୁଅ)ଙ୍କୁ ଲିଟିଲ୍‌ ଦିଦି (ସାନଭାଇ ଝିଅ ) ରାକ୍ଷୀ ବାନ୍ଧି ଫେସବୁକ୍‌ରେ ଫୋଟୋ ଛାଡିଛନ୍ତି । ସମୃଦ୍ଧି ସେ ଫୋଟ ଭିତରେ ନିଜକୁ ଦେଖିବାକୁ ଚେଷ୍ଟା କରୁଥା'ନ୍ତି ; ହେଲେ ସବୁ କିଛି ଅସ୍ପଷ୍ଟ ଦେଖା ଯାଉଥିଲା ଆଖିର ଲୁହରେ ..., ଭାଇର ହାତ ......ଆଉ ......ରାକ୍ଷୀ ।
🌼🌼🌼🌼🌼ନାଭି ମୁମ୍ବାଇ🌼🌼🌼🌼🌼
ଜୟ ସାହିତ୍ୟ, ଜୟ ସମାଜ

ଈତି କଥା

                                 ପ୍ରିୟ ରଞ୍ଜନ ଦାଶ

ମାନନୀୟେଷୁ ,
 ହେ' ବିଶ୍ଵନିୟନ୍ତା , ପରମପିତା ,ହେ ବଳିୟାରଭୁଜ ! ଅଧମ ପୁତ୍ରର ପ୍ରଣାମ ଘେନା କରିବ । ଆଶୀର୍ବାଦ କାମନା କେବେ କରିବି ନାହିଁ । କ'ଣ ବା ତୁମକୁ ଅଛପା ହେ' ଅନ୍ତର୍ଯ୍ୟାମୀ ! କି ଅବା ଦୁଃଖ କାହାଣୀ ଜଣାଇବି ତୁମକୁ ? କାହିଁକି ବା ତୁମକୁ ମୋ' ଦୁଃଖ ଜଣାଇ ଦୁଃଖୀ କରିବି ହେ' ଭକ୍ତ ଦୁଃଖରେ ଦୁଃଖୀ ? ଜୀବନରେ ସବୁବେଳେ ମୁଁ ପରୀକ୍ଷା ହିଁ ଦେଇ ଆସିଲି ।  କେବେ ବନ୍ଧୁ ଆଗରେ ପ୍ରକୃତ ବନ୍ଧୁ ହେବାର ପରୀକ୍ଷା ତ କେବେ ପତ୍ନୀ ପାଖରେ ଉତ୍ତମ ପତି ହେବାର ପରୀକ୍ଷା । ନା କେବେ ପିତା-ମାତାଙ୍କ ଯୋଗ୍ୟତମ ସନ୍ତାନ ହୋଇ ସେମାନଙ୍କୁ ଗୈାରବାନ୍ବିତ କରି ପାରିଲି , ନା ସନ୍ତାନର ବିତ୍ତଶାଳୀ ପିତା ହୋଇ ତାକୁ ଗର୍ବ କରିବାକୁ ସୁଯୋଗ ଦେଲି ? ତଥାପି ବି ମୁଁ ହତୋତ୍ସାହ ନ ହୋଇ ସଂସାରର କଣ୍ଟକିତ କର୍ଦ୍ଦମାକ୍ତ ପଥରେ ଚାଲୁଅଛି । ମୁଁ ଜାଣିଛି ହେ' ଚକାନୟନ , ତୁମେ ମୋ' ଧୈର୍ଯ୍ୟର ପରୀକ୍ଷା ନେଉଛ । ଏହା ମଧ୍ୟ ଜାଣିଛି ଯେ କିଏ ମୋ‌' ସହ ରହୁ କି ନ ରହୁ , ତୁମେ ସର୍ବଦା ମୋ' ସାଥିରେ ଅଛ । ମୋ' ହୃଦ ମନ୍ଦିରରେ ସର୍ବଦା ବିରାଜିତ ହୋଇଅଛ । ମୋ' ଆଖିର ଅଶ୍ରୁଧାରାରେ , ମୋ' ପ୍ରତିଟି ଲୋମକୂପରେ, ମୋ' ସର୍ବାଙ୍ଗରେ ତୁମେ ହିଁ ଅବସ୍ଥାପିତ । ସେବେ ଠାରୁ ସମସ୍ତେ ମୋତେ ସର୍ବହରା ବୋଲି ଛାଡ଼ି ଦେଇ ଚାଲି ଯାଇଛନ୍ତି , ତୁମେ ହିଁ ମୋ' ଆଶ୍ରା ସାଜିଛ । ଏହା ମଧ୍ୟ ଜାଣିଛି ଯେ ସୁଖ ସମୟରେ ତୁମେ ମୋ' ହାତ ଧରି ଚାଲିଛ ଏବଂ ଦୁଃଖ ସମୟରେ ମତେ କୋଳରେ ଧରି ଚାଲୁଛ । ଶେଷ ଆଶା ମଧ୍ୟ ଅଛି ଯେ ଏହିପରି ମତେ ଏ ଭବସିନ୍ଧୁ ପାରି କରିଦେବ ହେ ନାରାୟଣ । ନିରାଶ କରିବ ନାହିଁ ଏ ମହାପାପୀକୁ ।।। ଈତି।।
                                                                                                                                       ତୁମର ମୁଁ

                                                                                             
ଜୟ ସାହିତ୍ୟ, ଜୟ ସମାଜ

କଅଁଳ ଶିଶୁ

କବିତା ମହାନ୍ତି 
କଅଁଳ ଶିଶୁଟି ଝାଉଁଳି ପଡିଛି                
ଦାରିଦ୍ର୍ଯର  କଷାଘାତେ 
ଛନ୍ଦି ହୋଇ ଯାଏ ଶିଶୁ ଶ୍ରମିକର
ଚକ୍ରବ୍ଯୁହ  ପଦାଘାତେ   ।
ଦାରିଦ୍ର୍ଯର  ରୌଦ୍ର ଝାଉଁଳାଇ ଦିଏ
ଅଫୁଟା କୁସୁମ କଢି 
ଅପପୁଷ୍ଟି ଦିଏ ଅକାଳ ମରଣ 
ରୋଗ ଦାଉ ଯାଏ  ବଢି  ।
ଜରି ଗୋଟାଳିର ଭାଗ୍ଯ ଆକାଶେ 
ପୁନେଇ ଜହ୍ନ ସପନ  ।
କଅଁଳ ବୀଣାରେ କରୁଣ ଝଙ୍କାର 
ଦୁଃଖ ନରହେ ଗୋପନ   ।
ଦରୋଟି ଓଠରୁ ହସ ଫୁଲସବୁ 
କିଏନେଇ ଗଲା ଲୁଟି   ।
ଲବଣି ପିତୁଳା ଶୁଷ୍କ କାଷ୍ଟ ପରି 
ଅଭାବି କଷଣେ କୁଟି  ।
ବାଲ୍ଯ ସୁଖ ପରା ତାପାଇଁ ସପନ
ବାଲିଖେଳଘର ଭାଙ୍ଗେ   ।
ଏତେ ବଡ ଶାପ ଦିଅ ନାହିଁ ତାକୁ
ମାଖି ଦିଏ ସ୍ନେହ ରଙ୍ଗେ   ।

ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ 
କଣ୍ଟାପଡ଼ା-କଟକ 
ଜୟ ସାହିତ୍ୟ, ଜୟ ସମାଜ

ସେଇ ଆଖି

ସିପ୍ରା ନାମତା 

       କିଏ , କିଏ ଦୌଡି ପଳାଉଛି ...... ପାଉଁଜିର ଛମ ଛମ ଶବ୍ଦ କର୍ଣ୍ଣ କୁହରରେ ସୃଷ୍ଟି କରୁଛି ମନ୍ଦ୍ର ମଧୁର ଧ୍ୱନୀ । କେଶବତୀର ଘନ କୃଷ୍ଣ ମୁକୁଳିତ କେଶ ପଂକ୍ତିର ଶଯ୍ୟା ଫାଙ୍କରୁ ଯେମିତି ତା' ଆଡକୁ କିଏ ନିର୍ଦ୍ଦେଶ କରି କହୁଛି , "ହେ ମୋର ପୁଣ୍ୟ ପବିତ୍ର ଅତିଥି ଆସ ,ମୁଁ ତୁମ ପାଇଁ ଏ ଶଯ୍ୟା ପ୍ରସ୍ତୁତ କରି ରଖିଛି ... ଖାସ ତୁମ ପାଇଁ ....ଟିକେ ଧୀରେ ଛୁଇଁ ଦେଇ ଯାଅ ତ ,ତୁମର ସବୁ ଶ୍ଲେଷ ଦୂର ହୋଇଯିବ । ସ୍ୱାଗତ ହେ ଅତିଥି ସ୍ୱାଗତ ତୁମକୁ"। ରାଶି ରାଶି କେଶ'ର ଫାଙ୍କରୁ ଦିଶି ଯାଉଛି ଦୁଇଟି ଆଖିର ଅର୍ଦ୍ଧ ଭାଗ , ତୀକ୍ଷ୍ଣ ନାକର ଅଗ୍ର ଭାଗ ଆଉ ମସୃଣ ଗଣ୍ଡ ଦେଶର କିଛି ଅଂଶ ; ଓଃ ଏଇ ଆଖି ଯୋଡିକ .....କାହାର ..କାହାର ଏ ଆଖି ? ସ୍ୱପ୍ନ ଭାଙ୍ଗିଯାଏ । ମନ ଆକୁଳ ବିକଳ ହୁଏ । ଦୃଶ୍ୟ ସବୁ ଅଦୃଶ୍ୟ ହୋଇ ଯା'ନ୍ତି । କିଛି ବୁଝି ହୁଏନା କିନ୍ତୁ ଜୀବନ ତା' ଗତାନୁଗତିକ ପଥରେ ଆଗେଇ ଯାଏ ।

    ମନ୍ଦିର ବେଢାରେ ପରିବେଷିତ ସଙ୍ଗୀତକୁ ଗୁଣୁ ଗୁଣୁ ହୋଇ ଗାଉଥାଏ ଶିବାନ । ଗୀତଟି ଯେମିତି ପ୍ରାଣସ୍ପର୍ଶୀ
ଥିଲା ଗାୟିକା ତା'ଠାରୁ ଆହୁରି ଚମତ୍କାର ଥିଲେ । ରଥଯାତ୍ରା ସରିଲାଣି ଅନେକ ଦିନରୁ କିନ୍ତୁ ସେଦିନର ସ୍ମୃତି ତାଜା ହୋଇ ରହିଥାଏ ଶିବାନର ମନରେ । ସାଙ୍ଗସାଥୀଙ୍କର ଟାହିଟାପରା ତାକୁ ବିରକ୍ତ ବଦଳରେ ଖୁସି ଦେଉଥା'ନ୍ତି , ପୁଲକିତ ହୋଇ ଉଠୁଥାଏ ସମଗ୍ର ଶରୀର । ସେଇ କଣ୍ଠସ୍ୱର ପୁନଃ ଚକିତ କରିଦେଲା ଯେତେବେଳେ କୁମାର ପୂର୍ଣ୍ଣିମା ଉପଲକ୍ଷେ ହେଉଥିବା ମ୍ୟୁଜିକ କନସର୍ଟରେ ଶ୍ରୋତାର ଚେୟାରରେ ଯାଇ ବସିଲା । ଆଃ ହା ଅନିନ୍ଦ୍ୟ ସୁନ୍ଦରୀ ପୁଣି ମଧୁର ସ୍ୱରର ଅଧିକାରିଣୀ ପ୍ରତି କାହାର ବା ହୃଦୟ ବିଗଳିତ ନ ହେବ ? ଦେବତା ମଧ୍ୟ ଏ ରୂପରେ ମୋହିତ ହେବେ ଯେ ସେ ତ ନିମିତ୍ତ ମାତ୍ର । ଅବଚେତନ ମନ ଭିତରେ ଗଭୀର ଆସକ୍ତି  ଜନ୍ମ ନେଇ ସାରିଲାଣି । କିନ୍ତୁ ସେ ସୃଷ୍ଟି ଚଳତ ଶକ୍ତି ରହିତ ହେବାର ଦୃଶ୍ୟ ସ୍ପଷ୍ଟ ଦେଖି ପାରୁଥିଲା ଶିବାନ । କିନ୍ତୁ ଲାଗୁ ଥିଲା ଯେପରି ଯୁଗ ଯୁଗର ସମ୍ପର୍କ ଅଛି ତାଙ୍କ ସହିତ । ୟା' ପରେ ପରେ ନିଜକୁ ତାନପୁରା ଧରି ରିଆଜ କରିବାର ଦୃଶ୍ୟ ପ୍ରତୀୟମାନ ହେଲା । ସମ୍ପୂର୍ଣ୍ଣ ଠିକଣା ହସ୍ତଗତ କରି ଆଗେଇଲା ହୃଦୟରେ ନୂତନ କରି ଜନ୍ମ ନେଇଥିବା ଚ଼ାରାଟିକୁ ପ୍ରତିପୋଷଣ କରିବା ନିମନ୍ତେ । ଠକ ଠକ ଆବାଜ ଶୁଣି କବାଟ ଖୋଲିବାରୁ , ଯାହାକୁ ଆଶା କରୁଥିଲା ତାଙ୍କୁ ନ ଦେଖି ପାରି ସାମାନ୍ୟ ଅପ୍ରତିଭ ଲାଗିଲା ଶିବାନକୁ । ହଠାତ କ'ଣ କହିବ କିଛି ଭାବି ପାରିଲା ନାହିଁ  ।

- ଭିତରକୁ ଆସନ୍ତୁ  ।

ଆଗେଇ ଯାଉଥିଲେ ସେ  । ଆଉ ତାଙ୍କ ପଛେ ପଛେ ଶିବାନ । ବସିବାକୁ କହି ସେ ନିଜେ ମଧ୍ୟ ବସିପଡି ତାଙ୍କ ଘରେ କାମ କରୁଥିବା ମହିଳା ଶୁକ ଦେଈକୁ ଡାକିଲେ  ।

---ଶୁକ ଦୁଇ କପ ଚାହା ଆଣିବ ।

      ଗଳାର ପରିବର୍ତ୍ତିତ ସ୍ୱର ଶୁଣି ଅସ୍ବସ୍ତି ଲାଗିଲା ଶିବାନକୁ । ସେ ଭୁଲରେ ଆଉ କାହାରି ଘର ଭିତରକୁ ଚାଲିଆସିନି ତ !  "ଏଇଟା ରାଗେଶ୍ୱରୀ ଦେବୀଙ୍କ ଘର ତ ! ମୁଁ ଆଉ ଭୁଲରେ  ....... ।" କଥା ଅଧାରେ ଅଟକି ଗଲା ......ପଛପଟୁ ବୀଣା ଜିଣା ସ୍ୱର ଭାସି ଆସିଲା.....

---ଆପଣ ସମ୍ପୂର୍ଣ୍ଣ ଠିକ୍ ସ୍ଥାନରେ ପହଞ୍ଚିଛନ୍ତି । ନିଃସଙ୍କୋଚରେ ଆସନ ଗ୍ରହଣ କରନ୍ତୁ ।

  ପର୍ଦ୍ଦା ହଟାଇ ଆସୁଥିଲେ ଜଣେ ଉଜ୍ଜ୍ୱଳ ଆଭା ଯୁକ୍ତ ରମଣୀ ଆଉ ଜଣେ ଅଳ୍ପ ବୟସର ଝିଅ ସହିତ । ଶିବାନ ଉଠି ଠିଆ ହୋଇ ପଡିଲା । ସ୍ୱୟଂଚାଳିତ ରୂପେ ତାଙ୍କର ଦୁଇ ହାତ
ଯୋଡି ହୋଇଗଲା ।

----"ରାଗୀ ! ତୁମେ ଯେତେବେଳେ ଆସିଗଲଣି , ମୋର ଆଉ ଏଠାରେ ଆବଶ୍ୟକତା ନାହିଁ । ମୋତେ ଟିକେ ବାହାରକୁ ଯିବାର ଥିଲା ତେଣୁ ମୁଁ ଆସୁଛି ।

       ପୁଣି ସେ ଛୋଟ ଝିଅକୁ ନିର୍ଦ୍ଦେଶ ଦେବା ପରି କହିଲେ - "ମା' !  ରାଗୀ ପାଖେ ପାଖେ ଥିବ । ମୁଁ ଦୁଇଘଣ୍ଟା ପରେ ଫେରି ଆସିବି ।" ଶିବାନଙ୍କୁ ନମସ୍କାର ଜଣାଇ ସେ ମହିଳା ଜଣକ ବାହାରି ଗଲେ । ଏଥର କିଛି ସମୟ ପାଇଁ ନୀରବତା ଛାଇଗଲା । ଶୁକ ଦେଈ ଆସି ଚାହା ଦେଇଗଲେ ।
---ହଁ ,...କୁହନ୍ତୁ ତ ଆପଣଙ୍କର ଆସିବାର  , ମାନେ ଅଭିପ୍ରାୟଟା ଜାଣିଲେ ମୁଁ ସେ ଅନୁସାରେ ପ୍ରସ୍ତୁତି କରିବି ।

    କୋମଳ ସ୍ୱର ସବୁ ପାଖୁଡା ପାଖୁଡା ହୋଇ ଖସିଗଲେକି ଆଉ !!  ନିଜକୁ ସମ୍ଭାଳିନେଇ ଶିବାନ ଆରମ୍ଭ କଲା , "ଆମର ଏକ ସଙ୍ଗୀତ ସଭା ମଞ୍ଚ ଅନୁଷ୍ଠିତ ହୁଏ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସରେ । ଅବଶ୍ୟ ସେସବୁ ଲାଇଟ ମ୍ୟୁଜିକକୁ ନେଇ ହେଉଥିଲା । କିନ୍ତୁ ଏଥର ଆମେ ସ୍ଥିର କରିଛୁ କ୍ଲାସିକାଲ ଉପରେ ସଙ୍ଗୀତ ପରିବେଷଣ ହେବ ଏବଂ ସେଥିପାଇଁ ଆପଣଙ୍କ ମତାମତ ନେଇ ଆଗେଇବୁ ବୋଲି ଭାବିଥିଲୁ ।"

----କିନ୍ତୁ ସେଥିପାଇଁ ଆପଣଙ୍କୁ ମାହେଶ୍ୱରୀ ଅପାଙ୍କ ସହିତ କଥାବାର୍ତ୍ତା ହେବାକୁ ପଡିବ । ସେ ହିଁ ସେସବୁ ମ୍ୟାନେଜ
କରନ୍ତି ।

ଶିବାନ ପାଖରୁ କୌଣସି ଉତ୍ତର ନ ପାଇ ,ପୁଣି ସେ ସ୍ୱର ଗୁଞ୍ଜରି ଉଠିଲା , "ଏଇ ଯୋଉ ଏବେ ଏବେ ବାହାରକୁ
ଗଲେ" । ପୁଣି ପଲକର ନୀରବତା ପରେ "ଆରେ ଆପଣ ଚାହାଟା ପିଇଲେନି , ଥଣ୍ଡା ହୋଇଯିବ ,ପିଇ ଦିଅନ୍ତୁ ।
ଶିବାନ କପ ଧରିବାକୁ ଯାଉଛନ୍ତି ନିର୍ଦ୍ଦେଶ ଆସିଲା.....

--ରୁହନ୍ତୁ ,ମୁଁ ଶୁକ ଦେଈ ଙ୍କୁ କହୁଛି ସେ ଗରମ ଚାହା ଆଣି ଦେବେ ।
-- ଆରେ ନିକି ...ଯାଅ ତ ଶୁକଦେଈଙ୍କୁ ଅନ୍ୟ ଏକ ଚାହା କପ ଆଣିବାକୁ କହିବ ।

       ଏ ଭିତରେ କିନ୍ତୁ ଶିବାନ କୋଠରୀ ଭିତରର ଶାନ୍ତ କୋମଳ ସାଜସଜ୍ଜାକୁ ନିରୀକ୍ଷଣ କରୁଥିଲା । କାନ୍ଥରେ ବିଭିନ୍ନ ସମୟର ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କର ତୈଳ ଚିତ୍ର , ପଟ୍ଟ ଚିତ୍ର , ଇତ୍ୟାଦି ଟଙ୍ଗା ହୋଇଥା'ନ୍ତି । କିଛି ଲୋକ ବସିବା ଭଳି ଅର୍ଦ୍ଧ ବୃତ୍ତାକାରରେ ସୋଫା ପଡିଥାଏ । ଆଖି ବୁଲୁବୁଲୁ ଗୋଟିଏ ଚିତ୍ରରେ ଅଟକି ଗଲା ଖୁବ୍ ଆକର୍ଷଣୀୟ ଆଖି ଯୋଡିକ ଉପରେ । ଏମିତି ଆଖି ଯେ କେବେ ସେ ଦେଖିଛି ,ସ୍ମରଣ ହେଉ ନ ଥାଏ  ।

--"ଆପଣଙ୍କ ଚାହା "।

ଧ୍ୟାନ ଭଙ୍ଗ ହେଲା ଶିବାନଙ୍କର ।ନିକି ଆଡକୁ ଚାହିଁ ସେ ଚାହା କପରେ ଚୁମୁକ ଦେଲା । ପକେଟରୁ କାର୍ଡ ଖଣ୍ଡେ ବାହାର କରି ଟି ପୟ ଉପରେ ରଖିଦେଇ କହିଲା --

--" ଠିକ୍ ଅଛି ଆପଣ ତେବେ କଥା ହୋଇ ମୋତେ ଜଣେଇବେ " କହି ଶିବାନ ପ୍ରସ୍ଥାନ କଲା ।

*******

    ଘର୍ମାକ୍ତ ହୋଇ ଉଠୁଥାଏ ଶିବାନର ସମଗ୍ର ମୁଖମଣ୍ଡଳ ଓ ଶରୀର । ସେଇ "ଆଖି" ; ଓଃ , ସେଇ ଆଖିଯୋଡିକୁ ପୁଣି ଦେଖୁଛି ସେ । ସେଇ କଥା ସେଇ ଆହ୍ୱାନ ; ଓଃ ହୋ , ମୁଣ୍ଡକୁ ଦୁଇ ହାତରେ ଚିପି ଧରି ଉଠିପଡ଼େ ସେ । ଭୀଷଣ ମାନସିକ ଦୁଶ୍ଚିନ୍ତାର ଶୀକାର ହେଉଛି ସେ । ନିଜକୁ ସାମାନ୍ୟ ପରିବର୍ତ୍ତିତ କରିବା ପାଇଁ ସେଦିନ ଶିଶୁ ଉଦ୍ୟାନ ଆଡକୁ ଯାଇଥାଏ ଶିବାନ । ଅଚାନକ ରାଗେଶ୍ୱରୀ ଦେବୀଙ୍କ ସହ ସାକ୍ଷାତ ହୋଇଯିବ ବୋଲି ଆଦୌ କଳ୍ପନା କରି ନ ଥିଲା । କିଛି ପିଲାଙ୍କ ସହ ରାଗେଶ୍ୱରୀ ବସିଥା'ନ୍ତି ପାର୍କର ଗୋଟିଏ କୋଣକୁ । କିଛି ସମୟ ପରେ ପିଲାମାନେ ଖେଳିବାକୁ ଲାଗିବାରୁ ଶିବାନ ତାଙ୍କ ନିକଟବର୍ତ୍ତୀ ହୋଇ ମୃଦୁ ସମ୍ଭାଷଣ ଜଣାଇଲା ।

---ଆରେ ଆପଣ ଏଠି ?
---କିଏ ? କେଇକ୍ଷଣ ନୀରବତା ପରେ ,ଦୟାକରି ପରିଚୟଟା ଦିଅନ୍ତୁନା ... ମୁଁ ଠିକ୍ ଜାଣିପାରୁନି ।
----ମୋତେ ଜାଣିନାହାନ୍ତି ? ଆପଣଙ୍କ ସହିତ .....
----ଆରେ ...ଆପଣ ....ଆପଣ ହେଉଛନ୍ତି ଶିବାନ ବାବୁ ।
......କ'ଣ ଠିକ୍ କହିଲି ତ ? ଯେମିତି ମନେ ପକେଇ ପକେଇ କହିଲେ ରାଗେଶ୍ଵରୀ ।

   ସାମାନ୍ୟ କିଛି ଆଳାପରୁ ଆତ୍ମୀୟତାର ବୃଦ୍ଧି ; କିନ୍ତୁ ସେଇ ଚିତ୍ରପଟ୍ଟ ପାଖରେ ଅଟକି ଯାଏ ଶିବାନର ଆଖି । ନିର୍ଣ୍ଣିମେଶ ନୟନରେ ଚାହିଁ ରହେ ସେ । ପ୍ରଶ୍ନ କରିବାକୁ ଇଛା କରି ମଧ୍ୟ କରି ପାରେନା ।
--ଆପଣ ସବୁବେଳେ ଏଇ କଲର ଗ୍ଲାସ ୟୁଜ କରନ୍ତି କାହିଁକି ?
ହଠାତ ଦିନେ ତା' ପାଟିରୁ ପ୍ରଶ୍ନଟି ବାହାରିଗଲା । ତତ୍ପରେ କ୍ଷଣଟିଏ ପରେ ,ଓଃ କ୍ଷମା କରିବେ , ଏ ପ୍ରଶ୍ନ ପଚାରିବାର ଅଧିକାର ମୋର ନାହିଁ ।

----ଅଧିକାରର କଥା ନୁହେଁ ଯେ , ସମସ୍ତଙ୍କୁ ସବୁ କଥା କହି ହୁଏ ନାହିଁ । ଯଦି କେବେ କହିବାର ହୁଏ ତେବେ ନିଶ୍ଚୟ ଶୁଣିବେ । ତେବେ ଆସନ୍ତା କାଲି ଯୋଉ ପ୍ରୋଗ୍ରାମ ଅଛି ସେଥିପାଇଁ ରେଡି ହେବାକୁ ପଡିବ । ମୁଁ ଭାବୁଛି ଆଜିଠାରୁ ଚାଲିଗଲେ ଭଲ ହେବ ।

---କିଛି ଆବଶ୍ୟକ ନାହିଁ । ଟିକିଏ ସକାଳୁ ଉଠି ଚାଲିଗଲେ ହେବ । ବୁଲାବୁଲି ସାଙ୍ଗକୁ ସବୁକାମ ହୋଇଯିବ । ରାତିରେ ଯାଇ ଅଯଥାରେ ହଇରାଣ ହେବା ଦରକାର କ'ଣ ?

କହି କହି ଆସିଲେ ମାହେଶ୍ୱରୀ ।

*******

         ବୁଦ୍ଧ ପୂର୍ଣ୍ଣିମା ନିମନ୍ତେ ମ୍ୟୁଜିକ କଂସର୍ଟର ଆୟୋଜନ ଥିଲା ଧଉଳି ଶାନ୍ତି ସ୍ତୂପରେ । ମଞ୍ଚରେ ଆସୀନା ରାଗେଶ୍ୱରୀଙ୍କ ଶାସ୍ତ୍ରୀୟ ସଙ୍ଗୀତର ଆରୋହ ଅବରୋହର ପ୍ରତିଟି ଆଳାପ , ଗୋଟି ଗୋଟି କରି  ତବଲାର ଅନୁରୂପ ଧ୍ୱନୀ ଏବଂ ଶୁଦ୍ଧ ତାନର  ମଧୁର ମୂର୍ଚ୍ଛନା ପ୍ରତ୍ୟେକଙ୍କ ହୃଦୟକୁ ଛୁଇଁ ଯାଉଥାଏ । ଫେରନ୍ତା ରାସ୍ତାରେ , ଦିନରେ ରାଗେଶ୍ୱରୀ ସହିତ ବିତାଇଥିବା ମୁହୂର୍ତ୍ତ  ଗୁଡିକ ଉଙ୍କି ମାରୁଥା'ନ୍ତି ଶିବାନର ମାନସ ପଟରେ । ହଠାତ ଅନ୍ୟ ଏକ ମୋଟର ଗାଡି ସହିତ ଧକ୍କା ହେଲା । ଆକସ୍ମିକ ଦୁର୍ଘଟଣାରେ ଆହତ ହୋଇ ଅଚେତ ଅବସ୍ଥାରେ ଶିବାନକୁ ରାଜଧାନୀ ସରକାରୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବାକୁ ପଡେ ।ନୂତନ ଭାବେ ଜଏନ କରିଥିବା ଡାକ୍ତରଙ୍କୁ  ଲାଗେ ଶିବାନକୁ କୋଉଠି ଦେଖିଛନ୍ତି । କିନ୍ତୁ  ଚିକିତ୍ସା ଆରମ୍ଭ କରିବା ସମୟରେ ହିଁ ସେ ତା'କୁ ଚିହ୍ନି ପାରନ୍ତି ।

---ଆରେ ୟେ' ତ ଆର୍ମି ଅଫିସର ଅରୂପ ସାମନ୍ତରାୟ ! ମୁଁ ହିଁ ତାଙ୍କର ଚିକିତ୍ସା କରିଥିଲି ଆର୍ମି କ୍ୟାମ୍ପରେ । କିନ୍ତୁ ସେ ଏଠି ,ଏମିତି ଅବସ୍ଥାରେ ?

    ସବୁକଥା ଶୁଣି ସାରିବା ପରେ ଡାକ୍ତର ମହାଶୟ ଦୁଃଖିତ ହେଲେ ଏବଂ ଶେଷରେ କୌଣସି , ଆପଣାର ବିଶେଷ ଅନୁଭୂତି ଦ୍ୱାରା ଅରୂପ ତା'ର ସ୍ମୃତି ଶକ୍ତି ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାଇଲେ ।ରାଗେଶ୍ୱରୀର ରୋମ କୂପ ଅଦ୍ଭୁତ ଉତ୍ତେଜନାରେ  ଶିହରିତ ହୋଇ ଉଠୁଥିଲା । ଗଭୀର ଆବେଗରେ ଡାକ୍ତରଙ୍କ ଗୋଡ ଦୁଇଟିକୁ ଜାବୋଡି ଧରିଲା ସେ ।

  ---ନାଇଁ ଡାକ୍ତର ବାବୁ , ଆପଣ ତାଙ୍କୁ ଯେମିତି ହେଉ ଠିକ୍ କରି ଦିଅନ୍ତୁ । ମୁଁ ....ମୁଁ ତାଙ୍କ ସ୍ମୃତି ଫେରିବାରେ ସାହାଯ୍ୟ କରିବି। ହଁ ମୁଁ , ମୋତେ ଚିହ୍ନି ପାରୁଛନ୍ତି ? ମୁଁ ସେଇ ଝିଅ ଯାହାକୁ ସିପାହୀ ମାନେ ତଡି ଦେଇଥିଲେ  ।  ଆଉ ସେଇ ତଡିବା ଭିତରେ ହିଁ ମୋର ଏଇ ଦୁଇ ଆଖି ଭିତରୁ ଗୋଟିଏ ଆଖି ଦୁର୍ଘଟଣା ବଶତଃ ନଷ୍ଟ ହୋଇଗଲା ; ଆଉ..... ପରେ ପରେ କିଛିଦିନ ଭିତରେ ଚିକିତ୍ସା କରି ନ ପାରିବାରୁ ଅନ୍ୟ ଆଖିଟି ବି ନଷ୍ଟ ହୋଇଗଲା । ଯୋଉ ଦୁଇ ଆଖିକୁ ଅରୂପ ଏତେ ଭଲ ପାଉଥିଲେ ସେ ଆଖି ବଦଳରେ ମୋତେ ଏଇ କୃତ୍ରିମ ଆଖି ଯୋଡିକୁ ମାହେଶ୍ୱରୀ ଅପା ଲଗାଇ ଦେଇଥିଲେ । ଭଗବାନଙ୍କ ପରେ ଡାକ୍ତର ହିଁ ଦ୍ଵିତୀୟ ଈଶ୍ୱର । ପ୍ଲିଜ଼ ..ପ୍ଲିଜ଼ ଆପଣ ନିଶ୍ଚୟ କିଛି ଗୋଟେ କରନ୍ତୁ ।

ଅରୂପ ଓରଫ ଶିବାନର ଚେତନା ଫେରି ଆସୁଥିଲା ; ମୁଣ୍ଡରେ ଅସହ୍ୟ ଯନ୍ତ୍ରଣା ଅନୁଭୁତ ହେଉଥାଏ ।

^^^^^^^

         ଓଃ , ଚାରିଆଡେ କି ଘନ କୁହୁଡି ! କଳିଙ୍ଗ ଉତ୍କଳ ଏକ୍ସପ୍ରେସ ହଲିବାକୁ ଲାଗିଥାଏ । ହଠାତ ଲୋକମାନେ ପରସ୍ପରଙ୍କ ମଧ୍ୟରେ ଧକ୍କା ହେବାର ଦେଖାଯାଏ । ଭୟରେ ଆତୁର ଲୋକଙ୍କର ଚିତ୍କାର ସହିତ ଭୀଷଣ ଶବ୍ଦ ସହିତ କେତେକ ବଗି ଲାଇନଚ୍ୟୁତ ହେବାର ଖବର ବିଜୁଳି ବେଗରେ ଖେଳିଯାଏ ଚତୁର୍ଦ୍ଦିଗ । ବିକଳ ଚିତ୍କାର , ଆତୁର କ୍ରନ୍ଦନ ଏବଂ ତା'ସାଥୀରେ ଲୋକଙ୍କର ଅହେତୁକ ଧାଁ ଧପଡ଼ ପରସ୍ଥିତିକୁ ଅଜଣା ଆଶଙ୍କାକୁ ଠେଲି ଦେଇଥାଏ । ହୁଏତ ଏମିତି ଦୁର୍ଘଟଣାକୁ କେହି ଆଶା କରି ନଥା'ନ୍ତି । କିନ୍ତୁ ଦୁର୍ଭାଗ୍ୟ ତା' ସମୟରେ ଆସିଥାଏ ଆଉ ବେଦନାମୟ ଖେଳ ବି ଖେଳି ଥାଏ । ଇଣ୍ଡିଆନ ଆର୍ମଡ଼ ଫୋର୍ସର ଅରୁପ ... ଅରୁପ ସାମନ୍ତରାୟ ଟୁ ଷ୍ଟାର ବେଜ ଧାରୀ । କମିଶନଡ଼ ସର୍ଭିସର ଅହରହ ଚାରିବର୍ଷର ନିରବଛିନ୍ନ ସଂଘର୍ଷ
ଦେଇଛି ସେ ଇଣ୍ଡିଆନ ଆର୍ମିକୁ । ପ୍ରତିବଦଳରେ ତାକୁ ମିଳିବ ଥ୍ରୀ ଷ୍ଟାରର ମାନ୍ୟତା । ଲିଉଟନାଟରୁ କାପଟେନ ହେବାର ଅବସରରେ କେଇଟା ଦିନ ପାଇଁ ଘର ଲୋକଙ୍କ ସହିତ ସମୟ କାଟିବା ପାଇଁ ବାହାରି ଥିଲା ସେ । କିନ୍ତୁ ଦୁର୍ଘଟଣାର ଶୀକାର ହୋଇ ଆର୍ମି ଅଫିସର ମାନଙ୍କ ଦ୍ୱାରା ଉଦ୍ଧାର ପାଇ ହସ୍ପିଟାଲରେ ନିଜକୁ ଆବିଷ୍କାର କଲା ଅରୁପ କିନ୍ତୁ ଆଉ ନିଜକୁ ଚିହ୍ନି ପାରୁ ନ ଥିଲା ସେ । କେଇଘଣ୍ଟା ପରେ ପୁଣି ଚେତନା ହରାଇ ଥିଲା ଅରୁପ । ପରିବାରର ତତ୍ତ୍ଵାଵଧାନରେ ଦୀର୍ଘ ଦିନ ଧରି ସେ କୋମାରେ ରହିଲା । ନାନା ପୂଜା ଅର୍ଚ୍ଚନା , ମାନସିକ ଇତ୍ୟାଦି ଦ୍ୱାରା ପ୍ରେରିତ ହୋଇ ଶେଷରେ ଚେତନା ଆସିଲା ଅରୁପର । ବ୍ରାହ୍ମଣ ତା'ର ପୁନର୍ଜନ୍ମ ବୁଝି ତାକୁ ଡାକିଲେ ଶିବାନ । ଅରୁପରୁ ପରିବର୍ତ୍ତିତ ହୋଇଗଲା ସେ ଶିବାନକୁ । ସେଇଦିନ ଠାରୁ ସମସ୍ତେ ଡାକିଲେ ଶିବାନ ।
^^^^^^^
--ଆଃ ....ମୁଁ କୋଉଠି  ?
---ବ୍ୟସ୍ତ ହୁଅନା । ତମେ ଏବେ ବିପଦ ମୁକ୍ତ  ।
----କିନ୍ତୁ ଅନ୍ୟ ଆହତ ମାନଙ୍କୁ ଉଦ୍ଧାର କରା ହଉଛି ତ ।ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ନିତାନ୍ତ ଜରୁରୀ ।
---ଆଉ କେହି ଆହତ ହୋଇନାହାନ୍ତି ।
---କିନ୍ତୁ କଳିଙ୍ଗ ଉତ୍କଳ ଡି ରେଲଡ଼ ହୋଇଥିଲା ଡକ୍ଟର ।ମୋ' ସହ ଅନ୍ୟମାନେ ମଧ୍ୟ ଇଂଜୋର୍ଡ ହୋଇଥିଲେ ।
----ଓ କେ ,ଓ କେ .....ଅରୂପ । ଥେଙ୍କ ଗଡ ....ଓଃ ଇଟ ଇଜ ବୋଣ୍ଡରଫୁଲ । ( ରାଗେଶ୍ୱରୀଙ୍କୁ ସାମ୍ନାକୁ ନେଇ ଆସି ) ଦେଖିଲ , ୟେ' କିଏ ? ......ଚିନ୍ହି ପାରୁଛ ?

        ଯନ୍ତ୍ରଣା ମିଶା ସ୍ମିତହାସ୍ୟ ଟିଏ ଖେଳାଇ କହିଲା ---"ଆରେ ରାଗୀ ତମେ ଏଠି ? କେମିତି ଆସିଲ ?" ମାହେଶ୍ୱରୀ ତାକୁ ବ୍ୟସ୍ତ ନହେବା ପାଇଁ ଧୈର୍ଯ୍ୟ ଧରିବା ପାଇଁ ଉପଦେଶ ଦେଲେ ଏବଂ ସୁସ୍ଥ ହୋଇଗଲେ ସବୁ କିଛି ଜାଣିଯିବେ ବୋଲି ଆଶ୍ୱାସନା ଦେଲେ ।

******

       ଆଜି ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛି ରାଗେଶ୍ୱରୀକୁ ନିଜ ସାଥୀରେ ନେଇ ଯିବାକୁ ତା' ଘରକୁ । ଏଇ କେତେଦିନ ହେବ ସେଇ ଆଖି ଯୋଡିକର ସ୍ୱପ୍ନ ଜାଗ୍ରତ ଓ ନିଦ୍ରାରେ ଉଭୟ ଚୈତନ୍ୟ ଓ ଜାଗରଣରେ ସଦା ସର୍ବଦା ରାଗେଶ୍ୱରୀର କଣ୍ଠ ଆଉ ସେଇ କାନ୍ଥରେ ଟଙ୍ଗା ହୋଇଥିବା  ଆଖି ଯୋଡିକ ତା'ର ଶାନ୍ତି ଭଗ୍ନ କରିଛନ୍ତି । ସବୁକିଛି ଜାଣି ସାରିଛି ସେ । ସେଇ ଚିତ୍ରପଟ୍ଟରେ ଥିବା ଆଖି ଯେ ରାଗେଶ୍ୱରୀର ଏବଂ ଦିନେ ତା'ରି ପାଇଁ ତାହା ନଷ୍ଟ ହୋଇଛି ଜାଣି ଭୀଷଣ କଷ୍ଟ ହେଉଛି ତାକୁ । ହୃଦୟ ଶରାହତ ପକ୍ଷୀ ପରି ଛଟପଟ ହେଉଛି । ସେଇ ଆଖିପତା ଉପରେ ସେ କେତେଥର ଚୁମା ନ ଦେଇଛି ! କେତେ ସ୍ୱପ୍ନ ନ ଦେଖିଛି  !ବୋର୍ଡର ଲାଇନ ଉପରେ କେତେ ପ୍ରହର ନ ବିତାଇଛି ସେଇ ଆଖିକୁ ମନେ ପକେଇ ! ନା ....ନା ,ଏମିତି ବ୍ୟର୍ଥ ହେବାକୁ ସେ ଦେଇ ପାରିବନି ସମଗ୍ର ଜୀବନ । ଯେମିତି ହଉ ସେ ରାଗେଶ୍ୱରୀର ଆଖି ଭଲ କରିବ । ରାଗେଶ୍ୱରୀ ତା' ପାଖରେ ଆସି କେତେବେଳୁ ଠିଆ ହେଲାଣି ତା' ସ୍ପର୍ଶରୁ ଜାଣିଲା । ଦୁଇ ହାତରେ ରାଗେଶ୍ୱରୀ ତାକୁ ଅଣ୍ଡାଳି ଧରୁଛି ।ନାରୀର ସ୍ଵଭାବସିଦ୍ଧ ଲଜ୍ଜା ଯୋଗୁ ତା'ର ଓଠ ଥରି ଯାଉଥାଏ ,, ଛାତିରେ ଟିକେ ଜଡାଇ ଧରିବାକୁ ବିକଳ ନୀରବ ପ୍ରତ୍ୟାଶା । ଅରୂପ କ୍ଷଣେ ଚାହିଁଲା । ବୋଧହୁଏ ମାପୁଥିଲା ରାଗେଶ୍ୱରୀର ପ୍ରେମକୁ । ତା' ଆଖି କୋଣର ଜକେଇ ଆସୁଥିବା ଲୁହ ବୁନ୍ଦାକୁ ଅବରୋଧ କରିବାକୁ ଯାଇ ଅତି ନିବିଡ ଭାବରେ ଜଡାଇ ଧରି ଅଶ୍ରୁବୁନ୍ଦା ଉପରେ ନିଜ ଓଠ ଥାପିଲା ଅରୂପ ।

---ମୁଁ ନିଜକୁ ଅସହାୟ ଭାବୁନି । ତମେ ମୋତେ ମିଳି ଯାଇଛ । ଏଣିକି ମୁଁ ତମ ଆଖିରେ ସବୁକିଛି ଦେଖିବି ।

    ସଁ ସଁ ହୋଇ ନାକ କାନ୍ଦୁରା ସ୍ୱରରେ ବିଷର୍ଣ୍ଣ କଣ୍ଠରେ କହୁଥିଲା ରାଗେଶ୍ୱରୀ । ସେମାନଙ୍କର ଏହି ଯୁଗଳ ବନ୍ଦୀ ମୂର୍ତ୍ତିକୁ ନିର୍ନିମେଶ ନୟନରେ ଦେଖୁଥିଲେ ମାହେଶ୍ୱରୀ , ଶୁକ ଦେଈ , ନିକି । ହଠାତ ନିକି ଦଉଡି ଆସି ଅରୂପ ଆଉ ରାଗେଶ୍ୱରୀଙ୍କ ସହ ଜଡିଗଲା ଆଉ କହିବାକୁ ଲାଗିଲା.....

 -- ମୋ' ଆଖିରେ ଦେଖିବ ମୋ ରାଗୀ । ନା ...ମାଆ !  ( ମାହେଶ୍ୱରୀଙ୍କ ଆଡକୁ ଚାହିଁ ) ମୁଁ ତ ଆଉ ବେଶୀ ଦିନ ବଞ୍ଚିବିନି । ମୋ' ଆଖିକୁ ତମେ ସମସ୍ତେ ମିଶି ମୋ' ରାଗୀ ଆଖିରେ ଲଗେଇ ଦବ । ସେଇ ଆଖିରେ ମୁଁ ମୋ ରାଗୀ ଭିତରେ ରହି ଦେଖିବି । ଏଥର ହସ ତ ଟିକେ ! ! "

       ରାଗେଶ୍ୱରୀ ନିକିକୁ କୁଣ୍ଢାଇ ପକାଇଲା । ସେ ଜାଣେ , ଅନାଥ ପିଲାଟିର ଆୟୁଷ ଆଉ ଅଳ୍ପ ଦିନ । ତଥାପି ନିକି ଅନ୍ୟ ସାଧାରଣ ପିଲାଙ୍କ ପରି ବ୍ୟବହାର ଦେଖାଏ ।
କେବେ ମନ ଊଣା କରେ ନାହିଁ । ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଝିଅଟିର ଗୋଟେ କିଡନୀ ନାହିଁ । ଅନ୍ୟ କିଡନୀଟି ଛୋଟିଆ ଏବଂ ଖରାପ । ତତ ସହିତ ବ୍ଲାଡ଼ର ମଧ୍ୟ ନାହିଁ ।ଏମିତି ବିଭିନ୍ନ ଶାରିରୀକ ସମସ୍ୟା ଥାଇ ଝିଅଟି ଜୀବନର ସାବଲୀଳ ଛନ୍ଦ ହରାଇଛି । କାହାର କିଛି କରିବାର ନାହିଁ ।ଆଖିରୁ ଲୁହ ଧାର ସବୁ ନିଗିଡି ପଡୁଥିଲା ଉପସ୍ଥିତ ବ୍ୟକ୍ତିଙ୍କ ଆଖିରୁ ...!

---ନିକି ,ତୋ' ହୃଦୟର ବିଶାଳତା ଆଗରେ ଦୁନିଆର ସବୁ କିଛି ତୁଚ୍ଛ ଲୋ ....ଜନ୍ମ ଜନ୍ମ ପାଇଁ ଋଣୀ କରିଦେଲୁ ସେଇ ଆଖି ଯୋଡିକ ପାଇଁ ।

ରାଗେଶ୍ୱରୀ  ଧଙ୍କି ଧଙ୍କି କହୁଥାଏ ନିକିକୁ ଏକ ଆବେଗରେ ନିଜ ଛାତିରେ ବାନ୍ଧି ରଖି ।

              **************************
ବାରିପଦା
8249850168
ଜୟ ସାହିତ୍ୟ, ଜୟ ସମାଜ