3/01/2020

ଶ୍ରାବଣୀ ଫେରିଛି ଆଜି

**************
ଲୋରୀ ସ୍ବାଇଁ 

ନିର୍ଦ୍ଦୟ ହୃଦୟ ଆଜି ତରଳିଛି
ଶ୍ରାବଣୀ ମୋ' ଫେରି ଆସିଛି
ପହିଲି ତୁଠରେ ଶିଉଳି ଲଗେଇ
ଝୁମି ଝୁମି ପରା ନାଚୁଛି ।।
ମହଣ ମହଣ ମହୁଲି ନିଶାରେ
ମତୁଆଲା ଆଜି ସାଜିଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି...(୦)

ଦେବୀମୁହାଁଣର ଆରପଟୁ ସେ ତ
କଳାପାଟ ପିନ୍ଧି ହସୁଛି
ଦେଇଛି ବହିନା ନାଉରୀକୁ ଡାକି
ପାରି କର ବୋଲି କହୁଛି ।
ତା'ର ଅଗମନ ଖବର ଶୁଣିକି
ମାଟିରୁ ବାସନା ଭାସୁଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ ଫେରି ଆସିଛି..(୧)


ଟିପିଟିପି ଟୋପା ଆକାଶୁ ଝରେଇ
ତନୁ-ମନ ମୋହି ନେଉଛି
ଦୂର ଗହୀରକୁ ମଥା ଟେକି ଦେଖ
ପାଗ ଭିଡି କିଏ ନାଚୁଛି ।
ଲଙ୍ଗଳ-ବଳଦ ସାଥିରେ ନେଇକି
ଗହୀର ପାଟରେ ଭାବୁଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି..(୨)

ସଦ୍ୟ ଦୁର୍ବାଦଳ ପ୍ରଥମ ଛୁଆଁରେ
କୁଆଁରୀ କୁଆଁରୀ ଦିଶୁଛି
କାଗଜର ଡଙ୍ଗା ଓଳି ଦାଢେ ଦାଢେ
ଭାଵ-ପ୍ରଣୟରେ ମିଶୁଛି ।
ନଦୀପଠା  ଧାରେ ଦଳ-କଳମ ଯେ
ତୁଠକୁ ଆଉଜି କହୁଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି..(3)



ନାଗଐରି ମୋର କାଗଜ ଫୁଲକୁ
ମୁଣ୍ଡରେ ହଲେଇ କହୁଛି
ଶିମିଳି ଗଛରେ ହଲଦୀବସନ୍ତ
ଭାଳେଣିର ଅନ୍ତ ଘଟିଛି ।
ସାଧବ ବୋହୂକୁ ରଙ୍ଗ ବେରଙ୍ଗରେ
ମୁଗୁରାର ନାମ ଦେଇଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି ..(୪)

ଶିଳ ଚାରିପାଖେ ଗଉଡ଼ୁଣି ପୋକ
ରହିବାକୁ ବସା ବାନ୍ଧୁଛି
କୁମ୍ଭାରୀଆ ପୋକ ମାଟିକୁ ଅନେଇ
କହେ ମୋ' ପୃଥିବୀ ଘୁରୁଛି ।
ସିଜୁବୁଦା ମୂଳୁ ଏଣ୍ଡୁଅକୁ ଦେଖି
ବ୍ରାହ୍ମଣୀଆ ଗୀତ ଗାଉଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ ଫେରି ଆସିଛି..(5)

ଘର ଭୁଆସୁଣି ହାତେ ଓଢଣୀରେ
ଦରଜା ଫାଙ୍କରେ ଚାହିଁଛି
ବାଉଳିଆ ମନ ନାଗର ତାହାର
ପଖିଆ ନ'ନେଇ ଯାଇଛି ।
ହାଣ୍ଡିଶାଳ ଘରୁ ଲିଭିଲା ଚୁଲିରେ
କୁହୁଳା କାଠଟା ଜଳୁଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି ..(6)

ବାରି ପଛପଟ ଘଷି ଚାଳିଆରେ
ବୋଇତି କଖାରୁ ମାଡୁଛି
ପାଗଳ ଭଅଁର ପରାଗରେଣୁକୁ
ଫୁଲେ ଫୁଲେ ଛିଞ୍ଚି ବୁଲୁଛି ।
ପଡ଼ିଶାଘରର ଧାନୁଆ ଲଙ୍କାରୁ
କ୍ଷୀରୁଆ ବାସନା ଛୁଟୁଛି
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି..(7)

ଦାଣ୍ଡ ବାରଣ୍ଡାରେ ପାକୁଆ ପାଟିରେ
ବୁଢ଼ୀ ବସି ମୁଢ଼ି ଟୁଙ୍କୁଛି
ତାଳ ଗଛ ପରେ ବାଇଆ ବସାଟି
ଆଗ-ପଛ ହୋଇ ଝୁଙ୍କୁଛି ।
ମଝି ଦାଣ୍ଡେ ପାଣି ସୁଅ କାଟି ବହି
ଜଳକଣା ଜନ୍ମ ନେଉଛି ।
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ ଫେରି ଆସିଛି ।

କୋହଲା ପବନେ ଶରୀର ଶୀତାଏ
ଆକାଶେ ଆଲୋକ ଦିଶୁଛି
ଘୋର ଗରଜନ ସତେ ରୁଦ୍ର ବାଣ
ଦେବରାଜ ବାଣ ବିନ୍ଧୁଛି ।
ଚାତକ ଦ୍ବିଜର ପ୍ରତୀକ୍ଷାର ଫଳ
ସତେ ଅବା ମିଳି ଯାଇଛି ।
ନିର୍ଦ୍ଦୟ ହୃଦୟ ଆଜି ତରଳେଇ
ଶ୍ରାବଣୀ ମୋ' ଫେରି ଆସିଛି ।

ଓସ୍ତପୁର - କାକାଟପୁର - ପୁରୀ

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।