3/01/2020

ଅଭିମାନର ଅବଶୋଷ

ରାଜେଶ କୁମାର ବାରିକ 

       ସେଦିନ ରାଜୁ ତା'ର ବାପା - ମା'ଙ୍କୁ ଦୋଷ ଦେଇ କହୁଥାଏ ...... "ତୁମେମାନେ ହିଁ ମୋ' ଜୀବନକୁ ନଷ୍ଟ କରିଦେଲ । ଭବିଷ୍ୟତ ବର୍ବାଦ କରିଦେଲ । ନା ଦେଇ ପାରିଲ ଉଚ୍ଚ ଶିକ୍ଷା ନା ଭଲ ଘର । ଏଇଥି ପାଇଁ କେହି ସାଙ୍ଗ ଆମ ଘରକୁ ଆସନ୍ତି ନାହିଁ । ତୁମ ମାନଙ୍କ ପାଖରେ ଆଉ ଏମିତି ରହି ପାରିବି ନାହିଁ । ଚାଲିଲି ସୁରତ , ସୁତା ମିଲ୍‌ରେ କାମ କରିବି ଆଉ ଆମର ଏ ଅବସ୍ଥା ସୁଧାରିବି ।" ସମସ୍ତେ ଚାହାଁନ୍ତି ଖୁସିରେ ରହିବାକୁ , ଭଲ ଘର , ବଡ ଚାକିରୀ ଆଉ ତା' ଭିତରେ..... ସବୁକିଛି । ରାଜୁର ବି ଇଚ୍ଛା ତା' ବାପାଙ୍କ ଠାରୁ ବଡ ଚାକିରୀ କରିବ ବେଶି ନାଁ କରିବ । ହେଲେ ସମୟର ବିଡମ୍ବନା , ତାକୁ ନେଇ ସୁରତର ଗୋଟେ ସୁତାକଳ ସହ ଯୋଡୁଛି । ସବୁ ସେଇ ବିଧାତାର ଖେଳ !  ଖାଲି ଏସବୁ ରାଜୁର ସ୍ବପ୍ନ ନୁହେଁ , ରାଜୁ ବାପା - ମା'ଙ୍କର ବି ଏମିତି ସ୍ବପ୍ନ ଥିଲା । କେଉଁ ବାପା - ମା' କ'ଣ ଜାଣିଶୁଣି ନିଜ ପିଲାର ଭବିଷ୍ୟତକୁ ବିଗାଡି ପାରିବେ ? ଆସନ୍ତୁ ଜାଣିବା ପୂରା କାହାଣୀ ।
       
    ୧୯୯୪ ମସିହା ଏପ୍ରିଲ୍ ୨୬ରେ ରାଜୁର ଜନ୍ମ   ହୋଇଥିଲା , ସେତେବେଳେ ଘରକୁ ଖୁସିର ଜୁଆର ଆସିଥିଲା । ରବି ଫସଲ ଭଲ ହେବା ସାଙ୍ଗକୁ ରାଜୁ ବାପାଙ୍କୁ ପ୍ରାଇମେରି ସ୍କୁଲ୍‌ରେ ଚାକିରୀଟା ବି ମିଳିଗଲା । ଫାଇନାଲି ରାଜୁ ସମସ୍ତଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ରାଜୁକୁ ପାଇ ତା'ର ବାପା - ମା' ଯେତିକି ଖୁସି ନଥିଲେ ତା'ଠୁ ଅଧିକ ତା'ର ପରିବାର । ଏହାରି ଭିତରେ ଖୁସିର ଜୁଆରଟା ଅଧିକ ସମୟ ରହି ପାରିଲା ନାହିଁ । ଆସିଲା ୧୯୯୯ର ମହାବାତ୍ୟା ; ଆଉ ଭାଙ୍ଗିଦେଇ ଗଲା ରାଜୁର ଘର , ଭସାଇ ନେଲା ଖୁସି । ଭଗବାନଙ୍କ କୃପାରୁ ଆଶ୍ରୟସ୍ଥଳୀ ଚୁଡା ଗୁଡ ଖାଇ କଳା ଜରି ଭିତରେ ଜୀବନଟା ରହି ଯାଇଥିଲା ସେଦିନ । ବନ୍ୟାରେ ଭାଙ୍ଗି ଥିବା ଘରକୁ ପାଥେୟ କରି କକା , ବଡବାପା , ବୁଢାବାପା ସମସ୍ତେ ଦେଖେଇ ଥିଲେ ନିଜ ଔକାତ୍ । ଆଉ ରାଜୁ ବାପାଙ୍କ ପାଖରେ ରହି ଯାଇଥିଲା କେତେ ଖଣ୍ଡ ବାଉଁଶ , କଳା ଜରି ଆଉ ବାପା - ମା' ।

      ବାପା କେବେ ମୁହଁ ଖୋଲି ନଥିଲେ ; ସମସ୍ତେ ସବୁକିଛି ନେଇ ଗଲା ପରେ ନିଜକୁ ନିଜେ ସମ୍ଭାଳି ଗାଁ ସ୍କୁଲ୍‌ରୁ  ଆରମ୍ଭ କରାଇ ଥିଲେ ମୋର ଜୟଯାତ୍ରା । ବାତ୍ୟାର ପରବର୍ତ୍ତୀ ପଟୁ ଭଳି ଏଇ ବାତ୍ୟା ବି ଦେଇଥିଲା ବହୁତ କିଛି । ବାପା - ମା'ଙ୍କର ସବୁବେଳେ ଗୋଟିଏ ଚିନ୍ତା ଥାଏ , ପିଲାଟା ସିନା ସରକାରୀ ସ୍କୁଲ୍‌ରୁ ପାଠ ଆରମ୍ଭ କଲା କିନ୍ତୁ କଲେଜ ପ୍ରାଇଭେଟ୍‌ରେ ହିଁ କରିବ । ତାହାଲେ ଆଗକୁ ତ ଯାଇ କିଛି କରି ପାରିବ ।  ମା' ସବୁଥିରୁ ଖର୍ଚ୍ଚ କାଟ୍ କରି ସଞ୍ଚୟ କରିବାରେ ବ୍ୟସ୍ତ ; ଏ'ପାଖେ ବାପା ପେଟ - ପିଠିକୁ ମାରି ବ୍ୟାଙ୍କ୍‌ରେ ଜମା ରଖୁଥିଲେ । ଆଉ ରାଜୁ ମନଧ୍ୟ୍ୟାନ ଦେଇ ପାଠ ପଢିବାରେ ବ୍ୟସ୍ତ ; କାହିଁକି ନା ସ୍ବପ୍ନ ଅନେକ ! ଆକାଶରେ ଉଡିବ ଓ JNUରେ ପଢିବ ; ବହୁତ ନାଁ କରିବ ପୁଅ । ରାଜୁ ମନ ଲଗାଇ ପାଠ ପଢିଲା ଏବଂ ମ୍ୟାଟ୍ରିକ୍‌ରେ ଜିଲ୍ଲାରେ ପ୍ରଥମ ହେଲା ; ଆଉ ଛୁଟିଲା ଶୁଭେଚ୍ଛାର ସୁଅ । ଖୁସିରେ ଆତ୍ମହରା ହୋଇ ପଡୁଥା'ନ୍ତି ବାପା - ମା' ଦୁଇଟା । 
 ସ୍ବପ୍ନ ସତ ସତ ହେଲା ପରି ଲାଗୁଥାଏ । ଏଇ ଖୁସିର ଜୁଆର ଏତେ ବେଶି ହେଲା , କିନ୍ତୁ ଅଚ଼ାନକ ସବୁ ସ୍ବପ୍ନ ଧୋଇ ନେଇଗଲା ; ଯେବେ ଜଣା ପଡିଲା ରଖିଥିବା ଟଙ୍କା ସବୁ ଚିଟ୍‌ଫଣ୍ଡ କମ୍ପାନିରେ ବୁଡି ଯାଇଛି । ପାଦ ତଳୁ ମାଟି ଖସି ଗଲା , ବଜ୍ରପାତ ହେଲା ଭଳି ଲାଗିଲା ବାପାଙ୍କୁ । ସବୁ ସ୍ବପ୍ନ ଭାଙ୍ଗି ଗଲା ରାଜୁର ; ତଥାପି ବି ହାର୍‌ ମାନି ନଥିଲା ରାଜୁ । ଭାଗ୍ୟକୁ ଦୋଷ ଦେଇ ବାପାଙ୍କୁ ଦେଇଥିଲା ସାନ୍ତ୍ବନା , ଆଉ ନେଇଯାଇ ଥିଲା ସୁର ବାବା , ଭଣ୍ଡ ସାରଥି ପାଖକୁ ମନର ପରିବତ୍ତର୍ନ ପାଇଁ । ବାବାଙ୍କ  ମିଠା ମିଠା କଥାରେ ଆତ୍ମା ପରମାତ୍ମାର ମିଳନ ହୋଇଥିଲା । ରାଜୁ ରାତାରାତି ପାଲଟି ଥିଲା ସବୁ ପରମ ଭକ୍ତଙ୍କ ମୁଖ୍ୟ ଆଦର୍ଶ । ବାବା ଗୋଲକୋଣ୍ଡା ଯିବା ବେଳକୁ ରାଜୁ B.A ପାସ୍ କରିଥାଏ । ସାରଥି ଜେଲ୍ ଜିବା ପରେ ସବୁ ଆଶା ଓ ସବୁ ସ୍ବପ୍ନ , ସ୍ବପ୍ନରେ ହିଁ ରହି ଯାଇଥାଏ ।

   ସରକାରୀ ଅଫିସ୍‌ରେ ପିସି କାରବାର । ବେକାରୀ ବୃଦ୍ଧିରେ ଆଉ ତା'ରି ଭିତରେ ରାଜୁ ଆଉ ଆଗକୁ ଯାଇ ପାରିଲାନି । ଘରର ଅବସ୍ଥା, ମାନସିକ  ଦୁଶ୍ଚିନ୍ତା ଭିତରେ ରାଜୁ ଗୋଟେ ନାମରେ ହିଁ ସୀମିତ ରହିଛି । ମଧ୍ୟବିତ୍ତଙ୍କ ଜୀବନରେ ଦୋଷ କାହାର ,  ରାଜୁର ନା ରାଜୁ ବାପା - ମା'ଙ୍କର ? ରାଜୁ ଅଭିମାନ କରିଛି ତା' ବାପା - ମା'ଙ୍କ ଉପରେ , ହେଲେ ତା'ର ଏ ଅବସ୍ଥା ପାଇଁ ଦାୟୀ କିଏ ?
                       
                     ଦେବେନ୍ଦ୍ରପୁର , ଅଭଣା , ବାଲେଶ୍ବର 
                               ମୋ- ୯୯୯୮୬୨୨୩୩୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।