3/01/2020

କବିତା : ଜୀବନର କଥା

   ଶ୍ରୀଯୁକ୍ତ ଭିକାରୀ ଧଳ    


      [ଏହି ଆଲେଖ୍ଯଟି କାବ୍ଯଲୋକ ସାହିତ୍ଯପତ୍ରିକାର ସମ୍ପାଦକୀୟ ସ୍ତମ୍ଭରୁ ଆନୀତ । ସମାଜକୁ ଏକ ସଚ଼େତନ ବାର୍ତ୍ତା ପ୍ରଦାନ କରୁଥିବା ଏ ସୁନ୍ଦର ସୃଜନୀର ସ୍ରଷ୍ଟା କାବ୍ଯଲୋକ ସାହିତ୍ୟ ପତ୍ରିକା ସମ୍ପାଦକ ଶ୍ରୀଯୁକ୍ତ ଭିକାରୀ ଧଳ । ଆଜିକାଲି ଭାଷା ସାହିତ୍ଯର ବିକୃତତା , ଚଞ୍ଚକତା , ଓଡ଼ିଆ ଭାଷା ସାହିତ୍ଯର ଅପମାନ ତଥା ଅଳ୍ପ ଜାଣି ବହୁ ବଖାଣି ନୀତି ସର୍ବତ୍ର ଦୃଶ୍ଯମାନ । ପୂର୍ବ ସୂରୀଙ୍କ ନାମକୁ ବିକି ତଥା ଧନ ଦେଇ ମାନ ସାଉଁଟି ଅକବି କବିତ୍ୱର ପରିଚ଼ୟ ସୃଷ୍ଟି କରି ଚ଼ାଲିଛନ୍ତି । ପ୍ରକୃତ କବି ବା ସାହିତ୍ୟିକ ସମ୍ମାନରୁ ବଞ୍ଚିତ  । ଅବିକା ସମାଜେ ସାହିତ୍ଯ ପଣ୍ଯଦ୍ରବ୍ଯ ପାଲଟି ସାରିଛି । କିଛି ସାହିତ୍ୟିକ ନିଜର କୌଳିକ ବୃତ୍ତି ପ୍ରତି ଧ୍ଯାନ ନ ଦେଇ ଏବେ ସାହିତ୍ଯ ବେପାରରେ ନିୟୋଜିତ ହେବାରେ ଲାଗିଛନ୍ତି । କାରଣ , ବିନା ଶ୍ରମରେ ଓ ସହଜରେ ଏଠି ଅନେକ ଅର୍ଥ ରୋଜଗାର ହୋଇ ପାରୁଛି । ଏପାଖରେ ଲୋକ ଦେଖାଣିଆ ଭାଷା ଆନ୍ଦୋଳନ ସାଙ୍ଗକୁ ସେପଟେ ଖୁଲମଖୁଲା ସାହିତ୍ଯ ବେପାର  ; ଓଡ଼ିଆ ଭାଷା ପ୍ରତି ଲଜ୍ଜାଜନକ ଓ ଘୋର ଅପମାନର ବିଷୟ । 




       ଶ୍ରୀଯୁକ୍ତ ଧଳ ମହୋଦୟ ଏମିତି ଏକ ବାସ୍ତବତାକୁ ଲୋକଲୋଚନକୁ ଆଣି ସମାଜରେ ଶାନ୍ତି-ପ୍ରୀତି-ମୈତ୍ରୀ ଓ ସଂସ୍କାରର ପୁନଃ ପ୍ରତିଷ୍ଠା କରିବାର ପ୍ରଚେଷ୍ଟା କରି ଥିବାରୁ ଆମ ଉଦୟ ଭାନୁ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  । ଆଦିତ୍ୟଙ୍କ ସମ ତାଙ୍କର ଉତ୍ତର ଆଲେଖ୍ୟ ସମସ୍ତ ଦୀପ୍ତିମନ୍ତ ହେଉ ଓ ପାଠକ ପ୍ରାଣସ୍ପର୍ଶୀ ହୋଇ ସମାଜର କଲ୍ଯାଣ ସାଧନ କରୁ ; ଏତିକି ପ୍ରାର୍ଥନା  । ]
ଉଦୟ ଭାନୁ (ସାହିତ୍ଯ ଓ ସମାଜ ସେବା ସଙ୍ଗଠନ)
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

      
  ମୁଁ ସେହି କବିତାର କଥା ହିଁ କହୁଛି । ଯେଉଁ କବିତା କ୍ଷିତ୍‌ , ଆପ୍‌ , ତେଜ , ମରୁତ , ବ୍ଯୋମ ହୋଇ କୋଟି କୋଟି ବର୍ଷ ଧରି ପ୍ରବାହିତ ହୋଇ ଚ଼ାଲିଛି ମଣିଷର ଚ଼େତନା ଭିତରେ । ପ୍ରତିଟି ଯୁଗର ସନ୍ଧିକ୍ଷଣରେ କବିତା ହୋଇଛି ଦେବୀ , ଦାନବୀ ସବୁ କିଛି । ସେହି କବିତାର ପ୍ରବାହମାନ ଧାରାରେ ପ୍ରତିନିୟତ ଭାସି ଆସିଛି ନ୍ଯାୟ , ଧର୍ମ ଓ ଅହିଂସାର କଥା । ମଣିଷକୁ ପ୍ରାପ୍ତ ହୋଇଛି ସତ୍ଯ , ଶାନ୍ତି ଓ ମାନବ ସେବାର ଦୁର୍ଲଭ ଗୁଣ । କବିତା ଆଖିକୁ ଦେଇଛି ଦିବ୍ଯଦୃଷ୍ଟି । ହାତକୁ ଦେଇଛି କର୍ମ କରିବାର ବଳ , ମନକୁ ଦେଇଛି ଭଲପାଇବା ଆଉ ସର୍ବେ ଭବନ୍ତୁ ସୁଖୀନଃର ମନ୍ତ୍ର , ପାଦକୁ ଦେଇଛି ସତ୍‌ ପଥରେ ଗତି , ମୁଖକୁ ଦେଇଛି ସତ୍‌ ଭାଷ୍ଯ । ସେହି କବିତା କହିଛି 'ସତ୍ଯ ପଥେ ଧର୍ମ ପଥେ ଘେନି ଯାଅ ମୋତେ , ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।' ସେହି କବିତା ପୁଣି କହିଛି 'ସତ କହିବାକୁ କିଆଁ ଡ଼ରିବି , ସତ କହି ପଛେ ମଲେ ମରିବି ।' ସେହି କବିତା କହିଛି :- ପଙ୍ଗୁ ଲଙ୍ଘୟତେ ଗିରି , କବି କରିଛି ଭୀମ ଭୋଇ , ଗଙ୍ଗାଧର ଓ ହଳଧର ନାଗଙ୍କକୁ । ସେହି କବିତା ଯୁଗଧର୍ମକୁ ନେଇ ସୃଷ୍ଟି କରିଛି ପ୍ରବାଦପୁରୁଷ ପ୍ରଭୁ ଶ୍ରୀରାମ ଓ ଧର୍ମ ସଂସ୍ଥାପନକାରୀ ଶ୍ରୀକୃଷ୍ଣଙ୍କୁ , କବିତା ଦେଇଛି ଏ ପୃଥିବୀକୁ କେତେବେଳେ ସୀତା ତ କେତେବେଳେ ଦ୍ରୌପଦୀ । 



     ସେହି କବିତାର କଥା ମୁଁ କହୁଛି । କବିତା ନାହିଁ ତ ସତ୍‌ ପୁରୁଷର ଜୀବନ ନାହିଁ । ଜୀବନ ହିଁ କବିତା , କବିତା ହିଁ ଜୀବନ । ଯେଉଁ କବିତା କାଳର ସୃଷ୍ଟିକର୍ତ୍ତା , ଅଜର ଅମର ଅଦୃଶ୍ୟ ହୋଇ ମଧ୍ୟ ମହାଦୃଶ୍ଯମାନ , ଯିଏ ପ୍ରତି ନିୟତ କବିକୁ କରୁଥାଏ ବିମନା - ଉନ୍ମନା ; ମୋତେ ଛୁଁ ମୋତେ ଛୁଁ କହି ଦୃଶ୍ଯକୁ ଆସେନି କି ଧରା ଦିଏନି , ନାଚୁଥାଏ କବିର ଆଖି ଡ଼ୋଳାରେ , ଜଡ଼େଇ ହୋଇଥାଏ କବିର ଦେହରେ , ମହାମନ୍ତ୍ର ପଢ଼ିବା ପାଇଁ ଶିଖେଇ ଦେଇଥାଏ ଜିଭକୁ , ପ୍ରତିଟି ଅନ୍ଯାୟ ଅନୀତିକୁ ପ୍ରତିହତ କରିବା ପାଇଁ ଶକ୍ତି ପ୍ରଦାନ କରେ ଏବଂ ସ୍ଥଳ ବିଶେଷରେ ଆହାପଣ ଉଚ୍ଚାରଣ କରାଇ ଲେଖେଇ ଦିଏ ପୃଥିବୀର ମହାକାବ୍ୟ..... , ସେହି କବିତା କେତେ ସୁନ୍ଦର ! କେତେ ମହାନ !



   ହଜାର ହଜାର ବର୍ଷ କବିତାକୁ ସାଥିରେ ଧରି ଏ ସୃଷ୍ଟି ଗତି କରିଥିଲେ ମଧ୍ୟ ସଂପ୍ରତି କେତେ ବର୍ଷ ପାଇଁ ଜନ୍ମ ନେଇଥିବା ଅଢ଼େଇ ଦିନର ମଣିଷ ମାନେ କବିତାକୁ କେତେ ବା ଚିହ୍ନିଲେ , ଜାଣିଲେ , ଅନୁଭବ କଲେ ? କ'ଣ ବା ବୁଝିଲେ କବିତାକୁ ? ସେ କିଏ , ସେ ଆସେ କାହିଁକି ? କ'ଣ ତା'ର ରୂପଭେକ ? ତାକୁ କିଏ ଲେଖେ ଓ କାହିଁକି ଲେଖେ , କ'ଣ ମିଳେ ସେହି ଅମୃତମୟ ଶ୍ଲୋକର ମହାର୍ଘ୍ଯ ଆତ୍ମଦାରୁ ? ଏ ମଣିଷ  ଏଯାଏଁ ବି ବୁଝି ପାରିଲା ନାହିଁ କବିତା କିଏ ଲେଖେ , କାହିଁକି ଲେଖାଯାଏ ?



  କିନ୍ତୁ ,ଏହି ଅଳ୍ପଦିନର ମଣିଷ ମାନଙ୍କ ପାଇଁ ଆଖିରେ ବସା ବାନ୍ଧିଛି ଅକବିତ୍ବର ଇନ୍ଦ୍ରଜାଲ । ସେହି ଜାଲର ମାୟାରେ ସେ ପୃଥିବୀକୁ ଦେଖୁଛି କ୍ଷୀଣ ଚ଼କ୍ଷୁରେ , ବୁଝୁଛି ଗୋଟିଏ ଜଡ଼ର ମନ ନେଇ । ପାଖରେ ଥିବା କବିତାର ପରିଚ଼ୟକୁ ନ ଜାଣି ସୃଷ୍ଟି କରୁଛି ଗୋଟାଏ ବିକୃତମନା ବିଚ଼ିତ୍ରବର୍ଣ୍ଣା ନାରୀ । ଇର୍ଷା କରୁଛି ପାଖ ପଡ଼ୋଶୀ , ଜ୍ଞାତି କୁଟୁମ୍ବ , ବନ୍ଧୁ ପରିଜନ ବର୍ଗଙ୍କୁ । ଅକବିତା ଦୁଇ ଧାଡ଼ି ଲେଖୁଛି ବୋଲି ସେ ମିଥ୍ଯା କହୁଛି । ମାଗୁଛି ମାନପତ୍ର ଓ ସମ୍ମାନ । କେତେଦିନର ଜୀବନ ପାଇଁ ସେ ସାଉଁଟୁଛି ଅଦେଖା ପାପ । ମଥାରେ ଭରୁଛି ହୀନମନ୍ଯତା । ଇର୍ଷା ଦ୍ବେଷରେ ଭରି ଦେଉଛି ତା'ର ଚ଼ଉପାଶ । ଜାଣି ପାରୁନି ସେ କବିତାର କ୍ଷତି କରୁଛି , କଷଣ ଦେଉଛି କବିତାକୁ , କାଳକୁ , ପ୍ରତିବାଇତ ହେଉଥିବା ଯୁଗକୁ । 



     କବିମଣିଷ ଛୋଟା ଲେଙ୍ଗଡ଼ା ହୋଇ ମଧ୍ୟ ନିଜକୁ କହୁଛି ପଣ୍ଡିତ । ଜାତି ଓ ବୃତ୍ତିର ଦ୍ବାହି ଦେଇ ଅନ୍ଯର ପୁରୁଷାକାରକୁ କରୁଛି ଉପହାସ । ସେ ନିଜେ ତା'ର ଜ୍ଞାନ , ଗାରିମା ଏବଂ ଚ଼ୌରବୃତ୍ତି ପାଇଁ କେତେ ଯେ ଉପହାସିତ ସେ କଥା ଭାବିନି , ସେ ଆସିଛି କେଉଁ ନୀଚ୍ଚ ସ୍ଥାନରୁ ତା'ର ମନେ ନାହିଁ । ସେ ନିଜକୁ ସ୍ଥାନିତ କରି ସାରିଛି କୌରବ ମାନଙ୍କ ସଭାରେ । ମହାପରାକ୍ରମୀ ଏକଲବ୍ୟର ଜାତି ଓ ବୃତ୍ତିକୁ ନୀଚ୍ଚ ଆଖ୍ୟା ଦେଇ ସ୍ବୀକାର କରୁନି ତା' ପୁରୁଷାକାର ଓ ଶାସ୍ତ୍ରଜ୍ଞପଣକୁ । ହୀନମନ୍ଯତାର ବଶ ହୋଇ ଏମାନେ ମହାପରାକ୍ରମୀ କର୍ଣ୍ଣକୁ ସୂତପୁତ୍ରର ଆଖ୍ଯା ଦେଇ ସୃଷ୍ଟି କରନ୍ତି ମହାଭାରତ । କବିତାକୁ ମଥାରେ ଧରି ଜୀବନ ଜିଉଁଥିବା ମହାରଥୀ ମାନଙ୍କୁ ଗ୍ରହଣ କରନ୍ତି ନ୍ଯୁନ ମାନସିକତାରେ , କ୍ଷତି ହୁଏ ଉଭୟଙ୍କର । ଅପମାନିତ ହୁଅନ୍ତି ମହାସରସ୍ୱତୀ । ଭାଷା ବିକୃତ ହୁଏ । ଭୂଲ୍‌ରେ ହାତରୁ ଖସିଥିବା ପ୍ରହାର ମଧ୍ଯ ପରାଣ ନାଶ କରେ । ନଜାଣି ଭୂଲ୍‌ କରିଥିଲେ ବି ବ୍ଯକ୍ତି ଦଣ୍ଡିତ ହୁଏ । ଏ ଯୁଗର କବି ପଣ୍ଡିତ ସେମାନଙ୍କର ଜ୍ଞାନରେ ମଧ୍ଯ ଏକଥା ବୁଝିବା ଉଚ଼ିତ୍‌ । ଯଦି କାଗଜରେ ତିଆରି ହୋଇଥିବା ମୁକୁଟ ମଥାକୁ ଯାଏ ତାକୁ ମୁକୁଟ କୁହାଯାଏ , କାଗଜ ନୁହେଁ । ଏକଥା ଅହଙ୍କାରୀ ପଣ୍ଡିତ ବୋଲାଉଥିବା ଭଣ୍ଡ ଓ ମୁର୍ଖମାନେ ଜାଣିବା ଦରକାର । କାବ୍ଯପୁରୁଷ ଶାସ୍ତ୍ର ପୁରାଣର ଯୁଧିଷ୍ଠିରଙ୍କ ପରି । ଅନ୍ଯାୟ କରିବା , ଅନ୍ଯାୟ କହିବା ସେମାନଙ୍କର ପାଦକୁ ସ୍ପର୍ଶ କରେ ନାହିଁ । ତେଣୁ କବିତାର ଆରାଧନା କରୁଥିବା ଜୀବନ ହିଁ କବିତା ପରି ତେଜମୟ ଓ ପବିତ୍ର । 



    ଆଜିର ଏହି କବିମଣିଷମାନେ କବିତାକୁ ସାମାନ୍ୟ ମନେ କରିବା ମୋ' ମତରେ ଅନୁଚ଼ିତ୍‌ । କବିତା ଯେଉଁ ଜୀବନ ଜୀଇଁବାର ମାର୍ଗ ଦେଖାଇଛି ତା'ଠୁ ଅଧିକ ସୁଗମ ପଥ ଆଉ କ'ଣ ଥାଇପାରେ ? ସତ୍‌ କବି ପାଖରେ କବିତା ପରା ପ୍ରେମିକା ଦେହର ବାସ୍ନା , ମଥାର ଚ଼ନ୍ଦନ । କବିତା ପରା ସଦାକାଳେ ପ୍ରେମିକା ପରି ମହାମାନ୍ଯା , ଜୀବନର ଅନନ୍ୟ ଦର୍ଶନ । ଆମେ ଯଦି କବିତାର ସେବା କରିବା  , ହୀନମନ୍ଯତା ପୋଷଣ କରିବା କାହିଁକି ? କବିତାର ଅମରାବତୀରେ ଥାଇ ଭୟ କାହାକୁ , ଡ଼ର କାହାକୁ ? କବିତାର ସାଧନାରେ ରହି ଯେ' କୃପା ଲାଭ କରେ ତାକୁ ଇର୍ଷା କରି ନିମ୍ନ ଦୃଷ୍ଟିରେ ଦେଖିଲେ କ'ଣ ଜ୍ଞାନୀ , ଗୁଣୀ ଓ ମହାନତାର ପରିଚ଼ୟ ମିଳିଯିବ ? କିନ୍ତୁ ସତ୍‌ପୁରୁଷ , କବିପୁରୁଷ କମଣ୍ଡଳୁ ପରି ପବିତ୍ର ଓ କମଣ୍ଡଳୁ ଧାରଣକାରୀ ପରି ତା'ର ବ୍ଯକ୍ତିତ୍ବ ; ସେ ଶ୍ରେଷ୍ଠ । 



      ଏହି  କାବ୍ଯଲୋକ କବିତାର କଥା କହି ଆସିଛି ଦୀର୍ଘ ଚ଼ବିଶି ବର୍ଷ , କାହିଁକି କେଜାଣି କେଉଁ ଜନ୍ମର ଆରାଧନାରେ ମୋ' ପରି ଏକ ବ୍ଯକ୍ତିକୁ ମିଳିଛି କବିତାର ସ୍ପର୍ଶ । ଏହା ଭିତରେ କେତେ କଷଣ ସହି ଆସିଛି । କେବଳ ଲକ୍ଷ୍ୟ କବିତାର ଗତି ,ସ୍ଥିତି , ରଚ଼ନା ଓ ଦୃଢ଼ ସଂରଚ଼ନା । ଏହି କଥା ଏ ସଂଖ୍ଯାର ସମ୍ପାଦକୀୟ । ଅକବିବର୍ଗଙ୍କୁ ଏହା ନିବେଦିତ । 



      ପାର୍ବଣରେ ଏତିକି କାମନା ; ଜଗଜ୍ଜନନୀ ମା' ଦୁର୍ଗା ଜଗତକୁ କାବ୍ଯଦୃଷ୍ଟି ପ୍ରଦାନ କରନ୍ତୁ ।  ଭାଷା ସାହିତ୍ଯର ଜୟ ହେଉ  l



ସମ୍ପାଦକ - କାବ୍ଯଲୋକ 
🙏ସାହିତ୍ଯ ମାଜ🙏

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।