✒ ମାଧବାନନ୍ଦ ଭୋଇ ✒
ଆଜି ତା- ୦୩/୦୪/୨୦୦୯ରିଖ । ସଂଜ ନଇଁ ଆସୁଥିଲା । ବିବାହର ମାହୋଲରେ ସଭିଏଁ ହଜି ଯାଉଥିଲେ । ଏହି ମାହୋଲରେ ଜେମା ବି ନିଜକୁ ହଜାଇ ଦେଉଥିଲା । ବିବାହ ଜୀବନରେ ଥରେ ଆସେ । ସେଥିପାଇଁ ଜୀବନରେ ଦୁଇଟି ବଡ ଭୋଜି ହୋଇଥାଏ । ଗୋଟେ ବାହାଘର ଦିନ, ଆଉ ଗୋଟେ ମରିବା ପରେ । ବାପା - ମାଆଙ୍କର ଗୋଟିଏ ଝିଅ । ଦୁଇଟି ଭାଇ ସାନ ହେଲେ ବି, ସେମାନେ ତାକୁ କମ୍ ଭଲ ପାଇବା ଦେଇ ନାହାନ୍ତି ? କିଛି ଗୋଟେ ଖାଲି ହେଲା ପୂର୍ବରୁ ବଡ ଭାଇ ପରି ସବୁ ଅଳି ଅର୍ଦ୍ଦଳି ପୂରଣ କରି ଆସିଛନ୍ତି । ସୁନାନାକୀ ଭଉଣୀ ପାଇଁ ଜଗା ବଳିଆ ପରି ଲାଗନ୍ତି । ବାପା ଗରିିବ ଦିନ ମଜୁରିଆ ହେଲେ ବି ଗୋଟିଏ ବୋଲି ଝିଅ । ମହରଗ ଯୁଗରେ ଯାନି ଯଉତୁକ ସହିତ ଜଣେ ଭଲ ପାତ୍ର ପାଇବା କଷ୍ଟ । ତଥାପି ଝିଅର ଖୁସି ପାଇଁ ବଡମ୍ବାରେ ବାହାଘର ଠିକ୍ ହେଲା ; ଜ୍ୱାଇଁ ଦେଖିବାକୁ ସୁନ୍ଦର । ଭଲ ନାମ ଗତନାଥ,ଗତିଆ ବୋଲି ଡାକନ୍ତି ।କଟକରେ ଡ୍ରାଇଭିଂ କରୁଛି । ବେଶ୍ ଦି' ପଇସା ବି ହେଉଛି । ଗାଁରେ ବି ଚାଷ ଜମି ଅଛି । ଦି' ଭାଇ , ଜ୍ୱାଇଁ ରଜା ଛୁଆ ପରି ଦେଖିବାକୁ । ଯେତେ ଭାଇ ସେତେ ଘର , ଆଜି ଅଛି କାଲି ଭିନ୍ନ ହେବେ । ଚିନ୍ତା କଣ ? ସାଙ୍ଗ ମାନଙ୍କ ସହିତ ଜେମାକୁ ଦେଖିବା ପାଇଁ ଆସି ଥିଲା । ଜେମା ବି ଝରକା ଆଢୁଆଳରୁ ଗତିଆକୁ ଦେଖି ନେଇଥିଲା । ମନେ ମନେ ଲାଜେଇ ଯାଇଥିଲା ଏକ ଅଦୃଶ୍ୟ ସମ୍ଭାବନାକୁ ଅନୁଭବ କରି ।
ବାହାଘର ସରିଗଲା । ଗଲା ସନରୁ ଆଜିକୁ ମିଶାଇ ହିସାବ କଲେ ବରଷକ ପରେ ହୋଇଯିବ । ଜେମାର ଜୀବନରେ ଅନେକ ଘଟଣା ଦୁର୍ଘଟଣା ଘଟି ଗଲାଣି । ଯେତେବେଳେ ହାତ ଧରି ବାହା ହୋଇଛି, ସବୁ କିଛି ସହିବାକୁ ହେବ । ହେଲେ ଗତିଆର କେତୋଟି ଗୁଣ ଜେମାକୁ ଭଲ ଲାଗୁ ନ ଥିଲା । ଦିନେ ଚେକ୍ଅପ୍ ପାଇଁ ଚାଲି ଯାଇଥିଲା ପାଖରେ ଥିନା କ୍ଲିନିକକୁ ।ଅଗତ୍ୟା ଡାକ୍ତର ନ ଥିବାରୁ ଘରକୁ ଫେରି ଆସିଥିଲା ।ମାତ୍ର ନିଜର ଶୋଇବା ଘରକୁ ଯିବା ପୂର୍ବରୁ ପାଖ ଝରକା ନିକଟରେ ଏକ ଅସ୍ପଷ୍ଟ ଶିକ୍ତାର ଓ ଚୁଡିର ରୁଣ୍ଝୁଣ୍ ଶବ୍ଦରେ ଚମକି ଉଠିଲା । ହେଲେ ଗତିଆ ସହିତ ନିଜ ଯାଆର ଶାରିରୀକ ସଂପର୍କ ଅଛି ବୋଲି, ପର କ୍ଷଣରେ ଜାଣିବା ପରେ ଜୀବନଟା ବିଷ ପରି ଲାଗିଲା । ତଥାପି ପିଲାଟିଏ ହେଲା ପରେ ଗତିଆ ବଦଳି ଯିବ ବୋଲି ଜେମା ଭାବୁଥିଲା । ମନେ ପଡେ ବୋଉର ମାଟି ଘର ତିଆରି କଥା । ଖାଲି ଅଗଣାରେ ମାଟି ଚକଟା ଉପରେ ମାଟି ଚକଟା ଲଦି କାନ୍ଥ ହୋଇଯାଏ । ଥରକୁ ଥର ମାଟିର ଚାଦର ପରସ୍ତ ପରସ୍ତ ବୋଳା ହେଉଥାଏ । ଶେଷରେ ମାଟି ଗୋବର ଲିପା ଘର ଏକ ମନ୍ଦିର ପାଲଟିଯାଏ ସେନେହ ଭଲ ପାଇବାର ଚଉହଦି ଭିତରେ । ସେମିତି ଜେମା ନିଜର ଆଶାକୁ ସପନ ସହିତ ଗୁନ୍ଥୁଥିଲା । କାଳେ ନିଜ ପିଲା ମୁହଁକୁ ଚାହିଁଲେ ସ୍ବାମୀ ତା'ର ଜାଆ କଥା ଭୁଲି ଯିବ ବୋଲି । ହେଲେ ଜେମା ଝିଅଟିଏ ଜନ୍ମ ଦେଲା ପରେ ଦିନକୁ ଦିନ ତା'ର ଜୀବନ ବେହାଲ ହୋଇ ଯାଉଥିଲା । ପ୍ରତି ଦିନ ଭୋର ପାଞ୍ଚଟାରୁ ଗାଧୋଇ ଠାକୁର ପୂଜା କରିବା , ଶାଶୁ ଶଶୁରଙ୍କ ମୋଡାଘଷା କରି ସକାଳ ଜଳଖିଆ କଲା ବେଳକୁ ଆଠଟା ବାଜି ଯାଉଥିଲା । ବେଳେ ବେଳେ ଛୁଆଟା ରାହା ଧରି କାନ୍ଦୁଥିଲା ବେଳେ , ନିଜର ଛାତି ଶିର୍ ଶିରେଇ ଯାଉଥିଲା । ହେଲେ ଦୁଧ ଟୋପେ ଦେଇ ପାରୁ ନ ଥିଲା ଛୁଆକୁ । ତା' ପାଟିରେ ସାଗୁ - ବାର୍ଲି ମିଶା ବୋତଲଟେ ଗୁଂଜି ଦେଉଥିଲା । ଅନିଛା ସତ୍ତ୍ବେ କୁନି ଝିଅଟି ମାଆର ଥନ ବଦଳରେ ସିନ୍ଥେଟିକ୍ ନିପଲକୁ ଚୋବାଉଥିଲା । ଜେମା ଲାଗି ଯାଉଥିଲା ନିଜ ପାଇଟିରେ । ନିଜ ଯାଆ ସହିତ ଖରାପ ସଂପର୍କ ହେତୁ ଗତିଆ ବି କଟକରେ ରହୁଥିଲା । ଘରକୁ ବେଶି ସମୟ ଆସୁ ନଥିଲା । ନିଜର ଯାଆ ସହିତ ମନାନ୍ତର ହୋଇ ଯାଇଥିଲା ଜେମାର । ସଂସାର ଜାଲରେ ଛଟପଟ ହୋଇ ଯାଉଥିଲା ଜେମା ଦଣ୍ଡିକିରିମାଛଟେ ପରି । ଝିଅଟିଏ ଜନ୍ମ ହୋଇନାହିଁ , ଅସୁରୁଣୀଟିଏ ଜନ୍ମ ହୋଇଛି ବୋଲି ଶାଶୂ ସବୁବେଳେ ଗାଳି କରୁଥିଲେ । ଅମାବାସ୍ୟାରେ ଜନ୍ମ ହୋଇଛି ବୋଲି , ଜେମାର ଯାଆ ଉଆଁସୀ କନ୍ୟାଟେ ଜନ୍ମ ହୋଇଛି ବୋଲି ଦେଖେଇ ଶିଖେଇ କହୁଥିଲେ । ଉଆଁସୀ କନ୍ୟା ଜନ୍ମ ହେଲେ ବଂଶ ବୁଡିଯାଏ ବୋଲି ଜେମାକୁ ଶାଶୁ ଅଲକ୍ଷଣୀ ବୋଲି ଗାଳି କରୁଥିଲେ । ହେଲେ ଜେମା ସ୍ବାମୀ ଠିକ୍ ଥିଲେ , ସବୁ ଠିକ୍ ଠାକ୍ ହୋଇଯିବ । ଏମିତି ମନକୁ ବୁଝାଇ ନିରବରେ ସୁଁ ସୁଁ ହୋଇ ଲୁହ ଝରାଇବା ବ୍ୟତୀତ ଆଉ କିଛି ଉପାୟ ନ ଥିଲା । ଗତିଆ ପ୍ରତି ସପ୍ତାହରେ ଘରକୁ ଆସୁଥିଲା । ବେଳେ ବେଳେ ଟାେଙ୍କ ମଦ ପିଇ ଘରକୁ ଆସୁଥିଲା । ବାପା ଭାଇଙ୍କ ଠାରୁ ଟଙ୍କା ଆଣିବା ପାଇଁ ଜୁଲମ୍ କରୁଥିଲା । ଜେମା ପ୍ରତିବାଦ କଲେ ଦୁମ୍ ଦାମ୍ ମାଡ ବସୁୃଥିଲା । ସବୁ କିଛି ବୁଝି ଯାଉଥିଲା ଜେମା ।
ସମୟାନୁକ୍ରମେ ପୁଅଟିଏ ଜନ୍ମ ହେଲା । ତଥାପି କାହାଠୁ ପଦେ ଭଲ କଥା ଶୁଣି ପାରୁ ନ ଥିଲା ।ସତରେ କି ଅଭିଶପ୍ତ ଜୀବନ ତା'ର ? ହୁଏତ ଗରିବ ଘରେ ନାରୀଟିଏ ହୋଇ ଜନ୍ମ ନେବା ଏକ ବଡ ପାପ ବୋଲି ଜେମା ନିଜକୁ ଧିକ୍କାର କରୁଥିଲା । ନିଜ ଦେହ - ମନ ତ କାଠ ପଥରର ନୁହେଁ ; ରକ୍ତ ମାଂସର ଶରୀରରେ ମନଟିଏ ଅଛି । କେତେ ବା ସହିବ ଜେମା ? ନୟାଗଡ ପରି ଅଖ୍ୟାତ ପଲ୍ଲୀର ଏକ ଗରିବ ଦିନ ମଜୁରିଆର ଝିଅ ସେ । ଅଭାଗିନୀ ଗୋବର ଗୋଟେଇର ଜୀବନରେ କେବଳ ଦୁଃଖ , ଲୁହ , କୋହ , ଯାତନା ଆଉ ପ୍ରବଂଚନା ବ୍ୟତୀତ କ'ଣ ବା ଥାଏ ? ଘରୁ ବାପା - ଭାଇ ଆସି ଯେତେ ବୁଝାଇଲେ ବି କିଛି ଲାଭ ହୁଏ ନାହିଁ । ଅଖିଆ ଅପିଆ ହୋଇ ଚିରା ଗାମୁଛାରେ ଲୁହ ପୋଛି ପୋଛି ଯାଉଥିବା ବାପାର ଅସହାୟତାକୁ ଦେଖି ତକିଆରେ ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦିବା ବ୍ୟତୀତ ଆଉ କିଛି ଚାରା ନ ଥିଲା ଜେମାର ।
ଏକ ଅର୍ଥ ହୀନ ଜୀବନ ହିଁ ଅଭିଶପ୍ତ ଜୀବନ । ଏପରି ବଂଚିବାରେ ଖୁସି ନଥାଏ ; ସମ୍ମାନ ବି ନ ଥାଏ । ଜୀବନ ଜୀଉଁଣାରେ ସରସତା ନ ଥାଏ । ବରଂ ଘୃଣା , ଲାଂଛନା , ପ୍ରବଂଚନା , ଶଠତା ଏବଂ ଶୋଷଣରୁ ବର୍ତ୍ତି ନଥାଏ ଏ ଗରିବର ଜୀବନ । ତଥାପି ବଂଚିବାକୁ ହେବ ; ଲୁହ ପିଇ ପିଇ ଲଢେଇ କରିବା ପାଇଁ ପଡିବ । ବେଳେ ବେଳେ ଜେମାର ମନ ଆକାଶରେ ଆଶା ଚଢେଇ ଘୁରି ବୁଲୁଥିଲେ । ପିଲା ଦୁଇ ଜଣଙ୍କ ମୁହଁକୁ ଚାହିଁ ସବୁ କିଛି ଭୁଲି ଯାଉଥିଲା । ହେଲେ ପର ମୂହୁର୍ତ୍ତରେ ଯାହା ଶୁଣିଲା , ଜେମାର ପାଦ ତଳୁ ମାଟି ଖସିଗଲା । ତା'ର ସ୍ବାମୀ ଏତେ ଚରିତ୍ରହୀନ ଆଉ କାମୁକ ହୋଇପାରେ ନିଜକୁ ବିଶ୍ୱାସ କରି ପାରୁ ନଥିଲା । ଗୋଟିଏ ପୁରୁଷ ଏତେ କାମୁକ କ'ଣ ପାଇଁ ? ଦୁଇଟି ନାରୀର ଦେହ ସହିତ ଖେଳି ଖେଳି ପରିତୃପ୍ତ ହୋଇ ପାରିଲା ନାହିଁ ଯେ କଟକରେ ଜଣକୁ ରକ୍ଷିତା ବନେଇ ଦେଲା ; ପୁଣି ଏକ ବିବାହିତା ମହିଳା ସହିତ । ନିଜକୁ ଚାହିଁ ପାରିଲାନି ଜେମା । ନିଜ ଭିତରେ ହିଁ ସେ ମରି ଯାଉଥିଲା । କ'ଣ କରଯିବ ? ଗତିଆ କଟକରୁ ଫେରିବା ପରେ ଝଗଡା ଆରମ୍ଭ ହୋଇଗଲା , ତା'ପରେ ପିଟାପିଟି । ନିଶାପ ହେବ । ଘରୁ ବାପା - ଭାଇ ଆସିଲେ ; ପଡୋଶୀ ବି ଆସିଲେ । ମାତ୍ର କଥା କଟାକଟିରୁ ହାତାହାତି । ସବୁଠୁ କୌତୁହଳର ବିଷୟ , ନିଜ ଯାଆର ବୟାନବାଜିରେ ଜେମା ଏକ ଚରିତ୍ରହୀନା ପାଲଟିଗଲା । ପଶାପାଲି ଓଲଟି ଗଲା ଯେମିତି । ଜେମାକୁ ମାଡ ମାରି ସୁନା ଚେନ୍ ଆଉ ସୁନା ଫୁଲ ଛଡାଇ ନେଲା ଗତିଆ । ଏମିତିକି ଜେମା ଠାରୁ ନାବାଳକ ପୁଅ ଝିଅଙ୍କୁ ଅଲଗା କରି ନିଆଗଲା ।ଝିଅର ନ୍ୟାୟ ପାଇଁ ଆସିଥିବା ଗରିବ ବାପା ଭାଇ ସତେ ଯେମିତି ଦୋଷୀ ପାଲଟି ଗଲେ ; ମାଡ ଖାଇଲେ । କାନମୁଣ୍ଡା ଆଉଁସି ଘରକୁ ଫେରିଲେ ତା୧୦/୧୨/୨୦୧୪ରିଖ ଦିନ । ସତରେ ଏକ ନାରୀର ବଦନାମ୍ ପାଇଁ ପୁରୁଷ ଦାୟୀ ନୁହେଁ , ଯେତିକି ଦାୟୀ ନୁହେଁ ତା'ର କାମୁକତା ଆଉ ପାଗଳାମୀ । ବରଂ ଏଥିରେ ଅନ୍ୟ ନାରୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଏହାପରେ ଆଇନର ଲଢେଇରେ ଚଂଚକତାର ନାଚ ଆରମ୍ଭ ହୋଇଗଲା । ୧୬/୧୨/୨୦୧୮ରେ ସ୍ଥାନୀୟ ଥାନାରେ ଏତଲା ଦିଆଗଲା । ମାତ୍ର ପୋଲିସ ନିରବଦ୍ରଷ୍ଟା ସାଜିଲା ପରେ,ତା୧୮/୧୨/୨୦୧୮ରିଖରେ ସବ୍ ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଏକ ସର୍ଚ୍ଚ ୱାରେଣ୍ଟରେ ନିଜର ମାଆ ନିକଟରେ ନାବାଳକ ପୁଅ ଝିଅଙ୍କୁ ତା-୦୧/୦୧/୨୦୧୯ରିଖ ସୁଦ୍ଧା ପହଂଚାଇବା ପାଇଁ ଗତିଆକୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଯେତେବେଳେ କୌଣସି ଏକ ଅପରାଧ ମୂଳକ କାର୍ଯ୍ୟ ପାଇଁ ପୋଲିସ୍ , ନ୍ୟାୟପାଳିକା ଏବଂ ଅପରାଧୀ ମାନେ ଅଭିସନ୍ଧି ମୂଳକ ଭାବରେ କାର୍ଯ୍ୟ କରନ୍ତି ; ସେତେବେଳେ ପୀଡ଼ିତା କେବେ ବି ଠିକ୍ ଭାବରେ ନ୍ୟାୟ ପାଇ ପାରେ ନାହିଁ । ଜେମା ପାଇଁ ବି ସେୟା ହେଲା । ଜେମାକୁ ପାଗଳୀ ଆଉ ଚରିତ୍ରହୀନା ଭାବରେ ମିଥ୍ୟା କାଗଜାତ ପ୍ରସ୍ତୁତ ହେଲା । “ଜେମା” ଗତିଆକୁ ଖାଦ୍ୟରେ ବିଷ ଦେଇ ମାରି ଦେବାକୁ ଚକ୍ରାନ୍ତ କରୁଥିଲା ବୋଲି ମନ ଗଢା ରିପୋର୍ଟ ଦେଲା । ହୁଏତ ଗତିଆ ଦିନେ ଜେମା ମୁହଁରେ ଜବରଦସ୍ତି ବିଷ ଢାଳି ମାରିଦେବା ପାଇଁ ଚକ୍ରାନ୍ତ କରିଥିଲା । ସରପଂଚ ବି ମିଛ ରିପୋର୍ଟ ଦେଲା । ଜେମା ଦୁଇ ପିଲାଙ୍କର ଦାୟିତ୍ୱ ନେବା ପାଇଁ ଅନୁପଯୁକ୍ତା ବୋଲି ଉଚ୍ଚ ନ୍ୟାୟଳାୟରେ
ପିଟିସନ୍ ଦିଆଗଲା । ଶେଷରେ ଜେମାର ସର୍ଚ୍ଚ ୱାରେଣ୍ଟ ବାତିଲ ହୋଇଗଲା । ନିଜର ପୁଅ ଝିଅଙ୍କୁ ହରାଇ ଛଟପଟ ହେଉଥିଲା ଜେମା । କେବେ ଆଖି ଆଗରେ ନାଚି ଯାଉଥିଲା ପୁଅ ଝିଅଙ୍କର କୁନି କୁନି ମୁହଁ । କେତେ ବଡ ହୋଇ ଯାଇଥିବେ ? ମୋ' କଥା କେତେ ମନେ ପକାଉଥିବେ ନା ? କେଡେ ହତଭାଗୀ ଏ ଜେମା ? ଗତିଆ ନିଶ୍ଚୟ ଭାଗ୍ୟବାନ୍ ! ନା ହତଭାଗ୍ୟ ? ଗତିଆ ନିହାତି ହତଭାଗା ପରି ଲାଗେ ଜେମାକୁ , କଥାରେ ଅଛି ପରା “ଭାଗ୍ୟବାନର ସ୍ତ୍ରୀ ମରେ , ଅଭାଗାର ଗୋରୁ ମରେ”। ସେଦିନ ଜେମା ମରି ଯାଇଥିଲେ , ଗତିଆ ପୁଣି ବାହା ହୋଇ ଘର ସଂସାର କରିଥା'ନ୍ତା ; ନୂଆ ଜୀଅନ୍ତା ମାଂସକୁ ଉପଭୋଗ କରିବା ସହିତ ପୁଳାଏ ଯାନି ଯଉତୁକ ପାଇ ଥା'ନ୍ତା ।
ଜେମା ବି ମୁକ୍ତି ପାଇ ଯାଇଥା'ନ୍ତା । ଓଃ ଏମିତି ଏ ଜୀବନ ! ଏମିତି ଦୀର୍ଘ ଦିନ ଚାଲିଗଲା । ଦିନେ ଶ୍ବଶୁରଙ୍କ ଦେହାନ୍ତ ଖବର ଶୁଣି ଚାଲି ଆସିଲା ଶାଶୂଘରକୁ ଜେମା । ହେଲେ କେହି ଘରକୁ ପୂରାଇ ଦେଇ ନଥିଲେ । ବରଂ ଜେମା ନିଜ ବାପା ଭାଇଙ୍କ ସହିତ ମାଡ ଖାଇଥିଲା । ଶେଷରେ ଶ୍ବଶୁରଙ୍କ ଶବ ନିକଟକୁ ଯିବା ପାଇଁ ନିଜର ବାପା ଭାଇଙ୍କ ସହିତ ରାସ୍ତାରେ ଧାରଣା ଦେଲା । ହେଲେ ଏକ ଅଜଣା ସ୍ତ୍ରୀ ଲୋକ ରାସ୍ତାରେ ଗଣ୍ଡଗୋଳ କରୁଛି ବୋଲି ପୋଲିସକୁ ଖବର ଦିଆଗଲା । ପୋଲିସ ଆସିଲା । ଅସଭ୍ୟ ଭାଷାରେ ଗାଳି ଗୁଲଜ କଲା । ଧକ୍କା ମାରି ଏଠୁ ବାହାରି ଯିବା ପାଇଁ ଆଦେଶ ଦେଲା । ଭୟରେ ପଳାଇ ଆସିଲା ଜେମା ତା'ର ବାପା ଭାଇଙ୍କୁ ଧରି । ତଥାପି ପୋଲିସର ମନ ଶାନ୍ତି ହେଲାନି । ରାସ୍ତାରେ ଚାଲି ଚାଲି ଆସୁଥିବା ସମୟରେ ଉଠାଇ ଆଣିଲା ସମସ୍ତଙ୍କୁ । ଏକ ସାଦା କାଗଜରେ ଜବରଦସ୍ତ ଦସ୍ତଖତ କରାଇ ନେଇ ଗଲା ଜେମାର ବାପା , ଭାଇଙ୍କଠୁ ?ଜେମା ଚାହୁଁଥିଲା କାକୁସ୍ଥ ହୋଇ ।
ଏହାପରେ..........
ତା-୧୦/୦୨/୨୦୧୯ରିଖରେ ଥାନାକୁ ଏତଲା ଦିଆ ଗଲା । ଚାର୍ଜସିଟ୍ ବି ହେଲା । କିନ୍ତୁ ଅପର ପକ୍ଷ ନଥିବାରୁ ମାମଲାକୁ ନାକଚ କରି ଦିଆଗଲା ।ଅପରାଧୀ ମାନେ ଖଲାସ ହୋଇଗଲେ । ହୁଏତ ଏଠାରେ ଯଦି ନ୍ୟାୟ ପାଳିକା ଯଥୋଚିତ ବିଚାର କରିଥିଲେ , ଶିଶୁ ମହିଳା ନିର୍ଯ୍ୟାତନା ଆଇନ୍ କିମ୍ବା ମାନବିକ ଅଧିକାର ଉଲ୍ଲଙ୍ଘନ ଆଇନର ଦଫାରେ ଦୋଷୀ ଦଣ୍ଡ ପାଇଥା'ନ୍ତା । କିନ୍ତୁ ସବୁକିଛି ଶୂନ୍ ହୋଇଗଲା । ହେଲେ ଜେମା ? ଜେମା ଘୁରି ବୁଲିଛି ଟିକେ ନ୍ୟାୟ ପାଇଁ ? ଜେମାର ଦରଖାସ୍ତ ଘୁରି ବୁୁଲୁଛି, ଥାନା,ରାଜ୍ୟ ମହିଳା କମିଶନ , ରାଜ୍ୟ ମାନବାଧିକାର କମିଶନ ଆଉ ଉପଜିଲ୍ଲାପାଳ ଅଫିସ୍ ଏମିତି କେତେ ଅଫିସ୍ । କିନ୍ତୁ ଜେମା କ'ଣ ଚାହେଁ ? କିଛି ନ ଦେଲେ ନାହିଁ । ଏକ ବାତ୍ସଲ୍ୟ ସ୍ନେହରୁ ବଂଚିତ ହୋଇ ସନ୍ତୁଳି ହେଉଥିବା ଏକ ମାଆକୁ ତା'ର ଛୁଆକୁ ଫେରାଇ ଦିଆଯାଉ । ଦୋଷୀ ଦଣ୍ଡ ପାଉ । ବାସ୍ , ଏତିକି ।
🙏ସାଙ୍ଗଠନିକ ସମ୍ପାଦକ🙏/🌀ଉଦୟ ଭାନୁ ପରିବାର🌀
💢ଭୋଦଳ,ପାଟସୁନ୍ଦରପୁର,ବ୍ରାହ୍ମଣ ସାଇଲୋ, କଟକ-୦୧୮💢
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।