3/01/2020

ଈତି କଥା

                                 ପ୍ରିୟ ରଞ୍ଜନ ଦାଶ

ମାନନୀୟେଷୁ ,
 ହେ' ବିଶ୍ଵନିୟନ୍ତା , ପରମପିତା ,ହେ ବଳିୟାରଭୁଜ ! ଅଧମ ପୁତ୍ରର ପ୍ରଣାମ ଘେନା କରିବ । ଆଶୀର୍ବାଦ କାମନା କେବେ କରିବି ନାହିଁ । କ'ଣ ବା ତୁମକୁ ଅଛପା ହେ' ଅନ୍ତର୍ଯ୍ୟାମୀ ! କି ଅବା ଦୁଃଖ କାହାଣୀ ଜଣାଇବି ତୁମକୁ ? କାହିଁକି ବା ତୁମକୁ ମୋ' ଦୁଃଖ ଜଣାଇ ଦୁଃଖୀ କରିବି ହେ' ଭକ୍ତ ଦୁଃଖରେ ଦୁଃଖୀ ? ଜୀବନରେ ସବୁବେଳେ ମୁଁ ପରୀକ୍ଷା ହିଁ ଦେଇ ଆସିଲି ।  କେବେ ବନ୍ଧୁ ଆଗରେ ପ୍ରକୃତ ବନ୍ଧୁ ହେବାର ପରୀକ୍ଷା ତ କେବେ ପତ୍ନୀ ପାଖରେ ଉତ୍ତମ ପତି ହେବାର ପରୀକ୍ଷା । ନା କେବେ ପିତା-ମାତାଙ୍କ ଯୋଗ୍ୟତମ ସନ୍ତାନ ହୋଇ ସେମାନଙ୍କୁ ଗୈାରବାନ୍ବିତ କରି ପାରିଲି , ନା ସନ୍ତାନର ବିତ୍ତଶାଳୀ ପିତା ହୋଇ ତାକୁ ଗର୍ବ କରିବାକୁ ସୁଯୋଗ ଦେଲି ? ତଥାପି ବି ମୁଁ ହତୋତ୍ସାହ ନ ହୋଇ ସଂସାରର କଣ୍ଟକିତ କର୍ଦ୍ଦମାକ୍ତ ପଥରେ ଚାଲୁଅଛି । ମୁଁ ଜାଣିଛି ହେ' ଚକାନୟନ , ତୁମେ ମୋ' ଧୈର୍ଯ୍ୟର ପରୀକ୍ଷା ନେଉଛ । ଏହା ମଧ୍ୟ ଜାଣିଛି ଯେ କିଏ ମୋ‌' ସହ ରହୁ କି ନ ରହୁ , ତୁମେ ସର୍ବଦା ମୋ' ସାଥିରେ ଅଛ । ମୋ' ହୃଦ ମନ୍ଦିରରେ ସର୍ବଦା ବିରାଜିତ ହୋଇଅଛ । ମୋ' ଆଖିର ଅଶ୍ରୁଧାରାରେ , ମୋ' ପ୍ରତିଟି ଲୋମକୂପରେ, ମୋ' ସର୍ବାଙ୍ଗରେ ତୁମେ ହିଁ ଅବସ୍ଥାପିତ । ସେବେ ଠାରୁ ସମସ୍ତେ ମୋତେ ସର୍ବହରା ବୋଲି ଛାଡ଼ି ଦେଇ ଚାଲି ଯାଇଛନ୍ତି , ତୁମେ ହିଁ ମୋ' ଆଶ୍ରା ସାଜିଛ । ଏହା ମଧ୍ୟ ଜାଣିଛି ଯେ ସୁଖ ସମୟରେ ତୁମେ ମୋ' ହାତ ଧରି ଚାଲିଛ ଏବଂ ଦୁଃଖ ସମୟରେ ମତେ କୋଳରେ ଧରି ଚାଲୁଛ । ଶେଷ ଆଶା ମଧ୍ୟ ଅଛି ଯେ ଏହିପରି ମତେ ଏ ଭବସିନ୍ଧୁ ପାରି କରିଦେବ ହେ ନାରାୟଣ । ନିରାଶ କରିବ ନାହିଁ ଏ ମହାପାପୀକୁ ।।। ଈତି।।
                                                                                                                                       ତୁମର ମୁଁ

                                                                                             
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।