3/01/2020

ଗୋସେଇଁ ଜଣାଣ (ମହାପ୍ରଭୁଙ୍କୁ ପଦେ)

ଅମ୍ଳାନ ପ୍ରହରାଜ 
*************************

ସାତ ଦିନ ରହି     ମାଉସୀର ଘରେ
         ଆଜି ଆସୁଅଛ ଫେରି l
ସଙ୍ଗେ ନେଲନାହିଁ   ପରାଣ ପ୍ରିୟାଙ୍କୁ
         ରହିଛନ୍ତି ମନ ମାରି l
         ଆହେ ପ୍ରଭୁ ନୀଳଗିରି,
ଆସନ୍ତା ବର୍ଷକୁ  ମା'ଙ୍କୁ ସଙ୍ଗେ ନେଇ
         ଘୋଷ ଯାତ୍ରା ଯାଅ କରି l
କୋଉ କାଳୁ ତୁମେ     ଚଢି ଆସୁଅଛ
         ସେଇ କାଠ ଗଢା ରଥ l
ଲୋକ ଟାଣୁଛନ୍ତି      ପୋଲିସ ଭିଡୁଛି
         ବୋଲୁଛି ଡାହୁକ ଗୀତ l
         ଆହେ ପ୍ରଭୁ ଜଗନ୍ନାଥ,
ଅଡ୍ଡି ହେଉ ଅବା        ବି ଏମ୍ ଡବ୍ଲ୍ୟୁ
         କାଆର କିଣ ତୁରନ୍ତ l
ତୁମକୁ ସାଆନ୍ତେ    ନଚେଇ ନଚେଇ
         ରଥକୁ ନିଅନ୍ତି ଟେକି l
ପାପ ନେତ୍ର ମୋର     ସହି ପାରୁନାହିଁ
         ତୁମ ଛେଚାକଚା ଦେଖି l
         କନ୍ ଭେୟର୍ ବେଲ୍ଟ ଜୋଖି,
ସୁଇଚ୍ ଟିପିଲେ       ରତନ ବେଦୀରୁ
         ଯାନେ ଉଭା ଚକାଆଖି l
ଇନ୍ଦ୍ରଙ୍କ ଦୟାଲ ରୁ      ବଡଦାଣ୍ଡେ ବହେ
         ଦ୍ଵାପର ଯମୁନା ନଈ l
ମୋଟର ଲଅଞ୍ଚ       କିଣି ପାଶେ ରଖ
         ତୁମ ଜଳ ଯାତ୍ରା ପାଇଁ l
         ସଂସାର ନାଉରୀ ହୋଇ,
ନିଜେ ବାହି ନେବ       ଗୁଣ୍ଡିଚା ମନ୍ଦିର
         ଆମେ ରହିଥିବୁ ଚାହିଁ l
ମହାପ୍ରଭୁ ଏବେ       ପହଣ୍ଡି ଯାତ୍ରା ରେ
         ବାଜେ ଘଣ୍ଟ ଖୋଳ ତାଳ l
କାହାଳୀ ମର୍ଦଳ          ଶୁଣି ଶୁଣି କାନ
         ବଥେଇ ଯାଏ ପ୍ରବଳ l
         ଘେନା କର ନନ୍ଦ ବାଳ,
ଡିଜେ ବାଜା ସାଥେ      ଆଲବମ ନାଚ
         ଏଥର ହେଉ ପ୍ରଚଳ l
ମହାପ୍ରଭୁ ତୁମ             ରତନ ଭଣ୍ଡାର
         ଚାବି ତ ଯାଇଛି ହଜି l
ଡୁପ୍ଲିକେଟ ଗୋଟେ       କୁଆଡୁ ମିଳିଲା
         ଏତେ ଗୁଡା ଖୋଜି ଖୋଜି l
         ଭଣ୍ଡାରକୁ ଖୋଲ ଆଜି,
ରତନ ଅଛି ନା            ସିନ୍ଦୁକ ଭିତରେ
         ବିକି ସାରିଲେଣି ପାଜି l
ଅମୃତ ମଣୋହି         ରାଜା ଖଞ୍ଜା ଜମି
         ବିଲ୍ଡର ନେଲେଣି ମାରି l
ନାରାୟଣୀ ସେନା       କବ୍ଜା କରି ତା'କୁ
         ବିକନ୍ତୁ ପ୍ଲଟିଙ୍ଗ କରି,
         ପଇସା ଏକାଠି ଧରି
ବଡ ଦେଉଳ ଟା         ପୁରୁଣା ହେଲାଣି
         ନୂଆଟେ ତୋଳନ୍ତୁ ହରି l
ଯେତେ ଯେତେ ଯାହା  ଲେଖିଲି ହେ ପ୍ରଭୁ
         କରିଦେବ ବାରେ କ୍ଷମା l
ମୂର୍ଖ,ଅପଣ୍ଡିତ         ଏ ବ୍ୟଙ୍ଗ ଗୋସେଇଁ
         ଦୋଷ ନ ଧରିବ ଜମା l
         ଶରଣ ଗଲି ମଣିମା,
ବେଳୁଁ ବେଳ ଦୁଃଖ        ବଢେ ଅପ୍ରମିତ
         ନାହିଁ ପୂର୍ଣ୍ଣଚ୍ଛେଦ କମା l

👏👏ଜୟ ଜଗନ୍ନାଥ ସ୍ୱାମୀ👏👏
     🌷🌷ଚରଣାଶ୍ରିତ🌷🌷

🙏🙏ବ୍ଯଙ୍ଗ ଗୋସେଇଁ  🙏🙏
ଡ଼ିଆ- ନିରାକାରପୁର -ଖୋର୍ଦ୍ଧା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।