3/01/2020

ରାତି

ବସନ୍ତ କୁମାର ପଣ୍ଡା 
ଦୁଃଖ କା' ଆଗେ କହିବ ରାତି
 ଯହିଁ ସପନ କେ' ନ ଦେଖନ୍ତି,
ଆଗେ ଦେଖୁଥିଲେ ଯେଉଁ ଜନ....
କେହି ଧରଣୀ କୋଳେ ନାହାନ୍ତି  ll୧ll

ସବୁ କାଳିମାକୁ ବୋଳି ହୋଇ
   ଅମା ଅନ୍ଧାରର ଭାର ବୋହି,
ରାତି ଆଜି ନିଜେ ଉଜାଗର....
    ସାରା ସଂସାରକୁ ସୁଖ ଦେଇ  ll୨ll

ମନେ କେତେ ଅସରନ୍ତି କଥା
    ଆଉ ଜୀବନର ଯାହା ବ୍ୟଥା
ଏକା ଜହ୍ନକୁ ସଙ୍ଗାତ କରି.....
    କେବେ କହିଦିଏ ଟେକି ମଥା ll୩ll

ଦୂର ଗଗନରୁ ଫୁଲଝରୀ
    ଚାହିଁ ହସୁଛନ୍ତି କିରିକିରି
କରି କେତେ ଥଟ୍ଟା ପରିହାସ......
    ଆଲୋ କିଏ କଲା ହତଶିରି  ll୪ll

ଲୋକେ କଳ୍ପନା ସଉଧ ଗଢି
    ମିଛ ମାରୁତେ ଗଲେଣି ଉଡି
ହାତେ ଆଉଁସି ନିଜକୁ ନିଜେ....
ବଞ୍ଚେ କର୍କଶ ପାଷାଣେ ପଡି  ll୫ll

ଆଜି, ଭୀଷ୍ମ ପିତାମହ ହୋଇ
 ରାତି ବିଦ୍ଧ ଶରେ ଶଯ୍ୟାଶାୟୀ
ଖାଲି ଦେଖିବାକୁ ଶେଷ ସୀମା.....
 ଯହିଁ କୌରବେ ନ ଥିବ କେହି  ll୬ll
                -0-
                 
   ବଇଞ୍ଚା,ଇରମ (ଭଦ୍ରକ)             

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।