3/01/2020

ତୋ' ପାଇଁ ମୁଁ ଧନ୍ୟ ଲୋ ଇରମ

କୈଳାସ ଚନ୍ଦ୍ର ପାଢ଼ୀ 

ଏ ମୋର ପୁଣ୍ଯ ଜୀବନ ଧନ୍ୟ
                       ତାହାରି ପାଇଁ ,
ଯାହାର ବକ୍ଷେ ଛିଡା଼ ହୋଇ ଆଜି-
ମୋ' ଦେଶ ମାଟିର ବୀର ଶହୀଦର
              ସ୍ମୃତି ତର୍ପଣ କରୁଛି ମୁହିଁ
ତୁହି ପରା ସେହି ଇରମ ଭୂଇଁ ଲୋ
          ତୁହି ପରା ସେହି ଇରମ ଭୂଇଁ ।।

ଅତୀତରେ ଦିନେ ତୋହରି ଛାତିରେ
ଓଡି଼ଆ ପୁଅର-ଉଷ୍ମ-ରକତ
          ଧାର ଧାର ହୋଇ ଯାଇଛି ବହି ,
ସେ ସବୁ କଥାକୁ ମୂକସାକ୍ଷୀ ହୋଇ
         ଇତିହାସ ଆଜି ଦେଉଛି କହି ।।










ସେଦିନ ମୁଁ ଯଦି ଥାଆନ୍ତି ତୋ' କୋଳେ
          ଉଲ୍ଲସାଇ ତୋ' ଛାତି ,
ବଇରୀ ରକ୍ତେ ରଞ୍ଜିତ ଧରଣୀ
           ଫେରନ୍ତି ତୋହରି କତି ।
ଦେଖାଇ ମୋ' ବୀରପଣ ,
ନହେଲେ ଶହୀଦ୍ ହୋଇ ଯାଇଥା'ନ୍ତି
           ଦେଶ ପାଇଁ କରି ରଣ
ତେବେ ସିନା ଯାଇ ସାର୍ଥକ ହୋଇ
           ଥାଆନ୍ତା ଏ ମୋର ପ୍ରାଣ ।।

ହାୟ ହତଭାଗ୍ୟ ସେତକ ସୌଭାଗ୍ୟ
           ନଥିଲା କପାଳେ ମୋର ,
ବାକି ଥିଲା ଯାହା ଶୁଣିବାକୁ ସେହି
           କରୁଣ କାହାଣୀ ତୋର ।
ତୋ' ପଥର ଛାତି ତଳେ
କିଏ ସେ ବୁଝୁଛି କେତେ ଯେ ଦୁଃସହ
           ବେଦନା ତହିଁରେ ଖେଳେ ।।

ଯୁଦ୍ଧ ସରିଛି ଶତ୍ରୁ ହଟିଛି
           ସ୍ବାଧୀନ ହୋଇଛି ଦେଶ,
ତଥାପି ମଣିଷ ସମାଜରୁ କାହିଁ
           ଦୁଃଖ ହୋଇନି ଶେଷ ।
ଯନ୍ତ୍ରଣା ଯାଏ ବଢି଼
ସଇତାନ୍ ଏଇ ମଣିଷ ଭିତରୁ
ମଣିଷ ପଣିଆ-
            ନେଇଛି ବା କିଏ କାଢି଼ ।।

ଚାଲିଅଛି ଏଠି ନରକପୁରୀର
           ନାରକୀୟ ଲୀଳା ଯେତେ ,
ନିଜ ପ୍ରତି ନାହିଁ ନିଜର ତ ଆଉ
          ବିଶ୍ବାସ ଟିକେ ଏତେ
ନଇଁ ଯାଏ ଜାତି ମଥା-
ଦରଦୀ ହୃଦୟ ନହେଲେ କିଏ ସେ
           ବୁଝିବ ଏ ତୋର ବ୍ୟଥା ।।

ତୋହରି ବୁକୁର ବଳୟେ ସେଦିନ
            ଉଠି ଥିଲା ଯେଉଁ ଝଡ଼,
ସେ ଝଡ଼ରେ ଥିଲା ମୁକ୍ତିର ନିଶା
            ପରାଧୀନ ମଣିଷର ।
ଆଜି କିନ୍ତୁଏଠି ଏଇ ତୋ' ମାଟିରେ
            ଝଡ଼ ଉଠେ ବାରବାର,
ଏ ଝଡ଼ରେ ନାହିଁ ଜାତୀୟତାବୋଧ
ଏ ଝଡ଼ ହେଉଛି ଅପୋଗଣ୍ଡର
             ଇର୍ଷା ଓ ଅହଙ୍କାର ।।

ଚାରିଆଡେ଼ ଦେଖ ଭେଦ ବିଭେଦର
             ପାଚେରୀ ହୋଇଛି ଛିଡା଼
ଅବକ୍ଷୟୀ ଏଇ ସମାଜର ବୁକେ
ମହାକାଳ ଆଜି-
             ରଚିଛି ରଙ୍ଗ କ୍ରୀଡା଼
ଉଦଭ୍ରାନ୍ତ ସେଇ ଯୁଗଳ ତା' ପାଦ ତଳେ
ସୁନ୍ଦର କେତେ ଘାସଫୁଲ ଲଭେ
             ମୃତ୍ୟୁ ଯେ ଅବହେଳେ ।।

ତଥାପି ମୁଁ ଆଜି ଧନ୍ୟ ମଣୁଛି
              ଜନ୍ମି ତୋହରି କୋଳେ
ସାମ୍ୟର ଗୀତି ଶୁଣିଛି ତୋହରି
              ସମୀରର ତାଳେ ତାଳେ
ଏଇ ଯେ ଦେଖୁଛି ଶତ ଶହୀଦର
              ସ୍ତମ୍ଭ ହୋଇଛି ଛିଡା
ସେ ଦେଇଛି ମୋତେ ମନ୍ତ୍ର ମହାନ
ଜୀବନରେ ଆଉ
              ଅଛି କିବା ମୋର ଲୋଡା଼
କିଛି ଲୋଡା଼ ନାହିଁ ମୋର-
ହେ ଶହୀଦ ତୁମେ ବୀର ପୁଙ୍ଗବ
              ନମସ୍ୟ ଏ ଜାତିର
              ଘେନ ମୋର ନମସ୍କାର ।।
              ***************
କୁମାରପୁର-ଭଦ୍ରକ
==================
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।